ଓଡ଼ିଶା ନିର୍ବାଚନ ରାଜନୀତି: ଏବେ ‘ବୁଝାମଣା’, ଆଗକୁ ଜମିବ ଖେଳ!

କେବଳ ରାଜନୀତି ନୁହେଁ, ଭାରତୀୟ ସମାଜତତ୍ତ୍ୱରେ ସଫଳତାର ଏକ ପ୍ରମୁଖ ଫର୍ମୁଲା ହେଉଛି ‘ବୁଝାମଣା’। ଆଉ ଲୋକତନ୍ତ୍ରରେ ନେତୃତ୍ୱର ସଫଳତା ପାଇଁ ଏହା ଅପରିହାର୍ଯ୍ୟ ବୋଲି କୁହାଯାଏ। ଜାତୀୟ ହେଉ କି ଆଞ୍ଚଳିକ ଦଳ, ଗତ ତିନି ଦଶନ୍ଧିର ରାଜନୀତିକ ଦୃଶ୍ୟପଟ୍ଟରେ ଜନାଦେଶ ଓ କ୍ଷମତା ପାଇଁ ଏହି ‘ବୁଝାମଣା’ର ପ୍ରୟୋଗ ବେଶ୍‌ ସ୍ପଷ୍ଟ। ଓଡ଼ିଶା ରାଜନୀତିରେ ଏହି ‘ବୁଝାମଣା’ର ଛାପ ମଧ୍ୟ କିଛି ଅଛପା ନୁହେଁ। ଅଶୀ ଦଶକ ଶେଷ ଭାଗରେ ‘ଭିପି ସିଂହ ହାୱା’ରୁ […]

1

Premananda Dash
  • Published: Saturday, 08 December 2018
  • , Updated: 08 December 2018, 07:42 PM IST

କେବଳ ରାଜନୀତି ନୁହେଁ, ଭାରତୀୟ ସମାଜତତ୍ତ୍ୱରେ ସଫଳତାର ଏକ ପ୍ରମୁଖ ଫର୍ମୁଲା ହେଉଛି ‘ବୁଝାମଣା’। ଆଉ ଲୋକତନ୍ତ୍ରରେ ନେତୃତ୍ୱର ସଫଳତା ପାଇଁ ଏହା ଅପରିହାର୍ଯ୍ୟ ବୋଲି କୁହାଯାଏ। ଜାତୀୟ ହେଉ କି ଆଞ୍ଚଳିକ ଦଳ, ଗତ ତିନି ଦଶନ୍ଧିର ରାଜନୀତିକ ଦୃଶ୍ୟପଟ୍ଟରେ ଜନାଦେଶ ଓ କ୍ଷମତା ପାଇଁ ଏହି ‘ବୁଝାମଣା’ର ପ୍ରୟୋଗ ବେଶ୍‌ ସ୍ପଷ୍ଟ। ଓଡ଼ିଶା ରାଜନୀତିରେ ଏହି ‘ବୁଝାମଣା’ର ଛାପ ମଧ୍ୟ କିଛି ଅଛପା ନୁହେଁ।

ଅଶୀ ଦଶକ ଶେଷ ଭାଗରେ ‘ଭିପି ସିଂହ ହାୱା’ରୁ ଜନ୍ମ ନେଇଥିବା ଜନତା ଦଳ (ଜନତା ପାର୍ଟିର ନୂଆ କଳେବର)ର ଜାତୀୟ ନେତାଏ ଉଭୟ ବିଜେପି ଓ କମ୍ୟୁନିଷ୍ଟ୍‌ଙ୍କ ସହ ‘ବୁଝାମଣା’ କରି କେନ୍ଦ୍ରର ରାଜୀବ ଗାନ୍ଧିଙ୍କ କଂଗ୍ରେସକୁ କ୍ଷମତାଚ୍ୟୁତ କରିବାରେ ସଫଳ ହୋଇଥିଲେ। ପାୱାର୍‌ କରିଡର୍‌କୁ କମ୍‌ବ୍ୟାକ୍‌ ପାଇଁ ଏହି ‘ବୁଝାମଣା’ ଫର୍ମୁଲା ରାଜ୍ୟରେ ନବେ ଦଶକର ବିଜୁ ବାବୁଙ୍କ ନେତୃତ୍ୱାଧୀନ ଜନତା ଦଳକୁ ଢେର୍ ସାହାଯ୍ୟ କରିଥିଲା। ପରସ୍ପର ମଧ୍ୟରେ ଚରମ ତିକ୍ତତା ଥାଇ ସୁଦ୍ଧା ଜାନକୀ ବାବୁ ଓ ବସନ୍ତ ବିଶ୍ୱାଳଙ୍କ ମଧ୍ୟରେ ‘ବୁଝାମଣା’ (ତତ୍କାଳୀନ ଜନତା ଦଳର କିଛି ନେତା ବି ସାମିଲ୍ ଥିଲେ !) ଯୋଗୁ ୯୫ ବେଳକୁ ସେହି ବିଜୁବାବୁ ଓଡ଼ିଶା କ୍ଷମତା ବଳୟରୁ ବାନପ୍ରସ୍ଥ ନେବାକୁ ବାଧ୍ୟ ହୋଇଥିଲେ। 

ରାଜ୍ୟରେ ବିଜେଡିର ଜନ୍ମ ଓ କ୍ଷମତା ଚୌକି ଅକ୍ତିଆର୍‌ ପଛରେ ଏକ ରାଜନୀତିକ ‘ବୁଝାମଣା’ ଯେ ନିର୍ଣ୍ଣାୟକ ହୋଇଥିଲା, ତାହା ଆଦୌ ଗୋପନୀୟ ନୁହେଁ। ନିକଟ-ଅତୀତରେ ‘ବୁଝାମଣା’ ରାଜନୀତିର ପ୍ରକୃଷ୍ଟ ଉଦାହରଣ ରଖିଥିଲେ ନବେ ଦଶକ ଶେଷରେ ବାଜପେୟୀଙ୍କ କେନ୍ଦ୍ରର ଏନ୍‌ଡିଏ ସରକାର। ଆଉ ଗତ ୧୭ ବର୍ଷ ହେଲା ସ୍ୱଚ୍ଛ ଓ କଠୋର ଭାବମୂର୍ତ୍ତିର ଧୋବ ଫରଫର କୁର୍ତ୍ତା ପାଇଜାମା ପିନ୍ଧିଥିବା ‘ବିଜେଡି ପୋଷ୍ଟର୍‌ବୟ’ ଏହି ‘ବୁଝାମଣା’ ଫର୍ମୁଲାରେ ହିଁ ନିଜ ଦଳର ହେଭିୱେଟ୍‌ଙ୍କୁ ବିଦା କରି ଅନ୍ୟ ଦଳରୁ ନେତା ସାଉଁଟି ଚାଲିଛନ୍ତି। କେହି କେହି ବିରୋଧୀ କହୁଛନ୍ତି ଯେ ଉଭୟ କଂଗ୍ରେସ ଓ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ‘ବୁଝାମଣା’ କରି ନବୀନ୍‌ ଢେର୍‌ ବର୍ଷ ହେଲା ରାଜ୍ୟ ରାଜନୀତିର ଗତିବିଧିକୁ ସଫଳତାର ସହିତ ‘ମ୍ୟାନେଜ୍‌’ କରୁଛନ୍ତି।

ଡିସେମ୍ବର ଶେଷ ବେଳକୁ ଚୂଡ଼ାନ୍ତ 'ବୁଝାମଣା' !

ରାଜ୍ୟରେ ସାଧାରଣ ନିର୍ବାଚନ ଆଉ ପାଖାପାଖି ସାଢେ ୩ ମାସ ବାକି ଥିବାବେଳେ ଆଗାମୀ ୫ ବର୍ଷ ସ୍ଥିତି ଜାହିର୍‌ ପାଇଁ ଏହି ‘ବୁଝାମଣା’ର ଫର୍ମୁଲା ରାଜ୍ୟ ରାଜନୀତି ପାଇଁ ଏବେ ସମୟର ଏକ ଆହ୍ୱାନ ସାଜିଛି। ଏମିତି ବି ଆଗାମୀ ସପ୍ତାହ ଉଭୟ ଦେଶ ଓ ରାଜ୍ୟ ରାଜନୀତି ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ୍‌ରେ ବିଧାନସଭା ନିର୍ବାଚନ ଫଳ ଆସନ୍ତା ୧୧ରେ ପ୍ରକାଶ ପାଇବ। ଏହି ରେଜଲ୍ଟ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତୁଳନାରେ ବିଜେପି ପାଇଁ ଅଧିକ ଗୁରୁତ୍ୱ ବହନ କରୁଛି। ଏହି ଫଳ ଆସିବା ପରେ ମୋଦି ଓ ଶାହଙ୍କ ବିଜେପି ନୂଆଦିଲ୍ଲୀ ଗାଦି ପୁନଃଦଖଲ ଅଭିଯାନରେ ‘ବୁଝାମଣା’ର ନୂଆ ଛୁଙ୍କ ଦେବାର ଯୋଜନା କରିପାରେ। ସେହିପରି ଡିସେମ୍ବର ୧୬ରେ ‘ହକି ବିଶ୍ୱକପ୍‌’ର ତଥାକଥିତ  'ଜ୍ୱର' ଉତୁରିଯିବା ପରେ ମାସ ଶେଷ ବେଳକୁ ଓଡ଼ିଶାରେ ବିଭିନ୍ନ ରାଜନୈତିକ ‘ବୁଝାମଣା’ ଚୂଡ଼ାନ୍ତ ରୂପ ନେବାର ସମ୍ଭାବନା ରହିଛି।

ପ୍ରଥମେ ଆସିବା ଶାସକ ବିଜେଡିର ଏପରି ସମ୍ଭାବ୍ୟ ‘ବୁଝାମଣା’ ପ୍ରସଙ୍ଗକୁ। ଯିଏ ଯେତେ ଦୃଢ଼ ଭାବେ କୁହନ୍ତୁ ପଛେ, ରାଜ୍ୟରେ ପଞ୍ଚମଥର କ୍ଷମତାକୁ ଆସିବା ପାଇଁ ବିଜେଡିକୁ ଏଥର ଝାଳନାଳ  ଉଦ୍ୟମ କରିବାକୁ ପଡ଼ିବ। ‘ଟଙ୍କିକିଆ ଚାଉଳ’ର ତେଜ କମି ଆସୁଥିବାରୁ କେତେ ଆସନରେ ଜିତିବେ, ସେନେଇ ଶାସକ ଦଳର ମୁଣ୍ଡ ଓ ତୁଣ୍ଡମାନେ କୌଣସି ଗ୍ୟାରେଣ୍ଟି ଦେବା ମୁଡ୍‌ରେ ନାହାନ୍ତି। ଆଗକୁ ଜିତିବା ପାଇଁ ଏବର କ୍ରେଜ୍‌ ଯଥେଷ୍ଟ ନୁହେଁ ବୋଲି ନିଶ୍ଚିତ ହେବା ପରେ ହିଁ ବିଜେଡି ଶିବିର ନିଜ ଲୋକପ୍ରିୟତାର ଭାବମୂର୍ତ୍ତିକୁ ସୁରକ୍ଷା ଦେବା ପାଇଁ ‘ଶାହାରୁଖ୍‌’, ‘ସଲମାନ୍‌’ ଓ ମହିଳା ସଂରକ୍ଷଣ ଭଳି କାର୍ଡ ଖେଳିବାକୁ ଏକପ୍ରକାର ବାଧ୍ୟ ହୋଇଛି। ସେହିପରି ଶଙ୍ଖ-ସୁପ୍ରିମୋ ତାଙ୍କ ଚିରାଚରିତ ଢଙ୍ଗରେ କଂଗ୍ରେସ ଓ ବିଜେପିର କିଛି ରାଜ୍ୟ ହେଭିୱେଟ୍‌ଙ୍କୁ ବିଜେଡିକୁ ଆଣିବା ପାଇଁ ‘ବୁଝାମଣା’ର ବ୍ଲୁ ପ୍ରିଣ୍ଟ୍‌ ହାତରେ ଧରି ବେଳ ଓ କାଳର ଅପେକ୍ଷାରେ ଅଛନ୍ତି। କଂଗ୍ରେସ ନିଜ ସ୍ଥିତି ରକ୍ଷା ପାଇଁ ଏହି ‘ବୁଝାମଣା’ର ଫର୍ମୁଲାକୁ ଆପଣାଇ ସାରିଲାଣି ଏବଂ ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ ଓ ଫଳପ୍ରଦ କରିବାର ଲକ୍ଷ୍ୟ ରଖିଛି।

‘ବିଭୀଷଣ’ମାନଙ୍କ ଜରିଆରେ ଶଙ୍ଖପତିଙ୍କୁ ଚେକ୍‌ମେଟ୍‌!

କିନ୍ତୁ ଓଡ଼ିଶା ବିଜେପି ତଥା ରାଜ୍ୟର ଅନ୍ୟ କିଛି ବରିଷ୍ଠ ରାଜନେତାଙ୍କ ଏହି ‘ବୁଝାମଣା’ର ଫର୍ମୁଲା ଏଯାଏ ପ୍ରାୟତଃ ଅସ୍ପଷ୍ଟ ରହିଛି, ଯାହା ଡିସେମ୍ବର ଶେଷ ବା ଜାନୁଆରୀ ପ୍ରଥମ ସପ୍ତାହକୁ ଏକ ନିର୍ଦ୍ଦିଷ୍ଟ ଦିଶା ନେବାର ଆଶା ରହିଛି। ଗତ ଦୁଇଟି ନିର୍ବାଚନରେ ନିଜ ଭୋଟ୍‌ ହାରକୁ ରାଜ୍ୟ ବିଜେପି ବୃଦ୍ଧି କରିଛି ସତ, କିନ୍ତୁ ଏହି ବର୍ଦ୍ଧିତ ଭୋଟ ହାର ଯେ ରାଜ୍ୟର କ୍ଷମତା ଦଖଲ ପାଇଁ ଯଥେଷ୍ଟ, ତାକୁ ନେଇ କିଛି ସଂଶୟ ଅବଶ୍ୟ ରହିଛି। ପଞ୍ଚାୟତ ନିର୍ବାଚନରେ ବିଜେପିକୁ ମିଳିଥିବା ଜନସମର୍ଥନରୁ ସିଂହଭାଗ ସାଧାରଣ ନିର୍ବାଚନକୁ କାଏମ ରହିଲେ, ଶାସକ ଦଳର ଗୋଟିଚାଳନା ଯେ ମାଟି କାମୁଡ଼ିବ, ତାହା ଥୟ। କିନ୍ତୁ ଏଥିପାଇଁ ରାଜ୍ୟ ପଦ୍ମଦଳକୁ ରାଜ୍ୟର କୋଣ ଅନୁକୋଣରେ କିଛି ସ୍ଥାନୀୟ ନେତା ଓ ସଂଗଠନ ସହ ବୁଝାମଣା କରିବାକୁ ନିଶ୍ଚୟ ପଡ଼ିବ। ଏବେବି ଶାସକ ଦଳ ବିରୋଧରେ ଅସନ୍ତୋଷର ପଲା ଭାରୀ ରହିଛି ଏବଂ ଏହାକୁ ଭୋଟ୍‌ ବୁଥ୍‌କୁ ଆଣିବା ସହ ସରକାରୀ ଦଳର ପ୍ରାର୍ଥୀଙ୍କୁ ମାଟି କାମୁଡ଼ାଇବାକୁ ବିଜେପି ନେତୃତ୍ୱଙ୍କୁ ଅଧିକ ‘ବୁଝାମଣା’ କରିବାକୁ ନିହାତି ଦରକାର ପଡ଼ିବ।

ପ୍ରମୁଖ ଦଳ ଗୁଡ଼ିକ ବାଦ୍‌ ରାଜ୍ୟର ଅଙ୍ଗୁଳି ଗଣତି କେତେକ ରାଜନେତା ନିର୍ଦ୍ଦିଷ୍ଟ କିଛି ଆସନ ଓ ଜିଲ୍ଲା ଭିତ୍ତିରେ ‘ବୁଝାମଣା’ କରିବାକୁ ଅଣ୍ଟା ଭିଡ଼ିଥିବାରୁ ଓଡ଼ିଶା ‘ରାଜନୀତିର ଗତି’ ଏମାନଙ୍କ ଗୋଟି ଚାଳନାକୁ ଅପେକ୍ଷା କରିବ। ବିଶେଷ କରି, ନିଜସ୍ୱ ଜନସଂପର୍କ ଓ ସଂଗଠନ ସହ ଶାସକ ଦଳର ‘ବିଭୀଷଣ’ଙ୍କ ଜରିଆରେ ଏହି ନେତାମାନେ ନବୀନ୍‌ଙ୍କୁ ଚେକ୍‌ମେଟ୍‌ର ବ୍ଲୁପ୍ରିଣ୍ଟ୍‌ ଚୂଡ଼ାନ୍ତ କରିପାରନ୍ତି। ଏମାନଙ୍କ ସହିତ ଜାତୀୟ ସ୍ତରର କିଛି ଶକ୍ତିଙ୍କ ସହ ଅଦୃଶ୍ୟ ‘ବୁଝାମଣା’ର ସମ୍ଭାବନା ବି ରହିଛି। ଏହା ବ୍ୟତୀତ ଆଉ କିଛି ରାଜନେତାଙ୍କ ନୂଆ ନିଷ୍ପତ୍ତି ମଧ୍ୟ ଏପରି କିଛି ରାଜନୈତିକ ‘ବୁଝାମଣା’ର ଆଧାରରେ ହୋଇପାରେ।  

ଫାଳ ଫାଳ ହୋଇଯିବ ଶଙ୍ଖ !

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଏବେ ଅସମ୍ଭବ ମନେ ହେଉଥିବା ଏକ ଉଚ୍ଚାକାଂକ୍ଷୀ ସମୀକରଣକୁ ନେଇ ଏବେ ରାଜ୍ୟ ପାୱାର୍‌ କରିଡର୍‌ରେ ଚାଲିଥିବା ଚର୍ଚ୍ଚା କିଛି ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି। କୁହାଯାଉଛି, ଆଗାମୀ ନିର୍ବାଚନରେ ବିଜେଡି ରାଜ୍ୟର ସଂଖ୍ୟାଗରିଷ୍ଠ ଦଳ ହୋଇପାରେ, କିନ୍ତୁ ୧୯ରେ ସରକାର ଗଢ଼ିବା ପୂର୍ବରୁ ଶଙ୍ଖ ଫାଳ ଫାଳ ହୋଇ ରାଜ୍ୟ ରାଜନୀତିରୁ ଏକରକମ ନିଶ୍ଚିହ୍ନ ହୋଇଯିବ। ଅର୍ଥାତ୍‌ ବିଜେଡିର ଏକ ବଡ଼ ଅଂଶ, ଶଙ୍ଖ ଚିହ୍ନରେ ନିର୍ବାଚନ ଲଢ଼ି ଜିତି ପାରନ୍ତି କିନ୍ତୁ ଏମାନେ ଘରଡ଼ିଆଁ ସାଜିବାର ଆଶଙ୍କା ଅଧିକ। ‘ମେ ମିଡ୍‌ ନାଇଟ୍‌’ରେ ପ୍ୟାରୀବାବୁ ପାରି ନଥିବା ଉଦ୍ୟମକୁ ଏଥର ଏପ୍ରିଲ୍‌ ବେଳକୁ ସାକାର କରିବା ପାଇଁ ନିକଟ ଅତୀତରେ ବିଜେଡିକୁ ‘ଆମଦାନୀ’ ହୋଇଥିବା କିଛି ନେତାଏ କୁଆଡ଼େ ଏଥିପାଇଁ ଆଡ୍‌ଭାନ୍ସ ବି ନେଇ ସାରିଛନ୍ତି। ଯଦୁବଂଶର ଗୋଷ୍ଠୀ ବିବାଦ ଭଳି ବିଜେଡିରେ ଏବେ ଉତ୍କଟ ହୋଇଥିବା ଅନ୍ତର୍ଦ୍ୱନ୍ଦ୍ୱକୁ ଯିଏ ପାଖରୁ ଦେଖୁଛନ୍ତି, ଏହି ଆକଳନକୁ କିଛିଟା ଗୁରୁତ୍ୱ ଅବଶ୍ୟ ଦେଉଛନ୍ତି।

କଂଗ୍ରେସ ସମର୍ଥନରେ ରାଜ୍ୟସଭା ଯିବେ ଦାମ ! 

ସେହିପରି ଏହି ରାଜନୈତିକ ‘ବୁଝାମଣା’ର ଏକ ଅଂଶ ଭାବେ ‘ବିଜୁ ସମତା କ୍ରାନ୍ତି’ ଦଳର ପ୍ରତିଷ୍ଠାତା ଡାକ୍ତର ଦାମୋଦର ରାଉତ ଆଗାମୀ ବିଧାନସଭା ପାଇଁ ଲଢ଼ିବେ ନାହିଁ। ଅନୁଗତରୁ ଶତ୍ରୁ (ଏବେ ମିତ୍ର!) ସାଜିଥିବା ନିଜ ହାତଗଢ଼ା ‘ବାପି’ଙ୍କୁ ବନ୍ଦର ନଗରୀରେ ହାତ ଦଳର ପ୍ରାର୍ଥୀ କରାଇ ଦାମୋଦର କଟକରୁ ଗଡ଼ ଚେଞ୍ଜ୍‌ ମୁଡ୍‌ରେ ଥିବା ‘ଋଷି’ଙ୍କୁ ଚେକ୍‌ ଦେବେ। ଏହା ସହ ତିର୍ତ୍ତୋଲ୍‌ ଓ ଏରସମାରେ ଦାମଙ୍କ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ ଦେଇ ଶାସକ ଦଳକୁ ମାତ୍‌ ଦେବାରେ ସଫଳ ହେଲେ ‘ରାଜ୍ୟସଭା’କୁ ଫ୍ଲାଇଟ୍‌ ଧରିବା ପାଇଁ ଦାମବାବୁ ‘ବୁଝାମଣା’ କରିଥିବା କୁହାଯାଉଛି। ସେହି ଏକା ଫର୍ମୁଲାରେ ଜର୍ଜ ତିର୍କୀ କଂଗ୍ରେସକୁ ଆସିଛିନ୍ତି ଏବଂ ନିରଞ୍ଜନଙ୍କ ନେତୃତ୍ୱକୁ ନିର୍ବାଚନ ଯାଏ ‘ମୁକ୍ତ ହସ୍ତ’ ସମର୍ଥନ ଦେବାର ବୁଝମଣାରେ ଶ୍ରୀକାନ୍ତ ଜେନା ପିସିସି ଇସ୍ତାହାର କମିଟିରୁ ବିଦା ହୋଇଛନ୍ତି।

ଏବେ ନବୀନ୍‌ଙ୍କ ବିଜେଡିର କିଛି ନେତା ବିଜେପି ଓ ଅନ୍ୟଏକ ଗୋଷ୍ଠୀ ସହ ଏପରି ନିର୍ବାଚନୀ ‘ବୁଝାମଣା’ର ଅପେକ୍ଷା କରିଛନ୍ତି, ଯାହା ଚୂଡ଼ାନ୍ତ ହେଲେ ସେମାନେ ବିଭିନ୍ନ କାରଣରୁ ପ୍ରତିଶୋଧ ପାଇଁ ଦୀର୍ଘଦିନ ଧରି ଖୋଜୁଥିବା ସୁଯୋଗକୁ ସାକାର କରିବାରେ ସଫଳ ହେବେ। ଏପରି ‘ବୁଝାମଣା’ରୁ ନଗଦ କିଛି ଚୂଡ଼ାନ୍ତ ହେଲେ ଆଗକୁ ଅସଲ ନିର୍ବାଚନୀ ଖେଳ ବେଶ୍ ଜମିବା ଆଶା କରାଯାଉଛି।

Related story