ବୋଉ ପାଇଁ ଶାଢ଼ୀଟିଏ!

  • ସତ୍ୟ ସୂତାର

ମୋ ବୋଉ ମୋତେ ଛୁଆ ବେଳେ ବାପା ଘରେ ନ ଥିଲେ ପାଠ ପଢ଼ାଏ। ପଡ଼ିଶା ଘର ଛୁଆଙ୍କ ସହିତ ଝଗଡ଼ା କରି ଘରକୁ ଆସି ବୋଉ ପାଖରେ ଅଭିଯୋଗ କରେ, ଭାବେ ବୋଉ ମୋ ସହିତ ଯାଇ ପଡ଼ିଶା ଘର ମୁରବିଙ୍କୁ ମୋ ସପକ୍ଷ ନେଇ ଯୁକ୍ତି ବାଢ଼ିବ। ବୋଉ କିନ୍ତୁ ମୋତେ ଆକଟ କରେ, ଯେତେ ଚେଷ୍ଟା କହିଲେ ବି, କେବେ ପଡ଼ିଶା ଘର ପିଲାଙ୍କ ବିରୋଧରେ ଅଭିଯୋଗ କରେନି। ମୋତେ ସେଠିକୁ ନ ଯିବାକୁ କହେ। ପଡ଼ିଶା ଘର ସାଙ୍ଗସାଥୀଙ୍କୁ ଆକଟ ନ କରି ମୁଁ ଦୁଷ୍ଟ ବୋଲି କହେ।

ପଡ଼ିଶା ଘରେ ଜଣେ ବୃଦ୍ଧ ବ୍ୟକ୍ତି ଥିଲେ। ଅତ୍ୟନ୍ତ ସ୍ଵାଭିମାନୀ ସ୍ୱଭାବର ହୋଇ ଥିବାରୁ ଭୋକ ହେଉ ଥିଲେ ବି ଖାଇବାକୁ ମାଗନ୍ତି ନାହିଁ। କହନ୍ତି, ନୂଆବୋଉ ଭାରି ଶୋଷ ହେଉଛି, ଘରେ ତୋରାଣି ଅଛିକି, ପିଇବାକୁ ଟିକେ ଦିଅନ୍ତ ନାହିଁ। ବୋଉ ତାଙ୍କୁ ଘରକୁ ଆଣି ଖାଇବାକୁ ଦିଏ।

ବେଳେ ବେଳେ ସଂଧ୍ୟା ବେଳେ କ’ଣ ଗୋଟେ ଗୁଡ଼େଇ ଧରି ପଡ଼ିଶା ଘରକୁ ଯାଇ ଖାଲି ହାତରେ କିଛି ସମୟ ପରେ ଫେରି ଆସେ। ଛୋଟ ଥିଲି, କିଛି ବୁଝି ପାରୁ ନ ଥଲି।

ଥରେ ବୋଉ ପଡ଼ିଶା ଘରକୁ ଯିବାବେଳେ ବୋଉ ସାଙ୍ଗରେ ଯିବାକୁ ଜିଦ୍ ଧରିଲି। ବୋଉ ନେଲା ନାହିଁ। କୌତୁହଳ ବଶତଃ ଲୁଚିକି ପଡ଼ିଶା ଘର ଝରକା ବାଟେ ଭିତରକୁ ଦେଖିଲି। ବୋଉ ଗୋଟେ ବେଗରେ କିଛି ଚାଉଳ ସାଙ୍ଗରେ ନେଇଥିଲା। ତାଙ୍କ କୁଲାରେ ଚାଉଳ ଓଜାଡ଼ି ଦେବାବେଳେ କହୁଥିଲା, ଆଜି ଦିନରେ ରାନ୍ଧି ନ ଥିଲ। ମନ ବହୁତ କଷ୍ଟ ହେଲା, ତେଣୁ ଚାଉଳ ନେଇକି ଆସିଛି।

ମୁଁ ଚୁପସେ ଘରକୁ ଦୌଡ଼ିକି ପଳେଇ ଆସେ। ଏ ଭଳି ଲୁଚକାଳି ଖେଳ ବୋଉର ଓ ମୋର ବହୁତ ଥର ହୋଇଛି।

ବୋଉ ଡୋଲିପୁର, ଯାଜପୁରରେ ସିଟି କଲା। ତା ସହିତ ତା ସିଟି ସ୍କୁଲକୁ କେତେ ଥର ଯାଇଛି। ବୋଉ ବେଳେ ବେଳେ ମୋତେ ମାମୁଁ ଘରେ ଛାଡ଼ି ସିଟି ସ୍କୁଲ ଯାଏ। ମୋ ମାମୁଁ ମୋଠୁ ମାତ୍ର ଦୁଇ/ତିନି ବର୍ଷ ବଡ଼, ମାମୁଁ ସାଙ୍ଗରେ ଝଗଡ଼ା ଓ ଗଣ୍ଡଗୋଳ କରେ ବୋଲି, ଅଜା ମୋତେ ଆମ ଘରେ ଆଣି ଛାଡ଼ି ଦିଅନ୍ତି। ବୋଉ ମୋତେ ସବୁବେଳେ ସବୁ ଦୋଷ ମୋର ବୋଲି କହେ। ଯଦିଓ, ମୋ ବିବେକ ମୋତେ ମୁଁ ଦୋଷୀ ବୋଲି ମାନିବାକୁ ନାରାଜ ହୁଏ।

ବଡ଼ ହେବା ପରେ ଜାଣିଲି, ମୋ ବୋଉର ବ୍ୟକ୍ତିତ୍ଵ। ସେ ନୀରବ ରହିବାକୁ ପସନ୍ଦ କରେ, ବହୁତ୍ କମ୍ ହସେ, ବାହାର ଲୋକଙ୍କୁ କେବେ କିଛି କହେନି। ଆମକୁ କିନ୍ତୁ ଖୁବ୍ ଆକଟ କରେ, ଏଇଟା କର, ସେଇଟା କରନି। ଏମିତି ବହୁତ୍ କିଛି। ଏତେବଡ଼ ପୃଥିବୀରେ ବୋଉ ମାତ୍ର ୨୦୦ ବର୍ଗ ମିଟର ବ୍ୟବହାର କରେ। କ୍ୱଚିତ ବାହାରକୁ ଯାଏ। ମାମୁଁ ଘରକୁ ଗଲେ ବି, ସକାଳେ ଯାଇ ଉପରବେଳା ଫେରିଆସେ। ଘରେ ଯୋଉ ସୁଖ ସିଏ ପାଏ ବାହାରେ ପାଏନା ବୋଲି କହେ। ଆମକୁ କହେ ତା ପାଇଁ ତା ପରିବାର ସବୁ କିଛି। ଏଇଠି ସେ ସ୍ୱର୍ଗଶାନ୍ତି ପାଏ।

ଦିନେ ବାପା, ବୋଉ ଓ ମୁଁ କେନ୍ଦୁଝର ଟାଉନ ଗଲୁ। ବୋଉ ଶିକ୍ଷୟତ୍ରୀ ପାଇଁ ସାକ୍ଷାତକାର ଦେବାକୁ ଡି.ଆଇ. ଅଫିସକୁ ଗଲା। ତାପରେ ସେ ଖାଲି ଶିକ୍ଷୟତ୍ରୀ ତ ହେଲାନି, ବାପା ଘର ହେଲେ, ସେ ଆମ ଘରର ମଝି ଖୁଣ୍ଟ ହେଲା। ବାପାଙ୍କୁ ଆଗରୁ ସେ ସବୁ କ୍ଷେତ୍ରରେ ସାହାଯ୍ୟ କରୁଥିଲା, ବାପା ଆଗରୁ ଦରମା ପାଇଲେ, ବୋଉକୁ ସବୁ ଦରମା ଟଙ୍କା ଦେଇ ଦିଅନ୍ତି ଘର ଚଳାଇବାକୁ। ବାପା ତାଙ୍କ ସ୍ୱଳ୍ପ ଦରମାରେ ଘର ମାସ ଯାକ ଚଳାଇବାକୁ ଅସମର୍ଥ, ତେଣୁ ସେହି ସ୍ଵଳ୍ପ ଦରମାକୁ ମାସ ସାରା ବୋଉକୁ ଘର ଚଳାଇବାକୁ ଦେଇ ଦିଅନ୍ତି।

ବୋଉ ଶିକ୍ଷୟତ୍ରୀ ହେବା ପରେ ଆମ ଘରର ପଟ୍ଟ ପରିବର୍ତ୍ତନ ହେଲା। ବୋଉ ଆଉ ଘର ଚାଳେଇବାକୁ ବାପାଙ୍କଠାରୁ ଟଙ୍କା ନେଲାନି। ବରଂ ବୋଉ ତା ସବୁ ଦରମା ଟଙ୍କା ବାପାଙ୍କୁ ପ୍ରତ୍ୟେକ ମାସ ଧରାଇ ଦିଏ। କହେ ଆଗରୁ ଘରର ରୋଜଗାର କମ ଥିବାରୁ ସେ ଘର ଚଳାଉଥିଲା। ଏବେ ବାପା ଘର ଚଳାଇବେ।

ସେବେଠୁ ଆଜି ଯାଏ, ବାପା ଆମ ଘରର ଆର୍ଥିକ ଦାୟିତ୍ଵ ନେଇଛନ୍ତି। ଆମ ପରିବାରର ସବୁ ବେଳର ମୁରବୀ।

ଆମର ଆଗରୁ ଚାଳ ଘର ଥିଲା। ବାପାଙ୍କୁ ଗୋଟେ ପକ୍କାଘର କରିବାକୁ ପାଖାପାଖି ଦଶ ବର୍ଷ ଲାଗିଥିଲା। ଜଣେ ମୂଲିଆଙ୍କ ଟଙ୍କା କମ୍ ହେବ ବୋଲି ବାପା ବି ଘର ତିଆରି ସମୟରେ, ବେଳେ ବେଳେ ସ୍କୁଲକୁ ନ ଯାଇ, ଛୁଟି ନେଇ ନିଜେ କାମ କରନ୍ତି।

ସବୁଦିନ ବୋଉ ସକାଳୁ ରୋଷେଇ କରେ। ଆମେ ସମସ୍ତେ ସାଙ୍ଗରେ ଖାଉ। ବୋଉ ଖରାବେଳ ଖାଇବା ପାଇଁ ବି ଟିଫିନ୍ ପୂରାଇ ଆମକୁ ଦିଏ। ବାପା ଓ ମୁଁ ଖରାବେଳେ ସ୍କୁଲରେ ପଖାଳ ଖାଉ। ବୋଉ ଛୁଆ ବେଳେ ମୋତେ ରୋଷେଇ ଶିଖାଇ ଦେଇଥିଲା। ଏବେ ବିଦେଶରେ ବି ସମୟ ପାଇଲେ ସେଇ ସମାନ ଓଡ଼ିଶାର ଖାଦ୍ୟ ରାନ୍ଧେ। ଖାଇଲା ବେଳେ ବୋଉ କଥା ଭାବେ। ଚିନ୍ତାକରେ, ବୋଉ ଯଦି ମୋତେ ଛୁଆ ବେଳେ ରନ୍ଧା ଶିଖାଇ ନ ଥାନ୍ତା, ଏବେ ଅବସ୍ଥା ବାର ବାଜୁଥାନ୍ତା।

ଏ ଭଳି ପରିବେଶରେ, ସମୟ ସହିତ ବଡ଼ ହୋଇଗଲି। କଲେଜ ଗଲି ପଢ଼ିବାକୁ। ବାପା ଖଣ୍ଡେ ଜାଗା କିଣିଲେ। ପକ୍କା ଘର ତିଆରି କରୁଥିବାରୁ ଟଙ୍କାର ଅଭାବ ହେଲେ ବୋଉ ବେଳେ ବେଳେ ତା ଗହଣା ବନ୍ଧା ରଖି ସୁଧରେ ଟଙ୍କା ଆଣି ମୋତେ ପଢ଼ିବା ପାଇଁ ଟଙ୍କା ଦିଏ। କିନ୍ତୁ କେବେବି କହିନି କି ତା ଗହଣା ବନ୍ଧା ଦେଇ ମୋତେ ଟଙ୍କା ଦେଇଛି ବୋଲି। ଯାହା ବହୁ ବର୍ଷ ପରେ ବଡ଼ ହେବା ପରେ ବାହାରୁ ଶୁଣେ।

ଛୁଆରୁ କିଶୋର, କିଶୋରରୁ ପ୍ରାପ୍ତ ବୟସ୍କ ହେଲି। ବିଦେଶରେ ଭଲ ଚାକିରିଟିଏ ବି ମିଳିଗଲ। ବର୍ଷକୁ ଅତି କମରେ ଗାଁକୁ ଦୁଇ ଥର ଯାଏ। କୋଉ ବର୍ଷ ତ ଚାରିରୁ ଛଅ ଥର ହୋଇଯାଏ।

ଯେହେତୁ ଚାକିରି ପାଇଁ ମୁଁ ବିଦେଶରେ ରହେ, ଘରେ ରହି ପାରେନି, ଯେବେ ଯେବେ ଘରକୁ ଯାଏ, ମୋତେ ମନ୍ଦିରରେ ରହିବା ଭଳି ଲାଗେ। ଘର ଅଗଣା, ବଡ଼ ଦାଣ୍ଡ ଓ ଗାଁ ଦାଣ୍ଡ ଶରାଧା ବାଲି ଭଳି ଲାଗେ। ବାପାବୋଉଙ୍କ ସହିତ ରହିଲେ ଯେମିତି ଭଗବାନଙ୍କ ସହିତ ଅଛି ଲାଗେ। ବାପାବୋଉଙ୍କ ମଝିରେ ଶୋଇଲେ ପଞ୍ଚତାରକା ହୋଟେଲଠୁ ବି ଅଧିକ ଶାନ୍ତି ମିଳେ।

ଯେବେ ଘରୁ ବିଦେଶକୁ ଫେରେ, ବୋଉ ମୋତେ ଟଙ୍କା ଦିଏ। ନ ନେଲେ ମନ ଦୁଃଖ କରେ। ମୁଁ ତ ପୁରା ସ୍ୱାବଲମ୍ବୀ, ମୋତେ କାହିଁକି ଟଙ୍କା ଦେଉଛୁ କହିଲେ, ମୁଁ ଟଙ୍କା ନ ନେଲେ ତା ମନ ଦୁଃଖ ହେବ କହେ। ବୋଉ ମନ ଦୁଃଖ ନ ହେବା ପାଇଁ ଟଙ୍କା ନିଏ।

ଯେବେ ଗାଁକୁ ଯାଏ ବାପାଙ୍କ ପାଇଁ ସାର୍ଟ, ଜୋତା, ପ୍ୟାଣ୍ଟ୍, ବେଲ୍ଟ ବିଦେଶରୁ କିଣେ। ବାପାଙ୍କ ଜୋତା, ସାର୍ଟ, ପ୍ୟାଣ୍ଟ ନମ୍ବର ଜାଣିଛି। ସୁବିଧା ହୁଏ କିଣିବା ପାଇଁ। ବିଦେଶରେ ଶାଢ଼ୀ ମିଲେନି। ବୋଉ ପାଇଁ ଶାଢ଼ୀ କିଣିବାକୁ ଅସୁବିଧା ହୁଏ। ବୋଉକୁ କୋଉ ରଙ୍ଗ ଭଲ ଲାଗେ, ତା ର କ’ଣ ପସନ୍ଦ, ଯେ ହେତୁ ମୁଁ ପୁରୁଷ, ମୋତେ ଜାଣିବାକୁ କଷ୍ଟ ହୁଏ। ସବୁବେଳେ କିଣିବାକୁ ଇଛା ଥିଲେବି କିଣି ପାରେନା। ବାଛିବାକୁ ବି କଷ୍ଟସାଧ୍ୟ ଲାଗେ।

ଘରେ ପହଞ୍ଚିଲେ ବାପାଙ୍କୁ ଏ ସବୁ ଦେଲା ବେଳେ ବୋଉକୁ କହେ ତୋ ପାଇଁ କିଛି ଆଣିନି। ତୋତେ କୋଉ ଶାଢ଼ୀ ଭଲ ଲାଗିବ, ମୁଁ ଜାଣି ପାରେନି। ତେଣୁ ଆଣିନି। ବୋଉ ଅଭିମାନ କରେନି, କି କେବେ କିଛି ବି କହେନି। ସେ ବି ଜାଣିଛି ମୋତେ ଶାଢ଼ୀ ବାଛିବା ଜଣା ନାହିଁ ଓ ବିଦେଶରେ ଶାଢ଼ୀ ପିନ୍ଧନ୍ତି ନାହିଁ।

ଥରେ ଗାଁକୁ ଆସୁଥିଲି। ମନେ ମନେ ଭାବିଲି ଏଥର ଯେମିତି ହେଲେ ଶାଢ଼ୀଟେ ବୋଉ ପାଇଁ ନେବି। ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ଗଲି। ବୟନିକା ସୋ ରୁମ୍‌କୁ ପଶିଲି। ମହିଳା ଜଣେ ଶାଢ଼ୀ ଦେଖୁଥିଲେ। ନମସ୍କାର କଲି। ମୋ ବୋଉ ପାଇଁ ଶାଢ଼ୀଟିଏ ବାଛିବାକୁ ଅନୁରୋଧ କଲି। ସେ ବୟସ ଓ ଉଚ୍ଚତା ପଚାରିଲେ, ଉତ୍ତର ଦେଲି। ମୋ ବୋଉକୁ କୋଉ ରଙ୍ଗର ଶାଢ଼ୀ ଭଲ ଲାଗେ ବୋଲି ପଚାରିଲେ, ଉତ୍ତର ଦେଇପାରିଲି ନାହିଁ। ମୋ ବୋଉର ଅଧିକାଂଶ ଶାଢ଼ୀ କେଉଁ ରଙ୍ଗର ପଚାରିଲେ। ମୁଁ ନାଲି ରଙ୍ଗ ବୋଲି କହିଲି। ନାଲି ଶାଢ଼ୀଟିଏ ସେ ଚଟାପଟ୍ ବାଛିଦେଲେ।

ଶାଢ଼ୀଟାକୁ ବ୍ୟାଗରେ ଭର୍ତ୍ତିକରି ଗାଡ଼ିରେ ବସିଗଲି। ସନ୍ଧ୍ୟା ହେବାକୁ ଯାଉଥାଏ। ଗାଁକୁ ଚାଲିଲି। ଜୀବନରେ ପ୍ରଥମ ଥର ପାଇଁ ବୋଉ ପାଇଁ କିଛି ନେଇ କି ଯାଉଛି। ଶାଢ଼ୀ ବାଛିଥିବା ମହିଳାଙ୍କୁ ମନେ ମନେ ଧନ୍ୟବାଦ୍ ଜଣାଉ ଥିଲି। ମୁଁ ଯାହା ବହୁ ବର୍ଷ ଧରି କରି ପାରି ନ ଥିଲି, ସେ ପାଞ୍ଚ ମିନିଟରେ କରି ଦେଇଥିଲେ।

ରାତି ଦଶଟା ବାଜି ଯାଇଥାଏ। ଘରେ ପହଞ୍ଚି ଗଲି। ବାପାଙ୍କ ପାଇଁ କିଣିଥିବା ଜିନିଷ ବାପାଙ୍କୁ ଦେଲି। ବୋଉ ତ ଜାଣି ଥାଏ, ମୁଁ ତା ପାଇଁ କେବେ କିଛି ଆଣେନି। ଆଣିବି ନ ଥିବି।

ବୋଉ ରୋଷେଇ ଘରୁ ଖାଇବା ପାଇଁ ଡାକିଲା। ରୋଷେଇ ଘରକୁ ମୁଁ ବୋଉ ପାଇଁ ଆଣିଥିବା ଶାଢ଼ୀଟା ନେଇ କି ଗଲି।

ବୋଉକୁ କହିଲି, ଏ ଶାଢ଼ୀଟା ବୋଉ ତୋ ପାଇଁ। ବୋଉ ଶାଢ଼ୀକୁ ଅନାଇଲା।

ଯଶୋଦା କୃଷ୍ଣଙ୍କର ପାଟି ଭିତରେ ପୂରା ବ୍ରହ୍ମାଣ୍ଡ ଘୂରୁ ଥିବାର ଦେଖିଥିଲେ।

ମୁଁ କିନ୍ତୁ ମୋ ବୋଉ ମୁହଁର ଉଜ୍ଜଳ ଆଖି ଓ ମୁରୁକି ହସରେ ସାତ ବ୍ରହ୍ମାଣ୍ଡ ଦେଖୁଥିଲି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।