Advertisment

ଫେରନ୍ତା ପ୍ରବାସୀଙ୍କୁ ଖୋଲାପତ୍ର

ଏ ରାଜ୍ୟ ଗୋଟିଏ ଚାଷୀ ପ୍ରଧାନ ରାଜ୍ୟ। କିନ୍ତୁ ଏହାର କୃଷକ ପରିବାରର ଆୟ ଏ ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ଛୁଇଁନାହିଁ। ସେହିପରି ଆଦିବାସୀ ପରିବାରର ମାସିକ ଆୟ ୩ ହଜାର ଟଙ୍କା ମଧ୍ୟ ଛୁଇଁନାହିଁ। ଆପଣମାନେ ବିଭିନ୍ନ ଭାବରେ ଅତିଥି ହୋଇ ଆସିଥିଲେ। ଏଣୁ ଏଠାକାର ଆତିଥ୍ୟ ସଂପର୍କରେ ଆପଣଙ୍କୁ ବେଶି କିଛି ଜଣାନଥିବ।

author-image
Debendra Prusty
Decorated Bhubaneswar For Pravasi Bharatiya Divas

Decorated Bhubaneswar For Pravasi Bharatiya Divas

ପଞ୍ଚାନନ କାନୁନ୍‌ଗୋ

ଅତି ଆଗ୍ରହରେ ଦୂରାଦୂରାନ୍ତର ଦେଶମାନଙ୍କରୁ ଛୁଟି ଆସିଥିବା ସମସ୍ତ ଭାରତ ପ୍ରେମୀ ଓ ଓଡ଼ିଶାର ଶୁଭେଚ୍ଛୁମାନଙ୍କୁ ଯଥାବିଧି ନମସ୍କାର! ଆପଣମାନେ ଓଡ଼ିଶାରେ ପହଂଚି ୪ ଦିନ ବା ତା’ଠାରୁ ଅଧିକ ସମୟ କଟାଇଛନ୍ତି। ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିବେ। ଏଥିରେ ଅନେକ ଉତ୍ସାହ ଓ ଆନନ୍ଦ ନିଶ୍ଚୟ ଅନୁଭବ କରିଥିବେ। ସେଥିପାଇଁ ଏହି ଆବେଗ ଓ ଉତ୍ସାହ ଭିତରେ ବ୍ୟକ୍ତିଗତ ଭାବେ ଏହି ଚିଠିଟି ଆପଣଙ୍କୁ ପଠାଇ ଆପଣମାନଙ୍କ ମାନସିକ ସ୍ତରକୁ ବିଚଳିତ କରିବା ଉଚିତ୍‍ ମନେ କରିନଥିଲି। ଏହି ପତ୍ରଟି ଆପଣ ଯଦି ଓଡ଼ିଶାର ବ୍ୟକ୍ତି ହୋଇଥାନ୍ତି, ତା’ହେଲେ ପଢ଼ି ବୁଝିପାରିବେ ଓ ବାହାର ଦେଶରୁ ଆସିଥିବା ଭାରତୀୟମାନଙ୍କୁ ଯଥାସାଧ୍ୟ ବିଶ୍ୱାସଯୋଗ୍ୟ ଅନୁବାଦ କରି ବୁଝାଇଦେବେ ବୋଲି ଅନୁରୋଧ।

Advertisment

ଆପଣ ଭୁବନେଶ୍ୱରରୁ କଟକ, ଭୁବନେଶ୍ୱରରୁ ପୁରୀ ଏବଂ ଭୁବନେଶ୍ୱରରୁ ଅନ୍ୟତ୍ର ଯାତ୍ରା କଲାବେଳେ ନିଶ୍ଚୟ ଦେଖିଥିବେ ଜାତୀୟ ରାଜପଥର ଉଭୟ କଡ଼ରେ ନଭଶ୍ଚୁମ୍ଭୀ ବିଶାଳ ସୌଧମାନ ଛିଡ଼ା ହୋଇଛି। ଏହି ଅଳ୍ପକିଛି ବର୍ଷ ହେବ ଏସବୁର ଆବିର୍ଭାବ। ଯେଉଁ ଭୁବନେଶ୍ୱର ଦିନେ ମନ୍ଦିର ମାଳିନୀ ନଗର ଭାବେ ସାରା ବିଶ୍ୱରେ ପରିଚୟ ସୃଷ୍ଟି କରିଥିଲା, ଇତିହାସର ସମୃଦ୍ଧି କରିଥିଲା, ସେହିସବୁ ଉଚ୍ଚ ଦେବାଳୟ ଆଜି ବଡ଼ବଡ଼ ସୌଧ ଭିତରେ ଲୁଚିଯିବାକୁ ବସିଲାଣି। ସେଥିରେ କିଛି ଭାବିବାର ନାହିଁ। ମଧ୍ୟ ଯୁଗୀୟ ବା ପ୍ରାଚୀନ ଯୁଗୀୟ ମନୋଭାବ ନେଇ ଆଜିର ଆଧୁନିକ ଯୁଗ ବଢ଼ିବା ପାଇଁ ଚାହେଁ ନାହିଁ। ସେଥିପାଇଁ ଆମେ ନିଶ୍ଚୟ ଗର୍ବ କରିବା।

କିନ୍ତୁ ଆପଣମାନେ ଏହି ଜାତୀୟ ରାଜପଥରେ ଗଲାବେଳେ ଦୁଇ ପାର୍ଶ୍ୱରେ ଥିବା ଫସଲ କ୍ଷେତ ପ୍ରତି ଦୃଷ୍ଟି ଦେଇନଥିବେ। ଦୃଷ୍ଟି ପଡ଼ିଥିଲେ ସେଠି ହିଡ଼ମୁଣ୍ଡରେ ବସି ସଦ୍ୟ ଫସଲ ହାନି ହୋଇଥିବା ଚାଷୀ ମୁଣ୍ଡରେ ହାତ ଦେଇ କାନ୍ଦୁଥିବାର ହୁଏତ ଦେଖିବାକୁ ପାଇଥାନ୍ତେ। କେଉଁଠି କେଉଁଠି ପୁତ୍ରହରା, ସ୍ୱାମୀହରାମାନଙ୍କ ବିକଳ କ୍ରନ୍ଦନ ଆପଣଙ୍କ କାନରେ ପଡ଼ିଥାନ୍ତା। କାରଣ ଏହି ଅଳ୍ପଦିନ ହେବ ଆପଣ ଆସିବାର କିଛି ଦିନ ପୂର୍ବରୁ ଓ ପରେ ଅନେକ ଚାଷୀ ଫସଲ କ୍ଷତି ସହି ନପାରି ଆତ୍ମହତ୍ୟା କରିଛନ୍ତି ବା ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ତାଙ୍କରି ପରିବାରବର୍ଗଙ୍କ କାନ୍ଦ ବୋବାଳି ଜମି ମୁଣ୍ଡରେ ଶୁଭୁଛି। ଆପଣ ଏକଥା ମଧ୍ୟ ଦେଖିଥିବେ ଭୁବନେଶ୍ୱରର ସାଜସଜା ଓ ରଂଗୀନ ଆଲୋକ। ନିଶ୍ଚୟ ଆପଣ ଏଥିରେ ଖୁସି ହୋଇଥିବେ। ଆମେ ମଧ୍ୟ ଭୁବନେଶ୍ୱରବାସୀ ଏଥିରେ ଖୁସି।

Advertisment

କିନ୍ତୁ ଏହି ସାଜ ଏବଂ ଆଲୋକସଜା ସୁରକ୍ଷା ପାଇଁ ପୋଲିସମାନଙ୍କ ବହୁଳ ଆତଯାତ ମଧ୍ୟରେ ଭୁବନେଶ୍ୱରରେ ପ୍ରତିଦିନ କୋଉଠି ନା କୋଉଠି ଗୋଟିଏ ଘରର ସଂପତ୍ତି ଲୁଟ ହେଉଥିଲା ଏବଂ ରାସ୍ତା ଉପରେ ବୀଭତ୍ସ ହତ୍ୟାକାଣ୍ଡ ଘଟୁଥିଲା। ଏପରିକି ଜଣେ ବସ୍ତିବାସିନ୍ଦା ଯିଏକି ଏଠାରେ ବିକ୍ରି ହେଉଥିବା ଧଳା ଜହର (ବ୍ରାଉନସୁଗର)ର ପ୍ରତିବାଦ କରୁଥିଲା ଓ ପୋଲସକୁ ଏ ସଂପର୍କରେ ଖବର ଦେଉଥିଲା ସେ ମଧ୍ୟ ଏହି ଜହର ବେପାରୀଙ୍କ ଦ୍ୱାରା ରାସ୍ତା ଉପରେ ନିର୍ମମ ଭାବେ ନିହତ ହେଲା। ନା ତାକୁ ପୋଲିସ ବଞ୍ଚାଇପାରିଲା ନା ସମାଜ। ଏ ହେଉଛି ଆମର ସ୍ଥିତି।

ଆପଣମାନେ ଭୁବନେଶ୍ୱରରେ ପହଂଚିବାର ଦିନେ ଦୁଇଦିନ ପୂର୍ବରୁ ଭୁବନେଶ୍ୱର ଏୟାରପୋର୍ଟରେ ୧୧ କୋଟି ଟଙ୍କାର ମାରିଜୁଆନା ଧରାପଡ଼ିଲା। କଳା କାରବାର ଓ ନିଶା କାରବାର ଆଜି ଭୁବନେଶ୍ୱର, କଟକ, ପୁରୀ ଟ୍ରାଇସିଟି (ତ୍ରି-ନଗରୀ) ଉଭୟ ନିଶାଦ୍ରବ୍ୟ ଓ ନିରାପତ୍ତା ଦୃଷ୍ଟିରୁ ଅସ୍ଥିର ଓ ଅସୁରକ୍ଷିତ ହୋଇପଡିଛି। ଆପଣ ତାହା ଜାଣିପାରି ନଥିବେ।

ଆପଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନୀ ପଡ଼ିଆରେ ଏକ ସୁସଜ୍ଜିତ ଆଦିବାସୀ ମେଳାର ଆୟୋଜନ କରାଯାଇଥିଲା। ଅନେକ ଖାଦ୍ୟ ବ୍ୟବସ୍ଥା ଓ ବିଭିନ୍ନ ପ୍ରକାର ଆଦିବାସୀ ପ୍ରସ୍ତୁତ ପଦାର୍ଥର ବିପଣୀ ଖୋଲିଥିଲା। କିନ୍ତୁ ଆପଣ ଜାଣିପାରିବେ ନାହିଁ ଯେ ଏହି ଆଦିବାସୀଙ୍କ ମଧ୍ୟରୁ କେତେ ଜଣ ଉପଯୁକ୍ତ ଖାଦ୍ୟ ଅଭାବରୁ ଘରେ ଆମ୍ବ ଟାକୁଆ ଜାଉ ଖାଇ ଗତ କିଛି ମାସ ତଳେ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ଦୈନନ୍ଦିନ ଅବସ୍ଥା ନଦେଖିଲେ ଜାଣିବା କଷ୍ଟକର। ବାହାରୁ ଦେଖାଯାଉଥିବା ଓ ଶୁଣାଯାଉଥିବା ଚାକଚକ୍ୟ ତାଙ୍କ ଜୀବନରେ ଆଦୌ ପରିଲକ୍ଷିତ ହୁଏନାହିଁ।

ଏ ରାଜ୍ୟ ଗୋଟିଏ ଚାଷୀ ପ୍ରଧାନ ରାଜ୍ୟ। କିନ୍ତୁ ଏହାର କୃଷକ ପରିବାରର ଆୟ ଏ ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ଛୁଇଁନାହିଁ। ସେହିପରି ଆଦିବାସୀ ପରିବାରର ମାସିକ ଆୟ ୩ ହଜାର ଟଙ୍କା ମଧ୍ୟ ଛୁଇଁନାହିଁ। ଆପଣମାନେ ବିଭିନ୍ନ ଭାବରେ ଅତିଥି ହୋଇ ଆସିଥିଲେ। ଏଣୁ ଏଠାକାର ଆତିଥ୍ୟ ସଂପର୍କରେ ଆପଣଙ୍କୁ ବେଶି କିଛି ଜଣାନଥିବ। ଯେଉଁ ପରିବାରମାନେ ଏଠି ଖୁସି ହୋଇ ଯାତ୍ରା ଦେଖିବାକୁ ଯାଉଥିଲେ ସେମାନଙ୍କ ପାଇଁ ଆଜି ଦିନରେ ସବୁ ଜିନିଷର ବୃଦ୍ଧି ପାଇଥିବା ଦରଦାମ ଅସହ୍ୟ ହୋଇପଡିଛି। ଆପଣମାନଙ୍କ ଆୟ ବିଦେଶ ରାଜ୍ୟମାନଙ୍କରେ ଯଥେଷ୍ଟ ଅଧିକ। ଯେଉଁଥିପାଇଁ ଭାରତରେ ବା ଓଡ଼ିଶାରେ ଶିକ୍ଷାଲାଭ କରିଥିବା ଉଚ୍ଚ ଶିକ୍ଷିତମାନେ ସେହିସବୁ ରାଜ୍ୟକୁ ବା ଦେଶକୁ ଚାଲିଯାଉଛନ୍ତି ଉଚ୍ଚ ଆୟ ଆଶାରେ। ଉଚ୍ଚ ଆୟ ସାଙ୍ଗକୁ ଆପଣଙ୍କ ଉଚ୍ଚ ବ୍ୟୟ ହେବାର କିଛି ଅସୁବିଧା ନାହିଁ। କିନ୍ତୁ ଏଠି ଗୋଟିଏ ମଧ୍ୟବିତ୍ତ ପରିବାରର ଆୟ ପ୍ରତି ମାସରେ କମିକମି ଯାଉଛି ଓ ଆୟ ମଧ୍ୟ ସ୍ଥିର ନୁହେଁ। ସେଥିପାଇଁ ମଧ୍ୟବିତ୍ତ ପରିବାର ବା ନିମ୍ନ ମଧ୍ୟବିତ୍ତ ପରିବାରର ପିଲାମାନେ ଦାଦନ ଖଟିବାକୁ ନିଜ ଭିଟାମାଟି ଛାଡ଼ି ପଡ଼ୋଶୀ ରାଜ୍ୟମାନଙ୍କୁ ଚାଲିଯାଇଛନ୍ତି। ସେମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।

ଏତେସବୁ ସମସ୍ୟା ଆପଣମାନଙ୍କୁ ଜଣାଇବା ଉଚିତ୍‍ ନୁହେଁ। କିନ୍ତୁ ଗୋଟିଏ ରାଜ୍ୟରେ ଲାଗି ରହିଥିବା ଉତ୍ସବକୁ ଲକ୍ଷ୍ୟ କରି ମନ ଭିତରେ ଯେଉଁ ବିଦ୍ରୋହଭାବ ଉପୁଜୁଛି ତାହା ପ୍ରକାଶ କରିବା ପାଇଁ ଏ ସମସ୍ତ କଥା ସାମ୍ନାକୁ ଆଣିଲି। ମୁଁ ଜାଣେ ଯେ ଏହି ଖୋଲା ପତ୍ରଟି ଆପଣଙ୍କ ପାଖରେ ସିଧାସଳଖ ପହଂଚିବ ନାହିଁ। ଯଦି କୌଣସି ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ଆପଣ ପାଆନ୍ତି ଅନ୍ୟ ବନ୍ଧୁମାନଙ୍କୁ ସେମାନଙ୍କ ଭାଷାରେ ସୂଚାଇ ଦେବେ। ଯେଉଁମାନେ ଓଡ଼ିଆ ଭାଷାଭାଷୀ ପ୍ରବାସରୁ ଆସିଛନ୍ତି ସେମାନେ ଏହି ପତ୍ରଟିକୁ ଭାଷାନ୍ତର କରି ଅନ୍ୟ ବନ୍ଧୁମାନଙ୍କୁ ଜଣାଇଦେବେ। ଜଣାଇବାର ଉଦ୍ଦେଶ୍ୟ ନୁହେଁ ଯେ ରାଜ୍ୟ ପାଇଁ ବା ରାଜ୍ୟବାସୀଙ୍କ ପାଇଁ କିଛି ହାତପାତି ମାଗିବା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆପଣମାନେ ଶୁଣିଥିବା କଥା ଓ ଦେଖିଥିବା କଥା ଓ ବାସ୍ତବତା ଭିତରେ ଯେଉଁ ତଫାତ ଅଛି ତାହା ଆପଣମାନେ ଜାଣିପାରିଲେ ନିଜ ଭିଟାମାଟି ପାଇଁ ବା ଦେଶ ମାତୃକା ପାଇଁ ଆପଣଙ୍କ କର୍ତ୍ତବ୍ୟ ସ୍ଥିର କରିବେ। ରାଜ୍ୟ ସରକାର ରାସ୍ତା କଡ଼ରେ ମାରିଥିବା ହୋର୍ଡିଂରେ ଦର୍ଶା ଯାଇଥିଲା ଯେ ଆପଣମାନେ ଜଣେଜଣେ ଗ୍ଲୋବାଲ୍‍ ଆମ୍ବାସାଡର (ବୈଶ୍ୱିକ ରାଜଦୂତ)। ତେଣୁ ରାଜ୍ୟର ବାସ୍ତବ ସ୍ଥିତି ଜାଣିପାରିଲେ ଆପଣ ସଠିକ ଭାବରେ ଦାୟିତ୍ୱ ସଂପାଦନ କରିପାରିବେ।

ଆପଣମାନଙ୍କ ଭିତରୁ କେହି ଜଣେ ଯଦି ଆଗ୍ରହ ପ୍ରକାଶ କରି ଏହି କିଛିଦିନ ତଳେ ୨୦୨୪ର ସାଧାରଣ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ପ୍ରଦତ୍ତ ଇସ୍ତାହାର ଦେଖିଥିବେ ଜାଣିପାରିଥିବେ ଯେ ସାଧାରଣ ଲୋକଙ୍କୁ କେତେ କମ୍‍ ସାହାଯ୍ୟରେ ନିଜ ପାଖକୁ ଅଣାଯିବାର ଉଦ୍ୟମ କରାଯାଇଥାଏ। ଏହା ହେଉଛି ସାଧାରଣ ଲୋକଙ୍କ ଅଭାବୀ ଅବସ୍ଥାର ଏକ ବିରାଟ ନମୁନା। ବର୍ଷକୁ ମାତ୍ର ୧୦ ହଜାର ଟଙ୍କା ଦେଇ (ସୁଭଦ୍ରା ଯୋଜନାରେ) ବାଃ ବାଃ ନେବା ଓ ପ୍ରଚାର କରିବା ଆମ ସରକାରର ବହୁତ ବଡ଼ କାର୍ଯ୍ୟକ୍ରମ ବୋଲି ଧରାଯାଇଛି। ଐତିହାସିକମାନେ ଆମର ଏହି ଓଡ଼ିଶା ରାଜ୍ୟଟିକୁ ବର୍ଣ୍ଣନା କରିବାକୁ ଯାଇ ଲେଖିଯାଇଛନ୍ତି ଯେ “ଏ ରାଜ୍ୟର ବାସିନ୍ଦା ଅଳ୍ପକେ ଖୁସି।” ଆମ ରାଜ୍ୟ ଏହି ଅବସ୍ଥାରୁ ଉପରକୁ ଉଠିବା ପାଇଁ ଚାହେଁ। ଭାରତ ଯଥେଷ୍ଟ ଉପରକୁ ଉଠୁଛି ବୋଲି ପ୍ରଚାର ହେଉଛି। ଭାରତର ଆର୍ଥିକ ସ୍ଥିତି ଖୁବ୍‍ଶୀଘ୍ର ବିଶ୍ୱରେ ତୃତୀୟ ସ୍ଥାନରେ ପହଂଚିଯିବ ବୋଲି ଚାରିଆଡ଼େ ଶୁଣିବାକୁ ମିଳୁଛି। କିନ୍ତୁ ଆମର ସ୍ଥିତିଟିକୁ ଦେଖିଲେ ବର୍ଷକୁ ୧୦ ହଜାର ଟଙ୍କା ଦାନ ଦେବାଟା ଆମ ପାଇଁ ବହୁତ ଗୋଟିଏ ବଡ଼ ଅବଦାନ ବୋଲି ବିଚାର କରାଯାଏ। ଆପଣ ଫେରିଗଲା ପରେ ଏହି ସ୍ଥିତିଗୁଡ଼ିକୁ ଦେଖିବେ। ଶୁଣିଯାଇଥିବା କଥା ଉପରେ ଗୁରୁତ୍ୱ ନଦେଇ ଅନୁଭବର କଥା ଓ ଏହି ବାସ୍ତବ ସତ୍ୟର ଅନୁଭବ ନେଇ ଆପଣ ବ୍ୟଥିତ ହେବେ ନାହିଁ, ବରଂ ନିଜ ନିଜ ଭିଟାମାଟିର ଉନ୍ନତିକଳ୍ପେ ଜଣେଜଣେ ରାଜଦୂତ ହେବେ ବୋଲି ଆଶା କରେ।

ଫୋ- ୯୪୩୮୩୬୦୮୪୯

Odisha NRI Pravasi Bharatiya Divas Pravasi Bharatiya Divas In Bhubaneswar