ବିବାଦରେ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଡିପ୍ ଫେକ୍ ପ୍ରଯୁକ୍ତି

ଡିପ୍ ଫେକ୍ ହେଉଛି ଜଣେ ବ୍ୟକ୍ତିଙ୍କ ସ୍ଥାନରେ ଡିପ୍ ଲର୍ଣ୍ଣିଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରି ତିଆରି କରାଯାଇଥିବା ଅନ୍ୟ ଜଣଙ୍କ ଭିଡିଓ। ଏହା କେବଳ ଚେହେରା ନୁହେଁ, ସ୍ୱର ଏବଂ ଆଚରଣକୁ ଅନୁକରଣ କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ। ଉଦାହରଣ ସ୍ୱରୂପ, ଡିପ୍ ଫେକ୍ ଟେକ୍ନୋଲୋଜି ବ୍ୟବହାର କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗୀତ ଗାଉଥିବା ଭିଡିଓ। ଏହି ଭିଡ଼ିଓରେ କେବଳ ଚେହେରା ନୁହେଁ ବରଂ ସ୍ୱରକୁ ମଧ୍ୟ ନକଲ କରାଯାଇଛି।

Deep Fake Photo Of Rashmika Mandana

  • Published: Tuesday, 21 November 2023
  • , Updated: 21 November 2023, 01:14 PM IST

ଏ ପି ଶୁଭକାନ୍ତ ସାମଲ

କିଛିଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ଏକ ସଭାରେ ଡିପ୍ ଫେକ୍ ଟେକ୍ନୋଲୋଜିକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏହା ବ୍ୟତୀତ ଅନେକ ଅଭିନେତା ଅଭିନେତ୍ରୀ ମଧ୍ୟ ନିଜର ଡିପ୍ ଫେକ୍ ଭିଡ଼ିଓ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଟେକ୍ନୋଲୋଜି ବ୍ୟବହାର କାରଣରୁ ସାଇବର ଅପରାଧ ମଧ୍ୟ ବୃଦ୍ଧି ଘଟିଛି। ତେବେ ସାମ୍ପ୍ରତିକ ସମୟରେ ଡିପ୍ ଫେକ୍ ଅଧିକ ଲୋକପ୍ରିୟ ଏବଂ ବାସ୍ତବବାଦୀ ହୋଇଛି। ଡିପ୍ ଫେକ୍ ଲୋକପ୍ରିୟତା ବାସ୍ତବ କ'ଣ ଓ କ'ଣ ନୁହେଁ ତାହା ମଧ୍ୟରେ ପାର୍ଥକ୍ୟ କରିବା କଷ୍ଟକର କରିଦେଇଛି, ଫଳସ୍ୱରୁପ ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ମିଥ୍ୟା ସୂଚନାର ଆଶଙ୍କା ବଢ଼ିବାରେ ଲାଗିଛି।

ଡିପ୍ ଫେକ୍ ହେଉଛି ଜଣେ ବ୍ୟକ୍ତିଙ୍କ ସ୍ଥାନରେ ଡିପ୍ ଲର୍ଣ୍ଣିଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରି ତିଆରି କରାଯାଇଥିବା ଅନ୍ୟ ଜଣଙ୍କ ଭିଡିଓ। ଏହା କେବଳ ଚେହେରା ନୁହେଁ, ସ୍ୱର ଏବଂ ଆଚରଣକୁ ଅନୁକରଣ କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ। ଉଦାହରଣ ସ୍ୱରୂପ, ଡିପ୍ ଫେକ୍ ଟେକ୍ନୋଲୋଜି ବ୍ୟବହାର କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗୀତ ଗାଉଥିବା ଭିଡିଓ। ଏହି ଭିଡ଼ିଓରେ କେବଳ ଚେହେରା ନୁହେଁ ବରଂ ସ୍ୱରକୁ ମଧ୍ୟ ନକଲ କରାଯାଇଛି। ଏହି ଡିପ୍ ଫେକ୍ ଟେକ୍ନୋଲୋଜି ପ୍ରଥମ ଥର ୨୦୧୪ରେ ସିନ୍ଥେଟିକ ମିଡିଆ ଭାବେ ପରିଚୟ ଲାଭ କରିଥିଲା। ୨୦୧୭ ମସିହା ପରଠାରୁ ଏହି ଟେକ୍ନୋଲୋଜି ଅଧିକ ବିକଶିତ ହୋଇଥିଲା।

ତେବେ ଡିପ୍ ଫେକ୍ ଯେ ସର୍ବଦା ସମାଜର କ୍ଷତିକାରୀ ତା ନୁହେଁ, ଏହି ଜ୍ଞାନକୌଶଳ ଶିକ୍ଷାକୁ ଅଧିକ ମନୋରଂଜନକାରୀ କରିବା ପାଇଁ ବ୍ୟବହାର କରାଯାଇପାରିବ। ଆମେ ପ୍ରାଚୀନ ରାଜା ଓ ସେମାନଙ୍କ ଶାସନ, ସେ ସମୟର ଜୀବନ ଶୈଳୀ ବିଷୟରେ ବର୍ଣ୍ଣନା କରି ଭିଡିଓ ତିଆରି କରିପାରିବା। ଇତିହାସକୁ ଜୀବନ୍ତ କରିବା ଏବଂ ଏହାକୁ ସବୁ ବୟସର ଲୋକଙ୍କ ପାଇଁ ଅଧିକ ଉପଲବ୍ଧ କରାଇବା ପାଇଁ ଏହା ଏକ ଉତ୍ତମ ଉପାୟ। ସେହିଭଳି ସମସ୍ତ ଶିକ୍ଷାଗତ ବିଷୟବସ୍ତୁକୁ ଏହା ସାହାଯ୍ୟରେ ଅଧିକ ଆକର୍ଷଣୀୟ କରାଯାଇପାରିବ, ଫଳରେ ଡିପ୍ ଫେକ୍ ଟେକ୍ନୋଲୋଜି ସାହାଯ୍ୟରେ ଛାତ୍ରଛାତ୍ରୀ ମାନେ ସହଜରେ ଜିନିଷ ଶିଖିପାରିବେ ଓ ମନେ ରଖିପାରିବେ। ଡିପ୍ ଫେକ୍ ଟେକ୍ନୋଲୋଜି ଦ୍ଵାରା ସ୍ପେଶାଲ ଇଫେକ୍ଟ ବ୍ୟବହାର କରି ଫିଲ୍ମରେ ପ୍ରୟୋଗ କରାଯାଇପାରିବ। ଏହି ଟେକ୍ନୋଲୋଜିକୁ ବ୍ୟବହାର କରି ଏପରି ଲୋକ ସୃଷ୍ଟି କରାଯାଇପାରିବ ଯାହାର ଅସ୍ତିତ୍ୱ ନାହିଁ, ଯାହାକି ଯେଉଁମାନେ ଗୋପନୀୟତା ରଖି ସମାଜକୁ ବାର୍ତ୍ତା ଦେବାକୁ ଚାହାଁନ୍ତି ସେମାନଙ୍କ ପାଇଁ ସହାୟକ ହେବ। ଏହା ଲୋକମାନଙ୍କୁ ଭାବନାତ୍ମକ ଭାବେ ମଧ୍ୟ ସାହାଯ୍ୟ କରିପାରେ। ଉଦାହରଣ ସ୍ୱରୂପ, ଯଦି କେହି କୌଣସି ରୋଗ କିମ୍ବା ଦୁର୍ଘଟଣା କାରଣରୁ ନିଜର ସ୍ୱର ହରାଇଦିଅନ୍ତି, ତେବେ ମଧ୍ୟ ଡିପ୍ ଫେକ୍ ଟେକ୍ନୋଲୋଜି ବ୍ୟବହାର କରି ସେମାନଙ୍କ ସ୍ୱର ସୃଷ୍ଟି କରାଯାଇପାରିବ।

ତେବେ ଭଲ ଦିଗ ସହିତ ଏହାର ଅପବ୍ୟବହାର ସମାଜରେ ଅନେକ ବିପଦ ସୃଷ୍ଟି କରେ। ଡିପ୍ ଫେକ୍ ଟେକ୍ନୋଲୋଜିର ଅନ୍ୟତମ ମୁଖ୍ୟ ବିପଦ ହେଉଛି ଏହାର ମିଥ୍ୟା ସୂଚନା ସୃଷ୍ଟି କରିବାର କ୍ଷମତା ଯାହା ବ୍ୟକ୍ତିବିଶେଷଙ୍କୁ ବଦନାମ କିମ୍ବା ହଇରାଣ କରିବା ଏବଂ ଏପରିକି ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ବ୍ୟବହାର କରାଯାଇପାରିବ। ଉଦାହରଣ ସ୍ୱରୂପ, ମାର୍ଚ୍ଚ ୨୦୨୨ରେ ରୁଷିଆ-ୟୁକ୍ରେନ ଯୁଦ୍ଧ ସମୟରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ଏକ ଡିପ୍ ଫେକ୍ ଭିଡିଓ ଅନଲାଇନରେ ପ୍ରସାରିତ ହୋଇଥିଲା, ଯେଉଁଥିରେ ସେ ୟୁକ୍ରେନବାସୀଙ୍କୁ ଅସ୍ତ୍ରଶସ୍ତ୍ର ରଖିବା ଏବଂ ଆତ୍ମସମର୍ପଣ କରିବାକୁ କହିଥିଲେ। ଏଇ କିଛି ଦିନ ତଳେ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଏକ ମିଛ ଭିଡ଼ିଓ ଏହି ପ୍ରଯୁକ୍ତି ବଳରେ ନିର୍ମାଣ କରାଯାଇ ଭାଇରାଲ କରାଯାଇଥିଲା।

ଏହି ଉପାୟରେ ଡିପ୍ ଫେକ୍ ଟେକ୍ନୋଲୋଜିର ଅପବ୍ୟବହାର କରି ବିଭ୍ରାନ୍ତିକର ତଥ୍ୟ ସୃଷ୍ଟି କରାଯାଇପାରିବ। ଏହାର ଅପବ୍ୟବହାର କରି ଯେଉଁ ଅପରାଧୀମାନେ ପ୍ରକୃତରେ ଅପରାଧ କରିଛନ୍ତି ସେମାନେ ଏହା କରିନାହାନ୍ତି ବୋଲି ଦାବି କରି ଦଣ୍ଡରୁ ବର୍ତ୍ତିବାକୁ ଚେଷ୍ଟା କରିପାରନ୍ତି ଏବଂ ଏହାର ପ୍ରମାଣ ଡିପ୍ ଫେକ୍ ଟେକ୍ନୋଲୋଜି ବ୍ୟବହାର କରି ତିଆରି କରାଯାଇପାରେ ଯାହା ଦର୍ଶାଇପାରେ ଯେ ଅନ୍ୟ ଜଣେ ବ୍ୟକ୍ତି ଅପରାଧ କରୁଛି।

ତେବେ ଏହା ନିୟନ୍ତ୍ରଣ ପାଇଁ କଠିନ ଆଇନ୍ ଆଉ କଟକଣା ଆବଶ୍ୟକ ଥିବା ବେଳେ କେବଳ କିଛି ଦେଶରେ ଏହି ନୂତନ ଜ୍ଞାନକୌଶଳ ଉପରେ ଆଇନ ରହିଛି। ନିକଟରେ ତାଇଓ୍ଵାନ ନିର୍ବାଚନ ଆଇନରେ ଏକ ସଂଶୋଧନ ଆଣିଛି, ଯେଉଁଥିରେ ଡିପ୍ ଫେକ୍ ଭିଡିଓ ତିଆରି କଲେ କିମ୍ବା ଶେୟାର କଲେ ଲୋକଙ୍କୁ ଦଣ୍ଡିତ କରାଯାଇପାରିବ। ଭାରତରେ କିନ୍ତୁ ଏଯାଏଁ ଏ ନେଇ କୌଣସି ଆଇନ୍ ନାହିଁ। ଆଇପିସି ଧାରା ୫୦୦କୁ ମାନହାନି ପାଇଁ ଦଣ୍ଡ ଭାବରେ ବ୍ୟବହାର କରାଯାଇପାରିବ। ସୂଚନା ଆଇନ, ୨୦୦୦ର ୬୭ ଓ ୬୭(ଏ)କୁ ମଧ୍ୟ ଏଥିପାଇଁ ବ୍ୟବହାର କରାଯାଇପାରିବ। ଏହି ନିୟମ ଅନୁଯାୟୀ, “ଯେ କୌଣସି ଯୋଗାଯୋଗ ଉପକରଣ କିମ୍ବା କମ୍ପ୍ୟୁଟର ଉତ୍ସ ବ୍ୟବହାର କରି ଜାଲିଆତି କରୁଥିବା ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାର ନିୟମ ରହିଛି। ଏଭଳି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତକୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହିତ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରେ।” ଏପରିକି ଗତ ନଭେମ୍ବର ୮ ତାରିଖ ଦିନ କେନ୍ଦ୍ର ସରକାର ଆଇ.ଟି ଆଇନ୍ ୨୦୨୧ ଅଧିନିୟମ ଜାରି କରିଥିଲେ ଯେଉଁଥିରେ ଏପରି ଅଭିଯୋଗ ମିଳିବାର ୨୪ ଘଣ୍ଟା ମଧ୍ୟରେ ଡିପ୍ ଫେକ୍ ଭିଡିଓ ଗୁଡିକୁ ହଟାଇବାକୁ ନିର୍ଦ୍ଦେଶ ରହିଛି।

ନିୟମ ଅନୁଯାୟୀ, ସାମାଜିକ ଗଣମାଧ୍ୟମ ଉପଭୋକ୍ତାମାନଙ୍କ ଦ୍ୱାରା କୌଣସି ଭୁଲ ତଥ୍ୟ ବା ଖରାପ ପୋଷ୍ଟ ଉପରେ ନଜର ରଖିବା ସାମାଜିକ ଗଣମାଧ୍ୟମଗୁଡ଼ିକ ପାଇଁ ବାଧ୍ୟତାମୂଳକ କରାଯାଇଛି। ତେବେ ଏହାପରେ ମଧ୍ୟ ଯଦି କୌଣସି ବ୍ୟକ୍ତି ବା ସରକାର ଭୁଲ ତଥ୍ୟ ବା ପୋଷ୍ଟକୁ ନେଇ ରିପୋର୍ଟ କରନ୍ତି, ଏହାକୁ ଆଗାମୀ ୩୬ ଘଣ୍ଟା ମଧ୍ୟରେ ହଟାଯିବା ଉଚିତ୍। ଯଦି ସଂପୃକ୍ତ ସାମାଜିକ ଗଣମାଧ୍ୟମ ଏଥିରେ ବିଫଳ ହୁଅନ୍ତି, ନିୟମ ଲାଗୁ ହେବା ସହ ଆଇପିସି ନିୟମ ଅନୁସାରେ ସମ୍ପୃକ୍ତ ସାମାଜିକ ଗଣମାଧ୍ୟମ ଉପଭୋକ୍ତାଙ୍କ ବିପକ୍ଷରେ ମଧ୍ୟ ଦଣ୍ଡବିଧାନ ହୋଇପାରେ। କିନ୍ତୁ ଡିପ୍ ଫେକ୍ ଟେକ୍ନୋଲୋଜିର ବ୍ୟବହାରକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଏବେ ବି କୌଣସି ଆଖିଦୃଶିଆ ପଦକ୍ଷେପ ଦେଖିବାକୁ ମିଳିନି।

ତେବେ ଏହା ପାଇଁ କେବଳ କଟକଣା ନୁହେଁ ଅନ୍ୟ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଡିପ୍ ଫେକ୍ ଟେକ୍ନୋଲୋଜିର ବିପଦ ଏବଂ ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବାର କ୍ଷମତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବା ଉଚିତ୍। ଏହା ବ୍ୟତୀତ ବାସ୍ତବବାଦୀ ଡିପ୍ ଫେକ୍ ଚିହ୍ନଟ କରିବା ପାଇଁ ଟେକ୍ନୋଲୋଜି ବିକଶିତ କରିବାର ଆବଶ୍ୟକତା ରହିଛି। ଡିଜିଟାଲ ଫରେନସିକ୍ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ମାନବ ସମ୍ବଳକୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି।

ଡିପ୍ ଫେକ୍ ଟେକ୍ନୋଲୋଜି ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି। ଡିପଫେକ୍ ଟେକ୍ନୋଲୋଜିର କିଛି ଭଲ ବ୍ୟବହାର ଥିବା ସତ୍ତ୍ୱେ ଅନେକ କ୍ଷେତ୍ରରେ ଏହାର ଅପବ୍ୟବହାର କରାଯାଉଛି। ତେଣୁ ଏହାର ଅପବ୍ୟବହାରକୁ ଏଡ଼ାଇବା ପାଇଁ ଡିପ୍ ଫେକ୍ ଟେକ୍ନୋଲୋଜିକୁ ନିୟନ୍ତ୍ରଣ କରିବା ଜରୁରୀ, ଯାହାଦ୍ୱାରା ଏହାକୁ ଭଲ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ।

ହରିପୁର, ଖଡିଅଙ୍ଗ, ଯାଜପୁର

ଫୋ- ୮୨୮୦୧୩୦୬୦୫

Related story