/odisha-reporter/media/post_attachments/uploadimage/library/16_9/16_9_0/MK_Stalin_1737806095.jpg)
MK Stalin
ରବି ଦାସ
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ କେନ୍ଦ୍ରରେ କ୍ଷମତାସୀନ ବିଜେପି ଚିନ୍ତାଧାରାର ଏକ ବିକଳ୍ପ ବାର୍ତା ବିଭିନ୍ନ ସମୟରେ ଯେପରି ଉପସ୍ଥାପିତ କରନ୍ତି ତା’ ପଛରେ ଡିଏମ୍କେର ଆଦର୍ଶଗତ ଭିତ୍ତିଭୂମି ସହିତ ଦ୍ରାବିଡ଼ ସଭ୍ୟତାର ଭିନ୍ନତା ନେଇ ଏକ ଦୃଷ୍ଟିଭଙ୍ଗୀ ରହିଥାଏ। ଏହି ଦ୍ରାବିଡ଼ ସଭ୍ୟତାକୁ ଆଘାତ କରି ତାମିଲନାଡୁରେ ବ୍ୟାପକ ଭାଷା ଆନ୍ଦୋଳନ ଓ ସାମାଜିକ ନ୍ୟାୟ ବିଚାରରେ ରାଜନୈତିକ ବିଚାର ବହୁ ଭାବରେ ରହିବା ଫଳରେ ୧୯୬୭ ମସିହା ଠାରୁ ଏହି ରାଜ୍ୟର ଶାସନଭାର କ୍ରମାଗତ ଭାବରେ ଦ୍ରାବିଡ଼ ସଭ୍ୟତାକୁ ମୂଳ ପିଣ୍ଡ ଭାବରେ ନେଇଥିବା ରାଜନୈତିକ ଦଳମାନେ ଶାସନ କରି ଆସୁଛନ୍ତି। ଡିଏମ୍କେର ବିଭାଜନ ଘଟି ସ୍ୱର୍ଗତ ଏମ୍ଜି ରାମଚନ୍ଦ୍ରନ୍ ଏଆଇଡିଏମ୍କେ ଗଢ଼ିବା ପରେ ମୂଳ ଦ୍ରାବିଡ଼ ସଭ୍ୟତା ଓ ସାମାଜିକ ନ୍ୟାୟର ଦୃଷ୍ଟିଭଙ୍ଗୀକୁ ବଦଳାଇ ନଥିଲେ। ଏମ୍ଜିଆରଙ୍କ ପରେ ଜୟଲଳିତା ଏଆଇଡିଏମ୍କେର ନେତୃତ୍ୱ ନେଇଥିଲେ ମଧ୍ୟ ଦ୍ରାବିଡ଼ ସଭ୍ୟତା ଠାରୁ ନିଜକୁ ଅଲଗା କରିନଥିଲେ। ଫଳରେ ଗତ ୫୭ବର୍ଷ ହେଲା ତାମିଲନାଡୁ ସମ୍ପୂର୍ଣ୍ଣ ଭାବରେ ଦ୍ରାବିଡ଼ମାନଙ୍କ ଦ୍ୱାରା ପରିଚାଳିତ ଶାସନ ବ୍ୟବସ୍ଥା ଭିତରେ ରହିଛି।
ତାମିଲ ଦେଶର ପ୍ରାଚୀନ ଭାଷା ଭାବରେ ବହୁ ଦିନରୁ ସ୍ୱୀକୃତ ଲାଭ କରିଛି । ଫଳରେ ଦେଶର ତଥାକଥିତ ଜାତୀୟ ଦଳମାନେ ତାମିଲନାଡୁରେ ଏକ ପାଶ୍ୱର୍ଦଳ ଭାବରେ କାମ କରୁଛନ୍ତି । ପ୍ରଥମ ଅବସ୍ଥାରେ କଂଗ୍ରେସ ଦଳ ସେହି ରାଜ୍ୟରୁ ପ୍ରାଧାନ୍ୟ ହରାଇବା ପରେ ବିଜେପି ଗତ ୩୦ବର୍ଷ ହେଲା ସେହି ରାଜ୍ୟରେ ଉପସ୍ଥିତି କାଏମ କରିବା ପାଇଁ ଯେତେ ଉଦ୍ୟମ କଲେ ମଧ୍ୟ ତାହା ଫଳବ୍ରତି ହୋଇପାରୁନାହିଁ । ସନାତନ ଧର୍ମ ସହିତ ହିନ୍ଦୀ ଭାଷା ଠାରୁ ତାମିଲ ଭାଷା ପ୍ରାଚୀନ ଓ ଉନ୍ନତ ବୋଲି ସେଠାରେ ଯେଉଁ ଧାରଣା ରହିଛି ତାହା କୌଣସି ଭାବରେ କମୁନାହିଁ । ବାସ୍ତବରେ ଭାରତୀୟ ସମ୍ବିଧାନରେ ସଂଘୀୟ ବ୍ୟବସ୍ଥା ନେଇ ସବୁବେଳେ ଯେକୌଣସି ବ୍ୟତିକ୍ରମକୁ ତାମିଲନାଡୁ ରାଜ୍ୟରୁ ହିଁ ପ୍ରଥମ ସ୍ୱର ଉଠିବା ବରାବର ଦେଖାଯାଇଛି । ବାସ୍ତବିକ ସାରା ଦେଶରେ ଅନେକ ରାଜ୍ୟରେ ଆଂଚଳିକ ଦଳ ବିଭିନ୍ନ ସମୟରେ ଶାସନ କ୍ଷମତା ଗ୍ରହର କରିଥିଲେ ମଧ୍ୟ ତାମିଲନାଡୁରେ ଆଂଚଳିକ ଦଳଗୁଡ଼ିକର ପ୍ରଭାବ କୌଣସି ଅବସ୍ଥାରେ ଦୁର୍ବଳ ହେଉନାହିଁ । ଧର୍ମ ଓ ଜାତୀୟତାର ଓ ବିଶେଷ ଭାବରେ ସଭ୍ୟତାର ଆଧାର ଉପରେ ଜାତୀୟତା ଭାବନା କ୍ଷେତ୍ରରେ ଯେଉଁ ଚିନ୍ତାଧାରା ଦେଶର ଅନ୍ୟପ୍ରାନ୍ତରେ ରହିଛି ତାହା ତାମିଲନାଡୁକୁ ଗ୍ରାସ କରିପାରୁ ନାହିଁ ।
ଏହି ପରିପ୍ରେକ୍ଷୀରେ ଦୁଇଦିନ ତଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ଯାହାର ଆଧାରକୁ ଜାତୀୟ ପ୍ରତ୍ନତତ୍ତ୍ୱ ଗବେଷଣାଗାର ଓ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଆମେରିକାର ଫ୍ଲୋରିଟାରେ ଅବସ୍ଥିତ ବିଜ୍ଞାନଗାରରେ ପରିକ୍ଷୀତ ତଥ୍ୟକୁ ପଦାକୁ ଆଣି ଦାବି କରିଛନ୍ତି ଯେ, ତାମିଲ ଅଂଚଳରେ ୫୩୦୦ବର୍ଷ ପୂର୍ବରୁ ଲୁହାର ବ୍ୟବହାର କରାଯାଇଛି । ଅର୍ଥାତ୍ ପ୍ରାଚୀନ ସଭ୍ୟତାରେ ଯେଉଁ ସମୟକୁ ଲୁହାର ସମୟ ବୋଲି କୁହାଯାଉଛି ସେହି ସମୟର ପୂର୍ବରୁ ତାମିଲ ଅଂଚଳରେ ଲୁହାର ବ୍ୟବହାର ଆରମ୍ଭ ହୋଇଛି । ଅର୍ଥାତ୍ ତାମିଲ ଭୂମିରେ ଆଇରନ୍ ଏଜ୍ ୫୩୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବାରୁ ଏହା ସାରା ବିଶ୍ୱ ମାନବ ସମାଜ ପାଇଁ ଆଇରନ୍ ଏଜ୍ର ପ୍ରକୃତ ସମୟ ବୋଲି ସେ ଦାବି କରିଛନ୍ତି । ଆଇରନ୍ ଏଜ୍ ପୂର୍ବରୁ କପର୍ ଓ ବ୍ରୋଞ୍ଜ ଏଜ୍ ଆସିଥିବା କୁହାଯାଉଛି । କିନ୍ତୁ ଆଇରନ୍ ଏଜ୍ କ୍ଷେତ୍ରରେ ତାମିଲ ଭୂମି ବିଶ୍ୱର ପ୍ରଥମ ବୋଲି ଷ୍ଟାଲିନ୍ ବୈଜ୍ଞାନିକ ଆଧାରରେ ଯୁକ୍ତିି ବାଢ଼ିଛନ୍ତି। ଯାହାକି ଭାରତରେ ତାମିଲ ସଭ୍ୟତା ବା ଦ୍ରାବିଡ଼ ସଭ୍ୟତା ସର୍ବ ପୁରାତନ ବୋଲି ଷ୍ଟାଲିନ୍ ଯୁକ୍ତି କରିଛନ୍ତି ।
ଷ୍ଟାଲିନଙ୍କର ଏହି ଦାବି ବା ଯୁକ୍ତିକୁ କୌଣସି ପ୍ରତ୍ନତତ୍ତ୍ୱବିତ୍ ବା ନୃତତ୍ତ୍ୱ ବା ମାନବବିଜ୍ଞାନୀ ଚାଲେଞ୍ଜ କରିନାହାନ୍ତି । ତାଙ୍କର ଏହି ମନ୍ତବ୍ୟ ବା ଦାବି ଯଦି ଗ୍ରହଣ କରିନିଆଯାଏ, ତେବେ ହରପା ବା ସିନ୍ଧୁ ସଭ୍ୟତା ଠାରୁ ଦ୍ରାବିଡ଼ ସଭ୍ୟତା ପ୍ରାଚୀନ ବୋଲି ଗ୍ରହଣ କରିବାକୁ ପଡ଼ିବ । ଏହାର ବୈଜ୍ଞାନିକ ଦିଗ ଯାହା ହେଉ ନା କାହିଁକି ତାମିଲ ଅଂଚଳରେ ଏକ ଗୌରବମୟ ସଭ୍ୟତା ସମ୍ପର୍କରେ ଯେଉଁ ଯୁକ୍ତି ଡିଏମ୍କେ ପ୍ରଭୃତି ପୂର୍ବରୁ କରି ସେମାନେ ଉତ୍ତର ଭାରତ ଠାରୁ ଭିନ୍ନ ବୋଲି କହୁଥିଲେ ସେଥିପାଇଁ ଷ୍ଟାଲିନଙ୍କର ଦାବି ସେଥିରେ ଇନ୍ଧନ ଯୋଗାଇବ । ତେଣୁ ଏହି ଘଟଣାର ରାଜନୈତିକ ଦିଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଷ୍ଟାଲିନଙ୍କ ଦାବି ଯଦି ତଥ୍ୟପୂର୍ଣ୍ଣ ଓ ଯୁକ୍ତିଯୁକ୍ତ ବୋଲି ଧରିନିଆଯାଏ, ତେବେ ସମଗ୍ର ଦ୍ରାବିଡ଼ ଭୂଖଣ୍ଡ ଯେଉଁଥିରେ ଆନ୍ଧ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଓ କେରଳ ପ୍ରଭୃତି ରହିଛନ୍ତି ସେଗୁଡ଼ିକ ସେଥିରେ ପ୍ରଭାବିତ ହେବେ । ଯେହେତୁ ଏବେ ସଭ୍ୟତା ଭିତିକ ଗଣତନ୍ତ୍ର ଭାବରେ ଭାରତକୁ ବିଚାର କରିବା ପାଇଁ ଦାବି କରାଯାଉଛି, ସେ କ୍ଷେତ୍ରରେ ଦ୍ରାବିଡ଼ ସଭ୍ୟତାର ପ୍ରାଚୀନତା ଓ ତାହାର ଆଧାର ଉପରେ ଥିବା ବିଚାରଗୁଡ଼ିକର ନିଶ୍ଚିତ ତର୍ଜମା ହେବ।
ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଯାହାକି ତାମିଲନାଡୁ ପ୍ରତ୍ନତତ୍ତ୍ୱ ବିଭାଗ ବାହାର କରିଛନ୍ତି, ସେହି ଅନୁସାରେ ଆଇରନ୍ ଏଜ୍ର ସମୟ ଖ୍ରୀଷ୍ଟପୂର୍ବ ୨୫୦୦ରୁ ୩୦୦୦ ବର୍ଷ ଭିତରେ ହୋଇଥିବା ସହଜରେ କୁହାଯାଇପାରିବ । ଅତୀତରେ ଏ ସଂକ୍ରାନ୍ତରେ ଯେଉଁ ତଥ୍ୟ ଭାରତରେ ଉପଲବ୍ଧ ଥିଲା, ଏହା ତାହାଠାରୁ ଅଧିକ ପୁରୁଣା ବୋଲି ପରିଷ୍କାର ଜଣାପଡୁଛି । ଏପରିକି ଷ୍ଟାଲିନ୍ ଘୋଷଣା କରିଛନ୍ତି ଯେ, ସିନ୍ଧୁ ଉପତ୍ୟକା ସଭ୍ୟତା ନେଇ ଯେଉଁ ତଥ୍ୟ ରହିଛି, ତାହାର ଯିଏ ସଠିକ୍ ବିଶ୍ଳେଷଣ କରିପାରିବ ସେ ତାହାକୁ ୧୦ଲକ୍ଷ ଡଲାର୍ ପୁରାଷ୍କାର ପ୍ରଦାନ କରିବେ । ମୋଟାମୋଟି ଭାବରେ ତାମିଲ ଓ ଦ୍ରାବିଡ଼ ସଭ୍ୟତା ଉତ୍ତରଭାରତର ସଭ୍ୟତା ଠାରୁ ବହୁ ପୂର୍ବରୁ ବୋଲି ଷ୍ଟାଲିନ୍ ପରୋକ୍ଷରେ ସୂଚନା ଦେଇ ତାମିଲନାଡୁରେ ଓ ଦ୍ରାବିଡ଼ ଅଂଚଳରେ ଏକ ନୂଆ ଧରଣର ଜାତୀୟତାବାଦ ଆରମ୍ଭ କରିଛନ୍ତି।
କେନ୍ଦ୍ର ସରକାରଙ୍କର ଭାଷା ନୀତି ଓ ନୂଆ ଶିକ୍ଷା ନୀତିକୁ ନେଇ ଯେଉଁ ବିରୋଧଭାବ ଆରମ୍ଭ ଚାଲିଛି, ସେଥିରେ ତାମିଲନାଡୁ ଓ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଏକ ଅଗ୍ରଣୀ ଭୂମିକାରେ କାମ କରୁଛନ୍ତି । ନିକଟରେ ଉଚ୍ଚ ଶିକ୍ଷାକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱ ବିଦ୍ୟାଳୟ ମଞ୍ଜୁରୀ ଆୟୋଗ ସବୁ ସରକାରୀ ବିଶ୍ୱ ବିଦ୍ୟାଳୟରେ କୁଳପତି ଓ ଅନ୍ୟ ଅଧିକାରୀ ନିଯୁକ୍ତିି ନେଇ ଯେଉଁ ଚିଠା ନିୟମ ପ୍ରସ୍ତୁତ କରିଛନ୍ତି, ତାହାକୁ ଅଣବିଜେପି ଶାସିତ ମୁଖ୍ୟମନ୍ତ୍ରୀମାନେ ବିରୋଧ କରିବା ପାଇଁ ଷ୍ଟାଲିନ୍ ଚିଠି ଲେଖିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଚିଠି ଲେଖି ଏହି ଚିଠା ନିୟମକୁ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଛନ୍ତି ।
ଷ୍ଟାଲିନଙ୍କ ଯୁକ୍ତି ହେଲା ଯେ, ଚିଠା ନିୟମରେ ଯେଉଁ ବ୍ୟବସ୍ଥା ରହିଛି ସେଥିରେ ଶିକ୍ଷା ଆୟତନର ପାରଦର୍ଶିତା ଓ ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ ହେବ । ସରକାରୀ ବିଶ୍ୱ ବିଦ୍ୟାଳୟ ଯେଉଁଗୁଡ଼ିକ ରାଜ୍ୟ ବିଧାନସଭାର ଆଇନ ବଳରେ ଚାଲିଛି ସେଗୁଡ଼ିକ ନୂଆ ଚିଠା ନିୟମ କାର୍ଯ୍ୟକାରୀ ହେଲେ ଆଉ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିବ ନାହିଁ । ଯଦିଓ ରାଜ୍ୟକୁ ଏଥିପାଇଁ ବ୍ୟୟବରାଦ କରିବାକୁ ପଡ଼ିବ । ବିଶ୍ୱ ବିଦ୍ୟାଳୟଗୁଡ଼ିକ ବା ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟର କୌଣସି ନୀତି କାର୍ଯ୍ୟକାରୀ ହୋଇପାରିବ ନାହିଁ । ଏପରିକି ବିଶ୍ୱ ବିଦ୍ୟାଳୟରେ ନାମଲେଖା ମଧ୍ୟ କେନ୍ଦ୍ରୀୟ ପରୀକ୍ଷା ସଂସ୍ଥା ପରିଚାଳନା କରିବ। ଏହାର ରାଜନୈତିକ ଦିଗ ଥିବା ସହିତ ଷ୍ଟାଲିନ୍ ବିଭିନ୍ନ ଭାବରେ ସଂଘୀୟ ବ୍ୟବସ୍ଥାରେ ରାଜ୍ୟମାନଙ୍କ ହକ୍କୁ ସବୁ କ୍ଷେତ୍ରରେ ରକ୍ଷା କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ସେ ଦେଶର ବିକଳ୍ପ ଚିନ୍ତାଧାରାର ଏକ ନାୟକ ଭାବରେ ଛିଡ଼ା ହେବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ଦେଖିଲେ ତାମିଲନାଡୁରେ ବିଶ୍ୱରେ ପ୍ରଥମ ଆଇରନ୍ ଏଜ୍ ଆରମ୍ଭ ହୋଇଥିବା ନେଇ ତାଙ୍କର ଦାବି ସେହି ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ବାସ୍ତବିକ ଷ୍ଟାଲିନଙ୍କର ଦାବି ପରେ ବିଶ୍ୱର ଅନ୍ୟ ପ୍ରତ୍ନତତ୍ତ୍ୱବିତ୍ ଓ ନୃତତ୍ତ୍ୱବିତ୍ ବା ମାନବ ବିଜ୍ଞାନୀମାନଙ୍କ ପ୍ରତି ଏକ ଆହ୍ୱାନ ବୋଲି ବିଚାର କରାଯିବ । ଏହାକୁ ଠିକ୍ ଭାବରେ ଭାରତୀୟ ସଭ୍ୟତା ନେଇ ଯୋଡ଼ାଯାଇ ନପାରିଲେ ଦେଶରେ ସଭ୍ୟତାର ଏକ ବିବାଦ ଭବିଷ୍ୟତରେ ମୁଣ୍ଡ ଟେକିବାର ସମ୍ଭାବନା ରହିଛି ।
ମୋ- ୮୦୧୮୦୯୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
