Advertisment

ବିଶ୍ୱ ହୃଦୟ ଦିବସ: ହୃଦୟର ଯତ୍ନ ନିଅନ୍ତୁ, ସୁସ୍ଥତା ବଜାୟ ରଖନ୍ତୁ

ବର୍ତ୍ତମାନ ପରିସ୍ଥିତି ଏପରି ହେଲାଣି, ହୃଦସ୍ପନ୍ଦନ କେତେବେଳେ ଠପ୍ ହୋଇଯାଉଛି, ତା'ର ସାମାନ୍ୟ ସଙ୍କେତ ବି ମିଳୁନି।

author-image
Debibandita Barick
ଅଦ୍ୟତନ ହୋଇଛି
Heart

Heart

ମାନବ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ହୃଦୟ ଅନ୍ୟତମ। ହୃଦୟ ମାନସିକ ଆଉ ଶାରୀରିକ ସୁସ୍ଥତାର ଏକ ପ୍ରମୁଖ ଅଂଶ। ତେଣୁ ହୃଦୟ ସୁସ୍ଥ ରହିବା ନିହାତି ଆବଶ୍ୟକ। ମାତ୍ର ବର୍ତ୍ତମାନ ପରିସ୍ଥିତି ଏପରି ହେଲାଣି, ହୃଦସ୍ପନ୍ଦନ କେତେବେଳେ ଠପ୍ ହୋଇଯାଉଛି, ତା'ର ସାମାନ୍ୟ ସଙ୍କେତ ବି ମିଳୁନି।

Advertisment

ଏହାର ମୁଖ୍ୟ କାରଣ ପାଲଟିଛି ଜୀବନଶୈଳୀରେ ପରିବର୍ତ୍ତନ। ବର୍ତ୍ତମାନର ଅତ୍ୟାଧୁନିକ ଜୀବନଶୈଳୀ ହୃଦୟ ସ୍ୱାସ୍ଥ୍ୟ ଉପରେ ଜଟିଳ କୁପ୍ରଭାବ ପକାଇଛି। ତେଣୁ ଅନେକ ସମୟରେ ନାଚୁ ଥିବାବେଳେ, ଜିମରେ ଶାରୀରିକ ବ୍ୟାୟାମ କରିବା ସମୟରେ ମୃତ୍ୟୁର ଭିଡିଓ ସାମ୍ନାକୁ ଆସୁଛି। ତେଣୁ ଏପରି ସମୟରେ ହୃଦୟ ଦିବସ ପାଳନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଅନୁମେୟ। ଏହିପରିପ୍ରେକ୍ଷୀରେ ହୃଦୟ ଦିବସ ପାଳନର ଆବଶ୍ୟକତା କେତେ, କାହିଁକି ପାଳନ କରାଯାଏ ଏବଂ କିପରି ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବେ, ଜାଣନ୍ତୁ...

ହୃଦୟ ଦିବସ ଇତିହାସ
୨୦୦୦ ମସିହାରେ ବିଶ୍ୱ ହାର୍ଟ ଫେଡେରେସନ୍ (WHF) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମିଳିତ ଭାବେ ବିଶ୍ୱ ହୃଦୟ ଦିବସ ପାଳନ ଆରମ୍ଭ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ହୃଦୟ ସମ୍ବନ୍ଧୀୟ ରୋଗ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ଏହି ମାରାତ୍ମକ ରୋଗ ବିଷୟରେ ସଚେତନ କରାଇବା।

Advertisment

ହୃଦୟ ସ୍ୱାସ୍ଥ୍ୟକୁ କିପରି ସୁସ୍ଥ ରଖିବେ?

  • ହୃଦୟ ସ୍ୱାସ୍ଥ୍ୟ ବିଗିଡିବାର ପ୍ରମୁଖ କାରଣ ହେଉଛି ଚାପ। ତେଣୁ ହୃଦଘାତରୁ ରକ୍ଷା ପାଇବା ପାଇଁ ଚାପକୁ ଦୂର କରନ୍ତୁ। ଚାପରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ଶୁଅନ୍ତୁ। ଭଲ ନିଦ ପାଇଁ ଶାରୀରିକ ପରିଶ୍ରମ ସହ ସଠିକ୍ ଖାଦ୍ୟ ଖାଆନ୍ତୁ। 
  • ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମ୍ ହୋଇପାରେ। ଯଦି ନିୟମିତ ହାର୍ଟ ଚେକ୍ କରନ୍ତି, ହୃଦରୋଗ ଶୀଘ୍ର ଚିହ୍ନଟ ହୋଇପାରିବ। ଫଳରେ ଡାକ୍ତରମାନେ ସଠିକ୍ ଚିକିତ୍ସା ବତାଇ ପାରିବେ। କାର୍ଯ୍ୟରତ ଲୋକମାନେ ବର୍ଷକୁ ଥରେ ସେମାନଙ୍କର ହୃଦୟ ଯାଞ୍ଚ କରିବା ଆବଶ୍ୟକ। 
  • କାର୍ଯ୍ୟରତ ଲୋକମାନେ ପ୍ରାୟତଃ ଚାପ କିମ୍ବା ଚିନ୍ତା କମାଇବା ପାଇଁ ସିଗାରେଟ୍ ଅଭ୍ୟାସରେ ପଡ଼ିଯାଆନ୍ତି। କିନ୍ତୁ ଏହି ଅଭ୍ୟାସ ସାମଗ୍ରିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ। ଧୂମପାନ କେବଳ ଫୁସଫୁସକୁ ପ୍ରଭାବିତ କରେ ନାହିଁ ବରଂ ହୃଦରୋଗର ଆଶଙ୍କା ମଧ୍ୟ ବଢ଼ାଇଥାଏ। ତେଣୁ ଏ ଅଭ୍ୟାସଠୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ସେହିପରି ମଦ୍ୟପାନରୁ ମଧ୍ୟ ଦୂରେଇ ରହିବା ଉଚିତ୍।
  • କାର୍ଯ୍ୟ ବ୍ୟସ୍ତତା କାରଣରୁ ଅନେକ ଲୋକ ଠିକ୍ ସମୟରେ ଖାଆନ୍ତି ନାହିଁ କି ପାଣି ପିଅନ୍ତି ନାହିଁ। ଫଳରେ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଦିଏ। ତେଣୁ ପର୍ଯ୍ୟାପ୍ତ ପାଣି ପିଇବାର ଅଭ୍ୟାସ ରଖନ୍ତୁ। ଦିନକୁ ପ୍ରାୟ ୮-୧୦ ଗ୍ଲାସ୍ ପାଣି ପିଇବା ଜରୁରୀ।
  • ଅନେକ ଲୋକ ଅଫିସକୁ ଯାଆନ୍ତି ଏବଂ ଦିନସାରା କାମ କରିବାରେ ବ୍ୟସ୍ତ ରୁହନ୍ତି। ଏହି ସମୟ ମଧ୍ୟରେ ସେମାନେ ସକ୍ରିୟ ରହିପାରନ୍ତି ନାହିଁ। ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ଏବଂ ହୃଦରୋଗର ଆଶଙ୍କାକୁ କମାଇବା ପାଇଁ ଅଫିସରେ ସକ୍ରିୟ ରହିବା ଆବଶ୍ୟକ। ଏଥିପାଇଁ, କାର୍ଯ୍ୟ ସମୟରେ ପ୍ରତି ଘଣ୍ଟାରେ କିଛି ସମୟ ଚାଲନ୍ତୁ। ବିଶେଷ କରି ଖାଇ ସାରିବା ପରେ ୧୦-୧୨ ମିନିଟ୍ ଚାଲିବାର ଅଭ୍ୟାସ କରୁନ୍ତୁ। ଶରୀରରେ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିପାରିଲେ ହୃଦୟକୁ ସୁସ୍ଥ ରଖାଯାଇ ପାରିବ।
World Heart Day Heart Health Heart Health Tips