Aravalli Hills Photograph: (Internet)
ଡ. ରୀନା ରାଉତରାୟ
ଆରାବଳୀ କେବଳ ଏକ ପର୍ବତ ନୁହେଁ ଏହା ଭାରତର ପାରିବେଶିକ କବଚ ଅଟେ। କିନ୍ତୁ ଭାରତର ସବୁଠାରୁ ପୁରୁଣା ପର୍ବତଶ୍ରେଣୀ ଆରାବଳୀ ଆଜି ଏକ ଗଭୀର ବିବାଦର କେନ୍ଦ୍ର ବିନ୍ଦୁରେ। ରାଜସ୍ଥାନ, ହରିଆଣା ଓ ଦିଲ୍ଲୀ ଆଖପାଖରେ ଅବସ୍ଥିତ ଏହି ପର୍ବତମାଳା କେବଳ ଏକ ଭୌଗୋଳିକ ଗଠନ ନୁହେଁ; ଏହା ଉତ୍ତର ଭାରତର ପରିବେଶୀୟ ସମତୁଳନର ଏକ ଅଦୃଶ୍ୟ ରକ୍ଷାକବଚ।
ଆରାବଳୀ ବିବାଦର ଐତିହାସିକ ପୃଷ୍ଠଭୂମିକୁ ଲକ୍ଷ୍ୟ କଲେ ଜଣାପଡ଼େ, ଦୀର୍ଘ ୬୫୦ କିଲୋମିଟର ବ୍ୟାପୀ ଆରାବଳୀ ପର୍ବତମାଳା ପ୍ରାୟ ଗୁଜରାଟରୁ ଆରମ୍ଭ କରି ରାଜସ୍ଥାନ ଓ ହରିଆଣା ଦେଇ ଦିଲ୍ଲୀ ପର୍ଯ୍ୟନ୍ତ ବିସ୍ତୃତ।
ବ୍ରିଟିଶ ଶାସନ କାଳରେ ଏହି ଅଞ୍ଚଳର ଏକ ବଡ଼ ଅଂଶକୁ ଅରଣ୍ୟ ଭାବେ ଚିହ୍ନଟ କରାଯାଇଥିଲା। କିନ୍ତୁ ସ୍ୱାଧୀନତା ପରେ ରେଭେନ୍ୟୁ ରେକର୍ଡ, ଭୂମି ଶ୍ରେଣୀକରଣ ଓ ଆଇନଗତ ସଂଶୋଧନ ମାଧ୍ୟମରେ ଧୀରେ ଧୀରେ ଆରାବଳୀର ପରିଚୟ ଅସ୍ପଷ୍ଟ କରାଯାଇଛି।
ଏହା ପର୍ବତ କି ନୁହେଁ? ଏହା ଫରେଷ୍ଟ କି ରେଭେନ୍ୟୁ ଲ୍ୟାଣ୍ଡ?
ଦୁର୍ଭାଗ୍ୟର ବିଷୟ, ଏପରି ପ୍ରଶ୍ନଗୁଡ଼ିକ ଆଜି ଆଇନ ଆଲୋଚନାର ମୂଳ କେନ୍ଦ୍ରବିନ୍ଦୁ। ଆଜି ଏହି ପର୍ବତକୁ ପର୍ବତ ବୋଲି ସ୍ୱୀକାର କରାଯିବ କି ନାହିଁ, ଏହାକୁ ନେଇ ଆଇନଗତ, ପ୍ରଶାସନିକ ଓ ରାଜନୈତିକ ତର୍କ ତୀବ୍ର ହୋଇଉଠିଛି। ଏହି ବିବାଦର ମୂଳରେ ରହିଛି ଖଣିଜ ଖନନ, ନିର୍ମାଣ ପ୍ରକଳ୍ପ, ରିଏଲ୍ ଇଷ୍ଟେଟ୍ ଲୋଭ ଓ ଦୁର୍ବଳ ପରିବେଶୀୟ ଇଚ୍ଛାଶକ୍ତି। ଆରାବଳୀ ପର୍ବତମାଳାର ବହୁ ଅଂଶକୁ ଫରେଷ୍ଟ କିମ୍ବା ପର୍ବତ ଭୂମି ଭାବେ ନ ଦେଖାଇ, ସାଧାରଣ ରାଜସ୍ୱ ଭୂମି ଭାବେ ଘୋଷଣା କରିବା ପ୍ରୟାସ ଦୀର୍ଘଦିନ ଧରି ଚାଲିଆସୁଛି। ଏହାର ପରିଣାମ ସ୍ୱରୂପ ପରିବେଶୀୟ ନିୟମକୁ ଉପେକ୍ଷା କରି ଖଣି ଖନନ, ପଥର ଭଙ୍ଗା, ହାଇୱେ, ଫାର୍ମହାଉସ ଓ ବିଳାସପୂର୍ଣ୍ଣ ରିସର୍ଟ ଗଢ଼ିଉଠୁଛି।
ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଆରାବଳୀ ସୁରକ୍ଷା ପାଇଁ ଅନେକ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ପାଳନ କରାଯାଉନି।
ଖଣିଜ ଖନନ: ବିକାଶ ନା ବିନାଶ?
ଆରାବଳୀ ବିବାଦର ସବୁଠାରୁ ଭୟଙ୍କର ଦିଗ ହେଉଛି ଅନିୟନ୍ତ୍ରିତ ଖଣିଜ ଖନନ। ପଥର, ମାର୍ବଲ୍, କ୍ୱାର୍ଟଜ୍, ଏହି ସମସ୍ତ ଖଣିଜ ପାଇଁ ଦଶକ ଦଶକ ଧରି ପାହାଡ଼କୁ ଖିନଭିନ କରି ଖୋଳା ଚାଲିଛି।
ସର୍ବୋଚ୍ଚ ନ୍ୟାୟାଳୟ ଏକାଧିକ ଥର ଖନନ ଉପରେ ପ୍ରତିବନ୍ଧକ ଲଗାଇଥିଲେ ମଧ୍ୟ ଅବୈଧ ଖନନ ନୂଆ ନୂଆ ନାମ ନେଇ ପୁନଃ ଫେରିଆସୁଛି।
ଏହାର ପରିଣାମ ସ୍ୱରୂପ, ଜଳସ୍ତର ଗଭୀର ଭାବେ ହ୍ରାସ, ଧୂଳି ଝଡ଼ର ବୃଦ୍ଧି, ଜଙ୍ଗଲ ପ୍ରାଣୀଙ୍କ ବିସ୍ଥାପନ, ଗ୍ରାମୀଣ ଜୀବିକାର ଧ୍ୱଂସ ତ୍ୱରାନ୍ୱିତ ହୋଇଛି।
ଏସବୁ ମଧ୍ୟରେ ଆଧୁନୀକରଣ ଓ ଜୀବନଜୀବିକା ନାମରେ ଯାହାକୁ ଉନ୍ନତି କୁହାଯାଉଛି, ସେଥିରେ ଦୀର୍ଘକାଳୀନ ସାମାଜିକ ମୂଲ୍ୟକୁ ଅଗ୍ରାହ୍ୟ କରାଯାଉଛି। ରିଏଲ୍ ଇଷ୍ଟେଟ୍ ଓ ସହରର ବିସ୍ତାର, ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳରେ ଆରାବଳୀ ଆଜି ଲକ୍ଜୁରି ଲ୍ୟାଣ୍ଡସ୍କେପରେ ପରିଣତ ହେଉଛି। ଫାର୍ମହାଉସ, ରିସୋର୍ଟ, ବିଲାସବହୁଳ ଘର, ସବୁ ଗଢ଼ିଉଠୁଛି ପାହାଡ଼ କାଟି।
ବିଡ଼ମ୍ବନା ହେଉଛି, ଯେଉଁ ପାହାଡ଼ ଦିଲ୍ଲୀକୁ ପ୍ରଦୂଷଣରୁ ବଞ୍ଚାଉଥିଲା, ସେହି ପାହାଡ଼ ଧ୍ୱଂସ ହେଉଛି ‘ଗ୍ରୀନ ହାଉସିଂ ପ୍ରୋଜେକ୍ଟ’ ନାମରେ। ଆରାବଳୀ ପର୍ବତମାଳା ଉତ୍ତର ଭାରତର ଜଳଚକ୍ରର ଏକ ମୁଖ୍ୟ ଆଧାର। ପାହାଡ଼ ଭାଙ୍ଗିଲେ, ବର୍ଷାଜଳ ସଂଗ୍ରହ କମେ, ନଦୀ ଉତ୍ସ ଶୁଖିଯାଏ, ଭୂଗର୍ଭ ଜଳ ରିଚାର୍ଜ ବନ୍ଦ ହୁଏ। ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ ପରି ସହର ଆଜି ଯେଉଁ ଜଳ ସଙ୍କଟର ସମ୍ମୁଖୀନ, ତାହାର ମୂଳ କାରଣ ମଧ୍ୟରେ ଆରାବଳୀ ଧ୍ୱଂସ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ।
ଆରାବଳୀ ସୁରକ୍ଷା ପାଇଁ ନ୍ୟାୟାଳୟ ଯେତେ ଆଗକୁ ଯାଇଛି, ପ୍ରଶାସନ ସେତେ ପଛକୁ ଟାଣୁଛି, ଏହା ଏହି ବିବାଦର ମୁଖ୍ୟ ବିଡ଼ମ୍ବନା। ନୀତି ରହିଛି, ଆଇନ ରହିଛି, କିନ୍ତୁ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ସବୁ ନିଷ୍ପ୍ରଭ।
ଆରାବଳୀ ପର୍ବତମାଳା ଆଜି ନଷ୍ଟ ହୋଇ ଯାଉଛି କିନ୍ତୁ ଏହା କୌଣସି ପ୍ରାକୃତିକ ବିପର୍ଯ୍ୟୟ ନୁହେଁ। ପ୍ରକୃତି, ନୀତି ଓ ସରକାରର ସମନ୍ୱୟର ଅଭାବରେ ଏହା ଏକ ରାଜନୈତିକ ନିଷ୍ପତ୍ତିର ଫଳ।
ଯେଉଁଠାରେ ପର୍ବତକୁ ଭୂମି, ଜଙ୍ଗଲକୁ ରାଜସ୍ୱ ଓ ପ୍ରକୃତିକୁ ପ୍ରକଳ୍ପ ଅବରୋଧ ଭାବେ ଦେଖାଯାଏ ସେଠାରେ ଆରାବଳୀ ଭଳି ଏକ ପର୍ବତ ତିଷ୍ଠି ରହି ପାରେ ନାହିଁ।
ଆରାବଳୀ ପର୍ବତ ଉତ୍ତର ଭାରତକୁ ଥର୍ ମରୁଭୂମିର ପ୍ରଭାବରୁ ରକ୍ଷା କରେ। ଏହା ଭୂଗର୍ଭ ଜଳ ସଞ୍ଚୟ, ଧୂଳି ଝଡ଼ ନିୟନ୍ତ୍ରଣ, ଜୈବ ବିବିଧତା ସୁରକ୍ଷା ଓ ଦିଲ୍ଲୀ, ଏନ୍ସିଆର୍ର ବାୟୁ ଗୁଣବତ୍ତା ରକ୍ଷାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।
ଆରାବଳୀକୁ ଧ୍ୱଂସ କରିବା ମାନେ କେବଳ ପାହାଡ଼ ଭାଙ୍ଗିବା ନୁହେଁ, ଏହା ମାନେ ଆଗାମୀ ପିଢ଼ି ପାଇଁ ଜୀବନ, ଜୀବିକା ଓ ସୁରକ୍ଷାର ଦ୍ୱାର ବନ୍ଦ କରିଦେବା।
ଓଡ଼ିଶା ପାଇଁ ସତର୍କ ଘଣ୍ଟି
ଆରାବଳୀ ଉପରେ ଉଠିଥିବା ଏହି ବିବାଦ ଓଡ଼ିଶା ପାଇଁ ମଧ୍ୟ ଏକ ସଚେତନତା ସଙ୍କେତ। ନିୟମଗିରି, ମହେନ୍ଦ୍ରଗିରି, ଗନ୍ଧମାର୍ଦ୍ଦନ, ଶିମିଳିପାଳ ପରି ପର୍ବତ ଓ ଜଙ୍ଗଲକୁ ନେଇ ଉନ୍ନୟନ ଓ ସଂରକ୍ଷଣ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଆମ ପାଖରେ ମଧ୍ୟ ସ୍ପଷ୍ଟ। ଆରାବଳୀର ଭୁଲ ଆମକୁ ଶିଖାଉଛି, ପରିବେଶକୁ ଆଇନ ମଧ୍ୟରେ ସୀମିତ ରଖିଲେ, ପ୍ରକୃତି ଦିନେ ନା ଦିନେ ଏହାର ଉତ୍ତର ନିଜେ ଦେବ। ପ୍ରକୃତି ତାହାର ଅସନ୍ତୋଷ ପ୍ରକାଶ କରି ତାଣ୍ଡବଲୀଳା ରଚି ଚାଲିଛି ତଥାପି ଏ ଦିଗକୁ କାହାରି ନିଘା ନାହିଁ।
ଆରାବଳୀ ପର୍ବତମାଳାକୁ ନେଇ ବିବାଦ ମୂଳତଃ ଏହି ପ୍ରଶ୍ନ ଉଠାଏ, ଆମେ ବାସ୍ତବରେ କେଉଁ ଉନ୍ନତି ଚାହୁଁଛୁ? କଂକ୍ରିଟ୍ର ତୁରନ୍ତ ଲାଭ, ନା ପ୍ରକୃତି ସହ ଦୀର୍ଘକାଳୀନ ସହବାସ? ଆରବଳୀକୁ ବଞ୍ଚାଇବା ମାନେ କେବଳ ଏକ ପର୍ବତକୁ ନୁହେଁ, ଭାରତର ପରିବେଶୀୟ ଆତ୍ମାକୁ ବଞ୍ଚାଇବା। ସରକାର, ନ୍ୟାୟପାଳିକା ଓ ସାଧାରଣ ଜନତା ସମସ୍ତେ ମିଶି ଯଦି ସଚେତନ ଓ ସତର୍କ ନହେବେ, ତେବେ ଆଗାମୀ ଦିନରେ ବିବାଦ ନୁହେଁ, ଭୟାନକ ପ୍ରାକୃତିକ ବିପର୍ଯ୍ୟୟ ଆମ ପାଖକୁ ଉତ୍ତର ନେଇ ଆସିବ।
ଆରାବଳୀର କଥା ଓଡ଼ିଶାକୁ ଏକ ଆଇନା ଦେଖାଉଛି। ନିୟମଗିରି, ମହେନ୍ଦ୍ରଗିରି, ଗନ୍ଧମାର୍ଦ୍ଦନ, ଶିମିଳିପାଳ ସବୁଠି ଉନ୍ନୟନ ଓ ସଂରକ୍ଷଣର ଦ୍ୱନ୍ଦ୍ୱ ଚାଲିଛି। ଆରାବଳୀ ଯଦି ହାରେ ତେବେ ଏହା ଓଡ଼ିଶା ପାହାଡ଼ମାନଙ୍କ ପାଇଁ ମଧ୍ୟ ଏକ ଭୟଙ୍କର ପୂର୍ବାଭାସ ହେବ।
ଆମେ ପ୍ରକୃତିକୁ ସମ୍ପଦ ଭାବେ ଦେଖିବୁ, ନା ସହଯାତ୍ରୀ ଭାବେ?
ଯଦି ଆରାବଳୀ ନଷ୍ଟ ହୁଏ, ତେବେ ଏହା କେବଳ ପାହାଡ଼ର ପତନ ନୁହେଁ, ଏହା ଏକ ସଭ୍ୟତାର ପତନ ହେବ। ଆଜି ନିଷ୍ପତ୍ତି ଆମ ହାତରେ, କାଲି ନିଷ୍ପତ୍ତି ପ୍ରକୃତି ନେବ। ଆରାବଳୀ ଯଦି ଚେତାବନୀ, ଓଡ଼ିଶା ଏଥିରୁ କ’ଣ ଶିକ୍ଷା ନେଉଛି ତାହା ଚିନ୍ତାର ବିଷୟ।
ଭାରତର ଆରାବଳୀ ପର୍ବତମାଳା ଆଜି କେବଳ ଏକ ପରିବେଶୀୟ ସଂକଟର ଉଦାହରଣ ନୁହେଁ, ଏହା ଏକ ଜୀବନ୍ତ ଚେତାବନୀ। ଯେଉଁ ଚେତାବନୀକୁ ଓଡ଼ିଶା ଅଣଦେଖା କଲେ ନିୟମଗିରି, ମହେନ୍ଦ୍ରଗିରି, ଗନ୍ଧମାର୍ଦ୍ଦନ କିମ୍ବା ଶିମିଳିପାଳ ମଧ୍ୟ ଧ୍ୱଂସ ପାଇବ ଓ ଓଡ଼ିଶାବାସୀ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବ।
ଆରାବଳୀ ପର୍ବତମାଳାର ଧ୍ୱଂସ କୌଣସି ଏକ ଦିନର ଘଟଣା ନୁହେଁ। ସେଠାରେ ଆଇନ ଥିଲା, ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଥିଲା, ଗ୍ରୀନ୍ ଟ୍ରିବ୍ୟୁନାଲ୍ର ଆଦେଶ ଥିଲା, କିନ୍ତୁ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତି ଥିଲା ନାହିଁ।
ପର୍ବତ କ’ଣ? ଏହି ପ୍ରଶ୍ନକୁ ଆଇନଗତ ତର୍କରେ ପରିଣତ କରି ଖଣି, ରିଏଲ୍ ଏଷ୍ଟେଟ୍ ଓ କଂକ୍ରିଟ୍ ଉନ୍ନତି ପାଇଁ ଦ୍ୱାର ଖୋଲାଗଲା। ଫଳ? ଦିଲ୍ଲୀ, ଏନ୍ସିଆର୍ର ଶ୍ୱାସ ଆଜି ଆରାବଳୀ ଧ୍ୱଂସର ମୂଲ୍ୟ ଦେଉଛି।
ଓଡ଼ିଶା ଆଜି ନିଜକୁ ‘ପରିବେଶ ସଚେତନ ରାଜ୍ୟ’ ବୋଲି ଦାବି କରେ। ଶିମିଳିପାଳ, ଚିଲିକା, ମହାନଦୀ, ଏସବୁ ଉଦାହରଣ ଦେଖାଯାଏ। କିନ୍ତୁ ପର୍ବତ ଓ ଖଣିଜ ପ୍ରସଙ୍ଗରେ ଚିତ୍ର ଏତେ ସରଳ ନୁହେଁ। ନିୟମଗିରିରେ ଆଦିବାସୀ ପ୍ରତିରୋଧ, ମହେନ୍ଦ୍ରଗିରିରେ ଧାର୍ମିକ, ପରିବେଶୀୟ ଚିନ୍ତା, ଗନ୍ଧମାର୍ଦ୍ଦନରେ ଖଣିଜ ଲୋଭ, ଏସବୁ ଦର୍ଶାଉଛି ଯେ ଓଡ଼ିଶା ମଧ୍ୟ ଆରାବଳୀ ପରି ଏକ ନୀତିଗତ ଦ୍ୱନ୍ଦ୍ୱରେ ଅଛି। ଫରକ କେବଳ ଏତିକି, ଆରାବଳୀରେ ଧ୍ୱଂସ ହୋଇଚାଲିଛି, ଓଡ଼ିଶାରେ ଧ୍ୱଂସ ଏବେ ମଧ୍ୟ ରୋକାଯାଇପାରେ।
ଯେତେବେଳେ ଖଣିଜ ନୀତି ପରିବେଶ ନୀତିଠାରୁ ଶକ୍ତିଶାଳୀ ହୁଏ, ଜଙ୍ଗଲ ଓ ପର୍ବତ ହାରିଯାଆନ୍ତି। ଓଡ଼ିଶାରେ ଖଣିଜ ରାଜସ୍ୱ ଅର୍ଥନୀତିର ମୁଖ୍ୟ ଆଧାର। କିନ୍ତୁ ପ୍ରଶ୍ନ ହେଉଛି, ରାଜସ୍ୱ ପାଇଁ ପ୍ରକୃତିକୁ କେତେ ଦୂର ପର୍ଯ୍ୟନ୍ତ ବଳି ଦିଆଯିବ? ଓଡ଼ିଶା ପାଇଁ ଏହା ଏକ ସତର୍କ ସୀମାରେଖା।
ଆରାବଳୀର ସବୁଠାରୁ ବଡ଼ ଶିକ୍ଷା ‘ନୀତି ଯଦି କେବଳ ଫାଇଲ୍ରେ ରହିଯାଏ, ପର୍ବତ ମଧ୍ୟ ଫସିଲ ହୋଇଯାଏ।’
ଓଡ଼ିଶା ପାଇଁ ପ୍ରଶ୍ନ ଶାଣିତ, ପରିବେଶ ମଞ୍ଜୁରୀ କ’ଣ ସୁରକ୍ଷାର ଉପକରଣ, ନା କେବଳ ଏକ ପ୍ରଶାସନିକ ମୋହର? ଆରାବଳୀ ଆଜି ପ୍ରଶ୍ନ କରୁନାହିଁ, ସେ ଉତ୍ତର ଦେଉଛି। ଧୂଳି, ଜଳ ସଙ୍କଟ, ପ୍ରଦୂଷଣ, ଏସବୁ ତା’ର ଉତ୍ତର।
ଓଡ଼ିଶା ଆଜି ପ୍ରଶ୍ନର ସମୟରେ ଅଛି। ଉନ୍ନତି କାହା ପାଇଁ? କେତେ ଦୂର ପର୍ଯ୍ୟନ୍ତ? କେଉଁ ମୂଲ୍ୟରେ?
ଆରବଳୀ ଯଦି ଏକ ଭୁଲ, ତେବେ ଓଡ଼ିଶା ହେଉ ତାର ସୁଧାର। ନଚେତ୍, ଭବିଷ୍ୟତ ଆମକୁ ଏକ ନୂଆ ନାମ ଦେବ, ‘ପୂର୍ବ ଭାରତର ଆରବଳୀ’।
ପ୍ରକୃତି ସହ ଯୁଦ୍ଧ କଲେ, ମଣିଷ ଜିତେ ନାହିଁ, କେବଳ ଧ୍ଵଂସକୁ ନିମନ୍ତ୍ରଣ କରେ।
ଫୋ- ୯୪୩୮୨୭୨୧୫୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/24/aravalli-2025-12-24-15-11-32.jpg)