Advertisment

ଏକ ରାଜନୈତିକ ବିପର୍ଯ୍ୟୟ ଓ ଉତ୍ତୀର୍ଣ୍ଣ ହେବାର ସଂକଳ୍ପ

କେବଳ ଗୋଟିଏ ବିକଳ୍ପ ଭାବେ ଅନ୍ୟ ଏକ ରାଜନୈତିକ ଦଳ ମୁଣ୍ଡ ଟେକି ଉଠିଲେ ହୁଏତ ବିଜେଡିର ବିଦ୍ରୋହୀମାନେ ସେଥିରେ ସାମିଲ ହୋଇ ଆଗକୁ ପାଦ ବଢ଼ାଇବାର ବିଚାର କରିପାରନ୍ତେ।

Pandian With Naveen And Other BJD Leaders

Pandian With Naveen And Other BJD Leaders

Advertisment

ପଞ୍ଚାନନ କାନୁନ୍‌ଗୋ

ରାଜ୍ୟରେ ବର୍ତ୍ତମାନ ଏକ ସାଙ୍ଘାତିକ ଚର୍ଚ୍ଚାର ଝଡ଼ ଉଠିଛି। ତାହା ହେଉଛି ବିଜୁ ଜନତା ଦଳରେ ନିର୍ବାଚନ ପୂର୍ବରୁ ଯୋଗ ଦେଇଥିବା ଭି.କେ. ପାଣ୍ଡିଆନ୍‍ଙ୍କ ଉପସ୍ଥିତିକୁ ନେଇ। ଏବେ ମଧ୍ୟ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଭାବେ ସର୍ବତ୍ର ରହିଥିବାର ଦେଖାଯାଉଛି। ଯଦିଓ ଶ୍ରୀ ପାଣ୍ଡିଆନ୍‍ ରାଜନୀତିରୁ ଅପସରି ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି ତଥାପି ବିଜେଡିର ନେତା ଓ କର୍ମୀମାନେ ଏହାକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ଅଧିକନ୍ତୁ ରାଜନୀତିରେ ମନ ରଖିଥିବା ବିଚାରକମାନେ ମଧ୍ୟ ଶ୍ରୀ ପାଣ୍ଡିଆନଙ୍କ ବିନା ପରାମର୍ଶରେ ନବୀନବାବୁ ଯେ କିଛି କାମ କରୁଛନ୍ତି ସେପରି ଭାବିବାକୁ ପ୍ରସ୍ତୁତ ନୁହନ୍ତି।

Advertisment

ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପରାଜୟ ସ୍ଥିତପ୍ରଜ୍ଞ ନେତା ନବୀନ ପଟ୍ଟନାୟକଙ୍କୁ ଯେ ବାଧିନଥିଲା ତା’ନୁହେଁ, ସେ ସବୁକୁ ସେ ନିଜେ ନିଜ ଭିତରେ ଚାପି ରଖି ବାହାରକୁ ଅନ୍ୟ ଏକ ଭାବ ଦେଖାଇବାରେ ଜବରଦସ୍ତ ଅଭ୍ୟସ୍ତ ଥିଲେ। କିନ୍ତୁ ତାଙ୍କ ଦଳର ସମସ୍ତ ନେତାଙ୍କ ଠାରୁ କର୍ମୀ ପର୍ଯ୍ୟନ୍ତ ଏଥିରେ ଅତ୍ୟନ୍ତ ବିଚଳିତ ହୋଇପଡ଼ିଥିଲେ। କାରଣ ସେ କେବଳ କ୍ଷମତା ଭୋଗ କରି ଦୀର୍ଘଦିନ କାଳ ଶାସନରେ ରହି ଆସିଥିଲେ। ଏବେ କ୍ଷମତା ନଥିବାରୁ ଜଳ ବିହୁନେ ମାଛ ଯେପରି ଛଟପଟ ହୁଏ ସେପରି ହେବା ସ୍ୱାଭାବିକ ଥିଲା ଏବଂ ସେ ଅବସ୍ଥା ଏପରି ଉତ୍କଟ ହେଲା ଯେ ପରସ୍ପର ପରସ୍ପର ବିରୋଧରେ କହିବା ଆରମ୍ଭ କରିଦେଲେ। ଅଧିକାଂଶଙ୍କର ମତ ହେଲା ଯେ ଏ ବିପର୍ଯ୍ୟୟ ଶ୍ରୀ ପାଣ୍ଡିଆନ୍‍ଙ୍କ ପାଇଁ ଘଟିଲା।

କାହିଁକି କେଜାଣି ସେହି ନେତାମାନେ ନିର୍ବାଚାନ ପୂର୍ବରୁ ଯେତେବେଳେ ଭି.କେ. ପାଣ୍ଡିଆନ୍‍ ଏକାକୀ ବିଜେପି ନେତା ଅମିତ ଶାହାଙ୍କୁ ଏକ ହୋଟେଲରେ ଭେଟିଥିଲେ ସେ ସମୟରେ କାହିଁକି ଭେଟିଥିଲେ ସେସବୁ ଜାଣିବା ପାଇଁ ଏହି ନେତାମାନେ କେବେ ବି ଇଚ୍ଛା ପ୍ରକାଶ କରିନଥିଲେ ବା ବାହାରେ ଏ ସଂପର୍କରେ କୌଣସି ମନ୍ତବ୍ୟ ଦେଇନଥିଲେ। ନିର୍ବାଚନରେ ଜିତିଥିଲେ ହୁଏତ ସମସ୍ତେ ଶ୍ରୀ ପାଣ୍ଡିଆନଙ୍କ ଚାରିପାଖରେ ରୁଣ୍ଡ ହୋଇ ତାଙ୍କୁ ଧନ୍ୟ ଧନ୍ୟ କହିଥାନ୍ତେ। ଏବେ ହାରିଯିବାର ମୁଖ୍ୟ କାରଣ ଓ କର୍ତ୍ତା ଭାବେ ଶ୍ରୀ ପାଣ୍ଡିଆନ୍‍ଙ୍କୁ ଦାୟୀ କରାଯାଉଛି। ହୁଏତ ଏହା ସତ୍ୟ ହୋଇପାରେ। ପାଣ୍ଡିଆନ୍‍ ଭାରତୀୟ ଜନତା ପାର୍ଟି ସହିତ ଗୋଟିଏ କୌଣସି ଭିତିରି ବୁଝାମଣା କରିଥାଇ ପାରନ୍ତି। କିନ୍ତୁ ତାହା ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଗୋଚରରେ ହୋଇଥିବ ସେ କଥା ଆଦୌ କହି ହେବ ନାହିଁ। ନବୀନବାବୁଙ୍କୁ ଯେଉଁମାନେ ଜାଣିଛନ୍ତି ସେ ଏ କଥାକୁ ଆଦୌ ବିଶ୍ୱାସ କରିବେ ନାହିଁ।

Advertisment

ଏବେ ୱାକଫ୍‍ ସଂଶୋଧିତ ବିଲ୍‌ରେ ମତଦାନକୁ ନେଇ ବିଜେଡିରେ ତୁମ୍ବିତୋଫାନ ଉଠିଛି। ଗୋଟିଏ ପକ୍ଷରେ ରାଜ୍ୟସଭାର ନେତା ସସ୍ମିତ ପାତ୍ରଙ୍କ ଏକ ମତ ଥିବାବେଳେ ଅନ୍ୟପକ୍ଷରେ ଅନ୍ୟତମ ରାଜ୍ୟସଭା ସଦସ୍ୟ ମୁନ୍ନା ଖାଁଙ୍କ ମନ୍ତବ୍ୟ ଭିନ୍ନ ଥିଲା ଏବଂ ଭୋଟ ମଧ୍ୟ ବିଭାଜିତ ହେଲା। ଏଥିରେ କିଛି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ଦାୟୀ କରିଥିବା ଦେଖାଯାଉଛି। ଯେଉଁମାନେ ନବୀନ ପଟ୍ଟନାୟକଙ୍କୁ ଜାଣିଛନ୍ତି ଏବଂ ତାଙ୍କର ରାଜନୈତିକ ଗୋଟି ଚାଳନା ସଂପର୍କରେ ଜାଣିଛନ୍ତି ସେମାନେ ନିଶ୍ଚୟ କହିବେ ଯେ ନବୀନବାବୁଙ୍କ ବିନା ପରାମର୍ଶରେ ସସ୍ମିତ ପାତ୍ର କିମ୍ବା ମୁନ୍ନା ଖାଁ ନିଜ ନିଜର ବକ୍ତବ୍ୟ କେବେ ବି ରଖିନଥିବେ। ସସ୍ମିତ ପାତ୍ର ନବୀନ ନିବାସରୁ ଯାଇଥିବା ନିର୍ଦ୍ଦେଶ ଅନୁସାରେ ସମସ୍ତ କଥା କହିଥିବା ପ୍ରକାଶ କରିଛନ୍ତି। ସେ ନବୀନ ନିବାସର ନିର୍ଦ୍ଦେଶଦାତା କିଏ? ଶ୍ରୀ ପାଣ୍ଡିଆନ୍‍ ନା ଶ୍ରୀ ନବୀନ ପଟ୍ଟନାୟକ? ପାଣ୍ଡିଆନ୍‍ ହୋଇଥିଲେ ବି ବିନା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସେ କହିନଥିବେ। ଏକପକ୍ଷରେ ନିଜକୁ ଧର୍ମ ନିରପେକ୍ଷ ବିଚାରରେ ବିଶ୍ୱାସୀ ବୋଲି କହୁଥିବା ବିଜୁ ଜନତା ଦଳ ଅନ୍ୟପକ୍ଷରେ ବିଜେପି ସହିତ ବାନ୍ଧି ହୋଇ ରହିଥିବା ପୁରୁଣା ସଂପର୍କକୁ ମଧ୍ୟ କେହି ଏଡ଼ାଇ ଯାଇପାରିବେ ନାହିଁ। ନବୀନବାବୁ ଉଭୟ ପକ୍ଷଙ୍କୁ ସନ୍ତୁଷ୍ଟ କରିବାର ରାଜନୈତିକ କୌଶଳ ସଂପର୍କରେ ବେଶ୍‍ ପରିଚିତ।

କେବଳ ଯେ ନିଜ ଦଳ ଭିତରେ ଦୁଇ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରି ରଖିବା ପାଇଁ ଏହା କରାଯାଇଥିଲା ବୋଲି ବିଚାର କରାଯାଇନପାରେ। ଏଥିସହିତ ସାରା ଦେଶରେ ଏକ ରାଜନୈତିକ ଚର୍ଚ୍ଚା ସବୁ ସ୍ତର ପର୍ଯ୍ୟନ୍ତ ବ୍ୟାପିଯିବାର କୌଶଳଟି ମଧ୍ୟ ଅବଲମ୍ବନ କରାଯାଇଛି। ଅଳ୍ପଦିନ ତଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‍ଙ୍କ ନିମନ୍ତ୍ରଣ କ୍ରମେ ନବୀନବାବୁଙ୍କ ପ୍ରେରିତ ନେତା ତାମିଲନାଡୁ ଯାଇଥିଲେ। ଏହା ଗୋଟିଏ ପକ୍ଷରେ ବିରୋଧୀ ଦଳମାନଙ୍କୁ କିଛି ସମୟ ପାଇଁ ସନ୍ତୁଷ୍ଟ କରି ରଖିବାର ଅଭିପ୍ରାୟ ହୋଇନଥିଲା ତ? ଅପରପକ୍ଷରେ ବିଜେପିକୁ ସମର୍ଥନ ଜଣାଇ ରାଜ୍ୟସଭାରେ ଭୋଟ ଦେବା ଉକ୍ତ ଦଳ ଓ ସରକାରକୁ ତାଙ୍କର ପୂର୍ବ ସଂପର୍କର ସୂଚନା ଦେଇଥାଏ। ଯେତେବେଳେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ଓ ବିଜେଡିର ଗଠବନ୍ଧନ ସରକାର ରାଜ୍ୟ ଓ କେନ୍ଦ୍ରରେ ଚାଲିଥିଲା ସେ ସମୟ କଥା ଭିନ୍ନ। କିନ୍ତୁ ୨୦୦୯ ପରେ ବିଜେପିର ହାତଛାଡ଼ି ବିଜେଡି ଏକାକୀ ଶାସନ କରିବା ପରଠାରୁ ନବୀନବାବୁ ଅତ୍ୟନ୍ତ ସୁଚିନ୍ତିତ ରଣକୌଶଳ ପ୍ରୟୋଗ କରୁଥିଲେ। ସମଦୂରତା ରକ୍ଷା କରୁଥିବା କଥା ବାରମ୍ବାର କହୁଥିଲେ। ଅର୍ଥାତ୍‍ କେନ୍ଦ୍ରରେ ଥିବା କଂଗ୍ରେସ ସରକାର ଓ ବିଜେପି ଉଭୟଙ୍କ ସହିତ ତାଙ୍କର ସଂପର୍କ ଥିବା ସେ ବାରମ୍ବାର ସୂଚାଉଥିଲେ।

ପରବର୍ତ୍ତୀ କାଳରେ ବିଜେପିର ଯେତେ ସମସ୍ୟା ଉପୁଜିଛି ସବୁଥିରେ ବିଜେଡି ବିଜେପି ସହିତ ହାତ ମିଳାଇଛି ଏବଂ ସୁରକ୍ଷା ଦେଇଛି। ଏପରିକି ଚାଷୀମାନଙ୍କ ବିରୋଧରେ ଯେଉଁ କଳା କୃଷକ ଆଇନ୍‍ ଆସିଥିଲା ସେଥିରେ ମଧ୍ୟ ସେ ବିଜେପିକୁ ସମର୍ଥନ ଜଣାଇଥିଲେ। ବିଜେପିର ନେତାମାନେ ବାରମ୍ବାର ଓଡ଼ିଶା ଆସିଛନ୍ତି ଓ ନବୀନବାବୁଙ୍କୁ ଉଚ୍ଚସ୍ୱରରେ ପ୍ରଶଂସା କରିଛନ୍ତି। ବିମୁଦ୍ରାକରଣ ସମୟରେ ନବୀନବାବୁ ବିଜେପି ସରକାରକୁ ଉଚ୍ଛସିତ ପ୍ରଶଂସା କରିବା ବେଳେ ବିଜେପିର ଅନ୍ୟତମ ନେତା ରାଜନାଥ ସିଂହ ନବୀନବାବୁଙ୍କୁ ଜଣେ ସ୍ୱଚ୍ଛ ଓ ଜନମଙ୍ଗଳକାରୀ ନେତା ବୋଲି ଅଭିହିତ କରିଥିଲେ। ଏକଥା କାହାକୁ ଅଛପା ନାହିଁ। ଏକଥା ମଧ୍ୟ କାହାକୁ ଅଛପା ନାହିଁ ଯେ ନବୀନବାବୁ ପ୍ରଥମେ ରାଜନୀତିରେ ପ୍ରବେଶ କରିବା ବେଳକୁ ତାଙ୍କ ଦଳ ବିଜେପି ସହିତ ଗଠବନ୍ଧନ କରିବା ପଛରେ ସେ ଓ ତାଙ୍କ ସମର୍ଥକମାନଙ୍କ ହାତ ଥିଲା। ସେ ସମୟରେ ନବୀନ ପଟ୍ଟନାୟକ ବିଜେପି ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ବିଜେଡି ଓ ବିଜେପିର ଅତୀତକୁ ଅନୁଶୀଳନ କଲେ ଏମାନଙ୍କ ମଧ୍ୟରେ ଘନିଷ୍ଠତା ସଦାସର୍ବଦା ରହିଥିବାର ସ୍ୱୀକାର କରିବାକୁ ହେବ।

ବର୍ତ୍ତମାନ ଦଳ ଭିତରେ ଦେଖାଦେଇଥିବା ଦ୍ୱନ୍ଦ୍ୱ କ୍ଷଣସ୍ଥାୟୀ। କାରଣ ଏହି ନେତାମାନେ ପୁନଶ୍ଚ ନବୀନବାବୁ ଓ ପାଣ୍ଡିଆନ୍‍ଙ୍କ ପ୍ରଶଂସକ ଭାବେ ଯେ ସାମ୍ନାକୁ ନଆସିବେ ତାହା ନୁହେଁ। ସେ ସମୟକୁ ଅପେକ୍ଷା କରିବାକୁ ହେବ। ଅବଶ୍ୟ ଗୋଟିଏ କଥା ରଜନୈତିକ ଚିନ୍ତକ ଗୋଷ୍ଠୀ ଭାବୁଛନ୍ତି ସେ କଥାକୁ ମଧ୍ୟ ଏଡ଼ାଇଯାଇନପାରେ। ତାହା ହେଉଛି ଅନ୍ୟତମ ନେତା ବିଜୟ ମହାପାତ୍ର ଏ ମଧ୍ୟରେ ତାଙ୍କର କିଛି ସ୍ଥିତି ବା ଉପସ୍ଥିତି ପରୋକ୍ଷ ଭାବରେ ବିଜେଡି ଭିତରେ ଜାହିର କରିଛନ୍ତି। ଅନେକ ପୁରୁଖା ସଦସ୍ୟଙ୍କ ସହିତ ତାଙ୍କର ଘନିଷ୍ଠତା ଅଛି। ସେ ଦୃଷ୍ଟିରୁ ଶ୍ରୀ ମହାପାତ୍ର କିଛି ରାଜନୈତିକ ଖେଳ ଯେ ନଖେଳୁଥିବେ ସେପରି କଥା କହିହେବ ନାହିଁ। ତଥାପି ନବୀନ ପଟ୍ଟନାୟକଙ୍କ ଚତୁରତା ଓ ତାଙ୍କର ରାଜନୈତିକ ରଣକୌଶଳ ଗତ ୨୪ ବର୍ଷ ଧରି ଉଚ୍ଚକୋଟୀର ବୋଲି ପ୍ରମାଣିତ ହୋଇ ଆସିଛି। ଭବିଷ୍ୟତରେ ତାହା କେତେଦୂର ସଫଳ ହେବ ତାହା ଦେଖିବାର ଅଛି।

ଅନ୍ୟପକ୍ଷରେ ପାଣ୍ଡିଆନ୍‍ଙ୍କ ବିରୋଧରେ ସ୍ୱର ଉଠାଇଥିବା ପ୍ରଭାତ ତ୍ରିପାଠୀ ଓ ବିଜୟ ମହାପାତ୍ରଙ୍କ ଭିତରେ ଏହା ମଧ୍ୟରେ ବାଙ୍କୀ ମହୋତ୍ସବ ଠାରୁ ଅନ୍ୟ କେତେକ କ୍ଷେତ୍ରରେ ଏକାଠି ହେବାର କଥା ସମସ୍ତଙ୍କୁ ଜଣା। ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ବିଜେଡି ଓ ଏହାର ନେତାଙ୍କର କାର୍ଯ୍ୟକଳାପ ଉପରେ ବହୁ ଆଗରୁ ସନ୍ତୁଷ୍ଟ ନଥିଲାପରି ଜଣାପଡୁଛି। ସବୁଗୁଡ଼ିକ ନିଶ୍ଚୟ ଏକାଠି ଦାନା ବାନ୍ଧିଲେ ହୁଏତ ବିଜେଡି ଭିତରେ ଏକ ବଡ଼ ବିସ୍ଫୋରଣର ଆଶଙ୍କା କରାଯାଇପାରେ। କିନ୍ତୁ ଏମାନଙ୍କର ପିଲାମାନେ ରାଜନୀତିରେ ଅଛନ୍ତି। ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିଚପାଠୀଙ୍କ ପୁଅ ନିର୍ବାଚିତ ପ୍ରତିନିଧି। ସେମାନେ ହଠାତ୍‍ କିଛି ବିଶୃଙ୍ଖଳାରେ ପାଦ ଥାପିବେ ବୋଲି ବିଶ୍ୱାସ କରାଯାଏ ନାହିଁ। ପୁଅମାନଙ୍କ ଭବିଷ୍ୟତ ଓ ରାଜନୈତିକ ଆବଶ୍ୟକତାକୁ ଆଖି ଆଗରେ ରଖି ବିଚାର କଲେ ବାପାମାନେ କେତେ ବାଟ ଆଗେଇ ତାହା ମଧ୍ୟ ଏକ ବିଚାର ସାପେକ୍ଷ।

ମୋଟାମୋଟି ଭାବେ ଓଡ଼ିଶାରେ ଥିବା ଅନ୍ୟ ଏକ ରଜାନୈତିକ ଦଳ କଂଗ୍ରେସ ଏ ପର୍ଯ୍ୟନ୍ତ ଅତିମାତ୍ରାରେ ସବଳ ବା ସଚଳ ହୋଇନାହିଁ। କେବଳ ଗୋଟିଏ ବିକଳ୍ପ ଭାବେ ଅନ୍ୟ ଏକ ରାଜନୈତିକ ଦଳ ମୁଣ୍ଡ ଟେକି ଉଠିଲେ ହୁଏତ ବିଜେଡିର ବିଦ୍ରୋହୀମାନେ ସେଥିରେ ସାମିଲ ହୋଇ ଆଗକୁ ପାଦ ବଢ଼ାଇବାର ବିଚାର କରିପାରନ୍ତେ। ଏମାନଙ୍କ ସହିତ ବିଜେଡିରୁ ଅଳ୍ପ ଦିନ ତଳେ ଯାଇଥିବା ବିଧାୟକ ଓ ଓଡ଼ିଶାର ଅନ୍ୟତମ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ପାଣ୍ଡିଆନ୍‍ ବିରୋଧୀ ଭାବେ ବେଶ୍‍ ଜଣାଶୁଣା। ସେ ହୁଏତ ଏକ ବିରୋଧୀ ମଞ୍ଚ ତିଆରି ହେବାର ଦେଖିଲେ ହୁଏତ ନିଜ ସମର୍ଥନ ଦେବାକୁ ଆଗେଇ ଆସିପାରନ୍ତି। କିନ୍ତୁ ଏହିସବୁ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ସାମ୍ନାକୁ ସାମାନ୍ୟ ଭାବେ ଆସିନାହିଁ। ଏଣୁ ଏବେଠାରୁ ଏକ ବିକଳ୍ପ ଗଠନ ଓ ବିଜେଡି ପ୍ରତି ବିପଦ ବୋଲି ବିଚାରିବା ଆକାଶ କଇଁଆ, ଚିଲିକା ମାଛ ପରି ହେବ।

ମୋ- ୯୪୩୮୩୬୦୮୪୯

Odisha BjD Bjp Congress Naveen Patnaik Odisha Politics Vk Pandian Waqf Act
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe