Advertisment

ଏକବିଂଶ ଶତାବ୍ଦୀର ସମାଜବାଦ ଏବଂ ଭେନେଜୁଏଲାର ପେଟ୍ରୋମାନିଆ

ଭେନେଜୁଏଲାର ବିପୁଳ ତୈଳ ଭଣ୍ଡାର ଭଳି ପ୍ରାକୃତିକ ସମ୍ପଦକୁ ଲୁଟିନେବା ପାଇଁ  ଆମେରିକୀୟ ସାମ୍ରାଜ୍ୟବାଦର ଏହା ଏକ ଅଭିଯାନ। ଆଗାମୀ ଦିନରେ ସେମାନେ ମେକ୍ସିକୋ, କଲମ୍ବିଆ, କ୍ୟୁବା ପରି ଦକ୍ଷିଣ ଆମେରିକାର ଦେଶଗୁଡ଼ିକରେ ନିଜର ସପକ୍ଷବାଦୀ ଶକ୍ତିମାନଙ୍କୁ ଏହିଭଳି ଭାବେ କ୍ଷମତାକୁ ଆଣିବାକୁ ଚାହିଁବେ।

venezuela

Venezuela Map Photograph: (Internet)

Advertisment

ଜାନକୀଶ ବଡ଼ପଣ୍ଡା

ଗତ ବର୍ଷ ଅକ୍ଟୋବର ୧୦ ତାରିଖରେ ‘ଭେନେଜୁଏଲାବାସୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଏକଛତ୍ରବାଦରୁ ଗଣତନ୍ତ୍ରକୁ ନ୍ୟାୟପୂର୍ଣ୍ଣ ଏବଂ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ହାସଲ କରିବା ପାଇଁ ମାରିଆଙ୍କ ସଂଘର୍ଷକୁ ସ୍ୱୀକୃତି" ସ୍ୱରୂପ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ପାଇଥିବାର ସୂଚନା ମିଳିବା ମାତ୍ରେ ମାରିଆ ପୁରସ୍କାରକୁ ‘ଭେନେଜୁଏଲାର ପୀଡ଼ିତ ଲୋକଙ୍କୁ’ ଏବଂ ‘ଆମ ଉଦ୍ଦେଶ୍ୟ ପ୍ରତି ନିର୍ଣ୍ଣାୟକ ସମର୍ଥନ ପାଇଁ ରାଷ୍ଟ୍ରପତି ଟ୍ରମ୍ପ’ଙ୍କୁ ଉତ୍ସର୍ଗ କରି ନିଜର ମହାନତା ପ୍ରଦର୍ଶନ କରିବା ଉଲ୍ଲେଖନୀୟ। 

Advertisment

ବିଶ୍ୱର ସର୍ବବୃହତ ପ୍ରାକୃତିକ ତୈଳ ଭଣ୍ଡାର ନିଜ ଦେଶର ମାଟି ତଳେ ରହିଥିବାରୁ ଗର୍ବ କରୁଥିବା ଏକ ଦେଶର ଦୁର୍ଗପତନ ହୋଇଛି। ଅନେକେ ଏହାର କାରଣକୁ ସରଳ ଉତ୍ତରରେ କହିଦେଉଛନ୍ତି ଯେ, ସମାଜବାଦ ହିଁ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନେଜୁଏଲାର ଦୁର୍ଗପତନ କାରଣ। କେହି ବି କହନ୍ତି ଯେ, ଏକଛତ୍ରବାଦୀ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଏଥିପାଇଁ ଦାୟୀ। କିନ୍ତୁ ଏହାର କାରଣ କ’ଣ ପ୍ରକୃତରେ ଏତେ ସରଳ? କେବଳ ଏକବିଂଶ ଶତାବ୍ଦୀର ସମାଜବାଦ ଏବଂ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା? ଏହାର ଏକ ନିରାସକ୍ତ ବିଶ୍ଲେଷଣର ଆବଶ୍ୟକତା ରହିଛି।

ଭେନେଜୁଏଲାରେ ସଙ୍କଟର ମୂଳ କାରଣ ନିଶ୍ଚୟ ଅର୍ଥନୈତିକ; ବିଶେଷକରି ତେଲ ଏବଂ ତେଲ ବିକ୍ରିକରି ଦେଶକୁ ଆସୁଥିବା ବିଦେଶୀ ମୁଦ୍ରା ସହିତ ସମ୍ପର୍କିତ। ଏହି ସଙ୍କଟ ଅଙ୍କୁରିତ ହୋଇଥିଲା ପ୍ରୟ ଏକ ଦଶନ୍ଧି ତଳେ, ୨୦୧୪ ମସିହାରେ। ସେତେବେଳେ  ଅଶୋଧିତ ତୈଳ ମୂଲ୍ୟରେ ୭୦ ପ୍ରତିଶତ ହ୍ରାସ ଘଟିଥିଲା ଏବଂ ଏହାର ପରିଣାମରେ ଯେଉଁ ସବୁ ସମସ୍ୟା ସୃଷ୍ଟି ହେଲା, ତାହାର ଭୟଙ୍କର ପରିଣତି ମିଳିବାକୁ  ପାଞ୍ଚବର୍ଷ ଲାଗିଗଲା। ଭେନେଜୁଏଲା ସରକାରଙ୍କ ଦୁର୍ବଳ ଆର୍ଥିକ ନୀତି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ବରଂ ପ୍ରୋତ୍ସାହିତ କରି ଚାଲିଲା।

Advertisment

ମୁଖ୍ୟତଃ ଚାହିଦା ଅନୁରୂପ ଦେଶ ମଧ୍ୟରେ ସାମଗ୍ରୀ ଉତ୍ପାଦନ ନହେବା ସହିତ ବିଦେଶରୁ ଆମଦାନୀ କରିବା ପାଇଁ ବିଦେଶୀ ମୁଦ୍ରା ଅଭାବ ରହିଲେ, ଗୁରୁତର ଅର୍ଥିକ ଦୁରବସ୍ଥା ସୃଷ୍ଟି ହୋଇଥାଏ। ଏହାକୁ ସ୍ଥାନୀୟ ମୁଦ୍ରା (ବୋଲିଭାର୍)ର ଭୁଲ ପରିଚାଳନା କହିହେବ। ଭେନେଜୁଏଲାର ବାମପନ୍ଥୀ ସରକାରଙ୍କ ଲକ୍ଷ୍ୟ ଥିଲା ସ୍ଥାନୀୟ ଉତ୍ପାଦକମାନଙ୍କୁ ସୁରକ୍ଷା ଦେବା ସହିତ ଶ୍ରମ ଆଇନକୁ କଡ଼ାକଡ଼ି ଲାଗୁ କରିବା। ତାହା ସହିତ ବିଦେଶକୁ ପୁଞ୍ଜି ଚାଲି ଯାଉଥିବାରୁ ତାହାକୁ ରୋକିବା। ମୁଦ୍ରାମୂଲ୍ୟ ହ୍ରାସକୁ ରୋକିବା ପାଇଁ ତତ୍କାଳୀନ ହୁଗୋ ଚାଭେଜ୍ ସରକାର ବିଦେଶୀ ମୁଦ୍ରା ଆଗମନ ଉପରେ ନିୟନ୍ତ୍ରଣ ବ୍ୟବସ୍ଥା ପ୍ରଚଳନ କରିଥିଲେ। ସେ ସ୍ଥାନୀୟ ଉତ୍ପାଦକଙ୍କୁ ସୁରକ୍ଷା, ଗରିବ ଲୋକଙ୍କ ଖାଦ୍ୟ ପଦାର୍ଥ ସୁଲଭ ରଖିବା ପାଇଁ ଅନେକ କ୍ଷେତ୍ରରେ ରିହାତି ଏବଂ ଦରଦାମ ନିୟନ୍ତ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ। ପେଟ୍ରୋଲ୍ ବିକ୍ରିମୂଲ୍ୟରେ ପ୍ରଚୁର ରିହାତି ଦେବାରୁ ଦେଶର ମୁଦ୍ରା ଭଣ୍ଡାର ଦୁର୍ବଳ ହେଲା। କିନ୍ତୁ ବାସ୍ତବ ମୂଲ୍ୟ ଅପେକ୍ଷା ‘ବୋଲିଭାର’କୁ ଅତ୍ୟଧିକ ମୂଲ୍ୟାଙ୍କନ କରାଯିବାରୁ ସ୍ଥାନୀୟ ଉତ୍ପାଦ ବିଦେଶରେ କମ୍ ପ୍ରତିଯୋଗିତାମୂଳକ ହୋଇଗଲା। ବରଂ ଆମଦାନୀ କରାଯାଉଥିବା ବିଦେଶୀ ଉତ୍ପାଦ ଦେଶରେ ଶସ୍ତାରେ ଉପଲବ୍ଧ ହେଉଥିବାରୁ ଜାତୀୟ ଉତ୍ପାଦର ଚାହିଦା ହ୍ରାସ ପାଇଲା। ଡଲାର ଅତ୍ୟଧିକ ମହଙ୍ଗା ହୋଇ ଯିବାରୁ ମୁଦ୍ରାସ୍ଫୀତି ବଢ଼ିଲା ଏବଂ ସ୍ଥାନୀୟ ମୁଦ୍ରାର ଅବମୂଲ୍ୟାୟନ ହେଲା। ଆଗକୁ ମୁଦ୍ରାସ୍ଫୀତି ଅଧିକ ବଢ଼ିବାର ଆଶଙ୍କା କରି ଲୋକଙ୍କ ଚାହିଦା ପ୍ରବଳଭାବେ ବଢ଼ିଚାଲିଲା।

ଅନେକ ବ୍ୟବସାୟିକ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ମଧ୍ୟ ଅମଲାତାନ୍ତ୍ରିକ ବାଣିଜ୍ୟ ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ ଏବଂ ସେମାନେ ବିନିଯୋଗ କରିଥିବା ପୁଞ୍ଜି ସୁରକ୍ଷିତ ରଖିବା ପାଇଁ ମୂଲ୍ୟଦେବାକୁ ପ୍ରସ୍ତୁତ ଥିଲେ। ଏହି ଚାହିଦା ପୂରଣ କରିବା ପାଇଁ ଏକ ମୁଦ୍ରା କଳାବଜାର ସୃଷ୍ଟି ହୋଇଥିଲା। ଫଳରେ ସ୍ଥାନୀୟ ଉତ୍ପାଦକ ଅଧିକ କ୍ଷତିଗ୍ରସ୍ତ ହେଲେ। ସ୍ଥାନୀୟ ବ୍ୟବସାୟ ଦୁର୍ବଳ ହେଲା, ସରକାରୀ ନୀତି ଦୁର୍ନୀତି ପାଇଁ ସୁଯୋଗ ଏବଂ ପ୍ରୋତ୍ସାହନ ମଧ୍ୟ ସୃଷ୍ଟି କରିଥିଲା। ଏହା ଅର୍ଥନୈତିକ ବିକୃତିର କାରଣ ହେବା ସହିତ ପର୍ଯ୍ୟାୟକ୍ରମେ ଏକ ବିଷଚକ୍ର ସୃଷ୍ଟି କରିଥିଲା।

ସରକାରଙ୍କ ଘୋଷିତ ମୁଦ୍ରା ବିନିମୟ ହାର ଏବଂ କଳାବଜାରରେ ପ୍ରଚଳିତ ହାର ମଧ୍ୟରେ ବ୍ୟବଧାନ ଯେତେ ଅଧିକ ହୁଏ, ସରକାରୀ ହାରରେ ଡଲାର ସଂଗ୍ରହକରି  କଳା ବଜାରରେ ପୁନଃବିକ୍ରୟ କରିବା ପାଇଁ ସେତିକି ପ୍ରୋତ୍ସାହନ ମିଳିଥାଏ। ଏହାକୁ ‘ମୁଦ୍ରା ମଧ୍ୟସ୍ଥତା’ କୁହାଯାଏ। ଭେନେଜୁଏଲା ଏବଂ ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟରେ ତେଲ କିମ୍ବା ଖାଦ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟରେ ବ୍ୟବଧାନ ଯେତେ ଅଧିକ ହେଲା ପୁନଃବିକ୍ରୟ ପାଇଁ ସୀମା ପାରକରି ଏହି ଉତ୍ପାଦଗୁଡ଼ିକୁ ଚୋରାଚାଲାଣ କରିବାକୁ ସେତେ ଅଧିକ ପ୍ରୋତ୍ସାହନ ମିଳିଲା। ସାମଗ୍ରୀ ମୂଲ୍ୟ କମାଇ ରଖିବା ପାଇଁ ସରକାରୀ ରିହାତି ମିଳୁଥିବାରୁ ରାଜକୋଷ ନିଃଶେଷ ହୋଇଚାଲିଲା, ଅଥଚ ଉତ୍ପାଦନ ବଢ଼ିଲା ନାହିଁ। ଫଳରେ ଦେଶର ଦୈନନ୍ଦିନ ପରିଚାଳନା ପାଇଁ ସମ୍ବଳ ଉପଲବ୍ଧତା କମିଗଲା।

୧୯୯୯ ମସିହାରେ ହୁଗୋ ଚାଭେଜ୍ ଦାୟିତ୍ୱ ନେବାର ବହୁ ପୂର୍ବରୁ, ଦୁଇଟି ଭେନେଜୁଏଲା ଥିଲା ବୋଲି କହିହେବ - ତୈଳରୁ ଲାଭ ପାଉଥିବା ଭେନେଜୁଏଲା ଏବଂ ତୈଳ ଶିଳ୍ପର ଛାଇରେ ବଢୁଥିବା ଭେନେଜୁଏଲା। ତୈଳ ଶିଳ୍ପର ଛାଇରେ ଲାଭାନ୍ୱିତ ହେଉଥିବା ଶିକ୍ଷିତ ବର୍ଗ ମଧ୍ୟରେ ଭେନେଜୁଏଲାର ସରକାର ବିରୋଧୀ ତତ୍ତ୍ୱ ସୃଷ୍ଟି ହୋଇଥିଲେ। ତୈଳ ଉତ୍ପାଦନ ଓ ବିକ୍ରିରୁ ସୃଷ୍ଟ ସମ୍ପତ୍ତିକୁ ସଚ୍ଚୋଟତା ସହିତ ଦେଶର ସଂଖ୍ୟାଗରିଷ୍ଠ ଲୋକଙ୍କୁ ପୁନଃବଣ୍ଟନ କରିବାର ପ୍ରତିଶୃତି ସରକାର କାର୍ଯ୍ୟକାରୀ କରୁଥିଲେ ବି ଧନୀ, ଗୋରା, ଶିକ୍ଷିତ, ପାଶ୍ଚାତ୍ୟପ୍ରେମୀ ଶିକ୍ଷିତ ବର୍ଗଙ୍କୁ ବାଦଦେଇ ଇତିହାସର ପୁନଃଲିଖନ କରିବାକୁ ଚାଭେଜ୍ ଚାହାନ୍ତି ବୋଲି ଏମାନେ ଭାବୁଥିଲେ। ଏହି ବର୍ଗର ଲୋକଙ୍କ ପାଖରୁ ସେମାନଙ୍କର ଅର୍ଜିତ ସମ୍ପତ୍ତି ଓ ସାମାଜିକ ସ୍ଥିତି ଚାଭେଜ୍ ଛଡ଼େଇ ନେଉଛନ୍ତି ବୋଲି ସେମାନେ ମନେକରୁଥିଲେ।

ଭେନେଜୁଏଲାରେ କୁହାଯାଏ, ‘ମୋ ବନ୍ଧୁମାନେ କିଛି ବି କରିପାରବେ, ହେଲେ ଶତ୍ରୁମାନଙ୍କ ପାଇଁ ଅଛି ଆଇନର ଛାଟ’। ସେଠାରେ  ସାମାଜିକ ବିଭାଜନ ଏତେ ଗଭୀର ଏବଂ ସାମାଜିକ ବିଶ୍ୱାସ ଏତେ ଦୁର୍ବଳ ଯେ ସମସ୍ତେ ଏକ ହୋଇ ଜାତୀୟ ସ୍ୱାର୍ଥ ହାସଲ ପାଇଁ କାମ କରିବା ଆଜି ବି ଏକ ଦୂରନ୍ତ ସ୍ୱପ୍ନ ହୋଇ ରହିଛି। ଚାଭେଜ୍ ଏଭଳି କଷ୍ଟକର ପରିସ୍ଥିତିରେ ତିନୋଟି ଜିନିଷ ଉପରେ ଗଭୀର ବିଶ୍ୱାସ ରଖିଥିଲେ- ନିଜ ଉପରେ, ସାମରିକ ବାହିନୀ ଏବଂ ସମାଜବାଦ ଉପରେ। ଦୁଃଖର ବିଷୟ, ତାଙ୍କର ପ୍ରତ୍ୟେକଟି ଲମ୍ଫପ୍ରଦାନ ଅନିଚ୍ଛାକୃତ ପରିଣାମ ଦେଇଥିଲା। ଉତ୍ତରଦାୟିତ୍ୱହୀନତା ଓ ଦୁର୍ନୀତି ବଢ଼ିଗଲା। ୨୦୧୩ରେ ଚାଭେଜଙ୍କ ମୃତ୍ୟୁ ହେଲା। ସେ ଛାଡ଼ି ଯାଇଥିବା କାର୍ଯ୍ୟକ୍ଷମତାହୀନ, ଅତ୍ୟନ୍ତ କେନ୍ଦ୍ରୀକୃତ ବ୍ୟବସ୍ଥା ଏକଛତ୍ରବାଦୀ ଶାସକ ମାଦୁରୋଙ୍କ ହାତକୁ ଚାଲିଗଲା।

ହୁଗୋ ଚାଭେଜଙ୍କ ପରେ କ୍ଷମତାସୀନ ନିକୋଲାସ୍ ମାଦୁରୋ ଯଥାଶୀଘ୍ର ମୁଦ୍ରାମୂଲ୍ୟ ହ୍ରାସ କରି ଏହି ସମସ୍ୟାକୁ ନିୟନ୍ତ୍ରଣ ବାହାରକୁ ଯିବାରୁ ରୋକିଥିଲେ। ସେତେବେଳକୁ ସରକାରୀ ସ୍ତରରେ ଏବଂ କଳାବଜାରରେ ଡଲାର ବିନିମୟ ହାର ମଧ୍ୟରେ ପାର୍ଥକ୍ୟ ବଢ଼ି ସାରିଥିଲା। ମାଦୁରୋ ଏକ ସାମାଜିକ-ଅର୍ଥନୈତିକ ‘ମୁଖା’ ଉପରେ ବିଶ୍ୱାସ କରୁଥିଲେ। ସେ ସାମାଜିକ ଅର୍ଥନୀତି ପ୍ରବର୍ତ୍ତନ କରି ସ୍ଥାନୀୟ ଉତ୍ପାଦନକୁ ପୁନରୁଦ୍ଧାର କରିବା ପାଇଁ ଉଭୟ ସମବାୟ ତଥା ବ୍ୟକ୍ତିଗତ ମାଲିକାନାରେ ପରିଚାଳିତ କାରଖାନାକୁ ପ୍ରୋତ୍ସାହନ ଦେଇଥିଲେ। ଉଦ୍ଦେଶ୍ୟ ଥିଲା ଯେ, ସକ୍ରିୟ ସାମାଜିକ ସମ୍ପର୍କ ଏବଂ ଏକତା ଆଡ଼କୁ ଦେଶ ମୁହାଇଁବ ଏବଂ ଏକ ସଶକ୍ତ ସାଂସ୍କୃତିକ ପରିବର୍ତ୍ତନ ଆସିପାରିବ।

ଅନ୍ତର୍ଜାତୀୟ ପୁଞ୍ଜିବାଦୀ ବ୍ୟବସ୍ଥାରେ ତୈଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଭେନେଜୁଏଲାର ବିକାଶ ବାଧାପ୍ରାପ୍ତ ହେବାରେ ତେଲ-ମୂଲ୍ୟ ଅସ୍ଥିରତା ଏକ କେନ୍ଦ୍ରବିନ୍ଦୁ ବୋଲି ମାଦୁରୋ ଆବିଷ୍କାର କଲାବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ଯାଇଥିଲା। କିନ୍ତୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତୈଳର ମୂଲ୍ୟ ଉପରେ ନିର୍ଭରଶୀଳତା ଭେନେଜୁଏଲା ପରି ବିବିଧତା-ଦାରିଦ୍ର୍ୟ ଅର୍ଥନୀତି ପାଇଁ  ‘ସମ୍ପଦ ଅଭିଶାପ’ ପାଲଟି ଗଲା। ତୈଳ ଦରବୃଦ୍ଧି ଚରମସୀମାରେ ପହଞ୍ଚିଲେ ଏବଂ ମୁଦ୍ରା ବିନିମୟ-ହାର ଅନୁକୂଳ ରହିଲେ, ରୋଜଗାର ଏତେ ବଢ଼ିଯାଏ ଯେ, ଗୋଟିଏ ତୈଳ ରପ୍ତାନୀକାରୀ ଦେଶ ଅନ୍ୟାନ୍ୟ ସାମଗ୍ରୀ ତିଆରି କରି ବିଦେଶକୁ ରପ୍ତାନୀ କରିବାକୁ ଅନାଗ୍ରହୀ ହୋଇଯାଏ; ଯାହାଫଳରେ ରପ୍ତାନି ବଜାରରେ ପ୍ରତିଦ୍ୱନ୍ଦ୍ୱୀ ହୋଇପାରେନା। ଏହାକୁ ଏବେ ‘ପେଟ୍ରୋମାନିଆ’ କୁହାଯାଉଛି। ସରକାର ମନଇଚ୍ଛା ସାର୍ବଜନୀନ ଖର୍ଚ୍ଚ କରନ୍ତି। ପରିଣାମରେ ରାଷ୍ଟ୍ର ଏବଂ ନାଗରିକ ସମାଜର ନୀତି, ନୈତିକତା, ଉଦ୍ୟୋଗୀ ମନୋଭାବ ତଥା କର୍ମଦକ୍ଷତା ଦୁର୍ବଳ ହୁଏ। ମଠରେ ଖାଇ, ଖଟରେ ଶୋଇବାର ସୁଯୋଗ ମିଳିଲେ, ଯାହା ହୁଏ, ତାହା ହିଁ ଭେନେଜୁଏଲାରେ ଘଟିଥିଲା।

ଏସବୁ ଘଟଣା ଏବେ ଇତିହାସ। ଗତ କିଛି ସପ୍ତାହ ମଧ୍ୟରେ ଆମେ ଦେଖିଆସୁଛେ ଯେ ଯୁକ୍ତରାଷ୍ଟ୍ର ଆମେରିକା ଅସ୍ଥିର ଗଣତନ୍ତ୍ର କିମ୍ବା ମାର୍କିନ୍ ସ୍ୱାର୍ଥକୁ ଅଣଦେଖା କରୁଥିବା ରାଷ୍ଟ୍ରଙ୍କ ବିରୁଦ୍ଧରେ ବଳପ୍ରୟୋଗ କରୁଛି। ସମୃଦ୍ଧ ଓ ପ୍ରତିଷ୍ଠିତ ଗଣତନ୍ତ୍ର ବିରୋଧରେ ନୀରବ ରହୁଛି। ଯଥାର୍ଥତା, ସମନ୍ୱୟ କିମ୍ବା ସାଙ୍ଗଠନିକ ପ୍ରତିବନ୍ଧକ ବିନା ଭେନେଜୁଏଲା ସଙ୍କଟ ସୃଷ୍ଟି କରିଛି ଟ୍ରମ୍ପ ପ୍ରଶାସନ।

ଏହି ସଙ୍କଟ ହଠାତ୍ ଆସି ନଥିଲା। ଭେନେଜୁଏଲା ଏଭଳି ଶାସନ ଶୈଳୀକୁ ପ୍ରତିଫଳିତ କରେ, ଯାହା ବିଚାର ବିମର୍ଶକୁ ପଛରେ ପକାଇ ଆବେଗକୁ ପ୍ରଧାନ୍ୟ ଦେଇଥାଏ। ସାଙ୍ଗଠନିକ ପ୍ରକ୍ରିୟା ଦ୍ୱାରା ପ୍ରାୟତଃ  ନିର୍ଣ୍ଣୟ କରାନଯାଇ ଅତିମାତ୍ରରେ ବ୍ୟକ୍ତିଗତ ନିଷ୍ପତ୍ତି ନିଆଯାଇଥାଏ। ଫଳରେ, ଜଟିଳ ଭୂ-ରାଜନୈତିକ ବାସ୍ତବତା ଇଚ୍ଛାର ପ୍ରତିଯୋଗିତାରେ ହାରିଯାଏ। ଏଭଳି ଶାସନ ଢାଞ୍ଚାକୁ ଆହୁରି ଜଟିଳ କରିଛି ଭେନେଜୁଏଲା ରାଷ୍ଟ୍ରପତି ମାଦୁରୋଙ୍କ ସ୍ୱାସ୍ଥ୍ୟ। ତାଙ୍କର ସ୍ଥିର ବିଚାରବୋଧ ବିଷୟରେ ଚିନ୍ତା ବୃଦ୍ଧି ପାଉଛି। ଜନସଭାରେ କ୍ରମାଗତ ଭାବେ ତାଙ୍କର ବଦଳୁଥିବା ଭାଷଣ, ଦ୍ୱନ୍ଦ୍ୱପୂର୍ଣ୍ଣ ଉଲ୍ଲେଖ ଏବଂ ଚିନ୍ତାଧାରାର ଅସଙ୍ଗତି ଦେଖାଯାଉଛି। ତାଙ୍କର ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। 

ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱ ବ୍ୟବସ୍ଥାରେ ଏଭଳି ଏକ  ସ୍ଥାନ ଅଧିକାର କରୁଛି, ଯେତେବେଳେ ଏହା କିଛି କହିଦେଲେ ପୁଞ୍ଜି ସ୍ଥାନାନ୍ତର ହୋଇଯାଇପାରେ, ଏହାର ଉଦ୍ଦେଶ୍ୟ ମିତ୍ରତା ସୃଷ୍ଟି କରିପାରେ ଏବଂ କାର୍ଯ୍ୟାନୁଷ୍ଠାନ ଦ୍ୱନ୍ଦ୍ୱ ବଢାଇଦେଇପାରେ। ୧୯୭୩ ଯୁଦ୍ଧ କ୍ଷମତା ପ୍ରସ୍ତାବ ଅନୁଯାୟୀ, ଜଣେ ମାର୍କିନ୍ ରାଷ୍ଟ୍ରପତି ସେନାକୁ ଶତ୍ରୁ ବିରୁଦ୍ଧରେ ବ୍ୟବହାର କରିବାକୁ କ୍ଷମତାପ୍ରାପ୍ତ। ତେବେ, ତାଙ୍କୁ ଏପରି  କରିବାର ୪୮ ଘଣ୍ଟା ମଧ୍ୟରେ କଂଗ୍ରେସକୁ ସୂଚିତ କରିବାକୁ ପଡ଼େ। କଂଗ୍ରେସ ଏହାକୁ ଅନୁମତି ନଦେଲେ ୯୦ ଦିନ ମଧ୍ୟରେ ଏପରି କାର୍ଯ୍ୟ ସମାପ୍ତ କରିବାକୁ ସେ ବାଧ୍ୟ। ଏହା ଟ୍ରମ୍ପ  ପ୍ରଶାସନକୁ କଂଗ୍ରେସ ଅନୁମୋଦନ ବିନା ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରୋତ୍ସାହିତ କରୁଛି। ଯେଉଁ ଆଇନଗତ ଢାଞ୍ଚାକୁ ଏକ ପ୍ରତିବନ୍ଧକ ଭାବରେ ପ୍ରଣୟନ କରାଯାଇଥିଲା ତାହାର ଅପବ୍ୟବହାର ହେଉଛି। ଭେନେଜୁଏଲାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟ ଏଭଳି ଏକ ଶାସନ ଶୈଳୀର ପ୍ରତିଫଳନ, ଯାହାକୁ ବିଚାର ବିମର୍ଶ ଅପେକ୍ଷା ବ୍ୟକ୍ତିଗତ ଖିଆଲ ଓ ଆଗ୍ରହ କୁହାଯାଇ ପାରିବ। 

କଲମ୍ବିଆ, କ୍ୟୁବା ଏବଂ ମେକ୍ସିକୋକୁ ଧମକ ଦେବା ପରେ ଗ୍ରୀନଲ୍ୟାଣ୍ଡକୁ ଅକ୍ତିଆର କରିବା ପାଇଁ ମନ ବଳାଇବା, ଆମେରିକା ପକ୍ଷରୁ କିଛି ମାସ ତଳେ ଇରାନ ଉପରେ ଅତର୍କିତ ଆକ୍ରମଣ ତଥା ଗତ ଜାନୁଆରୀ ଦୁଇ ତାରିଖରେ ଭେନେଜୁଏଲା ଉପରେ ଯେଉଁଭଳି ବର୍ବରୋଚିତ ଆକ୍ରମଣ କରାଗଲା - ତାହା ଆମେରିକାର ସାମ୍ରାଜ୍ୟବାଦୀ ଚରିତ୍ର ସହିତ ବିଶ୍ୱ ଶାନ୍ତି ପାଇଁ ନୋବେଲ୍ ପୁରସ୍କାର ଦାବି କରୁଥିବା ତଥା ନିଜକୁ ଶାନ୍ତିଦୂତ କହୁଥିବା ଡୋନାଲଡ଼ ଟ୍ରମ୍ପଙ୍କ ଅସଲ ମୁଖାଟିକୁ ଖୋଲି ଦେଇଛି।  

ଟ୍ରମ୍ପ୍ ଏକ ସ୍ୱତନ୍ତ୍ର ସାମରିକ ଅଭିଯାନ ଜରିଆରେ ଭେନେଜୁଏଲାର ରାଜଧାନୀ କାରାକାସରେ ରାତି ଅଧରେ ପଶି ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଓ ତାଙ୍କ ସ୍ତ୍ରୀ ସିଲିଆ ଫ୍ଲୋରେସ୍‌ଙ୍କୁ ଅପହରଣ କରି ଆମେରିକାକୁ ନେଇଯିବା ସହ ସେଠାରେ ତାଙ୍କ ଆଖିରେ ପଟି ଓ ହାତରେ ଶିକୁଳି ବାନ୍ଧି ନିୟୁର୍କର ଏକ ଜେଲରେ ବନ୍ଦୀ କରି ରଖିଛନ୍ତି। କୌଣସି ଏକ ସ୍ୱାଧୀନ ଓ ସାର୍ବଭୌମ ରାଷ୍ଟ୍ର ଉପରେ ଆଉ ଏକ ରାଷ୍ଟ୍ର ଏଭଳି ରାତିଅଧିଆ ଆକ୍ରମଣ କରି ତା’ର ରାଷ୍ଟ୍ରମୁଖ୍ୟ ଓ ତାଙ୍କ ପତ୍ନୀଙ୍କୁ ଏଭଳି ଅପହରଣ କରିନେବା ସମସ୍ତ ପ୍ରକାର ଅର୍ନ୍ତଜାତୀୟ ଚୁକ୍ତି ଓ ନିୟମର ଖୋଲା ଉଲଂଘନ। ଏଭଳି ଘଟଣା ବିଶ୍ୱରେ ଆମେରିକାର ସାମ୍ରାଜ୍ୟବାଦୀ ଚରିତ୍ର ଓ ଛୋଟ ଦେଶଙ୍କ ଉପରେ ଦାଦାଗିରିକୁ ସ୍ପଷ୍ଟ ପ୍ରମାଣିତ କରୁଛି। ବିଶ୍ୱରେ ଏହା ଏକ ଖରାପ ପରମ୍ପରା ସୃଷ୍ଟି କରିବା ସହିତ ମିଳିତ ଜାତିସଂଘର ଭୂମିକାକୁ ସମ୍ପୂର୍ଣ୍ଣ ଭାବେ ନ୍ୟୁନ ଓ ଅପ୍ରାସଙ୍ଗିକ କରିଦେଇଛି। ଏଣିକି ଭେନେଜୁଏଲାର ଶାସନ ଦାୟିତ୍ୱ ଆମେରିକା ବୁଝିବ ଏବଂ ତା’ର ତୈଳ ସମ୍ପଦ ଆମେରିକା ନିୟନ୍ତ୍ରଣରେ ରହିବ ବୋଲି ବି ସେ ସଗର୍ବେ ଘୋଷଣା କରିଛନ୍ତି।

ଭେନେଜୁଏଲାର ବିପୁଳ ତୈଳ ଭଣ୍ଡାର ଭଳି ପ୍ରାକୃତିକ ସମ୍ପଦକୁ ଲୁଟିନେବା ପାଇଁ  ଆମେରିକୀୟ ସାମ୍ରାଜ୍ୟବାଦର ଏହା ଏକ ଅଭିଯାନ। ଆଗାମୀ ଦିନରେ ସେମାନେ ମେକ୍ସିକୋ, କଲମ୍ବିଆ, କ୍ୟୁବା ପରି ଦକ୍ଷିଣ ଆମେରିକାର ଦେଶଗୁଡ଼ିକରେ ନିଜର ସପକ୍ଷବାଦୀ ଶକ୍ତିମାନଙ୍କୁ ଏହିଭଳି ଭାବେ କ୍ଷମତାକୁ ଆଣିବାକୁ ଚାହିଁବେ। ଭେନେଜୁଏଲା ଉପରେ ଆମେରିକୀୟ ଆକ୍ରମଣ ହେଉଛି କ୍ରମାଗତ ପ୍ରଭାବ ହ୍ରାସ ପାଉଥିବା ଏକ ମହାଶକ୍ତିର ନିଜର ବିଶ୍ୱ ଆଧିପତ୍ୟକୁ ପୁନଃ ସ୍ଥାପନ କରିବାର ଚେଷ୍ଟା ମାତ୍ର। ଅନ୍ୟ ପକ୍ଷରେ ଦେଶରେ ଗଚ୍ଛିତ ପ୍ରକୃତିକ ତୈଳସମ୍ପଦର ଉପଯୁକ୍ତ ବିନିଯୋଗ କଲାବେଳେ ଆର୍ଥିକ ସୁପରିଚାଳନା ଏବଂ ଦେଶର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେବାରେ ଅତି-ସମାଜବାଦୀ ଭେନେଜୁଏଲା ବିଫଳ ହେବାର ଏହା ପରିଣାମ। ତେଲରୁ ଲାଭ ପାଉଥିବା ଭେନେଜୁଏଲା ତୈଳ ଶିଳ୍ପର ଛାଇରେ ବଢୁଥିବା ଶିଳ୍ପପତି ଓ ବହୁରାଷ୍ଟ୍ରୀୟ ପୁଞ୍ଜିପତିଙ୍କୁ ହତାଦର କରିବା ଏକ ରଣନୈତିକ ତ୍ରୁଟି ଥିଲା। ବଦଳୁଥିବା ବିଶ୍ୱରେ ଆତ୍ମନିର୍ଭରଶୀଳତା, ପ୍ରତିଯୋଗିତାମୂଳକ ବିଶ୍ୱ ବଜାରରେ ନିଜର ଉପସ୍ଥିତି ଜାହିର ନକଲେ, ସାମ୍ରାଜ୍ୟବାଦର ରାକ୍ଷସ ଯେ କୌଣସି ଦେଶର ସାର୍ବଭୌମତ୍ୱକୁ ଲୁଣ୍ଠନ କରିନେବ, ଭେନେଜୁଏଲା ତାହାର ଏକ ଉଦାହରଣ।

ଫୋ- ୯୪୩୮୨୯୯୦୩୭

USA Donald Trump Donald Trump Latest US attack on Venezuela Venezuela news US intervention Venezuela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe