ପ୍ରବାସୀ ଭାରତୀୟ ଦିବସ ସମାରୋହ: ମୁଖ୍ୟ ଅତିଥି ହେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି, ଓଡ଼ିଶା ଆସିବେ ୭ହଜାର ଅତିଥି

ପ୍ରବାସୀ ଭାରତୀୟ ଦିବସ ସମାରୋହ ଆୟୋଜନବେଳେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପଥ ଉତ୍ସବ,ଏକାମ୍ର ଉତ୍ସବ, ଆଦିବାସୀ ମେଳା ପ୍ରଭୁତି ଦ୍ୱାରା ରାଜଧାନୀକୁ ଉତ୍ସବ ମୁଖର କରାଯିବ ।

ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁ

  • Published: Tuesday, 31 December 2024
  • , Updated: 31 December 2024, 08:39 PM IST

ଆସନ୍ତା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ପ୍ରମୁଖ ଯୋଗ ଦେବେ । ଏହି ସମାରୋହରେ ଦେଶବିଦେଶରୁ ପ୍ରାୟ ୭ହଜାର ଅତିଥି ଯୋଗଦେବେ ବୋଲି ଜଣାପଡ଼ିଛି ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ସମାରୋହର ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଓଡ଼ିଶାର ସମୃଦ୍ଧ କଳା,ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଂଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରକୃଷ୍ଟ ଅବସର ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସମାରୋହର ସଫଳ ରୂପାୟନରେ ଭାଗିଦାରୀ ହେବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ଏହି ସମାରୋହକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ହାଇସିକ୍ୟୁରିଟି ଫୋର୍ସ, ୨୫୦ ଟ୍ରାଫିକ ନିୟନ୍ତ୍ରଣକାରୀ ଓ ୧୪୦ ଲିଆଜିନିଙ୍ଗ୍ ଅଫିସରଙ୍କୁ ନିୟୋଜିତ କରାଯାଇଛି । ସେହିପରି ବିଦେଶରୁ ଆସୁଥିବା ଅତିଥିମାନଙ୍କୁ ଏକ ସୁନ୍ଦର ଓ ସୌହର୍ଦ୍ଦ୍ୟପୂର୍ଣ୍ଣ ଅଭିଜ୍ଞତା ପ୍ରଦାନ ପାଇଁ ଟ୍ୱିନସିଟି ଭୁବନେଶ୍ୱର ଓ କଟକକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଓ ନିର୍ମଳ କରାଯାଇଛି ।  ସହରର ରାସ୍ତାଘାଟ, ଅଫିସ୍ ବିଲିଡିଂ, ବିଡିଏ ପାର୍କ ଓ ବରପୁତ୍ରଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରାଯାଇ  ଆଲୋକମାଳାରେ ସୁସଜ୍ଜିତ କରାଯାଉଛି । ପ୍ରବାସୀ ଭାରତୀୟ ଦିବସ ସମାରୋହ ଆୟୋଜନବେଳେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପଥ ଉତ୍ସବ,ଏକାମ୍ର ଉତ୍ସବ, ଆଦିବାସୀ ମେଳା ପ୍ରଭୁତି ଦ୍ୱାରା ରାଜଧାନୀକୁ ଉତ୍ସବ ମୁଖର କରାଯିବ । ସେହିପରି ରାଜାରାଣୀ ସଙ୍ଗୀତ ଉତ୍ସବ, ଓଡ଼ିଶୀ ନୃତ୍ୟ,ମୁକ୍ତେଶ୍ୱର ଡ୍ୟାନ୍ସ ଫେଷ୍ଟିଭାଲ, ଦେଶଜ ନୃତ୍ୟ ଇତ୍ୟାଦି ମାଧୟ୍‌ମରେ ବିଭିନ୍ନ ସ୍ଥାନରେ ଓଡ଼ିଶାର କଳାସଂସ୍କୃତି ଓ ଐତିହ୍ୟର ପ୍ରଦର୍ଶନ କରାଯିବ । ଏହାର ସିଧାସଳଖ ପ୍ରସାରଣ ମଧ୍ୟ ଦୂରଦର୍ଶନରେ କରାଯିବ । ଭୁବନେଶ୍ୱର, କଟକ, ପୁରୀ ଓ କୋଣାର୍କ ଆଦି ବିଭିନ୍ନ ସହରର ପ୍ରାୟ ୩୧ଟି ପର୍ଯ୍ୟଟନସ୍ଥଳୀକୁ ଅତିଥିମାନଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି । ଓଡ଼ିଶାର ଏକ ପ୍ୟାଭିଲିୟନ ଜନତା ମଇଦାନରେ ରହିବ । ଯେଉଁଥିରେ ଶ୍ରୀଜଗନ୍ନାଥ ସଂସ୍କୃତି, କଳିଙ୍ଗ ଯୁଦ୍ଧ, ସମ୍ରାଟ ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରଣ, ଐତିହ୍ୟ ବାଲିଯାତ୍ରା ଓ ଅନ୍ୟାନ୍ୟ କୀର୍ତ୍ତିରାଜିଗୁଡ଼ିକର ପ୍ରଦର୍ଶନ କରାଯିବ ।

ଅତିଥିମାନଙ୍କର ଭ୍ରମଣ ଓ ଯାତାୟତ ନିମନ୍ତେ ୧୦ଟି ଉନ୍ନତମାନର ବସ୍ ଓ ୫ଟି ଡବଲ ଡେକର ବସ ବ୍ୟବସ୍ଥା କରାଯାଇଛି । ୨୦୦ରୁ ଅଧିକ ପ୍ରବାସୀ ସାମ୍ବାଦିକ, ୭ଟି ଦେଶରୁ ୟୁଟ୍ୟୁବର ଓ ବ୍ଲଗର ମଧ୍ୟ ଏଥିରେ ସାମିଲ ହେବେ ।

ଭୁବନେଶ୍ୱର ସହିତ ଏହାର ଆଖପାଖ ଅଂଚଳର ପରିମଳ ବ୍ୟବସ୍ଥା ଓ ସୌନ୍ଦର୍ଯ୍ୟକରଣ ଉପରେ ସ୍ୱତନ୍ତ୍ର ଧ୍ୟାନଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଏମସି ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜିର ଏହି ସମୀକ୍ଷା ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ, ପୂର୍ତ୍ତ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀଙ୍କ ସମେତ ମୁଖ୍ୟ ସଚିବ ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।

Related story