ସମଗ୍ର ବିଶ୍ୱରେ ୭୦ ପ୍ରତିଶତ ଜଳ ସ୍ତର ଥିଲେ ମଧ୍ୟ ତିନି ପ୍ରତିଶତ ପିଇବା ଯୋଗ୍ୟ। ଅର୍ଥାତ୍ ବିଶ୍ୱର ୮୦୦ କୋଟିରୁ ଊର୍ଦ୍ଧ୍ୱ ଲୋକ ମାତ୍ର ତିନି ପ୍ରତିଶତ ଜଳ ଉପରେ ନିର୍ଭରଶୀଳ। ଏପରିସ୍ଥିତିରେ ଜଳ ସୁରକ୍ଷା ଏବଂ ଅପଚୟକୁ ରୋକିବା ଏକ ଆହ୍ୱାନ। କାରଣ ଜଳ ବିନା ଜୀବନ ଅସମ୍ଭବ। ଏଥିପାଇଁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୨କୁ ବିଶ୍ୱ ଜଳ ଦିବସ ପାଳନ କରାଯାଉଛି।
ଜଳ ସମ୍ପଦ ମନ୍ତ୍ରଣାଳୟ ପ୍ରକାଶ କରିଥିବା ତଥ୍ୟରୁ ଜଣାଯାଇଛି ଯେ, ଭାରତରେ ଗୋଟିଏ ବର୍ଷରେ ବ୍ୟବହୃତ ଜଳର ପରିମାଣ ୧,୧୨୧ ବିଲିୟନ ଘନମିଟର (BCM) ବୋଲି ଆକଳନ କରାଯାଇଛି। ପାନୀୟ ଜଳର ଚାହିଦା ୨୦୨୫ ମସିହାରେ ୧,୦୯୩ BCMକୁ ବୃଦ୍ଧି ପାଇ ୨୦୫୦ ସୁଦ୍ଧା ୧,୪୪୭ BCMରେ ପହଞ୍ଚିପାରେ।
୧୪୦ କୋଟିରୁ ଅଧିକ ଜନସଂଖ୍ୟା ସତ୍ତ୍ୱେ ଭାରତରେ ବିଶ୍ୱର ମଧୁର ଜଳ ସମ୍ପଦ ପରିମାଣ ମାତ୍ର ୪ ପ୍ରତିଶତ ରହିଛି। ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ ଭାରତରେ ଜଳ ସଙ୍କଟ କ୍ରମାଗତ ଭାବେ ଗମ୍ଭୀର ହେବାରେ ଲାଗିଛି। ଅନେକ ରାଜ୍ୟ ଜଳ ଅଭାବର ସମ୍ମୁଖୀନ ହେଉଛନ୍ତି। ୨୦୨୫ ସୁଦ୍ଧା ଉତ୍ତର-ପଶ୍ଚିମ ଅଞ୍ଚଳ ଭୂତଳ ଜଳ ସଙ୍କଟର ସମ୍ମୁଖୀନ ହୋଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଏବେଠୁ ଜଳ ସଙ୍କଟର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଳାଣି। ନିକଟରେ କର୍ଣ୍ଣାଟକର ରାଜଧାନୀ ବାଙ୍ଗଲୋର ବାସିନ୍ଦାଙ୍କୁ ପିଇବାକୁ ପାଣି ମିଳୁନି। ଏଠାରେ ରହୁଥିବା ଲୋକେ ଘୋର ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ସମସ୍ୟା ଅନ୍ୟ କ୍ଷେତ୍ରକୁ ବ୍ୟାପିବା ପୂର୍ବରୁ ବେଳ ଥାଉ ଥାଉ ସତର୍କ ରହିବାକୁ ପଡ଼ିବ।
ଜଳ ଦିବସର ଇତିହାସ
୧୯୯୨ ମସିହାରେ, ବ୍ରାଜିଲର ରିଓ ଡି ଜେନେରିୟୋ ପରିବେଶ ଏବଂ ବିକାଶ ପ୍ରସଙ୍ଗରେ ମିଳିତ ଜାତିସଂଘ ଏକ ସମ୍ମିଳନୀ ଆୟୋଜନ କରିଥିଲା। ସେହି ଦିନ ବିଶ୍ୱ ଜଳ ଦିବସ ପାଳନ କରିବାକୁ ଏକ ପଦକ୍ଷେପ ନିଆଯାଇଥିଲା। ପରେ, ୧୯୯୩ରେ ପ୍ରଥମ ଥର ପାଇଁ ବିଶ୍ୱ ଜଳ ଦିବସ ପାଳନ କରାଯାଇଥିଲା। ସେବେଠାରୁ ବିଶ୍ୱ ଜଳ ଦିବସ ପ୍ରତିବର୍ଷ ୨୨ ମାର୍ଚ୍ଚରେ ପାଳନ କରାଯାଉଛି। ୨୦୧୦ରେ, ମିଳିତ ଜାତିସଂଘରେ ନିରାପଦ, ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ ଅଧିକାରକୁ ମାନବ ଅଧିକାର ଭାବରେ ମାନ୍ୟତା ଦିଆଯାଇଥିଲା।
ବିଶ୍ୱ ଜଳ ଦିବସ ବିଷୟବସ୍ତୁ
ପ୍ରତିବର୍ଷ ଜଳ ଦିବସର ଏକ ସ୍ୱତନ୍ତ୍ର ଥିମ୍ ବା ବିଷୟବସ୍ତୁ ଆଧାରରେ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ ହେଉଛି 'ଶାନ୍ତି ପାଇଁ ଜଳ ବିନିଯୋଗ'(Leveraging Water for Peace)। ଏହି ବାର୍ତ୍ତା ମାଧ୍ୟମରେ ଲୋକଙ୍କୁ ଜୀବନ ପ୍ରତି ଜଳର ଆବଶ୍ୟକତା ଏବଂ ରକ୍ଷଣାବେକ୍ଷଣା ବାବଦରେ ବୁଝାଯାଏ।