ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ କିଏ କେଉଁଠି ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ କରିବେ ସେ ନେଇ ଆଜି ତାଲିକା ପ୍ରକାଶ ପାଇଛି । ଏହାସହିତ ଚଳିତବର୍ଷ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ‘ସ୍ୱର୍ଣ୍ଣିମ ଭାରତ, ସମୃଦ୍ଧ ଓଡ଼ିଶା’କୁ ନେଇ ମୋଟ ୧୦ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ ବୋଲି ଜଣାପଡ଼ିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ସୁରକ୍ଷା ଏଜେନ୍ସୀ ସମେତ ଏନସିସି,ଗାଇଡ୍ ଓ ସ୍କାଉଟର ମୋଟ ୪୦ଟି ଟିମ୍ ରାଜ୍ୟସ୍ତରୀୟ ପରେଡରେ ସାମଲ ହେବେ ।
ଗୃହ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚଳିତଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ମହାତ୍ମା ଗାନ୍ଧି ମାର୍ଗରେ ପାଳନ କରାଯିବ । ଏଥିରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ସାଢ଼େ ୮ଟାରେ ପତାକା ଉତ୍ତୋଳନ କରିବେ । ମୁଖ୍ୟ ସଚିବ, ଗୃହ ସଚିବ, ପୁଲିସ ଡିଜି ଓ ଏନସିସିର ଡିଡିଜି ଓଡ଼ିଶା ଉପସ୍ଥିତ ରହି ରାଜ୍ୟପାଳଙ୍କୁ ପରେଡ ସ୍ଥଳରେ ସ୍ୱାଗତ କରିବେ । ରାଜ୍ୟସ୍ତରୀୟ ପରେଡରେ ଓଡ଼ିଶା ଅଗ୍ନିଶମ ବାହିନୀ ଓ ସିଆରପିଏଫ ସାଂସ୍କୃତିକ ବ୍ୟାଣ୍ଡ ମଧ୍ୟ ପରିବେଷଣ ହେବ । ସେହିପରି ବିଏସଏଫ, ଆଇଟିବିପି, ସିଆରପିଏଫ,ଆରପିଏଫ, ଆଇଏନଏସ ଚିଲିକା ସମେତ ଓଡ଼ିଶା ପୁଲିସର ଟିମ୍ ମଧ୍ୟ ପରେଡରେ ସାମିଲ ହେବେ । ଚଳିତବର୍ଷ ମୋଟ ୧୦ଟି ପ୍ରଜ୍ଞାପନ ମେଢ଼ ରାଜ୍ୟସ୍ତରୀୟ ପରେଡରେ ସାମିଲ ହେବ । ଏହି ସମସ୍ତ ପ୍ରଜ୍ଞାପନ ମେଢ଼ ‘ସ୍ୱର୍ଣ୍ଣିମ ଭାରତ,ସମୃଦ୍ଧ ଓଡ଼ିଶା’ ଥିମ୍ ଉପରେ ଆଧାରିତ ରହିବ । ସେହିପରି ଦିନ ୧୨ଟାରେ ଉଲ୍ଲେଖନୀୟ ସେବା ପାଇଁ ପୁଲିସ କର୍ମଚାରୀମାନଙ୍କୁ ବିଭିନ୍ନ ମେଡାଲ ପ୍ରଦାନ କାର୍ଯ୍ୟକ୍ରମ ଲୋକସେବା ଭବନର କନଭେନସନ ହଲରେ କରାଯିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ସାମିଲ ହେବେ ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ପତାକା ଉତ୍ତୋଳନ କରିବେ । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ-ପୁରୀ, ପ୍ରଭାତୀ ପରିଡ଼ା-ଖୋର୍ଦ୍ଧା, ମନ୍ତ୍ରୀ ସୁରେଶ ପୂଜାରୀ-ସୁନ୍ଦରଗଡ଼, ରବିନାରାୟଣ ନାଏକ-ସୋନପୁର,ନିତ୍ୟାନନ୍ଦ ଗଣ୍ଡ-କୋରାପୁଟ, କୃଷ୍ଣଚନ୍ଦ୍ର ପାତ୍ର-ଜଗତସିଂହପୁର, ପୃଥ୍ୱୀରାଜ ହରିଚନ୍ଦନ-ଯାଜପୁର, ମୁକେଶ ମହାଲିଙ୍ଗ-ରାୟଗଡ଼ା, ବିଭୂତିଭୂଷଣ ଜେନା-ଗଜପତି, କୃଷ୍ଣଚନ୍ଦ୍ର ମହାପାତ୍ର-ବାଲେଶ୍ୱର, ଗଣେଶରାମ ଖୁଂଟିଆ-କେନ୍ଦୁଝର, ସୂର୍ଯ୍ୟବଂଶୀ ସୂରଜ-ନୂଆପଡ଼ା, ପ୍ରଦୀପ ବଳ ସାମନ୍ତ-ଢ଼େଙ୍କାନାଳ,ଗୋକୁଳାନନ୍ଦ ମଲ୍ଲିକ-ମାଲକାନଗିରି ଓ ସମ୍ପଦ ଚନ୍ଦ୍ର ସ୍ୱାଇଁ ନୟାଗଡ଼ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ ।
ସେହିପରି କେନ୍ଦ୍ରାଂଚଳ ଆରଡିସି କେନ୍ଦ୍ରାପଡ଼ାରେ,ଉତ୍ତରାଂଚଳ ଆରଡିସି ରାଉରକେଲାରେ ଓ ଦକ୍ଷିଣାଂଚଳ ଆରଡିସି ବ୍ରହ୍ମପୁରରେ ପତାକା ଉତ୍ତୋଳନ କରିବେ । ଅନ୍ୟ ୧୩ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ ।
ଉଲ୍ଲେଖଯୋଗ୍ୟ, ରାଜ୍ୟର ମୋଟ ୨୦ଜଣ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟପାଳ ପଦକ-୨୦୨୪ ପ୍ରଦାନ କରାଯିବ । ଲୋକସେବା ଭବନର କନଭେନସନ ହଲରେ ଜାନୁୟାରୀ ୨୬ତାରିଖ ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ସବୁ ମେଡାଲ ପ୍ରଦାନ କରାଯିବ ।
ରାଜ୍ୟପାଳ ପଦକ ପାଇଁ ଯେଉଁ ଅଫିସରମାନେ ମନୋନୀତ ହୋଇଛନ୍ତି ସେମାନେ ହେଲେ ଅଗ୍ନିଶମ ଆଇଜି ଦୀପକ କୁମାର, ବ୍ରହ୍ମପୁର ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ଝାରସୁଗୁଡ଼ା ପୁଲିସ ଏସପି ପରମାରସ୍ମିତ ପୁରୁଷୋତ୍ତମଦାସ, ଷଷ୍ଠ ଓଏସଏପି ବାଟାଲିୟନର କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକଙ୍କ ସମେତ ଅତିରିକ୍ତ ଏସପି ସୁଶାନ୍ତ କୁମାର ବିଶ୍ୱାଳ ଓ ରାଜୀବ ଲୋଚନ ପଣ୍ଡା,ଇନ୍ସପେକ୍ଟର ଶ୍ରଦ୍ଧାଞ୍ଜଳି ପଣ୍ଡା,ଅନୀଲ କୁମାର ମିଞ୍ଜ ଓ ତୁଷାରକାନ୍ ମହାପାତ୍ର, ସବଇନ୍ସପେକ୍ଟର ସୁବାସ ଚନ୍ଦ୍ର ପଣ୍ଡା, କ୍ଷୀରୋଦ ଚନ୍ଦ୍ର ବାଗ ଓ ମନୋରଞ୍ଜନ ସାମଲ, ଏଏସଆଇ ରବିନ୍ଦ୍ର ନାଥ ଜେନା,ବିଷ୍ଣୁକୁମାର ବୁରା ଓ ହାବିଲଦାର ମନୋଜ କୁମାର ଜେନାଙ୍କ ସମେତ କନେଷ୍ଟବଳ ପ୍ରମୋଦ କୁମାର ମହାନ୍ତ, ଚିତରଞ୍ଜନ ସାହୁ,ଅମିତ କୁମାର ମଲ୍ଲିକ,ଅଶ୍ୱିନୀକାନ୍ତ ସାହୁ ଓ ଅର୍ଜୁନ କୁମାର ଜେନା ମନୋନୀତ ହୋଇଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।