ଚିକିତ୍ସା ବିଜ୍ଞାନ ଯେତେ ଉନ୍ନତି କରିଥିଲେ ବି ଏଯାଏ କେତେକ ରୋଗ ଅଛି, ଯାହାର ଚିକିତ୍ସା ସମ୍ଭବପର ହୋଇପାରି ନାହିଁ। ସେଥିମଧ୍ୟରୁ ଏଡସ ଅନ୍ୟତମ। ତେଣୁ ଏଡସକୁ ରୋକିବା ପାଇଁ ଏଥିପ୍ରତି ସଚେତନତା ସୃଷ୍ଟି କରିବା ନିହାତି ଆବଶ୍ୟକତା। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଡିସେମ୍ବର ୧କୁ ବିଶ୍ୱ ଏଡସ୍ ଦିବସ ରୂପେ ପାଳନ କରାଯାଉଛି।
ତଥାପି ଏବେ ମଧ୍ୟ ଅନେକ ଲୋକ ଏପରି ଅଛନ୍ତି, ଯେଉଁମାନେ ଏଡସକୁ ନେଇ ଅନେକ ଭ୍ରାନ୍ତ ଧାରଣା ରଖିଛନ୍ତି। ରୋଗୀଙ୍କୁ ଛୁଇଁବା, ସେମାନଙ୍କ ସହ କଥା ହେବା ଦ୍ୱାରା ଏଡସ ବ୍ୟାପିଥାଏ ବୋଲି ଅନେକ ଭାବନ୍ତି। ଏପରି ଧାରଣା ଫଳରେ କିଛି ଲୋକେ ରୋଗୀଙ୍କୁ ସାମାଜିକ ଚଳନିରୁ ବାସନ୍ଦ କରନ୍ତି। ବାସ୍ତବରେ ଏଡସ୍ କାହିଁକି ହୁଏ, ରୋଗୀଙ୍କୁ ଛୁଇଁବା ଦ୍ୱାରା ରୋଗ ହୁଏ କି ଏବଂ କିପରି ଏହି ରୋଗର ପ୍ରତିରୋଧ କରିବେ, ଜାଣନ୍ତୁ...
ଏଡସ୍ କ'ଣ?
ଏଡସ୍ ହେଉଛି ଏକ ଭୂତାଣୁ ଜନିତ ରୋଗ। ଅସୁରକ୍ଷିତ ଯୌନ ସମ୍ପର୍କ ଏହି ରୋଗର ମୁଖ୍ୟ କାରଣ। ଏଚ୍.ଆଇ.ଭି (ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍) ସଂକ୍ରମଣ ଦ୍ୱାରା ଏଡସ୍ ହୋଇଥାଏ। ଏହି ଭୂତାଣୁ ପ୍ରତିରକ୍ଷା ପ୍ରଣାଳୀକୁ କ୍ଷତି ପହଞ୍ଚାଇଥାଏ। ଫଳରେ ଜଣେ ବ୍ୟକ୍ତି ଦୁର୍ବଳ ହୋଇଯିବା ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡନ୍ତି।
ଏଡସ୍ ରୋଗୀଙ୍କୁ ଛୁଇଁଲେ ରୋଗ ହୁଏ କି?
ଯଦିଓ ଏଡସ୍ ଏକ ସଂକ୍ରାମକ ରୋଗ, ତଥାପି ଜଣେ ରୋଗୀଙ୍କୁ ଛୁଇଁବା ଦ୍ୱାରା କି ତାଙ୍କ ସହ କଥାହେବା ଦ୍ୱାରା ରୋଗ ବ୍ୟାପିନଥାଏ। ବାରମ୍ବାର ଡାକ୍ତରମାନେ କହନ୍ତି- ଅସୁରକ୍ଷିତ ଯୌନ ସମ୍ପର୍କ ହିଁ ଏଡସର ମୁଖ୍ୟ କାରଣ। ଅର୍ଥାତ୍ ଏକାଧିକ ଲୋକଙ୍କ ସହ ଶାରୀରକ ସମ୍ପର୍କ ସ୍ଥାପନ ଏଡସ୍ ସୃଷ୍ଟି କରେ। ଏହା ବ୍ୟତୀତ ସଂକ୍ରମିତ ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ, ରୋଗୀ ନେଇଥିବା ସମାନ ଇଞ୍ଜେକ୍ସନରେ ସୁସ୍ଥ ବ୍ୟକ୍ତି ଇଞ୍ଜେକ୍ସନ ନେବା ଦ୍ୱାରା ଏଡସ୍ ବ୍ୟାପିଥାଏ। ସେହିପରି ପ୍ରସବ କିମ୍ବା ସ୍ତନ୍ୟପାନ ସମୟରେ ମଧ୍ୟ ମାଆଠାରୁ ପିଲାକୁ ଏଡସ୍ ସଂକ୍ରମିତ ହେଇପାରେ। କିନ୍ତୁ ଏହା ଛୁଆଁ କି ଡିଆଁ ରୋଗ ନୁହେଁ।
ବାପା-ମାଆଙ୍କୁ ଏଡସ୍ ହେଲେ ପିଲାମାନଙ୍କୁ ହୁଏ କି?
ନା..., ବାପା-ମାଆଙ୍କୁ ଏଡସ୍ ହୋଇଥିଲେ ପିଲାମାନଙ୍କୁ ଯେ ରୋଗ ହେବ ତା'ର କୌଣସି କାରଣ ନାହିଁ। କିନ୍ତୁ ପିଲା ଗର୍ଭରେ ଥିବାବେଳେ ଯଦି ମାଆକୁ ଏଡସ୍ ହୋଇଥାଏ, ତେବେ ଜନ୍ମିତ ଶିଶୁ ଏହି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ। ତେଣୁ ଗର୍ଭାବସ୍ଥାରେ ଏଡସ୍ ପରୀକ୍ଷା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି।
ଏଡସ୍ ହୋଇଛି ବୋଲି ଜାଣିବେ କିପରି?
ଏଚ୍.ଆଇ.ଭି ସଂକ୍ରମଣ କିମ୍ବା ଏଡସ୍ ନିଶ୍ଚିତ କରିବାକୁ ରକ୍ତ ପରୀକ୍ଷା କରାଯାଏ। ତଥାପି, ଏହି ରୋଗକୁ କେତେକ ଲକ୍ଷଣ ମାଧ୍ୟମରେ ମଧ୍ୟ ଚିହ୍ନଟ କରାଯାଇପାରେ। ସେଗୁଡ଼ିକ ହେଉଛି...
ଯଦି କୌଣସି ବ୍ୟକ୍ତି ଏଡସରେ ସଂକ୍ରମିତ ହୁଅନ୍ତି, ତେବେ ସେ ୨ରୁ ୪ ସପ୍ତାହ ମଧ୍ୟରେ ଫ୍ଲୁ ଭଳି ରୋଗରେ ଆକ୍ରାନ୍ତ ହୁଅନ୍ତି। ଏହା ବ୍ୟତୀତ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଏବଂ ଗଣ୍ଠିରେ ଯନ୍ତ୍ରଣା, ଗଳା ଯନ୍ତ୍ରଣା, ପାଟି ଘା', ଓଜନ ହ୍ରାସ ଆଦି ଲକ୍ଷଣ ଦେଖାଯାଏ।
ଏହି ଲକ୍ଷଣଗୁଡିକ ଏତେ ମୃଦୁ ହୋଇପାରେ ଯେ ଲୋକମାନେ ପ୍ରାରମ୍ଭରେ ଜାଣିପାରନ୍ତି ନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ରୋଗ ବଢ଼ିବା ସହିତ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଏ। ତେଣୁ ସନ୍ଦେହ ସୃଷ୍ଟି ହେଲେ ଡାକ୍ତରୀ ପରୀକ୍ଷା କରାଇ ନେବା ଉଚିତ୍।
ସଂକ୍ରମଣକୁ ରୋକିବେ କିପରି?
ଏଚ୍.ଆଇ.ଭି ସଂକ୍ରମଣକୁ ରୋକିବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଟିକା ବିକଶିତ ହୋଇପାରି ନାହିଁ। କେବଳ ସତର୍କତା ହିଁ ଚିକିତ୍ସାର ମୂଳ। ଅସୁରକ୍ଷିତ ଯୌନ ସମ୍ପର୍କରୁ ନିବୃତ୍ତ ରହିବା ସହ ଗର୍ଭାବସ୍ଥାରେ ଡାକ୍ତରୀ ପରୀକ୍ଷା ଏବଂ କେତେକ ସଚେତନତା ଅବଲମ୍ବନ କରିବା ଦ୍ୱାରା ଏଡସକୁ ରୋକିପାରିବେ।