Advertisment

ପାଞ୍ଚ ମୌଳିକ ଅଧିକାର ପୂରଣର ସ୍ଵପ୍ନ ବନାମ ବିକଶିତ ଭାରତ

‘ସମସ୍ତ ମଣିଷଙ୍କର ପାଞ୍ଚଟି ମୌଳିକ ଅଧିକାର ଯେପରି ପୂରଣ ହୋଇପାରିବ ସେଥିଲାଗି ମୁଁ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ। ସେହି ପାଞ୍ଚଟି ହେଲା ସମସ୍ତଙ୍କୁ ଖାଦ୍ୟ, ଉତ୍ତମ ଚିକିତ୍ସା, ବସ୍ତ୍ର, ବାସସ୍ଥାନ ଓ ଶିକ୍ଷା। ଭାରତରେ ଅନେକ କିଛି ଘଟିଛି। କିନ୍ତୁ ଏହି ପାଞ୍ଚଟି ଅଧିକାର ଏବେ ବି ଅପୂରଣୀୟ ରହିଛି।’

Freedom Fighter Mohammed Bazi

Freedom Fighter Mohammed Bazi

Advertisment

ଦେବ ରଞ୍ଜନ

‘ସରଫରୋଷ କି ତମନ୍ନା ଅବ ହମାରେ ଦିଲ ମେ ହେ / ଦେଖନା ହୈ ଜୋର କିତନା ବାଜୁ-ଏ-କାତିଲ ମେ ହେ।’ (ବଳିଦାନର ଇଚ୍ଛା ଏବେ ଆମ ହୃଦୟରେ ଅଛି / ଦେଖାଯାଉ ହତ୍ୟାକାରୀର ବାହୁରେ କେତେ ଶକ୍ତି ଅଛି।) ସ୍ଵାଧୀନତା ଆନ୍ଦୋଳନ ସମୟରେ ବିସ୍ମିଲ ଅଜିମାବାଦୀଙ୍କ ଏହି କବିତା ଅନେକ ଆନ୍ଦୋଳନକାରୀଙ୍କ ମୁହଁର ଭାଷା ହୋଇଯାଇଥିଲା। ହୁଏତ ମହମ୍ମଦ ବାଜି ମଧ୍ୟ ସେମାନଙ୍କ ମଧ୍ୟରୁ ଥିଲେ ଅନ୍ୟତମ।

Advertisment

ରାଜା ମହାରାଜା ଓ ବ୍ରିଟିଶ ସରକାରଙ୍କ ଶୋଷଣ ଓ ଦମନରୁ ଦେଶକୁ ରକ୍ଷା କରିବା ଥିଲା ସେ ସମୟରେ ତାଙ୍କ ଭଳି ସଂଗ୍ରାମୀମାନଙ୍କର ଲକ୍ଷ୍ୟ। ସମାନତା ଓ ସହଭାଗିତା ଆଧାରିତ ସମାଜ ଗଠନ ଥିଲା ସେମାନଙ୍କର ସ୍ଵାଧୀନତା ଆନ୍ଦୋଳନରେ ଯୋଗଦାନର ଉଦ୍ଦେଶ୍ୟ। ଦେଶ ୮୦ତମ ସ୍ଵାଧୀନତା ଦିବସ ପାଳନ କରିବା ସମୟରେ ଅତୀତର ସେହି ସ୍ଵାଧୀନତା ସଂଗ୍ରାମୀଙ୍କ ଦୃଷ୍ଟିରେ ବର୍ତ୍ତମାନକୁ ଯଦି ଦେଖିବା ତେବେ କ’ଣ ଦେଖାଯିବ, ଦେଶ କ’ଣ ବିକଶିତ ହୋଇଛି ନା ଦେଶରେ ବିଷମତା ଭରି ଯାଇଛି?

ସ୍ଵାଧୀନତା ସଂଗ୍ରାମୀ ମହମ୍ମଦ ବାଜି (ବାଜି ଭାଇ ଭାବରେ ଖ୍ୟାତ) ଥିଲେ ଦକ୍ଷିଣ ଓଡ଼ିଶାର ଖ୍ୟାତନାମା ସର୍ବୋଦୟୀ, ଭୂଦାନ ଆନ୍ଦୋଳନର କର୍ମୀ ଓ ଧର୍ମନିରପେକ୍ଷ ମଣିଷ। ଘର ତାଙ୍କର ଥିଲା ନବରଙ୍ଗପୁର ସହରରେ। ବାଜି ଭାଇ ନିଜର ଶିକ୍ଷକ ତଥା ଗାନ୍ଧୀବାଦୀ କର୍ମୀ ସଦାନନ୍ଦ ତ୍ରିପାଠୀଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ। ସ୍କୁଲ ଶିକ୍ଷା ସମାପ୍ତ କରିବା ପୂର୍ବରୁ ଜାତୀୟ କଂଗ୍ରେସର ଡାକରାରେ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ଜେଲ ଯାଇଥିଲେ।

Advertisment

ବାଜି ଭାଇଙ୍କ ନବରଙ୍ଗପୁର ବାସଭବନରେ ମୁଁ ତାଙ୍କୁ ଭେଟିବା ବେଳକୁ (୨୦୧୦) ସେ ପ୍ରାୟ ଯିବା ଆସିବା କମ କରିସାରିଲେଣି। ତାଙ୍କର ପୁତୁରା ଏନ. ଅହମ୍ମଦ ଥିଲେ ସହରର ପ୍ରଖ୍ୟାତ ଓକିଲ ଓ ମାନବିକ ଅଧିକାର କର୍ମୀ। ଏହି କାରଣରୁ ମୁଁ ତାଙ୍କ ଘରକୁ ଗଲେ ଦେଖାହୁଏ ବାଜି ଭାଇଙ୍କ ସହିତ। ଆମେ ମାଲକାନଗିରିରେ ଏନସାଲାଫାଇଟିସ ହେତୁ ମୃତ୍ୟୁ, କାଶୀପୁରର ଅନାହାର ମୃତ୍ୟୁ, ବଢୁଥିବା ଏନକାଉଣ୍ଟର ହତ୍ୟା ଓ ହାଜତ ମୃତ୍ୟୁ ସାଙ୍ଗକୁ ଆଦିବାସୀ ଅଞ୍ଚଳରେ ସ୍କୁଲ ବନ୍ଦ କରିବାର ସରକାରୀ ନିଷ୍ପତ୍ତି ସମ୍ପର୍କରେ କିଛି ଆଲୋଚନା କରୁଥିଲୁ।

ଆଜି ସରକାର ଯେତେବେଳେ ବିକଶିତ ଭାରତର ସ୍ଵପ୍ନ ସମ୍ପର୍କରେ ଆଲୋଚାନ କରୁଛନ୍ତି ମୋତେ ବାଜି ଭାଇଙ୍କ କଥା ମନେପଡୁଛି। ଏହି ବିକଶିତ ଭାରତ ମଧ୍ୟରେ ସାଧାରଣ ଲୋକଙ୍କ ମୌଳିକ ଅଧିକାରର ପୂରଣ ଅନ୍ତର୍ଭୁକ୍ତ କି?

ମୌଳିକ ଅଧିକାର ପୂରଣର ସ୍ଵପ୍ନ

୧୯୪୨ ମସିହାରେ ଗାନ୍ଧୀଜୀ ଭାରତ ଛାଡ଼ ଆନ୍ଦୋଳନ ‘ଡୁ ଅର ଡାଏ’ ଡାକରାରେ ସେ ମଧ୍ୟ ରାସ୍ତାର ବ୍ରିଜ ଭଙ୍ଗିଥିଲେ, ସରକାରୀ ଅଫିସ ଭାଙ୍ଗିଥିଲେ ଓ ସରକାରୀ ସମ୍ପତ୍ତିକୁ ନଷ୍ଟ କରିଥିଲେ। ବାଜି ଭାଇ ଜେଲ ଜୀବନ ସମ୍ପର୍କରେ କହୁଥିଲେ, ‘ବ୍ରିଟିଶ ବାଲା ବ୍ରିଜ ଭାଙ୍ଗିବା କେସରେ ମୋତେ ଜେଲଦଣ୍ଡ ଦେଇଥିଲେ। ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିବା କାରଣରୁ କୋରାପୁଟ ଜିଲ୍ଲାରୁ ୧୦୦ ଲୋକେ ଆମେ ଗିରଫ ହୋଇଥିଲୁ। ସେ ମଧ୍ୟରୁ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଗଲା। ମୁଁ ଓ ଲକ୍ଷ୍ମଣ ନାୟକ ଗୋଟେ ଜାଗାରେ କିଛି ଦିନ ଥିଲୁ। ସେହି ଶହେ ଜଣଙ୍କ ମଧ୍ୟରୁ ୫୬ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା। ସେମାନଙ୍କ ମଧ୍ୟରେ ମୁଁ ଥିଲି। ମୋତେ ମଧ୍ୟ ଆଜୀବନ କାରାଦଣ୍ଡ ହୋଇଥିଲା। ବାକିମାନଙ୍କୁ ଦୁଇ ବର୍ଷ ଓ ତିନି ବର୍ଷ ଜେଲ ହୋଇଥିଲା।’ ଦେଶ ସ୍ଵାଧୀନତା ହେବାର ଠିକ ପୂର୍ବରୁ ସମସ୍ତ ରାଜନୈତିକ ବନ୍ଦୀଙ୍କ ଭିତରେ ବାଜି ଭାଇଙ୍କୁ ମଧ୍ୟ ଛାଡ଼ି ଦିଆଯାଇଥିଲା।

‘ଆପଣ କ’ଣ ସ୍ଵପ୍ନ ଦେଖି ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ?’ ଦିନେ ମୁଁ ତାଙ୍କୁ ଆଲୋଚନା ଭିତରେ ପଚାରିଥିଲି।

‘ସମସ୍ତ ମଣିଷଙ୍କର ପାଞ୍ଚଟି ମୌଳିକ ଅଧିକାର ଯେପରି ପୂରଣ ହୋଇପାରିବ ସେଥିଲାଗି ମୁଁ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ। ସେହି ପାଞ୍ଚଟି ହେଲା ସମସ୍ତଙ୍କୁ ଖାଦ୍ୟ, ଉତ୍ତମ ଚିକିତ୍ସା, ବସ୍ତ୍ର, ବାସସ୍ଥାନ ଓ ଶିକ୍ଷା। ଭାରତରେ ଅନେକ କିଛି ଘଟିଛି। କିନ୍ତୁ ଏହି ପାଞ୍ଚଟି ଅଧିକାର ଏବେ ବି ଅପୂରଣୀୟ ରହିଛି।’ ସେ ଏହା କହୁଥିବା ବେଳେ ଶୁଖିଲା ମୁହଁ ବେଶ ସ୍ପଷ୍ଟ ଜଣାପଡୁଥିଲା।

ସ୍ଵାଧୀନତା ପରେ ଅନେକ ସ୍ଵାଧୀନତା ସଂଗ୍ରାମୀ ନେହେରୁଙ୍କ ନେତୃତ୍ୱରେ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ ଓ ନିର୍ବାଚିତ ହୋଇ ସରକାରୀ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେମାନଙ୍କ ମଧ୍ୟରେ ସଦାନନ୍ଦ ତ୍ରିପାଠୀ ଥିଲେ ଯିଏ ବାଜିଭାଇଙ୍କ ଶିକ୍ଷକ ଓ ପ୍ରେରଣାଦାୟୀ ଗୁରୁ। ସେ ମଧ୍ୟ କ୍ଷମତା ରାଜନୀତିରେ ଯୋଗ ଦେଇଥିଲେ। ପରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। କିନ୍ତୁ ବାଜି ଭାଇ କ୍ଷମତା ରାଜନୀତି ଠାରୁ ଦୂରରେ ଗାନ୍ଧୀଙ୍କ ‘ରଚନାତ୍ମକ କାର୍ଯ୍ୟ’ରେ ଯୋଗ ଦେଇଥିଲେ। ରଚନାତ୍ମକ କାର୍ଯ୍ୟ କହିଲେ ମୁଖ୍ୟତଃ ଗ୍ରାମାଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଖଦିର ପ୍ରଚାର ପ୍ରସାର, କୃଷିରେ ଉନ୍ନତି, କୁଟୀରଶିଳ୍ପ ଉପରେ ଗୁରୁତ୍ଵ, ଗୋପାଳନ, ମଦବନ୍ଦ ଇତ୍ୟାଦି ଥିଲା। ରଚନାତ୍ମକ କାର୍ଯ୍ୟ ଗାନ୍ଧୀବାଦୀ ସର୍ବୋଦାୟୀ କର୍ମୀକୁ ଉତ୍ସାହିତ କରୁନଥିଲା। ବାଜି ଭାଇ ଏହାକୁ ସ୍ଵୀକାର କରୁଥିଲେ ଯେ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ‘ଆମ ଭିତରେ ନୂତନ ଉତ୍ସାହ ଆଣିଥିଲା’।

୧୯୫୩ ମସିହାର କଥା। କୋରାପୁଟ ଅଞ୍ଚଳକୁ ବିନୋବା ଭାବେ ଆସିଥିଲେ। ତାଙ୍କ ସହିତ ନବକୃଷ୍ଣ ଚୌଧୁରୀ (ପ୍ରଥମ ମୁଖ୍ୟମନ୍ତ୍ରୀ), ମାଳତି ଚୌଧୁରୀ ଓ ଉପକୂଳ ଓଡ଼ିଶାର ଅନେକ ସର୍ବୋଦାୟୀ କର୍ମୀ କୋରାପୁଟ ଅଞ୍ଚଳକୁ ଆସିଥିଲେ। ବାଜିଭାଇ ସେମାନଙ୍କ ନେତୃତ୍ଵ ନେଇଥିଲେ। ପରେ ସେମାନେ ଅବିଭକ୍ତ କୋରାପୁଟ ଅଞ୍ଚଳରେ ରହିଯାଇଥିଲେ। ସେମାନେ କୋରାପୁଟ ଜିଲ୍ଲାରେ ରଚନାତ୍ମକ କାର୍ଯ୍ୟକୁ ନୂଆ ରୂପ ଦେଇଥିଲେ। ଅନେକ ଜମି କୋରାପୁଟ ଜିଲ୍ଲା ମଧ୍ୟରେ ଭୂଦାନରେ ସଂଗୃହୀତ ହୋଇଥିଲା।

ବାଜି ଭାଇଙ୍କ ତଥ୍ୟ ଅନୁସାରେ ନବରଙ୍ଗପୁର ଜିଲ୍ଲାରେ ୫୦୦ ଏକର ଜମି ଭୂଦାନରେ ମିଳିଥିଲା। ତାହାକୁ ଲୋକଙ୍କ ନାମରେ ପଟ୍ଟା କରିବା ପଛରେ ସର୍ବୋଦାୟୀମାନଙ୍କର ବଳିଷ୍ଠ ଭୂମିକା ରହିଥିଲା। ଏହାର ଠିକ ପରେ ପରେ ଓଡ଼ିଶା ସରକାର ଭୂଦାନ ଜମି ପାଇଥିବା ଲୋକଙ୍କୁ ଆର୍ଥିକ ସହାୟତା ଦେବା ଆରମ୍ଭ କରିଥିଲେ। ମୁଖ୍ୟତଃ ବଳଦ, ଲଙ୍ଗଳ ଓ ବିହନ ଯୋଗାଇଦେବା ସରକାରଙ୍କ ଉଦ୍ଦେଶ୍ୟ ଥିଲା। ସେ ନିଜେ ଏଗାର ଲକ୍ଷ ଟଙ୍କା ଲୋକଙ୍କୁ ବାଣ୍ଟିଥିଲେ। ଦେଶବାସୀଙ୍କର ଆର୍ଥିକ ଉନ୍ନତି ଆଣିବା ଦିଗରେ ସର୍ବୋଦାୟୀ କର୍ମୀମାନେ ଏକଦା ଅନେକ କାର୍ଯ୍ୟ କରିଥିଲେ।

ଦେଶର ବାସ୍ତବ ସ୍ଥିତି

କିନ୍ତୁ ପରିସ୍ଥିତିରେ ଯେଉଁଭଳି ଉନ୍ନତି ଆସିବା କଥା ତାହା ଆଜି ବି ଆସିପାରିଲା ନାହିଁ। ଶିକ୍ଷା କ୍ଷେତ୍ରରେ ଚରମ ଅବହେଳା ଆଜି ବି ଦୃଶ୍ୟ ହେଉଛି। ଓଡ଼ିଶା ସରକାର ମାର୍ଚ୍ଚ ୨୦୨୫ରେ ବିଧାନ ସଭାରେ ସ୍ୱୀକାର କରିଛନ୍ତି ଯେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ୫୬୩୨ ସ୍କୁଲକୁ ବନ୍ଦ କରିଦିଆଯାଇଛି। ଆଜି ବି ୧୦୯୫ ସ୍କୁଲ ଏକକ ଶିକ୍ଷକରେ ଚାଲିଛି। ସମଗ୍ର ଦେଶରେ ଶିକ୍ଷାରେ ଦାରିଦ୍ର୍ୟ ହାର ୫୬% ଅର୍ଥାତ ଅଧାରୁ ଅଧିକ ଛାତ୍ର ଛାତ୍ରୀ ବହି ପଢ଼ିବାରେ ଅକ୍ଷମ ବୋଲି ବିଶ୍ଵବ୍ୟାଙ୍କ ରିପୋର୍ଟ ଦର୍ଶାଉଛି। ଏଥିଲାଗି ସରକାର ନିଜ ମଧ୍ୟରେ କେବେ ଲଜ୍ଜା ଅନୁଭବ କରୁନାହାନ୍ତି। ଓଲଟି ସମସ୍ତ ଶିକ୍ଷା ବ୍ୟବସ୍ଥାକୁ ଶିକ୍ଷା ଦୋକାନୀମାନଙ୍କ ହାତକୁ ସମର୍ପି ଦେଇଛନ୍ତି।

ଶିକ୍ଷା ବ୍ୟବସାୟୀମାନେ ପ୍ଲେ ସ୍କୁଲ, ନର୍ସରୀ, କିଣ୍ଡର ଗାର୍ଡେନ, ପ୍ରାଇଭେଟ ସ୍କୁଲ, ରେସିଡେନସିଆଲ ସ୍କୁଲ, ଅନ୍ତର୍ଜାତୀୟ ସ୍କୁଲ ଓ ଗୁରୁକୁଳ ସ୍କୁଲ ଇତ୍ୟାଦି ବ୍ୟବସାୟ ଚଳାଇଛନ୍ତି। ସେମାନେ ନିମ୍ନ ପ୍ରାଥମିକ ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ସ୍କୁଲ ଫି, ପାଠ୍ୟପୁସ୍ତକ ଓ ଅନ୍ୟାନ୍ୟ ପାଠ ଉପକରଣ ଯୋଗାଣ, ସ୍କୁଲ ୟୁନିଫର୍ମ, ପରିବହନ ପରି ନାନା ପ୍ରକାର ଦେୟ ଆଦାୟ କରି ଅଭିଭାବକମାନଙ୍କୁ ଲୁଟ କରିବାରେ ଲାଗିଛନ୍ତି। ଅଥଚ ଏହାର ଅଭିଯୋଗ ଶୁଣିବା ଲାଗି ଶିକ୍ଷା ମନ୍ତ୍ରଣାଳୟରେ ଆବଶ୍ୟକୀୟ ବ୍ୟବସ୍ଥା ନାହିଁ।

ପିଲାଙ୍କ ପାଠପଢ଼ାର ବ୍ୟୟବହୁଳ ଖର୍ଚ୍ଚ, ଚାକିରି ଆବେଦନ ଓ ଚାକିରି ପାଇଁ ଲାଞ୍ଚ ଦେବାରେ ଅର୍ଥର ଆବଶ୍ୟକତା, କୌଣସି ପ୍ରାକୃତିକ ଦୁର୍ବିପାକ, ଦୁର୍ଘଟଣା ବା ବାହାଘର ଓ ସାମାଜିକ ଚଳଣି ଇତ୍ୟାଦି ଲାଗି ଅର୍ଥ ଯୋଗାଡ କରିବା ସମ୍ଭବ ହେଉନାହିଁ। ତେଣୁ ପରିବାରର ମହିଳାମାନେ ଏବେ ଋଣଗ୍ରସ୍ତ ହେଲେଣି। ଗଲା ପାଞ୍ଚ ବର୍ଷ ମଧ୍ୟରେ ଋଣଗ୍ରସ୍ତ ମହିଳାଙ୍କ ସଂଖ୍ୟାରେ ୨୨ ପ୍ରତିଶତ ବୃଦ୍ଧି ଘଟିଛି। ସେଥିରୁ ଅନେକ ଋଣ ଶୁଝି ନପାରି ଆତ୍ମହତ୍ୟା କରୁଛନ୍ତି।

କୋରାପୁଟ ଅଞ୍ଚଳରେ, ସାହୁକାରମାନେ ଯଦି କୋଡ଼ିଏ ଟଙ୍କା ଋଣ ଦେଉଥିଲେ ତେବେ ସୁଧ ଆକାରରେ ଘରର ଦୁଇ ଲୋକ ବେଠି ଖଟିବା ଲାଗି ବାଧ୍ୟ କରୁଥିଲେ। ପୁଣି କୋଡ଼ିଏ ଟଙ୍କା ଫେରାଇଲେ ବେଠି ଖଟିବା ବନ୍ଦ ହେଉଥିଲା। ଏଭଳି ଗୋତି ପ୍ରଥା କୋରାପୁଟ ଅଞ୍ଚଳରେ ସ୍ଵାଧୀନତା ପରେ ବି ଥଲା। ନବରଙ୍ଗପୁର ଅଞ୍ଚଳରେ ଗୋତି ଖଟୁଥିବା ସମସ୍ତ ଆଦିବାସୀଙ୍କୁ ବାଜି ଭାଇଙ୍କ ସମେତ ସର୍ବୋଦୟ କର୍ମୀମାନେ ଏକାଠି କରିଥିଲେ। ସେମାନଙ୍କୁ ଆଉ ଗୋତି ଖଟିବାକୁ ଛାଡ଼ି ନଥିଲେ। ସେମାନଙ୍କୁ ନିଜ ନିଜ ଘରେ ରଖି, ସେମାନଙ୍କୁ ଋଣ ଶୁଝିବା ଲାଗି ସାହୁକାରକୁ ଟଙ୍କା ଫେରାଇ ଗୋତି ବ୍ୟବସ୍ଥାରୁ ମୁକ୍ତ କରାଇଥିଲେ।

ଦୀର୍ଘ ବର୍ଷ ମଧ୍ୟରେ ଦେଶର ଦାରିଦ୍ର୍ୟ ସଂପୂର୍ଣ୍ଣ ଦୂରୀଭୂତ ହୋଇପାରିଲା ନାହିଁ। ଦେଶରେ ସରକାର ଦରିଦ୍ରତା କମିଗଲା ବୋଲି କହୁଥିଲା ବେଳେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୧ କୋଟି ୩୫ ଲକ୍ଷ ଲୋକଙ୍କୁ ମାସିକ ମୁଣ୍ଡ ପିଛା ୫ କିଗ୍ରା ମାଗଣା ଖାଦ୍ୟଶସ୍ୟ ଦିଆଯାଉଛି। ଅର୍ଥାତ ସମୁଦାୟ ଜନସଂଖ୍ୟାର ୫୭ ଭାଗ ଲୋକ ଦାରିଦ୍ର୍ୟ ମଧ୍ୟରେ ରହିଛନ୍ତି। ଦେଶରେ ଦାରିଦ୍ର୍ୟ ନେଇ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ବା ବିଶ୍ଵ କ୍ଷୁଧା ସୂଚକାଙ୍କରେ ଭାରତ ୧୭୭ଟି ଦେଶ ମଧ୍ୟରୁ ୧୦୫ତମ ସ୍ଥାନରେ ରହି ଅତି କ୍ଷୁଧାତୁର ଦେଶର ଆଖ୍ୟା ଅର୍ଜନ କରିଛି। ଏପରିକି ପଡ଼ୋଶୀ ବଙ୍ଗଳାଦେଶ, ନେପାଳ ଓ ଶ୍ରୀଲଙ୍କା ପରି ଦେଶ ଭାରତ ଠାରୁ ଉଚ୍ଚରେ ଅଛନ୍ତି। ଦେଶରେ ଯଦି ଦରିଦ୍ରତା ଓ କ୍ଷୁଧା ରାଜୁତି କରୁଛି ତେବେ ଦେଶର ଯେତେ ଲକ୍ଷ କୋଟି ଅର୍ଥନୀତି ହେଉ ଅଥବା ଦେଶ ବିକଶିତ ବୋଲି ଘୋଷଣା କରୁ ସେଥିରେ କିଛି ବି ଯାଏ ଆସେ ନାହିଁ।

ସାମ୍ପ୍ରଦାୟିକ ହିଂସାରେ ବୃଦ୍ଧି

ଗାନ୍ଧୀଜୀ ଜୀବନକୁ ଏକ ଜୈବିକ ସମୁଦାୟ ଭାବରେ ଦେଖୁଥିଲେ। ଆଧ୍ୟାତ୍ମିକ, ନୈତିକ, ଅର୍ଥନୈତିକ, ରାଜନୈତିକ, ସାମାଜିକ, ବ୍ୟକ୍ତିଗତ ବା ସାମୂହିକ- ଏପରି ଅଲଗା ଅଲଗା ନିବୁଜ କ୍ଷେତ୍ରରେ ଜୀବନକୁ ନଦେଖି ଏହି ସମସ୍ତଙ୍କୁ ଗୋଟିଏ ମଣିଷ ଜୀବନର ଅଂଶ ବୋଲି ଦେଖିବା ଲାଗି ଗାନ୍ଧୀଜୀ କହୁଥିଲେ। (ଓଡ଼ିଶାରେ ସର୍ବୋଦୟ ଆନ୍ଦୋଳନ ପୁସ୍ତକ, ଲେଖକ: ଡ. ପ୍ରଶାନ୍ତ କୁମାର ପ୍ରଧାନ) ମହମ୍ମଦ ବାଜି ଏହାକୁ ଅବିକଳ ନିଜ ଜୀବନରେ ଉତାରିଥିଲେ। ବହୁତ ପ୍ରଭାବଶାଳୀ ଥିଲା ତାଙ୍କର ଧର୍ମନିରପେକ୍ଷ ବିଚାର। ତାଙ୍କ ଟେବୁଲ ଉପରେ ବାଇବେଲ, ଗୀତା ଓ କୋରାନ ଥିବା ଦେଖିଥିଲି। ଜାଣିଲି ଯେ ସେ ସବୁଦିନ ଏ ତିନି ଗ୍ରନ୍ଥକୁ ନିଶ୍ଚିତ ପଢୁଥିଲେ। କିନ୍ତୁ ତାଙ୍କ ଜୀବନରେ ଅତି ଦୁଃଖଦ ଘଟଣା ଘଟିଥିଲା।

୧୯୯୨ ମସିହାରେ ବାବରୀ ମସଜିଦ ଭଙ୍ଗା ଯିବା ପ୍ରତିବାଦରେ ଅଯୋଧ୍ୟାରେ ଗାନ୍ଧୀବାଦୀ ନେତୃବୃନ୍ଦ ଦ୍ଵାରା ଦିନିକିଆ ପ୍ରତୀକାତ୍ମକ ଧାରଣା ଦିଆଯାଇଥିଲା। ଏଥିଲାଗି ଜିଲ୍ଲାପାଲଙ୍କ ଅନୁମତି ମଧ୍ୟ ସେମାନେ ହାସଲ କରିଥିଲେ। କିନ୍ତୁ ହଠାତ କେତେକ ଉଗ୍ର ହିନ୍ଦୁ ସଂଗଠନର କର୍ମୀ ଅଯୋଧ୍ୟା ଠାରେ ସେମାନଙ୍କ ଧାରଣାସ୍ଥଳୀକୁ ଆସି ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣ ଅନ୍ୟମାନଙ୍କ ଉପରେ ଅଳ୍ପ ହୋଇଥିଲା। କିନ୍ତୁ ମହମ୍ମଦ ବାଜିଙ୍କ ଉପରେ ଆକ୍ରମଣ ସାଂଘାତିକ ଥିଲା। ମୁଣ୍ଡ ଫାଟିଗଲା। ସେଠାରେ ସେ ଅଚେତ ହୋଇଯାଇଥିଲେ। ଡାକ୍ତରଖାନାରେ ଆଠଟି ଷ୍ଟିଚ ପଡ଼ିଲା। କିଛି ଦିନ ପରେ ସେ କଟକ ଫେରିଥିଲେ। ତାଙ୍କ ପୁତୁରାଙ୍କ କହିବା ଅନୁସାରେ, ପରିବାର ଲୋକେ ବିଶ୍ଵାସ କରିନଥିଲେ ଯେ ସେମାନେ ପୁନର୍ବାର ତାଙ୍କ ଦାଦାଙ୍କୁ ଦେଖିପାରିବେ। ଏହି ଆକ୍ରମଣ ବିରୁଦ୍ଧରେ ପୋଲିସରେ ଏଫଆଇଆର ହୋଇଥିଲା। କିନ୍ତୁ କାର୍ଯ୍ୟନୁଷ୍ଠାନ ଶୁନ ଥିଲା। ଅଯୋଧ୍ୟାରେ ପ୍ରମୁଖ ଆକ୍ରାମଣକାରୀ ପରେ ସାଂସଦ ହୋଇଥିଲେ।

ଆଜି ଦେଶରେ ଯଦି କୌଣସି କ୍ଷେତ୍ରରେ ବୃଦ୍ଧି ହେଉଛି ତେବେ ତାହା ହେଲା ସାମ୍ପ୍ରଦାୟିକ ହିଂସା ଓ ଧର୍ମ ନାମରେ ଆକ୍ରମଣ। ଗଲା ବର୍ଷ (୨୦୨୩) ଠାରୁ ୮୪% ହିଂସା ଘଟଣା ୨୦୨୪ ମସିହାରେ ହୋଇଛି। ଏହା ଗଣତନ୍ତ୍ର ଲାଗି ଉତ୍ତମ ଲକ୍ଷଣ ନୁହେଁ। ଆଜି ବିକଶିତ ଭାରତ ସମ୍ପର୍କରେ ପ୍ରଚାର ହେବା ସମୟରେ ବାଜି ଭାଇଙ୍କ ସେହି ପାଞ୍ଚ ମୌଳିକ ଅଧିକାରର ଆଜି ବି ଲୋକଙ୍କ ପାଖରେ ନପହଞ୍ଚିବା ଅନେକ ବିରୋଧାଭାସ ସୃଷ୍ଟି କରୁଛି।

ମହମ୍ମଦ ବାଜି ୧୦୨ ବର୍ଷ ବୟସରେ ୨୦୧୯ ମସିହା ଜୁନ ୨୭ ତାରିଖରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଜୀବନ ଥିଲା ଏକ ବିପ୍ଳବୀ ପୁସ୍ତକ। ତାଙ୍କର ମତ ଥିଲା, ଗଣତନ୍ତ୍ର କହିଲେ ଦେଶର ସବୁଠାରୁ ଯେ ଗରିବ ସେ ଯେମିତି ଜାଣିବ ଯେ ସେ ସ୍ଵାଧୀନ ଦେଶର ଲୋକ। ଦେଶ ଆଜି ଯେଉଁ ଆଡ଼କୁ ଯାଉଛି ତାହା ଯେ ସଫଳ ହେଉଛି ତାହା ତାଙ୍କୁ ଅନୁଭବ ହେଉନଥିଲା। ତାଙ୍କର ବକ୍ତବ୍ୟ ଥିଲା, ‘ଗୋଟେ ବିପ୍ଲବ ନହେଲେ ଦୁନିଆରେ ପରିବର୍ତ୍ତନ ଆସିବ ନାହିଁ। ଗୋଟେ ବିପ୍ଲବ ହେଲେ ଦୁନିଆରେ ପରିବର୍ତ୍ତନ ଆସିବ। ସମସ୍ତେ ଆନ୍ଦୋଳନରେ ଯୋଗ ଦେଲେ ପରିବର୍ତ୍ତନ ଆସିବ।’ ସେ ସମାଜର ପରିବର୍ତ୍ତନ ଦିଗରେ ଆଶାବାଦୀ ଥିଲେ।

ମୋବାଇଲ- ୯୪୩୭୭୬୨୨୭୨

Odisha Mahatma Gandhi Freedom Fighter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe