Advertisment

ଫାଇବ୍‌-ଟି ହୋ! ‘ଛତା’ଟିଏ ଦରକାର!

ଏହି ଫାଇବ୍‌-ଟି ବା ୫-ଟି ଶବ୍ଦଟି କିଏ, କେବେ ଓ କାହିଁକି ଉଦ୍‌ଭାବନ କଲା ତାହା ମତେ ଜ୍ଞାତ ନୁହେଁ। ରାଜ୍ୟ ପ୍ରଶାସନର ସଂହିତା ବୁକ୍‌ ସର୍କୁଲାର, ପ୍ରଶାସନ ସଂହିତା ଏପରିକି ସଂବିଧାନ ଓ ରାଜ୍ୟରେ ପ୍ରଚଳିତ ସମସ୍ତ ବ୍ୟବସ୍ଥାକୁ ଇଂରେଜ ଶାସନ କାଳରୁ ଅବଧି ଅଣ୍ଡାଳି ଅଣ୍ଡାଳି ଏହାର ଯଥାର୍ଥତା, ଦାୟିତ୍ୱ, ଅଧିକାର ସଂପର୍କରେ ସୂଚ୍ୟାଗ୍ରେ ସନ୍ଧାନ ପାଇଲି ନାହିଁ। ତେବେ ପ୍ରତ୍ୟେହ ଏହାର ପରିସରର ବ୍ୟାପକତା ଦେଖିଦେଖି ଅନୁମାନ କରିନେଲି ଯେ ଏହା ଏକ ସର୍ବଶକ୍ତିମାନ ସର୍ବବିଦ୍ୟମାନ ସର୍ବୋଚ୍ଚତମ ସ୍ଥିତି ତାକୁ ଯାହା ମାଗିଲେ ତତ୍‌କ୍ଷଣାତ ପ୍ରାପ୍ତ ହୁଏ।

author-image
Debendra Prusty
Umbrellas In Use

Umbrellas In Use

ଏହି ଫାଇବ୍‌-ଟି ବା ୫-ଟି ଶବ୍ଦଟି କିଏ, କେବେ ଓ କାହିଁକି ଉଦ୍‌ଭାବନ କଲା ତାହା ମତେ ଜ୍ଞାତ ନୁହେଁ। ରାଜ୍ୟ ପ୍ରଶାସନର ସଂହିତା ବୁକ୍‌ ସର୍କୁଲାର, ପ୍ରଶାସନ ସଂହିତା ଏପରିକି ସଂବିଧାନ ଓ ରାଜ୍ୟରେ ପ୍ରଚଳିତ ସମସ୍ତ ବ୍ୟବସ୍ଥାକୁ ଇଂରେଜ ଶାସନ କାଳରୁ ଅବଧି ଅଣ୍ଡାଳି ଅଣ୍ଡାଳି ଏହାର ଯଥାର୍ଥତା, ଦାୟିତ୍ୱ, ଅଧିକାର ସଂପର୍କରେ ସୂଚ୍ୟାଗ୍ରେ ସନ୍ଧାନ ପାଇଲି ନାହିଁ। ତେବେ ପ୍ରତ୍ୟେହ ଏହାର ପରିସରର ବ୍ୟାପକତା ଦେଖିଦେଖି ଅନୁମାନ କରିନେଲି ଯେ ଏହା ଏକ ସର୍ବଶକ୍ତିମାନ ସର୍ବବିଦ୍ୟମାନ ସର୍ବୋଚ୍ଚତମ ସ୍ଥିତି ତାକୁ ଯାହା ମାଗିଲେ ତତ୍‌କ୍ଷଣାତ ପ୍ରାପ୍ତ ହୁଏ।

Advertisment

ଏଥିସହିତ ‘ଗୁହାରୀ’ ଶବ୍ଦଟିଏ ଯୋଡ଼ିବାର ଉଦ୍ଦେଶ୍ୟ ହେଲା, ଏହି ଶକ୍ତି ଲୋକ ପ୍ରତିନିଧି ନୁହଁନ୍ତି ଯାହାଙ୍କ ନିକଟରେ ଦାବି ଉଠାଯାଇଥାଏ। ଏହା ଗଣତାନ୍ତ୍ରିକ ବ୍ୟବସ୍ଥାର ଅଂଶବିଶେଷ ନହେଲେ ବି ସମସ୍ତ ଗଣତାନ୍ତ୍ରିକ ପ୍ରକ୍ରିୟାର ନିୟନ୍ତ୍ରଣକର୍ତ୍ତା। ସେ ଯେଉଁ ମୁଦ୍ରାରେ ‘ତଥାସ୍ତୁ’ କହି ଜନତାକୁ ଆଶ୍ୱାସନା ଦେଇଥାନ୍ତି ତାହା ନିଶ୍ଚୟ ମତେ ଏକା କାହିଁକି, ଅନେକଙ୍କୁ ଚମତ୍କୃତ କରିଥାଏ। ଏଣୁ ତାଙ୍କ ନିକଟରେ ‘ଗୁହାରୀ’ ଶବ୍ଦଟି ମୁଁ କୌଣସି ଐତିହାସିକ ତ୍ରୁଟି ବୋଲି କରିଥିବା ଭାବୁନାହିଁ। କେବଳ ଯାହା ‘ମଣିମା’ ଶବ୍ଦଟି ଯୋଡ଼ି ନାହିଁ।

ଓଡ଼ିଆ ଭାଷା ସାହିତ୍ୟ ହେଉ ବା ଇତିହାସ ହେଉ, ସବୁର ପୃଷ୍ଠା ଓଲଟାଇ ଦେଖିଲେ ଗୋଟିଏ କଥା ଆଦୌ ବୁଝାପଡ଼େ ନାହିଁ। ଏ କୁଆଡ଼େ ପ୍ରବଳ ପ୍ରତାପୀ ବୀର ଯୋଦ୍ଧା ଶ୍ରେଣୀର ଲୋକଙ୍କ ଭୂଖଣ୍ଡ ଥିଲା। ତେବେ ଅଧିକାଂଶ କାଳ କେବଳ ଏ ମାଟିର ସନ୍ତାନ-ଶାସକ ‘ସୂର୍ଯ୍ୟବଂଶୀ’ଙ୍କୁ ଛାଡ଼ିଦେଲେ ଆଉ ପ୍ରାୟ ସମସ୍ତ ଓଡ଼ିଶା ବାହାରର ଶାସକ ଦକ୍ଷିଣରୁ ଆସିଥିବା ଗଂଗବଂଶୀ ବା ଉତ୍ତରରୁ ଆସିଥିବା କେଶରୀ ବଂଶ ବା ଚେଦୀବଂଶର ଶାସନାଧୀନ ଥିଲା, ଅବା ମୋଗଲ, ମରହଟ୍ଟା, ଇଂରେଜଙ୍କ ଅଧୀନରେ ଥିଲା। ସେହିସବୁ ଦେଖି ଦେଖି ବର୍ତ୍ତମାନ ‘ଫାଇବ୍‌-ଟି’ଙ୍କ କାର୍ଯ୍ୟ ଦେଖିବାରେ ଅନ୍ତତଃ ମୋର କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ।

Advertisment

କେବଳ ଯାହା ଏଠାରେ ‘ଗୁହାରୀ’ ଶବ୍ଦ ବ୍ୟବହାର କରିବା ସମୟରେ ‘ମଣିମା’ ଶବ୍ଦଟି ଉହ୍ୟ ରଖିବାକୁ ବାଧ୍ୟ ହୋଇଛି। କାରଣ ଏହି ଶବ୍ଦଟି ଚତୁର ଓଡ଼ିଆଏ ନିଜର ଦୁର୍ବଳତାକୁ ହୁଏତ ଘୋଡ଼ାଇବାକୁ ଯାଇ ଜଗନ୍ନାଥଙ୍କୁ ସାମନ୍ତ ବା ରାଜା ଭାବେ ଛିଡ଼ା କରାଇ ତାଙ୍କ ପାଖରେ ହିଁ କେବଳ ‘ମଣିମା’ ଶବ୍ଦ ଯୋଡ଼ି ଦେଇଥିଲେ। ନିଜକୁ ଗରିବ କହି ‘ମଣିମା’ଙ୍କ ଆଗରେ ସକଳ ଦୁଃଖ ପସରା ଖୋଲି ଦେଇଥିଲେ। ଡାକୁଥିଲେ ମଣିମା ମଣିମା ହେଉ ଗରିବ ଡାକ। ହେଲେ ଏବେ ମୁଁ ଉଚିତ ମନେ କରେ ଯେ ‘ମଣିମା’ ଶବ୍ଦଟିକୁ ଉହ୍ୟ ରଖି ସମସ୍ତ ଗୁହାରୀ ‘ଫାଇବ୍‌-ଟି’ ପାଖରେ ଅଜାଡ଼ି ଦେବି।

ଏହାର ପ୍ରଥମ ଅର୍ଘ୍ୟ ହେଉଛି ‘ଛତାଟିଏ ମାଗୁଣି’। ଅସହ୍ୟ ତାତି, ସୂର୍ଯ୍ୟ ଉତ୍ତାପରେ ସାରା ରାଜ୍ୟର ଲୋକେ ବର୍ଷକରେ ପାଞ୍ଚମାସ ହନ୍ତସନ୍ତ ହେଉଛନ୍ତି। ଗଛ ଜଙ୍ଗଲ ଘେରା ବାରିପଦା ହେଉ ଅବା ଫୁଲବାଣୀ ବୌଦ୍ଧ ହେଉ ଅଥବା କୋଠାବାଡ଼ି ଘେରା କଟକ, ଭୁବନେଶ୍ୱର ହେଉ, ସର୍ବତ୍ର ତାପମାତ୍ରା ୪୦ ଡିଗ୍ରୀରୁ ଟପି ମୂଲିଆର ମୂଲ ବନ୍ଦ କରିଦେଇଛି। ପିଲାଙ୍କର ପାଠପଢ଼ା ବନ୍ଦ ହେଉଛି, ସବୁଥିରେ ବାଧା ସୃଷ୍ଟି ହେଉଛି। ବର୍ଷକରେ ଆହୁରି ତିନିମାସ ବର୍ଷାର ପ୍ରାଦୁର୍ଭାବ।

ଇତିହାସ କହେ ଆଗେ ବର୍ଷା ଏକାଧାରରେ ମୌସୁମୀ ଓ ଅଣମୌସୁମୀ ଭାବେ ଆସୁଥିଲା। ଖରାର ତାତି ଏତେ ନଥିଲା। ଏବେ କିନ୍ତୁ ସବୁ ବିପରୀତ। ଏ ସମସ୍ତ ‘ମୟୂର ଚନ୍ଦ୍ରିକା’ର କାରଣ ହେଉଛି ବର୍ଷତମାମ ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ମୁଣ୍ଡ ଢାଙ୍କିବା ଅବା ଦେହ ଢାଙ୍କିବାର ଜରୁରୀ ଆବଶ୍ୟକତା ଦେଖାଦେଇଛି। ପୂର୍ବେ ଏଇ ଆବଶ୍ୟକତା ତାଳପତ୍ରରେ ତିଆରି ପଖିଆ, ଝାଙ୍କି, ମୂମି(ମୁଣ୍ଡର ଟୋପି) ଗାଁରେ ତିଆରି ହୋଇ ବ୍ୟବହୃତ ହେଉଥିଲା ଗାଁ ଲୋକଙ୍କୁ ରକ୍ଷା ଦେବାକୁ। ଅଧିକନ୍ତୁ ଯୋଗୀ, ଚକୁଳିଆ ପଣ୍ଡା ଖରାରେ ବୁଲିବାବେଳେ ଏହି ଛତା ଧାରଣ କରୁଥିଲେ। ‘ଛତା’ର ଇତିହାସ ସଂସ୍କୃତି ସହିତ ସଂପର୍କ ବହୁ ପ୍ରାଚୀନ। ପିପିଲିର ‘ଛତ୍ର’ ଛତ୍ରୀ ରୂପାନ୍ତରିତ ଗୋଟିଏ ଗୋଟିଏ ବ୍ୟବହାର୍ଯ୍ୟ ବସ୍ତୁ। ଅବଶ୍ୟ ଏହା ଦେବକାର୍ଯ୍ୟରେ ଲାଗିଥାଏ।

ପରେ ତାଳପତ୍ର ତିଆରି ଛତା, ପଖିଆ ଆସ୍ତେ ଆସ୍ତେ ଲୋପ ପାଇ ତା’ ସ୍ଥାନରେ ‘ଛତା’ ଓ ବର୍ଷାତି ଆବଶ୍ୟକତା ପୂରଣ କଲା। ବର୍ଷା ଦିନେ ବର୍ଷାତି ଦେହକୁ ରକ୍ଷା କରିବ ସିନା, ଖରାଦିନେ ତାତିରେ ମଣିଷକୁ ସିଝାଇ ଦେବ। ଏଣୁ ସବୁ ସୂତ୍ରରୁ ଆବଶ୍ୟକତା ‘ଛତା’। ବର୍ଷା ଓ ଖରା ଉଭୟରୁ ରକ୍ଷା କବଚ ବା ଢାଲ ପରି କାମ ଦେଇଥାଏ।

ଏ ରାଜ୍ୟର ଦୁର୍ଭାଗ୍ୟ ହେଉଛି ‘ଛତା’ ତିଆରି ବ୍ୟବସ୍ଥା। ଏଠି ଆଦୌ ନାହିଁ କହିଲେ ଚଳେ। ବଜାରରେ ମିଳୁଥିବା କଳାକନା ବା ରଙ୍ଗ ବେରଙ୍ଗୀର ସମସ୍ତ ଛତା, ଓଡ଼ିଶା ବାହାରୁ ଆସି ବିକ୍ରି ହୋଇଯାଏ। ଏସବୁ ଭିତରେ ବଙ୍ଗଳା ବା କଲିକତାର ‘ପାଲ’ ‘ଛତା’ର ଆଦର ବେଶୀ। ଆଗେ ବାଉଁଶ ବା ବେତ ବେଣ୍ଟ ବଦଳରେ ଏବେ ‘କାରଖାନା ପ୍ରସ୍ତୁତ ଷ୍ଟିଲ ବେଣ୍ଟରେ ଛତା ତିଆରି ହେଉଛି।

ରାଜ୍ୟବାସୀଙ୍କର ଏହି ଚରମ ଆବଶ୍ୟକତା ‘ଛତା’ ଏକ ଗ୍ରାମୀଣ ଶିଳ୍ପ କହିଲେ ଅତ୍ୟୁକ୍ତି ହେବନାହିଁ। ଅର୍ଥାତ୍‌ ଗାଁରେ ବେଣ୍ଟ, କନା ଯୋଗାଇଦେଲେ ଗାଁର ମହିଳାମାନେ ମଧ୍ୟ ଖୁବ୍‌ ଭଲ ଛତା ଅଳ୍ପ ପ୍ରଶିକ୍ଷଣରେ ତିଆରି କରି ଯୋଗାଇ ଦେଇପାରିବେ। ଦି ପଇସା ରୋଜଗାର କରିବେ। ଆମ ରାଜ୍ୟର ପଇସା ଆମ ରାଜ୍ୟରେ ରହିବ। ଲୋକଙ୍କୁ ରୋଜଗାର ମିଳିବ।

ଏବେତ ରାଜ୍ୟରେ ମହିଳା ସଶକ୍ତିକରଣ ନାମରେ ଅନେକ ବ୍ୟୟବରାଦ ହେଉଛି। ସେହି ଅର୍ଥରୁ ଗୋଟିଏ କ୍ଷୁଦ୍ରଅଂଶ ଏହି ଛତା ତିଆରି ପ୍ରକଳ୍ପରେ ଲାଗିଲେ କେତେ ଉପକାର ହୁଅନ୍ତା। ଏହାର ଗୋଟିଏ ବ୍ରାଣ୍ଡ ନାମ ମଧ୍ୟ ରଖୁଛି। ‘ମା’ ରଖାଯାଇପାରେ। ମା’ ଯେପରି ସମସ୍ତଙ୍କ ମୁଣ୍ଡକୁ ପଣତକାନିରେ ଘୋଡ଼ାଇ ରଖେ, ସେହିଭଳି ଏହି ଛତା ଘୋଡ଼େଇ ରଖିଥାଏ। ଆଉ ଅନ୍ୟ କିଛି ବିକଳ୍ପ ବ୍ରାଣ୍ଡ ନାମ ‘ବିଜୟାନନ୍ଦ’ ବା ନବୀନ (ନୂତନ) ଦେଲେ ଅନ୍ତତଃ ବଜାରରେ ହଠାତ୍‌ ଦାବୀ ବଢ଼ିଯାଆନ୍ତା। ବଜାରରେ ଚଳିଲାଭଳି ଗୋଟିଏ ଭଲ ବ୍ରାଣ୍ଡ ନାମ ଓ ନିଜ ରାଜ୍ୟର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଛତା ଅବା ଉନ୍ନତମାନର ପଖିଆ (ଆଧୁନିକ ଜ୍ଞାନ କୌଶଳରେ ପ୍ରସ୍ତୁତ) ଯେତେଶୀଘ୍ର ଚାଲିବ ରୋଜଗାର ଗୋଟିଏ ବଡ଼ ମାଧ୍ୟମ ସୃଷ୍ଟି ହୁଅନ୍ତା। ଆମ ରାଜ୍ୟର ଅର୍ଥ ମାନ୍ଦ୍ରାଜ ବା କଲିକତା ଯା’ନ୍ତା ନାହିଁ। ଏହିସବୁ ପ୍ରସ୍ତୁତ କାରୀ ବ୍ୟବସ୍ଥା ଯେକୌଣସି ବଡ଼ ଷ୍ଟିଲ୍‌ ପ୍ଲାଣ୍ଟର ପ୍ରଦତ୍ତ ଉପକାରଠାରୁ ଯଥେଷ୍ଟ ଲାଭପ୍ରଦ ଓ ଜନତାର ସଂପୃକ୍ତି ସ୍ୱୀକାର କରେ। ଷ୍ଟିଲ୍‌ପ୍ଲାଣ୍ଟ କେବଳ ସେହିମାନଙ୍କର ଲାଭ କରିଥାଏ ଯେଉଁମାନେ ଏ ରାଜ୍ୟର ସଂପତ୍ତିକୁ ନେଇ ବିଦେଶରେ ବେପାର ଚଳାଇଛନ୍ତି। ସାଧାରଣ ଜନତାର ନୁହେଁ, ଆଦୌ ନୁହେଁ ବୋଲି କହୁନାହିଁ। ମାତ୍ର କାଣିଚାଏ ତାଙ୍କ ନିକଟରେ ପହଂଚିଥାଏ।

ପ୍ରତି ଗାଁରେ ନ ହେଲେ ହାଟପାଳିରେ ଛତା ମରାମତି ବାଲାଙ୍କର ଦି ପଇସା ରୋଜଗାର ବି ହୁଅନ୍ତା। ‘ଗୁହାରୀ ଶୁଣିମା ହେଉ’ ରାଜ୍ୟର ଆବଶ୍ୟକତା ପୂରଣ ପାଇଁ ଗାଁ ମହିଳାଙ୍କ ଦ୍ୱାରା ଛତା ପ୍ରସ୍ତୁତ ହୋଇ ରାଜ୍ୟରେ ଚାଲୁ। ଉନ୍ନତମାନର ହେଲେ ଦେଶରେ, ବିଦେଶରେ ବି ଚାଲିବ।

ପଞ୍ଚାନନ କାନୁନଗୋ

ଫୋ- ୯୪୩୮୩୬୦୮୪୯

Odisha 5T Mission Shakti Odisha Shg Umbrella