Advertisment

ରାତି ପାହିଲେ ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ; ସଜେଇ ହୋଇଛି ସ୍ନାନବେଦୀ

ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଲାଗିଲାଣି ଗହଳି। ଏବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବନ୍ଦୋବସ୍ତ।

author-image
Manoranjan Sial
Puri

Puri

କାଲି ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ। ସଜେଇ ହୋଇଛି ସ୍ନାନବେଦୀ। ତେଣେ ଚତୁର୍ଦ୍ଧା ମୂରତିଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପାଇଁ ଶ୍ରୀମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି। ସେଥିପାଇଁ ସେବକଙ୍କୁ ତର ନାହିଁ। ଇତି ମଧ୍ୟରେ ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ସେନାପଟା ଓ ବାହୁଟକଣ୍ଟ ଭଳି ଗୁପ୍ତନୀତି ସାରିଛନ୍ତି। ତେଣେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ସ୍ନାନ ନୀତି ଅନୁସାରେ ଶନିବାର ଭୋର୍ ସାଢ଼େ ୪ଟାରେ ମଙ୍ଗଳାର୍ପଣ ଓ ୫ଟାରୁ ଆରମ୍ଭ ହେବ ପହଣ୍ଡି। ସକାଳ ୭ଟା ସୁଦ୍ଧା ଶ୍ରୀଜୀଉମାନଙ୍କ ପହଣ୍ଡି ସାରି ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବା ପରେ ମଧ୍ୟାହ୍ନ ୧୨ଟା ୨୦ରୁ ୧ଟା ୪୫ ଭିତରେ ହେବ ଜଳ ବିଜେ। ଅପରାହ୍ନ ୩ ଟାରେ ଛେରା ପହଁରା ପରେ ୩ଟା ୪୦ରୁ ହାତୀବେଶ ଆରମ୍ଭ ହେବ। ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୩୦ ଯାଏଁ ସାହାଣ ମେଲା ଦର୍ଶନ ପାଇଁ ସମୟ ଧାର୍ଯ୍ୟ ହୋଇଛି।

Advertisment

ଦର୍ଶନ ସରିବା ପରେ ରାତି ୧୧ଟାରେ ହାତୀବେଶ ଓଲାଗି ହୋଇ ସାଢ଼େ ୧୧ଟାରୁ ୨ ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ସ୍ନାନ ନୀତି ପାଇଁ ଆଜି ସୁନା କୂଅରୁ ସଂଗୃହିତ ଜଳକୁ ଅଧିବାସ ଗୃହରେ ରଖାଯାଇଛି। ଗରାବଡୁ ସେବକମାନେ ଏହାକୁ ସ୍ନାନବେଦୀକୁ ଆଣିବା ପରେ ପଞ୍ଚଉପଚାର ବିଧିରେ ଠାକୁରମାନଙ୍କୁ ଲାଗି କରାଯିବ। ଶ୍ରୀଜିଉଙ୍କ ଦୁର୍ଲଭ ସ୍ନାନ ଉତ୍ସବର ସାନିଧ୍ୟ ନେବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଲକ୍ଷାଧିକ ଭକ୍ତ।

ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଲାଗିଲାଣି ଗହଳି। ଏବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବନ୍ଦୋବସ୍ତ। ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥର ମାର୍କେଟ ଛକଠୁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି। ସେଠୁ ବ୍ୟାରିକେଡରେ ଭକ୍ତମାନେ ପ୍ରବେଶ କରି ସିଂହଦ୍ୱାର ବାଟ ଦେଇ ସ୍ନାନବେଦୀକୁ ଦର୍ଶନ ପାଇଁ ଯିବେ। ପହଣ୍ଡି ସମୟରେ ଟିକେଟ୍‌ ଧାରୀ ଭକ୍ତ ଦକ୍ଷିଣ ଦ୍ୱାରରେ ପ୍ରବେଶ କରିବେ। ମାର୍କେଟ ଛକରୁ ଆଗକୁ ନୋ-ଭେଇକିଲ୍ ଜୋନ୍ ଘୋଷଣା ହୋଇଛି।

Advertisment

ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଭୁବନେଶ୍ୱରରୁ ଆସୁଥିବା ଯାନ ଗୁଡ଼ିକ ବୀରହରେକୃଷ୍ଣପୁର ବାଟ ଦେଇ ଶ୍ରୀସେତୁ ଉପରେ ଜଗନ୍ନାଥ ବଲ୍ଳଭ ପାର୍କିଂକୁ ଯିବେ। ଆଇନଶୃଙ୍ଖଳା, ସୁରକ୍ଷା ପାଇଁ ଏଥର ୪ ଜଣ ଏସପି ରାଙ୍କ ଅଫିସର, ୧୨ ଜଣ ଅତିରିକ୍ତ ଏସପି, ୨୨ଜଣ ଡିଏସପିଙ୍କ ସହ ୬୮ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହେବେ। ପୁଲିସ୍ ପକ୍ଷରୁ ୧୧୨ ନମ୍ବରରେ ଏକ ହେଲପ୍ ଲାଇନ୍ ମଧ୍ୟ ଜାରି ହୋଇଛି। ସେପଟେ ସମୁଦ୍ର ସ୍ନାନ ଅଘଟଣ ରୋକିବାକୁ ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡଙ୍କୁ ମୁତୟନ କରାଯାଇଛି ବୋଲି ପୁରୀ ଏସ୍‌ପି ପିନାକ ମିଶ୍ର କହିଛନ୍ତି।

ତେଣେ ମହାପ୍ରଭୁଙ୍କ ହାତୀବେଶ ପାଇଁ ରାଘବ ଦାସ ଓ ଗୋପାଳତୀର୍ଥ ମଠ ପକ୍ଷରୁ ସାମଗ୍ରୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପିତ ହେବା ପରେ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଏଥର ସ୍ନାନଯାତ୍ରାକୁ ଅଧିକ ସଂଖ୍ୟକ ଭକ୍ତ ଆସିବା ଅନୁମାନ କରାଯାଉଛି।

Puri Shreemandir Puri Sri Jagannath Lord Jagannath