Advertisment

ମୁଷ୍ଟିମେୟ ଲୋକଙ୍କ ହାତରେ ଧନ ଓ କ୍ଷମତା

ଧନୀମାନେ ଯେତେ ଧନୀ ହେଉଛନ୍ତି ରାଜନୈତିକ ଭାବେ ସେତେ ଅଧିକ ପ୍ରଭାବଶାଳୀ ହେଉଛନ୍ତି। ୧୩୬ଟି ଦେଶର ତଥ୍ୟ ବିଶ୍ଳେଷଣରୁ ପ୍ରମାଣ ମିଳିଛି ଯେ ଯେତେବେଳେ ଆର୍ଥିକ ସମ୍ପତ୍ତିର ବଂଟନ ଅସମାନ ହୁଏ ସେତେବେଳେ ରାଜନୈତିକ କ୍ଷମତା କିଛି ଉଚ୍ଚ-ଆୟ ଗୋଷ୍ଠୀଙ୍କ ହାତରେ କେନ୍ଦ୍ରୀଭୂତ ହୁଏ।

inequality

Inequality In India Photograph: (Internet)

Advertisment

ଭାଲଚନ୍ଦ୍ର ଷଡ଼ଙ୍ଗୀ

ବିଶ୍ୱରେ ରହିଥିବା ଆର୍ଥିକ ଓ ଅନ୍ୟାନ୍ୟ ଅସମାନତା ଉପରେ ଆଧାରିତ ‘ବିଶ୍ୱ ଅସମାନତା ରିପୋର୍ଟ- ୨୦୨୬’ ନିକଟରେ ପ୍ରକାଶିତ ହୋଇଛି। ପ୍ରତିବର୍ଷ ଡାଭୋସରେ ଆୟାଜିତ ‘ବିଶ୍ୱ ଅର୍ଥନୈତିକ ଫୋରମ୍‌’ର ବୈଠକ ପୂର୍ବରୁ ବିଶ୍ୱ ଅର୍ଥନୀତିରେ ବଢ଼ି ଚାଲିଥିବା ଅସମାନତା ସମ୍ପର୍କରେ ସେଠାରେ ଉପସ୍ଥିତ ରାଷ୍ଟ୍ରନେତା, ଅର୍ଥନୀତିଜ୍ଞ ଓ କର୍ପୋରେଟ୍ ଜଗତର ଶୀର୍ଷସ୍ଥ ବ୍ୟକ୍ତିମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ରିପୋର୍ଟକୁ ପ୍ରକାଶିତ କରାଯାଇଥାଏ। ପ୍ୟାରିସ୍ ସ୍କୁଲ୍ ଅଫ୍ ଇକୋନୋମିକ୍ସର ଏକ ଅଂଶ ଭାବେ ପରିଚିତ ‘ୱାର୍ଲ୍ଡ ଇନେକ୍ୱାଲିଟି ଲାବ୍‌’ ଏକ ଗବେଷଣା କେନ୍ଦ୍ର ଯେଉଁଠାରେ ଅନ୍ତର୍ଜାତୀୟ ବିଶେଷଜ୍ଞ ଏବଂ ଗବେଷକ ବିଶ୍ୱର ବିଭିନ୍ନ ଦେଶରେ ଆୟ ଏବଂ ସମ୍ପତ୍ତି ବଂଟନର ବିଶ୍ଳେଷଣ ଏବଂ ରିପୋର୍ଟ କରନ୍ତି। ସେମାନଙ୍କ ରିପୋର୍ଟର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଯେ ସେମାନେ ତଥାକଥିତ ଜିଡିପି ଭଳି ଆର୍ଥିକ ବିକାଶର ପାରମ୍ପରିକ ମାପଦଣ୍ଡ ବାହାରକୁ ଯାଇ ବହୁମୁଖୀ ଦୃଷ୍ଟିକୋଣରୁ ବିଶ୍ୱ ସ୍ତରରେ ଆୟ ଏବଂ ସମ୍ପତ୍ତି ବଂଟନର ମୂଲ୍ୟାଙ୍କନ କରନ୍ତି। ଯେଉଁଥିରେ ଲିଙ୍ଗଗତ ଅସମାନତା, ଜଳବାୟୁ ପ୍ରଭାବ ଏବଂ ଜନ କଲ୍ୟାଣ ପ୍ରସଙ୍ଗ ମଧ୍ୟ ଅନ୍ତର୍ଭୁକ୍ତ ରହିଥାଏ। ୨୦୧୮ ମସିହାରୁ ସେମାନେ ତଥ୍ୟ ଓ ଗବେଷଣାର ଆଧାରରେ ପ୍ରତିବର୍ଷ ଏଭଳି ରିପୋର୍ଟ ପ୍ରସ୍ତୁତ କରି ଆସୁଛନ୍ତି, ଯେଉଁଥିରେ ବିଶ୍ୱର ସାଧାରଣ ଜନତାଙ୍କ ଆୟ, ସେମାନଙ୍କର ସମ୍ପତ୍ତି ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ଆଞ୍ଚଳିକ ବିଭାଜନରେ ସେମାନଙ୍କର ଭୂମିକାକୁ ଯାଞ୍ଚ କରାଯାଉଛି। 

Advertisment

ପ୍ରତିବର୍ଷ ଭଳି ୨୦୨୬ ମସିହାର ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱରେ ଆର୍ଥିକ ଅସମାନତାର ବ୍ୟବଧାନ ଯେଉଁ ପରିମାଣରେ ଗଭୀର ହୋଇ ଚାଲିଛି, ସେଭଳି ସ୍ଥିତି ବିଂଶ ଶତାବ୍ଦୀର ଆରମ୍ଭରେ ବି ନଥିଲା। ସମାଜରେ ଗରିବ ଅଧିକ ଗରିବ ହେଉଥିବା ବେଳେ ଧନୀମାନଙ୍କ ସମ୍ପତ୍ତିରେ ସୀମାହୀନ ବୃଦ୍ଧି ଦେଖିବାକୁ ମିଳିଛି। ବିଭିନ୍ନ ଦେଶରୁ ସଂଗୃହୀତ ତଥ୍ୟର ଆଧାରରେ ଏହି ରିପୋର୍ଟରେ କୁହାଯାଇଛି ଯେ ମହାଧନୀମାନଙ୍କର ଏହି ଦଶକରେ ବିଶ୍ୱର ରାଜନୈତିକ ଶକ୍ତି ବିଲିଅନୟରମାନଙ୍କ ହାତମୁଠିରେ ରହିଛି। ବିପୁଳ ସମ୍ପତ୍ତିର ମାଲିକ ବିଶ୍ୱର ‘ଡଲାର ବିଲିଅନିୟରମାନଙ୍କ ସମ୍ପତ୍ତି ମାତ୍ର ଏକ ବର୍ଷରେ ୨.୫ ଲକ୍ଷ କୋଟି ଡଲାର ବଢ଼ିଛି। ଅର୍ନ୍ତଜାତୀୟ ଦାତବ୍ୟ ସଂସ୍ଥା ଅକ୍ସଫାମ୍‌ର ହିସାବ ଅନୁଯାୟୀ, ଏକ ବର୍ଷରେ ସେମାନଙ୍କ ସଂପତ୍ତି ଯେତେ ବଢ଼ିଛି, ସେଥିରେ ବିଶ୍ୱର ଚରମ ଦାରିଦ୍ର୍ୟଛକୁ ୨୬ ଥର ଦୂର କରାଯାଇ ପାରିଥାନ୍ତା। ରିପୋର୍ଟରେ ଇଙ୍ଗିତ କରାଯାଇଛି ଯେ, ଉଗ୍ର ଦକ୍ଷିଣପନ୍ଥୀ ରାଜନୀତିର ଉତ୍କର୍ଷର ଯୁଗରେ ବିଶ୍ୱର ମହାଧନୀମାନଙ୍କ ପକେଟ୍ ଅସାମାନ୍ୟ ହାରରେ ଭରିବାରେ ଲାଗିଛି।

ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ବହୁ ସଂଖ୍ୟକ ଲୋକଙ୍କ ଜୀବନଧାରଣ ମାନ ସ୍ଥିର ହୋଇଯାଇଛି। ସମ୍ପତ୍ତି ଏବଂ ଶକ୍ତି ଶୀର୍ଷ ସ୍ଥାନରେ କ୍ରମାଗତ ଭାବରେ କେନ୍ଦ୍ରିତ ହେଉଛି। ଆୟ ଏବଂ ସମ୍ପତ୍ତି ଅସମାନତା ସର୍ବକାଳୀନ ସର୍ବାଧିକ ସ୍ତରରେ ଅଛି, ୭୫% ସମ୍ପତ୍ତି ଶୀର୍ଷ ୧୦୦ ଲୋକଙ୍କ ହାତରେ କେନ୍ଦ୍ରିତ ହୋଇଛି। ସମାଜର ସବୁଠାରୁ ଗରିବ ୫୦% ଲୋକ କେବଳ ୨% ସମ୍ପତ୍ତି ସେମାନଙ୍କ ହାତରେ ଅଛି। ଶୀର୍ଷ ୧,୦୭୪ ଲୋକଙ୍କ ମଧ୍ୟରୁ ଶୀର୍ଷ ୧% ବିଶ୍ୱର ମୋଟ ସମ୍ପତ୍ତିର ୩୭% ନିୟନ୍ତ୍ରଣ କରନ୍ତି। ସେମାନଙ୍କ ମଧ୍ୟରୁ ସବୁଠାରୁ ଧନୀ ୫୬ ଜଣ (୧୦୦ ନିୟୁତରେ ୧)ଙ୍କର ହାରାହାରି ସମ୍ପତ୍ତି ୫୩ ବିଲିୟନ ୟୁରୋ, ଯାହା ଆମର କଳ୍ପନା ବାହାରେ। ଶୀର୍ଷ ୫୦% ରୋଜଗାର କରୁଥିବା ବ୍ୟକ୍ତି ମୋଟ ସମ୍ପତ୍ତିର ୯୦%ରୁ ଅଧିକ ସମ୍ପତ୍ତି ନେଇଯାଆନ୍ତି, ଯେତେବେଳେ ବିଶ୍ୱର ସବୁଠାରୁ ଗରିବ ଅଧା ଲୋକ ମୋଟ ଆୟର ୧୦%ରୁ କମ୍ ରୋଜଗାର କରନ୍ତି। ଅର୍ଥାତ୍‌, ଯଦି ବିଶ୍ୱରେ ୧୦ ଜଣ ଲୋକ ଅଛନ୍ତି ଏବଂ ମୋଟ ବିଶ୍ୱ ଆୟ ୧୦୦ ଡଲାର, ତେବେ ସବୁଠାରୁ ଧନୀ ବ୍ୟକ୍ତି ୫୩ ଡଲାର ପାଆନ୍ତି, ବାକି ଚାରି ଜଣ ମିଶି ୩୮ ଡଲାର ପାଆନ୍ତି ଏବଂ ତଳ ପାଞ୍ଚ ଜଣ ୮ ଡଲାର ପାଆନ୍ତି।

Advertisment

ବିଶ୍ୱରେ ଅସମାନତାର ଭୟାନକ ସ୍ଥିତି ପରିପ୍ରେକ୍ଷୀରେ ଆମ ଦେଶର ସ୍ଥିତିକୁ ବି ଚର୍ଚ୍ଚା କରିବା ଜରୁରୀ। ‘ୱାର୍ଲ୍ଡ ଇନେକ୍ୱାଲିଟି ଲାବ୍‌’ ଦ୍ୱାରା ପ୍ରକାଶିତ ବିଶ୍ୱ ଅସମାନତା ରିପୋର୍ଟରେ ଭାରତକୁ ଏକ ଅତ୍ୟନ୍ତ ଅସମାନତାପୂର୍ଣ୍ଣ ଦେଶ ବୋଲି ଘୋଷଣା କରିଛି। ଏହି ରିପୋର୍ଟ ଅନୁଯାୟୀ ବିଶ୍ୱର ଯେଉଁ ଦେଶମାନଙ୍କରେ ସବୁଠାରୁ ବେଶୀ ଅସମାନତା ରହିଛି, ତା’ ମଧ୍ୟରେ ଭାରତ ମଧ୍ୟ ରହିଛି। ସେଥିରେ କୁହାଯାଇଛି ଯେ ଭାରତ ଚରମ ଦାରିଦ୍ର୍ୟହ ଓ ଅସମାନତାରେ ବୁଡ଼ି ରହିଛି। ଦେଶରେ ଆର୍ଥିକ ବିକାଶ ନେଇ ସରକାରଙ୍କ ବଡ଼ ବଡ଼ ଦାବି ସତ୍ତ୍ୱେ ଭାରତର ମୋଟ ସମ୍ପଦର ୪୦ ପ୍ରତିଶତର ମାଲିକାନା ଭୋଗ କରୁଛନ୍ତି ମୋଟ ଜନସଂଖ୍ୟାର ମାତ୍ର ୧ ପ୍ରତିଶତ ଲୋକ। ଆଉ ଉପର ସ୍ତରର ୧୦ ପ୍ରତିଶତ ଲୋକଙ୍କ ହାତରେ ଅଛି ଦେଶର ୬୫ ପ୍ରତିଶତ ସମ୍ପଦ। ଆୟ କ୍ଷେତ୍ରରେ ମଧ୍ୟ ଏହି ଅବସ୍ଥା। ମୋଟ ଆୟର ୫୮ ପ୍ରତିଶତ ଉପରର ୧୦ ପ୍ରତିଶତ ଲୋକଙ୍କ ପାଖରେ ରହିଛି। ଅର୍ଥାତ୍ ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଯେଉଁ ଉନ୍ନତି ଓ ବିକାଶର କାହାଣୀ ପ୍ରତିଦିନ ଲୋକଙ୍କୁ ଶୁଣାଉଛନ୍ତି, ତାହା ଦେଶର ସାଧାରଣ ଲୋକଙ୍କ କାହାଣୀ ନୁହେଁ। ତାହା ହେଉଛି କତିପୟ ବିତ୍ତଶାଳୀ ଲୋକଙ୍କ କାହାଣୀ। 

ସରକାର ବିଭିନ୍ନ ତଥ୍ୟ ଓ ପରିସଂଖ୍ୟାନ ଜରିଆରେ ଲୋକଙ୍କୁ ଯେତେ ଭ୍ରମିତ କଲେ ବି ଗୋଟିଏ କଥା ସତ ଯେ ବାସ୍ତବରେ ଦେଶର ସାଧାରଣ ଲୋକଙ୍କ ଆୟ ବଢ଼ୁନାହିଁ, ସେମାନଙ୍କ ସମ୍ପଦ ବଢ଼ୁନାହିଁ, ବରଂ କେବଳ ଅସମାନତା ହିଁ ବଢ଼ୁଛି। ଗତ ଏକ ଦଶକ ମଧ୍ୟରେ ଆର୍ଥିକ ଓ ସମ୍ପତ୍ତିରେ ଅସମାନତା ବୃଦ୍ଧିର ଦୌଡ଼ରେ ମୋଦୀଙ୍କ ଭାରତ ବିଶ୍ୱରେ ଏକ ନମ୍ବର ସ୍ଥାନ ଦଖଲ କରିନେଇଥିବା ପ୍ରମାଣିତ ହୋଇଛି। ଆର୍ଥିକ ଅସମାନତା ବ୍ୟତିତ ଦେଶରେ ଲିଙ୍ଗ ଏବଂ ଜଳବାୟୁ ଜନିତ ଅସମାନତା ସ୍ପଷ୍ଟ ଭାବରେ ଦେଖାଯାଉଛି ବୋଲି କୁହାଯାଇଛି। ଭାରତ ଭଳି ଏକ ବହୁମୁଖୀ ଦେଶରେ ଏହି ଅସମାନତା ଏତେ ବିନାଶକାରୀ ଯେ ଏକ କଲ୍ୟାଣକାରୀ ସମାଜ ପ୍ରତିଷ୍ଠା ପାଇଁ ଟିକସ ବ୍ୟବସ୍ଥା, ଲିଙ୍ଗ ସମାନତା ନୀତି ଏବଂ ଆର୍ଥିକ ସଂସ୍କାରରେ ପ୍ରଗତିଶୀଳ ସଂସ୍କାର କରିବା ଜରୁରୀ। 

ବିଶ୍ୱର କାର୍ବନ ନିର୍ଗମନର ୭୭ ପ୍ରତିଶତ ଧନୀ ଲୋକଙ୍କ ସମ୍ପତ୍ତିରେ ଜଳବାୟୁ ଅସମାନତା ପ୍ରତିଫଳିତ ହୁଏ, ଯେତେବେଳେ ସବୁଠାରୁ ଗରିବ ୩ ପ୍ରତିଶତ ଏହାର ଅଧା ପାଇଁ ଦାୟୀ! ବିଶ୍ୱର ନିମ୍ନ ଆୟକାରୀ ଦେଶଗୁଡ଼ିକର ଲୋକମାନେ ସବୁଠାରୁ କମ୍ କାର୍ବନ ନିର୍ଗମନ କରନ୍ତି। ତଥାପି ସେମାନେ ଜଳବାୟୁ ପରିବର୍ତ୍ତନର ସବୁଠାରୁ ଅଧିକ ଶିକାର ଅଟନ୍ତି। 

ବିଶ୍ୱରେ ଲିଙ୍ଗଗତ ଅସମାନତା ଶୀର୍ଷରେ ପହଞ୍ଚିଛି ବୋଲି ରିପୋର୍ଟରେ କୁହାଯାଇଛି। ସମାଜରେ ପୁରୁଷମାନେ ୪୩ ଘଂଟା କାମ କରୁଥିବା ବେଳେ ମହିଳାମାନେ ହାରାହାରି ୫୩ ଘଂଟା (ଘରକାର୍ଯ୍ୟ ଏବଂ ଶିଶୁ ଯତ୍ନ ସମେତ ଅନ୍ୟାନ୍ୟ କାମ) କାମ କରନ୍ତି। ଅବୈତନିକ (ଘରକାର୍ଯ୍ୟ) ବାଦ ଦେଲେ ମହିଳାମାନେ ପୁରୁଷଙ୍କ ଘଂଟା ପ୍ରତି ରୋଜଗାରର କେବଳ ୬୧ ପ୍ରତିଶତ ରୋଜଗାର କରନ୍ତି। ଅବୈତନିକ କାମକୁ ସାମିଲ କଲେ ଏହି ସଂଖ୍ୟା ୩୨ ପ୍ରତିଶତକୁ ହ୍ରାସ ପାଏ। ଭାରତରେ ମହିଳା ଶ୍ରମଶକ୍ତିର ଅଂଶ ଗ୍ରହଣ ହାର ବିଶ୍ୱରେ ସବୁଠାରୁ କମ୍ ଅର୍ଥାତ୍ ୧୫.୭ ପ୍ରତିଶତ।

ବିଶ୍ୱର ସବୁଠାରୁ ଅଧିକ ଅସମାନତା ଥିବା ଦେଶଗୁଡ଼ିକରେ ଗଣତନ୍ତ୍ରର ଅବନତି ହାର ୭ ଗୁଣ ଅଧିକ। ଏକ ଦଶକ ମଧ୍ୟରେ ଉଚ୍ଚବର୍ଗର ଲୋକଙ୍କ କ୍ଷମତାକୁ ଆସିବା ପ୍ରବୃତ୍ତି ୪,୦୦୦ ଗୁଣ ବଢ଼ିଛି। ଅନ୍ୟ ପକ୍ଷରେ ସାଧାରଣ ଲୋକଙ୍କର ରାଜନୈତିକ ଅଂଶଗ୍ରହଣ କମିବାରେ ଲାଗିଛି। ତୀବ୍ର ବିଷମତାର କାରଣରୁ ଦେଶେ ଦେଶେ ଗଣତନ୍ତ୍ର ଭାଙ୍ଗୁଛି। ଆର୍ଥିକ ବିଷମତା ସାଧାରଣ ଜନତାଙ୍କୁ ଅସହାୟ କରିବା ସହିତ ସେମାନଙ୍କ ରାଜନୈତିକ ଅଂଶଗ୍ରହଣ ଓ ଆନୁଷ୍ଠାନିକ ସନ୍ତୁଳନକୁ ଦୁର୍ବଳ କରେ। ଫଳରେ ଗଣତନ୍ତ୍ରର ଭିତ୍ତି ଅସ୍ଥିର ହୁଏ- ଅଦାଲତ ଓ ବିଧାନସଭାର କାର୍ଯ୍ୟକ୍ଷମତା ହ୍ରାସ, ଶାସକଙ୍କ ଉତ୍ତରଦାୟିତ୍ୱ କମିଯିବା, ମତପ୍ରକାଶର ସ୍ୱାଧୀନତା ସହ ନାଗରିକ ଅଧିକାର ଦମନ ଏବଂ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କିମ୍ବା ବିକୃତ କରିବା ମାଧ୍ୟମରେ ଗଣତନ୍ତ୍ରର ଅବକ୍ଷୟ ଘଟେ। କ୍ରମେ କିଛି ହାତଗଣତି ଲୋକ ଏକାଧିକାରୀ କ୍ଷମତାର ମାଲିକ ହୁଅନ୍ତି। 

‘ଅକ୍ସଫାମ୍‌’ ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ଉଗ୍ର ଦକ୍ଷିଣପନ୍ଥୀ ରାଜନୀତିର ଉତ୍‌ଥାନ ମଧ୍ୟ ଆୟ ବୈଷମ୍ୟ ସହ ସଂପୃକ୍ତ। ଧନୀମାନେ ଯେତେ ଧନୀ ହେଉଛନ୍ତି ରାଜନୈତିକ ଭାବେ ସେତେ ଅଧିକ ପ୍ରଭାବଶାଳୀ ହେଉଛନ୍ତି। ୧୩୬ଟି ଦେଶର ତଥ୍ୟ ବିଶ୍ଳେଷଣରୁ ପ୍ରମାଣ ମିଳିଛି ଯେ ଯେତେବେଳେ ଆର୍ଥିକ ସମ୍ପତ୍ତିର ବଂଟନ ଅସମାନ ହୁଏ ସେତେବେଳେ ରାଜନୈତିକ କ୍ଷମତା କିଛି ଉଚ୍ଚ-ଆୟ ଗୋଷ୍ଠୀଙ୍କ ହାତରେ କେନ୍ଦ୍ରୀଭୂତ ହୁଏ। ଏଥିରୁ ନୀତି ନିର୍ଦ୍ଧାରଣରେ ସାଧାରଣ ଲୋକଙ୍କ ତୁଳନାରେ ବିତ୍ତଶାଳୀ ଶ୍ରେଣୀର ସ୍ୱାର୍ଥ ଅଧିକ ପ୍ରତିଫଳିତ ହୁଏ।

ଧନକୁବେରମାନେ ପ୍ରଧାନତଃ ତିନିଟି ପଥରେ ନିଜ ରାଜନୈତିକ ପ୍ରଭାବ ବଢ଼ାଉଛନ୍ତି। ପ୍ରଥମତଃ ନିର୍ବାଚନ ପ୍ରକ୍ରିୟାକୁ ‘କିଣି ନେବା’, ଦ୍ୱିତୀୟରେ କ୍ଷମତା ଅଭିଜାତ୍ୟମାନଙ୍କ ମଧ୍ୟରେ ରହିବାକୁ ‘ବିନିଯୋଗ’ କରିବା ଏବଂ ତୃତୀୟରେ ସରକାରୀ ସଂସ୍ଥାଗୁଡ଼ିକ ଉପରେ ନିଜ ନିୟନ୍ତ୍ରଣକୁ ଦୃଢ଼ କରିବା। ଏହି ‘ବିଷାକ୍ତ’ ବ୍ୟବସ୍ଥାକୁ ଅତୁଟ ରଖିବା ପାଇଁ ଅଭିଜାତ-ନିୟନ୍ତ୍ରିତ ସରକାରମାନେ ଭୟଙ୍କର ଦମନର ପଥ ବାଛନ୍ତି। ଯେମିତି ଅସମାନତା ବିରୋଧରେ ପ୍ରତିବାଦ ନ ହେବ ସେଥିପାଇଁ ସମାଜରେ ଧାର୍ମିକ ବିଭାଜନ ଓ ସାମ୍ପ୍ରଦାୟିକ ହିଂସାକୁ ଉସକାଯାଏ। ପ୍ରତିଦିନ ନୂଆ ନୂଆ ‘ଶତ୍ରୁ’ ଖୋଜାଯାଏ। ଏହି ଅପାର ଲୁଟର ଦାୟିତ୍ୱ ଓ ଜନରୋଷର ଲକ୍ଷ୍ୟ ବନେଇ ଦିଆଯାଏ ପ୍ରବାସୀ କିମ୍ବା ସଂଖ୍ୟାଲଘୁ ଗୋଷ୍ଠୀମାନଙ୍କୁ। ଏଥିରୁ ସାଧାରଣ ଲୋକଙ୍କ ଦୁଃଖ-କଷ୍ଟର ପ୍ରକୃତ କାରଣ ଚରମ ଅସମାନତା ବଦଳରେ ଏକ କାଳ୍ପନିକ ଶତୃ ଆଡ଼କୁ ପଡ଼ିଯାଏ।

‘ୱର୍ଲ୍ଡ ଇନେକ୍ୱାଲିଟି ଲ୍ୟାବ୍‌’ର ରିପୋର୍ଟ ଅନୁଯାୟୀ, ଦେଶର ଅଗଣିତ ଲୋକ ପ୍ରତିଦିନ ଶ୍ରମ କରି ଯେଉଁ ସମ୍ପଦ ସୃଷ୍ଟି କରୁଛନ୍ତି ସେହି ସମ୍ପଦ ନ୍ୟାୟସଙ୍ଗତ ହାରରେ ତାଙ୍କ ଘରକୁ ପହଞ୍ଚୁନାହିଁ। ସେଗୁଡ଼ିକ ଉପର ସ୍ତରରେ ରହିଥିବା ମୁଷ୍ଟିମେୟ ବିତ୍ତଶାଳୀ ଲୋକମାନଙ୍କ ହାତକୁ ଚାଲିଯାଉଛି। ଯେକୌଣସି ଦେଶର ସନ୍ତୁଳିତ ବିକାଶ ପାଇଁ ଆର୍ଥିକ ସମାନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେପର୍ଯ୍ୟନ୍ତ ସମସ୍ତ ନାଗରିକ ମୌଳିକ ସୁବିଧା ପାଇପାରିବେ ନାହିଁ, ସେପର୍ଯ୍ୟନ୍ତ ବିକାଶର ସମସ୍ତ ଦାବି ଅସମ୍ପୂର୍ଣ୍ଣ ପ୍ରମାଣିତ ହେବ। ତଥାପି, ଏହା ଚିନ୍ତାଜନକ ଯେ ସାରା ବିଶ୍ୱରେ ଆର୍ଥିକ ଅସମାନତା ବୃଦ୍ଧି ପାଉଛି। ଏହା କେବଳ ଆର୍ଥିକ ଅସ୍ଥିରତା ବୃଦ୍ଧି କରୁନାହିଁ ବରଂ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି ଭଳି ମୌଳିକ ଆବଶ୍ୟକତାର ଉପଲବ୍ଧତାକୁ ମଧ୍ୟ ସୀମିତ କରୁଛି। ଦୁର୍ବଳ ବ୍ୟକ୍ତିମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। 

ବିଶ୍ୱ ଅର୍ଥନୈତିକ ଫୋରମ ଦ୍ୱାରା ଜାରୀ ଏକ ନୂତନ ସର୍ଭେ ରିପୋର୍ଟ ମଧ୍ୟ ଏହାକୁ ଆଲୋକିତ କରିଛି। ଏଥିରେ କୁହାଯାଇଛି ଯେ ବିଶ୍ୱର ଯୁବପିଢ଼ି ଅସମାନତା ବିଷୟରେ ଚିନ୍ତିତ। କିନ୍ତୁ ଏହାକୁ ସମାଲୋଚନା କରିବା ପରିବର୍ତ୍ତେ ସେମାନେ ପରିବର୍ତ୍ତନ ଚାହୁଁଛନ୍ତି। ପ୍ରଶ୍ନ ହେଉଛି, ଧନୀ ଏବଂ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ କାହିଁକି ସଙ୍କୁଚିତ ହେବା ପରିବର୍ତ୍ତେ ବୃଦ୍ଧି ପାଉଛି? କେବଳ ଗୋଟିଏ ଦେଶ ପାଇଁ ନୁହେଁ, ସମଗ୍ର ବିଶ୍ୱ ଅର୍ଥନୀତି ପାଇଁ ଏହି ଅସମାନତାର ବିନାଶକାରୀ ପରିଣାମ ବିଷୟରେ ସରକାର ଏବଂ ପ୍ରଶାସନ ଅଜ୍ଞ ଓ ଉଦାସୀନ କାହିଁକି?

ଏହା ଦେଶରେ ଆର୍ଥିକ ଅସମାନତାର ପରିମାଣର ଏକ ଧାରଣା ପ୍ରଦାନ କରେ। ଯୁବପିଢ଼ି ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି। ସେମାନେ ବ୍ୟବସ୍ଥାରେ ପରିବର୍ତ୍ତନ ଚାହୁଁଥିଲେ ମଧ୍ୟ ସେମାନଙ୍କ ପାଖରେ ଏହା କରିବା ପାଇଁ ସଠିକ୍ ମଞ୍ଚ ଏବଂ ସୁଯୋଗର ଅଭାବ ରହିଛି। ବିଶ୍ୱ ଅର୍ଥନୈତିକ ଫୋରମ ରିପୋର୍ଟରେ କୁହାଯାଇଛି ଯେ ସର୍ଭେ କରାଯାଇଥିବା ୫୭ ପ୍ରତିଶତ ଯୁବପିଢ଼ି ଏହି ଅସମାନତା ବିଷୟରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ପୂର୍ବରୁ ଆର୍ଥିକ ଅସମାନତା ବୃଦ୍ଧି ସମ୍ପର୍କରେ ଚେତାବନୀ ଦିଆଯାଇଛି, କିନ୍ତୁ ବିଶ୍ୱର କୌଣସି କୋଣରେ କୌଣସି ଗମ୍ଭୀର ପଦକ୍ଷେପ ନିଆଯାଇନାହିଁ। ଯେତେବେଳେ କୌଣସି ଦେଶର ସମ୍ପତ୍ତିର ଏକ ବଡ଼ ଅଂଶ କିଛି ଲୋକଙ୍କ ହାତରେ କେନ୍ଦ୍ରିତ ହୁଏ, ସେତେବେଳେ କ'ଣ ପରିଣାମ ହେବ ତାହା କଳ୍ପନା କରାଯାଇପାରିବ।

ସମାଜରୁ ଅସମାନତାକୁ ହ୍ରାସ କରିବା ପାଇଁ ରିପୋର୍ଟରେ ଗବେଷକମାନେ ନିମ୍ନଲିଖିତ ଜରୁରୀ ସୁପାରିଶ କରିଛନ୍ତି। ବିଶ୍ୱ ଆର୍ଥିକ ବ୍ୟବସ୍ଥାରେ ସଂସ୍କାର ଆଣି ମାନବ ସମ୍ବଳର ବିକାଶ ପାଇଁ ଅଧିକ ପୁଞ୍ଜିନିବେଶ କରିବା ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ସେଥିରେ ସମ୍ପତ୍ତିର ପୁନଃବଣ୍ଟନ, ସାମାଜିକ ସୁରକ୍ଷା, ଲିଙ୍ଗଗତ ସମାନତାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ସେମାନେ ବର୍ତ୍ତମାନ ରହିଥିବା ଟିକସ ବ୍ୟବସ୍ଥାରେ ମଧ୍ୟ ଏକ ପ୍ରଗତିଶୀଳ ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି। ଏହା ବ୍ୟତିତ ଗରିବ ଦେଶରୁ ଧନୀ ଦେଶକୁ ସମ୍ପତ୍ତିର ସ୍ଥାନାନ୍ତରକୁ ନିୟନ୍ତ୍ରିତ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଅସମାନ ଆର୍ଥିକ ପ୍ରବାହକୁ ହ୍ରାସ କରିବା, ଅବୈତନିକ ଯତ୍ନ କାର୍ଯ୍ୟରେ ଢାଞ୍ଚାଗତ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଏବଂ ଜୀବନର ଆରମ୍ଭରୁ ସମାନତାକୁ ପ୍ରୋତ୍ସାହିତ କରି ଏକ ଅନ୍ତର୍ଭୁକ୍ତ ସମାଜ ଗଠନ କରିବା ପାଇଁ ଚେଷ୍ଟା କରିବାକୁ କୁହାଯାଇଛି। ଜଳବାୟୁ ଲକ୍ଷ୍ୟ ସହିତ ଆର୍ଥିକ ନୀତିକୁ ସମନ୍ୱିତ କରି ସାଧାରଣ ସମ୍ବଳର ନ୍ୟାୟସଙ୍ଗତ ସଂଗ୍ରହ ପାଇଁ ସେମାନେ ଆହ୍ୱାନ କରିଥିଲେ।

ଶିକ୍ଷା ଏବଂ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦୃଷ୍ଟିରୁ ସେମାନଙ୍କର ସୁପାରିଶଗୁଡ଼ିକ ମଧ୍ୟରେ ମାଗଣା, ଉଚ୍ଚ-ଗୁଣବତ୍ତା ଶିକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟସେବା, ଶିଶୁ ଯତ୍ନ ଏବଂ ପୁଷ୍ଟିକର କାର୍ଯ୍ୟକ୍ରମରେ ଉପଯୁକ୍ତ ବିନିଯୋଗ ଅନ୍ତର୍ଭୁକ୍ତ। ଦୁର୍ବଳ ପରିବାର ପାଇଁ ନଗଦ ସ୍ଥାନାନ୍ତର, ପେନସନ ଏବଂ ବେକାରୀ ଭତ୍ତା କାର୍ଯ୍ୟକାରୀ କରିବାକୁ ମଧ୍ୟ କୁହାଯାଇଛି। ବିଶେଷକରି, ସେମାନେ ଶିଶୁ ଯତ୍ନ, ପିତାମାତାଙ୍କ ଛୁଟି ଏବଂ ସମାନ ଦରମା ଆଇନ କାର୍ଯ୍ୟକାରୀ କରିବା ପାଇଁ ଆହ୍ୱାନ ଦିଆଯାଇଛି। ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ ଯୋଜନା, ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ, ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ସହରାଞ୍ଚଳ ଜୀବିକା ମିଶନ, ସମଗ୍ର ଶିକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏବଂ ଜନ କଲ୍ୟାଣ କାର୍ଯ୍ୟକ୍ରମର ବ୍ୟବହାରିକ କାର୍ଯ୍ୟକାରିତାର ଆବଶ୍ୟକତା ରହିଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହାର ବିପରୀତ ଦେଖାଯାଉଛି।

ସ୍ୱାଭାବିକ ଭାବରେ, ବିଶ୍ୱ ଅସମାନତା ରିପୋର୍ଟ ୨୦୨୬ ଆମକୁ ଚରମ ଆର୍ଥିକ, ପରିବେଶଗତ ଏବଂ ସାମାଜିକ ଅସମାନତାର ଏକ ବିନାଶକାରୀ ସଙ୍କଟର ସଙ୍କେତ ଦେଉଛି। ଏହି ରିପୋର୍ଟ ସାରା ବିଶ୍ୱରେ ଆର୍ଥିକ, ପରିବେଶଗତ ଏବଂ ରାଜନୈତିକ ଅସମାନତାର ଏକ ଚିତ୍ର ଆଙ୍କିଛି, ନୀତି ନିର୍ଦ୍ଧାରକମାନଙ୍କ ଦ୍ୱାରା ଜରୁରୀ ପଦକ୍ଷେପ ନେବାକୁ ଆହ୍ୱାନ କରୁଛି, ବିଶେଷକରି ଭାରତ ଭଳି ଦେଶଗୁଡ଼ିକ ପାଇଁ, ଯେଉଁଠାରେ ଅସମାନତା କେବଳ ବୃଦ୍ଧି ପାଇବାରେ ଲାଗିଛି। ତଥ୍ୟ ଏହା ମଧ୍ୟ ଦର୍ଶାଉଛି ଯେ ଅସମାନତା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ପସନ୍ଦ ଦ୍ୱାରା ସୃଷ୍ଟି ହୁଏ। ବୈଜ୍ଞାନିକ ଏବଂ ଗବେଷକମାନଙ୍କ ଦ୍ୱାରା ପ୍ରସ୍ତାବିତ ବହୁମୁଖୀ ସୁପାରିଶଗୁଡ଼ିକ ସମସ୍ୟାର ସମାଧାନ ଏବଂ ବିଦ୍ୟମାନ ଜାତୀୟ ପଦକ୍ଷେପ ସହିତ ଅଧିକ ସମାନ ଏବଂ ସ୍ଥିର ସମାଜ ଗଠନ କରିବା ପାଇଁ ସ୍ପଷ୍ଟ, ଶୀଘ୍ର କାର୍ଯ୍ୟକ୍ଷମ ମାର୍ଗଦର୍ଶିକା ପ୍ରଦାନ କରେ। ଏଥିରେ ପ୍ରଗତିଶୀଳ କର ବ୍ୟବସ୍ଥା, ମାନବ ସମ୍ବଳରେ ବିନିଯୋଗ ଏବଂ ଅସମାନତା ହ୍ରାସ ପାଇଁ ଜଳବାୟୁ ଦାୟିତ୍ୱ ସୁନିଶ୍ଚିତ କରିବାକୁ ଆହ୍ୱାନ ଦିଆଯାଇଛି। ବିଶେଷଜ୍ଞମାନେ ସାଧାରଣତଃ ମନେ କରନ୍ତି ଯେ ଭାରତ ପାଇଁ ଏକ ପ୍ରଭାବଶାଳୀ ଏବଂ ସମାନ ବିକାଶ ପଥ ପାଇଁ ପଥ ପ୍ରଶସ୍ତ କରିବା ପାଇଁ ଆର୍ôଥକ ଏବଂ ସାମାଜିକ ନୀତି କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନିଆଯିବା ଉଚିତ।

ଫୋନ- ୯୪୩୭୧୬୬୩୯୧

Inequality Explosion Oxfam World Billionaires World Economy Oxfam Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe