Advertisment

ଏଡସ୍ ନୁହେଁ ଡିଆଁ ରୋଗ, ସତର୍କ ହୁଅନ୍ତୁ ସୁସ୍ଥ ରୁହନ୍ତୁ

ଏଡସ୍ ବ୍ୟାପିବା ଆଶଙ୍କାରେ ଅନେକ ଲୋକ ରୋଗୀଙ୍କୁ ଛୁଇଁନଥାନ୍ତି, ସେମାନଙ୍କୁ ବାସନ୍ଦ କରନ୍ତି। ଏପରି କରିବା କେତେ ଦୂର ଠିକ୍, ପ୍ରକୃତରେ ଏଡସ୍ କାହିଁକି ହୁଏ, ରୋଗୀଙ୍କୁ ଛୁଇଁବା ଦ୍ୱାରା ରୋଗ ହୁଏ କି ଏବଂ କିପରି ପ୍ରତିରୋଧ କରିବେ? ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଏଡସକୁ ଏକ ଦୂରାରୋଗ୍ୟ ସହ ବିବେଚନା କରାଯାଏ। ତେଣୁ ଏହି ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧ରେ ବିଶ୍ୱ ଏଡସ୍ ଦିବସ ପାଳନ କରାଯାଏ। ତଥାପି ଏବେ ମଧ୍ୟ ଅନେକ ଲୋକ ଏପରି ଅଛନ୍ତି, ଯେଉଁମାନଙ୍କର ଏଡସକୁ ନେଇ ଅନେକ ଭ୍ରାନ୍ତ ଧାରଣା ରହିଛି। ରୋଗୀଙ୍କୁ ଛୁଇଁବା, ସେମାନଙ୍କ ସହ କଥାବାର୍ତ୍ତା କରିବା ଦ୍ୱାରା ରୋଗ ବ୍ୟାପିଥାଏ ବୋଲି ଅନେକ ଲୋକ ଭାବନ୍ତି। ଏପରି ଧାରଣା ଫଳରେ କିଛି ଲୋକ ରୋଗୀଙ୍କୁ ସାମାଜିକ ଚଳନିରୁ ବାସନ୍ଦ କରନ୍ତି। ଏପରି କରିବା କେତେ ଦୂର ଠିକ୍, ପ୍ରକୃତରେ ଏଡସ୍ କାହିଁକି ହୁଏ, ରୋଗୀଙ୍କୁ ଛୁଇଁବା ଦ୍ୱାରା ରୋଗ ହୁଏ କି ଏବଂ କିପରି ଏହି ରୋଗର ପ୍ରତିରୋଧ କରିବେ? ଜାଣିବା ପାଇଁ ପଢନ୍ତୁ ଏହି ଆଲେଖ୍ୟ...

Advertisment

ଏଡସ୍ କ’ଣ?
ଏଡସ୍ ହେଉଛି ଏକ ଭୂତାଣୁ ଜନିତ ରୋଗ। ଅସୁରକ୍ଷିତ ଯୌନ ସମ୍ପର୍କ ଏହି ରୋଗର ମୁଖ୍ୟ କାରଣ। ଏଚ୍.ଆଇ.ଭି(ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍) ସଂକ୍ରମଣ ଦ୍ୱାରା ଏଡସ୍ ହୋଇଥାଏ। ଏହି ଭୂତାଣୁ ପ୍ରତିରକ୍ଷା ପ୍ରଣାଳୀକୁ କ୍ଷତି ପହଞ୍ଚାଇଥାଏ। ଫଳରେ ଜଣେ ବ୍ୟକ୍ତି ଯଥେଷ୍ଟ ଦୁର୍ବଳ ହୋଇଯିବା ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡନ୍ତି। 

ଏଡସ୍ ରୋଗୀଙ୍କୁ ଛୁଇଁଲେ ରୋଗ ହୁଏ କି?
ଯଦିଓ ଏଡସ୍ ଏକ ସଂକ୍ରାମକ ରୋଗ, ତଥାପି ଜଣେ ରୋଗୀଙ୍କୁ ଛୁଇଁବା ଦ୍ୱାରା କି ତାଙ୍କ ସହ କଥା ହେବା ଦ୍ୱାରା ରୋଗ ବ୍ୟାପିନଥାଏ। ବାରମ୍ବାର ଡାକ୍ତରମାନେ କହନ୍ତି, ଅସୁରକ୍ଷିତ ଯୌନ ସମ୍ପର୍କ ହିଁ ଏଡସର ମୁଖ୍ୟ କାରଣ। ଅର୍ଥାତ୍ ଏକାଧିକ ଲୋକଙ୍କ ସହ ଶାରୀରକ ସମ୍ପର୍କ ସ୍ଥାପନ ଏଡସ୍ ସୃଷ୍ଟି କରେ। ଏହା ବ୍ୟତୀତ ସଂକ୍ରମିତ ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ, ରୋଗୀ ନେଇଥିବା ସମାନ ଇଞ୍ଜେକ୍ସନରେ ସୁସ୍ଥ ବ୍ୟକ୍ତି ଇଞ୍ଜେକ୍ସନ ନେବା ଦ୍ୱାରା ଏଡସ୍ ବ୍ୟାପିଥାଏ। ସେହିପରି ପ୍ରସବ କିମ୍ବା ସ୍ତନ୍ୟପାନ ସମୟରେ ମଧ୍ୟ ମାଆଠାରୁ ପିଲାକୁ ଏଡସ୍ ସଂକ୍ରମିତ ହେବାର ସମ୍ଭାବନା ଥାଏ।

Advertisment

ବାପା-ମାଆଙ୍କୁ ଏଡସ୍ ହେଲେ ପିଲାମାନଙ୍କୁ ହୁଏ କି?
ନା..., ବାପା-ମାଆଙ୍କୁ ଏଡସ୍ ହୋଇଥିଲେ ପିଲାମାନଙ୍କୁ ଯେ ରୋଗ ହେବ ତା'ର କୌଣସି କାରଣ ନାହିଁ। କିନ୍ତୁ ପିଲା ଗର୍ଭରେ ଥିବାବେଳେ ଯଦି ମାଆକୁ ଏଡସ୍ ହୋଇଥାଏ, ତେବେ ଜନ୍ମିତ ଶିଶୁ ଏହି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ତେଣୁ ଗର୍ଭାବସ୍ଥାରେ ଏଡସ୍ ପରୀକ୍ଷା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି।

ଏଡସ୍ ସଂକ୍ରମିତ ବୋଲି ଜାଣିବେ କିପରି?
ଏଚ୍.ଆଇ.ଭି ସଂକ୍ରମଣ କିମ୍ବା ଏଡସ୍ ନିଶ୍ଚିତ କରିବାକୁ ରକ୍ତ ପରୀକ୍ଷା କରାଯାଏ। ତଥାପି, ଏହି ରୋଗକୁ କେତେକ ଲକ୍ଷଣ ମାଧ୍ୟମରେ ମଧ୍ୟ ଚିହ୍ନଟ କରାଯାଇପାରେ...

ଯଦି କୌଣସି ବ୍ୟକ୍ତି ଏଡସରେ ସଂକ୍ରମିତ ହୁଅନ୍ତି, ତେବେ ସେ ୨ରୁ ୪ ସପ୍ତାହ ମଧ୍ୟରେ ଫ୍ଲୁ ଭଳି ରୋଗରେ ଆକ୍ରାନ୍ତ ହୁଅନ୍ତି। ଏହା ବ୍ୟତୀତ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଏବଂ ଗଣ୍ଠିରେ ଯନ୍ତ୍ରଣା, ଗଳା ଯନ୍ତ୍ରଣା, ପାଟି ଘା’, ଓଜନ ହ୍ରାସ ଆଦି ଲକ୍ଷଣ ଦେଖାଯାଏ। 

ଏହି ଲକ୍ଷଣଗୁଡିକ ଏତେ ମୃଦୁ ହୋଇପାରେ ଯେ ଲୋକମାନେ ପ୍ରାରମ୍ଭରେ ଜାଣିପାରନ୍ତିନି। କିନ୍ତୁ ପରବର୍ତ୍ତୀ ସମୟରେ ରୋଗ ବଢ଼ିବା ସହିତ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼େ।

ସଂକ୍ରମଣକୁ ରୋକିବେ କିପରି?
ଏଚ୍.ଆଇ.ଭି ସଂକ୍ରମଣକୁ ରୋକିବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଟିକା ବିକଶିତ ହୋଇପାରି ନାହିଁ। କେବଳ ସତର୍କତା ହିଁ ଚିକିତ୍ସାର ମୂଳ। ଅସୁରକ୍ଷିତ ଯୌନ ସମ୍ପର୍କରୁ ନିବୃତ୍ତ ରହିବା ସହ ଗର୍ଭାବସ୍ଥାରେ ଡାକ୍ତରୀ ପରୀକ୍ଷା ନିହାତି ଆବଶ୍ୟକ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

World AIDS Day AIDS HIV