ଆକବରଙ୍କ ମନ୍ତ୍ରୀ ତୋଡରମଲ୍ଲ ଥିଲେ ଓଡ଼ିଶାର ସୂର୍ଯ୍ୟବଂଶୀ!

ସୁବ୍ରତ ପ୍ରିୟବ୍ରତ ମହାନ୍ତି

ଆକବରଙ୍କ ନବରତ୍ନ ମଧ୍ୟରୁ ଶ୍ରେଷ୍ଠତମ ରତ୍ନ ଥିଲେ ତାଙ୍କ ଅର୍ଥମନ୍ତ୍ରୀ  ତୋଡରମଲ୍ଲ। ଏହି ତୋଡରମଲ୍ଲ ଓଡ଼ିଶାରେ ରାମଚନ୍ଦ୍ର ଦେବଙ୍କୁ ରାଜା କରାଇଥିଲେ, ଓଡ଼ିଶାକୁ କରମୁକ୍ତ ରଖିଥିଲେ,  କଟକଚୁକ୍ତିକୁ ବିରୋଧ କରିଥିଲେ ଏବଂ ତୁଳସୀ ଦାସଙ୍କ ଦ୍ଵାରା ରାମଚରିତମାନସ ଭଳି ଏଭଳି ଏକ ଭକ୍ତିଗ୍ରନ୍ଥ ରଚନା କରାଇଥିଲେ, ଯେଉଁଥିରେ ପ୍ରତିଫଳିତ ହୋଇଥିଲା ଓଡ଼ିଶାର ସଠିକ୍ ଇତିହାସ। ତୋଡରମଲ୍ଲଙ୍କର ଓଡ଼ିଶା ପ୍ରତି ଥିବା ଏହି ଅହେତୁକ ଦୁର୍ବଳତା ବିଷୟ ଜାଣିଲେ ମନରେ ପ୍ରଶ୍ନ ଆସେ, କିଏ ଏହି ତୋଡରମଲ୍ଲ? ତାଙ୍କର ଓଡ଼ିଶା ପ୍ରତି ଏତେ ଆନ୍ତରିକତାର କାରଣ କ’ଣ? କିନ୍ତୁ ତାଙ୍କ ବିଷୟରେ ଜାଣିବାକୁ ଚାହିଁଲେ ବିଶେଷ କିଛି ତଥ୍ୟ ଉପଲବ୍ଧ ହୁଏ ନାହିଁ। କାରଣ ସେ କାଳେ ଜଣେ ପରିତ୍ୟକ୍ତ ସନ୍ତାନ ଥିଲେ, ଯାହାଙ୍କ ବଂଶ ପରିଚୟ ବୋଲି କିଛି ନାହିଁ। ଆମ ମନରେ କିନ୍ତୁ ତୋଡରମଲ୍ଲଙ୍କୁ ନେଇ ଅନେକ ସନ୍ଦେହ। ସେହି କାରଣରୁ ତାଙ୍କୁ ଇତିହାସର ଅନାଲୋଚିତ ପୃଷ୍ଠା ଭିତରୁ ଖୋଜିବାକୁ ଲାଗିଲୁ ଏବଂ ଜାଣିଲୁ ତୋଡରମଲ୍ଲ ଥିଲେ ଓଡ଼ିଶାର ସୂର୍ଯ୍ୟବଂଶୀ ଗଜପତି ପରିବାରର ଉତ୍ତରଦାୟାଦ। ସେହି କାରଣ ପାଇଁ ସେ ଓଡ଼ିଶାକୁ ପ୍ରାଣ ଭରି ଭଲ ପାଉଥିଲେ। ତେଲେଙ୍ଗା ମୁକୁନ୍ଦଙ୍କୁ ଗାଦିଚ୍ୟୁତ କରିବା ଭଳି ରାଜନୈତିକ ଗୋଟି ଚାଳନାରେ କେଉଁଠି ତାଙ୍କର ଭୁଲ୍ ରହିଗଲା ତାହା ଏକ ଭିନ୍ନ ପ୍ରସଙ୍ଗ। କିନ୍ତୁ ସେ ଯେ ଓଡ଼ିଶାକୁ ଭଲ ପାଉଥିଲେ ଓଡ଼ିଶା ଛାଡ଼ି ଯିବାକୁ ଚାହୁଁ ନଥିଲେ ଏଥିରେ ସନ୍ଦେହ ନାହିଁ।

କଥା ଆରମ୍ଭ କରାଯାଉ ନାମକରଣରୁ। ଆକବରଙ୍କ ସମୟ ପୂର୍ବରୁ ଉତ୍ତର ଭାରତରେ କେଉଁଠି ‘ତୋଡରମଲ୍ଲ’ ଶବ୍ଦ ଥିଲା କିମ୍ବା ନଥିଲା ତାହା ଖୋଜିବା ଦାୟିତ୍ଵ ଉତ୍ତର ଭାରତୀୟଙ୍କର। କିନ୍ତୁ ତୋଡରମଲ୍ଲ ଶବ୍ଦଟି ଯେ ଓଡ଼ିଶାର ସୂର୍ଯ୍ୟବଂଶୀ ଗଜପତିଙ୍କ ପରିଚୟର ଇସ୍ତାହାର, ଏହାର ପ୍ରମାଣପତ୍ର ପ୍ରତାପରୁଦ୍ରଙ୍କ ଭେଲିଚରାଲ୍ ତାମ୍ରଫଳକ। ଯେଉଁଥିରେ ସେ ନିଜକୁ ‘ତୋଡରମଲ୍ଲ’ ଭାବରେ ମହିମାମଣ୍ଡିତ କରିଛନ୍ତି। ଅର୍ଥାତ୍ ତୋଡରମଲ୍ଲ ଶବ୍ଦଟି ଓଡ଼ିଶାର ସୂର୍ଯ୍ୟବଂଶୀମାନଙ୍କର ଏକ ଉପାଧି। ଏହି ଅକାଟ୍ୟ ପ୍ରାମାଣିକ ତଥ୍ୟ ତୋଡରମଲ୍ଲଙ୍କୁ ସିଧା ସଳଖ ଓଡ଼ିଶାର ସୂର୍ଯ୍ୟବଂଶ ସହିତ ଯୋଡ଼ି ଦେଉଛି ଏବଂ ଅନ୍ୟକୗଣସି ପ୍ରମାଣର ଆଉ ଆବଶ୍ୟକତା ରହୁ ନାହିଁ। ତଥାପି, ଏ ସମ୍ବନ୍ଧରେ ଭାରତବାସୀଙ୍କ ମନରୁ ସମସ୍ତ ପ୍ରଶ୍ନବାଚୀକୁ ଦୂରକରିବା ପାଇଁ ସାମାନ୍ୟ ଆଲୋଚନା କରାଯାଇପାରେ।

ଆମେ ଜାଣୁ ‘ତୋଡର’ ଏବଂ ‘ମଲ୍ଲ’ ଅଲଗା ଅଲଗା ନୁହେଁ ଏହା ଗୋଟିଏ ଶବ୍ଦ। କିନ୍ତୁ ତାଙ୍କ ମିତ୍ର ତୁଳସୀ ଦାସ ଲେଖିଛନ୍ତି, ‘ତୁଳସୀ ୟା କଲି କାଲ୍ ମେଁ ଅଟଇ ତୋଡର ଦୀପ’। ଏଠାରେ ତୁଳସୀ ତୋଡରମଲ୍ଳଙ୍କ  ବଦାନ୍ୟତାକୁ ସ୍ୱୀକାର କରିବାକୁ ଯାଇ କେବଳ ‘ତୋଡର’ ବୋଲି ସମ୍ବୋଧନ କରିଛନ୍ତି। ହେଇପାରେ କାବ୍ୟିକ ଆବଶ୍ୟକତା ପାଇଁ କବି ଏପରି ଲେଖିଥାଇ ପାରନ୍ତି। କିନ୍ତୁ ଆଶ୍ଚର୍ଯ୍ୟକର କଥା, ଏ ଶବ୍ଦଟି ମଧ୍ୟ ଓଡ଼ିଶାର ଗଜପତି ପରିବାରର ଏବଂ ଓଡ଼ିଶାର ପ୍ରାଚୀନ କବିମାନଙ୍କର ପ୍ରିୟ ଶବ୍ଦ ଥିଲା। ୧୪୬୬ ଖ୍ରୀଷ୍ଟାବ୍ଦର ପୁରୀ ଅଭିଲେଖରେ କୁହାଯାଇଛି, ‘କପିଳେଶ୍ୱର ରଜାଏ ସେବା କରି ଦିଲେ ରତ୍ନ ତୋଡର’। ବଳରାମ ଦାସ ତାଙ୍କ ଜଗମୋହନ ରାମାୟଣରେ ଲେଖିଛନ୍ତି, ‘ବାମ ଗୋଡ଼େ ଶୋହେ ଯେ ଅନର୍ଗଳେ ତୋଡର’। ଏଥିରୁ ଜଣାପଡିଲା ତୋଡର ଏକ ଓଡ଼ିଆ ଶବ୍ଦ। ଅନ୍ୟ ପଟରେ ବିଶିଷ୍ଟ ଐତିହାସିକ ଯଶୋଦା ଦେବୀ ତାଙ୍କର ହିଷ୍ଟ୍ରି ଅଫ୍ ଆନ୍ଧ୍ର କଣ୍ଟ୍ରି ପୁସ୍ତକରେ ମଲ୍ଲ ଶବ୍ଦଟିକୁ ସୂର୍ଯ୍ୟବଂଶ ସହିତ ଯୋଡ଼ିଛନ୍ତି। ତେଣୁ ତୋଡର ଓ ମଲ୍ଲ ଏ ଦୁଇଟି ଶବ୍ଦ ମଧ୍ୟ ଓଡ଼ିଶା ଓ ସୂର୍ଯ୍ୟବଂଶୀ ସହିତ ଯୋଡିହେଇଯାଉଛି। ଏସବୁକୁ ଛାଡ଼ିଦେଲେ, ଚକଡା଼ପୋଥି ଭଳି ପ୍ରାଚୀନ ଲେଖାରେ ଏତେ ଥର ତୋଡରମଲ୍ଲ ଶବ୍ଦ ବ୍ୟବହାର ହୋଇଛି ଯାହା ଏଠାରେ ସ୍ଥାନିତ କରିବା ସମ୍ଭବ ନୁହେଁ। ଉଦାହରଣ ସ୍ୱରୂପ, ବୀରବର ରଣ ବଣିକ ତୋଡରମଲ୍ଲ ଚୂଡମଣ୍ଡଳ, ପୂର୍ବଖଣ୍ଡି ଉତ୍ତର ପାଖ ତୋଡରମଲ୍ଲ ସାହି ଇତ୍ୟାଦି। ଅର୍ଥାତ୍ ତୋଡରମଲ୍ଲ ଶବ୍ଦ ସହିତ ଯେ ଓଡ଼ିଶାର ସମ୍ପର୍କ ରହିଛି ଏଥିରେ କୌଣସି ସନ୍ଦେହ ରହିଯାଉ ନାହିଁ।

ଏବେ ଆସିବା ଘଟଥିବା କିଛି ଘଟଣା ଓ ଚରିତ୍ରମାନଙ୍କ ପାଖକୁ। ୧୫୬୮ ଯୁଦ୍ଧରେ ମୁକୁନ୍ଦ ଦେବଙ୍କୁ ମରାଯିବାରୁ ରାମଚନ୍ଦ୍ର ଦେବଙ୍କୁ ରାଜା କରାଗଲା। ଏହା ପୂର୍ବରୁ ୧୫୬୬ରେ ଆକବରଙ୍କ ଦରବାରରୁ ମୁକୁନ୍ଦଙ୍କ ପାଖକୁ ଯିଏ ପ୍ରସ୍ତାବ ଧରି ଆସିଥିଲେ ତାଙ୍କ ନାମ ଥିଲା ନରହରି ମହାପାତ୍ର। ଅର୍ଥାତ୍ ଜଣେ ଓଡ଼ିଆ। କିନ୍ତୁ କିଏ ଏହି ବ୍ୟକ୍ତି ? ଯିଏ ଆକବରଙ୍କ ଦରବାର ପକ୍ଷରୁ ପ୍ରତିନିଧିତ୍ଵ କରିଥିଲେ? ଓଡ଼ିଶାର ସୂର୍ଯ୍ୟବଂଶର ଇତିହାସ କହୁଛି, ହମ୍ବୀର କୁମାର ମହାପାତ୍ରଙ୍କ ପୁତ୍ରଙ୍କ ନାମ ଥିଲା ନରହରି ମହାପାତ୍ର। ଏହି କଥାଟି ପୁନର୍ବାର ଓଡ଼ିଶାର ସୂର୍ଯ୍ୟବଂଶ ଓ ଆକବରଙ୍କ ଦରବାର ମଧ୍ୟରେ ଥିବା ସଂପର୍କର ସେତୁ ଉପରେ ଆଲୋକ ପକାଉଛି। ତଥାପି ତୋଡରମଲ୍ଲ ଏବଂ ଓଡ଼ିଶାର ସୂର୍ଯ୍ୟବଂଶୀ ରାଜପରିବାର ମଧ୍ୟରେ ଥିବା ପାରିବାରିକ ସଂପର୍କର ଇତିହାସକୁ ବୁଝିବା ପାଇଁ ଅତି ତୀକ୍ଷ୍ମ ଦୃଷ୍ଟିର ଆବଶ୍ୟକତା ରହିଛି।

ଇତିହାସର ପ୍ରାମାଣିକ ତଥ୍ୟ ଅନୁସାରେ ନରହରିଙ୍କ ପିତା ହମ୍ବୀରଙ୍କ ପତନ ହୋଇଥିଲା କୋଣ୍ଡାବିଡୁଠାରେ। ଆମ ଗବେଷଣାରୁ ଆମେ ଜାଣୁ କୋଣ୍ଡାବିଡୁ ହିଁ ଶ୍ରୀଖଣ୍ଡ। ହମ୍ବୀର ପୁତ୍ର ନରହରି କୋଣ୍ଡାବିଡୁଠାରେ ଥିଲେ। ପ୍ରାଚୀନ ବୈଷ୍ଣବ ସାହିତ୍ୟ ଗୁଡ଼ିକର ସୂଚନା ଅନୁସାରେ ନରହରି ଥିଲେ ଶ୍ରିଖଣ୍ଡ ବାସୀ। ତେଣୁ ହମ୍ବୀର ପୁତ୍ର ନରହରି ଯେ ବୈଷ୍ଣବ ସାହିତ୍ୟର ନରହରି ଏଥିରେ ଆଉ ସନ୍ଦେହ ରହୁନାହିଁ। ଅନ୍ୟପଟରେ ତୋଡରମଲ୍ଲଙ୍କ ମିତ୍ର ତୁଳସୀ ଦାସଙ୍କ ଜଣେ ଗୁରୁ ହେଲେ ନରହରି ଏବଂ ରାମଚରିତ ମାନସରେ ତୁଳସୀ ଲେଖିଛନ୍ତି, ମା କହୁଁ ହୋଉ ଶ୍ରୀଖଣ୍ଡ ସମାନା / ଶ୍ରିଖଣ୍ଡ ସମ ପାୱକ ପ୍ରବେଶ ଇତ୍ୟାଦି। ଏ ସମସ୍ତ କଥାରୁ ଜାଣି ହେଉଛି ହଂବୀର ପୁତ୍ର ନରହରି ମହାପାତ୍ର ହିଁ ତୁଳସୀଙ୍କ ଗୁରୁ ଏବଂ ସେହିଁ ଆକବରଙ୍କ ଦରବାରରୁ ମୁକୁନ୍ଦଙ୍କ ପାଖକୁ ଆସିଥିଲେ। କିନ୍ତୁ ଦୁଃଖ ହେଉଛି, ମୁକୁନ୍ଦଙ୍କ ମୃତ୍ୟୁ ପରେ ଓଡ଼ିଶାରେ ଦୁଇ ଜଣ ପ୍ରମୁଖ ରାଜା ହୋଇଥିବା ବେଳେ ଆମ ଇତିହାସ ସେ ସମ୍ବନ୍ଧରେ ସମ୍ପୂର୍ଣ ନୀରବ। ଏମିତି କାହିଁକି ଘଟିଲା ସେ ବିଷୟରେ ଆମେ ଅଜ୍ଞ। କିନ୍ତୁ ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାମଚନ୍ଦ୍ରଦେବ ଓ ଅନ୍ୟ ଜଣେ ହେଉଛନ୍ତି ଧରି ହମ୍ବୀର। ଐତିହାସିକ କେଦାରନାଥ ମହାପାତ୍ରଙ୍କ ଭଳି ଗବେଷକ ତାଙ୍କର ଖୁରୁଧା ଇତିହାସରେ କେବଳ ପ୍ରଶ୍ନ କଲେ, ରାମଚନ୍ଦ୍ର ଦେବଙ୍କ ପ୍ରଥମ ଶିଳାଲେଖଟି ରାଜଘାଟ ନିକଟରୁ ମିଳିଲା କାହିଁକି? କିନ୍ତୁ ସେ ପ୍ରଶ୍ନର ଉତ୍ତର ସେ ଖୋଜି ପାଇଲେ ନାହିଁ। ସେ ପ୍ରଶ୍ନର ଉତ୍ତର ରାମଚରିତ ମାନସରେ ରହିଛି। ମାନସରେ ତୁଳସୀ ସୂଚାଇଛନ୍ତି, ରାଜଘାଟ ସବ ବିଧି ସୁନ୍ଦର ବର, ମଜ୍ଜହିଁ ତାହାଁ ବରନ ଚାରିଉ ନର। ଅର୍ଥାତ୍, ରାଜଘାଟ ଥିଲା ସେହି ସ୍ଥାନ ଯେଉଁଠାରେ ସବୁ କିଛି ମନ୍ତ୍ରଣା ହେଉଥିଲା। କିନ୍ତୁ ରାମଚନ୍ଦ୍ର ଦେବ ରାଜା ହେବା ପରେ ଏହି ରାଜଘାଟ ଥିଲା ଧରୀଙ୍କ ରାଜ୍ୟରେ।

ବର୍ତମାନ ପ୍ରଶ୍ନ ହେଉଛି, ଧରୀଙ୍କୁ ଓଡ଼ିଶାରେ ରାଜା କରାଗଲା କାହିଁକି? ଆମେ ଜାଣୁ ତୋଡରମଲ୍ଲଙ୍କ ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣଙ୍କ ନାମ ଥିଲା କଲ୍ୟାଣ ଏବଂ ଅନ୍ୟ ଜଣେ ଧରୀ। କଲ୍ୟାଣ ଓଡ଼ିଶାର ସୁବାଦାର ହେବା କଥା ସମସ୍ତେ ଜାଣନ୍ତି। କିନ୍ତୁ ତୋଡରମଲ୍ଲ ଧରୀଙ୍କ ରାଜ୍ୟରେ ଅବସ୍ଥାନ କରୁଥିବା ସତ୍ତ୍ୱେ ଧରୀଙ୍କ ସମ୍ବନ୍ଧରେ ଓଡ଼ିଶା  ଇତିହାସ ସମ୍ପୂର୍ଣ ନୀରବ। ଯାହା ଫଳରେ ବଙ୍ଗଳାର କେତେକ ଇତିହାସକାର ଧରୀଙ୍କ ସମ୍ବନ୍ଧରେ ପ୍ରଳାପ କରିବା ପରି କିଛି ଲେଖି ପକାଇଛନ୍ତି। ସେମାନେ ଧରୀଙ୍କୁ ଧରୀ ମଲ୍ଲ, ଧରୀ ହମ୍ବୀର, ହମ୍ବୀର ମଲ୍ଲ, ଧରି ହମ୍ବୀର ମଲ୍ଲ, ବୀର ହମ୍ଭିର୍ ଏହି ପରି ଭାବରେ ଖଣ୍ଡ ଖଣ୍ଡ କରି କେତେ ଭାଗରେ ଯେ ବିଭକ୍ତ କରିଛନ୍ତି କହି ହେବ ନାହିଁ। ଏମିତି ଘଟିବାର କାରଣ,  ଓଡ଼ିଶାର ସୀମା ଭିତରେ ଥିବା ଏହି ଅଞ୍ଚଳ ବା ଓଡ଼ିଶାର ଇତିହାସ ସମ୍ବନ୍ଧରେ ଜ୍ଞାନର ଅଭାବ ଏବଂ ଏଠାରେ ତୋଡରମଲ୍ଲଙ୍କ ଉପସ୍ଥିତିକୁ, ତୋଡରମଲ୍ଲ ଓ ଧରୀଙ୍କ ମଧ୍ୟରେ ଥିବା ପିତାପୁତ୍ର ସଂପର୍କକୁ ଅଣଦେଖା କରିବା। ତେବେ ବର୍ତମାନ ପାଇଁ ଆମେ କେବଳ ଏତିକି ଜାଣିବା ଆବଶ୍ୟକ, ତୋଡରମଲ୍ଲଙ୍କ ନାମ ସୂର୍ଯ୍ୟବଂଶୀ ଗଜପତି ପରିବାରର ଉପାଧୀ ହୋଇଥିବା ବେଳେ ଧରି ହଂବୀରଙ୍କ ନାମ ସୂର୍ଯ୍ୟବଂଶର ଶ୍ରେଷ୍ଠ ବୀର ହମ୍ବୀରଙ୍କ ନାମ ସହିତ ସାମଞ୍ଜସ୍ୟ ରଖୁଛି। ଏଇଠି ଏ କଥାର ସାମାନ୍ୟ ସୂଚନା ରହିବା ଆବଶ୍ୟକ ଯେ, କୋଣ୍ଡାବିଡୁଠାରେ ହମ୍ବୀରଙ୍କ ପତନର ପର ବର୍ଷ ହିଁ ଉତ୍ତର ଓଡ଼ିଶାରେ ହମ୍ୱୀରଗଡ଼ ନାମରେ ଏକ ଗଡ଼ର ଅୟମାରମ୍ଭ ହୋଇଥିଲା। ଏହି ଘଟଣା ପ୍ରମାଣିତ କରେ ଏହା ଥିଲା ନରହରୀଙ୍କ ପିତା ହମ୍ବୀରଙ୍କ ଅଞ୍ଚଳ। ଯେଉଁଠାରେ ପରବର୍ତ୍ତୀ ସମୟରେ ତୋଡରମଲ୍ଲ ଧରୀ ହମ୍ବୀରଙ୍କୁ ରାଜା କରାଇଥିଲେ।

ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଏହି ଧରୀ ହମ୍ବୀରଙ୍କ ଦୀକ୍ଷାଗୁରୁ ଥିଲେ ନରହରିଙ୍କ ଶିଷ୍ୟ ଶ୍ରୀନିବାସ ଆଚାର୍ଯ୍ୟ। ଦୀକ୍ଷା ଗ୍ରହଣ ସମୟରେ ଧରି ଗୋପାଳ ଦାସ ଭାବରେ ଦୀକ୍ଷା ନେଇଥିବା ବେଳେ ହରି ଚରଣ ଦାସ ଭାବରେ ଦୀକ୍ଷା ଗ୍ରହଣ କରିଥିବା ବ୍ୟକ୍ତି ଜଣଙ୍କ ଯେ ତୋଡରମଲ୍ଲ ଥିଲେ ଏବଂ ଗୋପାଳ ଦାସଙ୍କ ସହିତ ତୋଡରମଲ୍ଲଙ୍କ ମିତ୍ର ତୁଳସୀ ଦାସଙ୍କର କଣ ସଂପର୍କ ଥିଲା, ସେ କଥା ବୁଝାଇ ଲେଖିବାର ସୁଯୋଗ ଏଠାରେ ନାହି। ଯଦିଓ କଲ୍ୟାଣ ଓଡ଼ିଶାର ସୁବାଦାର ହେବା କଥା ସର୍ବଜନ ବିଦିତ, ତଥାପି ଆମେ ଧରୀ ନାମ ଉପରେ ଗୁରୁତ୍ୱ ଦେବାର କାରଣ ସେହି ନାମ ସହିତ ଯୋଡି ହୋଇ ରହିଥିବା ହମ୍ବୀର ଶବ୍ଦ। ତୋଡରମଲ୍ଲ ଏବଂ ହମ୍ୱୀର ଦୁଇଟି ନାମ ଓଡ଼ିଶାର ସୂର୍ଯ୍ୟବଂଶ ପରିଚୟରେ ଯୋଡ଼ିହେବା ସହିତ ସାମଗ୍ରିକ ଘଟଣାବଳୀରୁ ସ୍ପଷ୍ଟ ବୁଝି ହେଉଛି ଯେ, ତୋଡରମଲ୍ଲ ଥିଲେ ଓଡ଼ିଶାର ସୂର୍ଯ୍ୟବଂଶୀ ଦାୟାଦ।

ଆମେ ତୋଡରମଲ୍ଳଙ୍କ ପରିଚୟ ଦେଇ କହିଲୁ, ସେ ଥିଲେ ଓଡ଼ିଶାର ସୂର୍ଯ୍ୟବଂଶୀ ଗଜପତିଙ୍କ ଦାୟାଦ। କିନ୍ତୁ ଭାରତର ସାଧାରଣ ଜନତା ଜାଣନ୍ତି ତାଙ୍କ ଘର ଥିଲା ଗୋମତୀ କୂଳରେ! ତାଙ୍କ ସମ୍ବନ୍ଧରେ ମିଳିପାରୁଥିବା କିଛି ତଥ୍ୟ ହେଉଛି, ସେ ଜଣେ କାୟସ୍ଥ, ଡାହାଣ କାନ୍ଧରେ ସେ ପଇତା ଧାରଣ କରୁଥିଲେ ଇତ୍ୟାଦି। ଏ ବିଷୟରେ ଆମର ମତ –

ହଁ, ତୋଡରମଲ୍ଲଙ୍କ ସମ୍ବନ୍ଧରେ ଏ ସମସ୍ତ ସୂଚନା ସଠିକ୍। ଆମ ପ୍ରାଚୀନ ସାହିତ୍ୟ ମଧ୍ୟ ଠିକ୍ ଏହି କଥା ସୂଚୀତ କରିଛି। ଗୋମତୀ ହେଉ ବା କାୟସ୍ଥ, ଏ ସମ୍ବନ୍ଧରେ ଅଚ୍ୟୁତାନନ୍ଦ ଲେଖିଛନ୍ତି –

ଜାଣି ଥାଅ ରାମ ଯେ ଗୋମତୀ ନାମେ ନଈ

ବଟ ଉଦେ ହୋଇଥିବ ତାହା ପାଶେ ମୁହିଁ । +++

ହେତୁ ଉଦେ ହେବ ବାସନା ବାସିବ ଗୋମତୀ କୂଳରେ ମୁହିଁ। +++ କାଞ୍ଚି ନଗ୍ର କାଶୀ ପୁର ପାଟଣା…. ସେଠାରେ ମୋହର ନିଜ ବାସ ଥିବ। +++ କରଣ କୁଳରେ ଜନମ ତାର ବିଶ୍ଵନାଥ ସଙ୍ଗେ ଖେଳ ହବାର।

ଅର୍ଥାତ୍ ଗୋମତୀ କୂଳ ହେଉ ବା କାଶୀ, ଏ ସମ୍ବନ୍ଧରେ ଅଚ୍ୟୁତ କିଛି ସୂଚନା ପ୍ରଦାନ କରିଛନ୍ତି। ଠିକ୍ ସେମିତି କାୟସ୍ଥ, ଦକ୍ଷିଣ କାନ୍ଧର ପଇତା ସମ୍ବନ୍ଧରେ ସୂଚୀତ କରି ଅଚ୍ୟୁତ ଲେଖିଛନ୍ତି-

ଓଡ଼ିଶା ଦେଶରେ ତୁମେ ବାସକୁ ରଚିବ।

ଗୋପାଳ କୂଳକୁ ତାରି ଆପଣେ ତରିବ।

ବ୍ରାହ୍ମଣ ଗୋପାଳ ବେଶ ଧରିବ ଯେ ତୁମ୍ଭେ

ପଇତା ଗୋଟିଏ ଥିବ ଦକ୍ଷିଣ ଯେ କନ୍ଧେ।

ତୋଡରମଲ୍ଲଙ୍କ ସମ୍ବନ୍ଧରେ ଭାରତବାସୀ ଜାଣି ଥିବା ଆଉ କେଉଁ ସୂଚନାକୁ ଅଚ୍ୟୁତ ଦର୍ଶାଇ ନାହାଁନ୍ତି? ଏମିତିକି ଓଡ଼ିଆ ତୋଡରମଲ୍ଲ ଯେ ଓଡ଼ିଶାରୁ ଆଉ ଫେରିଯିବାକୁ ଚାହୁଁ ନ ଥିଲେ ଏହା ମଧ୍ୟ ଐତିହାସିକ ସତ୍ୟ। କିନ୍ତୁ ସେ କାହିଁକି ଫେରି ଗଲେ ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାହା ଇତିହାସର କାଳଗହ୍ଵର ଭିତରେ ଲୁଚି ଯାଇଛି।

(ଏ ଆଲେଖ୍ୟରେ ଉପସ୍ଥାପିତ ତଥ୍ୟ ଓ ମତ ଲେଖକଙ୍କର ସଂପୂର୍ଣ୍ଣ ନିଜସ୍ୱ।)

ମହତାବ ରୋଡ, କଟକ-୧୨

ଫୋ – ୯୯୩୮୮୯୩୭୩୫