Zoran Mamdani Photograph: (Internet)
ଦେବ ରଞ୍ଜନ
ସମୟ ସମୟରେ ଆମ ଅନୁମାନ ବାହାରେ କିଛି ଘଟଣା ଘଟିଯାଏ ଯାହା ଆମକୁ ଅନେକ ପରିମାଣରେ ଚକିତ କରିଦିଏ। କାରଣ ଆମେ ଭାବି ନ ଥାଉ ଯେ ସେଭଳି କିଛି ସତରେ ଘଟିବ।
ନ୍ୟୁୟର୍କର ମେୟର ଭାବରେ ମାମଦାନୀଙ୍କ ଜିତିବାରେ ମୁଁ ବହୁତ ପରିମାଣରେ ଆଶ୍ଚର୍ଯ୍ୟ ହୋଇଗଲି। ମୋ ଲାଗି ଆଶ୍ଚର୍ଯ୍ୟର ବିଷୟ ଥିଲେ ନ୍ୟୁୟର୍କବାସୀ। ନିଜ ଭିତରେ ଅନେକ ବର୍ଷ ହେଲା ବସା ବାନ୍ଧିଥିବା ଇସଲାମ-ଭୟକୁ ସେମାନେ ପୁଣି ଇସଲାମ-ବିଶ୍ଵାସରେ କେମିତି ପରିଣତ କଲେ, ତାହା ପୁଣି ଟ୍ରମ୍ପଙ୍କ ଶାସନରେ!
ଟ୍ରମ୍ପଙ୍କ ସମସ୍ତ ଧମକ ସତ୍ତ୍ୱେ (‘ଯଦି ମାମଦାନୀ ନିର୍ବାଚିତ ହୁଅନ୍ତି ତେବେ ସମସ୍ତ ଫଣ୍ଡ ବନ୍ଦ କରିଦେବି’) ନିୟୁର୍କବାସୀ ମାମଦାନୀଙ୍କ ଭଳି ଜଣେ ମୁସଲମାନ ଯୁବକଙ୍କ ଉପରେ ଭରସା ରଖି ତାଙ୍କୁ ନିର୍ବାଚିତ କଲେ (୧୦ ଲକ୍ଷରୁ ଅଧିକ ଭୋଟର ଅର୍ଥାତ ୫୦.୪% ଭୋଟ) ଓ ଘୃଣାକୁ ଭରସାରେ ବଦଳାଇବାକୁ ଚେଷ୍ଟା କଲେ। ଏହା ପ୍ରଥମ ଆଶ୍ଚର୍ଯ୍ୟର ବିଷୟ।
ଏହା ଜଣାଶୁଣା କଥା ଯେ ମାମଦାନୀଙ୍କ ପିତା ଗୁଜୁରାତି ମୁସଲିମ, ମା’ ମୀରା ନାୟାର (ପ୍ରସିଦ୍ଧ ହିନ୍ଦୀ ଫିଲ୍ମ ନିର୍ମାତା) ଜଣେ ପଞ୍ଜାବୀ। ମାମଦାନୀଙ୍କ ଜନ୍ମ ପୂର୍ବ ଆଫ୍ରିକା ଦେଶ ଉଗାଣ୍ଡାରେ। ତାଙ୍କୁ ଯେତେବେଳେ ସାତ ବର୍ଷ ସେ ଆମେରିକା ଆସିଛନ୍ତି। ତେଣୁ ସେ ଜନ୍ମରୁ ଆମେରିକୀୟ ନୁହନ୍ତି।
ଟ୍ରମ୍ପ ଆମେରିକାରୁ ବିଦେଶାଗତ ବା ଇମିଗ୍ରାଣ୍ଟଙ୍କୁ ବାହାର କରିବା ଲାଗି ଅନେକ ନୀତି ଆପଣାଇବାରେ ଲାଗିଛନ୍ତି, ଘୃଣାର ମାହୋଲ ସୃଷ୍ଟି କରିଛନ୍ତି, ଅତି ଅସମ୍ମାନଜନକ ଢଙ୍ଗରେ ଗରିବ ଇମିଗ୍ରାଣ୍ଟଙ୍କୁ ନିଜର ଦେଶକୁ ପଠାଉଛନ୍ତି। ମାମଦାନୀଙ୍କ ଭଳି ବିଦେଶାଗତ ବା ଇମିଗ୍ରାଣ୍ଟଙ୍କୁ ନିୟୁର୍କବାସୀ ନିର୍ବାଚିତ କରିବା ମୋ ପାଇଁ ଦ୍ଵିତୀୟ ଆଶ୍ଚର୍ଯ୍ୟର ବିଷୟ। ସେମାନେ ଏହା ଦ୍ଵାରା ଟ୍ରମ୍ପବାଦକୁ ବିରୋଧ କରୁଥିବା ଦର୍ଶାଉଛନ୍ତି।
ଏହି ସନ୍ଦର୍ଭରେ ତୃତୀୟ ଆଶ୍ଚର୍ଯ୍ୟର ବିଷୟ ହେଲା ମାମଦାନୀଙ୍କ ଡେମୋକ୍ରାଟିକ ସୋସିଆଲିଷ୍ଟ ଅଫ ଆମେରିକା ରାଜନୈତିକ ଦଳ ଯାହା କି ଏକ କମ୍ୟୁନିଷ୍ଟ ପାର୍ଟି। ନିୟୁର୍କ ସହର କମ୍ପାନୀମାନଙ୍କ ସହର। ଏଠାରେ ଜଣେ ଅରବପତିଙ୍କ ଭାଷାରେ ଝାଡ଼ା ଗଲେ ଫ୍ଲଶ କରିବା ଲାଗି ବି କର୍ପୋରେଟ ସହଯୋଗ ଆବଶ୍ୟକ। ଏଭଳି ଏକ ସହରର ବାସିନ୍ଦା କମ୍ୟୁନିଷ୍ଟ ବିଚାରର ଜଣେ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ତୃତୀୟ ଆଶ୍ଚର୍ଯ୍ୟର ବିଷୟ।
ମୋ ଭଳି ଅଣଆମେରିକୀୟଙ୍କ ମଧ୍ୟରେ ଆମେରିକାକୁ ନେଇ ଗଢ଼ି ଉଠିଥିବା ଆଶ୍ଚର୍ଯ୍ୟସମୂହ ଆଜିର ନୁହେଁ ଅନେକ ବର୍ଷର।
ମାମଦାନୀଙ୍କ ମେୟର ହେବା ପରବର୍ତ୍ତୀ ଏକ ସାକ୍ଷାତକାର ବେଶ ଶିକ୍ଷଣୀୟ। ‘ମୋତେ ଅନେକ ଲୋକ ଆସି ନିର୍ବାଚନ ପୂର୍ବରୁ କହୁଥିଲେ ଯେ ମୁଁ ମୋର ଧର୍ମକୁ ଲୁଚାଏ। ମୁଁ ଜାଣିଥିଲି ଏହି ଭୟ କେଉଁଠାରୁ ଆସୁଛି। ଲୋକେ ସେହି ଭୟ ଭିତରେ ଜୀବନ ବିତାଇଛନ୍ତି। ଲୋକଙ୍କ ଭିତରେ ୯/୧୧ର ଘଟଣା ଗଭୀର ରେଖାପାତ କରିଥିଲା।’
ଆମେରିକାରେ ଇସଲାମ ଭୟ ଆରମ୍ଭ ହୁଏ ୯/୧୧ ଘଟଣାରୁ। ଆମେରିକାରେ ସେପ୍ଟେମ୍ବର ୧୧, ୨୦୦୧ ତାରିଖ ଦିନ (୯/୧୧) ୧୯ ଜଣ ଅପହରଣକାରୀ ଚାରୋଟି ପ୍ଳେନକୁ ହରଣଚାଳ କରି ବିଶ୍ଵ ବାଣିଜ୍ୟ କେନ୍ଦ୍ର ବିଲିଡିଙ୍ଗରେ ଧକ୍କା ଲଗାଇଥିଲେ। ଏଥିରେ ସେହି ୧୯ ଜଣଙ୍କ ସମେତ ୩୦୦୦ ଆମେରିକୀୟଙ୍କର ମୃତ୍ୟୁ ହୋଇଥିଲା। ଏଭଳି ଘଟଣା ପଛରେ ଓସମା ବିନ ଲାଡେନ ଓ ଏହାର ‘ଆଲ-କାଏଦା’ ସଂଗଠନ ରହିଥିବା ଓ ପାଲେଷ୍ଟାଇନରେ ଚାଲିଥିବା ନରସଂହାରର ପ୍ରତିବାଦରେ ସେମାନେ ସେଭଳି ନରସଂହାର କରିଥିବାର ଏକ ଭିଡିଓ ବାର୍ତ୍ତା ଜାରିକରିଥିଲେ।
କିନ୍ତୁ ଆମେରିକାର ତତ୍କାଳୀନ ବୁଶ ସରକାର ଏହାକୁ ସମଗ୍ର ମୁସଲମାନ ସମାଜର ଷଡ଼ଜନ୍ତ ବୋଲି ଚିତ୍ରିତ କରି ଶବମାନଙ୍କୁ ନେଇ ଭାବପ୍ରବଣ ରାଜନୀତି ଆରମ୍ଭ କରିଦେଲେ। ବୁଶଙ୍କ ‘ଉଗ୍ରବାଦ ବିରୁଦ୍ଧରେ ଯୁଦ୍ଧ ଘୋଷଣା’ ପ୍ରକୃତରେ ଇସଲାମ ବିରୁଦ୍ଧରେ ଯୁଦ୍ଧ ଘୋଷଣା ଥିଲା। ଆମେରିକାର ଗଣମାଧ୍ୟମ, ଇନ୍ଟରନେଟ, ରାଜନୈତିକ ନେତାଙ୍କ ବୟାନ, ହଲିଉଡରେ ଫିଲ୍ମ, ଟିଭିର ଆଲୋଚନାରେ ପ୍ରତିଫଳିତ ହୋଇଥିଲା।
ବିଶ୍ଵ ବାଣିଜ୍ୟ କେନ୍ଦ୍ର ଆକ୍ରମଣ ପରେ ଆମେରିକାରେ ଇସଲାମ-ଭୟକୁ ଉଭୟ ଡେମୋକ୍ରାଟ ଓ ରିପବ୍ଲିକାନ ଦଳ ଅନେକ ଭାବରେ ପୋଷଣ ଦେଇଆସିଛନ୍ତି। ଉଭୟ ଦଳ ନିର୍ବାଚନରେ ଜିତିବା ଲାଗି ଖ୍ରୀଷ୍ଟିୟାନ ଭୋଟକୁ ଏକାଠି କରିବା ଉଦ୍ଦେଶ୍ୟରେ ଅନେକ ଗୁଜବ ମଧ୍ୟ ପ୍ରସ୍ତୁତ କରିଛନ୍ତି। ସେଗୁଡିକ ହେଲା; ‘ଆମେ ଖ୍ରୀଷ୍ଟିୟାନ ବିଶ୍ଵରେ ସବୁଠାରୁ ଶ୍ରେଷ୍ଠ’, ‘ଯଦି ମୁସଲମାନ ଆମ ଦେଶରେ ରୁହନ୍ତି ତେବେ ଆମ ଦେଶରେ ଆମେ ସଂଖ୍ୟା ନ୍ୟୁନ ହୋଇଯିବା’, ‘ସେମାନେ ଆମ ଦେଶକୁ ଅକ୍ତିଆର କରିଦେବେ’, ‘ମୁସଲମାନମାନେ ବହୁ ନୃଶଂସ’, ‘ସେମାନେ ନାରୀକୁ ଅସମ୍ମାନ କରିଥାନ୍ତି’ ଇତ୍ୟାଦି।
ପରିବେଶ ଏତେ ପରିମାଣରେ ଘୃଣାରେ ଭରିଯାଇଥିଲା ଯେ ଅନେକ ଆମେରିକୀୟ ମୁସଲମାନ ଯାହାର ଟୋପି ଓ ଦାଢ଼ି ଅଛି ସେ ମଧ୍ୟ ସାଧାରଣ ଖ୍ରୀଷ୍ଟୀୟ ଆମେରିକୀୟଙ୍କ ଦ୍ଵାରା ଆକ୍ରମଣର ଶିକାର ହେଉଥିଲା। କେତେକ ସ୍ଥାନରେ ଶିଖ ସମ୍ପ୍ରଦାୟର ଲୋକେ ନିଜର ଦାଢ଼ି ଓ ପଗଡ଼ି ପାଇଁ ଆମେରିକାରେ ଆକ୍ରମଣରେ କ୍ଷତବିକ୍ଷତ ହୋଇଥିଲେ।
୯/୧୧ ଘଟଣା ପରେ ରାଷ୍ଟ୍ରପତି ବୁଶ ଆଫଗାନିସ୍ତାନକୁ ପ୍ରଥମ ଲକ୍ଷ୍ୟ କରିନଥିଲେ, ବରଂ କରିଥିଲେ ଇରାକକୁ ଓ ହତ୍ୟା କରିଥିଲେ ସଦ୍ଦାମ ହୁସେନଙ୍କୁ, କାରଣ ସେଠାରୁ ଅଶୋଧିତ ତୈଳ ଲୁଟିବା ତାଙ୍କର କମ୍ପାନୀମାନଙ୍କ ଲକ୍ଷ୍ୟ ଥିଲା। ପରେ, ୨୦୧୧ ମସିହାରେ ଡେମୋକ୍ରାଟ ଦଳର ରାଷ୍ଟ୍ରପତି ବାରାକ ଓବାମାଙ୍କ ସମୟରେ ଆମେରିକୀୟ ସୈନ୍ୟ ପାକିସ୍ତାନରେ ପ୍ରବେଶ କରି ଲାଡେନକୁ ହତ୍ୟା କରିଥିଲେ। ଏଭଳି ହତ୍ୟା ଆନ୍ତର୍ଜାତିକ ଆଇନର ବିରୁଦ୍ଧାଚରଣ କରୁଥିଲା।
ଆମେରିକାର ତିନୋଟି ପ୍ରତାରଣାପୂର୍ଣ୍ଣ ବ୍ୟାଖ୍ୟାନ ଆଜି ବି ସମଗ୍ର ବିଶ୍ଵର ଅର୍ଥନୀତି ଓ ରାଜନୀତିକୁ ପ୍ରଭାବିତ କରିରଖିଛି। ପ୍ରଥମରେ, କର୍ପୋରେଟଙ୍କ ବିନା ଦେଶର ବିକାଶ ଅସମ୍ଭବ; ଦ୍ଵିତୀୟରେ, ସମସ୍ତ ‘ଉଗ୍ରପନ୍ଥୀ’ ମୁସଲମାନ ନହୋଇପାରନ୍ତି ମାତ୍ର ସମସ୍ତ ମୁସଲମାନ ନିଶ୍ଚିତ ‘ଉଗ୍ରପନ୍ଥୀ’ ଓ ତୃତୀୟରେ, ଯୁଦ୍ଧର ଅନ୍ୟ ନାମ ହେଲା ଶାନ୍ତି। ଏହା ଦ୍ଵାରା ଆମେରିକାର ଅର୍ଥନୀତି ବଳିଷ୍ଠ ହୋଇଛି। ଏହି ତିନି ବ୍ୟାଖ୍ୟାନର ପ୍ରଭାବ ଏସିଆ ଓ ଆଫ୍ରିକାର ଅନେକ ଦେଶରେ ଶୁଣିବାକୁ ମିଳେ। ଯଦି ଆମେରିକାର ଶାସନ ବ୍ୟବସ୍ଥା ଏହି ତିନି ଉପାଖ୍ୟାନକୁ ବାଦ ଦେଇଦେବ ତେବେ କୌଣସି ଆଫ୍ରିକୀୟ ବା ଏସୀୟ ଦେଶଠାରୁ ବି ଏହି ଦେଶ ଦୁର୍ବଳ ଓ ଗୌଣ ହୋଇଯିବ।
ଗୋଟିଏ ଧର୍ମ ବିରୁଦ୍ଧରେ ଆମେରିକୀୟ ରାଷ୍ଟ୍ର ଶକ୍ତି ଠିଆ ହୋଇଥିଲା। ଏଥିରେ ବଳି ପଡ଼ିଲେ ସେହି ଧର୍ମକୁ ବିଶ୍ଵାସ କରୁଥିବା ଅନେକ ସରଳ ଓ ନିରୀହ ପୁରୁଷ ଓ ନାରୀ। ସେହି ଦେଶରେ ନ୍ୟୁୟର୍କବାସୀ ପୁଣି ମାମଦାନୀଙ୍କୁ ନିର୍ବାଚିତ କରିବା ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟର ବିଷୟ।
ଆମେ ଭାରତରେ ମଧ୍ୟ ଇସଲାମ-ଭୟର ପ୍ରଭାବ ଦେଖୁଛୁ। ଭାରତରେ ୨୦୦୨ ମସିହାରେ ଗୁଜୁରାଟରେ ମୁସଲିମ ଗଣହତ୍ୟା ହୋଇଥିଲା। ପ୍ରାୟ ୧୦,୦୦୦ ମୁସଲମାନଙ୍କୁ ଗୁଜୁରାଟର ବିଭିନ୍ନ ସହରରେ ହତ୍ୟା କରାଯାଇଥିଲା ଅନେକଙ୍କ ଗୃହକୁ ଜାଳି ଦିଆଯାଇଥିଲା, ଅନେକ ମହିଳାଙ୍କ ପ୍ରତି ଦୁଷ୍କର୍ମ କରାଯାଇଥିଲା।
୨୦୧୫ ମସିହା ସେପ୍ଟେମ୍ବର ୨୮ ତାରିଖ। ଏହି ଦିନ ଉତ୍ତର ପ୍ରଦେଶର ନୋଏଡ଼ା ନିକଟସ୍ଥ ଦାଦ୍ରି ଗାଁରେ ହଠାତ ୫୦ରୁ ଅଧିକ ଗ୍ରାମବାସୀ ମହମ୍ମଦ ଅଖଲାକଙ୍କୁ ତାଙ୍କ ଘରେ ଗୋମାଂସ ରଖିଥିବା ଅଭିଯୋଗରେ ପିଟିପିଟି ମାରିଦେଲେ। ‘ସିଟିଜେନ୍ସ ଫର ଜଷ୍ଟିସ ଆଣ୍ଡ ପିସ’ର ତଥ୍ୟ ଅନୁସାରେ କାହାର ଘର ମଧ୍ୟରେ ଜବରଦସ୍ତି ପଶି ଗୋମାଂସ ରଖିବା ଆଳରେ କାହାରିକୁ ହତ୍ୟା କରିବା ଦେଶ ମଧ୍ୟରେ ତାହା ଥିଲା ପ୍ରଥମ ଘଟଣା। ମହମ୍ମଦ ଅଖଲାକ ଜଣେ ଗରିବ କମାର ଥିଲେ। ତାଙ୍କ ହତ୍ୟାକାରୀମାନେ ପରେ ନିର୍ଦ୍ଦୋଷରେ ଖଲାସ ହୋଇଯାଇଥିଲେ।
ଏହି ଠାରୁ ଗୋମାଂସ ନାମରେ ଆକ୍ରମଣ ଭାରତରେ ଆରମ୍ଭ ହେଲା। ହରିୟାନାର ପେହେଲୁ ଖାଁଙ୍କୁ ୨୦୧୭ ମସିହାରେ ଗୋରକ୍ଷକମାନେ ରାଜସ୍ଥାନର ଅଲୱାର ଠାରେ ହତ୍ୟା କରିଥିଲେ। ବିଡ଼ମ୍ବନା ଯେ ନିକଟରେ ଅଲୱାର କୋର୍ଟ ଛଅ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି।
ପୁନେର ଇଞ୍ଜିନିୟର ମହସିନ ସାଦିକଙ୍କୁ ୨୦୧୪ ମସିହାରେ ମସଜିଦରୁ ବାହାରୁଥିବା ବେଳେ ହିନ୍ଦୁ ରାଷ୍ଟ୍ର ସେନାର କର୍ମୀଙ୍କ ଦ୍ଵାରା ହତ୍ୟା କରାଯାଇଥିଲା। ପରେ ପୁନେ କୋର୍ଟ ସମସ୍ତ ୨୦ ଜଣ ହତ୍ୟାକାରୀଙ୍କୁ ମୁକ୍ତ କରିଥିଲେ। ଅତି ବୀଭତ୍ସ ଥିଲା ଝାଡ଼ଖଣ୍ଡର ତବ୍ରେଜ ଅନଶରୀର ହତ୍ୟା। ସେ ଅନାଥାଶ୍ରମର ବାସିନ୍ଦା ଥିଲେ। ତାଙ୍କର ବିବାହର ପରଦିନ ତାହାଙ୍କୁ ‘ଜୟ ଶ୍ରୀରାମ’ ‘ଜୟ ହନୁମାନ’ କହିବାକୁ ବାଧ୍ୟ କରିବା ଓ କହିବା ସତ୍ତ୍ୱେ ତାଙ୍କୁ ପିଟି ପିଟି ହତ୍ୟା କରିବା ବୀଭତ୍ସ ମାନସିକତାର ଉଦାହରଣ।
ମହମ୍ମଦ ଅଖଲାକ, ତବ୍ରେଜ ଅନଶରୀ, ପେହେଲୁ ଖାଁ ଓ ମହସିନ ସାଦିକଙ୍କ ହତ୍ୟା ଯେତିକି ଘୃଣ୍ୟ ଥିଲା ଏହି ସମସ୍ତ ଅପରାଧରେ ଅପରାଧୀମାନେ ଖଲାସ ହୋଇଯିବା ମଧ୍ୟ ସେତିକି ଦୁଃଖର ବିଷୟ ଥିଲା।
ଏଭଳି ଏକ ଘୃଣାର ପରିବେଶ ଭିତରେ ସମାନତା ଓ ନ୍ୟାୟ ପାଇଁ ଆମର ଲଢ଼େଇ ଜାରି ରଖିବା ଆମର ମାନବିକତାକୁ ବଞ୍ଚାଇ ରଖିବା ସହିତ ସମାନ। ଆଶା କରିବା ଯେ ଭାରତରେ ମଧ୍ୟ ଅନେକ ଲୋକ ଇସଲାମ-ଭୟରୁ ନିଜକୁ ମୁକ୍ତ କରିବେ ଓ ଘୃଣାକୁ ବିରୋଧ କରିବେ।
କିନ୍ତୁ ଏହା ସହଜ ନୁହେଁ। ଆମେରିକା ଲାଗି ସକାରାତ୍ମକ ସ୍ଥିତି ହେଲା ଯେ ସେଠାରେ କଟ୍ଟର ଧର୍ମବାଦୀ ସଂଗଠନ ନାହିଁ। ଭାରତରେ ଧର୍ମ ନାମରେ ଘୃଣାର ରାଜନୀତି ଏଭଳି ସଂଗଠନ କରିଥାନ୍ତି। ଏଭଳି ସଂଗଠନ ପାଇଁ ଭାରତୀୟତା ଆଦୌ ପ୍ରସଙ୍ଗ ନୁହେଁ ବରଂ ହିନ୍ଦୁ-ଭାରତୀୟ ଏହାର ପ୍ରସଙ୍ଗ। ଆଦାନୀ ଓ ଆମ୍ବାନୀଙ୍କ ପାଖରେ ଧନ ଠୁଳ ହେବା, ପରିବେଶ ଧ୍ଵଂସ ହେବା, ଉତ୍ତରାଖଣ୍ଡରେ ଭୁସ୍ଖଳନ, ଅନାହାର ମୃତ୍ୟୁ, ବେରୋଜଗାରେ ହେତୁ ଭାରତୀୟ ଯୁବକ ଆତ୍ମହତ୍ୟା ଇତ୍ୟାଦି ଘଟଣା ଏମାନଙ୍କ ପାଇଁ ଚିନ୍ତାର ବିଷୟ ନୁହେଁ। କିନ୍ତୁ ମହମ୍ମଦ ଅଖଲାକ ଓ ତବ୍ରେଜ ଅନଶରୀଙ୍କ ଭଳି ଗରିବ ମୁସଲମାନ ଗୋମାଂସ ଖାଇବା ବହୁତ ବଡ଼ ପ୍ରସଙ୍ଗ। ଭାରତୀୟ ରାଷ୍ଟ୍ର ବ୍ୟବସ୍ଥାର ସମସ୍ତ ସହଯୋଗ ଏଭଳି କଟ୍ଟର ସଂଗଠନ ସହିତ ରହିଛି। କାରଣ ସେମାନଙ୍କର ବାହାନା ହେଉଛି ‘ନିସ୍ଵାର୍ଥ ସେବା’ ଓ ‘ଚରିତ୍ର ନିର୍ମାଣ’। ତେଣୁ ଭାରତରେ ଏତେ ଶୀଘ୍ର ପରିବର୍ତ୍ତନ ଯେ ଆସିବ ସେ ସମ୍ଭାବନା ଦେଖାଯାଉନାହିଁ।
ମାମଦାନୀଙ୍କ ନିର୍ବାଚନ ପ୍ରତିଶୃତି ରହିଛି ଯେ ସେ ନିଜର କାର୍ଯ୍ୟକାଳ ମଧ୍ୟର ସମସ୍ତ ନିୟୁର୍କବାସୀଙ୍କ ଲାଗି ଗୃହ, ସମସ୍ତଙ୍କ ପାଇଁ ସୁରକ୍ଷିତ ଜୀବନ ଆଣିବେ। ତାଙ୍କର ପ୍ରତିଶୃତି ଯେ ଏଣିକି ଘରମାଲିକମାନେ ମନଇଛା ଭଡ଼ା ବୃଦ୍ଧି କରିପାରିବେ ନାହିଁ। ସେ ବସଯାତ୍ରୀ ଭଡ଼ା ଛାଡ଼ କରିବେ ଓ ଛଅ ସପ୍ତାହରୁ ପାଞ୍ଚ ବର୍ଷର ପିଲାଙ୍କୁ ଚିକିତ୍ସା ମାଗଣାରେ ଉପଲବ୍ଧ କରାଇବେ। ଏହା ଯେ କେତେଦୂର ସମ୍ଭବ ହେବ ତାହା ମାମଦାନୀ ଓ ଆମେରିକାର ଅର୍ଥବ୍ୟବସ୍ଥା ଉପରେ ନିର୍ଭର କରୁଛି।
ମାତ୍ର ଆମ ପାଇଁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ସାଧାରଣ ଆମେରିକାବାସୀ କର୍ପୋରେଟ ଅର୍ଥନୀତିର ଶ୍ରେଷ୍ଠରେ ଥାଇ ବି ଦାରିଦ୍ର୍ୟ, ବାସସ୍ଥାନ ଓ ସ୍ୱାସ୍ଥ୍ୟ ଇତ୍ୟାଦି ସମସ୍ୟା ଭୋଗୁଛନ୍ତି। ଆମେରିକା ସମ୍ପର୍କରେ ଯେଉଁ ସୁନା ଚାମୁଚର ଚିତ୍ର ପଶ୍ଚିମ ଗଣମାଧ୍ୟମମାନେ ଆମକୁ ଦେଇଛନ୍ତି ତାହା ସଂପୂର୍ଣ୍ଣ ଭୁଲ। ଏହା ମାମଦାନୀଙ୍କ ପ୍ରତିଶୃତିରୁ ବେଶ ସ୍ପଷ୍ଟ।
କର୍ପୋରେଟ ଅର୍ଥନୀତି ହେଲା ଜନସାଧାରଣଙ୍କ ସଞ୍ଚିତ ଅର୍ଥରେ ଜଣେ ଦୁଇ ଜଣ ବିଲିୟୋନେୟାର ଓ ଅନେକ ସଂଖ୍ୟକ ବାସହୀନ ମଣିଷ ସୃଷ୍ଟି କରିବା- ମାମଦାନୀଙ୍କ ନିର୍ବାଚନ ପ୍ରତିଶୃତି ଠାରୁ ଏହାର ଆଉ କ’ଣ ବଡ଼ ପ୍ରମାଣ ରହିଛି!
ମୋବାଇଲ- ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/12/zohran-mamdani-2025-11-12-11-33-34.jpg)