Advertisment

ବଜେଟ୍‌ରେ ଦେଶର କୃଷିର ଚିତ୍ର !

ସରକାରଙ୍କ ସମସ୍ତ ଦାବି ସତ୍ତ୍ୱେ ବଜେଟ୍‌ରେ ମୋଟ ରାଜସ୍ୱ ବୃଦ୍ଧି ମାତ୍ର ୬.୭% ଅନୁମାନ କରାଯାଇଛି। ଆୟକର ଆଦାୟ ଆନୁମାନ ଠାରୁ ବହୁତ କମ୍ ହୋଇଥିବା ବେଳେ ଜିଏସ୍‌ଟିରେ ଆଦାୟ କେବଳ ୧.୯% ହିଁ ବଢ଼ିଛି।

କ୍ରୁଶବିଦ୍ଧ କୃଷିସଂସ୍କୃତି
Advertisment
  • ଭାଲଚନ୍ଦ୍ର ଷଡ଼ଙ୍ଗୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରର ତୃତୀୟ ଅବଧିର ଦ୍ୱିତୀୟ ବଜେଟ୍‌କୁ ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଛନ୍ତି। ଦେଶର କୃଷି କ୍ଷେତ୍ରରେ ଦେଖାଯାଇଥିବା ସଙ୍କଟ ପରିପ୍ରେକ୍ଷୀରେ ସରକାର ଚଳିତ ବଜେଟ୍‌ରେ କୃଷି, କୃଷକ ଓ ଗ୍ରାମାଞ୍ଚଳ ପାଇଁ ଆଖିଦୃଶିଆ ବ୍ୟବୟବରାଦ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଅର୍ଥମନ୍ତ୍ରୀଙ୍କ ସଦ୍ୟତମ ବଜେଟ୍ ଦେଶର କୃଷକମାନଙ୍କୁ ଏକଦମ୍ ନିରାଶ କରିଛି।

Advertisment

ସରକାରଙ୍କ ସମସ୍ତ ଦାବି ସତ୍ତ୍ୱେ ବଜେଟ୍‌ରେ ମୋଟ ରାଜସ୍ୱ ବୃଦ୍ଧି ମାତ୍ର ୬.୭% ଅନୁମାନ କରାଯାଇଛି। ଆୟକର ଆଦାୟ ଆନୁମାନ ଠାରୁ ବହୁତ କମ୍ ହୋଇଥିବା ବେଳେ ଜିଏସ୍‌ଟିରେ ଆଦାୟ କେବଳ ୧.୯% ହିଁ ବଢ଼ିଛି। ଅର୍ଥନୀତିରେ ୭.୪% ବୃଦ୍ଧିର ଦାବି କରାଯାଉଥିବା ବେଳେ ଦେଶର ପ୍ରାୟ ଅର୍ଦ୍ଧେକ କାର୍ଯ୍ୟଶକ୍ତି ନିୟୋଜିତ ହୋଇଥିବା ତଥା ଗ୍ରାମାଞ୍ଚଳରେ ରହୁଥିବା ଦେଶର ଦୁଇ ତୃତୀୟାଂଶ ଜନଗଣଙ୍କ ଜୀବନରେଖା ରୂପେ ପରିଚିତ କୃଷି କ୍ଷେତ୍ରରେ ବୃଦ୍ଧିର ହାର ୩.୧%କୁ ହ୍ରାସ ପାଇଛି ଯାହାକି ଗତ ତ୍ରୈମାସିକୀରେ କୃଷିର ବୃଦ୍ଧି ହାର ୩.୫% ଠାରୁ ବି କମ୍ ଅଟେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଦଶକରେ କୃଷିର ହାରାହାରି ବୃଦ୍ଧି ଦର ୪.୪୫% ରହିଥିଲା।

ଦେଶରେ କର୍ପୋରେଟ୍‌ମାନଙ୍କ ପାଇଁ ପ୍ରତ୍ୟକ୍ଷ ଟିକସରେ ଲଗାତାର ହ୍ରାସ ଓ ବିପୁଳ ରିହାତିର ଫଳସ୍ୱରୂପ ରାଜସ୍ୱ ନିଅଣ୍ଟ ଦେଖାଯାଇଛି। ରାଜସ୍ୱ ଆଦାୟ କମିବାକୁ ଦେଖି ସରକାର ଗ୍ରାମୀଣ ଉନ୍ନୟନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାଜ କଲ୍ୟାଣ ଆଦି ବାବଦରେ ବ୍ୟୟ ବରାଦକୁ ହ୍ରାସ କରିଛନ୍ତି। ସାର, ଖାଦ୍ୟ ଓ ପେଟ୍ରୋଲିୟମ ଆଦିରୁ ସବସିଡ଼ି କମାଇ ଗରିବ ଲୋକଙ୍କ ଉପରେ ଅଧିକ ଭାର ଦିଆଯାଉଛି। ଚଳିତ ବଜେଟ୍‌ରେ ପୂର୍ବରୁ ଘୋଷିତ ଅନେକ ପ୍ରକଳ୍ପରେ ଏବର୍ଷ ଶୂନ୍ୟ ବ୍ୟୟବରାଦ ଦେଖିବାକୁ ମିଳିଛି। ଗତ୨୦୨୫–୨୬ ର ସଂଶୋଧିତ ହିସାବ ଅନୁଯାୟୀ ଗ୍ରାମୀଣ ଉନ୍ନୟନ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ସହର ଉନ୍ନୟନ, ଆବାସ ଓ ପାନୀୟଜଳ ଭଳି କ୍ଷେତ୍ରରେ ବ୍ୟଚୁ କମାଇ ଦିଆଯାଇଛି। ଦଳିତ ଓ ଆଦିବାସୀ କଲ୍ୟାଣ, ଅଙ୍ଗନୱାଡ଼ି ଓ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ମଧ୍ୟ ବ୍ୟାପକ ବ୍ୟୟହ୍ରାସ ଦେଖିବାକୁ ମିଳିଛି। ଚଳିତ ବଜେଟ୍‌ରେ ୨୦ଟି ସାମାଜିକ କ୍ଷେତ୍ର ମଧ୍ୟରୁ ୧୭ଟି କ୍ଷେତ୍ରରେ ଅନୁଦାନ ପୂର୍ବ ବର୍ଷ ତୁଳନାରେ କମିଛି।

Advertisment

ଅର୍ଥମନ୍ତ୍ରୀ ଚଳିତ ବଜେଟ୍‌ରେ କୃଷିକୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି। ପ୍ରଥମ ଥର ପାଇଁ ସେ ନିଜର ବଜେଟ୍ ଭାଷଣରେ କ୍ଷୁଦ୍ର ଓ ସୀମାନ୍ତ କୃଷକଙ୍କ ନାମକୁ ମାତ୍ର ଗୋଟିଏ ଥର ଉଲ୍ଲେଖ କରିଥିବା ବେଳେ ଗ୍ରାମୀଣ ଶ୍ରମିକଙ୍କ କଥାକୁ ଆଦୌ ଉଲ୍ଲେଖ କରି ନାହାଁନ୍ତି। କୃଷି ଓ ସଂଲଗ୍ନ କ୍ଷେତ୍ରରେ ବ୍ୟୟବରାଦକୁ ପୂର୍ବ ବର୍ଷ ତୁଳନାରେ କମ୍ କରାଯାଇଛି। କେନ୍ଦ୍ର ସରକାର ଗତବର୍ଷ ବଜେଟ୍‌ରେ ଯଦିଓ ଏ ବାବଦରେ ୧ ଲକ୍ଷ ୫୮ ହଜାର ୮୩୮ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ, କିନ୍ତୁ ସମ୍ପୂର୍ଣ୍ଣ ଅନୁଦାନକୁ ଖର୍ଚ୍ଚ କରି ପାରି ନଥିଲେ। ସଂଶୋଧିତ ହିସାବ ଅନୁଯାୟୀ ୨୦୨୫-୨୬ ଆର୍ଥିକ ବର୍ଷ୍େ‌ର ମୋଟ ୧ ଲକ୍ଷ ୫୧ ହଜାର ୮୫୩ କୋଟି ଟଙ୍କା ହିଁ ଖର୍ଚ୍ଚ ହୋଇଛି। ଚଳିତ ବଜେଟ୍‌ରେ ସରକାର ଆସନ୍ତା ଅର୍ଥବର୍ଷ ପାଇଁ ମାତ୍ର ୧ ଲକ୍ଷ ୬୨ ହଜାର ୬୭୧ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ବଜାରର ମୂଲ୍ୟବୃଦ୍ଧିକୁ ଧ୍ୟାନରେ ରଖିଲେ, ଏ ବାବଦରେ ପ୍ରାୟତଃ କୌଣସି ପ୍ରକୃତ ବୃଦ୍ଧି ହୋଇନାହିଁ ବୋଲି କୁହାଯାଇପାରେ। କୃଷି ଗବେଷଣା ଓ ଶିକ୍ଷା ବାବଦରେ ମଧ୍ୟ ଆଗାମୀ ଅର୍ଥବର୍ଷରେ ଚଳିତ ବର୍ଷର ଅନୁମାନିତ ଖର୍ଚ୍ଚ ତୁଳନାରେ ୯,୯୬୭ କୋଟି ଟଙ୍କା ହ୍ରାସ କରାଯାଇଛି।

ଦେଶରେ ବର୍ଦ୍ଧିତ କୃଷି ସଙ୍କଟ ଓ ତଜ୍ଜନିତ କୃଷକ ଆତ୍ମହତ୍ୟା ପରିପ୍ରେକ୍ଷୀରେ କୃଷକମାନଙ୍କ ଆୟବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଆସିଛି। ଗତ୨୮ ଫେବୃଆରୀ ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦି ୨୦୨୨ ସୁଦ୍ଧା ଦେଶର କୃଷକଙ୍କ ଆୟକୁ ଦୁଇଗୁଣ କରିବାର ଲକ୍ଷ୍ୟ ଘୋଷଣା କରିଥିଲେ। କିନ୍ତୁ ପରିତାପର ବିଷୟ ପ୍ରଧାନମନ୍ତ୍ରୀଙ୍କ ଉପରୋକ୍ତ ଘୋଷଣା ଏଯାଏଁ କାର୍ଯ୍ୟକାରୀ ହୋଇପାରିଲା ନାହିଁ। କୃଷିର ଉତ୍ପାଦନ ଖର୍ଚ୍ଚକୁ ନା କମ୍ କରାଗଲା ନା କୃଷକର ଉତ୍ପାଦିତ କୃଷିଜାତ ଦ୍ରବ୍ୟର ମୂଲ୍ୟରେ କୌଣସି ଆଖିଦୃଶିଆ ବୃଦ୍ଧି କରାଗଲା। କେବଳ ୨୦୧୯ ନିର୍ବାଚନର ଠିକ୍ ପୂର୍ବରୁ ସରକାର ‘ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି’ ବାବଦରେ କୃଷକ ପରିବାରକୁ ବାର୍ଷିକ ୬୦୦୦ ଟଙ୍କାର ସହାୟତା ଦେବା ଆରମ୍ଭ କରିଥିଲେ। କିନ୍ତୁ ଏହି ଯୋଜନା କେବଳ ଜମି ମାଲିକାନା ଥିବା ଦେଶର ଦେଶର ୧୪ କୋଟି କୃଷକଙ୍କୁ ହିଁ ଉପଲବ୍ଧ ହେଲା। ଯେଉଁମାନେ ଭାଗଚାଷୀ, ନାମମାତ୍ର ଚାଷୀ ସେମାନେ ଏହି ଯୋଜନାର ଲାଭ ପାଇବାରୁ ବଂଚିତ ହେଲେ। ଏପରିକି ୧୪ କୋଟି ହିତାଧିକାରୀଙ୍କ ମଧ୍ୟରୁ ୩ କୋଟି କୃଷକ ପରିବାରକୁ ଏଯାଏଁ ସମ୍ପୂର୍ଣ୍ଣ ସମୁଦାୟ ୨୧ଟି କିସ୍ତି ମିଳିନାହିଁ। ତେବେ ସବୁଠାରୁ ଗୁରୁତ୍ତ୍ୱପୂଣ୍‌ଁ କଥା ହେଲା, ଏହି ଯୋଜନା ଆରମ୍ଭ ହେବାର ଦୀର୍ଘ ସାତ ବର୍ଷ ହୋଇଯାଇଥିଲେ ମଧ୍ୟ ସରକାର ଏହାର ଅନୁଦାନ ରାଶିକୁ ଆଦୌ ବୃଦ୍ଧି କରି ନାହାନ୍ତି। ଗତ ସାତ ବର୍ଷର ମୁଦ୍ରାସ୍ଫୀତିର ଆଧାରରେ ତଥା ସଂସଦୀୟ ସ୍ଥାୟୀ ସମିତିର ସୁପାରିଶକୁ ଗ୍ରହଣ କରି ସରକାର ଚଳିତ ବଜେଟ୍‌ରେ ଏହି ଯୋଜନାର ସହାୟତା ରାଶିକୁ ଦୁଇ ଗୁଣ ଅର୍ଥାତ୍ ବାର୍ଷିକ ୧୨ ହଜାର ଟଙ୍କାକୁ ବୃଦ୍ଧି କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ବଜେଟ୍ ଏନେଇ ସମ୍ପୂର୍ଣ୍ଣ ନୀରବ ରହିଛି।

ଦେଶର କୃଷକମାନଙ୍କ ମୁଖ୍ୟ ଦାବି ଭାବେ ଏମଏସପିକୁ ଆଇନଗତ ଗ୍ୟାରେଣ୍ଟି, କୃଷି ଋଣ ଛାଡ଼ ଓ କୃଷକଙ୍କୁ ପେନ୍‌ସନ ରହି ଆସିଛି। କିନ୍ତୁ ଅର୍ଥମନ୍ତ୍ରୀଙ୍କ ଚଳିତ ବଜେଟ୍‌ରେ ଏସବୁର ଉଲ୍ଲେଖ ମଧ୍ୟ କରାଯାଇନାହିଁ। କେନ୍ଦ୍ର ସରକାର କର୍ମଚାରୀମାନଙ୍କ ପାଇଁ ଏପର୍ଯ୍ୟନ୍ତ ୮ଟି ବେତନ ଆୟୋଗ ଗଠନ କରିଥିବା ବେଳେ ଡ଼ଃ ସ୍ୱାମୀନାଥନ୍ କମିଶନଙ୍କ ସୁପାରିଶ ଅନୁଯାୟୀ କୃଷକଙ୍କ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ଦରକୁ ବୃଦ୍ଧି କରିବାକୁ ଏଯାଏଁ କୌଣସି ପଦକ୍ଷେପ ନେଇ ନାହାଁନ୍ତି। ପ୍ରତ୍ୟେକ କୃଷକ ପରିବାରର ନ୍ୟୂନତମ ଆୟ ନିର୍ଦ୍ଧାରଣ ପାଇଁ ସର୍ବପ୍ରଥମେ ‘କୃଷକ ଆୟୋଗ’ ଗଠନ କରାଯିବା ଉଚିତ୍ ଥିଲା। ସାରା ଦେଶରେ ହଜାର ହଜାର କୋଟି ଟଙ୍କାର ଫସଲ ବୀମା ଓ କ୍ଷତିପୂରଣ ଅଦ୍ୟାବଧି ବକେୟା ରହିଛି। ଅନ୍ତତଃ ବକେୟା ରାଶି ଓ ରାଜସ୍ୱ କ୍ଷତିପୂରଣ ପାଇଁ ବଜେଟ୍‌ରେ ବ୍ୟୟବରାଦ କରିବା ଉଚିତ୍ ଥିଲା।

ବଜେଟ୍‌ରେ କୃଷି କ୍ଷେତ୍ରର ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ପାଇଁ ବ୍ୟୟବରାଦ ପ୍ରାୟତଃ ଅପରିବର୍ତ୍ତିତ ରହିଛି କିମ୍ବା କେବଳ ସାମାନ୍ୟ ବୃଦ୍ଧି ହୋଇଛି। କେବଳ କୃଷି ଉନ୍ନତି ଯୋଜନା ପରି ଯୋଜନାରେ ବ୍ୟୟବରାଦ ୨୦୨୬-୨୭ରେ ୪,୪୦୦ କୋଟି ଟଙ୍କାର ବୃଦ୍ଧି ହୋଇଛି। ସେହିପରି ସାର ଓ କୃଷି ଭିତ୍ତିଭୂମି ବାବଦରେ ବ୍ୟୟବରାଦ ହ୍ରାସ ପାଇଛି। ଫସଲ ବୀମା ଯୋଜନାର ଧନରାଶି ମଧ୍ୟ କମାଯାଇଛି। ଗତ ବଜେଟ୍‌ରେ ସାର ବାବଦରେ ସରକାର ୧ ଲକ୍ଷ ୮୬ ହଜାର ୪୬୦ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। କିନ୍ତୁ ଚଳିତ ବଜେଟ୍‌ରେ ଏହି ବାବଦରେ ବ୍ୟୟ ବରାଦକୁ ୧ ଲକ୍ଷ ୭୦ ହଜାର ୭୮୧ କୋଟି ଟଙ୍କାକୁ ହ୍ରାସ କରିଛନ୍ତି। ଏହାର ଅର୍ଥ, ଆଗାମୀ ଆର୍ଥିକ ବର୍ଷରେ ସାର ବାବଦରେ ସରକାରଙ୍କ ଖର୍ଚ୍ଚ ପ୍ରାୟ ୧୬ ହଜାର କୋଟି ଟଙ୍କା କମିଯିବ ଯାହାକି କୃଷକଙ୍କ କୃଷି ବାବଦରେ ଖର୍ଚ୍ଚକୁ ବଢ଼ାଇବ।

ଅର୍ଥମନ୍ତ୍ରୀ ନିଜର ଭାଷଣରେ କୃଷି ଉତ୍ପାଦନ କ୍ଷମତା ବୃଦ୍ଧିକୁ ‘କର୍ତ୍ତବ୍ୟ’ ବୋଲି କହିଥିଲେ ମଧ୍ୟ, କୃଷି ଶିକ୍ଷା ଓ ଗବେଷଣା ବିଭାଗର ବ୍ୟୟବରାଦକୁ ପୂର୍ବବର୍ଷ ତୁଳନାରେ ହ୍ରାସ କରିଛନ୍ତି। ୨୦୨୫–୨୬ ଆର୍ôଥକ ବର୍ଷର ସଂଶୋଧିତ ଆକଳନ ଅନୁଯାୟୀ ଏହି ରାଶି ୧୦,୨୮୧ କୋଟି ଟଙ୍କା ଥିବା ବେଳେ ଚଳିତ ବଜେଟ୍‌ରେ ତାହା ୯,୯୬୭ କୋଟି ଟଙ୍କା ରଖାଯାଇଛି। ଦେଶରେ କୃଷି ଗବେଷଣାରେ ଅଧିକ ପୁଞ୍ଜିନିବେଶର ଆବଶ୍ୟକତା ଥିବା ବେଳେ ସରକାରଙ୍କ ଏହି ପଦକ୍ଷେପ ଭାରତର କୃଷିର ବିକାଶକୁ ପ୍ରଭାବିତ କରିବା ସହ ଅନ୍ୟ ଦେଶ ସହ ପ୍ରତିଦ୍ୱନ୍ଦିତା କରିବାରେ ଆମର ସାମର୍ଥ୍ୟକୁ ସଙ୍କୁଚିତ କରିଦେବ।

ସରକାରଙ୍କ ଆଉ ଏକ ପ୍ରମୁଖ ଯୋଜନା, ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ପାଇଁ ବଜେଟ୍‌ରେ ବ୍ୟୟବରାଦକୁ ଗତ ବଜେଟ୍‌ରେ ଥିବା ୧୨,୨୬୭ କୋଟି ଟଙ୍କାରୁ କମାଇ ୧୨,୨୦୦ କୋଟି ଟଙ୍କା କରାଯାଇଛି। ଏହି କମିବା ଏମିତି ଏକ ସମୟରେ ହୋଇଛି, ଯେତେବେଳେ କୃଷକମାନେ ଅଧିକରୁ ଅଧିକ ବନ୍ୟା, ବାତ୍ୟା ଓ ଅନିୟମିତ ବର୍ଷା ଆଦି ପ୍ରାକୃତିକ ବିପର୍ଯ୍ୟୟ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଫସଲ ବୀମା କୃଷକଙ୍କ ଆୟକୁ ସୁରକ୍ଷା କରିବା ପାଇଁ ଏକ ମୁଖ୍ୟ ସୁରକ୍ଷା ବଳୟ ହୋଇ ପାରିଥାନ୍ତା। କିନ୍ତୁ ସରକାର ସେଥିରେ ବ୍ୟୟବରାଦକୁ ହ୍ରାସ କରି କୃଷକମାନଙ୍କୁ ଅଧିକ ଅସୁବିଧା ମଧ୍ୟକୁ ଠେଲିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୪-୨୫ରେ ଏହି ଯୋଜନାରେ ବାସ୍ତବ ବ୍ୟୟ ୧୪,୪୭୩ କୋଟି ଟଙ୍କା ଥିଲା। ଏହା ସହିତ ତୁଳନା କଲେ, ବର୍ତ୍ତମାନର ବ୍ୟୟବରାଦରେ ପୂର୍ବାପେକ୍ଷା ୧୫.୭% ହ୍ରାସ ଦେଖାଯାଇଛି। ଏହା ଗତ ୮ ବର୍ଷ (୨୦୧୯-୨୦ ପରଠାରୁ) ମଧ୍ୟରେ ଚଗୠଈଣ ପାଇଁ ସବୁଠଳହଭ କମ୍ ବ୍ୟୟବରାଦ ଅଟେ। ଏହା ସତ୍ତ୍ୱେ ସରକାରଙ୍କ ଆର୍ôଥକ ସର୍ବେକ୍ଷଣ ନିକଟରେ ସ୍ୱୀକାର କରିଛି ଯେ କୃଷି କ୍ଷେତ୍ର ଦିନକୁ ଦିନ ଅଧିକ ପାଣିପାଗ ଜନିତ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି, ଯାହାର ଫଳସ୍ୱରୂପ କୃଷକମାନେ ବିପୁଳ କ୍ଷତିର ସମ୍ମୁଖୀନ ହେଉଛନ୍ତି। 

ଜାତୀୟ ପ୍ରାକୃତିକ କୃଷି ମିଶନ ପାଇଁ ବଜେଟ୍‌ରେ ବ୍ୟୟବରାଦ ୭୫୦ କୋଟି ଟଙ୍କା ରଖାଯାଇଛି, ଯାହା ୨୦୨୫-୨୬ର ସଂଶୋଧିତ ହିସାବ ୭୨୫ କୋଟି ଟଙ୍କା ତୁଳନାରେ ମାତ୍ର ୩.୪% ଅଧିକ। ତଥାପି ଏହି ବ୍ୟୟବରାଦ ପ୍ରସ୍ତାବିତ ପରିବର୍ତ୍ତନର ମାପଦଣ୍ଡ ଅନୁସାରେ ଅତ୍ୟନ୍ତ କମ୍ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଜାତୀୟ ପ୍ରାକୃତିକ କୃଷି ମିଶନ ୨୫ ନଭେମ୍ବର ୨୦୨୪ରେ ଆରମ୍ଭ ହୋଇଥିଲା, ଯାହାର ଲକ୍ଷ୍ୟ ସମଗ୍ର ଦେଶରେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ଓ ରସାୟନିକ ସାର ଓ କୀଟନାଶକ ଆଧାରିତ କୃଷି ଉପରେ କୃଷକଙ୍କ ନିର୍ଭରତା କମାଇବା।

ସବୁଠାରୁ ଉଦ୍‌ବେଗଜନକ ବିଷୟ ହେଲା, ସରକାର ଗତ ବଜେଟ୍‌ମାନଙ୍କରେ ଯେଉଁ ବଡ଼ ବଡ଼ ଘୋଷଣା କରିଥିଲେ, ସେଥିରେ କୌଣସି ଟଙ୍କା ବିନିଯୋଗ ହିଁ କରିପାରି ନାହାନ୍ତି। ଗତ ବର୍ଷର ବଜେଟ୍‌ରେ ଘୋଷିତ କିଛି ଯୋଜନା ଏବେ ବନ୍ଦ କରାଯାଇଥିବା କିମ୍ବା ଆଗକୁ ଚାଲୁ ରହୁନଥିବା ପରି ଦେଖାଯାଉଛି। ପୂର୍ବବର୍ଷର ବଜେଟ୍‌ରେ ସରକାର ‘କପାସ ପ୍ରଯୁକ୍ତି ମିଶନ’, ‘ଡାଲି ମିଶନ’, ‘ସବଜି ଓ ଫଳ ମିଶନ’ ଏବଂ ‘ଜାତୀୟ ଶଙ୍କୀର ବୀଜ ପ୍ରକଳ୍ପ’, ମଖାନା ବୋର୍ଡ଼’ ପରି ଅନେକ ଯୋଜନା ଘୋଷଣା କରିଥିଲେ, ଯାହା ପାଇଁ ପ୍ରତ୍ୟେକରେ ୫୦୦ କୋଟିରୁ ୧,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବିନିଯୋଗ ପ୍ରସ୍ତାବିତ ଥିଲା। କିନ୍ତୁ ୨୦୨୬-୨୭ର ବଜେଟ୍ ଦସ୍ତାବେଜ ଅନୁସାରେ, ୨୦୨୫-୨୬ର ସଂଶୋଧିତ ଆନୁମାନ ଓ ୨୦୨୬-୨୭ର ବଜେଟ୍‌ରେ ଏହି ‘ମିଶନ’ଗୁଡ଼ିକ ପାଇଁ କୌଣସି ଅନୁଦାନ ରଖାଯାଇନାହିଁ। ସେହିପରି, ଗତ ବର୍ଷ ବହୁତ ଆଡମ୍ବର ସହିତ ଘୋଷିତ କିଛି ଯୋଜନା ୨୦୨୫-୨୬ର ସଂଶୋଧିତ ଅଟକଳରେ ଶୂନ୍ୟ ଅନୁଦାନ ପାଇଥିବାରୁ ସେଗୁଡ଼ିକ କାର୍ଯ୍ୟକାରୀ ହିଁ ହୋଇପାରିନଥିଲା। ଏହି ବର୍ଷର ବଜେଟ୍‌ରେ ମଧ୍ୟ ସେସବୁ ଯୋଜନାର କୌଣସି ଉଲ୍ଲେଖ ନାହିଁ।

ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ମଧ୍ୟ ୨୦୨୫-୨୬ ବଜେଟ୍‌ରେ ୨ ଲକ୍ଷ ୨୮ ହଜାର ୧୫୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ ଥିଲା। କିନ୍ତୁ ଅର୍ଥମନ୍ତ୍ରୀ ୨୦୨୬-୨୭ର ବଜେଟ୍‌ରେ ତାକୁ ବୃଦ୍ଧି କରିବା ପରିବର୍ତ୍ତେ ପୂର୍ବାପେକ୍ଷା ପ୍ରାୟ ୧ ହଜାର କୋଟି ଟଙ୍କା କମାଇ ୨ ଲକ୍ଷ ୨୭ ହଜାର ୬୨୯ କୋଟି ଟଙ୍କାରେ ବ୍ୟୟବରାଦ ଧାର୍ଯ୍ୟ କରିଛନ୍ତି। ଖାଦ୍ୟ ବାବଦରେ କମ୍ ବ୍ୟୟବରାଦ ନିଶ୍ଚିତ ରୂପେ ଦେଶର ସବୁଠାରୁ ଗରିବ ଲୋକଙ୍କ ଉପରେ ଆର୍ଥିକ ବୋଝକୁ ବଢ଼ାଇବ।

ଖର୍ଚ୍ଚ କାଟିବା ନାଁରେ ସରକାର ଦେଶର ସର୍ବବୃହତ୍ତ ରୋଜଗାର ଯୋଜନା, ମନରେଗାକୁ ପ୍ରତ୍ୟାହାର କରି ତା’ ସ୍ଥାନରେ ବିଭିଜି ରାମ ଜୀ ନାଁରେ ଆଉ ଏକ ଯୋଜନା ଆଣିଛନ୍ତି। ଏଥିରେ ହେବାକୁ ଥିବାର ଖର୍ଚ୍ଚର ଭାରର ୪୦% ରାଜ୍ୟମାନଙ୍କ ଉପରେ ଠେଲି ଦିଆଯାଇ ଥିବାରୁ ସେ ବାବଦରେ ଚଳିତ ବଜେଟ୍‌ରେ କମ୍ ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପ ପାଇଁ ମୋଟ ୯୫,୬୯୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯାହା ସମୁଦାୟ ବ୍ୟୟର ମାତ୍ର ୬୦% ଅଟେ ଯାହାକି କେନ୍ଦ୍ରର ଭାଗ ଅଟେ। ଅବଶିଷ୍ଟ ୬୩,୭୯୪ କୋଟି ଟଙ୍କାରୁ ଅଧିକ ବ୍ୟୟଭାରକୁ ରାଜ୍ୟଗୁଡ଼ିକୁ ବହନ କରିବାକୁ ପଡ଼ିବ। ସବୁଠାରୁ ପରିତାପର ବିଷୟ ହେଲା, ଅର୍ଥମନ୍ତ୍ରୀ ନିଜର ବଜେଟ୍ ଭାଷଣରେ ମନରେଗା କିମ୍ବା ବିଭି–ଜି ରାମଜୀ ପ୍ରକଳ୍ପ ସମ୍ପର୍କରେ କୌଣସି ଉଲ୍ଲେଖ କରି ନାହାଁନ୍ତି। ଏଥିରୁ ଦେଶର ଗ୍ରାମୀଣ ଶ୍ରମିକମାନଙ୍କ କର୍ମସଂସ୍ଥାନର ଗୁରୁତ୍ୱକୁ ସରକାର ସମ୍ପୂର୍ଣ୍ଣ ଅସ୍ୱୀକାର କରୁଥିବାର ସଙ୍କେତ ମିଳୁଛି।

ଦେଶରେ ସଂଖ୍ୟାଗରିଷ୍ଠ ଲୋକଙ୍କୁ ଜୀବିକା ଦେଇ ଆସିଥିବା କୃଷିକ୍ଷେତ୍ର ଭୟଙ୍କର ସଙ୍କଟର ସମ୍ମୁଖୀନ ହୋଇଥିବା ଯୋଗୁଁ କୃଷକମାନଙ୍କ ଆୟ ହ୍ରାସ ପାଉଛି, ଋଣଭାର ବଢ଼ୁଛି ଏବଂ କୃଷକ ଆତ୍ମହତ୍ୟା ମଧ୍ୟ ବଢ଼ୁଛି। ଅନ୍ୟପଟେ ସରକାର ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନଙ୍କ ସହ ବାଣିଜ୍ୟ ଚୁକ୍ତି ନାଁରେ ସେସବୁ ଦେଶର ଶସ୍ତା କୃଷିଜାତ ଦ୍ରବ୍ୟର ଆମର ବଜାରକୁ ପ୍ରବେଶର ଅନୁମତି ଦେଇ ଆମ କୃଷି ପାଇଁ ଅସ୍ତିତ୍ୱର ସଙ୍କଟ ସୃଷ୍ଟି କରିଛନ୍ତି। ଏଭଳି ପରିସ୍ଥିତିରେ ସରକାର ବଜେଟ୍‌ରେ କୃଷି ଓ ଗ୍ରାମୀଣ କ୍ଷେତ୍ର ପାଇଁ ଯେଉଁଭଳି ଅଧିକ ପୁଞ୍ଜିନିବେଶ କରିବା କଥା, ତାହା କରିବାକୁ ଚାହିଁ ନାହାନ୍ତି। ପରିଣାମ ସ୍ୱରୂପ ଆଗାମୀ ଦିନରେ ଭାରତର କୃଷି ଓ କୃଷକ ଆହୁରି ଅଧିକ ସଙ୍କଟ ଭିତରକୁ ଠେଲି ହୋଇଯିବାର ଜଳଜଳ ଦିଶୁଛି।
ଫୋନ୍ : 9437166391
bhalachandra.odisha@gmail.com

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe