/odisha-reporter/media/post_attachments/uploadimage/library/16_9/16_9_0/IMAGE_1755583332.jpg)
Goods And Services Tax
ପଞ୍ଚାନନ କାନୁନଗୋ
ଆମ ଦେଶର ୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍କିଲ୍ଲାରୁ ଦେଶ ଉଦ୍ଦେଶ୍ୟରେ ଭାଷଣ ଦେଇ ଯେଉଁସବୁ ବକ୍ତବ୍ୟ ରଖିଥିଲେ ସେଥି ମଧ୍ୟରେ ବିଶେଷ ଦ୍ରଷ୍ଟବ୍ୟ ଯେ ଥିଲା ଦୀର୍ଘ ୮ ବର୍ଷ ଧରି ଦେଶରେ ଚାଲିଥିବା ଦ୍ରବ୍ୟ ଓ ସେବା କରରେ ସଂସ୍କାର ଆସିବ। ଏଥିରେ ଥିବା ଅନେକ ଗୁଡ଼ିଏ ସ୍ତରର କର ବ୍ୟବସ୍ଥା ଯଥା- ୫%, ୧୨%, ୧୮%, ୨୮%ର ପରିବର୍ତ୍ତନ କରାଯାଇ ଦୁଇଟି ସ୍ତରକୁ ଅଣାଯିବ। ସେ ତାଙ୍କର ସ୍ୱଭାବ ସୁଲଭ ଢଙ୍ଗରେ ଯେପରି କହିଥାନ୍ତି ସେହି ଢଙ୍ଗରେ ପ୍ରକାଶ କରିଛନ୍ତି ଯେ, ଏଥିରେ ଗରିବ ଓ ମଧ୍ୟବିତ୍ତ ପରିବାର ଅଧିକ ଉପକୃତ ହେବେ।
ଆମେ ଜାଣିଛେ ଯେ ଗତ ୨୦୧୭ ମସିହା ଜୁଲାଇ ୧ ତାରିଖରୁ ଏହି କର ଲାଗୁ ହେଲାବେଳେ କୁହାଯାଇଥିଲା ‘ଏକ ଦେଶ, ଏକ କର’ ଅର୍ଥାତ୍ ସମଗ୍ର ଦେଶରେ ଗୋଟିଏ କର ଲାଗୁହେବ। ଅନେକ କରର କୁପ୍ରଭାବ ଲୋକଙ୍କ ଉପରେ ପଡ଼ିବ ନାହିଁ ଏବଂ ଅନେକ ଭାବରେ ଲୋକେ ଶୋଷିତ ହେବେ ନାହିଁ। ଆଜି ପର୍ଯ୍ୟନ୍ତ ଗୋଟିଏ କରର ବ୍ୟବସ୍ଥା ଦେଶରେ ଲାଗୁ ହୋଇନାହିଁ। କର ଲାଗୁ ସମୟରେ ଅନେକ ଚିନ୍ତାଶୀଳ ଅର୍ଥଶାସ୍ତ୍ରୀମାନେ ସ୍ପଷ୍ଟ ଭାବରେ କହିଥିଲେ ଯେ, ଭାରତ ଏକ ସଂଘୀୟ ରାଷ୍ଟ୍ର ଓ ଏହାର ଲୋକସଂଖ୍ୟା ତଥା ଆକାର ପୃଥିବୀରେ ସବୁଠାରୁ ବୃହତ୍ତମ। ଏପରି ଏକ କର ବ୍ୟବସ୍ଥା ହୁଏତ ସଠିକ୍ ଭାବରେ କାର୍ଯ୍ୟ କରିବ ନାହିଁ ବରଂ ଅନେକ ଅସ୍ଥିରତା ସୃଷ୍ଟି କରିବ।
ଦେଖାଯାଇଛି ଗତ ୮ ବର୍ଷ ଭିତରେ ୫୩ ଥର ସେବା ଓ କର ନିର୍ଦ୍ଧାରଣ କମିଟି (କାଉନ୍ସିଲ୍) ବସି ଅନେକବାର କର ହାରରେ ପରିବର୍ତ୍ତନ କରିଛି ଓ ପରିବର୍ତ୍ତିତ କର ସାଧାରଣତଃ ଅସ୍ଥିରତା ସୃଷ୍ଟି କରିଛି। ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଇଥିବା ବକ୍ତବ୍ୟରୁ ସୂଚନା ମିଳେ ଯେ, ଏହି ଚାରିଗୋଟି ସ୍ତର କମାଯାଇ ୫% ଓ ୧୮% ଏହିପରି ୨ଟି ସ୍ତରର କର ଲାଗୁହେବ। ଭାରତର ସମସ୍ତ କରଦାତା ଗତ ୮ ବର୍ଷ ଧରି ଲକ୍ଷ୍ୟ କରିଛନ୍ତି ଏହି ଜିଏସ୍ଟି ପ୍ରଚଳନ ପରଠାରୁ ଭାରତରେ କେନ୍ଦ୍ର ପାଖରେ ଅଧିକ ପୁଞ୍ଜି ଠୁଳ ହୋଇଛି ଓ ରାଜ୍ୟମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରଥମ ଅବସ୍ଥାରେ ଯେଉଁ ରାଜ୍ୟ ବାର୍ଷିକ ୧୪% ହାରରେ ଟିକସ ଆଦାୟ ବୃଦ୍ଧି କରିପାରି ନଥାଏ ସେହିସବୁ ରାଜ୍ୟକୁ କେନ୍ଦ୍ର କ୍ଷତିଭରଣା ପାଇଁ ଗୋଟିଏ ପାଣ୍ଠି ସୃଷ୍ଟି କରିଥିଲା ଏବଂ ସେହି ପାଣ୍ଠିରୁ ଅର୍ଥ ନେଇ ତାହା ଭରଣା କରୁଥିଲା। ଅନେକ ରାଜ୍ୟ ଯଥା ସମୟରେ କ୍ଷତିଭରଣା ଅର୍ଥ ସଠିକ୍ ଭାବରେ ପାଇନଥିବାର ଅଭିଯୋଗ କରିଥିଲେ ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଟିକସ ଆଦାୟ ପାଇଁ ଭାରତୀୟ ସଂଘୀୟ ବ୍ୟବସ୍ଥାରେ ସମ୍ବିଧାନ ଦୁଇଟି ପୃଥକ ପୃଥକ ବ୍ୟବସ୍ଥା ରଖିଥିଲେ। କେତେକ ବିଷୟରେ କେନ୍ଦ୍ର ଆଦାୟ କରିବ ଓ କେତେକ ବିଷୟରେ ରାଜ୍ୟ ଆଦାୟ କରିବ। ଏପରି ମଧ୍ୟ ବ୍ୟବସ୍ଥା ଥିଲା ଯେ, କେତେକ ଟିକସ କେନ୍ଦ୍ର ଆଦାୟ କଲେ ମଧ୍ୟ ରାଜ୍ୟକୁ ହସ୍ତାନ୍ତର କରିବ ବା ରାଜ୍ୟ ଆଦାୟ କଲେ କେନ୍ଦ୍ରକୁ ହସ୍ତାନ୍ତର କରିବ। ସେ ସବୁ ଟିକସର ବ୍ୟବସ୍ଥା ଉଚ୍ଛେଦ କରାଗଲା ଓ ଦେଶରେ ଦ୍ରବ୍ୟ ଓ ସେବା କର ଲାଗୁହେଲା। ରାଜ୍ୟର କ୍ଷମତା ସଂକୁଚିତ ହେଲା। ରାଜ୍ୟର ଦକ୍ଷତା ମଧ୍ୟ ଦେଖାଇବାର ସୁଯୋଗ ରହିତ ହେଲା।
ଗୋଟିଏ କଥା ସ୍ମରଣ କରିଦିଆଯାଇ ପାରେ ଓଡ଼ିଶାର ଆର୍ଥିକ ଦୁର୍ବଳତା ରହିଥିବା ସତ୍ତ୍ୱେ ଏକ ଆର୍ଥିକ ଶୃଙ୍ଖଳା ଓ କର ସଂଗ୍ରହର ନିଷ୍ଠା ଓ ସ୍ୱଚ୍ଛତା ଦୃଷ୍ଟିରୁ ୨୦୦୨, ୨୦୦୩ ଓ ୨୦୦୪ ମସିହାରେ ରାଜ୍ୟ ବିକ୍ରି କର ଆଦାୟରେ ଗୋଟେ ବଡ଼ ପାରିଦର୍ଶିତା ଦେଖାଇଥିଲା। ପୂର୍ବବର୍ଷ ତୁଳନାରେ ପ୍ରତିବର୍ଷ ୨୧%, ୨୨% ଏପରିକି ୨୬% ଅଧିକ କର ଆଦାୟ ହୋଇଥିଲା। କରର ମାତ୍ରା ମଧ୍ୟ ସାଧାରଣ ଖାଉଟିଙ୍କ ଉପରେ ଅତ୍ୟଧିକ ନଥିଲା । କିନ୍ତୁ ଜିଏସ୍ଟି ଲାଗୁ ହେଲା ପରେ ଦେଖାଗଲା ବର୍ଷକୁ କାର୍ଯ୍ୟରେ ହାରାହାରି ଏହି ଜିଏସ୍ଟି ଆଦାୟ ବାର୍ଷିକ ୧୪%ରୁ ଅଧିକ ହେଉନାହିଁ ବା ପାଖାପାଖି ରହୁଛି। ଅର୍ଥାତ୍ ରାଜ୍ୟ କର ଆଦାୟରେ ସେତେ ବଡ଼ ସଫଳତା ଲାଭ କରିପାରିଲା ନାହିଁ। ଅପରପକ୍ଷରେ ସେବା ଓ ଦ୍ରବ୍ୟ କର ଖାଉଟିମାନଙ୍କ ଉପରେ ଚାପ ସୃଷ୍ଟି କଲାଭଳି ଧାର୍ଯ୍ୟ ହେଲା ଓ ସଂଗ୍ରହ ହେଲା। ଏଥିରେ ଯେ ଟିକସ ଫାଙ୍କି କମି ଯାଇଥିଲା ସେପରି କହିହେବ ନାହିଁ। କାରଣ ଜିଏସ୍ଟି ପ୍ରବର୍ତ୍ତନର ପରବର୍ତ୍ତୀ କାଳରେ ଅନେକ ଜାଗାରେ ଅସାଧୁ ବ୍ୟବସାୟୀମାନେ କର ଫାଙ୍କିବାର ପ୍ରମାଣ ମିଳିଲା ଓ ଧରପଗଡ଼ କାର୍ଯ୍ୟ ଏପର୍ଯ୍ୟନ୍ତ ମଧ୍ୟ ଚାଲୁ ରହିଛି।
ଅନ୍ୟ ଏକ ବିଶେଷ କଥା ହେଉଛି ଜିଏସ୍ଟି ଲାଗୁ ହେଲେ ମଧ୍ୟ ଦେଶରେ ଓ ରାଜ୍ୟରେ ପେଟ୍ରୋଲିୟମ୍ ଉତ୍ପାଦନର କ୍ରୟ ବିକ୍ରୟ ଉପରେ କରଧାର୍ଯ୍ୟ ଏହି ଜିଏସ୍ଟିର ଅନ୍ତର୍ଭୁକ୍ତ ହେଲାନାହିଁ। ରାଜ୍ୟମାନେ ନିଜ ଇଚ୍ଛା ମୁତାବକ ପେଟ୍ରୋଲ୍ ଓ ଡିଜେଲ୍ ଉପରେ କରଧାର୍ଯ୍ୟ କଲେ। କେନ୍ଦ୍ର ମଧ୍ୟ ଭିନ୍ନ ଭାବରେ ଏହା ଉପରେ ଏକ୍ସାଇଜ ଡ୍ୟୁଟି ସଂଗ୍ରହ କଲା। ଉଦାହରଣ ସ୍ୱରୂପ ଓଡ଼ିଶା ପେଟ୍ରୋଲ ଉପରେ ୩୨% ଭ୍ୟାଟ୍ ଆଦାୟ କରୁଥିବା ବେଳେ ଉତ୍ତରପ୍ରଦେଶ ୨୬.୮% ଭ୍ୟାଟ୍ ଆଦାୟ କରିଥାଏ। ଆନ୍ଧ୍ର ପ୍ରଦେଶରେ ପେଟ୍ରୋଲ ଉପରେ ଲିଟର ପିଛା ୩୧% ସହ ୪ ଟଙ୍କା ରାସ୍ତା ଉନ୍ନୟନ ପାଇଁ ବସିଥାଏ। ଏଥିସହିତ ଲିଟର ପିଛା ୧ ଟଙ୍କା ସେସ୍ ଆକାରରେ ବସିଥାଏ। ସେହିପରି ଡିଜେଲ୍ ଉପରେ ୨୨.୨୫% ଭ୍ୟାଟ୍ ଓ ୪ ଟଙ୍କା ଲିଟର ପିଛା + ୧ ଟଙ୍କା ଲିଟର ପିଛା ରାସ୍ତା ଉନ୍ନୟନ ସେସ୍ ବସିଥାଏ। ବିହାରରେ ପେଟ୍ରୋଲ ଲିଟର ପିଛା ୨୩.୫୮% ଓ ଡିଜେଲ୍ ଲିଟର୍ ପିଛା ୧୬.୩୭% ବସିଥାଏ। ଏଥିସହିତ ସର୍ଚାର୍ଜ ମଧ୍ୟ ୩୦% ଆକାରରେ ଆଦାୟ କରାଯାଏ। ଗୁଜୁରାଟରେ ପେଟ୍ରୋଲ୍ର ଲିଟର୍ ପିଛା ୧୩.୭% ସହିତ ୪ ପ୍ରତିଶତ ସେସ୍ ଆଦାୟ କରାଯାଇଥାଏ। ଡିଜେଲ୍ରେ ୧୪.୯% ଭ୍ୟାଟ୍ ସହିତ ୪% ସେସ୍ ଆଦାୟ କରାଯାଇଥାଏ। କେରଳରେ ୩୦.୦୮% ଭ୍ୟାଟ୍ ସହିତ ୧ ଟଙ୍କା ଲିଟର ପିଛା ଅତିରିକ୍ତ ସେଲ୍ଟ୍ୟାକ୍ସ ଓ ୧% ସୋସିଆଲ୍ ସିକ୍ୟୁରିଟି ସେସ୍ ଆଦାୟ କରାଯାଇଥାଏ। ଡିଜେଲ୍ରେ ସେହିପରି ୨୨.୭% ସେଲ୍ଟ୍ୟାକ୍ସ ଓ ୧ ଟଙ୍କା ଲିଟର୍ ପିଛା ଆଡ଼ିସ୍ନାଲ୍ ସେଲ୍ଟ୍ୟାକ୍ସ + ୧% ସେସ୍ ସୋସିଆଲ୍ ସିକ୍ୟୁରିଟି ବାବଦରେ ଆଦାୟ କରାଯାଇଥାଏ। ମଧ୍ୟ ପ୍ରଦେଶରେ ୨୯% ଭ୍ୟାଟ୍ ଓ ଲିଟର୍ ପିଛା ୨.୫ ପ୍ରତିଶତ ଏବଂ ୧ ପ୍ରତିଶତ ସେସ୍ ଆଦାୟ କରାଯାଇଥାଏ। ଡିଜେଲ୍ରେ ୧୯ ପ୍ରତିଶତ ଭ୍ୟାଟ୍ ସହିତ ୧.୫ଟଙ୍କା ପ୍ରତିଶତ ଲିଟର୍ ପିଛା ଅତିରିକ୍ତ ଭ୍ୟାଟ୍ ଓ ୧ ପ୍ରତିଶତ ସେସ୍।
ଏହିପରି ଭିନ୍ନ ଭିନ୍ନ ରାଜ୍ୟର ଭିନ୍ନ ହାରର ଆଦାୟ କରାଯିବାର ବ୍ୟବସ୍ଥା ରହିଆସିଛି। ଜିଏସ୍ଟି ଲାଗୁ ହେବାର ପୂର୍ବବର୍ଷ ୨୦୧୪-୧୫ ରେ ଆନ୍ଧ୍ର ପେଟ୍ରୋଲ୍ ଓ ଡିଜେଲ୍ରୁ ୮୭୭୭.୧ କୋଟି ଟଙ୍କା ପାଇଥିଲା। ୨୦୨୩-୨୪ରେ ଏହି ଆୟ ୧୬,୬୮୮ ଟଙ୍କାକୁ ବୃଦ୍ଧି ପାଇଲା। ସେହିପରି ବିହାର ୨୦୧୪-୧୫ରେ ୨୮୮୪.୬ କୋଟି, ୨୦୨୩ରେ ୨୩୫୯.୯ କୋଟି ଟଙ୍କା ଆଦାୟ କରିଥିଲା। ଗୁଜୁରାଟ ସେହିପରି ୨୦୧୪-୧୫ରେ ୧୫୮୮୭.୯ କୋଟି, ୨୦୨୩-୨୪ରେ ୨୩୬୦୦.୪ କୋଟି କର ଆଦାୟ କରିଥିଲା। ମଧ୍ୟ ପ୍ରଦେଶ ୨୦୧୪-୧୫ରେ ୬୭,୮୦୦.୯୮ କୋଟି, ୨୦୨୩-୨୪ରେ ୧୫୩୮.୪ କୋଟି ଆୟ କରିଥିଲା। ଓଡ଼ିଶାର ଆୟ ଦେଖିଲେ ୨୦୧୪-୧୫ରେ ୨୮୬୪.୯ କୋଟି ଟଙ୍କା ହୋଇଥିଲା। ଯାହାକି ୨୦୨୩-୨୪ରେ ୯୭୬୧.୫ କୋଟି ଟଙ୍କାରେ ପହଞ୍ଚିଥିଲା। କେରଳରେ ୨୦୧୪-୧୫ରେ ୫୩୭୮.୨ କୋଟି, ୨୦୨୩-୨୪ରେ ୧୨,୨୪୦.୫ କୋଟି ଟଙ୍କା ଆଦାୟ ହୋଇଥିଲା।
ଏହିପରି ଭାବରେ ବିଭିନ୍ନ ରାଜ୍ୟର ଏହି ପରୋକ୍ଷ କର ଆଦାୟ ବୃଦ୍ଧି ପାଇଥିଲା। ସବୁ ରାଜ୍ୟରେ ଏହି କର ଆଦାୟ ଯେଉଁ ହାରରେ ବୃଦ୍ଧି ପାଉଥିଲା ତା’ ଠାରୁ ହାରରେ ଅଧିକ କେନ୍ଦ୍ର ସରକାର କର ପାଉଥିଲେ। ଯଥା ୨୦୧୪-୧୫ରେ ୧ ଲକ୍ଷ ୨୬ ହଜାର ୨୪.୯ ଟଙ୍କା ପେଟ୍ରୋଲ୍ ଓ ଡିଜେଲ ଉପରୁ ଆଦାୟ ହୋଇଥିଲା। ଯାହାକି ୨୦୨୩-୨୪କୁ ୩.୫୦୦୮୬.୪ କୋଟି ଟଙ୍କାରେ ପହଞ୍ଚିଥିଲା। ଅଧିକନ୍ତୁ ଏହି ତୈଳ ବ୍ୟବସାୟ କରୁଥିବା ସରକାରୀ ଆୟୋଗ ଓ କର୍ପୋରେଟ୍ ବ୍ୟବସ୍ଥାମାନଙ୍କ ଠାରୁ କର୍ପୋରେଟ୍ ଟ୍ୟାକ୍ସ ଏବଂ ଡିଭିଡେଣ୍ଡ୍ ଆକାରରେ ୨୦୧୪-୧୫ରେ କେନ୍ଦ୍ର ସରକାର ୧୭୨୦୬୪.୪ କୋଟି ଟଙ୍କା ପାଇଥିବା ବେଳେ ୨୦୨୩-୨୪ ମସିହାରେ ୪୩୨୩୯୪.୧ କୋଟି ଟଙ୍କା ପାଇଥିଲା। ଅର୍ଥାତ୍ ରାଜ୍ୟମାନେ ଯେଉଁ ହାରରେ ବର୍ଦ୍ଧିତ ଟିକସରୁ ଆୟ କରୁଥିଲେ ତାହା ଠାରୁ ଅଧିକ ହାରରେ କେନ୍ଦ୍ର ପାଇଥିବାର ଲକ୍ଷ୍ୟ କରାଗଲା।
କେନ୍ଦ୍ର ବିଭିନ୍ନ ପ୍ରକାରର କର ଓ ଶୁଳ୍କ ଏହି ପେଟ୍ରୋଲ୍ ଓ ଡିଜେଲ୍ ଉପରେ ବସାଇଥାଏ। ଏହାର ଆମଦାନୀ ଶୁଳ୍କ ଠାରୁ ଆରମ୍ଭ କରି ଯାହାକି ଲିଟର୍ ପିଛା ୫ ଟଙ୍କା ଏକ୍ସାଇଜ ଡ୍ୟୁଟି ଆକାରରେ ଆଦାୟ କରିଥାଏ। କୃଷି ବ୍ୟବସ୍ଥା ପାଇଁ ଲିଟର୍ ପିଛା ୨ ଟଙ୍କା ୫୦ ପଇସା। ସ୍ପତନ୍ତ୍ର ଭାବରେ ଅନ୍ୟଏକ ଏକ୍ସସାଇଜ ଡ୍ୟୁଟି ଲିଟର୍ ପିଛା ୧୩ ଟଙ୍କା, କଷ୍ଟମ୍ ଡ୍ୟୁଟି ଲିଟର୍ ପିଛା ଟ.୨.୫୦, ଏତତ୍ ବ୍ୟତୀତ ସର୍ଚାର୍ଜ ୧୦ ପ୍ରତିଶତ ଏବଂ ହାଇସ୍ପିଡ୍ ଡିଜେଲ୍ ଓ ବ୍ରାଣ୍ଡେଡ୍ ପେଟ୍ରୋଲ୍ ଲିଟର୍ ପିଛା ୨ ଟଙ୍କା ୫୦ ପଇସା ଆଦାୟ କରାଯାଇଥାଏ। ରାଜ୍ୟମାନେ ଏହି ପେଟ୍ରୋଲ୍ ଓ ଡିଜେଲ୍ ଉପରେ କର ଆଦାୟ କଲାବେଳେ ସେମାନେ ଛାଡ଼ିଥିବା ଅନ୍ୟାନ୍ୟ କରରୁ କେତେ କେନ୍ଦ୍ର ଲାଭବାନ୍ ହେଉଛି ତାହା ହିସାବକୁ ନେଇନଥାନ୍ତି। ଯେଉଁଥିପାଇଁ କେନ୍ଦ୍ର ସରକାର ଚତୁରତାର ସହିତ ଦ୍ରବ୍ୟ ଓ ସେବା କର ଭିତରେ ପେଟ୍ରୋଲ୍ ଓ ଡିଜେଲ ଉପରୁ ଆଦାୟ କରୁଥିବା କରକୁ ମିଶାଇଲେ ନାହିଁ।
ଏବେ ଦେଖିବାର ଅଛି ଯେଉଁ ଦୁଇଟି ହାରରେ ସମସ୍ତ ଦ୍ରବ୍ୟ ଓ ସେବା କର ଧାର୍ଯ୍ୟ ହେବ ସେଥିମଧ୍ୟରେ ପେଟ୍ରୋଲ୍ ଓ ଡିଜେଲ୍କୁ ସଂପୃକ୍ତ କରାଯିବ କି ନାହିଁ। ଆମେ ସମସ୍ତେ ଜାଣିଛେ ୨୦୨୩-୨୪ ମସିହାରେ ପରୋକ୍ଷ କର ବାବଦରେ କେନ୍ଦ୍ର ୭.୫ ଲକ୍ଷ କୋଟି ଟଙ୍କା ଆଦାୟ କରିଥିଲା। ଯାହାକି ୨୦୧୪ ମସିହାରେ ମୋଦୀଙ୍କ ପ୍ରଥମ ବର୍ଷ ଶାସନ କାଳରେ ପେଟ୍ରୋଲ ଉପରେ ୨୯,୨୭୯ କୋଟି ଓ ଡିଜେଲ୍ ଉପରେ ୪୨,୮୮୧ ଏହିପରି ମୋଟ୍ ୭୨,୧୬୦ ଟଙ୍କା ଆଦାୟ ହୋଇଥିଲା। ରାଜ୍ୟମାନଙ୍କର ଆୟକୁ ସଂକୁଚିତ କରି କେନ୍ଦ୍ର ଆୟବୃଦ୍ଧି କରିଚାଲିଛି। ଅପରପକ୍ଷରେ ସାଧାରଣ ଲୋକଙ୍କ ଉପରେ କରର ଚାପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯଦି ପରିବର୍ତ୍ତିତ ଟିକସ ଭିତରେ ପେଟ୍ରୋଲ ଓ ଡିଜେଲକୁ ନିଆଯାଏ ଅନ୍ତତଃ ପକ୍ଷେ ରାଜ୍ୟମାନେ ମନଇଚ୍ଛା ବସାଉଥିବା କର ବନ୍ଦ ହୋଇଯାଇପାରେ। କିନ୍ତୁ କେନ୍ଦ୍ରର ମଧ୍ୟ ଆୟ ଅଧିକ ବଢ଼ିଯିବ କାରଣ ଆଦାୟ ହୋଇଥିବା ଦ୍ରବ୍ୟ ଓ ସେବାକର କେନ୍ଦ୍ରର ଆଦାୟ ଖାତାକୁ ଚାଲିଯିବ।
ଏବେ ଦେଖିବାର ଅଛି କେଉଁସବୁ ଦ୍ରବ୍ୟ ଓ ସେବାକର ୫ ପ୍ରତିଶତ ଓ କେଉଁ ସବୁ ଦ୍ରବ୍ୟ ଓ ସେବା କର ୧୮% ହାରରେ ଆଦାୟ ହେବାକୁ ସ୍ଥିର ହେଉଛି। ଗୋଟିଏ ସୂଚନା ମିଳିଛି ଯେ, ଆଗରୁ ଗାଡ଼ିମାନଙ୍କ ଉପରେ ଆଦାୟ ହେଉଥିବା ୨୮% କରକୁ ୧୮%କୁ ଅଣାଯିବାର ସମ୍ଭାବନା ରହିଛି। ଏହାଯଦି ହୁଏ ଗାଡ଼ିର ବିକ୍ରି ନିଶ୍ଚିତ ଭାବରେ ବୃଦ୍ଧି ପାଇବ ଏବଂ ସେଥିରେ କର ଆଦାୟ ମଧ୍ୟ ବୃଦ୍ଧି ପାଇବ। ତେବେ ଏଥିରେ ବଡ଼ ଲୋକ ଯେଉଁମାନଙ୍କ ଗାଡ଼ି କିଣିବାର କ୍ଷମତା ଅଛି ସେମାନେ ହିଁ କେବଳ ବହୁ ପରିମାଣରେ ଉପକୃତ ହେବେ। ଆମେ ସମସ୍ତେ ଜାଣିଛେ ମଧ୍ୟବିତ୍ତ ପରିବାରର ଉଚ୍ଚ ସୋପାନରେ ଥିବା ଖାଉଟିମାନେ ବିଶେଷତଃ ବଜାରରୁ ବର୍ଷକୁ ଅଧିକ ପରିମାଣରେ କ୍ରୟ କରିଥାନ୍ତି। ହୁଏତ ସେମାନଙ୍କ ଉପରେ ପଡୁଥିବା ଚାପ କିଛି ପରିମାଣରେ କମିପାରେ। କିନ୍ତୁ ବହୁ ସଂଖ୍ୟାରେ ଥିବା ମଧ୍ୟବିତ୍ତ ପରିବାର ଓ ଗରିବ ପରିବାର ଯେଉଁମାନଙ୍କର ବଜାରରୁ କ୍ରୟ କରିବାର ଅଭ୍ୟାସ ଓ କ୍ଷମତା କମ୍ ସେମାନେ ଯେ ଉପକୃତ ହେବା କହିହେବ ନାହିଁ।
ଯାହା ହେଉ ଦ୍ରବ୍ୟ ଓ ସେବା କର ନୂଆ ଭାବରେ ଲାଗୁ ହେଲା ପରେ ଆକଳନ କରାଯିବ କେଉଁ ଖାଉଟି କେତେ ଲାଭବାନ୍ ହେଉଛି, ରାଜ୍ୟ ସରକାର କେତେ ଅଧିକ ଆଦାୟର ସୁଯୋଗ ପାଉଛନ୍ତି ଅବା କେନ୍ଦ୍ର ସରକାରଙ୍କର ହାତକୁ କେତେ ଅଧିକ ପାଣ୍ଠି ହସ୍ତାନ୍ତର ହେଉଛି।
ଫୋ- ୯୪୩୮୩୬୦୮୪୯
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
