ଆବଶ୍ୟକ ସାମଗ୍ରୀ: କଙ୍କଡ଼ା, କଟା ପିଆଜ, ପିଆଜ ବଟା, ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ଜିରା ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ୍, ତେଲ, ଟମାଟୋ ପେଷ୍ଟ୍, ତେଜପତ୍ର, ଫୁଟଣ ଓ ଧନିଆ ପତ୍ର।
ପ୍ରସ୍ତୁତି ପ୍ରଣାଳୀ: କଙ୍କଡ଼ାକୁ ଗରମ ପାଣିରେ ନପକାଇ ଥଣ୍ଡା ପାଣିରେ ରଖି ଚିମୁଟାରେ ଖୋଳପା ଛଡ଼ାଇ ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ପିଆଜ ପେଷ୍ଟ୍, ଅଦା ଓ ରସୁଣ ପେଷ୍ଟ୍ ଅଳ୍ପ ପକାଇ ଗୋଳାଇ ଦିଅନ୍ତୁ।
ଏହାପରେ ଚୁଲିରେ ଏକ ମାଟିହାଣ୍ଡି ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ଫୁଟଣ ଓ ତେଜପତ୍ର ପକାନ୍ତୁ। ତା’ପରେ ସେଥିରେ କଟା ପିଆଜ ଓ ଲୁଣ ପକାଇ ଭାଜି ଦିଅନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ପିଆଜ ପେଷ୍ଟ୍, ଅଦା ଓ ରସୁଣ ପେଷ୍ଟ୍, ଲଙ୍କା ଗୁଣ୍ଡ ପାକାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଓ ଅଳ୍ପ ପାଣି ଦେଇ କଷନ୍ତୁ। ମସଲା କଷି ହେବା ପରେ ସେଥିରେ କଙ୍କଡ଼ା, ଟମାଟୋ ପେଷ୍ଟ୍ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ। ତରକାରି ହୋଇଯିବା ପରେ ସେଥିରେ ଗରମ ମସଲା ପକାଇ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଟିହାଣ୍ଡି କଙ୍କଡ଼ା।
ଏହାକୁ ଏକ ପାତ୍ରକୁ କାଢ଼ି ସେଥିରେ ଧନିଆ ପତ୍ର ପକାଇ ପରଶନ୍ତୁ। ମନେ ରଖିବେ ଆପଣ ତରକାରିରେ ଝୋଳ ରଖି ପାରିବେ, ନଚେତ୍ କଷିଲା ଭଳି କରି ଖାଇ ପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।