Representative Image
ଜାନକୀଶ ବଡ଼ପଣ୍ଡା
ରଥ ଗହଳି ନଥିଲା, ଛୁଟିଦିନ ବି ନଥିଲା। ଦୀର୍ଘ ଦିନର ବିରତି ପରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ନୀଳାଚଳ ଅବଢ଼ା ପାଇବାକୁ ଗହଳି ଥିଲା। ଗତ ୧୦ ତାରିଖ ଗୁରୁବାର ଠିକ ସମୟରେ ମଧ୍ୟାହ୍ନ ଧୂପ ଉଠିଥିଲା। ଯେଉଁ ଅପେକ୍ଷମାଣ ଭକ୍ତଗଣ ଦୀର୍ଘ ସମୟ ଅପେକ୍ଷା କଲାପରେ ଶ୍ରୀ ମହାପ୍ରସାଦ ସେବନ କରିବା ପୂର୍ବରୁ ମୂତ୍ରତ୍ୟାଗ ନକଲେ ଯନ୍ତ୍ରଣାରେ ଜର୍ଜରିତ ଅନୁଭବ କରୁଥିଲେ, ସେମାନେ ଆନନ୍ଦ ବଜାରରୁ ଅବଢ଼ା କିଣିନେଇ ବାହାରକୁ ଚାଲି ଯାଉଥିଲେ କିମ୍ବା ମେଘନାଦ ପାଚେରୀ ପାଖରେ ପରିସ୍ରା କରିବାକୁ ବାଧ୍ୟ ହେଉଥିଲେ। ଗୋଟିଏ ଟେଲିଭିଜନ ଚାନେଲ୍ ଏହାର ଜୀବନ୍ତ ପ୍ରସାରଣ କରି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ। ଦେଖାଗଲା ଯେ, ଦୁଇ ଘଣ୍ଟାରେ ୧୮ ଜଣ ପୁରୁଷ ବାହାରବେଢ଼ାରେ ରହି ଉତ୍ତରଦ୍ୱାର ପାର୍ଶ୍ୱବର୍ତ୍ତୀ ମେଘନାଦ ପାଚେରୀ ପାଖରେ ନିଶଙ୍କୋଚରେ ମୂତ୍ରତ୍ୟାଗ କରିଥିଲେ। ଅନୁସନ୍ଧାନରୁ ଜଣାଗଲା ଯେ ଏହି ନିର୍ଲଜ ପୁରୁଷଙ୍କ ମଧ୍ୟରେ ସଭିଏଁ ଥିଲେ ଆନନ୍ଦ ବଜାରରେ ବେପାର କରୁଥିବା ଅଣସେବାୟତ ବୋଝିଆ, ବେପାରୀ ଓ ଏମାନଙ୍କ ସହାୟକ!
କିଛି ମାସ ତଳେ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବିଦ୍ୱାନ ବ୍ୟକ୍ତିଙ୍କୁ ନେଇ ଗଠିତ ‘ଶ୍ରୀଜଗନ୍ନାଥ ସାଂସ୍କୃତିକ କମିଟି’ ଆନନ୍ଦ ବଜାରରେ ଭକ୍ତଙ୍କ ଭିଡ଼ ହ୍ରାସକରିବା ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଅନ୍ନଯଜ୍ଞ କ୍ଷେତ୍ର ନିର୍ମାଣ ବିଷୟରେ ଆଲୋଚନା କରିଥିଲେ। ଭକ୍ତମାନେ ଯେଭଳି ଆନନ୍ଦରେ ମହାପ୍ରସାଦ ସେବନ କରିପାରିବେ ସେଥିପାଇଁ ଏହି ଅନ୍ନକ୍ଷେତ୍ରରେ ସମସ୍ତ ବ୍ୟବସ୍ଥା କରା ଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିରୁ ଅନ୍ତତଃ ଗୋଟିଏ ବିଷୟ ସ୍ପଷ୍ଟ ହୋଇଗଲା ଯେ, ‘ଅନ୍ନଯଜ୍ଞ କ୍ଷେତ୍ର’ ନାମକରଣ କରି ଶ୍ରୀମନ୍ଦିର ପରିସର ବାହାରେ ଆନନ୍ଦ ବଜାର ନିର୍ମାଣ କରିବା ପରମ୍ପରା ବିରୋଧୀ ନୁହେଁ। ଏହି ମଞ୍ଜକଥାଟିକୁ ପାଠକମାନେ ମନେ ରଖିଲେ ଆଗକୁ ଆଲୋଚନା କାଳରେ ଆମେ ଭ୍ରମିତ ହେବାନାହିଁ।
ନିକଟ ଅତୀତରେ ‘ଓଡିଶା ରିପୋର୍ଟର୍’ରେ ପ୍ରକାଶିତ କିଛି ପ୍ରବନ୍ଧ ମାଧ୍ୟମରେ ପ୍ରଦତ୍ତ କିଛି ପ୍ରସ୍ତାବ ମଧ୍ୟରୁ ଜୈବକୃଷି ପ୍ରଣାଳୀରେ ଉତ୍ପାଦିତ ଚାଉଳରୁ କୋଠଭୋଗ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି ଓ ଶ୍ରୀ ମନ୍ଦିର ପରିସରରୁ ସଂଗୃହିତ ବାସିଫୁଲକୁ କମ୍ପୋଷ୍ଟ କରିବା ପ୍ରକ୍ରିୟା ଇତିମଧ୍ୟରେ ଆଂଶିକ କାର୍ଯ୍ୟକାରୀ କରି ସାରିଛନ୍ତି ଶ୍ରୀ ମନ୍ଦିର ପ୍ରଶାସନ। ଏବେ ସ୍ୱୟଂ ଗଜପତି ଅନ୍ନଯଜ୍ଞ କ୍ଷେତ୍ର ପ୍ରସ୍ତାବ ଦେଇଥିବାରୁ ନୀତିଗତ ଭାବେ ଏହାକୁ ପରିଚାଳନା କମିଟିର ମତ ଭାବେ ଗ୍ରହଣ କରାଯାଇପାରିବ। ଯେଉଁ କାରଣ ପାଇଁ ଏହି ପ୍ରସ୍ତାବ ଗୃହିତ ହୋଇଥିଲା ତାହା ଥିଲା ଆନନ୍ଦ ବଜାର ମଧ୍ୟରେ ଭିଡ ନିୟନ୍ତ୍ରଣ। ପ୍ରସ୍ତାବ ଅନୁସାରେ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଭକ୍ତଗଣ ରାମାନୁଜ ସମ୍ପ୍ରଦାୟର ଉତ୍ତରପାର୍ଶ୍ୱ ମଠ ଯାଏଁ ବୋହିନେବେ ଏବଂ ଅନ୍ନଯଜ୍ଞ କ୍ଷେତ୍ରରେ ବସି ଭୋଜନ କରିବେ। ଅର୍ଥାତ୍ ଏବେ ଯେଉଁଠି ଆନନ୍ଦ ବଜାର ରହିଛି ସେଠାରେ ରହିବ, କିନ୍ତୁ ସେଠାରେ କେହି ଭୋଜନ କରିବେ ନାହିଁ। ସେଠାରେ ଆଜି ଭଳି ଶ୍ରୀ ମହାପ୍ରସାଦ ବିକ୍ରି ହେବ, ଶ୍ରଦ୍ଧାଳୁମାନେ କିଣିବେ, ତାହାକୁ ଅନ୍ନଯଜ୍ଞ କ୍ଷେତ୍ରରେ ବସି ଭୋଜନ କରିବେ। ଏହା କାର୍ଯ୍ୟକାରୀ ହେଲେ ଆନନ୍ଦ ବଜାର ବେପାରୀ, ଦଲାଲ୍ ଓ ବୋଝିଆଙ୍କ ଭଳି ଅଣସେବକଙ୍କ ନିୟନ୍ତ୍ରଣକୁ ଆସିଯିବ ଏବଂ ଆଧ୍ୟାତ୍ମିକତା ସ୍ଥାନ ନେବ ବ୍ୟବସାୟ। ଏହିମାନଙ୍କ ସୌଜନ୍ୟରୁ ମେଘନାଦ ପାଚେରୀ କଡ଼ ଯେ, ନିଷ୍କାସିତ ମଳମୂତ୍ର କାରଣରୁ ଦୀର୍ଘବର୍ଷ ଧରି କଳୁଷିତ ହୋଇ ଆସୁଛି, ତାହା କ’ଣ ‘ଶ୍ରୀଜଗନ୍ନାଥ ସାଂସ୍କୃତିକ କମିଟି’ର ସଭ୍ୟମାନେ ଜାଣନ୍ତି ନାହିଁ? କଥାରେ ଅଛି: ନା ରହିବ ବାଉଁଶ, ନା ବାଜିବ ବଇଁଶୀ କିମ୍ବା ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି! ଯଦି ମହାଜନଗଣ ଅନ୍ନଯଜ୍ଞ କ୍ଷେତ୍ରକୁ ମେଘନାଦ ପାଚେରୀ ବାହାରକୁ ଏପରିକି ପରିକ୍ରମା ମାର୍ଗ ସୀମା ବାହାରକୁ ନେବାକୁ ଅନୁମତି ଦେଉଛନ୍ତି, ଆନନ୍ଦ ବଜାରରେ କେବଳ ଶୁଖିଲା ଭୋଗ ବିକ୍ରି କରି ମହାପ୍ରସାଦ ବିକ୍ରି ଓ ଭୋଜନ ବ୍ୟବସ୍ଥାକୁ ଅତ୍ୟନ୍ତ ଶୃଙ୍ଖଳିତ ତଥା ପବିତ୍ର ପରିବେଶରେ ଅନ୍ୟତ୍ର କରାଯାଇ ପାରିବ। ଏହା କଲେ, ଅନେକ ସୁବିଧା ହେବ, ଯାହା ଜଣାଇବା ଏହି ପ୍ରବନ୍ଧର ଉଦ୍ଦେଶ୍ୟ।
ଭକ୍ତଗଣ ମୁଖ୍ୟତଃ କ୍ଷୋଭ ପ୍ରକାଶ କରନ୍ତି ଯେ, ଶ୍ରୀ ମନ୍ଦିରରେ ଦର୍ଶନ ବ୍ୟବସ୍ଥା ଓ ମହାପ୍ରସାଦ ବିକ୍ରି ଅବ୍ୟବସ୍ଥିତ। ଏସବୁକୁ ବ୍ୟବସ୍ଥିତ କରିଦିଆଗଲେ ସେମାନଙ୍କ କ୍ଷୋଭ ପ୍ରଶମିତ ହେବ। ଆମକୁ ମନେରଖିବାକୁ ହେବ ଯେ, କ୍ରମଶଃ ଭକ୍ତଙ୍କ ସଂଖ୍ୟା ବଢୁଛି। ଦେଶର ଲୋକସଂଖ୍ୟା ଏବେ ୧୪୫ କୋଟି, ଏବଂ ୨୦୬୨ ମସିହା ବେଳକୁ ଏହା ସର୍ବାଧିକ ୧୭୦ କୋଟି ଛୁଇଁବା ପରେ କିଛି ଦଶନ୍ଧି ଧରି ସ୍ଥିର ରହିବ। ତାହାପରେ କମିବା ଆରମ୍ଭ କରିବ। ଭାରତୀୟଙ୍କ ମୁଣ୍ଡପିଛା ଆୟବୃଦ୍ଧି ସହ ତାଳଦେଇ ଗମନାଗମନ ସୁବିଧା ଓ ଭକ୍ତଙ୍କ ତୀର୍ଥାଟନ ପାଇଁ ଆଗ୍ରହ ଓ ସାମର୍ଥ୍ୟ ବଢ଼ୁଥିବାରୁ ଆଗକୁ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢିବା ନିଶ୍ଚିତ। ମହାପ୍ରସାଦ ପାଇବାପାଇଁ ଭକ୍ତଙ୍କ ଆକୁଳତା ଏବଂ ଆନନ୍ଦ ବଜାରର ଅବସ୍ଥିତି କାରଣରୁ ମନ୍ଦିର ବେଢାରେ ଅତ୍ୟଧିକ ଗହଳି ଲାଗି ରହୁଛି। ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଥିବା ଉତ୍ତରପାର୍ଶ୍ୱ ମଠକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାଙ୍ଗି ଅନ୍ନଯଜ୍ଞ କ୍ଷେତ୍ର ପ୍ରତିଷ୍ଠା କଲେ ଗହଳି ଲାଗି ରହିବାର ଆଶଙ୍କା ରହିଛି, କମିବାର ସମ୍ଭାବନା ନାହିଁ। ବରଂ ଉତ୍ତର ଦ୍ୱାର ଦେଇ ଶ୍ରୀ ମନ୍ଦିର ମଧ୍ୟକୁ ପ୍ରବେଶ କରିବାରେ ବାଧା ସୃଷ୍ଟି ହେବ। ଭକ୍ତଗଣ ମହାପ୍ରସାଦ କୁଡୁଆ ଧରି ଅନ୍ନ କ୍ଷେତ୍ର ଯାଏଁ ନେବା ସହଜ ହେବନାହିଁ।
ଦ୍ୱିତୀୟରେ, ମାଙ୍କଡ଼ ଉପଦ୍ରବ। ଏବେ ନିକଟରେ ଆନନ୍ଦ ବଜାର ଥିବାରୁ ଖାଦ୍ୟ ଲୋଭରେ ପାତି ମାଙ୍କଡ଼ମାନେ ଶ୍ରୀମନ୍ଦିର ପରିସରରେ ଦଳବାନ୍ଧି ଡେଉଁଛନ୍ତି। ସେମାନଙ୍କ ମଳମୂତ୍ର ପଡ଼ି ପରିସର କେବଳ ପ୍ରଦୂଷିତ ହେଉନାହିଁ, ବରଂ ସେମାନଙ୍କ ହସ୍ତ-ପଦାଘାତରେ ଚୁନା ହୋଇ ଯାଉଛି ସାମୁଦ୍ରିକ ଲୁଣିପବନ-ପ୍ରଚଣ୍ଡ ଖରା ସହ୍ୟକରି ଶହଶହ ବର୍ଷ ଧରି ଠିଆ ହୋଇ ରହିଥିବା ବଡ଼ ଦେଉଳର ଅପୂର୍ବ ଭାସ୍କର୍ଯ୍ୟ। ଆମକୁ ଏଭଳି ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍, ଯେପରି ଶ୍ରୀ ମନ୍ଦିରରେ ମାଙ୍କଡ଼ ଉପଦ୍ରବ ରହିବନି।
ତୃତୀୟରେ, ଆନନ୍ଦ ବଜାରରୁ ପ୍ରତ୍ୟହ ବାହାରୁ ଥିବା ବର୍ଜ୍ୟବସ୍ତୁ ନିଷ୍କାସନ ବ୍ୟବସ୍ଥାକୁ ଅଣଦେଖା କରାଯାଇ ଆସୁଛି। ସେଠାରେ ଦୈନିକ ପ୍ରାୟ ୫-୧୦ ହଜାର ଭକ୍ତ ମହାପ୍ରସାଦ ଭୋଜନ କରୁଛନ୍ତି। ଅଇଁଠା ଖଲିପତ୍ର ବାହାରକୁ ବୋହିନେବା ପାଇଁ ରହିଛି କେବଳ ଉତ୍ତର ଦ୍ୱାର। ଗହଳି ବଢ଼ିଥିବା କାରଣରୁ ସଫେଇ କର୍ମଚାରୀମାନେ ଏବେ ମେଘନାଦ ପାଚେରୀ ଉପରୁ ଅଇଁଠା ଖଲିପତ୍ର ତଳକୁ ଫିଙ୍ଗି ଦେଉଛନ୍ତି; ଯାହାର ଦୃଶ୍ୟ ଅତ୍ୟନ୍ତ ବୀଭତ୍ସ। ସଭ୍ୟ ସମାଜରେ ଏବଂ ଦିବ୍ୟ ମନ୍ଦିରମାନଙ୍କରେ ଏହା ଅପରିକଳ୍ପନୀୟ।
ଚତୁର୍ଥରେ, ଦକ୍ଷିଣ ଦ୍ୱାର ଦେଇ ରୋଷଘର ସାମଗ୍ରୀ ମନ୍ଦିର ପରିସର ମଧ୍ୟକୁ ଆଣିବା ଭଳି ଭୋଗ ମଣ୍ଡପରୁ ବାହାରୁଥିବା ଶ୍ରୀମହାପ୍ରସାଦ ମଧ୍ୟ ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ବାହାରକୁ ଯିବା ଆବଶ୍ୟକ। ଯଦି ତାହା କରା ନଯାଏ ବେଢ଼ା ମଧ୍ୟରୁ ଗହଳି କମିବାର ସମ୍ଭାବନା ନାହିଁ। ମନ୍ଦିର ପରିସରକୁ ପରିଚ୍ଛନ୍ନ ରଖିବା ପାଇଁ ଏହା ଆବଶ୍ୟକ। ପାଠକମାନଙ୍କର ମନେ ଥିବ ଯେ, ନିଳାଦ୍ରୀବିଜୟ ଦିନ ଦକ୍ଷିଣ ଦ୍ୱାର-ରୋଷ ଘର ମଧ୍ୟବର୍ତ୍ତୀ ସ୍ଥାନରେ ଜମା ହୋଇ ରହିଥିବା ଅଳିଆ ଉପର ଦେଇ ପ୍ରାୟ ୨୪ ଫୁଟ ଉଚ୍ଚତା ବିଶିଷ୍ଟ ମେଘନାଦ ପାଚେରୀ ଅତିକ୍ରମ କରି ଅନ୍ତତଃ ଚାରିଜଣ ଯୁବକ ମନ୍ଦିର ପରିସର ମଧ୍ୟକୁ ପ୍ରବେଶ କରିଥିଲେ। ଏହା ଶ୍ରୀମନ୍ଦିର ସୁରକ୍ଷା ଉପରେ ଯେତିକି ପ୍ରଶ୍ନଚିହ୍ନ ସୃଷ୍ଟି କରିଛି, ସେତିକି ପରିମଳ ଓ ଶୁଦ୍ଧତା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ପରିକ୍ରମା ପ୍ରକଳ୍ପ କ’ଣ ଅଳିଆ ଗଦାପାଇଁ କରାଯାଇଥିଲା? ଓଡ଼ିଆ ଅସ୍ମିତାକୁ ଏଭଳି ଘଟଣା କେତେ ମାତ୍ରାରେ ରୁଦ୍ଧିମନ୍ତ କରୁଛି?
ପୂର୍ବରୁ ଅନେକ ଥର ଲେଖିଛୁ ଯେ, ବ୍ୟବସ୍ଥିତ ଦର୍ଶନ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ଆନନ୍ଦବଜାର ସ୍ଥାନାନ୍ତରଣ ଅତ୍ୟାବଶ୍ୟକ। ଶ୍ରୀମନ୍ଦିରଠାରୁ ଅନ୍ତତଃ ଏକ କିଲୋମିଟର ଦୂରରେ ଚାରିଗୋଟି ବିକଳ୍ପ ଆନନ୍ଦବଜାର ଅତ୍ୟନ୍ତ ବ୍ୟବସ୍ଥିତ, ଭକ୍ତିମୟ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆରାମପ୍ରଦ ଭାବେ ପ୍ରତିଷ୍ଠା କରାଯିବା ଆବଶ୍ୟକ। ପ୍ରସ୍ତାବିତ ଆନନ୍ଦ ବଜାର ମଧ୍ୟରୁ ଗୋଟିଏ ଜଗନ୍ନାଥ ବଲ୍ଲଭ ଗାଡ଼ି ରହଣୀ ସ୍ଥଳ ନିକଟରେ ଓ ଆଉ ଗୋଟିଏ ରେଳଷ୍ଟେସନ ନିକଟବର୍ତ୍ତୀ ସ୍ଥାନରେ ପ୍ରତିଷ୍ଠା କରାଯିବା ଉଚିତ। ତୃତୀୟଟିକୁ ବାତାନୁକୂଳିତ କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ନିର୍ମାଣ କରାଗଲେ ସେଠାରେ ଦେଶ ବିଦେଶରୁ ଆସୁଥିବା ଅନେକ ଧନୀକଭକ୍ତ ମହାନନ୍ଦରେ ମହାପ୍ରସାଦ ସେବନ କରିବାକୁ ଆଗ୍ରହ ପ୍ରକାଶ କରନ୍ତେ I ଚତୁର୍ଥଟି ରହନ୍ତା ସହର ବାହାରକୁ ଗାଡ଼ିମଟରରେ ପରିବହନ ହେବାକୁଥିବା ବରାଦି ଶ୍ରୀମହାପ୍ରସାଦ ପାଇଁ। ଭୋଗ ଉଠିଲା ପରେ ପ୍ରସ୍ତାବିତ ଆନନ୍ଦ ବଜାରଗୁଡ଼ିକୁ ଦକ୍ଷିଣ ଦ୍ୱାର ଦେଇ ପ୍ରଶାସନ ପକ୍ଷରୁ ତାଲାମୁଦ ବ୍ୟାଟେରିଚାଳିତ ସ୍ୱତନ୍ତ୍ର ଗାଡ଼ିରେ ଯୋଗାଣ ହୁଆନ୍ତା। ପ୍ରଥମ କିଛି ବର୍ଷ ଶ୍ରୀମନ୍ଦିର ପ୍ରଶାସନ ବିକଳ୍ପ ଆନନ୍ଦ ବଜାର ନିୟନ୍ତ୍ରଣ ଭାର ନିଅନ୍ତେ। ଏହାର ତଳ ମହଲାରେ ପ୍ରତୀକ୍ଷାଳୟ, ହାତ-ପାଦଧୁଆ ସୁବିଧା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ନିର୍ମାଲ୍ୟ, ଖଜା, ପଥର ମୂର୍ତ୍ତୀ, ନାଲିବାଡ଼ି, ପଟ୍ଟଚିତ୍ର, ପୁସ୍ତକ, ଭଜନ ସିଡ଼ି ଇତ୍ୟାଦି ବିକ୍ରି ଦୋକାନ ଏବଂ ଉପର ମହଲାରେ ଭୋଜନାଳୟ ରହନ୍ତା। ବରାଦ ଦେଇଥିବା ଗ୍ରାହକମାନେ ନିର୍ଦିଷ୍ଟ ଆନନ୍ଦ ବଜାରରୁ ହିଁ ମହାପ୍ରସାଦ କିଣନ୍ତେ, ମନ୍ଦିର ନିକଟରେ ଭିଡ଼ କରନ୍ତେ ନାହିଁ।
ମହାସୁଆର ସେବକ ଓ ପ୍ରଶାସନ ଉଭୟେ ଆଲୋଚନା ମାଧ୍ୟମରେ ମହାପ୍ରସାଦ ଦର ଧାର୍ଯ୍ୟ କରିବା ଆବଶ୍ୟକ। ସେହି ଦର ପ୍ରସ୍ତାବିତ ବାତାନୁକୂଳିତ ଆନନ୍ଦ ବଜାର ଓ ବରାଦି ମହାପ୍ରସାଦ ପାଇଁ ଲାଗୁ ହେଲାବେଳେ ଅନ୍ୟ ଦୁଇଟି ଆନନ୍ଦ ବଜାରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଣ୍ଡପିଛା ସର୍ବାଧିକ ୪୦ ଟଙ୍କା ମୂଲ୍ୟରେ ଭକ୍ତଙ୍କୁ ମହାପ୍ରସାଦ ଯୋଗାଇ ଦିଆଯାଆନ୍ତା। ପ୍ରଶାସନ ପକ୍ଷରୁ ରିହାତି ଦରରେ ମହାପ୍ରସାଦ ବିକ୍ରି କରାଗଲେ 'ନକଲି ଅବଢ଼ା', ‘ବାସି ଅବଢ଼ା’ ଅଭିଯୋଗ ରହିବନି। ରିହାତି ବାବଦକୁ ଯେଉଁ ଅର୍ଥ ଆବଶ୍ୟକ ହେବ ତାହା ହୁଣ୍ଡି ଓ ଦାନରୁ ଭରଣା କରାଯାଇ ପାରିବ। ହିନ୍ଦୁମାନେ ଦାନ ଦେଇ ପୁଣ୍ୟ ଅର୍ଜନ କରିବାରେ ବିଶ୍ଵାସୀ। ଆଗ୍ରହୀ ଭକ୍ତମାନେ ହୁଣ୍ଡିରେ ଦାନ ଦେବେ, ସଭିଏଁ ସ୍ୱଳ୍ପମୂଲ୍ୟରେ ଶ୍ରୀ ମହାପ୍ରସାଦ ପାଇବେ ତଥା ଶ୍ରୀଜଗନ୍ନାଥଙ୍କ କରୁଣାସିକ୍ତ ଆହ୍ଲାଦ ପାଇବେ। ମହାସୁଆର ସେବକମାନେ ଉପଯୁକ୍ତ ମୂଲ୍ୟ ପାଇଲେ ମହାପ୍ରସାଦର ମାନ ଓ ପରିମାଣ ସଠିକ ରହିବ। ବେପାରୀ ଓ ଦଲାଲଙ୍କ ଦୌରାତ୍ମ୍ୟ ରହିବନି।
କିଛି ବର୍ଷ ହେଲାଣି 'ହବିଷ୍ୟାଳି ଯୋଜନା' ଚାଲିଛି। ସମୁଦାୟ ୫ଟି କେନ୍ଦ୍ରରେ ହବିଷ୍ୟାଳିମାନେ ରହି ମହାପ୍ରସାଦ ପାଉଛନ୍ତି। ଯଦି ସମସ୍ତଙ୍କୁ ପୂର୍ବଭଳି ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାକୁ ପଡୁଥାଆନ୍ତା ଭାବନ୍ତୁ ତ, ଶ୍ରୀମନ୍ଦିରରେ ଶୋରିଷ ପକାଇବାକୁ ଜାଗା ଥାଆନ୍ତା କି? ଏଣୁ ପରମ୍ପରାକୁ ଅକ୍ଷୁର୍ଣ୍ଣରଖି ସମୟର ଆବଶ୍ୟକତାକୁ ସମ୍ମାନ ଦେଇ ଶ୍ରୀମନ୍ଦିରରେ ପରିଚାଳନାଗତ ରୂପାନ୍ତରୀକରଣ କରାଯିବା ଆବଶ୍ୟକ। ବିକଳ୍ପ ଆନନ୍ଦ ବଜାର ପ୍ରତିଷ୍ଠା ହେଲା ପରେ ଶୃଙ୍ଖଳିତ ଦର୍ଶନ ସମ୍ଭବ ହେବ। ମାଙ୍କଡ଼ ଉପଦ୍ରବ ରହିବନି। ବିକଳ୍ପ ଆନନ୍ଦ ବଜାରରୁ ପ୍ରତ୍ୟହ ବର୍ଜ୍ୟବସ୍ତୁ ନିଷ୍କାସନ ବ୍ୟବସ୍ଥା ସହଜ ହେବ। ସେଠାରେ ଅତ୍ୟାଧୁନିକ ଶୌଚାଳୟ ବ୍ୟବସ୍ଥା ଥିବା କାରଣରୁ ଭକ୍ତମାନେ ମନ୍ଦିର ଯିବା ପୂର୍ବରୁ ଓ ପରେ ଆବଶ୍ୟକ ଥିଲେ ଶୌଚକର୍ମ ସାରି ଆହ୍ଲାଦମୟ ଦର୍ଶନ କରି ପାରିବେ। ଅଣସେବାୟତଙ୍କୁ ନିୟନ୍ତ୍ରଣ କରିବା ସହଜ ହେବା ସହ ଶ୍ରୀମନ୍ଦିର ପରିସର ଶୁଦ୍ଧ, ପବିତ୍ର ରହିବ। ଆମକୁ ଆଉ ମେଘନାଦ ପାଚେରୀ ଭିତର ପଟେ କିଛି ଦୁଇଗୋଡ଼ିଆ ଲାଞ୍ଜହୀନ ମାଙ୍କଡ଼ଙ୍କୁ ମୂତ୍ରତ୍ୟାଗ କରୁଥିବାର ଦୃଶ୍ୟ ବିଚଳିତ କରିବନି।
ଫୋ- ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1752473585.jpg)