ଜାନକୀଶ ବଡ଼ପଣ୍ଡା
କିଛି ମୁଦ୍ରିତ ଗଣମାଧ୍ୟମରେ ବିଜୁ ଜନତା ଦଳ ତରଫରୁ ଗୋଟିଏ ବିଜ୍ଞାପନ ପ୍ରକାଶ ପାଇଛି; ଯେଉଁଥିରେ ରାଜ୍ୟ ସରକାର ଓଡ଼ିଶାକୁ ଘିଅ ମହୁରେ ଭସାଇ ଦେଇଥିବାର ଦାବି କରାଯାଇଛି। ଏହାକୁ ଡାହା ମିଛ କହିହେବ। ବାସ୍ତବରେ ଏ ସମସ୍ତ ଦାବି ବାସ୍ତବତାଠାରୁ ବହୁତ ଦୂରରେ ରହିଥିବା ଭଳି ପ୍ରତୀୟମାନ ହେଉଛି।
ଏହା ସତ୍ୟ ଯେ, ନିର୍ବାଚନ ଚାଲିଥିବାରୁ ନିଜ ଦଳର ସରକାରଙ୍କ ଉପଲବ୍ଧି ଗୁଡିକୁ ବିଜ୍ଞପିତ କରିବା ପାଇଁ ଏହି ବିଜ୍ଞାପନଟି ଉଦ୍ଦିଷ୍ଟ ଥିଲା। ସ୍ୱାଭାବିକ ଭାବେ, କୌଣସି ରାଜନୈତିକ ଦଳ ନିଜର ଦୋଷ ଓ ଦୁର୍ବଳତାଗୁଡ଼ିକୁ ବିଜ୍ଞାପିତ କରିବ ବୋଲି ଆଶା କରାଯିବା ନିର୍ବୋଧତା। କିନ୍ତୁ, ଏଥିରେ ରାଜ୍ୟର ଆଇନଶୃଙ୍ଖଳାର ସ୍ଥିତି, ନାରୀ ସୁରକ୍ଷା, ମାତୃ ମୃତ୍ୟୁହାର, ନବଜାତ ଶିଶୁ ମୃତ୍ୟୁ ହାର, ମାନବ ଚାଲାଣ, ଦୁଷ୍କର୍ମ ଓ ହତ୍ୟା, ଦାଦନ ଶ୍ରମିକ ସମସ୍ୟା, ବେକାରୀ ସମସ୍ୟା, ବୃଦ୍ଧ ଓ ବିକଳାଙ୍ଗମାନଙ୍କ ଥଇଥାନ, ଅପପୁଷ୍ଟି, ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଶିକ୍ଷା ସମାପ୍ତ ପୂର୍ବରୁ ପାଠ ଛାଡ଼ିବା, ଚାଷୀ ପରିବାରର ମାସିକ ରୋଜଗାର ସମ୍ପର୍କିତ ତୁଳନାତ୍ମକ ତଥ୍ୟ, ଜଳସେଚନ, କୃଷି କ୍ଷେତ୍ରକୁ ବିଦ୍ୟୁତ୍ ଯୋଗାଣ, କୃଷିଜାତ ଦ୍ରବ୍ୟର ବିକ୍ରିବଟା ଓ ସଂରକ୍ଷଣ, ଉଦ୍ୟାନ କୃଷିର ବିକାଶ ଓ କୃଷି ଉତ୍ପାଦ ଗୁଡ଼ିକର ପ୍ରକ୍ରିୟାକରଣ-ଶିଳ୍ପ ସ୍ଥାପନ, ସେଗୁଡିକୁ ମୂଲ୍ୟଯୁକ୍ତ କରିବା ପାଇଁ ପ୍ରଣୀତ ଯୋଜନା, ଶୀତଳ ଭଣ୍ଡାର ଓ ଶୀତଳୀକରଣ ଗୃହ ସ୍ଥାପନ ଇତ୍ୟାଦିରେ ସଫଳତା ବିଷୟରେ ଉଲ୍ଲେଖ କରିବା ଉପାଦେୟ ହୋଇ ଥାଆନ୍ତା। ଜଣା ଯାଇଥାଆନ୍ତା ଯେ, କୃଷିପ୍ରଧାନ ଓଡ଼ିଶାର ମୌଳିକ ସମସ୍ୟା ସମ୍ପର୍କରେ ଉଭୟ ବିଜେଡି ଏବଂ ତାଙ୍କର ସରକାର ସମ୍ପୂର୍ଣ୍ଣ ସଚେତନ ରହିଛନ୍ତି।
ଏସବୁ ଯେ, ଓଡ଼ିଶାବାସୀଙ୍କୁ ଆଲୋଡ଼ିତ କରି ଆସିଛି ଏବଂ ଲୋକଙ୍କ ଆଶା ଓ ଆକାଂକ୍ଷା ଅନୁରୂପ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଚାଲିଛନ୍ତି, ତାହା ଜଣା ପଡ଼ିଥାଆନ୍ତା। କିନ୍ତୁ, ରାଜ୍ୟ ସରକାର ନିଜ ଅପାରଗତାକୁ ଏହି ବିଜ୍ଞାପନରେ ଲୁଚାଇ ରଖିବାର ଅପଚେଷ୍ଟା କରିଥିବାର ମନେହେଲା। ଆହୁରି ମଧ୍ୟ ଧରା ପଡ଼ିଗଲା ଯେ ସରକାର ଓଡ଼ିଶାବାସୀଙ୍କ ମୌଳିକ ଆବଶ୍ୟକତାକୁ ନା ବୁଝିଛନ୍ତି ନା ସେହି ଦିଗରେ ପ୍ରୟାସ କରିଛନ୍ତି। ଭାତ ହାଣ୍ଡିରୁ ଗୋଟିଏ ଦୁଇଟି ଭାତ ଚିପିଲା ଭଳି କେବଳ କୃଷି କ୍ଷେତ୍ରରେ 'ମୋ ସରକାର' ବୋଲାଉଥିବା ବିଜେଡି ସରକାର ବିଗତ ୨୪ ବର୍ଷ ଶାସନ ଭିତରେ କ'ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସବୁର ତର୍ଜମା କରିଯିବା ଅତ୍ୟାବଶ୍ୟକ ମନେହୁଏ।
ଆମ ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ଯେଉଁଠି ଶତକଡ଼ା ୭୦ ଭାଗ ଲୋକ ଚାଷ ଉପରେ ନିର୍ଭର କରି ଚଳନ୍ତି। ଅର୍ଥାତ୍ ଏମାନଙ୍କର ବାସ୍ତବ ଉନ୍ନତି ହିଁ ରାଜ୍ୟର ଉନ୍ନତି। କିନ୍ତୁ ଆଶ୍ଚର୍ଯ୍ୟ ହେବାକୁ ପଡୁଛି ଯେ, ଆଜିକା ଦିନରେ ଆମ ରାଜ୍ୟର ଏକ କୃଷକ ପରିବାରର ମାସିକ ରୋଜଗାର ମାତ୍ର ୫,୧୧୨ ଟଙ୍କା। ସର୍ବ ଭାରତୀୟ ସ୍ତରରେ ମାସିକ ଆୟ ଦୃଷ୍ଟିରୁ ଓଡ଼ିଶାର ଚାଷୀ ଝାଡ଼ଖଣ୍ଡ ଉପରକୁ ଦ୍ୱିତୀୟ ସର୍ବନିମ୍ନ।
ଫସଲ ଚାଷ ପାଇଁ ଏକ ମୁଖ୍ୟ ଆବଶ୍ୟକତା ହେଲା ଜଳସେଚନ। କିନ୍ତୁ ସରକାରଙ୍କର ପ୍ରତିଶୃତି ମୁତାବକ ଏ ପର୍ଯ୍ୟନ୍ତ ୩୧୪ଟି ବ୍ଲକରେ ଶତକଡ଼ା ୩୫ ଭାଗ ଜଳସେଚନ ବ୍ୟବସ୍ଥା ହେଲା ନାହିଁ, ଅଥଚ ଆମ ରାଜ୍ୟର ଜଳସମ୍ପଦ ପ୍ରାଚୁର୍ଯ୍ୟ ଅନ୍ୟତମ ସର୍ବଶ୍ରେଷ୍ଠ।
ଫସଲ ଚାଷ ଭିତରେ ଧାନ ଇତ୍ୟାଦି ଶସ୍ୟ ଉତ୍ପାଦନ ଅପେକ୍ଷା ଉଦ୍ୟାନ କୃଷି ହେଉଛି ସବୁଠୁ ଲାଭଜନକ କୃଷି। କିନ୍ତୁ ଏହାର ବିକାଶ ପାଇଁ ଲୋଡ଼ାହୁଏ ଶୀତଳ ଭଣ୍ଡାର, ପ୍ରାକ-ଶୀତଳୀକରଣ ଗୃହ, ଫଳ ଓ ପନିପରିବାର ପ୍ରକ୍ରିୟାକରଣ ପାଇଁ କ୍ଷୁଦ୍ରରୁ ମଧ୍ୟମ ଧରଣର ଶିଳ୍ପ ସ୍ଥାପନ ଓ ବିପଣନ ପାଇଁ ଉନ୍ନତ ବଜାର ବ୍ୟବସ୍ଥା। ଏସବୁ ଆମ ରାଜ୍ୟରେ ଅତି ନଗଣ୍ୟ।
ଆଳୁ ମିଶନ୍ ବିଫଳ ହୋଇଛି ଆମ ରାଜ୍ୟରେ। ଧନୀଠାରୁ ଗରୀବ - ସମସ୍ତଙ୍କ ପାଇଁ ଆଳୁର ଚାହିଦା ରହିଛି। ଆମ ରାଜ୍ୟରେ ଖାଉଟିମାନଙ୍କ ପାଇଁ ଆଳୁର ବାର୍ଷିକ ଚାହିଦା ହେଲା ୧୫ ଲକ୍ଷ ମେଟ୍ରିକ୍ ଟନ୍। ଅଥଚ ଆମ ରାଜ୍ୟରେ ଆଳୁ ଉତ୍ପାଦନ ଖସି ଆସିଛି ମାତ୍ର ୩.୦୯ ଲକ୍ଷ ମେଟ୍ରିକ୍ ଟନକୁ। ଏଥିପାଇଁ ଆମକୁ ପ୍ରତି ବର୍ଷ ଆଳୁ ପାଇଁ ମୁଖ୍ୟତଃ ପଶ୍ଚିମ ବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି। ବର୍ତ୍ତମାନ ବଜାରରେ ଆଳୁ କିଲୋ ପିଛା ୨୫ ଟଙ୍କାରୁ ୩୦ ଟଙ୍କା। ବହୁତ ବାଧୁଛି ଗରୀବଗୁରୁବାଙ୍କୁ। କିନ୍ତୁ ସରକାର ବେଫିକର। ଆମର ବାର୍ଷିକ ପିଆଜ ଚାହିଦା ୩ ଲକ୍ଷ ମେଟ୍ରିକ୍ ଟନ୍ ଥିଲା ବେଳେ ଉତ୍ପାଦନ ହୁଏ ୩.୯୫ ଲକ୍ଷ ମେଟ୍ରିକ୍ ଟନ୍। କିନ୍ତୁ, ପିଆଜ ଚାଷୀ ଅଭାବୀ ବିକ୍ରି କରେ, ସାଇତି ରଖିବା ପାଇଁ ଶୀତଳ ଗୃହ ପାଇଁ ବ୍ୟବସ୍ଥା ନାହିଁ କହିଲେ ଚଳେ। ସେଇ ପିଆଜକୁ ବାହାର ବେପାରୀ ଶସ୍ତାରେ କିଣି ସାଇତି ରଖି ଓଡ଼ିଶା ଖାଉଟିଙ୍କୁ ଚଢ଼ା ଦରରେ ବିକେ।
ଆଳୁ କ୍ଷେତ୍ରରେ ରାଜ୍ୟକୁ ସ୍ୱାବଲମ୍ବୀ କରି ଅଭାବ ମେଣ୍ଟାଇବା ପାଇଁ ବିଗତ ପାଞ୍ଚ ବର୍ଷ ତଳେ କୋଟି କୋଟି ଟଙ୍କା ଖର୍ଚ୍ଚରେ ବହୁ ପ୍ରଚାରିତ ଏକ ବିରାଟ କାର୍ଯ୍ୟକ୍ରମ ‘ଆଳୁ ମିଶନ୍’ ରାଜ୍ୟ ସରକାର ଆରମ୍ଭ କରିଥିଲେ। କିନ୍ତୁ ଆବଶ୍ୟକ ଶୀତଳ ଭଣ୍ଡାରର ଅଭାବ ଓ ଉଚ୍ଚଦରରେ ନିମ୍ନ ମାନର ବିଦ୍ୟୁତ ଯୋଗାଣ କାରଣରୁ ଏହି ବହୁ ପ୍ରଚାରିତ ମିଶନ ସମ୍ପୂର୍ଣ୍ଣ ଫେଲ୍ ମାରିଗଲା। ତାହା ପରେ ସରକାର ଆଳୁ ମିଶନକୁ ପୁନର୍ଜୀବନ ଦେବାକୁ ଆଗ୍ରହ ପ୍ରକାଶ କଲେନାହିଁ। ଚାଷୀ ନିରୁତ୍ସାହିତ ହେଲେ, କ୍ଷତି ସହିଲେ ଓ ଆଳୁ ଚାଷ କରିବାର ପ୍ରଣାଳୀ ବି ଭୁଲିଗଲେ। କୁହା ଯାଇଥିଲା ଯେ ପ୍ରତି ବ୍ଲକରେ ଅନ୍ତତଃ ଗୋଟିଏ ଲେଖାଏଁ, ଏପରି ସର୍ବନିମ୍ନ ୩୧୪ଟି ଶୀତଳ ଭଣ୍ଡାର ସୃଷ୍ଟି କରିବେ। ଜାତୀୟ ଉଦ୍ୟାନ ମିଶନ ପାଖରୁ ଅର୍ଥ ଆଣି ବରବାଦ କଲେ। ଆଜି ୧୪ଟି ବ୍ଲକରେ ମଧ୍ୟ ଶୀତଳ ଭଣ୍ଡାର ନାହିଁ ଓ ଯେଉଁ କେତୋଟି ଅଛି, ସେଥିମଧ୍ୟରୁ ଅନେକ କାମ କରୁ ନାହିଁ।
କୃଷିଜାତ ସାମଗ୍ରୀର ବିକ୍ରିବଟା ଓ ପ୍ରକ୍ରିୟାକରଣ ବିଷୟରେ ନକହିଲେ ଭଲ। ଓଡ଼ିଶାରେ ଧାନଚାଷ ଏକ ଲାଭଜନକ ଫସଲ ହୋଇ ରହିନାହିଁ। ବ୍ୟାପକ ଧାନଚାଷ କରାଯାଉଥିବାରୁ ମାଟି ଓ ପରିବେଶ ପ୍ରଦୂଷିତ ହେଉଛି, ଅଧିକ ଜଳ ବ୍ୟବହାର ହେଉଛି। ଓଡ଼ିଶାର ଚାଷୀ ଯେତେ ଦିନଯାଏଁ କେବଳ ଧାନଚାଷ କରୁଥିବ, ସେତେଦିନ ପର୍ଯ୍ୟନ୍ତ ସେ ଦରିଦ୍ର ହୋଇ ରହିଥିବ, ଏଥିରେ ଆଦୌ ସନ୍ଦେହ ନାହିଁ। ଜଳସେଚନ ସୁବିଧା ଥିଲେ, ଧାନକଟା ପରେ ଆଉ ଦୁଇଟି ଫସଲ ଚାଷ କରି, ଚାଷୀ ଲାଭବାନ୍ ହେଉଥାଆନ୍ତେ। ଧାନଚାଷ ଭଳି ଶସ୍ୟ ଉତ୍ପାଦନ ପରିବର୍ତ୍ତେ ଉଦ୍ୟାନ-କୃଷିର ବ୍ୟାପକ ପ୍ରସାର ଚାଷୀ ହାତକୁ ବର୍ଷସାରା କାମ ଯୋଗାଇବ, ତା'ର ଆୟକୁ ଦ୍ୱିଗୁଣିତ କରିବ ଏବଂ ଦାଦନ ଶ୍ରମିକ ସଂଖ୍ୟା ମଧ୍ୟ ହ୍ରାସ କରିବ। କିନ୍ତୁ ଏଥିପାଇଁ ଲୋଡ଼ା ୩୧୪ ବ୍ଲକକୁ ଜଳସେଚନ, ବ୍ୟବସାୟ ଭିତ୍ତିକ ଏକ-ଚକିଆ ଚାଷ, ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର ଓ ଶୀତଳିକରଣ ଗୃହ ନିର୍ମାଣ॥ ଚୁକ୍ତି ଭିତ୍ତିକ ଚାଷ, ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ, ଉତ୍ତମ ବଜାର ବ୍ୟବସ୍ଥା ସାଙ୍ଗକୁ ସହାୟକ ମୂଲ୍ୟ ଘୋଷଣା ଇତ୍ୟାଦି ଅତ୍ୟାବଶ୍ୟକ। କିନ୍ତୁ ଏସବୁ ପ୍ରତି ସରକାରଙ୍କର ଆନ୍ତରିକତା ଥିବାର ଦେଖା ଯାଇନି।
କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନୋଟି କୃଷି ଆଇନ୍ ମଧ୍ୟରେ ଚୁକ୍ତି ଭିତ୍ତିକ ଚାଷ ବା କଣ୍ଟ୍ରାକ୍ଟ ଫର୍ମିଂ ଥିଲା ଅନ୍ୟତମ। ଏହା ଲାଗୁ ହୋଇଥିଲେ କୃଷି କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସିପାରି ଥାଆନ୍ତା। କିନ୍ତୁ ବିରୋଧ କାରଣରୁ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରିନେବାକୁ ଉଚିତ ମଣିଥିଲେ। କୃଷିକୁ ଲାଭଜନକ କରିବା ଏବଂ ଚାଷର ବ୍ୟବସାୟୀ କରଣ ପାଇଁ ଏକ-ଚକିଆ ଚାଷର ଆବଶ୍ୟକତା ରହିଛି। ଆମ ରାଜ୍ୟର ଶତକଡା ୬୦ ଭାଗ ଚାଷୀ କ୍ଷୁଦ୍ର ଏବଂ ନାମମାତ୍ର ଶ୍ରେଣୀର। ସମସ୍ତେ ହାତରେ ହାତ ନମିଶାଇଲେ ବୃହତ୍ ପରିମାଣର ଚାଷଜମିରେ ଏକ-ଚକିଆ ଚାଷ ଅସମ୍ଭବ। ଯଦି ଅଭିଜ୍ଞ କୃଷି-ପରିଚାଳନା ସଂସ୍ଥା କିମ୍ବା ବଡ଼ ବଡ଼ ଶିଳ୍ପସଂସ୍ଥା ଓଡ଼ିଶାର ଚାଷୀମାନଙ୍କୁ ଏକାଠି କରି ‘ଚୁକ୍ତି ଭିତ୍ତିକ’ ଚାଷ କରି ପାରନ୍ତେ, ତାହେଲେ ଚାଷୀମାନେ ଓ କୃଷିଭିତ୍ତିକ ଶିଳ୍ପସଂସ୍ଥା ଲାଭବାନ ହୁଅନ୍ତେ। ବିଗତ କିଛି ବର୍ଷ ତଳେ ରାଜ୍ୟ ସରକାର କଣ୍ଟ୍ରାକ୍ଟ ଫର୍ମିଂକୁ ଆଇନର ମାନ୍ୟତା ଦେଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ କୌଣସି ଗୋଟିଏ ବି ସଂସ୍ଥା ଏ ଦିଗରେ କାର୍ଯ୍ୟ କରିପାରି ନାହାଁନ୍ତି। କେବଳ ମାଛ ଚାଷ ଓ ଅଣ୍ଡା ପାଇଁ କୁକୁଡ଼ା ଚାଷ କ୍ଷେତ୍ରରେ ଆମେ କଣ୍ଟ୍ରାକ୍ଟ ଫର୍ମିଂର କିଛିମାତ୍ରାରେ ଉଦାହରଣ ଦେଖିବାକୁ ପାଉଛେ। ଏହି ପ୍ରସଙ୍ଗରେ କହି ରଖିବା ଉଚିତ ହେବ ଯେ, ଦୀର୍ଘ ଦଶ ବର୍ଷ ହେଲା 'ପେପ୍ସି କମ୍ପାନୀ' କଣ୍ଟ୍ରାକ୍ଟ ଫର୍ମିଂ ଜରିଆରେ ପଞ୍ଜାବ ରାଜ୍ୟରେ ହଜାର ହଜାର ଏକର ହାଇବ୍ରିଡ଼ ଟମାଟୋ ଚାଷ କରୁଛି ଓ ଏହାର ପ୍ରକ୍ରିୟାକରଣ ମଧ୍ୟ କରୁଛି। ଯାହା ଫଳରେ ଚାଷୀମାନେ ଅଧିକ ଲାଭବାନ ହେଉଛନ୍ତି। ଆମ ରାଜ୍ୟରେ କିନ୍ତୁ ‘ବିଲାତି’ ପକ୍ଷରୁ ଆରମ୍ଭ କରାଯାଇଥିବା ଟମାଟୋ ଚାଷ ସଫଳତା ଅର୍ଜନ କରି ନପାରି ଅପମୃତ୍ୟୁର ଶିକାର ହୋଇଥିଲା।
ଅନେକେ ସ୍ୱୀକାର କରନ୍ତୁ ବା ନକରନ୍ତୁ, ସମବାୟ ସଂସ୍ଥା ଶକ୍ତିଶାଳୀ ନହେଲେ, ଚାଷୀମାନେ ଉପକୃତ ହେବା ସମ୍ଭବ ନୁହେଁ। କିନ୍ତୁ ସମବାୟ ସଂସ୍ଥା ଆମ ରାଜ୍ୟରେ କାର୍ଯ୍ୟ କରୁଛି କି ନାହିଁ ତାହା ଜାଣି ହେଉନାହିଁ। ପଞ୍ଜାବ, ହରିୟଣା, ହିମାଚଳ ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡୁ ଇତ୍ୟାଦି ରାଜ୍ୟରେ ସମବାୟ ଏକ ଆନ୍ଦୋଳନ ଭାବେ ପ୍ରତିଷ୍ଠା ପାଇ ଏହା ଜରିଆରେ ଚାଷୀମାନେ ଉନ୍ନତି କରିଥିବା ସ୍ଥଳେ ଆମ ରାଜ୍ୟର ‘ସମବାୟ ବିଭାଗ’ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ପଡିଛି। ଆମ ରାଜ୍ୟରେ ସବୁ କିଛି କେବଳ କାଗଜ ପତ୍ରରେ ଚାଲିଛି। ଶରୀର ଅଛି, ଆତ୍ମା ନଥିଲା ଭଳି ମନେ ହେଉଛି। ସମବାୟ ଭିତ୍ତିରେ ପ୍ରତିଷ୍ଠିତ ଚିନିକଳ, ସୂତା କଳ ଚାଲୁନି। ପୁଣିଥରେ ସମବାୟ ବ୍ୟବସ୍ଥାକୁ ବ୍ୟବସ୍ଥିତ ନକଲେ, ଚାଷ ଓ ଚାଷୀ ଉପକୃତ ହେବା ଅସମ୍ଭବ।
କୃଷି ସମ୍ବନ୍ଧିତ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହୁଛି। ରାଜ୍ୟରେ କୃଷି ଓ କୃଷକର ଉନ୍ନତି ପାଇଁ କୃଷି ବିଭାଗ, ଉଦ୍ୟାନ-କୃଷି ବିଭାଗ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବିଭାଗ ଓ ସମବାୟ ବିଭାଗ ମଧ୍ୟରେ ଯେଭଳି ସମନ୍ୱୟ ରହିବା କଥା ତାହା ଆମ ରାଜ୍ୟରେ ନାହିଁ। ଉପଯୁକ୍ତ ସମନ୍ୱୟ ଅଭାବରୁ ସରକାର ଗ୍ରହଣ କରୁଥିବା ଅନେକ ମହତ୍ୱାକାଂକ୍ଷୀ ପଦକ୍ଷେପ ବିଫଳ ହେଉଛି। ରାଜ୍ୟ ସରକାରଙ୍କ ମନ୍ତ୍ରୀ ତଥା କୃଷିସଚିବ ଧ୍ୟାନ ଦେବା ଦରକାର ଯେ, କୃଷି, ଉଦ୍ୟାନ-କୃଷି, ମତ୍ସ୍ୟ ଚାଷ, ପଶୁପାଳନ ଓ ସମବାୟ ବିଭାଗର ନିର୍ଦ୍ଦେଶକ ଓ ମୁଖ୍ୟମାନେ ନିଜ ନିଜ ବିଭାଗରେ ପ୍ରଶିକ୍ଷିତ ତଥା ଅଭିଜ୍ଞ। ତାହା ନକରି, ଆଇଏଏସ୍, ଆଇଏଫ୍ଏସ୍ ଅଧିକାରୀଙ୍କୁ ନିଯୁକ୍ତ କରିଦେଇ ନିଶ୍ଚିନ୍ତରେ ଶୋଇଗଲେ, ଓଡ଼ିଶା ଚିରଦିନ ଗରିବ ହୋଇ ରହିଯିବ। ରାଜ୍ୟରେ କୃଷକର ବାସ୍ତବ ଉନ୍ନତି ପାଇଁ ସରକାରଙ୍କ ଆନ୍ତରିକତା ଦେଖାଯିବା ଆବଶ୍ୟକ, ମିଥ୍ୟା-ବିଜ୍ଞାପିତ କରାଯିବା କେବଳ ଅପାରଗତା ଓ ଅମନଯୋଗୀତା ଦର୍ଶାଇବ।
ଫୋ-୯୪୩୮୨୯୯୦୩୭