ଗଣତନ୍ତ୍ରରେ ରାଜତନ୍ତ୍ର

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ୨୦ବର୍ଷ ପୂରଣ କରି ଓଡ଼ିଶାରେ ଏବଂ ସାରା ଦେଶରେ ଏକ ନୂଆ ମାଇଲଖୁଂଟ ସ୍ଥାପନ କରିଛନ୍ତି। ଯଦିଓ ପଶ୍ଚିମବଙ୍ଗର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ଏକାଦିକ୍ରମେ ୨୩ବର୍ଷ କାଳ ମୁଖ୍ୟମନ୍ତ୍ରୀ ରହିଥିଲେ, କିନ୍ତୁ ସେ ବାମପନ୍ଥୀ ସାମ୍ମୁଖ୍ୟର ମୁଖ୍ୟମନ୍ତ୍ରୀ ଥିଲେ ଓ ଏହି ସାମ୍ମୁଖ୍ୟ ଓ ସେ ନେତୃତ୍ୱ ନେଉଥିବା ଦଳରେ ଗଣତାନ୍ତ୍ରିକ ବ୍ୟବସ୍ଥା ଏପରି ଥିଲା ଯେ, ତାଙ୍କୁ କେହି ଅପ୍ରତିଦ୍ୱନ୍ଦ୍ୱୀ ନେତା ବା ସର୍ବମୟକର୍ତା ଭାବରେ ବିଚାର କରୁନଥିଲେ। ନବୀନ ପଟ୍ଟନାୟକ ୨୦୧୯ରେ ଯେଉଁ ଜନାଦେଶ ପାଇଛନ୍ତି ତାହା ବଳରେ ସେ ୨୦୨୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ। ଅର୍ଥାତ ଜ୍ୟୋତି ବସୁଙ୍କର ରେକର୍ଡକୁ ମଧ୍ୟ ସେ ଭଙ୍ଗ କରିଦେବେ। ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ ୨୫ବର୍ଷ ପରେ ୨୦୧୯ରେ କ୍ଷମତାଚ୍ୟୁତ ହୋଇଛନ୍ତି। କିନ୍ତୁ ସିକିମ ଏକ କ୍ଷୁଦ୍ରରାଜ୍ୟ। ଏସବୁ ଦୃଷ୍ଟିରୁ ଦେଖିଲେ ବର୍ତ୍ତମାନର ଭାରତୀୟ ରାଜନୀତିରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ସବୁଠୁ ପୁରୁଖା ଓ ଅଭିଜ୍ଞ। ଜନତା ଦଳକୁ ଭାଙ୍ଗି ଆଞ୍ଚଳିକ ବିଜୁ ଜନତା ଦଳ ୧୯୯୭ରେ ଗଠିତ ହେଲା ଦିନଠାରୁ ସେ ତାହାର ସଭାପତି ଓ ସୁପ୍ରିମୋ ଭାବରେ କାର୍ଯ୍ୟ କରିଆସୁଛନ୍ତି। ଜନସାଧାରଣ କ୍ରମାଗତ ଭାବରେ ତାଙ୍କ ପ୍ରତି ସମର୍ଥନ ଜ୍ଞାପନ କରିଛନ୍ତି। ଦୀର୍ଘକାଳ ଆଞ୍ଚଳିକ ଦଳର ସଭାପତି ଭାବରେ ଓ ମୁଖ୍ୟମନ୍ତ୍ରୀ ଭାବରେ ନିଜ ଦଳ ଭିତରୁ ତାଙ୍କ ବିରୋଧରେ କୌଣସି ବିଦ୍ରୋହ ବା ଅସନ୍ତୋଷ ସଂଗଠିତ ହୋଇନାହିଁ। ପ୍ରଥମରୁ ବିଭିନ୍ନ ପର୍ଯ୍ୟାୟରେ ଅସନ୍ତୋଷ ବା ବିଦ୍ରୋହ  ସୃଷ୍ଟି କରିବା ପରି କ୍ଷମତା ଥିବା ନେତା ଓ ବ୍ୟକ୍ତିମାନଙ୍କୁ ସେ ଏପରି ହଟାଇ ଦେଇଛନ୍ତି ଯେ, ସେମାନେ ସଂଗଠିତ ହୋଇପାରିନାହାନ୍ତି। ବିରୋଧୀ ପକ୍ଷରେ ଯେଉଁ ଦଳ ସେ କ୍ଷମତା ଗ୍ରହଣ କରିବା ସମୟରେ ରାଜ୍ୟରେ ମୁଖ୍ୟ ଦଳ ଭାବରେ ଥିଲା ଅର୍ଥାତ କଂଗ୍ରେସ କ୍ରମାଗତ ଭାବରେ ସମର୍ଥନ ହରାଇବା ସହିତ  ନେତୃତ୍ୱଶୂନ୍ୟ ଅବସ୍ଥାକୁ ଆସିଯାଇଛି।

୨୦୧୯ ନିର୍ବାଚନରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିଜେପି ଆତ୍ମପ୍ରକାଶ କରିଥିଲେ ମଧ୍ୟ ସିଧାସଳଖ ନବୀନଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ନେତୃତ୍ୱ ବିକାଶ କରିପାରିନାହିଁ। ଏପରି ଏକ ରାଜନୈତିକ ପୃଷ୍ଠଭୂମିରେ ନବୀନ ପଟ୍ଟନାୟକ  ଗଣତାନ୍ତ୍ରିକ ବ୍ୟବସ୍ଥାକୁ ରାଜତନ୍ତ୍ରରେ ପରିଣତ କରିଛନ୍ତି। ନିଜକୁ ରାଜା ଭୂମିକାରେ ରଖିଥିବା ନବୀନ ପଟ୍ଟନାୟକ ଓଡ଼ିଶା ଓ ଦେଶର ରାଜତନ୍ତ୍ର ଇତିହାସକୁ ଅନୁଧ୍ୟାନ କରିଛନ୍ତି। ରାଜତନ୍ତ୍ରରେ ଜଣେ ରାଜା ଯଦି ଦାନୀ ହୁଏ ଓ ଅନ୍ୟମାନଙ୍କ ଦୁଃଖ ଦୂର କରିବା ପାଇଁ କିଛି କାର୍ଯ୍ୟ କରେ ବା ଲୋକମାନଙ୍କ ବିକାଶ ପାଇଁ କାର୍ଯ୍ୟ କରୁଥିବାର ଧାରଣା ସୃଷ୍ଟି କରିପାରେ ତେବେ ସେହି ରାଜା ବେଶ ଲୋକପ୍ରିୟ ହୁଏ। ନବୀନଙ୍କ କ୍ଷେତ୍ରରେ ଠିକ ସେହିପରି ହୋଇଛି। ନିଜକୁ ଦାନ ଓ ଧର୍ମର ଦେବତା ଭାବରେ ଉପସ୍ଥାପିତ କରିବା ପାଇଁ ପ୍ରଚେଷ୍ଟା ଚାଲିଛି। ଓଡ଼ିଶାର ଅଧିକାଂଶ ଅଞ୍ଚଳ ଗଡ଼ଜାତ ଶାସନରେ ବା ଜମିଦାରମାନଙ୍କ ଶାସନରେ ବହୁବର୍ଷ କାଳ ରହିଥିଲା। ଏଥିରେ ଯେଉଁ ରାଜା ବା ଜମିଦାରମାନେ ଦାନୀ ଭାବରେ ଭାବମୂର୍ତ୍ତି ରଖଥିଲେ ସେମାନଙ୍କର ସପକ୍ଷରେ ପ୍ରଜାମାନେ ରହିଥିଲେ। ରାଜାଙ୍କ ଦ୍ୱାରା ନିଯୁକ୍ତ ପିଆଦା ଆସି କୌଣସି ବାର୍ତ୍ତା ଦେଲେ ତାହାକୁ ଆଦେଶ ଭାବରେ ଗ୍ରହଣ କରି ଲୋକମାନେ କାର୍ଯ୍ୟ କରୁଥିଲେ। ତେଣୁ ନବୀନ ପଟ୍ଟନାୟକ ଏହି ଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ସମୟରେ ଯେଉଁ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇ ଆସିଛନ୍ତି ସେମାନଙ୍କୁ ଅନ୍ୟମାନେ କିପରି ଗ୍ରହଣ କରୁଛନ୍ତି ତାହା ମଧ୍ୟ ଦେଖିଛନ୍ତି।

ପ୍ରଥମାବସ୍ଥାରେ ପ୍ୟାରୀମୋହନ ମହାପାତ୍ରଙ୍କୁ ଇଙ୍ଗୀତ ଦିଆଯାଇ ଦଳର ଓ ସରକାରର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ଭାବରେ ଉପସ୍ଥାପିତ କରାଗଲା। ଦଳର ଲୋକମାନେ ତାଙ୍କୁ ମାର୍ଗଦର୍ଶକ ଭାବରେ ଗ୍ରହଣ କରିନେଲେ। ସେ ଅଧିକ କ୍ଷମତାଶାଳୀ ହେଉଥିବା ଯେଉଁଦିନ ରାଜା ଉପଲବ୍ଧୀ କଲେ ସେବେଠାରୁ ତାଙ୍କୁ ହଠାତ ଏପରି ବିଦା କରିଦିଆଗଲା ଯେ ସେ ତାହାର ମୁକାବିଲା କରିପାରିଲେ ନାହିଁ। ଦଳରେ ଯେଉଁମାନେ ପ୍ୟାରୀମୋହନ ମହାପାତ୍ର  ଅତ୍ୟଧିକ କ୍ଷମତାଶାଳୀ ହେବାକୁ ସହ୍ୟ କରୁନଥିଲେ ସେମାନେ ନବୀନଙ୍କର ତାଙ୍କୁ କ୍ଷମତାଚ୍ୟୁତ ଅଭିଯାନକୁ ଏପରି ସମର୍ଥନ କଲେ ଯେ, ସେଥିରେ ନବୀନଙ୍କ ଲୋକପ୍ରିୟତା ଆହୁରି ବଢ଼ିଲା। ଯେଉଁମାନେ ପ୍ୟାରୀଙ୍କ ସହିତ ଯୋଡ଼ି ହୋଇଯାଇଥିଲେ ସେମାନେ ବି ପରିବର୍ତିତ ଅବସ୍ଥାକୁ ଦେଖି ପ୍ୟାରୀଙ୍କୁ ନିନ୍ଦା କରିବା ସହିତ ନବୀନଙ୍କ ଶରଣାପନ୍ନ ହୋଇ ଜଣାଇଦେଲେ ଯେ, ନବୀନଙ୍କ ଦ୍ୱାରା ଅଧିକୃତ ବ୍ୟକ୍ତିଭାବରେ ସେମାନଙ୍କର ପ୍ୟାରୀଙ୍କ ସହିତ ସଂପର୍କ ରହିଥିଲା। ଅତୀତରେ ବିଜୁ ଜନତା ଦଳ ଆରମ୍ଭ ପରେ ପରେ ବିଜୟ ମହାପାତ୍ରଙ୍କ କ୍ଷେତ୍ରରେ ଯାହା କରାଯାଇଥିଲା ପ୍ୟାରୀମୋହନ ମହାପାତ୍ରଙ୍କ କ୍ଷେତ୍ରରେ ମଧ୍ୟ ତାହାର ପୁନରାବୃତ୍ତି ହେଲା। ଏହାଛଡ଼ା ଜନତା ଦଳର ଓ ବିଜୁଙ୍କ ଅନୁଗତ ଭାବେ ଥିବା ରାମକୃଷ୍ଣ ପଟ୍ଟନାୟକ, ନଳିନୀ ମହାନ୍ତି, ଦିଲୀପ ରାୟଙ୍କ ପରେ ଅନ୍ୟ ବରିଷ୍ଠ ନେତା ଭାବରେ ପ୍ରଫୁଲ୍ଲ ଘଡେ଼ଇ, ଡା.ଦାମୋଦର ରାଉତ ଓ  ସୁରେନ୍ଦ୍ରନାଥ ନାୟକ ପ୍ରମୁଖ ଧୀରେ ଧୀରେ ନବୀନଙ୍କ ପରିସରରୁ ପୂରାପୂରି ଦୂର ହୋଇଗଲେ। ବର୍ତ୍ତମାନର ବିଜୁଜନତା ଦଳରେ ଅନଙ୍ଗ ଉଦୟ ସିଂହଦେଓ ଥିଲେ ମଧ୍ୟ ତାଙ୍କର ଦଳରେ କୌଣସି ପ୍ରଭାବ ନାହିଁ।

ବିଜୁ ଜନତା ଦଳ ଆରମ୍ଭ ସମୟରେ ଥିବା  ପ୍ରସନ୍ନ ଆଚାର୍ଯ୍ୟ  ରାଜ୍ୟସଭାରେ ଓ ଭତ୍ତୃର୍ହରି ମହତାବ ଲୋକସଭାରେ ଥିଲେ ମଧ୍ୟ ଦଳରେ ସେମାନଙ୍କ କର୍ତ୍ତୃତ୍ୱ ଯଥେଷ୍ଟ କମ‌୍‍ ରହିଛି। ବିଧାୟକମାନଙ୍କ ଭିତରେ ପୁରୁଖା ନେତାଭାବରେ ପ୍ରଫୁଲ୍ଲ ସାମଲ ରହିଥିଲେ ମଧ୍ୟ ସେ ମନ୍ତ୍ରିମଣ୍ଡଳରେ ନାହାନ୍ତି। ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦଳ ପ୍ରତିଷ୍ଠା ସମୟରେ ନଥିଲେ ମଧ୍ୟ କ୍ରମାଗତ ଭାବରେ ୧୯୯୦ରୁ ବିଧାୟକ ହୋଇ ରହିଛନ୍ତି ଓ ଏବେ ମନ୍ତ୍ରୀ ହୋଇଛନ୍ତି। ନବୀନଙ୍କ ସହ ଭିନ୍ନମତ ପୋଷଣ କଲେ କି ଅବସ୍ଥା ହୁଏ ତାହା ସେ ଅଭିଜ୍ଞତାରୁ ଜାଣିଛନ୍ତି। ଆଉ ଜଣେ ପୁରୁଖା ବିଧାୟକ ବିଷ୍ଣୁପ୍ରସାଦ ଦାସ ସବୁ ଦୃଷ୍ଟିରୁ ଅକ୍ଷମ ହୋଇ ରହିଛନ୍ତି। ମୋଟାମୋଟି ଭାବରେ ଏବେ ବିଧାନସଭାରେ ଯେଉଁମାନେ ବିଧାୟକ ବା ଯେଉଁମାନେ ମନ୍ତ୍ରୀ ସେମାନଙ୍କୁ ନବୀନ ହିଁ ରାଜନୀତିକୁ ଆଣିଛନ୍ତି ଓ ର୍ନିବାଚନରେ ଜିତାଉଛନ୍ତି ବୋଲି ଧାରଣା ସ୍ପଷ୍ଟ ହୋଇଯାଇଛି। ଏପରିକି ପଂଚାୟତଠାରୁ ଆରମ୍ଭ କରି ପୌରସଭା ବା ବିଭିନ୍ନ ସଂସ୍ଥାରେ ଯେଉଁମାନେ ଥଇଥାନ ହୋଇଛନ୍ତି ବା ରୋଜଗାରକ୍ଷମ ଦେଇଛନ୍ତି ସେମାନେ ନବୀନଙ୍କ ଆଶୀର୍ବାଦରେ ତାହା ହାସଲ କରିଛନ୍ତି ବୋଲି ସେମାନଙ୍କର ପୂରା ବିଶ୍ୱାସ ରହିଛି।

ଜଣେ ଲୋକପ୍ରିୟ ରାଜା ପରି ନବୀନ ଏପରି ବ୍ୟବସ୍ଥା କରିଛନ୍ତି ଯେଉଁଥିରେ ଦଳର ପ୍ରତ୍ୟେକ ବିଧାୟକ, କର୍ମକର୍ତ୍ତା, ସହଯୋଗୀ ଓ ସମର୍ଥକମାନେ ସରକାରୀ ରାଜକୋଷ ବା ସୁବିଧାରୁ ଲାଭବାନ ହୋଇପାରିବେ। କିନ୍ତୁ ଦଳ ଭିତରେ କୌଣସି ରାଜନୈତିକ ପ୍ରସଙ୍ଗ ନେଇ କେହି କୌଣସି ମନ୍ତବ୍ୟ ଦେବେ ନାହିଁ। ନବୀନ ପଟ୍ଟନାୟକ ରାଜନୀତିର ଅଣରାଜନୈତିକ ପ୍ରକ୍ରିୟାକୁ ଏପରି ମଜଭୁତ କରିଛନ୍ତି ଯେ, କ୍ୟାବିନେଟ‌୍‍ରେ କୌଣସି ପ୍ରସଙ୍ଗରେ ବିଶେଷ ଆଲୋଚନା ବା ବିତର୍କର ଆବଶ୍ୟକତା ପଡ଼ୁନାହିଁ। ବିଧାୟକ ଦଳ ବା ରାଜନୈତିକ ସଭା କେବଳ ବିକାଶ ନାଁରେ କରାଯାଉଛି କୁହାଯାଇ ନେତୃତ୍ୱର ପ୍ରଚାର କରିବା ମୁଖ୍ୟ ରାଜନୈତିକ କାର୍ଯ୍ୟକଳାପରେ ପରିଣତ ହୋଇଛି। ଯେହେତୁ ସେ ଦୀର୍ଘ ୨୦ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଭାବରେ ଅଛନ୍ତି ସେହେତୁ କୋଡ଼ିଏ ବାଇଶ ବର୍ଷ ଭିତରେ ଯେଉଁମାନେ ପ୍ରଶାସନିକ ବା ସରକାରୀ ବ୍ୟବସ୍ଥାକୁ ଆସିଛନ୍ତି ସେମାନେ ଧୀରେ ଧୀରେ ନବୀନଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିବାକୁ ବାଧ୍ୟ ହୋଇଛନ୍ତି। ରାଜାଙ୍କର କ୍ଷମତା ବା କତ୍ତୃର୍ତ୍ୱକୁ ଶାସକ ଦଳ ଭିତରେ ବା ପ୍ରଶାସନରେ କେହି ଚ୍ୟାଲେଞ୍ଜ କରିବା ଅବସ୍ଥାରେ ନାହାନ୍ତି। ସେଥିପାଇଁ ତାଙ୍କର ବ୍ୟକ୍ତିଗତ ସଚିବ ଯାହାଙ୍କୁ ପରେ ୫-ଟି ସଚିବ କରାଯାଇଛି ସେ ଅପେକ୍ଷାକୃତ କନିଷ୍ଠ ଅଧିକାରୀ ହୋଇଥିଲେ ମଧ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କ ନିଦ୍ଦେର୍ଶକୁ ମୁଖ୍ୟମନ୍ତ୍ରୀଙ୍କ ନିଦ୍ଦେର୍ଶ ଭାବେ ମାନି କାର୍ଯ୍ୟ କରୁଛନ୍ତି। କେବଳ ସେତିକି ନୁହେଁ, ସେ ଯେଉଁ ଅଂଚଳକୁ ଗସ୍ତ କରୁଛନ୍ତି ସେଠାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଭଡ଼ାରେ ନିଆଯାଉଥିବା ହେଲିକପ୍ଟରରେ ଯାଉଛନ୍ତି ଓ ଜିଲ୍ଲା ପ୍ରଶାସନର ସମସ୍ତ କର୍ମକର୍ତ୍ତା ତାଙ୍କ ନିଦ୍ଦେର୍ଶକୁ ଅପେକ୍ଷା କରି ରହିଛନ୍ତି। ସେ ଯେଉଁଠାରେ ଯାହା ଘୋଷଣା କରୁଛନ୍ତି ବା ଜବାବ ଦେଉଛନ୍ତି ତାହା କାର୍ଯ୍ୟକାରୀ ବି ହେଉଛି। କାରଣ ତାଙ୍କର ପ୍ରତ୍ୟେକଟି ନିଷ୍ପତି ବା କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅଧିକୃତ ଅଧିକାରୀଙ୍କ କାର୍ଯ୍ୟ ଭାବରେ ବିଚାର କରାଯାଉଥିବାରୁ ତାହାକୁ କେହି ଅମାନ୍ୟ କରୁନାହାନ୍ତି। ତାଙ୍କଠାରୁ ଉଚ୍ଚ ଅଧିକାରୀମାନେ ମଧ୍ୟ ଏହାକୁ ଗ୍ରହଣ କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଅପ୍ରତିଦ୍ୱନ୍ଦ୍ୱୀ ନେତୃତ୍ୱର ସ୍ଥିତି ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ଅଧିକୃତ ଅଧିକାରୀ କ୍ଷମତାଶାଳୀ ହୋଇଛନ୍ତି। ଏପରିକି ଓଡ଼ିଶାରେ ତାଙ୍କୁ ପ୍ରକୃତ ମୁଖ୍ୟମନ୍ତ୍ରୀ ଭାବେ ଅନେକ ଭାବୁଛନ୍ତି। ଶାସନ କ୍ଷେତ୍ରରେ ନବୀନ ଯାହା କରୁଛନ୍ତି ନିଜ ଦଳ କ୍ଷେତ୍ରରେ ମଧ୍ୟ ତାହା ହିଁ କରୁଛନ୍ତି। ହଠାତ‌୍‍ ଘୋଷଣା ହୋଇଛି ଯେ, ପ୍ରଣବ କିଶୋର ଦାସ ସାଂଗଠନିକ ସ୍ତରରେ ସାଧାରଣ ସଂପାଦକ ଭାବରେ ସଂଗଠନର ସବୁ ଦାୟିତ୍ୱ ତୁଲାଇବେ। ଏକଥା ମଧ୍ୟ କୁହାଯାଇଛି ଯେ, ସଂଗଠନରେ ସେ ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ଭାବରେ କାର୍ଯ୍ୟ କରିବେ। ସଂଗଠନର ଦୈନନ୍ଦିନ କାର୍ଯ୍ୟ ତୁଲାଇବା ପାଇଁ ନବୀନ ଜଣଙ୍କୁ ଏପରି ଦାୟିତ୍ୱ ଦେବାରେ କିଛି ଭୁଲ ନଥିଲେ ମଧ୍ୟ ବିଜୁ ଜନତା ଦଳ ସମ୍ୱିଧାନରେ ଏ ବ୍ୟବସ୍ଥା ନଥିଲା। ପ୍ରଣବ କିଶୋର ଦାସ ଗତ କିଛିବର୍ଷ ହେଲା ସଂଗଠନସ୍ତରରେ ସକ୍ରିୟ ଅଛନ୍ତି ଓ ତୃତୀୟ ମହଲା ସହିତ ବା ନବୀନଙ୍କ ସହିତ ତାଙ୍କର ସଂପର୍କ ରହିଥିବା ପ୍ରଚାରିତ ହେଉଛି। ସେ ମନ୍ତ୍ରିମଣ୍ଡଳକୁ ନଯାଇ ସଂଗଠନ ଦାୟିତ୍ୱ ନେବେ ବୋଲି ନିଷ୍ପତି ନେବା ଫଳରେ ବର୍ତ୍ତମାନର ସାଂଗଠନିକ ନିର୍ବାଚନ ପୂର୍ବରୁ ତାଙ୍କୁ ଦଳର ସାଂଗଠନିକ ସଂପାଦକ ଭାବରେ ଦାୟିତ୍ୱ ଦିଆଯାଇଥିଲା। ସେହି ସମୟରେ ଅନ୍ୟ ଜଣେ ସାଧାରଣ ସଂପାଦକ ହୋଇଥିବା ସଂଜୟ ଦାସବର୍ମା ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେବା ପରେ ପ୍ରଣବ କିଶୋର ଦାସଙ୍କୁ ସଂଗଠନର ପୂରା ଦାୟିତ୍ୱ ଦିଆଯାଇ ଆନୁଷ୍ଠାନିକ ଭାବେ ଦଳର ସଂଗଠନରେ ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି କରିଦିଆଯାଇଛି। କିନ୍ତୁ ସେହିପର୍ଯ୍ୟନ୍ତ କ୍ଷମତାଶାଳୀ ଯେପର୍ଯ୍ୟନ୍ତ ସେ ନବୀନ ପଟ୍ଟନାୟକଙ୍କର ଆଶୀର୍ବାଦ ବା ସମର୍ଥନ ପାଉଛନ୍ତି।

ପୂର୍ବରୁ ସଂଗଠନ ବ୍ୟାପାରରେ ମଧ୍ୟ ଅନେକ ବିଜେଡି ନେତାମାନେ ତୃତୀୟ ମହଲାରେ ସଚିବଙ୍କୁ ଭେଟୁଥିଲେ। ଏବେ ତାହାର ଆଉ ଆବଶ୍ୟକତା ପଡ଼ିବ ନାହିଁ। ପ୍ରଣବ କିଶୋର ଦାସ ହେଉଛନ୍ତି ସ୍ୱର୍ଗତଃ ଅଶୋକ ଦାସଙ୍କ ପୁତ୍ର ଓ ଅଶୋକ ଦାସ ମଧ୍ୟ ଏହିପରି ଭାବରେ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ମନୋନୀତ ହୋଇ ରାଜ୍ୟ ଜନତା ଦଳର ସଭାପତି ହୋଇଥିଲେ ଓ ପରେ ବିଜୁ ପଟ୍ଟନାୟକ ଲୋକସଭାକୁ ଗଲା ପରେ ବିରୋଧୀ ଦଳର ନେତା ମଧ୍ୟ ହୋଇଥିଲେ। କିନ୍ତୁ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଅଶୋକ ଦାସଙ୍କର ସେହି ପ୍ରାଧାନ୍ୟକୁ ଦଳର ଅନ୍ୟ ନେତାମାନେ ଗ୍ରହଣ କଲେନାହିଁ। ସେଥିପାଇଁ ଜନତା ଦଳରେ ସଂକଟ ହେଲା ଓ ଶେଷରେ ବିଜୁ ଜନତା ଦଳ ଗଠନ ପାଇଁ ରାସ୍ତା ପରିଷ୍କାର ହେଲା।

ବରିଷ୍ଠ ସାମ୍ୱାଦିକ ରବି ଦାସ
ମୋ- ୯୪୩୭୪୦୪୪୫୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।