ବିପତ୍ତି ସମୟରେ ୭ ସଚିବ ଛୁଟିରେ

ରବି ଦାସ

ଓଡ଼ିଶାରେ ଶାସନର ଏକ ବିଚିତ୍ର ଧାରା ପରଲକ୍ଷିତ ହୋଇଛି। ବନ୍ୟା ବିପତ୍ତି ବୃଦ୍ଧି ପାଉଥିବା ସମୟରେ ଜଳସଂପଦ ସଚିବ ଛୁଟିରେ ରହିବା ଓ ତାଙ୍କର ଛୁଟି ବାତିଲ ନହେବା ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ଅବଶ୍ୟ କେବଳ ଜଳସଂପଦ ସଚିବ ନୁହଁନ୍ତି, ଘରୋଇ ବିଭାଗ ସହିତ ଗୁରୁତ୍ୱପୂର୍ଣ୍ଣ ୭ଟି ବିଭାଗରେ ସଚିବମାନେ ଏବେ ଛୁଟିରେ ଅଛନ୍ତି। ବନ୍ୟା ବିପତ୍ତିକୁ ଦେଖି ଖୋଦ୍ ମୁଖ୍ୟମନ୍ତ୍ରୀ ଯେତେବେଳେ ଜିଲାପାଳମାନଙ୍କ ସହିତ ସମୀକ୍ଷା କରି ନିର୍ଦ୍ଦେଶନାମା ଜାରି କଲେ ସେତେବେଳେ କୁହାଗଲା ଯେ, ବନ୍ୟା ଆଶଙ୍କା ଥିବା ଜିଲାଗୁଡ଼ିକର କର୍ମଚାରୀମାନଙ୍କର ଛୁଟି ବାତିଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅର୍ଥାତ୍ ଏହି ସମୟରେ ସପ୍ତାହକାଳ କୌଣସି କର୍ମଚାରୀ ଛୁଟିରେ ଯାଇପାରିବେ ନାହିଁ ବୋଲି ଖୋଦ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

କିନ୍ତୁ ଆଶ୍ଚର୍ଯ୍ୟର କଥା ପ୍ରଶାସନର ନିମ୍ନ ଅଫିସର ଓ କର୍ମଚାରୀମାନଙ୍କର ଛୁଟି ବାତିଲ ହେଉଥିବା ସମୟରେ ଖୋଦ୍ ଜଳସଂପଦ ସଚିବ ଛୁଟିରେ ଥିବା ମୁଖ୍ୟମନ୍ତ୍ରୀ ନିଶ୍ଚିତ ଜାଣିଥିବେ। ତାଙ୍କ ଛୁଟି କିପରି ବାତିଲ ହେଲା ନାହିଁ? କେବଳ ଜଳସଂପଦ ବିଭାଗ ନୁହେଁ, ରାଜ୍ୟରେ ଘରୋଇ ବିଭାଗ ସହିତ ପ୍ରାୟ ୭ଟି ବିଭାଗରେ ସଚିବମାନେ ଗାଏବ ହୋଇଯାଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜସ୍ୱ ବିଭାଗ ସହିତ ଘରୋଇ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। କାରଣ ଏହି ସମୟରେ ଆଇନଶୃଙ୍ଖଳା ବ୍ୟାହତ ହେବା ଏବଂ ସମସ୍ତ ସରକାରୀ କାର୍ଯ୍ୟକୁ ଶୃଙ୍ଖଳିତ ଢ଼ଙ୍ଗରେ କରିବା ପାଇଁ ପୋଲିସ ପ୍ରଶାସନର ଗୁଇନ୍ଦାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଏହା ଅବଶ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ, ରାଜ୍ୟର ମୁଖ୍ୟ ଶାସନ ସଚିବ ଥିବା ସୁରେଶ ଚନ୍ଦ୍ର ମହାପାତ୍ର ଓ ଏସ୍‌ଆରସି ପ୍ରଦୀପ ଜେନା ଦୀର୍ଘକାଳ ଧରି ଜଳସଂପଦ ବିଭାଗର ସଚିବ ଥିଲେ। ତେଣୁ ସେମାନଙ୍କର ଅଭିଜ୍ଞତା ଭିତ୍ତିରେ ଜଳସଂପଦ ବିଭାଗର ଇଂଜିନିୟର ଓ ହୀରାକୁଦର ଦାୟିତ୍ୱରେ ଥିବା ଇଂଜିନିୟର ଅଧିକାରୀମାନଙ୍କ ସହାୟତାରେ ସେମାନେ ବନ୍ୟା ପରିଚାଳନାକୁ ସଠିକ ଭାବେ କରିଛନ୍ତି ବୋଲି ପ୍ରଚାର କରାଯାଇପାରିବ। କିନ୍ତୁ ଜଳସଂପଦ ବିଭାଗ ସଚିବ ଓ ଘରୋଇ ସଚିବ ଏହି ପ୍ରାକୃତିକ ବିପତ୍ତି ସମୟରେ ଅନୁପସ୍ଥିତି ରହିବା ଓଡ଼ିଶାର ପ୍ରଶାସନିକ ଦୁର୍ବଳତାକୁ ପଦାରେ ପକାଇଛି।

ଏଠାରେ ସ୍ମରଣ କରାଯାଇପାରେ ଯେ, ୧୯୯୯ ମହାବାତ୍ୟା ସମୟରେ ଓଡ଼ିଶା ଛିନ୍ନଛତ୍ର ହୋଇ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଓ ଜନଜୀବନ କ୍ଷତିଗ୍ରସ୍ତ ହୋଇପଡ଼ିଥିଲା। ସେତେବେଳେ ରାଜ୍ୟର ମୁଖ୍ୟ ଶାସନ ସଚିବ ଥିବା ସ୍ୱର୍ଗତଃ ସୁଧାଂଶୁ ଭୂଷଣ ମିଶ୍ର ନିଜ କନ୍ୟାଙ୍କର ଆମେରିକାରେ ସନ୍ତାନ ପ୍ରସବ ହେବାକୁ ଲକ୍ଷ୍ୟ କରି ଏକ ଆଗୁଆ ଛୁଟି ଦରଖାସ୍ତ କରିଥିଲେ। ସାଧାରଣତଃ ଓଡ଼ିଶାରେ ସେତେବେଳେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ସେତେବେଳେ ସୁଧାଂଶୁ ମିଶ୍ରଙ୍କ ଭଳି ଜଣେ ଅଭିଜ୍ଞ ପ୍ରଶାସକଙ୍କୁ ଛୁଟିରେ ଯିବା ପାଇଁ ବାରଣ କରାଯିବା କଥା। କିନ୍ତୁ ତାହା ହେଲା ନାହିଁ। ଓଡ଼ିଶା ସଂପୂର୍ଣ୍ଣ ନଷ୍ଟଭ୍ରଷ୍ଟ ହୋଇଯାଇଥିବା ସମୟରେ ଓ ସାରା ରାଜ୍ୟ ରିଲିଫ ଓ ସହାୟତା ପାଇଁ ହାହାକାର ହେଉଥିବା ସମୟରେ ସୁଧାଂଶୁ ମିଶ୍ରଙ୍କୁ ଛୁଟିରେ ଯିବା ପାଇଁ ଅନୁମତି ଦିଆଗଲା। ଯଦିଓ ସେହି ସମୟରେ ପ୍ରାୟ ଅଧିକାଂଶ ଲୋକ ଏପରିକି ସରକାରୀ ଅଫିସରମାନଙ୍କର ପରିବାରବର୍ଗ ଘୋର ଅସୁବିଧାରେ ଥିଲେ ମଧ୍ୟ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିଲା। କିନ୍ତୁ ସୁଧାଂଶୁ ମିଶ୍ର ଛୁଟିରେ ଚାଲିଯିବାର ପ୍ରଭାବ ସାରା ପ୍ରଶାସନ ଉପରେ ଅନୁଭୂତ ହୋଇଥିଲା। ଫଳରେ ସେହି ସମୟରେ ଲୋକମାନଙ୍କୁ ଥଇଥାନ ଓ ରିଲିଫ ପରିଚାଳନାରେ ଗୁରୁତର ବିଶୃଙ୍ଖଳା ଓ ଦୁର୍ନୀତି ଯୋଗୁ କଂଗ୍ରେସ ସରକାର ପୂରା ମାତ୍ରାରେ ବଦନାମ ହୋଇଯାଇଥିଲା। ଏବେ ହୁଏତ ସେପରି ଅବସ୍ଥା ହୋଇନାହିଁ। କିନ୍ତୁ ପ୍ରଶାସନର ଉଚ୍ଚସ୍ତରରେ ଥିବା ଲୋକମାନଙ୍କର ଦାୟିତ୍ୱହୀନ ଆଚରଣ ଓ ସେଥିପ୍ରତି ରାଜନୈତିକ କର୍ତ୍ତୃପକ୍ଷଙ୍କର ସହନଶୀଳତା ପ୍ରଶାସନକୁ କେତେ ଖରାପ କରିଦିଏ ତାହା ବୁଝିବା ଆବଶ୍ୟକ।

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ଲୋକପ୍ରିୟତା ସତ୍ତ୍ୱେ ରାଜ୍ୟ ଶାସନରେ ଏପରି କିଛି କାର୍ଯ୍ୟ ହେଉଛି ଯାହାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉତ୍‌ଥାପିତ ହେଉଛି। ଉଦାହରଣ ସ୍ୱରୂପ ମୁଖ୍ୟମନ୍ତ୍ରୀ ଯେତେବେଳେ ବି ଘରେ ରହି ସରକାରୀ ଅଧିକାରୀମାନଙ୍କ ସହିତ ବା ଏପରିକି ମନ୍ତ୍ରୀଙ୍କ ସଦସ୍ୟଙ୍କ ସହିତ ଭର୍ଚୁଆଲରେ ଆଲୋଚନା କରୁଛନ୍ତି ତାହାର ଟେଲିଭିଜନ ଜରିଆରେ ଫଟୋ ମଧ୍ୟ ପ୍ରଦର୍ଶିତ ହେଉଛି। ସରକାରଙ୍କ ପକ୍ଷରୁ ଏହି ଭିଡିଓ କରାଯାଇ ଗଣମାଧ୍ୟମକୁ ଦିଆଯାଉଛି। କିନ୍ତୁ ପ୍ରତ୍ୟେକ ଫଟୋରେ ଦେଖାଯାଉଛି ଯେ, ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସମୟରେ ବା ନିର୍ଦ୍ଦେଶ ଦେବା ସମୟରେ ତାଙ୍କର ସଚିବ ଭି.କେ. ପାଣ୍ଡିଆନ ନିଶ୍ଚିତ ପ୍ରଦର୍ଶିତ ହେଉଛନ୍ତି। ଭି.କେ. ପାଣ୍ଡିଆନ ଯେ ମୁଖ୍ୟମନ୍ତ୍ରୀଙ୍କର ବିଶ୍ୱସ୍ତ ଓ ଦକ୍ଷ ଅଫିସର ଏଥିରେ କୌଣସି ପ୍ରଶ୍ନ ଉଠାଇବାର ଆବଶ୍ୟକତା ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବରେ ତାଙ୍କର ବକ୍ତବ୍ୟକୁ ହିଁ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଭାବରେ ଗ୍ରହଣ କରିବାରେ ଦ୍ୱନ୍ଦ୍ୱ ହେବାର କୌଣସି କାରଣ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ସମସ୍ତ ଆବିର୍ଭାବ ଓ ଅନ୍ୟ ଅଫିସରମାନଙ୍କ ସହିତ ଆଲୋଚନା ବା ରାଜନୈତିକ ବ୍ୟକ୍ତିମାନଙ୍କ ସହିତ ସମୀକ୍ଷା ସମୟରେ ପାଣ୍ଡିଆନ ଉପସ୍ଥିତ ରହିବାକୁ କେହି ବିରୋଧ ନକଲେ ମଧ୍ୟ ଏହାକୁ ସର୍ବସାଧାରଣରେ ଟେଲିଭିଜନ ମାଧ୍ୟମରେ ଯେପରି ପ୍ରକାଶ କରାଯାଉଛି ସେଥିରେ ସରକାରଙ୍କ ଭାବମୂର୍ତ୍ତି ବଢ଼ୁନାହିଁ। ଏହା ମଧ୍ୟ ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ଭିତରେ ଯେଉଁ ଅସନ୍ତୋଷ ସୃଷ୍ଟି କରୁଛି ସେଥିରେ ସେମାନଙ୍କର ରାଜ୍ୟ ଶାସନ ପ୍ରତି ଅଙ୍ଗୀକାରବଦ୍ଧତା ଦୁର୍ବଳ ହେବାରେ ଲାଗିଛି। ଏହାକୁ ପ୍ରମାଣ କରିବା କଷ୍ଟସାଧ୍ୟ ହେଲେ ମଧ୍ୟ ଏକ ସମୟରେ ୭ ଜଣ ସଚିବ ଛୁଟିରେ ରହିବା ଓ ବିଶେଷ ଭାବରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ସମୟରେ ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏହି ଘଟଣାରେ ସଚିବମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବରେ ଆଲୋଚନା କରିବାର ଆବଶ୍ୟକତା ରହିଛି।

ଓଡ଼ିଶାରେ ଗଣମାଧ୍ୟମକୁ ସଚିବାଳୟ, ବିଧାନସଭା ଓ ବହୁ ସରକାରୀ କାର୍ଯ୍ୟକ୍ରମରେ ଯେପରି ଦୂରେଇ ରଖାଯାଇଛି ସେଥିରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସରକାରୀ ପକ୍ଷରୁ କ’ଣ ସବୁ ଘଟୁଛି ତାହାର ତଥ୍ୟ ସଂଗ୍ରହ କରିପାରୁନାହାନ୍ତି। ଏପରିକି ସରକାରଙ୍କ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଉଛି ତାହାକୁ ଯାଂଚ କରିବାର ଓ ପ୍ରକୃତ ସତ୍ୟାସତ୍ୟ ଜାଣିବାର ଅବକାଶ ଗଣମାଧ୍ୟମ ପାଖରେ ରହୁନାହିଁ। ପୂର୍ବରୁ ଗଣମାଧ୍ୟମଗୁଡ଼ିକର ସଚିବାଳୟକୁ ଯିବାରେ ବିଶେଷ ପ୍ରତିବନ୍ଧକ ନଥିବା ସମୟରେ ଏବେ ପ୍ରତିବନ୍ଧକକୁ ଅତି କଡ଼ା କରାଯାଇଛି। ସରକାରୀ ଅଧିକାରୀମାନଙ୍କ ସହିତ ଏପରିକି ମନ୍ତ୍ରୀମାନଙ୍କ ସହିତ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଅନୌପଚାରିକ କଥାବାର୍ତ୍ତା ବା ଆଲୋଚନା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ସରକାରୀ କଳରେ ପ୍ରକୃତରେ କ’ଣ ହେଉଛି ସେ ସବୁ ବିଷୟରେ ଗଣମାଧ୍ୟମ ଖବର ମଧ୍ୟ ପାଉନାହିଁ। ଉଚ୍ଚ ସ୍ତରରେ ଏହି ମନୋଭାବ ଯୋଗୁ ଜିଲା ସ୍ତରରେ ମଧ୍ୟ ଗଣମାଧ୍ୟମଠାରୁ ଦୂରରେ ରହିବା ନିଷ୍ପତି ଅଧିକାଂଶ ଅଧିକାରୀ କାର୍ଯ୍ୟକାରୀ କରୁଛନ୍ତି। ବିଧାୟକମାନଙ୍କର ଅନେକ ପ୍ରଶ୍ନର ଉତ୍ତର ବିଧାନସଭାରେ ଦିଆନଯାଇ ତଥ୍ୟ ସଂଗ୍ରହ କରାଯାଉଥିବା କୁହାଯାଉଛି। ଏପରିକି ସୂଚନା ଅଧିକାର ଆଇନ ବଳରେ ତଥ୍ୟସବୁ ଲୁଚେଇବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏଣୁ ଏବେ ଏକ ସମୟ ଆସିଛି ରାଜ୍ୟ ଶାସନକୁ ସ୍ୱଚ୍ଛ କରିବା ପାଇଁ ଶାସନ ଢଙ୍ଗରେ ପରିବର୍ତ୍ତନ ହେବା ଦରକାର। ଏପରିକି ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାର ଖୋଲିବା ପାଇଁ ବହୁଦିନର ଦାବି ସତ୍ତ୍ୱେ ସରକାର ତାହାକୁ ଏଡ଼ାଇଯିବା ରାଜ୍ୟରେ ସ୍ୱଚ୍ଛତାହୀନତାର ଏକ ବଳିଷ୍ଠ ନମୁନା।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।