ପଞ୍ଚାନନ କାନୁନଗୋ
ଏଇ ମାତ୍ର ଅଳ୍ପଦିନ ତଳେ ସାରା ଭାରତ ବର୍ଷରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଗଲା। ଦେଶର ପାର୍ଲାମେଣ୍ଟ ପାଇଁ ନିର୍ବାଚନ ହେବା ସହିତ ଓଡ଼ିଶାର ବିଧାନସଭା ପାଇଁ ମଧ୍ୟ ଏକ ସମୟରେ ନିର୍ବାଚନ ହେଲା। ଭାରତ ବର୍ଷରେ ଗତ ଦଶ ବର୍ଷ ଧରି ଯେଉଁ ଶାସନରେ ଯେଉଁ ନେତାମାନେ ସାମନାରେ ଥିଲେ, ସେମାନେ ବାରମ୍ବାର ଉଚ୍ଚସ୍ୱରରେ କଂଗ୍ରେସ ମୁକ୍ତ ଭାରତ ଏବଂ ରାଜ୍ୟ ପରେ ରାଜ୍ୟ ଦଖଲର ବିଜ୍ଞାପନ ବାଢ଼ୁଥିଲେ। କିନ୍ତୁ ହଠାତ୍ ଏହି ନିର୍ବାଚନ ଆଶ୍ଚର୍ଯ୍ୟ ଜନକ ଭାବେ ଅନେକ ରାଜ୍ୟରେ କଂଗ୍ରେସକୁ ସଶକ୍ତ କରିବା ସହିତ କଂଗ୍ରେସ ସହିତ ସହବନ୍ଧିତ ରାଜନୈତିକ (ଇଣ୍ଡିଆମେଣ୍ଟ)କୁ ବହୁ ଅଧିକ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇଲେ। ଯଦିଓ ୨୦୨୪ ପୂର୍ବରୁ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି ଏହି ନିର୍ବାଚନରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା, ସରକାର ଗଠନ ପାଇଁ ଆବଶ୍ୟକ ସଭ୍ୟ ଲୋକସଭାରେ ନଥିଲେ। ତାକୁ ଆନ୍ଧ୍ରର ତେଲ୍ଗୁ ଦେଶମ୍ ଦଳ ଓ ବିହାରର ନୀତୀଶ୍ କୁମାରଙ୍କର ଜେଡ଼ିୟୁ, ମହାରାଷ୍ଟ୍ରର ଭାଙ୍ଗିଯାଇଥିବା ଶିବସେନାର ସିନ୍ଧଆ ଗ୍ରୁପ୍ର ସାହାଯ୍ୟ ନେବାକୁ ହେଲା (୧୬+୧୨+୭=୩୫)।
କେବଳ ଭାରତ ବର୍ଷରେ ନୁହେଁ, ଓଡ଼ିଶାରେ ମଧ୍ୟ ୨୪ ବର୍ଷ ଧରି ଶାସନ କରୁଥିବା ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ କ୍ଷମତାଚ୍ୟୁତ ହେଲା। ଭାରତୀୟ ଜନତା ପାର୍ଟିକୁ ୭୮ଟି ଆସନ ମିଳିବା ବେଳେ ବିଧାନସଭାରେ ବିଜୁ ଜନତାଦଳକୁ ୫୧ଟି ଆସନ ପ୍ରାପ୍ତ ହେଲା। ଓଡ଼ିଶାରେ ପରିବର୍ତ୍ତନର ଗୋଟିଏ ଆଭାସ ନିର୍ବାଚନର କିଛି ମାସ ପୂର୍ବରୁ ଜଣାପଡ଼ୁଥିଲା। ଯାହାକୁ ଲକ୍ଷ୍ୟକରି କଂଗ୍ରେସ ଦଳର କିଛି ଚିନ୍ତକ ୯ରୁ ୯୦ ସ୍ଲୋଗାନକୁ ଗ୍ରହଣ କରିଥିଲେ। ଅର୍ଥାତ୍ ବିଧାନସଭାରେ ୨୦୧୪ ନିର୍ବାଚନରେ ଥିବା ୯ଟି ସଭ୍ୟପଦ ୨୦୨୪ ନିର୍ବାଚନରେ ୯୦କୁ ବୃଦ୍ଧି ପାଇବ ବୋଲି ସେମାନେ କହି ବୁଲୁଥିଲେ। ଏହାକୁ ଦଳର ସଭାପତି ଶରତ ପଟ୍ଟନାୟକ ବାରମ୍ବାର ଉଚ୍ଚାରଣ କରୁଥିଲେ। କିନ୍ତୁ ଏହା ପଛରେ ଆବଶ୍ୟକତା ଥିବା ନିଷ୍ଠା, ଆନ୍ତରିକତା ଓ ପରିଶ୍ରମ ଦଳ ନେତୃବୃନ୍ଦ କରିପାରିଲେ ନାହିଁ। ଅଧିକନ୍ତୁ ଦଳର ନେତାମାନେ କେନ୍ଦ୍ରୀୟ କଂଗ୍ରେସ ପାର୍ଟି ଉପରେ ନିର୍ଭରଶୀଳ ହେଲେ। କେନ୍ଦ୍ରୀୟ ନେତାମନେ ଓଡ଼ିଶାର ଭୋଟରମାନଙ୍କର ଚରିତ୍ର, ଆବଶ୍ୟକତା, ଇଚ୍ଛା ଆଦି ସଂପର୍କରେ ବିଶେଷ ଜ୍ଞାତ ନଥିଲେ। ବରଂ ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାରେ କଂଗ୍ରେସର ବିଜୟକୁ ଲକ୍ଷ୍ୟ କରି ସେହି ପଦ୍ଧତିରେ ଏଠି ନିର୍ବାଚନ ପରିଚାଳନା କରିବାର ସଂକଳ୍ପ ନେଲେ। ଏଠି ୱାର୍ ରୁମ୍ ପ୍ରସ୍ତୁତ ହେଲା। ଅନେକ ସଂଖ୍ୟକ ପିଲା ନିଯୁକ୍ତ ହୋଇ ଆସେମ୍ଲି ଏବଂ ପାର୍ଲାମେଣ୍ଟ ସଦସ୍ୟମାନଙ୍କର ଭିତ୍ତିଭୂମି ସଜାଡ଼ିବାର ଉଦ୍ୟମ କଲେ।
ଅନ୍ୟ ପକ୍ଷରେ ଏହିସବୁ ନିର୍ବାଚନ ମଣ୍ଡଳିର ପୂର୍ବ କଂଗ୍ରେସର ନେତାମାନେ ଦଳ ତ୍ୟାଗ କରି ଅନ୍ୟ ଦଳକୁ ଯିବା ପ୍ରକ୍ରିୟା କିଛି କମ୍ ନଥିଲା। ଯେଉଁମାନେ ଏହି ଅତ୍ୟାଧୁନିକ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟାକୁ ଦଳ ପାଇଁ ଗ୍ରହଣ କରିଯାଇଥିଲେ ସେମାନେ ସମସ୍ତେ ସୁଯୋଗ ଉଣ୍ଡି ନିଜର ଜିତିବା ସମ୍ଭାବନାକୁ ଆଖିରେ ରଖି ଦଳ ପରିବର୍ତ୍ତନ କରୁଥିଲେ। ଫଳତଃ ସଂପୂର୍ଣ୍ଣ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା କୌଣସି କାର୍ଯ୍ୟରେ ଲାଗି ନଥିଲା। ଦ୍ୱିତୀୟତଃ ନିର୍ବାଚନରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ମଧ୍ୟ ଅତ୍ୟନ୍ତ ତୃଟିପୂର୍ଣ୍ଣ ଥିଲା। ପ୍ରଗମନ ଜରିଆରେ ଅଣାଯାଇଥିବା ଦରଖାସ୍ତ ଉପରେ ଆଲୋଚନା କରା ନଯାଇ କିଛି ଲୋକଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଦିଆଗଲା। ଏ ସବୁ କଂଗ୍ରେସର ସମସ୍ତ ସୁଯୋଗକୁ ପ୍ରତିହତ କଲା। ନିର୍ବାଚନରେ ଜିତିବାଠାରୁ ଦୂରେଇ ରଖିଲା। ଏଥିସହିତ ମଧ୍ୟ ନିର୍ବାଚନ ପରିଚାଳନା କରୁଥିବା ସମସ୍ତ ନେତୃବର୍ଗ ସ୍ୱୀକାର କରିବେ ଯେ ପ୍ରାର୍ଥୀମାନଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ଦିଆଯାଇ ନଥିଲା। ଏକ ସମୟରେ ବିଧାନ ସଭା ଓ ଲୋକସଭା ହେଉଥିଲେ ମଧ୍ୟ ଲୋକମାନଙ୍କୁ କେବଳ କେନ୍ଦ୍ରୀୟ ଗ୍ୟାରେଣ୍ଟି (ଇସ୍ତାହାର) ଦିଆଯାଇଥିଲା, କିନ୍ତୁ ବିଧାନସଭାରେ ଲୋକମାନେ ଚାହୁଁଥିବା ସମସ୍ତ ଆଶା, ଆକାଂକ୍ଷା ପ୍ରତିଫଳନ ଯେଉଁ ଇସ୍ତାହାରରେ ଓ ଗ୍ୟାରେଣ୍ଟିରେ ଥିଲା, ତାହା ଉପରେ କୌଣସି ଗୁରୁତ୍ୱ ଦେବାର ଦେଖାଗଲା ନାହିଁ। ଫଳରେ କଂଗ୍ରେସ ଦଳର ପୁଣିଥରେ ଏଠି ପରାଜୟ ଘଟିଲା। ପୂର୍ବରୁ ଥିବା ଗୋଟିଏ ପାର୍ଲାମେଣ୍ଟ ସିଟ୍ ବଜାୟ ରହିଲା, ଏବଂ ବିଧାନସଭାର ୧୪ଟି ଆସନ କଂଗ୍ରେସ ଦଳକୁ ପ୍ରାପ୍ତ ହେଲା।
ଯଦିଓ ରାଜ୍ୟରେ ଏକ ବିରାଟ ପରିବର୍ତ୍ତନର ହାୱା ଘୂରି ବୁଲୁଥିଲା, ବିଜୁ ଜନତା ଦଳଠାରୁ ଦୂରେଇ ଯାଇ ଲୋକେ ଅନ୍ୟ ଏକ ରାଜନୈତିକ ଦଳକୁ ବିକଳ୍ପ ଭାବେ ଖୋଜୁଥିଲେ। କଂଗ୍ରେସ ସେ ସମୟରେ ନିଜର ଦୁର୍ବଳ ସ୍ଥିତି ସାମନାକୁ ଆଣିଲା। କଂଗ୍ରେସ ଦଳ କ୍ରମାନ୍ୱୟରେ ୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟର ଲୋକ ସମର୍ଥନ କମିଯାଉଥିବାର ଲକ୍ଷ୍ୟ କରିଥିଲେ ମଧ୍ୟ ସେଥିରୁ ମୁକୁଳି ଅଧିକ ଲୋକ ସମର୍ଥନ ଆପଣେଇବାରେ ବିଫଳ ହେଲା । ୨୦୧୯ର ଲୋକମତଠାରୁ ପାଖାପାଖି ୩ ପ୍ରତିଶତ ମତ ଏହି ନିର୍ବାଚନରେ କଂଗ୍ରେସକୁ କମ୍ ମିଳିଲା। ଯଦିଓ କିଛି ସିଟ୍ ଅଧିକ ବଢ଼ିଲା ଏବଂ ୧୨ଟି ସିଟ୍ରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ଭାବେ ୨ୟ ସ୍ଥାନରେ ରହି ହାରିଲା, କଂଗ୍ରେସ ୨୦୧୯ ମସିହାରେ ମାତ୍ର ୯ଟି ସ୍ଥାନରେ ଜିତିଥିଲେ ମଧ୍ୟ ବହୁ ଅଧିକ ସ୍ଥାନ(୨୮)ଟିରେ ଦ୍ୱିତୀୟ ସ୍ଥାନରେ ଥିଲା। ଏଥର ନିର୍ବାଚନରେ ଅଧିକାଂଶ କଂଗ୍ରେସ ପ୍ରାର୍ଥୀ ଉଭୟ ଲୋକସଭା ଓ ବିଧାନସଭା ଅମାନତ ହରାଇବାର ଦେଖାଗଲା। ଏସବୁର ଅନୁଶୀଳନ କରି କଂଗ୍ରେସର ଆଗକୁ ଆଗେଇବାର ଆବଶ୍ୟକତା ଥିଲେ ମଧ୍ୟ କଂଗ୍ରେସ ଭିତରେ ଦଳୀୟ କନ୍ଦଳ ତୀବ୍ର ହେବାରେ ଦେଖାଯାଉଛି।
ଯେଉଁମାନେ ପରାଜୟକୁ ସହ୍ୟ କରିପାରନ୍ତି, ଯେଉଁମାନେ ଦଳ ଭିତରର ବିତର୍କକୁ କନ୍ଦଳ ମନେକରନ୍ତି ନାହିଁ, ଯେଉଁମାନେ ପରିବର୍ତ୍ତନ ଚାହାନ୍ତି, ଯେଉଁମାନେ ବିଜ୍ଞାପନର ବିଭ୍ରାନ୍ତିରୁ ନିଜକୁ ଦୂରେଇ ରଖିବାକୁ ଚାହାନ୍ତି ସେମାନେ ବର୍ତ୍ତମାନ ନିର୍ବାଚନ ଫଳାଫଳରେ ବିବ୍ରତ ନହୋଇ ଆଗକୁ କଂଗ୍ରେସ ଦଳର ଉତ୍ଥାନ ନିମନ୍ତେ କାମ କରିବା ଉଚିତ। ରାଜନୈତିକ ପ୍ରକ୍ରିୟାରେ କୌଣସି ବିଚାରସିଦ୍ଧ ଦଳକୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରିହୁଏ ନାହିଁ। ଦଳର ଦର୍ଶନ ଓ ଆଦର୍ଶକୁ ପ୍ରାଧାନ୍ୟ ଦେବା ସହିତ ସେସବୁର ବିଚାର ବିମର୍ଶ ହେଲେ ଦଳ ଅଗ୍ରଗତି କରିଥାଏ। ଦଳ ପାଇଁ ଆଭ୍ୟନ୍ତରୀଣ ଗଣତନ୍ତ୍ର ହେଉଛି ମହାର୍ଘ୍ୟ। ଏହା ବିପନ୍ନ ହେଲେ ଦଳର କ୍ଷତି ହୁଏ ଏବଂ ରାଷ୍ଟ୍ରତନ୍ତ୍ର ରାଷ୍ଟ୍ରୀୟ ଚେତନା ଓ ଭାବନାକୁ ବିପର୍ଯ୍ୟୟ ଘଟାଏ। ଗତ ୨୦୨୪ ମସିହାର ନିର୍ବାଚନ ପ୍ରମାଣ କରି ଦେଖାଇଛି ଯେ ସାରା ଦେଶରେ ପ୍ରଧାନମନ୍ତ୍ରୀ ମୋଦି ଓ ଭାଜପାର ସଭାପତି ଅମିତ୍ ଶାହାଙ୍କର ଅହଙ୍କାରୀ ଆହ୍ୱାନ ‘କଂଗ୍ରେସ ମୁକ୍ତ ଭାରତ’ର କୌଣସି ଯଥାର୍ଥତା ନାହିଁ। ବହୁଧର୍ମୀ, ବହୁଭାଷୀ, ବହୁ ଜାତୀୟତାକୁ ନେଇ ଭାରତ ଭିନ୍ନତା ଭିତରେ ଏକତା ସାବ୍ୟସ୍ତ କରିଛି। କଂଗ୍ରେସ ଦଳ ଏହି ଆଧାରରେ ମୂଳରୁ ହିଁ ନିଜର ଆଦର୍ଶ ଓ ବିଚାର ସଜାଡ଼ିଛି। ସେଥିରେ ବ୍ୟତିକ୍ରମ ହେଲେ ଦେଶର ଜନଗଣ ଛାଟଧରି ଆକଟ କରିଛନ୍ତି।
କଂଗ୍ରେସ ଦଳର ଓଡ଼ିଶା ନେତାମାନେ ରାହୁଳ ଗାନ୍ଧୀଙ୍କର ବିଚାର ଓ ଆଦର୍ଶକୁ ବୁଝି ନଥିଲା ପରି ମନେହୁଏ। କେବଳ ନେତାମାନଙ୍କର ଜିନ୍ଦାବାଦ କରିବାରେ ଏବଂ ନିଜର ଫଟୋ ବିଜ୍ଞାପିତ କରିବାରେ ଅଧିକ ଆଗ୍ରହୀ ଥିବା ଭଳି ମନେହେଲା। ସେସବୁରୁ ଯେ ଆବଶ୍ୟକତା ନାହିଁ ସେକଥା ନୁହେଁ, କିନ୍ତୁ ଦଳର ବିଚାର, ଦଳ ନେତାଙ୍କର ବିଶେଷତ୍ୱ ଏବଂ ନିଜ ଦଳର ଐତିହ୍ୟ ସବୁକୁ ନେଇ କାର୍ଯ୍ୟ କଲେ ଦଳ ପୁଣିଥରେ ମୁଣ୍ଡଟେକି ସଶକ୍ତ ହୋଇପାରିବ। ଏସବୁ ବିଚାର କଂଗ୍ରେସ ଦଳ ପାଇଁ ଉପସ୍ଥାପିତ କରାଗଲା। ଯାହା କେବଳ ଅଧ୍ୟୟନ ନୁହେଁ, କାର୍ଯ୍ୟରେ ଲଗାଇବା ପାଇଁ ଅଭିପ୍ରେତ। ଓଡ଼ିଶାରେ କଂଗ୍ରେସ ଦଳ ସଶକ୍ତ ହେଲେ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ କ୍ଷମତାରୁ ଦୂରରେ ରହିବ। ଏକଥା ସମସ୍ତେ ଅନୁଭବ କରୁଛନ୍ତି।
ଫୋ- ୯୪୩୮୩୬୦୮୪୯