ରବି ଦାସ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଭାରତୀୟ ନୂଆ ଅର୍ଥନୀତିର ଜନକ ଭାବେ ପରିଚିତ ଡ଼. ମନମୋହନ ସିଂହଙ୍କର ନିକଟରେ ମୃତ୍ୟୁ ହୋଇଯାଇଛି। ୯୨ ବର୍ଷ ବୟସ୍କ ଡ଼. ମନମୋହନ ସିଂହ ୫ ବର୍ଷ କାଳ ଦେଶର ଅର୍ଥମନ୍ତ୍ରୀ ଓ ୧୦ ବର୍ଷ କାଳ ପ୍ରଧାନମନ୍ତ୍ରୀ ଭାବରେ ଯେପରି ନିଜର କାର୍ଯ୍ୟଧାରାକୁ ରୂପାୟିତ କରିଥିଲେ ସେଥିପାଇଁ ଯେତିକି ପ୍ରଶଂସା ଜୀବିତ ଅବସ୍ଥାରେ ହାସଲ କରିନଥିଲେ ତାଙ୍କର ମୃତ୍ୟୁ ପରେ ଦଳମତ ନିର୍ବିଶେଷରେ ସମସ୍ତେ ଦେଶ ପାଇଁ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରିଛନ୍ତି।
ଡ଼. ମନମୋହନ ସିଂହ ବସ୍ତୁତଃ ଜଣେ ଅର୍ଥଶାସ୍ତ୍ରବିତ୍ ଥିଲେ ଓ ସେହି ହିସାବରେ ବିଦେଶରେ ଓ ଦେଶରେ ଅର୍ଥନୀତିର ଅଧ୍ୟାପକ ହେବା ଛଡ଼ା ବିଶ୍ୱ ବ୍ୟାଙ୍କ ସହିତ ଭାରତର ଅର୍ଥନୈତିକ ପରାମର୍ଶଦାତା, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଓ ଯୋଜନା କମିଶନର ଉପାଧ୍ୟକ୍ଷ ପରି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ହୋଇଥିଲେ। ସେ କଂଗ୍ରେସ ସରକାରରେ ଅର୍ଥମନ୍ତ୍ରୀ ଥାଇ ମଧ୍ୟ ନେହରୁଙ୍କର ଶିଳ୍ପନୀତି ଓ ଅର୍ଥନୀତିର ଗତିକୁ ପରିବର୍ତ୍ତନ କରି ବଜାର ଅର୍ଥନୀତି ଦେଶରେ ପ୍ରବର୍ତ୍ତନ କରି ଲାଇସେନ୍ସ ଓ ପରମିଟ୍ ରାଜର ଅବସାନ ଘଟାଇଥିଲେ। ବାସ୍ତବିକ ୯୦ ଦଶକ ପ୍ରାରମ୍ଭରେ ତାଙ୍କର ଏହି ଆର୍ଥିକ ଉଦାରୀକରଣ ଅର୍ଥନୀତି ଯୋଗୁ ଦେଶରେ ପ୍ରଥମ ଥର ପାଇଁ ଏକ ଶକ୍ତିଶାଳୀ ମଧ୍ୟବିତ୍ତ ଶ୍ରେଣୀ ଦ୍ରୁତ ଗତିରେ ମୁଣ୍ଡ ଟେକିବାରେ ସହାୟକ ହେଲା।
ପ୍ରଧାନମନ୍ତ୍ରୀ ଭାବରେ ଏହି ଧାରାକୁ ସେ ଆଗକୁ ନେବା ସହିତ ଉଦାରୀକରଣ ଅର୍ଥନୀତିରେ କ୍ଷତିଗ୍ରସ୍ତ ଗରିବ, ଖଟିଖିଆ ଲୋକମାନଙ୍କର ସୁରକ୍ଷା ପାଇଁ ଅନେକଗୁଡ଼ିଏ ପଦକ୍ଷେପ ନେବା ଫଳରେ ଭାରତର ଆର୍ଥିକ ପ୍ରଗତିହାର ବୃଦ୍ଧି ପାଇବା ସହିତ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବା ସମ୍ଭବ ହୋଇଥିଲା। ତାଙ୍କର ବ୍ୟବହାର ଚାଲିଚଳଣ ଓ ସର୍ବୋଚ୍ଚ ଆସନରେ ଥାଇ ମଧ୍ୟ ସମସ୍ତଙ୍କ ପ୍ରତି ସମ୍ମାନର ସହିତ ସୌଜନ୍ୟ ବ୍ୟବହାର ପ୍ରଦର୍ଶନ ସମ୍ପର୍କରେ ତାଙ୍କ ସହିତ କାମ କରିଥିବା ସବୁ ଶ୍ରେଣୀର ଲୋକମାନେ ମତ ଦେଉଛନ୍ତି। ଏପରିକି ଯେଉଁ ବିରୋଧି ଦଳର ନେତାମାନେ ତାଙ୍କୁ କଟୁ ସମାଲୋଚନା କରୁଥିଲେ ସେମାନେ ସ୍ୱୀକାର କରୁଛନ୍ତି ଯେ, ବ୍ୟକ୍ତିଗତ ଭାବରେ ସେ ଅତ୍ୟନ୍ତ ସାଧୁ ଓ ସଚ୍ଚୋଟ ଥିଲେ। କୌଣସି ନ୍ୟସ୍ତ ସ୍ୱାର୍ଥ ରକ୍ଷା କରିବା ପାଇଁ ସେ କୌଣସି କାର୍ଯ୍ୟ ନକରି ଦେଶର ମଙ୍ଗଳ ପାଇଁ ଯାହା ତାଙ୍କ ବିଚାରରେ ଠିକ୍ ବୋଲି ଭାବିଛନ୍ତି ତାହା ସେ କରିଛନ୍ତି। ଅନ୍ୟ କାହାକୁ ଅସମ୍ମାନ କରିବା ବା ନ୍ୟୁନ କରିବା ଦିଗରେ ସେ କୌଣସି କାର୍ଯ୍ୟ କରିନାହାନ୍ତି।
ତଥାପି ସେ ଦେଶର ସର୍ବୋଚ୍ଚ ରାଜନୈତିକ ଆସନ ପାଇଥିଲେ ମଧ୍ୟ ସିଧାସଳଖ ଭାବରେ ସେ ଲୋକଙ୍କ ଦ୍ୱାରା କେବେ ନିର୍ବାଚିତ ହୋଇନାହାନ୍ତି। ସେ ପ୍ରାୟ ୩୦ ବର୍ଷରୁ ଉର୍ଦ୍ଧ୍ୱ କାଳ ରାଜ୍ୟସଭାର ସଦସ୍ୟ ଭାବରେ ରହି ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ତାଙ୍କର ଅସଲ ବିଶେଷତ୍ୱ ହେଉଛି ଯେ, ସେ ଅତ୍ୟନ୍ତ ସାଧାରଣ ଗରିବ ଶ୍ରେଣୀରେ ଥିଲେ ମଧ୍ୟ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଶିକ୍ଷାର ସଫଳତା ବଳରେ ସର୍ବୋଚ୍ଚ ସ୍ତରକୁ ଯାଇପାରିଛନ୍ତି। ଭାରତ-ପାକିସ୍ତାନ ବିଭାଜନ ସମୟରେ ସେ ପିଲାଦିନେ ପରିବାର ସହ ପାକିସ୍ତାନରୁ ଆସି ଶରଣାର୍ଥୀ ଭାବରେ ଭାରତରେ ରହିଥିଲେ। ପିଲାବେଳୁ ମା’ ମରିଗଲା ପରେ ଓ ଘରେ ପଢ଼ିବା ପାଇଁ ଭଲ ଲଣ୍ଠନର ସୁବିଧା ନଥିଲେ ମଧ୍ୟ ଅଧ୍ୟୟନରେ କୌଣସି ସାଲିସ୍ କରିନାହାନ୍ତି। ନିଜର ମେଧା ବଳରେ ପ୍ରତ୍ୟେକ ଶ୍ରେଣୀରେ ସେ ବୃତ୍ତି ପାଇ ଶେଷରେ ସେହି ବୃତ୍ତି ବଳରେ କେମ୍ବ୍ରିଜ ବିଶ୍ୱ ବିଦ୍ୟାଳୟରେ ପାଠପଢ଼ି ଡକ୍ଟରେଟ୍ ଡିଗ୍ରୀ ହାସଲ୍ କରି ନିଜକୁ ପ୍ରତିଷ୍ଠିତ କରିଥିଲେ। ଭାରତ ପରି ଏକ ହିନ୍ଦୁ ବହୁଳ ଦେଶରେ ଶିଖ୍ ସମ୍ପ୍ରଦାୟର ଜଣେ ବ୍ୟକ୍ତି ସର୍ବୋଚ୍ଚ ରାଜନୈତିକ ଆସନ ହାସଲ କରିବା କିଛି କମ୍ କଥା ନୁହେଁ। ଯେହେତୁ ସେ ଗରିବ ଓ ସଂଖ୍ୟାଲଘୁ ସଂପ୍ରଦାୟରୁ ଆସିଥିଲେ ତେଣୁ ଭାରତୀୟ ସମ୍ବିଧାନରେ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ପ୍ରଦାନ ଦିଗରେ ଥିବା ବ୍ୟବସ୍ଥାକୁ ପାଳନ କରିବା ପ୍ରତି ଅଙ୍ଗିକାରବଦ୍ଧ ଥିଲେ। ଏଥିପାଇଁ ସେ ଭୁଲ୍ ବୁଝାମଣାର ଶିକାର ହୋଇଛନ୍ତି।
ସବୁଠୁ ବଡ଼ କଥା ଯେ, ତାଙ୍କ ପାଖରେ ଭୋଟ୍ ସଂଗ୍ରହ କରିବା ପରି ରାଜନୈତିକ ବାର୍ତ୍ତା ବା ସ୍ଳୋଗାନ ନଥିବାରୁ ରାଜନୈତିକ କାର୍ଯ୍ୟ ପାଇଁ ସେ କଂଗ୍ରେସ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉପରେ ନିର୍ଭର କରୁଥିଲେ। ହେଲେ ସେ ଭଲଭାବରେ ଜାଣିଥିଲେ ଯେ, ତାଙ୍କର ଉପଲବ୍ଧି କେବଳ ଶିକ୍ଷା ଯୋଗୁ ସମ୍ଭବ ହୋଇଛି। ତେଣୁ ପ୍ରତ୍ୟେକ ଶିଶୁର ପଢ଼ିବା ପାଇଁ ମୌଳିକ ଅଧିକାର ବିଷୟରେ ସେ ଆଇନ୍ ପ୍ରଣୟନ କରିବା ସମୟରେ ସ୍ପଷ୍ଟ ଭାବରେ କହିଥିଲେ, ‘ମୁଁ ସାଧାରଣ ପରିବାରରୁ ଆସିଛି ଓ କିରୋସିନର ଝାପ୍ସା ଆଲୁଅରେ ପାଠପଢ଼ିଛି। କିନ୍ତୁ ମୁଁ ଯାହା ପାଇଛି ତାହା କେବଳ ଶିକ୍ଷା ଯୋଗୁ।’ ସେହି ଦୃଷ୍ଟିରୁ ଭାରତର ପ୍ରତ୍ୟେକ ଶିଶୁ ପୁଅ ବା ଝିଅ ଶିକ୍ଷାରୁ କେବେ ବି ବଂଚିତ ହେବା ଉଚିତ୍ ନୁହେଁ ବୋଲି ସେ ଅନୁଭବ କରିଥିଲେ। ମୋଟାମୋଟି ଭାବରେ ଶିକ୍ଷା ହିଁ ମନମୋହନଙ୍କ ସଫଳତାର ମୁଖ୍ୟ ବାର୍ତ୍ତା।
ଭାରତର ଅନ୍ୟ ଯେଉଁ ମହାନ୍ ବ୍ୟକ୍ତି ମୃତ୍ୟୁବରଣ କରିବାର ୭୦ ବର୍ଷ ପରେ ମଧ୍ୟ ତାଙ୍କ ନାମକୁ ନେଇ ଦେଶର ରାଜନୀତି ଓ ବିଚାର ଆଲୋଚନା କେନ୍ଦ୍ରୀଭୂତ ହେଉଛି, ସେ ହେଉଛନ୍ତି ଡ଼. ଭୀମରାଓ ଆମ୍ବେଦକର। ଭାରତୀୟ ସମ୍ବିଧାନ ପ୍ରଣୟନ କମିଟିର ଅଧ୍ୟକ୍ଷ ଭାବରେ ତାଙ୍କୁ ଭାରତୀୟ ସମ୍ବିଧାନର ପ୍ରଣେତା ବୋଲି ସ୍ୱୀକାର କରାଯାଏ। ଭାରତୀୟ ସମ୍ବିଧାନର ଯେତେ ସଂଶୋଧନ ହେଲେ ମଧ୍ୟ ସମ୍ବିଧାନର ମୌଳିକ ଚିନ୍ତାଧାରା ଓ ବ୍ୟବସ୍ଥାକୁ ନେଇ ସେ ଯେଉଁଭଳି ଭାବରେ ସମାଜର ସବୁ ଶ୍ରେଣୀର ନାଗରିକମାନଙ୍କୁ ସମାନ ଅଧିକାର ସହିତ ବଂଚିବା ପାଇଁ ରାସ୍ତା ଦେଖାଇ ଯାଇଛନ୍ତି, ସେଗୁଡ଼ିକ ଏବେ ବି ଭାରତର ଜୀବନକୁ ପ୍ରଭାବିତ କରି ରଖିଛି। ଡ଼. ଆମ୍ବେଦକର ଦଳିତ ଓ ଅଛୁଆ ବର୍ଗରେ ଜନ୍ମ ନେଇଥିଲେ ମଧ୍ୟ ଭାରତୀୟ ବ୍ୟବସ୍ଥାରେ ଥିବା ସାମାଜିକ ଅସମାନତାକୁ ଦୂର କରିବା ପାଇଁ ସମ୍ବିଧାନିକ ବ୍ୟବସ୍ଥାରେ ଓ ନିଜର ବୌଦ୍ଧିକ ଚିନ୍ତାଧାରାରେ ଯେପରି ମୂଳଦୁଆ ପକାଇଛନ୍ତି ତାହାକୁ କେବେ ବି କୌଣସି ଭାବରେ ଏଡ଼ାଇଯାଇ ଦେଶର ଗଣତନ୍ତ୍ର ଓ ରାଷ୍ଟ୍ରକୁ ରକ୍ଷା କରାଯାଇ ପାରିବନାହିଁ ବୋଲି ସମସ୍ତେ ସ୍ୱୀକାର କରିବାକୁ ବାଧ୍ୟ ହେଉଛନ୍ତି।
ଡକ୍ଟର ଆମ୍ବେଦକର ଏକ ଅଛୁଆ ଗରିବ ପରିବାରରେ ଜନ୍ମଗ୍ରହଣ କରି ସମସ୍ତ ପ୍ରକାର ଜାତିଗତ ନିର୍ଯାତନାର ଶିକାର ହୋଇଥିଲେ ମଧ୍ୟ ଅଧ୍ୟୟନ ଦିଗରେ ତାଙ୍କର ଲକ୍ଷ୍ୟକୁ ଏପରି ରଖିଥିଲେ ଯେ, ସେ ସମୟରେ ସେ ଦେଶର ସବୁଠାରୁ ପଢୁଆ ଓ ଜ୍ଞାନୀ ବ୍ୟକ୍ତି ଭାବରେ ସ୍ୱୀକୃତ ହୋଇପାରିଲେ। ବିଦେଶରେ ପଢ଼ିବାଠୁ ଆରମ୍ଭ କରି ଭାରତର ବିଭିନ୍ନ ଶାସ୍ତ୍ର ଓ ହିନ୍ଦୁ ଧର୍ମର ବ୍ୟବସ୍ଥାଗୁଡ଼ିକ ଭଲ ଭାବରେ ଜାଣିବା ପରେ ଜାତିପ୍ରଥାର ବିଲୋପ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ। ଏପରିକି ଅଛୁଆ ଲୋକମାନଙ୍କ ପରି ମହିଳାମାନେ ମଧ୍ୟ ହିନ୍ଦୁ ସମାଜରେ ଅତ୍ୟାଚାରିତ ହେଉଥିବା ସେ ଭଲଭାବରେ ହୃଦୟଙ୍ଗମ କଲା ପରେ ଭାରତୀୟ ସମ୍ବିଧାନରେ ନାରୀ ଓ ପୁରୁଷକୁ ସମାନ ଅଧିକାର ସହିତ ହିନ୍ଦୁ ଆଇନ ପାଇଁ ଜୋର୍ ଦେଇଥିଲେ। ଡ଼. ଆମ୍ବେଦକର କଂଗ୍ରେସ ଦଳ ଛାଡ଼ି ନିଜର ସ୍ୱତନ୍ତ୍ର ରାଜନୈତିକ ଦଳ ଗଠନ କରିଥିଲେ ମଧ୍ୟ ନିର୍ବାଚନ ଜିତିପାରି ନଥିଲେ। କିନ୍ତୁ ତାଙ୍କରି ଆଦର୍ଶକୁ ମାର୍ଗଦର୍ଶନ ଭାବରେ ନେଇ ଦେଶର ବହୁ ରାଜନୈତିକ ଦଳ ଓ ବିଶେଷ ଭାବରେ କାଂଶୀରାମଙ୍କ ନେତୃତ୍ୱରେ ବିଏସପି ଏକ ସଫଳ ରାଜନୈତିକ ଦଳ ଭାବରେ ପ୍ରତିଷ୍ଠା ପାଇଲା।
ଭାରତରେ ଏବେ କୌଣସି ଗୋଟିଏ ଦଳ ନାହିଁ ଯିଏକି ଆମ୍ବେଦକରଙ୍କ ଚିନ୍ତା ଓ ଆଦର୍ଶକୁ ଖୋଲାଖୋଲି ବିରୋଧ କରିପାରିବ। ବିଶେଷ ଭାବରେ ଭାରତର ଦଳିତ ସଂପ୍ରଦାୟ ଓ ପଛୁଆ ଶ୍ରେଣୀର ଅଧିକାଂଶ ଆମ୍ବେଦକରଙ୍କୁ ତାଙ୍କର ଆଦର୍ଶ ଭାବରେ ଗ୍ରହଣ କରିଛନ୍ତି। ସେଥିପାଇଁ ଗତ ପାର୍ଲାମେଂଟରେ ୭୫ ବର୍ଷର ସମ୍ବିଧାନ ନେଇ ବିତର୍କ ସମୟରେ ଦେଶର ଗୃହମନ୍ତ୍ରୀ ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ଗୃହ ଶେଷରେ ଅଚଳ ହୋଇଗଲା। ଡ଼. ଆମ୍ବେଦକର ମଧ୍ୟ ଗୋଟିଏ ଶିକ୍ଷା ଦେଇଛନ୍ତି। ତାହା ହେଉଛି ମଣିଷ ନିଜକୁ ଶକ୍ତିଶାଳୀ କରିବାକୁ ହେଲେ ଶିକ୍ଷା ହିଁ ତା’ ପାଇଁ ଏକମାତ୍ର ମାଧ୍ୟମ। ଦଳିତମାନଙ୍କୁ ସେ ପ୍ରଥମେ ଶିକ୍ଷିତ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କାରଣ ତାଙ୍କ ଜୀବନରେ ସେ ଯାହା କିଛି ହାସଲ କରିଛନ୍ତି ତାହା କେବଳ ଶିକ୍ଷା ଯୋଗୁ ସମ୍ଭବ ହୋଇଛି।
ଆଧୁନିକ ଭାରତୀୟ ଜନ ଜୀବନରେ ଆଉ ଜଣେ ମହାପୁରୁଷ ହେଉଛନ୍ତି ଏପିଜେ ଅବ୍ଦୁଲ୍ କଲାମ। ମୁସଲିମ୍ ସମ୍ପ୍ରଦାୟର ଏହି ବ୍ୟକ୍ତି ଅତ୍ୟନ୍ତ କଠିନ ଅବସ୍ଥାରେ ବାଲ୍ୟଜୀବନ କଟାଇଛନ୍ତି। ଏପରିକି ପାଠପଢ଼ିବା ପାଇଁ ତାଙ୍କ ନିକଟରେ ଅର୍ଥ ନଥିବାରୁ ସେ ସମ୍ବାଦପତ୍ର ହକର୍ ହୋଇ ଅର୍ଥ ଉପାର୍ଜନ କରି ଓ କାହାଠାରୁ ବହି ମାଗି ପାଠ ପଢ଼ିଛନ୍ତି। ପାଠରେ ସବୁ ସମୟରେ ସେ ଆଗରେ ଠିଆ ହୋଇ ଜଣେ ବୈଜ୍ଞାନିକ ହେବାର ସୁଯୋଗ ପାଇଥିଲେ। ନିଜର ବିଦ୍ୟା ଯୋଗୁ ଦେଶ ଓ ବିଦେଶରେ ଭଲ ଅନୁଷ୍ଠାନରେ ବୃତ୍ତି ହାସଲ କରି ପାଠ ପଢ଼ିବା ପରେ ଶିକ୍ଷାଦାନ ବି କରିଛନ୍ତି ଓ ଶେଷରେ ଦେଶର ସାମରିକ ବିଜ୍ଞାନ କ୍ଷେତ୍ରରେ ଆକର୍ଷଣୀୟ କାର୍ଯ୍ୟକରି କ୍ଷେପଣାସ୍ତ୍ର ନିର୍ମାଣରେ ଭାରତକୁ ନିଜ ବଳରେ ଶକ୍ତିଶାଳୀ କରିଛନ୍ତି। ଗୋଟିଏ ପକ୍ଷରେ ଭାରତର ସୁରକ୍ଷା ଓ ଅନ୍ୟପକ୍ଷରେ ଦେଶର ପ୍ରତ୍ୟେକ ଯୁବକ ଯୁବତୀ ଭଲ ଶିକ୍ଷାଲାଭ କରି ଦେଶକୁ କିପରି ଶକ୍ତିଶାଳୀ କରିପାରିବେ ସେ ଦିଗରେ ଜୀବନବ୍ୟାପୀ କାମ କରିଛନ୍ତି।
ବ୍ୟକ୍ତିଗତ ସ୍ୱାର୍ଥର ବହୁ ଉର୍ଦ୍ଧ୍ୱରେ ରହି ଦେଶ ତାଙ୍କ ପାଇଁ ପ୍ରମୁଖ ଲକ୍ଷ୍ୟ ହୋଇଥିବାରୁ ସାମରିକ ବିଜ୍ଞାନରେ ତାଙ୍କ ପାରଦର୍ଶିତା ଯୋଗୁ ଦେଶର ରାଷ୍ଟ୍ରପତି ଆସନରେ ସେ ପହଂଚି ପାରିଥିଲେ। ରାଷ୍ଟ୍ରପତି ପଦ ପାଇଁ ତାଙ୍କ ପ୍ରାର୍ଥିତ୍ୱକୁ ଦେଶର ସମସ୍ତ ପ୍ରମୁଖ ଦଳ ସମର୍ଥନ କରିଥିଲେ। ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପାଇଁ ସେ କୌଣସି ଦଳର ପ୍ରାର୍ଥୀ ନହୋଇ ଯଦି ସବୁ ଦଳମାନେ ପ୍ରସ୍ତାବ ଦେବେ ତେବେ ସେ ତାର ବିଚାର କରିବେ ବୋଲି କହିଥିଲେ। ଏହା ନହେବାରୁ ସେ ଦ୍ୱିତୀୟ ଥର ରାଷ୍ଟ୍ରପତି ହେଲେ ନାହିଁ। ଭାରତର ପ୍ରଥମ କେତେ ଜଣ ରାଷ୍ଟ୍ରପତିଙ୍କୁ ଛାଡ଼ିଦେଲେ ଏପିଜେ ଅବ୍ଦୁଲ୍ କଲାମଙ୍କୁ ସମସ୍ତେ ଏବେ ବି ଲୋକଙ୍କର ରାଷ୍ଟ୍ରପତି ବୋଲି ଉଲ୍ଲେଖ କରୁଛନ୍ତି। ରାଷ୍ଟ୍ରପତି ଆସନରୁ ଗଲା ପରେ ମଧ୍ୟ ଶେଷ ପର୍ଯ୍ୟନ୍ତ ସେ ଆଇଆଇଟି ଅନୁଷ୍ଠାନଗୁଡ଼ିକରେ ଛାତ୍ରମାନଙ୍କୁ ପାଠ ପଢାଇଛନ୍ତି। ପାଠ ପଢ଼େବାକୁ ଗୋଟିଏ ଆଇଆଇଟିକୁ ଯାଇଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ଆମ୍ବେଦକର ଓ ଡ଼. ମନମୋହନଙ୍କ ପରି କଲାମ୍ ମଧ୍ୟ ପ୍ରମାଣ କରିଦେଇଛନ୍ତି ଯେ, ଶିକ୍ଷା ହିଁ ମଣିଷର ପ୍ରଗତିର ପ୍ରଥମ ଶକ୍ତି।
ମୋ- ୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।