ଆମ ସମାଜରେ ମହିଳାଙ୍କୁ ନେଇ ଏକ ଭିନ୍ନ ଚିନ୍ତାଧାରା ଆଉ ପ୍ରଥା ରହିଛି। ଅବଶ୍ୟ ବର୍ତ୍ତମାନ ମହିଳାମାନେ ଆଇନଗତ ଭାବରେ ପୁରୁଷଙ୍କ ପରି ସମାନ ଅଧିକାର ପାଇଛନ୍ତି, ତଥାପି ସମାଜରେ ସେମାନଙ୍କର ସ୍ଥିତିକୁ ନେଇ କିଛି ଅସମାନତା ରହିଛି। ପୁରୁଷମାନେ ଏହି କାମ କରିବେ, ମହିଳାମାନେ ନୁହଁନ୍ତି। ପୁଅଟିଏ ହିଁ ଏହି ସ୍ଥାନକୁ ଯାଇପାରିବେ, ଝିଅଟିଏ କ'ଣ ପାରିବ... ଏପରି ଅନେକ କିଛି 'ନାହିଁ' ରହିଛି ଝିଅଟିଏ ପଛରେ। ଆଉ ଏହି ପ୍ରଥା ଦେଶ ତଥା ପୃଥିବୀର ଅଗ୍ରଗତି କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଛି। ଏହାକୁ ହୃଦୟଙ୍ଗମ କରି ପ୍ରତିବର୍ଷ ଆଜିର ଦିନକୁ ୱମେନ୍ସ ଇକ୍ୟୁଆଲିଟି ଡେ' ବା ମହିଳା ସମାନତା ଦିବସ ପାଳନ କରାଯାଉଛି।
ମହିଳା ସମାନତା ଦିବସ ଇତିହାସ
ମହିଳାମାନଙ୍କୁ ସମାନ ଅଧିକାର ପ୍ରଦାନ କରିବା ଏବଂ ସମାଜରେ ସେମାନଙ୍କର ସ୍ଥିତିକୁ ଦୃଢ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ। ଆମେରିକାରେ ପ୍ରଥମେ ମହିଳା ସମାନତା ଦିବସ ପାଳନ କରାଯାଇଥିଲା। ମହିଳା ଅଧିକାର ପାଇଁ ସଂଗ୍ରାମ ୧୮୫୩ ମସିହାରେ ଆମେରିକାରେ ହିଁ ଆରମ୍ଭ ହୋଇଥିଲା। ମହିଳାଙ୍କ ସମାନତା ଦାବିରେ 50 ବର୍ଷ ଧରି ଏହି ଆନ୍ଦୋଳନ 1920 ରେ ଶେଷ ହୋଇଥିଲା। ଏହାପରଠାରୁ ମହିଳାମାନେ ଅଧିକାର ପାଇବା ଆରମ୍ଭ କରିଥିଲେ। ସେବେଠାରୁ ଏହି ଦିନ ମହିଳା ସମାନତା ଦିବସ ଭାବରେ ପାଳନ କରାଯାଉଛି।
ମହିଳା ସମାନତା ଦିବସ ପାଳନର ଉଦ୍ଦେଶ୍ୟ
ମହିଳା ସମାନତା ଦିବସର ବିଷୟବସ୍ତୁ
ପ୍ରତିବର୍ଷ ଏହି ଦିବସ ଏକ ବିଷୟବସ୍ତୁ ବା ଥିମ୍ ଆଧାରରେ ପାଳନ କରାଯାଏ। ଚଳିତ ବର୍ଷ ଏହାର ଥିମ୍ 'ଏମ୍ବ୍ରେସ୍ ଇକ୍ୟୁଇଟି' ଅର୍ଥାତ୍ 'ସମତାକୁ ଗ୍ରହଣ କରିବା' ରହିଛି। ଏହି ଥିମ୍ ଲିଙ୍ଗଗତ ସମାନତାକୁ ଗ୍ରହଣ କରିବା କେତେ ଆବଶ୍ୟକ ତା ଉପରେ ଗୁରୁତ୍ୱାରୋପ କରେ। ଏପରି ଭାବଧାରା ଯେ କେବଳ ଅର୍ଥନୈତିକ ଅଭିବୃଦ୍ଧି କରିବନି ବରଂ ମୌଳିକ ମାନବିକ ଅଧିକାର ପାଇଁ ଜରୁରୀ ବୋଲି ସୂଚାଏ। ଆମ ଦେଶରେ ଲିଙ୍ଗଗତ ସମାନତା ଆଣିବାକୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ନିକଟରେ ଚାରିଜଣ ମହିଳା ସଦସ୍ୟଙ୍କୁ (50 ପ୍ରତିଶତ) ଉପାଧ୍ୟକ୍ଷଙ୍କ ଭାବେ ମନୋନୀତ କରିଛନ୍ତି। ସେହିପରି ବର୍ତ୍ତମାନ ମଧ୍ୟ ବିଜ୍ଞାନଠୁ ନେଇ ଚିକିତ୍ସା ଓ ପ୍ରତିରକ୍ଷା କ୍ଷେତ୍ର ସବୁଠି ମହିଳାଙ୍କ ଯୋଗଦାନ ରହୁଛି। ଏହାକୁ ଆହୁରି ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୱେମେନ୍ସ ଇକ୍ୟୁଆଲିଟି ଡେ' ପାଳନ କରାଯାଉଛି।