ଆଉଥରେ ଆସୁ ଝଡ଼

ଯୁବ ଲେଖକ ବୌଦ୍ଧାୟନ ଆଚାର୍ଯ୍ୟଙ୍କ ଏକ ସୁନ୍ଦର ଗଳ୍ପ

ଯୁବ ସାମ୍ବାଦିକ ବୌଦ୍ଧାୟନ ଆଚାର୍ଯ୍ୟ ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ସାମ୍ବାଦିକତା ଶିକ୍ଷା ଲାଭ କରିବା ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ସାମ୍ବାଦିକତାରେ ସକ୍ରିୟ ଅଛନ୍ତି। ଖବର ଲେଖା ସହିତ ଲଳିତ ନିବନ୍ଧ, ଗଳ୍ପ ଓ କବିତା ଲେଖାରେ ତାଙ୍କର ରୁଚି ରହିଛି। ଏଇ ଏଇ ଚାଲି ଯାଇଥିବା ବାତ୍ୟା ଫୋନି, କାହାପାଇଁ ପ୍ରଳୟ ରଚି ଯାଇଥିବା ବେଳେ ଆଉ କିଏ କହୁଛି ଏଇମିତି ସବୁ ବେଳେ ଆସନ୍ତାନି ଏହି ଝଡ଼…

“କପିଳାରେ କେବେ ଆସିବୁ? ଦି’ ବରଷ ହେଲା ଗାଁକୁ ଆସିନୁ। ଚକରା ମେଡ଼ିସିନ ଦୋକାନରେ ବାକି ହେଇଗଲାଣି। ବାପା ବି ଉଠି ପାରୁନାହାନ୍ତି। ତତେ ଟିକେ ଦେଖିବେ ବୋଲି ନିଈତି କହୁଛନ୍ତି। ସରଗ ଦୁଆରେ କାଳେ ବେଶୀ ପଇସା ପଡୁଛି, ଧନର ଖର୍ଚ୍ଚ ହେଇଯିବ ଭାବିକି ଗାଁ ମଶାଣୀରେ ପୋଡ଼ିଦେବୁ ବୋଲି ବାରବାର କହିଲେଣି। ହଉ ନାତୁଣୀକୁ ଠିକ୍ ସମୟରେ ଇସ୍କୁଲ ରେ ଛାଡ଼ିବୁ। ନହେଲେ ବୋହୁ ବିଗିଡ଼ିବ। ଆମ କଥା ଚିନ୍ତା କରିବୁନି। ସୁବିଧା ଦେଖିକି ଆସିବୁ”।

ମା’ ର ହାତଲେଖା ଚିଠି ପଢ଼ି ଟେବୁଲ ଉପରେ ସେମିତି ଥୋଇଦେଲେ କପିଳେନ୍ଦ୍ର ମିଶ୍ର। ସଚିବାଳୟର ବଡ଼ ବାବୁ ଭାବେ ସ୍ୱତନ୍ତ୍ର ଖାଦି। ରାଜଧାନୀ ରାସ୍ତାରେ ତାଙ୍କ ନାଲିବତୀ ଗାଡ଼ି ଗଲାବେଳେ ସମସ୍ତେ ଚାହିଁ ରୁହନ୍ତି। ଟ୍ରାଫିକ ପୋଲିସ ବାଟ କଢ଼ାଇ ଦିଏ। ଆଉ କଲର ଟେକି ଦିଅନ୍ତି କପିଳ ସାର। ଭିଆଇପି କଲୋନୀରେ ସୁଦୃଶ୍ୟ ଘର ସାଙ୍ଗକୁ ଚାକରବାକର କାହିଁରେ କଣ। ୩ ବର୍ଷର ଝିଅ ଏବେ ନର୍ସରୀ ଯାଉଛି। ସ୍ତ୍ରୀ ରଂଜିତା ସ୍ଲିଭ୍ ଲେସ୍ ବ୍ଲାଉଜ ପିନ୍ଧି ପାର୍ଲର ଆଉ ପବ୍ ଯାଆନ୍ତି। ମଝିରେ ମଝିରେ ଘରେ ଜମେ ସ୍କଚ ଓ ରମ୍ ର ଆସର। ଧଳା ଡ୍ରେସ ପିନ୍ଧା ନେତା ଆସନ୍ତି ଆଉ ରାତି ଅଧ ଯାଏଁ ଅନିଦ୍ରା ରହେ ବାବୁଙ୍କ ବଙ୍ଗଳା।

ଯାଜପୁର ଚଣ୍ଡିଖୋଲରେ ଗାଁ ହୋଇଥିଲେ ବି ସମୟ ମିଳେନି। ଗାଁରେ ବୁଢ଼ା ବାପା ଆଉ ଜୀବନ ସହ ସଂଘର୍ଷ କରୁଥିବା ମା’। ମିଟିଙ୍ଗ ଚାଟିଙ୍ଗ ଆଉ ଡ୍ରିଙ୍କିଂ ରେ ସମୟ ବିତେ। ବିଚରା ମା’ ଭାବେ ଅଫିସ କାମରେ ବ୍ୟସ୍ତ ରହୁଛି ପୁଅ। ଫୁରୁସତ୍ ପାଉନି କେମିତି ବା ଆସିବ। ଚିଠି ଲେଖିଦେଇଥିଲା ମା’। କାଳେ ଆସିବ। କପିଳ ସାର୍ ଚିଠିକୁ ଥୋଇ ଦେବା ଦେଖି ସାହେବଙ୍କ ମନ ଜିତିବାକୁ ପିଏ ନବଘନ ବି ଡଷ୍ଟବିନରେ ପକାଇଦେଲା ଚିଠିଟିକୁ। ଆଉ ବାବୁ ଭାବିଲେ ଚିଠିଟିଏ ତ ଆସିଥିଲା,ଚିଠି ନୁହେଁ ତ ଆବଶ୍ୟକତାର ଲମ୍ବା ଚିଠା। ଭଲ ହେଲା ଆଖି ଆଗରୁ ଗଲା।

କେଜାଣି କେମିତି ଦିନେ ସୁନ୍ଦରୀ ରାଜଧାନୀକୁ ଗ୍ରାସିଲା ଝଡ଼। ଆଉ ଉପୁଡ଼ିଲା ପୁରୁଣା ବର ଗଛ, ଜଙ୍କ୍ ଲାଗିଥିବା ଇଲେକ୍ଟ୍ରି ଖମ୍ବ। ବନ୍ଦ ହୋଇଗଲା ଇଲେକ୍ଟ୍ରି। ପାଣି ବି ଠପ୍। ସରକାରୀ ହାକିମାତିରୁ ଦି ଥର ପାଣି ଟ୍ୟାଙ୍କର ବି ଆସିଲା। ହେଲେ ଆଉ ଆସିଲାନି ବିଜୁଳି ଓ ପାଣି। କେତେ ବା ଦେବେ। ଟ୍ୟାଙ୍କର୍ ଗୋଟିଏକୁ ଅଫିସର ମାଳମାଳ। ଝଡ଼ ଯେ କେବଳ ବାବୁମାନଙ୍କ ଅବସ୍ଥା ବେହାଲ କରି ନ ଥିଲା ବରଂ ଭାଙ୍ଗିଦେଇଥିଲା ଗରିବ ଲୋକଙ୍କର ସବୁ ସ୍ୱପ୍ନ ଓ ଦଦରା ପାଲ ଘର।

ଯେଉଁ ଗରିବ ଲୋକମାନେ କପିଳ ବାବୁଙ୍କ ଘରେ ଝାଳନାଳ ହୋଇ କାମ କରୁଥିଲେ ନିଜ ଘରର ଅବସ୍ଥା ଦେଖି ଯିଏ ଯାହା ବାଟରେ ଖସିଲେ। ଆଉ ଘରେ ଏକା ରହିଗଲେ କପିଳ ବାବୁ ଓ ତାଙ୍କ ଧର୍ମପତ୍ନୀ। କଣ ବା କରିବେ କାହାକୁ ଡାକିବେ। ଶେଷରେ ମୁଣ୍ଡକୁ ଆସିଲା ଅଜବ ଆଇଡ଼ିଆ। ଗାଁ ରେ ତ ମା’ ଅଛି,ଖଟିଦେବନି। ଗାଁ କୁ ଯିବା ଆଉ କିଛି ଦିନ କାଟିଦେବା। ଝିଅ ନିତୁ,ଆଉ ରଂଜିତାକୁ ଧରି ଗାଁ ମୁହାଁ ହେଲେ ବାବୁ। ଦିନେ ଯେଉଁ ଗାଁ ରେ ଲଙ୍ଗଳା ହେଇ ବୁଲୁଥିଲେ,ସେହି ଗାଁ ଆଜି ଗନ୍ଧଉଥିଲା।

ଯେଉଁ ପୋଖରୀରେ ଡେଇଁ ପହଁରୁଥିଲେ ସେ ପୋଖରୀରେ କାଳେ ଆଲର୍ଜି ହେଇଯିବ ଭାବିଲେ ମହାଶୟ। ସେଥିପାଇଁ  ମା’କୁ କହିଲେ କୂଅରୁ ପାଣି କାଢ଼ ଗାଧୋଇବେ। ଏତେ ଦିନ ପରେ ପୁଅ ଫେରିଛି ମା’ ଛାତି କୁଣ୍ଢେମୋଟ। କୂଅରୁ ଗରା ପରେ ଗରା କାଢ଼ି ପୁଅ ପାଇଁ ଅଜାଡି ଦେଲା। ଆଉ ବିଛଣାରେ ପଡ଼ିଥିବା ବାପା ବି ପାଇଗଲେ ଅଦମ୍ୟ ଶକ୍ତି। କପିଳା ମୋର ଖାଇବ କହି ବିଲକୁ ଯାଇ କୋସଳା ଶାଗ, ବିଲାତି,କଖାରୁ,ସବୁ ଆଣିଲେ। ଚୁନା ମାଛ ଆଣି ଛୁଙ୍କ ବି ଦିଆଗଲା। ଆଉ ମଡର୍ଣ୍ଣ ବୋହୁକୁ ଆଖି ଆଗରେ ପାଇ ଖୁସିରେ ଦି ଥୋପା ଲୁହ ବି ଝରିଲା।

ଗାଁ ଟୋକାଏ ବି ଛଟକି ଭାଉଜକୁ ଦେଖି ଗାଁ ସେଲୁନ ରେ ଭଳିକି ଭଳି ଷ୍ଟାଇଲରେ ଚୁଟି କାଟିଲେ। ରବି ସାହୁ ଦୋକାନରୁ କୋବ୍ରା ଅତର ଆଣି ମାଖିଲେ। ଆଉ ଭାଉଜଙ୍କୁ ଜୁହାର କରିବା ବାହାନାରେ ଥରେ ଅଧେ ଦେଖି ବି ଆସିଲେ। ଏପଟେ କପିଳ ବାବୁ ଘନଘନ ଫୋନ କରି ଇଲେକ୍ଟ୍ରିଵାଲାଙ୍କୁ ଶୋଧୁଥିଲେ, କଣ ସବୁ କରୁଛ, ଥରେ ଇଲେକ୍ଟ୍ରି ଆସୁ, ତମ କଥା ବୁଝିବି। ସେପଟେ ବାପା କୁଆଢ଼େ କାଳିଆ ପାଖରେ ଗୁହାରି କରୁଥିଲେ ଏ ଝଡ ପ୍ରତି ୨ ମାସରେ ଥରେ ଆସନ୍ତାନି? ପୁଅ ତ ମୋର ଆସିବ…

ଫୋନ୍- ୮୩୨୮୮୫୮୭୫୧