ଘରେ ପ୍ରସ୍ତୁତ କରନ୍ତୁ ଶାଗୁଦାନା ବରା

ଆବଶ୍ୟକ ସାମଗ୍ରୀ: ଶାଗୁଦାନା, ଆଳୁ, କଞ୍ଚାଲଙ୍କା, ଲୁଣ,  ଚିନାବାଦାମ୍‌ ପାଉଡର୍‌, ଜିରା, ତେଲ ଓ ବେକିଂ ସୋଡ଼ା।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଶାଗୁଦାନାକୁ ଭିଜାଇ କିଛି ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଦାନା ଫୁଲିଯିବା ପରେ ତାକୁ ଛାଣି ଏକ ପାତ୍ରରେ କାଢ଼ି ରଖନ୍ତୁ।  ତା’ପରେ ଚୁଲି ଲଗାଇ ପ୍ରେସର୍‌ କୁକରରେ ଆଳୁ ସିଝାନ୍ତୁ। ଆଳୁ ସିଝିଯିବା ପରେ ତା’ର ଚୋପା ଛଡ଼ାଇ ତାକୁ ଏକ ପାତ୍ରରେ ରଖି ଚକଟି ଦିଅନ୍ତୁ। ସେହି ଚକଟା ଆଳୁରେ ଛୋଟ ଛୋଟ ହୋଇ କଟା ଯାଇଥିବା କଞ୍ଚାଲଙ୍କା, ଅଳ୍ପ ଜିରା, ଚିନାବାଦାମ ପାଉଡର୍‌, ସ୍ୱାଦ ଅନୁସାରେ ଲୁଣ, ବେକିଂ ସୋଡ଼ା ଓ ଭିଜା ହୋଇ ରଖାଯାଇଥିବା ଶାଗୁଦାନା ପକାଇ ଭଲ ଭାବେ ମିକ୍ସ୍‌ କରିଦିଅନ୍ତୁ। ଏହା ପରେ ତାକୁ ବରାର ଆକାର ଦେଇ ଏକ ପ୍ଲେଟ୍‌ରେ ରଖନ୍ତୁ।

‌ଏହା ପରେ ଚୁଲିରେ ଅନ୍ୟ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ସେହି ବରାକୁ ପକାଇ ଏପଟ ସେପଟ କରି ଛାଣନ୍ତୁ। ଅଳ୍ପ ବାଦାମୀ ରଙ୍ଗ ହୋଇ ଆସିଲେ, ତା’କୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଶାଗୁଦାନା ବରା। ତାକୁ ଆପଣ ଚାହିଁଲେ ଦହି କିମ୍ବା ଅନ୍ୟ କୌଣସି ଚଟଣି ସହ ଖାଇପାରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।