ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ରୁ ଶହ ଶହ କୋଟି ଟଙ୍କାର କଳାପଥର ବେଆଇନ୍ ଭାବେ ଲୁଟ୍ ହୋଇଥିବା ଏବେ ଏକ ଅଭିଯୋଗ ନୁହେଁ, ଏହା ବାସ୍ତବତା। ଗତ ଦଶନ୍ଧିରେ ଆରମ୍ଭ ହୋଇଥିବା ଏହି ଲୁଟ୍ ଅଭିଯାନ ଏ ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ଯାଜପୁର ଜିଲ୍ଲାରେ ଏହି କଳାପଥର ମାଫିଆମାନଙ୍କ ଦୌରାତ୍ମ୍ୟ ଓ ସେମାନଙ୍କ ମନଖୋଲା ଅଭିଯାନ ସଂକ୍ରାନ୍ତରେ ବିଭିନ୍ନ ସମୟରେ ସାମାଜିକ ଓ ସୂଚନା ଅଧିକାର କର୍ମୀମାନେ ପ୍ରଶ୍ନ ଉଠାଇଛନ୍ତି ଓ ଉପରୋକ୍ତ କର୍ତ୍ତୃପକ୍ଷ ଓ ଅଦାଲତରେ ଅଭିଯୋଗ କରିଛନ୍ତି। ତଥାପି ଏହି ମାଫିଆମାନଙ୍କ ବିରୋଧରେ ବାସ୍ତବରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରି ନାହିଁ। ଏହାର ମୁଖ୍ୟ କାରଣ ହେଉଛି ଯେ ସଂପୃକ୍ତ ମାଫିଆମାନେ ରାଜ୍ୟରେ ସ୍ଥିର ସରକାର ଥିବା ଦଳର ବିଧାୟକ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସହଯୋଗ ପାଇଆସୁଥିବାରୁ ପ୍ରଶାସନିକ କର୍ତ୍ତୃପକ୍ଷ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିଆସିଛନ୍ତି। କେବଳ ଯାଜପୁର କ୍ଷେତ୍ରରେ ଯେ ଏହି ଅଭିଯୋଗ ବା ସତ୍ୟତା ଅଛି, ତାହା ନୁହେଁ । ରାଜ୍ୟରେ ଯେଉଁସବୁ ଅଞ୍ଚଳରେ ଖଣି ମାଫିଆମାନଙ୍କ ପ୍ରଭାବ ବଢ଼ିଛି ସେହିସବୁ ଅଞ୍ଚଳରେ ସରକାରୀ ଅଧିକାରୀମାନେ ସେମାନଙ୍କୁ ସହାୟତା କରିଛନ୍ତି କିମ୍ବା ଶାସକ ଦଳର ନେତାମାନଙ୍କ ଚାପରେ ନିରବ ରହିଛନ୍ତି।
ଓଡ଼ିଶାରେ ୨୦୦୫ ପରବର୍ତ୍ତୀ କାଳରେ ଯେତେବେଳେ ଲୁହାପଥର ଓ ମାଙ୍ଗାନିଜର ଚାହିଦା ବଢ଼ିଚାଲିଲା, ସେତେବେଳେ କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ପ୍ରଭୃତି ଅଞ୍ଚଳରେ ଖଣି ମାଫିଆମାନଙ୍କ ପ୍ରାଦୁର୍ଭାବ ବଢ଼ିବାକୁ ଲାଗିଲା। ଏଥିରେ ବେଆଇନ୍ ଲିଜ୍ କାରବାର ସହିତ ଲିଜ୍ ଅଞ୍ଚଳ ବାହାରେ ଶହ ଶହ ଏକର ଖଣିଜ ସଂପଦ ବ୍ୟାପକ ଭାବେ ଲୁଟ୍ ହେଲା। ଲକ୍ଷାଧିକ କୋଟି ଟଙ୍କାର ଏହି ବେଆଇନ୍ କାରବାର ବିରୋଧରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ଯାଇ ଶେଷରେ ସବୁ ବେଆଇନ୍ କାରବାର ତଦନ୍ତ ପାଇଁ ଜଷ୍ଟିସ୍ ଶାହାଙ୍କ ନେତୃତ୍ୱରେ କମିଟି ଗଠନ ସତ୍ତ୍ୱେ କେବଳ କିଛି ଲିଜଧାରୀ ଯେଉଁମାନେ ବେଆଇନ୍ କାର୍ଯ୍ୟ କରୁଥିଲେ ସେମାନଙ୍କ ଉପରେ କିଛି ଜରିମାନା ଖଣି ଆଇନ୍ ଅନୁସାରେ ଆଦାୟ ହେଲା। ତଥାପି ଏହି ବେଆଇନ୍ କାରବାର ପରିମାଣ କେତେ ତାହା ବାସ୍ତବରେ ନିର୍ଣ୍ଣୟ କରାଗଲା ନାହିଁ। ନିଜେ ରାଜ୍ୟ ସରକାର ଯେଉଁ ପରିମାଣର ବେଆଇନ୍ କାରବାର କଥା କହିଥିଲେ ବୋଲି ଶାହା କମିଶନ ରିପୋର୍ଟରେ ଉଲ୍ଲେଖ ଅଛି, ତାହା ମଧ୍ୟ ସେମାନଙ୍କଠାରୁ ଆଦାୟ ହେଲାନାହିଁ। ଯେଉଁମାନେ ଲିଜ୍ ଅଞ୍ଚଳ ବାହାରେ ସଂପୂର୍ଣ୍ଣ ବେଆଇନ୍ ଭାବେ ଖଣି ଉତ୍ତୋଳନ କରି ଶହ ଶହ କୋଟି ଟଙ୍କାର ମାଲ୍ ଚାଲାଣ କରିଦେଇଥିଲେ, ସେମାନଙ୍କ ଭିତରୁ ବିଳମ୍ବରେ କେବଳ ଉଲିବୁର ଖଣି କଥା ପଦାକୁ ଆସିଲା। କିନ୍ତୁ ଅନ୍ୟମାନେ ସବୁ ଲୁଚିଗଲେ।
କେବଳ ଏହି ଖଣି କାରବାର ନୁହେଁ, ଓଡ଼ିଶାର ଯେଉଁ ଅଞ୍ଚଳରେ ପଥର ଓ ବାଲି କାରବାର ଚାଲିଛି ସେହିସବୁ ଅଞ୍ଚଳରେ ଆଇନ୍ ମୁତାବକ ଆଦାୟ ହେଉଥିବା ପଥର ଓ ବାଲିର ବହୁଗୁଣ କାରବାର ସଂପୂର୍ଣ୍ଣ ବେଆଇନ୍ ଭାବେ କରାଯାଉଛି। ଏହି ପଥର ଓ ବାଲି ମାଫିଆମାନେ ସେସବୁ ଅଞ୍ଚଳରେ ଏତେ ପ୍ରଭାବଶାଳୀ ହୋଇଛନ୍ତି ଯେ ସେମାନଙ୍କୁ ସରକାରୀ କଳ ନିୟନ୍ତ୍ରଣ କରିପାରୁ ନାହିଁ ଓ ତଥାକଥିତ ସ୍ଥିର ସରକାର ଥିବା ଦଳର କର୍ମକର୍ତ୍ତାମାନେ ସେମାନଙ୍କ ଫାଇଦା ପାଇଁ ଏଥିରେ ସାମିଲ ହୋଇଯାଉଛନ୍ତି। ଏହା ଏକ ବାସ୍ତବତା। ଯଦିଓ ସମସ୍ତେ ଜାଣନ୍ତି ଯେ ଖଣିଜ ପଦାର୍ଥ, କଳାପଥର, ବାଲି, ପଥର ଏପରି ପଦାର୍ଥ ନୁହେଁ ଯାହାକୁ ପକେଟରେ କେହି କୁଆଡ଼େ ଲୁଚେଇକି ନେଇଯିବ। ଏମାନେ ସମସ୍ତେ ଖୋଲାଖୋଲି ଭାବରେ ସେମାନଙ୍କ କାମ କରନ୍ତି। ସରକାରୀ କର୍ତ୍ତୃପକ୍ଷ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କ କମିସନ ଆଦାୟ କରନ୍ତି ଓ ସରକାରୀ ଦଳ ଏମାନଙ୍କଠାରୁ ନିର୍ବାଚନ ପାଇଁ ବେଶ୍ ପାଣ୍ଠି ଆଦାୟ କରନ୍ତି। ସେହି କ୍ରମରେ ଯାଜପୁରର ବିଛାଖଣ୍ଡି କଳାପଥର କେଳେଙ୍କାରୀକୁ ଅନୁଧ୍ୟାନ କରିବାକୁ ପଡ଼ିବ। ସେଠାରେ ଚାଲିଥିବା ବେଆଇନ୍ କାର୍ଯ୍ୟକଳାପ ସଂପର୍କରେ ଜିଲ୍ଲା, ତହସିଲ, ବନ ଅଧିକାରୀ, ପୋଲିସ ଓ ଅନ୍ୟ ସରକାରୀ ଅଧିକାରୀମାନେ ଭଲଭାବେ ଜାଣିଥିଲେ। ଅଥଚ ଏହି ବେଆଇନ୍ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ କୌଣସି ପଦକ୍ଷେପ ନନେଇ ଏକ ନିରବତା ଅବଲମ୍ବନ କରି ଏହି ବେଆଇନ୍ କଳାପଥରଗୁଡ଼ିକ ଯେପରି ବ୍ୟବସାୟିକ କାର୍ଯ୍ୟରେ ବ୍ୟବହୃତ ହେବ, ସେଥିପାଇଁ ସେହି ପାହାଡ଼ ନିକଟରେ ପ୍ରାୟ ୧୨ଟି କ୍ରସର ପାଇଁ ପ୍ରଶାସନ ଅନୁମତି ଦେଇଦେଲା। କିନ୍ତୁ କେବେହେଲେ ଅଧିକାରୀମାନେ ଏହି କ୍ରସରଗୁଡ଼ିକୁ କେଉଁଠାରୁ କେତେ ମାଲ୍ ଆସୁଛି ଓ ସେଗୁଡ଼ିକ ନ୍ୟାୟସମ୍ମତ ଭାବରେ ଆଦାୟ ହେଉଛି କି ନାହିଁ ଓ ସେଗୁଡ଼ିକରୁ ରାଜସ୍ୱ ଆଦାୟ ହେଉଛି କି ନାହିଁ ତାହା ଦେଖିଲେ ନାହିଁ।
ଫଳରେ ଏହା ଭୟଙ୍କର ରୂପ ଧାରଣ କରିବା ପରେ ଏବଂ ଏହି ପାହାଡ଼ ଏକ ଜଙ୍ଗଲ ଅଞ୍ଚଳ ହୋଇଥିବାରୁ ଏଥିରେ ବାସ୍ତବରେ କୌଣସି ଲିଜ୍ ଦିଆଯାଇଛି କି ନାହିଁ ତାହା ଜଙ୍ଗଲ ବିଭାଗରୁ ସ୍ପଷ୍ଟ ହେବା ପରେ ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେହୁରା ଓ ପ୍ରଦୀପ ପ୍ରଧାନ ସିଧାସଳଖ ୨୦୨୧ ମସିହାରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଲୋକାୟୁକ୍ତ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ନୋଟିସ୍ ଦେଲା ପରେ ସେମାନଙ୍କ ଉତ୍ତରରେ ସନ୍ତୁଷ୍ଟ ନହେବାରୁ ରାଜ୍ୟ ଭିଜିଲାନ୍ସକୁ ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଥିଲେ। ରାଜ୍ୟ ଭିଜିଲାନ୍ସ ଦୀର୍ଘ ୨ ବର୍ଷ କାଳ ଉଦ୍ୟମ କରି ବ୍ୟାପକ ଖଣି ଲୁଟ୍ ହୋଇଥିବା ସଂକ୍ରାନ୍ତରେ ଯେଉଁ ତଥ୍ୟ ଦେଇଛନ୍ତି, ସେଥିରୁ ବାସ୍ତବ ପରିମାଣ ଜାଣିବା କଷ୍ଟକର। କାରଣ ଖଣି ଲୁଟ୍ ହୋଇଥିବା ସ୍ଥାନଗୁଡ଼ିକ ଏବେସବୁ ପୋଖରୀରେ ପରିଣତ ହୋଇଛି। ଅବଶ୍ୟ ବୈଜ୍ଞାନିକ ପଦ୍ଧତିରେ ଓରସାକ୍ ହୁଏତ କେତେ ଲକ୍ଷ କ୍ୟୁବିକ୍ ମିଟର ବା ଟନ୍ ହିସାବ କରିପାରିବେ।
କିନ୍ତୁ ଅସଲକଥା ହେଉଛି ଏହା ଏକ ବେଆଇନ୍ କାରବାର ହୋଇଥିବାରୁ ପ୍ରକୃତରେ ଏହି ମାଫିଆମାନେ କିଏ, ସେମାନଙ୍କ ପରିଚୟ ପଦାକୁ ଆସିବ କି ନାହିଁ ଜଣାନାହିଁ। କିନ୍ତୁ ଏହି ବେଆଇନ୍ କାରବାରରେ ଜିଲ୍ଲାପାଳ, ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କ ସମେତ ବନ କର୍ମଚାରୀ ତଥା ପୋଲିସ ଯେ ଅଜ୍ଞ ଥିଲେ, ତାହା ନୁହେଁ। ତେଣୁ ଯଥାର୍ଥରେ ଲୋକାୟୁକ୍ତ ଏମାନଙ୍କୁ ନୋଟିସ୍ ଦେବା ସହିତ ଯେଉଁ ୮ ଜଣ ଲିଜଧାରୀ ଏହି ପାହାଡ଼ ବାହାରେ କାରବାର କରିଛନ୍ତି ଓ ସେମାନଙ୍କ କ୍ରସର ରହିଛି, ସେମାନଙ୍କୁ ନୋଟିସ୍ ପରିସରଭୁକ୍ତ କରିଛନ୍ତି। କିନ୍ତୁ ତତ୍କାଳୀନ ଜିଲ୍ଲାପାଳ ଭାବରେ ରଞ୍ଜନ ଦାସ, ଯିଏକି ଏବେ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହୋଇଛନ୍ତି, ତାଙ୍କ ନାମ ରହିଛି। ତେବେ ଏହି ବେଆଇନ୍ କାରବାର ସମୟ ଭିତରେ କେବଳ ଯେ ରଞ୍ଜନ ଦାସ ଥିଲେ, ତାହା ନୁହେଁ। ତାଙ୍କ ପୂର୍ବରୁ ଓ ତାଙ୍କ ପରେ ଥିବା ଜିଲ୍ଲାପାଳମାନେ ଏ ସଂକ୍ରାନ୍ତରେ ଅବଗତ ଥିଲେ ନା ନାହିଁ?
ସେହିପରି ଧର୍ମଶାଳା ତହସିଲଦାର ଭାବରେ ଯେତେଜଣ ଏହି ସମୟରେ କାର୍ଯ୍ୟ କରିଛନ୍ତି, ସେମାନେ ନିଶ୍ଚୟ ଏହି ବିଷୟରେ ଭଲ ଭାବେ ଜାଣିଛନ୍ତି। କିନ୍ତୁ ଏହିସବୁ ସରକାରୀ ଅଧିକାରୀମାନେ ଯେତେବେଳେ ଗୋଟିଏ ବେଆଇନ୍ କାର୍ଯ୍ୟକୁ ନିରବରେ ସହିଯାଆନ୍ତି ବା ସହାୟତା କରନ୍ତି, ତାହା ପଛରେ ନିଶ୍ଚିତ ଭାବରେ ଶାସକ ଦଳର ଦୃଢ଼ ସମର୍ଥନ ଥାଏ। ଧର୍ମଶାଳାର ବର୍ତ୍ତମାନ ବିଧାୟକ ଓ ପୂର୍ବତନ ବିଧାୟକ ଯେଉଁମାନେ ଶାସକ ଦଳରେ ବେଶ୍ ପ୍ରଭାଶାଳୀ ସେମାନେ ସହାୟତା ନକରିଥିଲେ ଜିଲ୍ଲା ପ୍ରଶାସନ ବା ତହସିଲଦାର କଦାପି ଏହି ବେଆଇନ୍ କାର୍ଯ୍ୟକଳାପ ଚଳାଇଥିବା ମାଫିଆମାନଙ୍କ ପ୍ରତି ନିରବତା ଅବଲମ୍ବନ କରିନଥାନ୍ତେ। ଶହ ଶହ କୋଟି ଟଙ୍କାର ଏହି ବେଆଇନ୍ କାରବାରରୁ କେବଳ ଶାସକ ଦଳ ନୁହେଁ, ସରକାରୀ ଅଧିକାରୀମାନେ ମଧ୍ୟ ଯେ ଲାଭବାନ ହେଉଥିଲେ ତାହା ଯେ କୌଣସି ଲୋକ ସହଜରେ ଅନୁମାନ କରିପାରିବ। କିନ୍ତୁ ଲୋକାୟୁକ୍ତ ମାମଲାର ପ୍ରକୃତ ତଦନ୍ତ କରି ଅପରାଧୀମାନଙ୍କୁ ଚିହ୍ନଟ କରିପାରିବେ କି? ଧର୍ମଶାଳା ବିଧାୟକଙ୍କୁ ଏ ସଂକ୍ରାନ୍ତରେ କୌଣସି ନୋଟିସ୍ ଦିଆଯାଇ ନାହିଁ। ଖଣି ବେଆଇନ୍ କାରବାର ସଂକ୍ରାନ୍ତରେ ଶେଷରେ ଉଚ୍ଚତମ ନ୍ୟାୟାଳୟ ଯେଉଁ ସିଦ୍ଧାନ୍ତରେ ପହଞ୍ଚôଲେ ସେହିପରି ଏକ ସିଦ୍ଧାନ୍ତ ଲୋକାୟୁକ୍ତ ନେବେ ନାହିଁ ତ?
ପ୍ରକୃତ କଥା ହେଉଛି ବେଆଇନ୍ କାରବାର କରିଥିବା ମାଫିଆମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ସେମାନଙ୍କୁ ସହାୟତା କରିଥିବା ପ୍ରଶାସନିକ ଅଧିକାରୀ ଓ ଶାସକ ଦଳର ପ୍ରମୁଖ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ସେଥିପାଇଁ ଶାହା କମିଶନ ଓଡ଼ିଶା ବେଆଇନ୍ ଖଣି କାରବାର ସଂକ୍ରାନ୍ତରେ ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ। ଯଦିଓ କେନ୍ଦ୍ର ସରକାର ଏହି ସୁପାରିସକୁ ଗ୍ରହଣ ନକରି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ରହିଲେ। ଅସଲକଥା ହେଉଛି ମାଫିଆମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ସହାୟତା କରୁଥିବା ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କୁ ଦଣ୍ଡିତ କରିବା। ଲୋକାୟୁକ୍ତ ଗଠନର ଏକ ମୂଳ ଉଦ୍ଦେଶ୍ୟ ହେଉଛି ଏହିପରି ଦୁର୍ନୀତିରେ ଲିପ୍ତ ଥିବା ଅପରାଧୀମାନଙ୍କୁ ଦଣ୍ଡିତ କରିବା। କିନ୍ତୁ ଲୋକାୟୁକ୍ତଙ୍କ ନିଜସ୍ୱ କୌଣସି ତଦନ୍ତକାରୀ ସଂସ୍ଥା ନାହିଁ ଓ ଲୋକାୟୁକ୍ତ ଚାହିଁଥିଲେ ମଧ୍ୟ ଭିଜିଲାନ୍ସର ନିୟନ୍ତ୍ରଣ ସେମାନଙ୍କ ହାତକୁ ଯାଇନାହିଁ। ଏପରି ଅବସ୍ଥାରେ ଏତେବଡ଼ ଖଣି ଲୁଟ୍ ମାଫିଆମାନଙ୍କ ବିରୋଧରେ ପ୍ରକୃତରେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ, ତାହାନେଇ ଘୋର ସନ୍ଦେହ ରହିଛି।
ରବି ଦାସ, ବରିଷ୍ଠ ସାମ୍ବାଦିକ
ମୋ-୮୦୧୮୦୯୪୪୫୫