ଗାମୁଛା ବଜାରରେ ନିଆଁ !

ମନେ କରନ୍ତୁ, ସବୁ ବ୍ୟାଚଲର ଟୋକା କବିର ସିଂହ ଷ୍ଟାଇଲ୍‌ରେ ଦାଢି ଛାଡିବେ ! ମୁଣ୍ଡ ବାଳ ବରଗଛ ଓହଳ ପରି ତଳକୁ ଝୁଲେଇବେ ! ଯେମିତି ବାଳକୁ ମୁଠେଇ ଚାରି ପାଞ୍ଚ ସାନ ପିଲା ଦୋଳି ଖେଳିପାରିବେ। ଥରେ ମନ ଭିତରେ ଏମିତି ଗୋଟାଏ କାଳ୍ପନିକ ଛବି ଆଙ୍କି ଦେଖନ୍ତୁ। ସେତେବେଳକୁ କ’ଣ ହେଇପାରେ ଏ ଦେଶରେ ସେଲୁନ ବାଲାଙ୍କ ଅବସ୍ଥା ? ଆମେ ଏବେ ଭାବୁଥିବା ଏତକ କଥା ବି ଯଦି କେହି ଲିକ୍‌ […]

ggg

Puspanjali Panda
  • Published: Monday, 18 November 2019
  • , Updated: 18 November 2019, 05:28 PM IST

ମନେ କରନ୍ତୁ, ସବୁ ବ୍ୟାଚଲର ଟୋକା କବିର ସିଂହ ଷ୍ଟାଇଲ୍‌ରେ ଦାଢି ଛାଡିବେ ! ମୁଣ୍ଡ ବାଳ ବରଗଛ ଓହଳ ପରି ତଳକୁ ଝୁଲେଇବେ ! ଯେମିତି ବାଳକୁ ମୁଠେଇ ଚାରି ପାଞ୍ଚ ସାନ ପିଲା ଦୋଳି ଖେଳିପାରିବେ। ଥରେ ମନ ଭିତରେ ଏମିତି ଗୋଟାଏ କାଳ୍ପନିକ ଛବି ଆଙ୍କି ଦେଖନ୍ତୁ। ସେତେବେଳକୁ କ’ଣ ହେଇପାରେ ଏ ଦେଶରେ ସେଲୁନ ବାଲାଙ୍କ ଅବସ୍ଥା ? ଆମେ ଏବେ ଭାବୁଥିବା ଏତକ କଥା ବି ଯଦି କେହି ଲିକ୍‌ କରିଦିଏ, ସେଲୁନ ବ୍ୟବସାୟକୁ ବିପଦ ମାଡି ଆସୁଥିବା ଭାବି ଭୟରେ ସେମାନେ ଭାରତ ବନ୍ଦ ଡାକରା ଦେଇଦେବେ। ଅଚଳାବସ୍ଥା ସୃଷ୍ଟି କରିଦେବେ ରାଜ୍ୟ ରାଜ୍ୟରେ। ଟୋକା ନିୟମିତ ଦାଢ଼ି ଓ ମୁଣ୍ଡ ବାଳ କାଟିବା ପାଇଁ ଦୁଇ ଦଫା ଦାବି ଉପସ୍ଥାପନ କରିପାରନ୍ତି ସେଲୁନ୍‌ ବାଲା। ସେଲୁନ ବାଲାଙ୍କ ପରି ଏବେ ନୂଆ ପ୍ରକାର ବିପଦ ଓଡିଶାରେ ଗାମୁଛା ଓ ଗାମୁଛା ବ୍ୟବସାୟୀଙ୍କ ଆଡକୁ ମାଡି ଆସୁଛି। ଫାଇଲିନ୍‌, ଫନିଠାରୁ ଅଧିକ ବେଗରେ। ଏକଥା ଶୁଣି ପାଠକେ ଆଖି ଡୋଳା ବାହାରକୁ ଇଂଚେ କାଢ଼ି ଚମକି ପଡୁଥିବେ ନିହାତି। ଏକଥା ଅନେକାଂଶରେ ମିଛ ନୁହେଁ।

ଜଂଗଲରେ ବାଘ, ଭାଲୁ, ହରିଣ, ସମ୍ୱରଙ୍କ ପରି ଓଡିଶାରେ ଏବେ ଗାମୁଛା ବି ସୁରକ୍ଷିତ ନୁହେଁ। ଯେଉଁ ହାରରେ ରାଜ୍ୟରେ ସାମ୍ୱାଦିକ, ସାହିତ୍ୟିକ, ସମାଜସେବୀ, ପୂଜା କମିଟି ମୁଖିଆଙ୍କୁ ଅନାମଧେୟ ଅନୁଷ୍ଠାନଗୁଡିକ ମଂଚକୁ ଚଢେଇ ଗାମୁଛା ବାଂଟିବାକୁ ଗୋଟେ ଚମତ୍କାର ପ୍ରତିଯୋଗୀତା ଆରମ୍ଭ କରିଛନ୍ତି, ଆମ ଆଶଙ୍କା କିଛି ଅମୂଳକ ନୁହେଁ। କଟକ, ଭୁବନେଶ୍ୱର ଭଳି ଆଗୁଆ ସହର ଗୁଡିକରେ ୩୬୫ ଦିନରେ ୩୬୫ ଲକ୍ଷ ଥର ଗାମୁଛା ବଣ୍ଟା କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ଦେଖି ଏଭଳି ଆଶଙ୍କା କରାଯିବା ସ୍ୱଭାବିକ। ପରିସ୍ଥିତି ଏ ପ୍ରକାର ସ୍ତରରେ ଚଢିଲାଣି ଯେ ଲୋକେ ଗାମୁଛା, ମାନପତ୍ର, ପୁରସ୍କାର ପାଇଁ ଅନାମେଧ୍ୟୟ ଅନୁଷ୍ଠାନଗୁଡିକୁ ଅଗ୍ରୀମ ଟଙ୍କା ବି ଆଜିକାଲି ଦେବାନେବା ଆରମ୍ଭ କରିଦେଲେଣି। ଯୋଗ୍ୟତା ଓ କୃତିତ୍ୱକୁ ମାର୍‌ ଗୁଲି। ଫୋନ ପେ କି ପେଟିଏମ୍‌ରେ ଦିଆ ଦିଇ ହେଉଛନ୍ତି, ସେ ଖବର ନାହିଁ। କ୍ୟାସଲେସ୍‌ ଟ୍ରାନ୍‌ଜାକ୍ସନ ଭଲ ଯେ। ଯାହା ହୋଉ ଓଡିଶାର କିଛି ବୀର ମହାପୁରୁଷଙ୍କ ନାଁ ଯୋଡିଯାଡି ଅମୁକ ବୀର ସମ୍ମାନ, ସମୁକ ଶ୍ରେଷ୍ଠ ସମ୍ମାନ ବଣ୍ଟା କାର୍ଯ୍ୟକ୍ରମ ସଗୌରବେ ଆଗେଇ ଚାଲିଛି। ମଞ୍ଚ ଉପରେ ଏଇ ଦବା ନବାର ଫଟୋଟି ସୋସିଆଲ୍‌ ମିଡିଆରେ ଶେଆର୍‌ କରି ଲକ୍ଷେ ଲୋକଙ୍କ ଲାଇକ୍‌ କମେଣ୍ଟ୍‌ ମିଳିଗଲେ କୁଆଡେ ବେଲୁନି ପରି ଛାତିର ଆକାର ବି ଫୁଲିଯାଏ। ଏଥିରେ ଗୋଟିଏ ମଧୁର ଆନନ୍ଦ ଖୁନ୍ଦି ହେଇ ଥାଏ ବୋଲି ଭିତିରି ଖବର ମିଳିଛି।

ଏଇଠି ଆମ ପିଲା ବେଳ କଥା କୁହାଯାଇପାରେ। ଆମ ପିଲାବେଳେ କାର୍ତ୍ତିକ ପୁନେଇଁ ଭୋରୁ ଡଙ୍ଗା ଭସେଇବାକୁ ଯିବା ପାଇଁ ଭୋରୁ ଗାଧୋଇବା ଭାରି କଷ୍ଟକର ଥାଏ। ସେତେବେଳେ କୂଅ ପୋଖରୀର ପାଣି ବରଫ ପାଲଟିଯାଏ। କିନ୍ତୁ ଏବେ ଶୀତର ପ୍ରଭାବ ଯେଭଳି ଅଧାରୁ ଅଧା କମିଲାଣି। ଆମ ପର ପିଢ଼ିଙ୍କୁ ଶୀତ ବୋଲି କିଛି ଗୋଟାଏ ଜିନିଷ ଜଣେଇବାକୁ ଫ୍ରିଜ୍‌ ଖୋଲି ଶୀତର ଅନୁଭବ କରେଇବାକୁ ପଡିବ। ନତୁବା, କଳ୍ପନା ଛକରେ ଥିବା ରାଜ୍ୟ ସଂଗ୍ରହାଳୟରେ ସରକାରଙ୍କ ପକ୍ଷରୁ ଗୋଟିଏ ଘରେ କୁତ୍ରିମ କୁହୁଡି, କାକର, ଥଣ୍ଡାର ବ୍ୟବସ୍ଥା କରିବାକୁ ପଡିପାରେ। ଏବେ ଶୀତ ପରି ଗାମୁଛା ବି ସେ ଦଶା ଭୋଗିବାକୁ ଯାଉଛି। ବିଚରା ଗାମୁଛାକୁ ଏମିତି ବଣ୍ଟାବଣ୍ଟି କରିବା ଦ୍ୱାରା ବ୍ୟବସାୟୀମାନେ ସେହି ହାରରେ ବଜାରକୁ ଗାମୁଛା ଯୋଗାଇ ନପାରି ପିଆଜ ବ୍ୟବସାୟୀଙ୍କ ପରି ଦିନେ ହାତ ଟେକିଦେବେ। ଖବର କାଗଜରେ ହେଡିଂ ହେବ- ଗାମୁଛା ବଜାରରେ ନିଆଁ ! ଗାମୁଛା ବାଂଟିବା ପାଇଁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିପାରେ। ଏଭଳି ଦୁଃଖଦ ଅବସ୍ଥା ଓଡିଶା ଭୋଗିବା ପୂର୍ବରୁ ମିଉଜିଅମ୍‌ରେ ଓଡିଶାର ସବୁ ଭେରାଇଟିର ଗାମୁଛା ସାମ୍ପୁଲ ରଖିବାର ଯୋଜନା ସରକାର କରନ୍ତୁ।

ଚିଲିକାର ପକ୍ଷୀ ଗଣି ହେବ, କିନ୍ତୁ ଗାମୁଛା ବାଣ୍ଟୁଥିବା ଅନାମଧେୟ ଅନୁଷ୍ଠାନର ସଂଖ୍ୟା ଗଣିବା ପିଲା ଖେଳ ନୁହେଁ। ଏ ବଣ୍ଟାବଣ୍ଟି ପ୍ରତିଯୋଗୀତା ଦେଖି ଗୋଟିଏ କଥା ଭାବିବାକୁ ବାଧ୍ୟ ହେଉଛୁ, ଖୋର୍ଦ୍ଧା ଗାମୁଛା ବି ବଜାରରୁ ଦିନେ ହଠାତ ହଜିଯିବ। ତା’ ପରେ ଏମିତି ଦିନ ଆସିବ ଗାଧୁଆ ପାଧୁଆ କି ଶୌଚାଳୟ ଯିବାକୁ ମରଦଙ୍କ ହାତରେ ଗାମୁଛା ଖଣ୍ଡେ ବି ନଥିବ। ଶୁଦ୍ଧିକ୍ରିୟା, ବିବାହ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ବି ଅଭାବ ପଡିବ। ଶେଷରେ ଶାଢ଼ୀକୁ ଗାମୁଛା ସାଇଜ୍‌ର ଚିରି ମିଛରେ ତାକୁ ଗାମୁଛା କହି ବାଣ୍ଟିବାକୁ ବାଧ୍ୟ ହେବେ ଅଗ୍ରୀମ ଟଙ୍କା ନେଇଥିବା ବିଭିନ୍ନ ଅନୁଷ୍ଠାନର ମୁଖିଆ ମହାଶୟମାନେ....

ଚିରଂଜୀବୀ କର
ଯାଜପୁର
ଫେନ୍‌- ୭୮୯୪୦୮୫୩୫୩

Related story