‘ମୋ ରାଜ୍ୟ ଜଳୁଛି। ଦୟାକରି ସାହାଯ୍ୟ କର’। କର୍ଣ୍ଣାଟକ ରାଜ୍ୟ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଟ୍ୱିଟ ମାଧ୍ୟମରେ ଏପରି ଆକୁଳ ନିବେଦନଟିଏ କରିଥିଲେ ମଣିପୁରର ଖ୍ୟାତନାମା ମୁଷ୍ଟିଯୋଦ୍ଧା ତଥା ରାଜ୍ୟସଭାର ପୂର୍ବତନ ସାଂସଦ ମେରି କମ୍। ମଣିପୁରର ଇମ୍ଫାଲ, ଚୁରାଚାନ୍ଦପୁର ଓ ଅନ୍ୟାନ୍ୟ ସ୍ଥାନମାନଙ୍କରେ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା ଘଟି ଆଧିକାରିକ ଭାବେ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ଆହୁରି ଅଧିକ ବୋଲି ଜଣାପଡ଼ୁଛି। ହଜାର ହଜାର ଲୋକ ନିଜ ଘର ଛାଡ଼ି ଶରଣାର୍ଥୀ ଭାବେ ଅନ୍ୟତ୍ର ଆଶ୍ରୟ ନେବା ପାଇଁ ବାଧ୍ୟ ହୋଇଛନ୍ତି। ଯେଉଁ ଭଳି ବିଜୁଳି ବେଗରେ ହିଂସା ବ୍ୟାପିଗଲା ତା’ର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପୂର୍ବ ପ୍ରସ୍ତୁତି ନଥିବାରୁ ସଂଘଟିତ ହିଂସାର ସେମାନେ କେବଳ ମୂକଦର୍ଶକ ସାଜିଲେ ଯାହା।
ଘଟଣାକ୍ରମ ଥିଲା କିଛିଟା ଏହିପରି। ଏପ୍ରିଲ ୩୦, ୨୦୨୩ରେ ମେତିମାନଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ପ୍ରଦାନ କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁମୋଦନ କରି ପ୍ରସ୍ତାବ ପଠାଇବା ପାଇଁ ମଣିପୁର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶିତ କରିଥିଲେ। ଏବେ ମେତିମାନେ ଅନୁସୂଚିତ ଜାତି ଓ ପଛୁଆ ବର୍ଗରେ ସ୍ଥାନ ପାଇଛନ୍ତି। ହାଇକୋର୍ଟଙ୍କ ଆଦେଶ ଯୋଗୁଁ ଆଦିବାସୀମାନଙ୍କର ସମ୍ୱିଧାନ ପ୍ରଦତ୍ତ ସୁରକ୍ଷା ଓ ଅଧିକାର ବାଧିତ ହେବାର ଆଶଙ୍କା କରି ସେମାନେ ଏହାର ତୀବ୍ର ବିରୋଧ କରିବାକୁ ଲାଗିଲେ। ଅବଶ୍ୟ ସରକାରଙ୍କ ଆଦିବାସୀ ବିରୋଧୀ କାର୍ଯ୍ୟକଳାପର ପ୍ରତିବାଦ କରି ସେଠାକାର ଆଦିବାସୀ ସଙ୍ଗଠନ ତରଫରୁ ଏପ୍ରିଲ ୨୭, ୨୦୨୩ରେ ଚୁରାଚାନ୍ଦପୁରଠାରେ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ଯୋଗ ଦେବାକୁଥିବା ଏକ ସଭାସ୍ଥଳରେ ବ୍ୟାପକ ଭଙ୍ଗାରୁଜା କରାଯାଇ ସଭାକୁ ଭଣ୍ଡୁର କରାଯାଇଥିଲା। ହାଇକୋର୍ଟଙ୍କ ଆଦେଶର ବିରୋଧ ପ୍ରଦର୍ଶନ ଲାଗି ମେ ୩, ୨୦୨୩ରେ ମଣିପୁର ସର୍ବ ଆଦିବାସୀ ଛାତ୍ର ୟୁନିଅନ (ଏଟିଏସୟୁଏମ) ଦ୍ୱାରା ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା, ଯାହା ହଠାତ୍ ହିଂସ୍ର ହୋଇଉଠିଲା। ଆଇନ ଶୃଙ୍ଖଳା ବ୍ୟବସ୍ଥା ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ କେନ୍ଦ୍ର ସରକାର ସେଠାରେ ସମ୍ୱିଧାନର ୩୫୫ ଧାରା ଲାଗୁ କରି ଆଇନଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱ ନିଜ ହାତକୁ ନେଲେ। ଉଲ୍ଲେଖଯୋଗ୍ୟ ଯେ ୨୦୧୪ରେ ଶାସନକୁ ଆସିବା ପରେ କୌଣସି ବିଜେପି ଶାସିତ ରାଜ୍ୟରେ ୩୫୫ ଧାରା ଲାଗୁ ହେବାର ଏହା ହେଉଛି ପ୍ରଥମ ଘଟଣା। ତେବେ ମେତିମାନଙ୍କୁ ଜନଜାତି ମାନ୍ୟତା ପ୍ରଦାନର ବିରୋଧ ଏହି ହିଂସାର ତାତ୍କାଳିକ କାରଣ ହୋଇଥିଲେ ମଧ୍ୟ ଏହା ଏପରି ଉଗ୍ର ରୂପଧାରଣ କରିବା ପଛରେ ଆହୁରି ଅନେକ କାରଣ ଅଛି ଯାହା ବୁଝିବାକୁ ହେଲେ ମଣିପୁରର ଭୌଗୋଳିକ ସ୍ଥିତି, ଜନସଂଖ୍ୟାର ଚରିତ୍ର ଓ ସାମାଜିକ ବ୍ୟବସ୍ଥା ସମ୍ପର୍କରେ କିଛିଟା ଧାରଣାର ଆବଶ୍ୟକତା ରହିଛି।
ମାତ୍ର ୨୨,୩୨୭ ବର୍ଗକିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ମଣିପୁର ଆକାରରେ ଅବିଭାଜିତ କୋରାପୁଟ ଜିଲ୍ଲାଠାରୁ କ୍ଷୁଦ୍ର ହୋଇଥିଲେ ବି ସେଠାରେ ପାହାଡ଼ିଆ ଓ ଉପତ୍ୟକା ଅଞ୍ଚଳ ମଧ୍ୟରେ ତାରତମ୍ୟ ବେଶ ସ୍ପଷ୍ଟ। ତେବେ ଏହାର ୯୦ ଭାଗ ପାହାଡ଼ିଆ ଅଞ୍ଚଳ ହୋଇଥିବା ବେଳେ ଅବଶିଷ୍ଟ ୧୦ ଭାଗ ଇମ୍ଫାଲ ସଂଲଗ୍ନ ଉପତ୍ୟକା ଅଞ୍ଚଳ ଅଟେ। ପାହାଡ଼ିଆ ଅଞ୍ଚଳମାନଙ୍କରେ ୧୫ ପ୍ରକାର ନାଗା ଜନଜାତି ଓ କୁକୀ ସମେତ ପ୍ରାୟ ୧୯ ପ୍ରକାର ଭିନ୍ନ ଭିନ୍ନ ଜନଜାତିର ଲୋକ ବସବାସ କରୁଥିବା ବେଳେ ଇମ୍ଫାଲ ଆଖପାଖର ମାତ୍ର ୨୨୩୮ ବର୍ଗକିଲୋମିଟର ଉପତ୍ୟକା ଅଞ୍ଚଳରେ ମେତି ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ପ୍ରାୟ ୩୫ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ଏହି ରାଜ୍ୟର ୫୩ ପ୍ରତିଶତ ମେତି ସମ୍ପ୍ରଦାୟର ହୋଇଥିବା ବେଳେ ୪୦ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟର ଲୋକ ଅଛନ୍ତି। ମେତି ସମ୍ପ୍ରଦାୟର ଲୋକମାନେ ମୁଖ୍ୟତଃ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ମଧ୍ୟରେ ମେତି ପଙ୍ଗାଲ ଭାବେ ପରିଚିତ ପ୍ରାୟ ୮ ପ୍ରତିଶତ ମୁସଲମାନ ମଧ୍ୟ ଅଛନ୍ତି। ମଣିପୁରର ୧୬ଟି ଜିଲ୍ଲା ମଧ୍ୟରୁ ୧୦ଟି ଆଦିବାସୀ ଅଧ୍ୟୁଷିତ ଓ ସେମାନେ ମୁଖ୍ୟତଃ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅଟନ୍ତି। ୬୦ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭାରେ ପାହାଡ଼ିଆ ଅଞ୍ଚଳରୁ ଆଦିବାସୀ ସମ୍ପ୍ରଦାୟର ୨୦ ଜଣ ବିଧାୟକ ପ୍ରତିନିଧିତ୍ୱ କରୁଥିବା ବେଳେ ମେତି ଅଧ୍ୟୁଷିତ ଉପତ୍ୟକା ଅଞ୍ଚଳରୁ ଅବଶିଷ୍ଟ ୪୦ ଜଣ ବିଧାୟକ ନିର୍ବାଚିତ ହୋଇଥାଆନ୍ତି। ଅର୍ଥାତ୍ ମଣିପୁର ରାଜ୍ୟର ଶାସନ ସବୁବେଳେ ମେତିଙ୍କ ନିୟନ୍ତ୍ରଣରେ ରହିଆସିଛି।
ମଣିପୁର ଜନସଂଖ୍ୟାର ପ୍ରାୟ ୪୧ ପ୍ରତିଶତ ହିନ୍ଦୁ ହୋଇଥିବା ବେଳେ ସମାନ ପ୍ରତିଶତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ହୋଇଥିବାରୁ ଧାର୍ମିକ ଦୃଷ୍ଟିରୁ ଏଠାକାର ଜନସଂଖ୍ୟାର ଚରିତ୍ର ସନ୍ତୁଳିତ। ସେହିପରି ୩୪ ପ୍ରକାର ଜନଜାତିଙ୍କ ସହ ଜାତିଗତ ବୈଚିତ୍ର୍ୟ ହେଉଛି ମଣିପୁରର ଅନ୍ୟତମ ବୈଶିଷ୍ଟ୍ୟ। ଅବଶ୍ୟ ଏହି ବୈଶିଷ୍ଟ୍ୟ ସେମାନଙ୍କୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନର କଥା ଶିଖାଉଥିବା ବେଳେ ମଝିରେ ମଝିରେ ତାହା ଉତ୍ତେଜନାର କାରଣ ହୋଇ ହିଂସାର ରୂପ ନେଇଥାଏ। କୁକୀମାନେ ଯେଉଁ ଅଞ୍ଚଳକୁ ପ୍ରସ୍ତାବିତ କୁକୀଲାଣ୍ଡ ପାଇଁ ଦାବି କରୁଛନ୍ତି ସେଥିରୁ କିଛି ଅଞ୍ଚଳକୁ ନାଗାମାନେ ସେମାନଙ୍କ ବୃହତ୍ତର ନାଗାଲାଣ୍ଡର ଅଂଶବିଶେଷ ବୋଲି କହୁଥିବାରୁ ନାଗା ଓ କୁକୀ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ବି ବିବାଦ ଲାଗିରହିଛି। ଏହି ବିବାଦ ଯୋଗୁଁ ସେପ୍ଟେମ୍ୱର ୧୩, ୧୯୯୩ରେ ନାଗା-କୁକିଙ୍କ ମଧ୍ୟରେ ଲାଗିଥିବା ସଂଘର୍ଷରେ ତେଙ୍ଗନୌପାଲଠାରେ ଏନଏସସିଏନ-ଆଇଏମ ଦ୍ୱାରା ୧୧୫ ଜଣ କୁକୀ ପୁରୁଷ, ମହିଳା ଓ ଶିଶୁଙ୍କର ହତ୍ୟା ହୋଇଥିଲା। ୧୯୯୩ରେ ମେତି ଓ ମେତି ପଙ୍ଗାଲଙ୍କ ମଧ୍ୟରେ ସଂଘର୍ଷ ଘଟି ପ୍ରାୟ ୧୦୦ ଜଣ ମେତି ପଙ୍ଗାଲ ପ୍ରାଣ ହରାଇଥିଲେ। ଏତଦଭିନ୍ନ ଉଭୟ ପାହାଡ଼ିଆ ଓ ଉପତ୍ୟକା ଅଞ୍ଚଳରେ କାର୍ଯ୍ୟରତ ସଂଖ୍ୟାଧିକ ଉଗ୍ରବାଦୀ ସଂଗଠନଙ୍କ ଦ୍ୱାରା ମଝିରେ ମଝିରେ ହିଂସାକାଣ୍ଡମାନ କରାଯାଇଥାଏ।
ସମାଜର ଅକିଞ୍ଚନ ତଥା ବଞ୍ଚିତ ବର୍ଗଙ୍କୁ ସାମ୍ୱିଧାନିକ ସୁରକ୍ଷା ପ୍ରଦାନ କରିବା ପାଇଁ ସମ୍ୱିଧାନର ଅନୁଚ୍ଛେଦ ୩୪୨ ଅନୁଯାୟୀ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଅନୁସୂଚିତ ଜନଜାତିର ମାନ୍ୟତା ପ୍ରଦାନ କରାଯାଇଥାଏ। ପ୍ରଚଳିତ ଅନୁସୂଚିତ ଜନଜାତି ତାଲିକା ସଂଶୋଧନ ପଦ୍ଧତି ଅନୁଯାୟୀ କୌଣସି ଗୋଷ୍ଠୀକୁ ଏହି ତାଲିକା ଅନ୍ତର୍ଭୁକ୍ତ କରିବା ଲାଗି ସମ୍ପୃକ୍ତ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ସରକାର ଯୁକ୍ତି ଉପସ୍ଥାପନ ପୂର୍ବକ କେନ୍ଦ୍ର ଜନଜାତି ମନ୍ତ୍ରାଳୟ ନିକଟକୁ ପ୍ରସ୍ତାବଟିଏ ପଠାଇବା ଆବଶ୍ୟକ। ଉଚିତ ମନେ କଲେ ମନ୍ତ୍ରାଳୟ ପ୍ରସ୍ତାବଟିକୁ ରେଜିଷ୍ଟ୍ରାର ଜେନେରାଲ ଅଫ ଇଣ୍ଡିଆ (ଆରଜିଆଇ)ଙ୍କ ନିକଟକୁ ପଠାଇବେ। ଆରଜିଆଇଙ୍କ ଦ୍ୱାରା ସ୍ୱୀକୃତି ଲାଭ ପରେ ତାହା ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ନିକଟକୁ ପଠାଯାଇଥାଏ। ତାଙ୍କ ସମ୍ମତି ହାସଲ ପରେ ତାଲିକାରେ ସଂଶୋଧନ ପାଇଁ ତାହା କେନ୍ଦ୍ର କ୍ୟାବିନେଟଙ୍କ ବିବେଚନାର୍ଥେ ପଠାଯାଇଥାଏ।
ଅନୁସୂଚିତ ଜନଜାତି ରୂପେ ମାନ୍ୟତା ପାଇବା ଲାଗି ଯେଉଁ ୫ଟି ସୂଚକର ଆବଶ୍ୟକତା ରହିଛି ସେଗୁଡ଼ିକ ହେଲା, (୧) ଆଦିମ ବୈଶିଷ୍ଟ୍ୟ (ପ୍ରିମିଟିଭ ଟ୍ରେଟସ୍), (୨) ସ୍ୱତନ୍ତ୍ର ସଂସ୍କୃତି, (୩) ଭୌଗୋଳିକ ବିଚ୍ଛିନ୍ନତା, (୪) ଅନ୍ୟମାନଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ଲାଜ କରି ଦୂରେଇ ରହିବା ଏବଂ (୫) ଅନଗ୍ରସରତା। ୩୪ ପ୍ରକାର ଜନଜାତି ମଣିପୁରରେ ଅନୁସୂଚିତ ଜନଜାତି ତାଲିକାରେ ଥିବାବେଳେ ବର୍ତ୍ତମାନ ପଛୁଆ ବର୍ଗ ଭାବେ ପରିଗଣିତ ମେତିମାନେ ସେହି ତାଲିକା ଅନ୍ତର୍ଭୁକ୍ତ ହେବା ଲାଗି ଦୀର୍ଘ ଦିନରୁ ଦାବି କରିଆସୁଛନ୍ତି। ଏପରିକି ସେଠାରେ ୨୦୨୨ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ତାହା ଏକ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ହୋଇଥିଲା। ମେତିମାନଙ୍କର ଦାବି ହେଉଛି ସେମାନେ ଜନଜାତି ସମ୍ପ୍ରଦାୟର ହୋଇଥିଲେ ବି ସମ୍ୱିଧାନ ପ୍ରଣୟନ ସମୟରେ ସେମାନଙ୍କୁ ଭୁଲ୍ କ୍ରମେ ସେହି ତାଲିକାରୁ ବାଦ ଦିଆଯାଇଥିଲା। ତେଣୁ ଏବେ ସେହି ଭୁଲର ସଂଶୋଧନ ପୂର୍ବକ ସେମାନଙ୍କୁ ଅନୁସୂଚିତ ଜନଜାତି ତାଲିକା ଅନ୍ତର୍ଭୁକ୍ତ କରିବା ନିହାତି ଆବଶ୍ୟକ।
ଏହାକୁ ବିରୋଧ କରି ୟୁନାଇଟେଡ଼ ନାଗା କାଉନସିଲ ଯୁକ୍ତି ରଖିଛନ୍ତି ଯେ ମେତିମାନେ ଦେଶର ଅନ୍ୟତମ ଅଗ୍ରସର ଗୋଷ୍ଠୀ ହୋଇଥିବାରୁ ସେମାନଙ୍କୁ ଏହି ତାଲିକାରେ ଅନ୍ତର୍ଭୁକ୍ତ ହେବା ଅର୍ଥ ଅନୁସୂଚିତ ଜନଜାତିଙ୍କୁ ପ୍ରଦତ୍ତ ସାମ୍ୱିଧାନିକ ସୁରକ୍ଷାର ଉଦ୍ଦେଶ୍ୟ ପ୍ରତିହତ ହେବା। ଏତଦବ୍ୟତୀତ ତାଲିକାନ୍ତର୍ଭୁକ୍ତ ହେବା ପାଇଁ ମେତିମାନେ ଆବଶ୍ୟକ ମାନଦଣ୍ଡଗୁଡ଼ିକୁ ପୂରଣ କରୁନାହାନ୍ତି। ତେବେ ମେତିମାନେ ଏହି ତାଲିକାନ୍ତର୍ଭୁକ୍ତ ହେବା ପାଇଁ କରୁଥିବା ଦାବିର ଏକ ବଡ଼ କାରଣ ହେଉଛି ଜମି। ଲୋକସଂଖ୍ୟା ଦୃଷ୍ଟିରୁ ୫୩ ପ୍ରତିଶତ ହୋଇଥିଲେ ବି ସେମାନେ ମାତ୍ର ୧୦ ପ୍ରତିଶତ ଭୌଗୋଳିକ କ୍ଷେତ୍ରରେ ବସବାସ କରିଥାଆନ୍ତି। ଜନସଂଖ୍ୟା ବଢ଼ିବା ସହ ଏହି ସୀମିତ ଭୂଖଣ୍ଡ ଉପରେ ଚାପ ବୃଦ୍ଧି ପାଇଚାଲିଛି। ସେମାନଙ୍କର ଜନଜାତିର ମାନ୍ୟତା ନଥିବାରୁ ଆଦିବାସୀ ଅଧ୍ୟୁଷିତ ପାହାଡ଼ିଆ ଅଞ୍ଚଳରେ ସେମାନେ ଜମି କିଣି ପାରୁନାହାନ୍ତି। ଅନ୍ୟ ପକ୍ଷରେ ଆଦିବାସୀମାନେ ଇମ୍ଫାଲ ଓ ଆଖପାଖ ଉପତ୍ୟକା ଅଞ୍ଚଳର ଜମି କିଣିବାକୁ ସମର୍ଥ ହେଉଛନ୍ତି। ସେହି ଏକା କାରଣରୁ ଆଦିବାସୀ ଗୋଷ୍ଠୀ ମଧ୍ୟ ମେତିମାନଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ମିଳିବାକୁ ବିରୋଧ କରୁଛନ୍ତି। ମେତିମାନେ ତାଲିକାନ୍ତର୍ଭୁକ୍ତ ହେଲେ ଆଦିବାସୀମାନଙ୍କ ଜମିବାଡ଼ି ସେମାନଙ୍କ ଦଖଲରୁ ଅଚିରେ ଚାଲିଯିବ ବୋଲି ସେମାନଙ୍କର ଆଶଙ୍କା। ମେତିମାନଙ୍କ ଅନୁସୂଚିତ ଜନଜାତି ମାନ୍ୟତାକୁ ବିରୋଧ କରି ହୋଇଥିବା ହିଂସା ଅଶାନ୍ତିର ମୁଖ୍ୟ କାରଣ ହୋଇଥିଲେ ବି ନିମ୍ନୋକ୍ତ ଅନ୍ୟ କେତେକ କାରଣ ଯୋଗୁଁ ଅଶାନ୍ତିର ନିଆଁ କୁହୁଳୁଥିବାର ଜଣାପଡ଼େ।
ଦୀର୍ଘ ଦିନ ଧରି ସେଠାକାର ସଂରକ୍ଷିତ ଜଙ୍ଗଲଗୁଡ଼ିକରେ ବସବାସ କରି ଆସୁଥିବା ଆଦିବାସୀମାନଙ୍କୁ ଗତ କିଛି ଦିନ ଧରି ଆକ୍ରମଣାତ୍ମକ ଭାବେ ତଡ଼ି ବାହାର କରିଦିଆଯାଉଥିବାରୁ ସେମାନଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଉଛି। ଗତ କିଛି ଦିନ ଧରି ପ୍ରଶାସନ ତରଫରୁ ଅବୈଧ ନିର୍ମାଣ କହି ଜଙ୍ଗଲ ଭିତରେ ଥିବା କିଛି ଚର୍ଚ୍ଚକୁ ଭାଙ୍ଗି ଦିଆଯାଇଥିବାର ଅଭିଯୋଗ ହୋଇଛି। ମଣିପୁରରେ ଏପ୍ରିଲ ୧୧, ୨୦୨୩ରେ ତିନିଟି ଚର୍ଚ୍ଚ (ଇଭାଲେଞ୍ଜିକାଲ ବାପଟିଷ୍ଟ କନଭେନସନ ଚର୍ଚ୍ଚ, ଇଭାଲେଞ୍ଜିକାଲ ଲୁଥେରାନ ଚର୍ଚ୍ଚ, କ୍ୟାଥଲିକ ହୋଲି ସ୍ପିରିଟ ଚର୍ଚ୍ଚ)କୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲେ ବି ମୁଖ୍ୟମନ୍ତ୍ରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ଏହା ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି କରିବାର କାରଣ ପାଲଟିଥିଲା। ସାଇକୋଟ ଆସନର ବିଜେପି ବିଧାୟକ ପାଓଲିଏନଲାଲ ହାଓକିପ ଅଭିଯୋଗ କରିଛନ୍ତି ଯେ ଗତ କିଛି ବର୍ଷ ଧରି ରାଜ୍ୟ ସରକାର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଧ୍ରୁବୀକରଣ କରିଆସିଛନ୍ତି। ଏବର ହିଂସା ତା’ର ଏକ ପ୍ରତିଫଳନ ମାତ୍ର।
ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ମେତି ସମ୍ପ୍ରଦାୟର ହୋଇଥିବାରୁ ସେ ଆଦିବାସୀଙ୍କ ସ୍ୱାର୍ଥରକ୍ଷା ନକରି ପାତର ଅନ୍ତର କରୁଛନ୍ତି କହି ଆଦିବାସୀ ବିଧାୟକମାନେ ତାଙ୍କ ଉପରୁ ଆସ୍ଥା ତୁଟାଇ ଆସିଛନ୍ତି। ବିଧାୟକ ଥୋକଚମ ରାଧେଶ୍ୟାମ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପଦରୁ ଇସ୍ତଫା ଦେବା ପରେ ଅନ୍ୟ ଜଣେ ବିଧାୟକ ଲାଙ୍ଗଥାବଲ ମଣିପୁର ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରିବାର ଦାବି ଧରି ବିଜେପିର ୧୨ ଜଣ ବିଧାୟକ ଏପ୍ରିଲ ୧୭ରେ ବିଜେପିର କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କୁ ଦିଲ୍ଲୀଠାରେ ସାକ୍ଷାତ କରିଥିଲେ। ଦଳ ତରଫରୁ ନିକଟ ଭବିଷ୍ୟତରେ ନେତୃତ୍ୱ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲେ ବି ଦଳର ବିଧାୟକଙ୍କ ଉପରେ ବୀରେନ ସିଂହଙ୍କ ନିୟନ୍ତ୍ରଣ ଶିଥିଳ ହୋଇଥିବା ଅନୁଭୂତ ହେଉଛି। ମଣିପୁରକୁ ଡ୍ରଗସ୍ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ‘ଡ୍ରଗସ୍ ବିରୋଧରେ ଯୁଦ୍ଧ’ ମିସନ୍ ଅନୁଯାୟୀ ପାହାଡ଼ିଆ ଅଞ୍ଚଳରେ ଆଦିବାସୀମାନଙ୍କ ଦ୍ୱାରା ହେଉଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଛି। କେବଳ ୨୦୨୨-୨୩ରେ ୪୩୦୫ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯିବା ଦ୍ୱାରା ତାହା ସମ୍ପୃକ୍ତ ଆଦିବାସୀଙ୍କୁ ଉତକ୍ଷିପ୍ତ କଲା।
ଉଗ୍ରବାଦୀ ସଂଗଠନଗୁଡ଼ିକ ପାଇଁ ଗଞ୍ଜେଇ ସେମାନଙ୍କ ରାଜସ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇଥିବାରୁ କେତେକ ଉଗ୍ରବାଦୀ ସଂଗଠନ ଗଞ୍ଜେଇ ଚାଷକୁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗ ହୁଏ। ସରକାରଙ୍କ ଦ୍ୱାରା ଗଞ୍ଜେଇ ଚାଷ ନଷ୍ଟ କରିବା ଦ୍ୱାରା ସେମାନଙ୍କ ରାଜସ୍ୱ ହାନି ହେଉଥିବାରୁ ସେମାନେ ମଧ୍ୟ ଆଦିବାସୀଙ୍କୁ ସରକାରଙ୍କ ବିରୋଧରେ ମତାଇବାକୁ ପଛାଉନାହାନ୍ତି। ପଡ଼ୋଶୀ ମ୍ୟାନମାରରେ ରହୁଥିବା କୁକୀମାନେ ସେଠାରେ ବହୁଳ ଭାବେ ଗଞ୍ଜେଇ ଚାଷ କରିଥାଆନ୍ତି। ସେହି ସବୁ ଅଞ୍ଚଳରୁ କୁକୀମାନେ ମଣିପୁରକୁ ଅବୈଧ ଭାବେ ପ୍ରବେଶ କରି ଏଠାରେ ଜଙ୍ଗଲ ନଷ୍ଟ କରିବା ସହ ବ୍ୟାପକ ରୂପେ ଗଞ୍ଜେଇ ଚାଷ କରୁଥିବାର ଅଭିଯୋଗ ହୁଏ। ଏହା ସତ୍ତ୍ୱେ ସ୍ଥାନୀୟ କୁକୀମାନେ ମଧ୍ୟ ଗତ୍ୟନ୍ତର ହୋଇ ବଡ଼ ଆକାରରେ ଗଞ୍ଜେଇ ଚାଷ କରୁଛନ୍ତି। ସେମାନଙ୍କ ପାଇଁ ବିକଳ୍ପ ଜୀବିକାର ପ୍ରାବଧାନ ନକରି ସେମାନଙ୍କ ଚାଷକୁ ନଷ୍ଟ କରାଯିବା ଦ୍ୱାରା ସେମାନେ କ୍ଷୁବ୍ଧ ହୋଇଛନ୍ତି।
କୁକୀମାନେ ଆସାମ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା, ମେଘାଳୟ ଓ ମଣିପୁରରେ ଆଦି ରାଜ୍ୟଗୁଡ଼ିକରେ ବିକ୍ଷିପ୍ତ ଭାବେ ରହୁଥିବା ବେଳେ କିଛି କୁକୀ ମଧ୍ୟ ମ୍ୟାନମାର ଓ ବଙ୍ଗଳାଦେଶରେ ଥିବାର ଜଣାପଡ଼େ। ତେବେ ମଣିପୁରର କୁକୀମାନେ ନିଜର ସ୍ୱାତନ୍ତ୍ର୍ୟକୁ ବଜାୟ ରଖିବା ପାଇଁ ବୋଡ଼ୋଲାଣ୍ଡ ଟେରିଟୋରିଆଲ କାଉନସିଲ (ବିଟିସି) ଢାଞ୍ଚାରେ କୁକୀଲାଣ୍ଡ ଟେରିଟୋରିଆଲ କାଉନସିଲ (କେଟିସି) ଗଠନ ଲାଗି ଦାବି କରିଆସୁଛନ୍ତି। କୁକୀମାନଙ୍କର ପ୍ରାୟ ୩୦ଟି ଭିନ୍ନ ଭିନ୍ନ ଉଗ୍ରବାଦୀ ସଂଗଠନ ରହିଛି। ସେମାନଙ୍କ ମଧ୍ୟରୁ ୧୭ଟି କୁକୀ ନ୍ୟାସନାଲ ଅର୍ଗାନାଇଜେସନ (କେଏନଓ)ସହ ଆବଦ୍ଧ ହୋଇଥିଲା ବେଳେ ୮ଟି ୟୁନାଇଟେଡ ପିପୁଲସ୍ ଫ୍ରଣ୍ଟ (ୟୁପିଏଫ) ସହ ଆବଦ୍ଧ। ଏହି ଦୁଇଟି ଗୋଷ୍ଠୀ ମାଧ୍ୟମରେ ୨୫ଟି ଉଗ୍ରବାଦୀ ସଂଗଠନ ଅଗଷ୍ଟ ୨୨, ୨୦୦୮ରେ କେନ୍ଦ୍ର ସରକାର, ମଣିପୁର ରାଜ୍ୟ ସରକାରଙ୍କ ସହ ଏକ ତ୍ରିପକ୍ଷୀୟ ସଂଚାଳନ ସ୍ଥଗନ ଚୁକ୍ତି (ସସପେନସନ୍ ଅଫ୍ ଅପରେସନସ୍ ଏଗ୍ରିମେଣ୍ଟ)ରେ ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତି ଅନୁଯାୟୀ ରାଜନୈତିକ ବାର୍ତ୍ତାଳାପ ମାଧ୍ୟମରେ ସମସ୍ୟାର ସମାଧାନ କରାଯିବାର ଲକ୍ଷ୍ୟ ଥିଲା। ସେ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୁରକ୍ଷା ବଳ ଓ ଉଗ୍ରବାଦ ସଂଗଠନଗୁଡ଼ିକ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ପାଳନ କରିବା ଲାଗି ରାଜି ହୋଇଥିଲେ। ଇତିମଧ୍ୟରେ ପ୍ରାୟ ୧୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ରାଜନୈତିକ ବାର୍ତ୍ତାଳାପ ଲାଗି କୌଣସି ଆଗ୍ରହ ପ୍ରଦର୍ଶନ ପୂର୍ବକ ସେଭଳି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଅନ୍ୟ ପକ୍ଷରେ କୁକୀମାନଙ୍କର ପ୍ରତିଦ୍ୱନ୍ଦ୍ୱୀ ନାଗା ଉଗ୍ରବାଦୀ ସଂଗଠନ ଏନଏସସିଏନ(ଆଇଏମ) ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ରାଜନୈତିକ ବାର୍ତ୍ତାଳାପ ଜାରି ରହିଛି ଯାହା କୁକୀମାନଙ୍କୁ ଅଧିକ ଉତ୍କଣ୍ଠିତ କରିବା ସ୍ୱାଭାବିକ। ଏଭଳି ସ୍ଥିତିରେ ମାର୍ଚ୍ଚ ୧୦, ୨୦୨୩ରେ ମଣିପୁର ରାଜ୍ୟ ସରକାର ଏକତରଫା ଭାବେ ଉପରୋକ୍ତ ଚୁକ୍ତିରୁ ଓହରି ଆସିବାକୁ ଘୋଷଣା କଲେ, ଯାହା ସମ୍ପୃକ୍ତ ସଂଗଠନଗୁଡ଼ିକୁ ଉତକ୍ଷିପ୍ତ କଲା।
ମଣିପୁର ହିଂସା ପରେ ରାଜ୍ୟରେ ଯେଉଁ ସାମ୍ପ୍ରଦାୟିକ ଧ୍ରୁବୀକରଣର ସ୍ଥିତି ଉତ୍ପନ୍ନ ହୋଇଛି ତାହା ସେଠାକାର ରାଜନୈତିକ ପରିଦୃଶ୍ୟକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ଦେଖା ଦେଇଛି। ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ଅବିଶ୍ୱାସର ବାତାବରଣକୁ ହ୍ରାସ କରି ମଣିପୁରକୁ କେତେ ଶୀଘ୍ର ଶାନ୍ତି ଫେରାଇ ଅଣାଯାଇପାରିବ ସେ ନେଇ ସମ୍ପୃକ୍ତ ପ୍ରତ୍ୟେକେ ତତ୍ପରତାର ସହ ପ୍ରୟାସ କରିବା ଆବଶ୍ୟକ। ତେବେ କୌଣସି ସମସ୍ୟାକୁ, ବିଶେଷ କରି ଆଦିବାସୀ ସଂଶ୍ଳିଷ୍ଟ ସମସ୍ୟାକୁ, ଅଣଦେଖା କରାଗଲେ ବା ଦୀର୍ଘସୂତ୍ରିତା ଅବଲମ୍ୱନ କରାଗଲେ ତାହାର ଫଳ ଭୟଙ୍କର ହୋଇ ସମାଜକୁ ଅନେକ ମୂଲ୍ୟ ଦେବାକୁ ହୋଇଥାଏ ବୋଲି ମଣିପୁର ହିଂସାରୁ ସ୍ପଷ୍ଟ ଇଙ୍ଗିତ ମିଳେ।
ସରଳ କୁମାର ଦାସ
ଫୋ- ୯୪୩୭୦୩୮୦୧୫