Bihar Election Photograph: (Internet)
ପଞ୍ଚାନନ କାନୁନଗୋ
ଚଳିତ ବର୍ଷର ସବୁଠାରୁ ବଡ଼ ଚର୍ଚ୍ଚା ଚାଲିଛି ଭାରତୀୟ ଗଣତନ୍ତ୍ରରେ ବିହାରରେ ହେଉଥିବା ବିଧାନସଭା ନିର୍ବାଚନ ସଂପର୍କରେ। ଏହି ନିର୍ବାଚନରେ ଭାରତ ବର୍ଷରେ ଦୀର୍ଘ ୧୧ ବର୍ଷରୁ ଉର୍ଦ୍ଧ୍ୱ ଶାସନ କରୁଥିବା ନରେନ୍ଦ୍ର ସିଂହ ମୋଦୀଙ୍କ ନେତୃତ୍ୱଧୀନ ଭାରତୀୟ ଜନତା ପାର୍ଟି ବା ଏନ୍ଡିରଏ ସରକାରକୁ ନେଇ ଚାଲିଛି। ଶ୍ରୀ ମୋଦୀ ଓ ତାଙ୍କର ସହଯୋଗୀମାନେ ଦେଶରେ ଆଚ୍ଛା ଦିନ୍ ଆସିବ, ବେକାରୀ ହଟିବ, ଦରଦାମ୍ ବୃଦ୍ଧିରେ ସାଧାରଣ ଲୋକ ହନ୍ତସନ୍ତ ହେବେ ନାହିଁ, ଦେଶକୁ ପର୍ଯ୍ୟାପ୍ତ କଳାଧନ ଖୋଜି ଅଣାଯିବ ଭଳି ଅନେକ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ। କ୍ଷମତାକୁ ଆସିବା ପୂର୍ବରୁ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ସେସବୁ ତ’ କୁଆଡ଼େ ଗଲା! ପରନ୍ତୁ ଅନେକ ନୂଆ ନୂଆ ଭାରତୀୟ ସଂସ୍କୃତି, ସାମ୍ବିଧାନିକ ମୂଲ୍ୟବୋଧ ଓ ପରମ୍ପରାକୁ ଆଘାତ ଦେଲାଭଳି କାର୍ଯ୍ୟକ୍ରମମାନ ଦେଖିବାକୁ ମିଳିଲା।
ଭାରତ ବର୍ଷ ସାରା ବିଶ୍ୱରେ ଏକ ଉତ୍ତମ ସଂଘୀୟ ବ୍ୟବସ୍ଥା ପାଇଁ ଅଧିକ ପ୍ରଶଂସିତ ହୋଇ ଆସୁଥିଲା। ସେହି ସଂଘୀୟ ବ୍ୟବସ୍ଥାକୁ ପୂରାପୂରି ଖତମ କରି ଶାସନ ବ୍ୟବସ୍ଥାରେ ଏକକତ୍ୱ ଜାହିର କରିବା ନିମନ୍ତେ ଏକ ଜାତି, ଏକ ରାଷ୍ଟ୍ରର ଖୁବ୍ ବଡ଼ ପ୍ରଚାର କରାଯାଇ କାର୍ଯ୍ୟକ୍ରମମାନ ଆରମ୍ଭ ହେଲା। ସେଥିରେ ମୁଖ୍ୟତଃ ଏକ ଜାତି ଏକ ଦେଶ, ଏକ ଟିକସ ନାମରେ ଜିଏସ୍ଟିା ଲାଗୁ ହେଲା ଏବଂ ଟିକସ ବ୍ୟବସ୍ଥାରେ ଦୀର୍ଘଦିନ ଧରି ଏକ ପୂର୍ଣ୍ଣ ଅସ୍ଥିରତା ସୃଷ୍ଟି କରାଗଲା। ଯଦିଓ କେନ୍ଦ୍ର ହାତରେ ଏହି ଟିକସ ବ୍ୟବସ୍ଥା ଅଧିକ ରାଜସ୍ୱ ଠୁଳ କରିବାର ସୁଯୋଗ ସୃଷ୍ଟି କଲା, ଅପରପକ୍ଷରେ କିନ୍ତୁ ରାଜ୍ୟମାନେ ଅଧିକାଂଶ ଭାବରେ କ୍ଷତିଗ୍ରସ୍ତ ହେଲେ ଓ କେନ୍ଦ୍ର ଉପରେ ନିର୍ଭରଶୀଳ ହେଲେ। ସଂଘୀୟ ବ୍ୟବସ୍ଥା ଉପରେ ଶକ୍ତ ଆଘାତ ଲାଗିଲା। ବେକାରୀ ତ’ ହଟିଲା ନାହିଁ ବରଂ ରୋଜଗାର କରୁଥିବା ଲୋକଙ୍କର ଆୟରେ ଏକ ଅଦୃଶ୍ୟ ପ୍ରହାର ସୃଷ୍ଟି ହେଲା। ବ୍ୟୟ ବୃଦ୍ଧି ପାଇଲା। ବ୍ୟୟ ଅନୁସାରେ ଆୟର ବୃଦ୍ଧି ଘଟିଲା ନାହିଁ। ମଧ୍ୟବିତ୍ତ ନିମ୍ନ ମଧ୍ୟବିତ୍ତର ଆର୍ଥିକ ଅବସ୍ଥା ସଂକୁଚିତ ହେଲା।
ଅପରପକ୍ଷରେ ଗୋଟିଏ ବଡ଼ ଧନୀକ ଶ୍ରେଣୀ ଭାରତ ବର୍ଷରେ ଅଧିକରୁ ଅଧିକ ପୁଞ୍ଜି ସଂଗଠିତ କରିବାରେ ସକ୍ଷମ ହେଲେ। ବାରମ୍ବାର ଘୋଷଣା କରାଯାଉଥିଲା ଯେ, ଆମେ ସାରା ବିଶ୍ୱରେ ଚତୁର୍ଥ ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ରରୁ ତୃତୀୟ ଆଡ଼କୁ ଗତି କରିବୁ। ହୁଏତ ତା’ ହେଇପାରେ, କିନ୍ତୁ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନରେ ଥିବା ରାଷ୍ଟ୍ର ଶକ୍ତିମାନଙ୍କର ଆର୍ଥିକ ସମ୍ବଳ ୧୨ ଲକ୍ଷ କୋଟି ଡଲାର୍ରୁର ଯଥେଷ୍ଟ ଉପରେ ଥିବାବେଳେ ଭାରତର ଆର୍ଥିକ ସ୍ୱଚ୍ଛତା ବା ସମ୍ବଳର ମୋଟ ମୂଲ୍ୟ ୪ ଲକ୍ଷ କୋଟି ଡଲାର୍ ନିକଟ ଭବିଷ୍ୟତରେ ଟପିବାର ଆଦୌ ଦେଖାଯାଉନାହିଁ। ଅଧିକନ୍ତୁ, ଭାରତରେ ପ୍ରତିବର୍ଷର ସାମଗ୍ରିକ ଆୟ ବୃଦ୍ଧି (ଜି.ଡ଼ି.ପି) ହାର ୬.୩%ରୁ ଆଗକୁ ଆଗେଇ ପାରୁନାହିଁ। ବେଳେବେଳେ ଆମେ ବିଶ୍ୱ ଅର୍ଥନୀତି ସହିତ ତୁଳନା କରି ନିଜର ଅସଫଳତାକୁ ଘୋଡ଼ାଇବାକୁ ଚେଷ୍ଟା କରୁଛୁ ତ’ ବେଳେବେଳେ ପ୍ରାକୃତିକ ବିପର୍ଯ୍ୟୟ ବିଶ୍ୱରେ ଘଟୁଥିବା ଯୁଦ୍ଧ ଆଦି ମାନବକୃତ ବିପର୍ଯ୍ୟୟ ବା କରୋନା ପରି ମହାମାରୀର ଆଳ ନେଇଥାଉ।
ମୋଟ ଉପରେ ଦେଖିବାକୁ ଗଲେ ନା ଆୟ ବୃଦ୍ଧିରେ କୌଣସି ନିର୍ଦ୍ଦିଷ୍ଟ ନିର୍ଭରଯୋଗ୍ୟ ଗାଣିତିକ ହାର ଆମେ ଏପର୍ଯ୍ୟନ୍ତ ଲାଭ କରିବାରେ ସକ୍ଷମ ହୋଇଛୁ ନା ଭାରତବର୍ଷ ଏକ ସ୍ୱୟଂ ସମୃଦ୍ଧ ଦେଶରେ ପରିଚୟ ସୃଷ୍ଟି କରିପାରିଛି। ଏପର୍ଯ୍ୟନ୍ତ ବି ଆମ ଦେଶର ଦେଣନେଣ କାରବାରରେ ବାହାରୁ ଆଣୁଥିବା ପଦାର୍ଥର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗୁଛି, ଯେଉଁ ସମୟରେ ବାହାରକୁ ପଠାଉଥିବା ଆମ ଦେଶର ଉତ୍ପାଦନ ବେଳକୁ ବେଳ କ୍ଷୟ ପାଇବାରେ ଲାଗିଛି। ଏକ୍ସପୋର୍ଟ ଓ ଇମ୍ପୋର୍ଟ ମଧ୍ୟରେ ଥିବା ତାରତମ୍ୟ ଏକ ଭୟାନକ ଅବସ୍ଥାକୁ ଗତି କରୁଥିବାର ଅନ୍ୟ ଏକ ପ୍ରମାଣ ହେଉଛି ଆମ ଭାରତବର୍ଷର ମୁଖ୍ୟ ବ୍ୟାଙ୍କ। ରିଜର୍ଭ ବ୍ୟାଙ୍କ ସମେତ ଅନ୍ୟାନ୍ୟ ସହଯୋଗୀ ବ୍ୟାଙ୍କମାନେ ପ୍ରତିବର୍ଷ ଟନ୍ ଟନ୍ ସୁନା ବଜାରରୁ କ୍ରୟ କରି ଗଚ୍ଛିତ କରି ରଖୁଛନ୍ତି। ଯେଉଁଥିପାଇଁ ଦେଶରେ ସୁନା ଦର ଅତି ସାଂଘାତିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଯଦି କେବେ କୌଣସି ସମୟରେ ଆର୍ଥିକ ଅନାଟନ ହେତୁ ବିପତ୍ତି ଆସିଲା, ଏହି ଗଚ୍ଛିତ ସୁନା ହିଁ ସେଥିରୁ ଉଦ୍ଧାର କରିବ। ଏହା ହିଁ ହେଉଛି ଲକ୍ଷ୍ୟ। ତେଣେ ରତିଏ ଅବା ଭରିଏ ସୁନା କିଣି ଝିଅକୁ ବିବାହ ଦେବାରେ ସାଧାରଣ ନାଗରିକ ଯେ କେତେ ବଡ଼ ଖର୍ଚ୍ଚାନ୍ତ ହେବାକୁ ଯାଉଛି ସେଥିପ୍ରତି କାହାର ନଜର ନାହିଁ। ଦେଶର ତଥା ଦେଶବାସୀଙ୍କର ଅନ୍ୟ ଏକ ଉପାଦେୟ ଆବଶ୍ୟକତା ଅଟୋ ଜାଳେଣି, ଅନ୍ତର୍ଦେଶୀୟ ବଜାରରୁ ଶସ୍ତାରେ ତେଲ କିଣାଗଲେ ବି ଦେଶୀ ବଜାରରେ ପେଟ୍ରୋଲ୍ ବା ଡିଜେଲ୍ ଦର କମିବାର ନାଁ ଧରୁନାହିଁ। ଯାହାର ପ୍ରଭାବରେ ଦରଦାମ୍ ବଢୁଛି ଓ ଲୋକଙ୍କର ପକେଟ୍ ପ୍ରତିଦିନ କିଛି ନା କିଛି ସରକାର ବା ବେପାରୀମାନେ କାଟି ନେଉଛନ୍ତି।
ଏହିପରି ଏକ ଅର୍ଥନୈତିକ ଅସଫଳତା ଭିତରେ ଗତ କିଛି ବର୍ଷ ଭିତରେ ଦେଶରେ ଯେତେସବୁ ନିର୍ବାଚନ ହୋଇଯାଇଛି, ସବୁଗୁଡ଼ିକ ଲୋକ ବିଚାର ଉପରେ ପର୍ଯ୍ୟବେସିତ ନୁହେଁ ତାହା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ଗତ କିଛି ଦିନ ଭିତରେ ହୋଇଥିବା ଭୋଟ୍ ଚୋରୀ ଅର୍ଥାତ୍ ନକଲି ଭୋଟର୍ ସଂଖ୍ୟା ବୃଦ୍ଧି କରାଯାଇ କିମ୍ବା ଚକ୍ରାନ୍ତମୂଳକ ଭାବେ କାଟ୍ ଛାଣ୍ଟ୍ କରାଯାଇ ନିର୍ବାଚନୀ ସୁବିଧା ନିଆଯାଇଥିବା ଅଭିଯୋଗମାନ ଶୁଣିବାକୁ ମିଳୁଛି। ଏ ସମ୍ପର୍କରେ ଦେଶରେ ଥିବା ସମ୍ବିଧାନ ସ୍ୱୀକୃତ ନିର୍ବାଚନ କମିଶନ ଏକ ପକ୍ଷପାତିତା ନୀତି ଅବଲମ୍ବନ କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଆସୁଛି। ନିର୍ବାଚନ କମିଶନ ଏହାର କୌଣସି ଯଥାର୍ଥ ଓ ନିର୍ଦ୍ଦିଷ୍ଟ ଉତ୍ତର ସମ୍ନାକୁ ନଆଣି ଅଭିଯୋଗକାରୀମାନଙ୍କୁ ଅଧିକରୁ ଅଧିକ ଭାବେ ଲୋକଲୋଚନରେ ନିନ୍ଦିତ କରିବା ପାଇଁ ଚେଷ୍ଟା କରିଆସୁଥିବା ଦେଖାଯାଉଛି ଏବଂ ନିଜର ପକ୍ଷପାତିତାକୁ ପରୋକ୍ଷରେ ଗ୍ରହଣ କରୁଥିବା ଦେଖାଯାଉଛି।
ଏପରି ଏକ ଲଜ୍ଜାଜନକ ସ୍ଥିତିରେ ଭାରତବର୍ଷର ଗଣତନ୍ତ୍ର ବର୍ତ୍ତମାନ ପରୀକ୍ଷା ନୀରିକ୍ଷା ଭିତରକୁ ଠେଲି ହୋଇଯାଉଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟର ବିଭିନ୍ନ ରାୟ ଏବଂ ଲୋକ ସଂଗଠନମାନଙ୍କର ମତାମତ ବର୍ତ୍ତମାନର ନିର୍ବାଚନ କମିଶନ ଓ ସରକାରଙ୍କୁ ଅନେକ ସମୟରେ କାଠଗଡ଼ାରେ ଛିଡ଼ା କରାଇ ସାରିଲାଣି। ଏହାର ସବୁଠାରୁ ଜ୍ୱଳନ୍ତ ପ୍ରମାଣ ବିହାର ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦେଖାଗଲା। ବିହାରରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେଉଥିବା ଭୋଟର୍ ଲିଷ୍ଟ୍ ଭିତରେ ଅନେକ ମାରପେଞ୍ଚ ଥିବାର ଅଭିଯୋଗ କରି ଦେଶର ମୁଖ୍ୟ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ସଂଗଠନ ଅଭିଯୋଗ ଆଣିଲେ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ରାଜନୈତିକ ଦଳମାନେ ଭୋଟ୍ ଚୋରୀର ନାରା ଦେଇ ବିହାର ତମାମ ଘୂରିବୁଲିଲେ। ୯୬ ଲକ୍ଷ ଭୋଟ୍ ଦାତାଙ୍କ ପରିଚୟ ସାମ୍ନାକୁ ଆଣିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ଭୋଟ୍ ଚୋରୀ ତଳେ ଗୋଟିଏ ନାଲିଗାର ବସିଗଲା। କିଛି ସଂଶୋଧନ ହେଲା। ସଂଶୋଧନ ପରେ ଏବେ ଭୋଟ୍ ହେବାକୁ ଯାଉଛି। ଭୋଟରେ ଦୁଇଟି ମୁଖ୍ୟ ଗଠବନ୍ଧନ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଗୋଟିଏ ଗଠବନ୍ଧନ ଏନ୍ଡିଏ ଅନ୍ତର୍ଭୁକ୍ତ ଓ ଅନ୍ୟଟି ଇନ୍ଡିସଆ ଅନ୍ତର୍ଭୁକ୍ତ। ଏ ପର୍ଯ୍ୟନ୍ତ ମିଳିଥିବା ଖବର ଅନୁସାରେ ଏହି ଦୁଇ ଗଠବନ୍ଧନ ଭିତରେ ପୂର୍ଣ୍ଣ ବୁଝାମଣା ନହୋଇଥିଲେ ମଧ୍ୟ ପ୍ରାୟତଃ ସାମ୍ନାସାମ୍ନି ହେବାଭଳି କ୍ଷେତ୍ର ପ୍ରସ୍ତୁତ ହୋଇଗଲାଣି।
ଗୋଟିଏ ପକ୍ଷରେ ବିହାରର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ(ୟୁ) ଅନ୍ୟପକ୍ଷରେ ବିହାରର ଅନ୍ୟତମ ପ୍ରତିଷ୍ଠିତ ଦଳ ଲାଲୁ ଯାଦବଙ୍କ ଆରଜେଡି ମଧ୍ୟରେ କ୍ଷମତା ହାସଲର ଲଢ଼େଇ ଚାଲିଥିବା ବେଳେ ଗୋଟିଏ ପ୍ରମୁଖ ଦଳ ଭାରତୀୟ ଜନତା ପାର୍ଟି ଜେଡିୟୁ ସହିତ ଓ ଜାତୀୟ କଂଗ୍ରେସ ଆରଜେଡି ସହିତ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ସହିତ ଅନେକ ଛୋଟ ଛୋଟ ରାଜନୈତିକ ଦଳ ମଧ୍ୟ ସହଯୋଗୀ ଭାବେ ଉପସ୍ଥିତ ଅଛନ୍ତି। ଏହି ସଂଗ୍ରାମରେ ସବୁଠାରୁ ବଡ଼ ଅସ୍ତ୍ର ହେଉଛି, ସଂପ୍ରଦାୟ ଓ ଜାତିଭିତ୍ତିକ ଗୋଷ୍ଠି। କେଉଁ ଦଳ ଏହି ଜାତି ଭିତ୍ତିକ ଗୋଷ୍ଠିକୁ କେତେ ସଂଖ୍ୟାରେ ସାଙ୍ଗରେ ନେଇପାରିବ ତାକୁ ହିଁ ନେଇ ଅଙ୍କକଷା ଚାଲିଛି। ଦଳିତ, ବିଶେଷତଃ ଯାଦବ ସଂପ୍ରଦାୟ ଓ ମୁସ୍ଲିତମ୍ ସଂପ୍ରଦାୟ ଅନେକ ଭାବେ ଭୋଟ୍ କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ।
ସବୁଠାରୁ ବଡ଼ କଥା ହେଉଛି, ବର୍ତ୍ତମାନ ବିହାରର ଅସ୍ମିତା ବା ସ୍ୱାଭିମାନକୁ ନେଇ ଏକ ସୁପ୍ତ ଜାଗରଣ ଉନ୍ମୁକ୍ତ ହୋଇଛି। ବିହାର ଏକଦା ଭାରତ ବର୍ଷର ଇତିହାସରେ ଏକ କ୍ଷମତାଶାଳୀ ଭୂଖଣ୍ଡ ମଗଧ ରାଷ୍ଟ୍ର ଭାବେ ପରିଚିତ ଥିଲା ଏବଂ ଏଠାରେ ନାଳନ୍ଦା ଭଳି ଉଚ୍ଚ ବିଶ୍ୱ ବିଦ୍ୟାଳୟମାନ ଶିକ୍ଷା ବିତରଣରେ ଶ୍ରେଷ୍ଠ ଭୂମିକା ଗ୍ରହଣ କରିଥିଲେ। ରାଜ୍ୟର ଏହି ଅସ୍ମିତା ସୁପ୍ତ ଥିଲା। ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ଜାଗ୍ରତ ହୋଇଛି। ଆରଜେଡି ଓ ଜେଡ଼ିୟୁ ଉଭୟ ପରସ୍ପର ବିରୋଧରେ ଲଢୁଥିଲେ ମଧ୍ୟ ଉଭୟ ଭାରତୀୟ ଜନତା ପାର୍ଟିକୁ ବିହାର ଭୂଖଣ୍ଡରେ ଏକ ବିଦେଶୀ ଶକ୍ତି ଭାବେ ବିବେଚନା କରନ୍ତି। ସେହି ବିଦେଶୀ ଶକ୍ତି ଠାରୁ ରାଜ୍ୟକୁ ଦୂରେଇ ରଖିବା ପାଇଁ ଶୁଣିବାକୁ ମିଳେ ଯେ, ଉଭୟଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ହୋଇ ସଲାକୁସ୍ତି ସଂଗଠିତ ହେଉଛି। ଯଦି ଏହା ସତ୍ୟ ହୁଏ ତେବେ ଯେଉଁଠି ଭାରତୀୟ ଜନତା ପାର୍ଟି ସହିତ କଂଗ୍ରେସର ବା ଭାରତୀୟ ଜନତା ପାର୍ଟି ସହିତ ଆରଜେଡିର ନିର୍ବାଚନରେ ପ୍ରତ୍ୟକ୍ଷ ପ୍ରତିଦ୍ୱନ୍ଦିତା ହେଉଛି, ସେଠି ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରିବା ପାଇଁ ରଣକୌଶଳ ହୋଇଥିବା ଶୁଣାଯାଉଛି। ଅଧିକନ୍ତୁ, ରାଜ୍ୟରେ ଥିବା ଅନେକ ନିର୍ବାଚନ ମଣ୍ଡଳୀର ପ୍ରମୁଖ ଭୋଟ୍ଦାଦତା ମୁସଲମାନ ସଂପ୍ରଦାୟର। ସେମାନେ ଧାର୍ମିକ ବିଭାଜନ ବିରୋଧରେ ଭୋଟ ଦେବାର ସମ୍ଭାବନା ଅଧିକ। ଏହା ସହିତ ମିଥ୍ୟା ପ୍ରତିଶ୍ରୁତି, ଆର୍ଥିକ ଦୁର୍ଗତି ଭିତରେ ବିଭିନ୍ନ ଶଠତା ଓ ଚଞ୍ଚକତାପୂର୍ଣ୍ଣ ଘୋଷଣା ବା କାର୍ଯ୍ୟକ୍ରମକୁ ସାଧାରଣ ଭୋଟ୍ଦାଭତାମାନେ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଛନ୍ତି। ଏହା ମଧ୍ୟ ଭୋଟରମାନଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିବ। ଏହିସବୁ କଥାକୁ ଲକ୍ଷ୍ୟକଲେ ବିହାର ନିର୍ବାଚନ ଏକ ନିର୍ଣ୍ଣାୟକ ନିର୍ବାଚନ ହେବ ବୋଲି କୁହାଯାଇପାରେ।
ଫୋ- ୯୪୩୮୩୬୦୮୪୯
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/23/bihar-election-2025-10-23-11-19-32.jpg)