ମାନବିକ ଅଧିକାର ଆଜି କେତେ ସୁରକ୍ଷିତ?

ସବୁଠାରୁ ଉଦ୍‌ବେଗର ବିଷୟ ହେଲା ଉପରୋକ୍ତ ମାନବିକ ଅଧିକାର ଉଲଂଘନର ଗୁରୁତ୍ତର ଘଟଣା ଗୁଡ଼ିକରେ ଦେଶର ବିଚାର ବିଭାଗର ସକ୍ରୀୟତାର ଅଭାବ ଲୋକଙ୍କୁ ଏକଦମ୍ ହତାଶ କରିଛି। ଜନଗଣଙ୍କ ଦାବୀ ଫଳରେ ଦେଶରେ ଓ ବିଭିନ୍ନ ରାଜ୍ୟରେ ମାନବିକ ଅଧିକାର କମିଶନ ଗଠିତ ହୋଇଥିଲେ ମଧ୍ୟ ସେସବୁର କାର୍ଯ୍ୟ ଓ କ୍ଷମତା ଅତ୍ୟନ୍ତ ସୀମୀତ ଥିବାରୁ ସେମାନେ ଜନଗଣଙ୍କ ମାନବିକ ଅଧିକାରର ସୁରକ୍ଷା କରିବାକୁ ସମର୍ଥ ହୋଇପାରୁ ନାହାନ୍ତି। ବିଶେଷ କରି ସରକାର ମାନବିକ ସୁରକ୍ଷା କମିଶନରେ ଅଧିକରୁ ଅଧିକ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦେଇ ଏହାକୁ ଏକରକମ ପ୍ରହସନରେ ପରିଣତ କରୁଛନ୍ତି।

Human Rights

  • Published: Monday, 11 December 2023
  • , Updated: 11 December 2023, 04:59 PM IST

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଜାତୀୟତା ଏପରିକି ରାଜନୈତିକ ବିଚାର ନିର୍ବିଶେଷରେ ବିଶ୍ୱର ସବୁ ମଣିଷର ସମାଜରେ ଜଣେ ମଣିଷ ଭାବେ ରହିଥିବା ମୌଳିକ ଅଧିକାରକୁ ମାନବିକ ଅଧିକାର ବୋଲି କୁହାଯାଇପାରେ। ସ୍ୱାଧୀନତା, ଆତ୍ମସମ୍ମାନ, ସମାନତା, ସ୍ୱାଧୀନ ଚିନ୍ତା ପରି ମୂଲ୍ୟବୋଧ ଉପରେ ଆଧାରିତ ଏହି ଅଧିକାରଟି ଜଣେ ମଣିଷର ଜନ୍ମସିଦ୍ଧ ଅଧିକାର ଅଟେ ଯାହାକୁ ତା’ଠାରୁ କୌଣସି ପରିସ୍ଥିତିରେ ବିଛିନ୍ନ କରାଯାଇ ନପାରେ। କିନ୍ତୁ ପରିତାପର ବିଷୟ ଯେ ମଣିଷର ଏହି ଜନ୍ମସିଦ୍ଧ ଅଧିକାରକୁ ଉଚ୍ଛେଦ କରିବାକୁ ଅଥବା ସଙ୍କୁଚିତ କରିବାକୁ ଶାସନରେ ଥିବା ଲୋକେ ସବୁବେଳେ ଉଦ୍ୟମ କରି ଆସିଛନ୍ତି। ଅନେକ କ୍ଷେତ୍ରରେ ମଣିଷକୁ ତା’ର ଉପରୋକ୍ତ ଅଧିକାରରୁ ବଂଚିତ କରାଯିବା ସହିତ ରାଷ୍ଟ୍ରଯନ୍ତ୍ରର ସହାୟତାରେ ତା ଉପରେ ଦମନ ଓ ଅତ୍ୟାଚାର ଚଳାଇ ତା’ର କଣ୍ଠରୋଧ କରିବା ବି ଦେଖାଯାଇଛି। ବଳ ପ୍ରୟୋଗ କରି ନାଗରିକର ବଂଚିବାର ତଥା ସ୍ୱାଧୀନ ଭାବେ ମତ ପ୍ରକାଶ କରିବାର ଅଧିକାରକୁ ସଙ୍କୁଚିତ କରି ଅଥବା ଉଚ୍ଛେଦ କରି ନିଜକୁ ଅଧିକ ନିରଙ୍କୁଶ କରିବାକୁ ରାଷ୍ଟ୍ର ବାରମ୍ବାର ଚାହିଁ ଆସିଛି।

ଶାସକ ଶ୍ରେଣୀର ଶୋଷଣ ଏବଂ ଦମନର ଉଦ୍ୟମ ବିରୁଦ୍ଧରେ ଶୋଷଣ ଏବଂ ନିର୍ଯ୍ୟାତନାରୁ ମୁକ୍ତ ହୋଇ ଏକ ସ୍ୱାଧୀନ ତଥା ସମ୍ମାନଜନକ ଜୀବନ ଯାପନ ପାଇଁ ମଣିଷର ଆକାଂକ୍ଷା ଓ ସଂଗ୍ରାମ ହିଁ ବିଶ୍ୱରେ ମାନବିକ ଅଧିକାରର ଧାରଣାଟିକୁ ଜନ୍ମ ଦେଇଛି। ବିଶେଷ କରି ୟୁରୋପରେ ଶିଳ୍ପ ବିପ୍ଳବ ସମୟରେ ସମାଜରେ ବ୍ୟାପକ ଜନଗଣଙ୍କ ମଧ୍ୟରେ ସାମନ୍ତବାଦୀ ଶାସନ ବିରୁଦ୍ଧରେ ଯେଉଁ ପ୍ରତିବାଦ ଓ ବିଦ୍ରୋହ ସୃଷ୍ଟି ହୋଇଥିଲା ତା’ର ଅନ୍ତରାଳରେ ମାନବିକ ଅଧିକାରର ଧାରଣା ରହିଥିଲା। ସମାନତା, ମୁକ୍ତି, ଗଣତନ୍ତ୍ରର ସ୍ଳୋଗାନ ଦେଇ ପୁଞ୍ଜିପତି ଶ୍ରେଣୀ ସାଧାରଣ ଜନତାଙ୍କୁ ଆନ୍ଦୋଳିତ କରାଇ ଦେଶ ପରେ ଦେଶ ସାମନ୍ତବାଦୀ ଶୋଷଣର ପରିସମାପ୍ତି ଘଟେଇଥିଲା। କିନ୍ତୁ ସେମାନଙ୍କ ସେହି ଅଧକାର ମଧ୍ୟରେ ଲୋକଙ୍କର ଅର୍ଥନୈତିକ ଅଧିକାର ସ୍ଥାନ ପାଇପାରି ନଥିଲା। ପୁଞ୍ଜପତି ଶ୍ରେଣୀ ନିଜର ସ୍ୱାର୍ଥ ଦୃଷ୍ଟିରୁ କେବଳ ରାଜନୈତିକ ଅଧିକାର ବା ଗଣତାନ୍ତ୍ରିକ ଅଧିକାର କଥା ତ କହୁଥିଲେ। କିନ୍ତୁ ପୁଞ୍ଜିବାଦୀ-ସାମ୍ରାଜ୍ୟବାଦୀ ଶୋଷଣରୁ ମୁକ୍ତିର କଥା ଆଦୌ କହୁନଥିଲେ। ବିଶ୍ୱରେ ଶ୍ରମିକ ଶ୍ରେଣୀର ଆନ୍ଦୋଳନ ଗତିଶୀଳ ହେବା ପରେ ବିଶେଷ କରି ଋଷରେ ସମାଜବାଦୀ ବିପ୍ଳବ ସଫଳ ହେବା ପରେ ହିଁ ଅର୍ଥନୈତିକ ଅଧିକାର ବି ଅନ୍ୟତମ ମାନବିକ ଅଧିକାର ଭାବେ ସ୍ୱୀକୃତି ଲାଭ କଲା।

ବିଶ୍ୱରେ ମାନବିକ ଅଧିକାରର ଧାରଣାଟି ପୁରୁଣା ହେଲେ ବି ତା’ ଉପରେ ଆନୁଷ୍ଠାନିକ ଆଲୋଚନାଟି ବେଶୀ ପୁରୁଣା ନୁହେଁ। ବିଶେଷ କରି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କୋଟି କୋଟି ସାଧାରଣ ମଣିଷଙ୍କ ଉପରେ ହିଟଲର ନେତୃତ୍ୱରେ ହୋଇଥିବା ଲୋମ ହର୍ଷଣକାରୀ ଅତ୍ୟାଚାର ଓ ନରସଂହାରର ଘଟଣା ବିଶ୍ୱରେ ପ୍ରଥମ ଥର ପାଇଁ ମାନବିକ ଅଧିକାର ନେଇ ଆଲୋଚନାକୁ ବ୍ୟାପକ କରିବା ସହିତ ଏ ଦିଗରେ ଅନ୍ତର୍ଜାତୀୟ ସ୍ତରରେ ହସ୍ତକ୍ଷେପ କରିବାକୁ ଦେଶମାନଙ୍କୁ ବାଧ୍ୟ କରିଥିଲା। ଏହି କ୍ରମରେ ୧୯୪୮ ମସିହାରେ ମିଳିତ ଜାତିସଂଘ ଦ୍ୱାରା ଆହୂତ ବୈଠକରେ ବିଶ୍ୱର ଅନେକ ଦେଶର ରାଷ୍ଟ୍ରମୁଖ୍ୟମାନେ ଅଂଶ ଗ୍ରହଣ କରି ମାନବିକ ଅଧିକାରର ସୁରକ୍ଷା ପାଇଁ ଏକ ସାର୍ବଜନିନ ଘୋଷଣା ପତ୍ର (ସନନ୍ଦ)ରେ ସ୍ୱାକ୍ଷର କରିବା ସହିତ ପ୍ରତିବର୍ଷ ଡ଼ିସେମ୍ବର ୧୦ ତାରିଖକୁ ‘ବିଶ୍ୱ ମାନବ ଅଧିକାର ଦିବସ’ ରୂପେ ପାଳନ କରିବାକୁ ସହମତ ହୋଇଥିଲେ।

ଆମ ଦେଶରେ ମଧ୍ୟ ମାନବିକ ଅଧିକାରର ଧାରଣା ସର୍ବପ୍ରଥମେ ଉପନିବେଶ ବିରୋଧୀ ସଂଘର୍ଷ ମଧ୍ୟରୁ ଜନ୍ମ ନେଇଥିଲା। ବ୍ରିଟିଶ ଶାସନ ଦ୍ୱାରା ସ୍ୱାଧୀନତା ଆନ୍ଦୋଳନ ଉପରେ ସେମାନଙ୍କ ବ୍ୟାପକ ଦମନ, ରାଓଲଟ୍ ଆଇନ, ଧାରା ୧୪୪, ଦେଶଦ୍ରୋହ ପରି କଳା ଆଇନର ପ୍ରଣୟନ ଭାରତୀୟ ଜନତା ବିଶେଷ କରି ଶିକ୍ଷିତ ଭାରତୀୟଙ୍କ ମଧ୍ୟରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ରାଓଲଟ୍ ଆଇନର ବିରୁଦ୍ଧରେ ଦେଶର ବ୍ୟାପକ ଜନତାଙ୍କ ଆନ୍ଦୋଳନ, ଜାଲିଆନାୱାଲାବାଗ୍‌ର ନରସଂହାର ବିରୁଦ୍ଧରେ ଦେଶବ୍ୟାପି ପ୍ରତିବାଦ, ଐତିହାସିକ ନୌବିଦ୍ରୋହର ଅଧିକାରୀମାନଙ୍କ ସାମରିକ ଅଦାଲତରେ ବିଚାରଣା ବିରୁଦ୍ଧରେ ପ୍ରତିବାଦ, ଏତଦବ୍ୟତିତ ଶହୀଦ ଭଗତ ସିଂ ଓ ଅନ୍ୟ ବିପ୍ଳବୀମାନଙ୍କ ଫାଶୀଦଣ୍ଡ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିକ୍ରିୟା ଦେଶରେ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ଲୋକଙ୍କ ଭାଗିଦାରୀର ବଳିଷ୍ଠ ଉଦାହରଣ ଥିଲା। ସେତେବେଳେ ମାନବିକ ଅଧିକାରର ବିଧିବଦ୍ଧ ଧାରଣା ନଥିଲେ ବି ଲୋକେ ରାଷ୍ଟ୍ର ଦ୍ୱାରା ଭାରତୀୟମାନଙ୍କ ମାନବିକ ଅଧିକାରକୁ ହନନ କରାଯାଉଛି ବୋଲି ଅନୁଭବ କରି ତା’ର ସୁରକ୍ଷା ପାଇଁ ଆଗେଇ ଆସିଥିଲେ।

କିନ୍ତୁ ପରିତାପର ବିଷୟ, ୧୯୪୭ରେ ବ୍ରିଟିଶ ଯିବା ପରେ ଦେଶରେ କ୍ଷମତାସୀନ ହୋଇଥିବା ଶାସକମାନେ ନା କେବଳ ବ୍ରିଟିଶ ସରକାରର ପୋଲିସ, ସେନା ବାହିନୀ ଓ ପ୍ରଶାସନ ପରି ଦମନକାରୀ ରାଷ୍ଟ୍ରଯନ୍ତ୍ରକୁ ଅବିକଳ ଅବ୍ୟାହତ ରଖିଲେ ବରଂ ସେମାନଙ୍କ କଳା ଆଇନ ଓ ଦମନକାରୀ ନୀତିକୁ ମଧ୍ୟ ଗୋଟା ପଣେ ଆପଣେଇବା ଦେଖିବାକୁ ମିଳିଲା। ପୂର୍ବଭଳି ଦେଶଦ୍ରୋହ ଆଇନ ସମେତ ବ୍ରିଟିଶ ଶାସନର ସବୁ କଳା ଆଇନକୁ ଅବ୍ୟାହତ ରଖିବା ସହ ଆହୁରି ନୂତନ ଭାବେ ସଶସ୍ତ୍ର ବଳ (ସ୍ୱତନ୍ତ୍ର କ୍ଷମତା) ଆଇନ - ୧୯୫୮ (ଆଫ୍‌ସ୍ପା), ଜାତୀୟ ନିରାପତ୍ତା ଆଇନ (ନାସା), ପବ୍ଳିକ୍ ସେଫ୍ଟି ଆଇନ, ପ୍ରତିଷେଧକ ମୂଳକ ଅଟକ ଆଇନ (ପିଡିଏ), ପୋଟା ବା ଏବର ବେଆଇନ କାର୍ଯ୍ୟକଳାପ (ରୋଧ) ଆଇନ (ୟୁଏପିଏ), ଏନ୍‌ଆଇଏ ଆଇନ ପରି ଭଳିକି ଭଳି କଳା ଆଇନ ତିଆରି କରି ତାରି ଜରିଆରେ ଜନଗଣଙ୍କ ଉପରେ ଦମନକୁ ବଢ଼ାଇଲେ। ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ କଣ୍ଠରୋଧ କରିବାକୁ ଲାଗିଲେ। କେନ୍ଦ୍ର ସରକାର ଦୁଇ ବର୍ଷ ତଳେ ଏନ୍‌ଆଇଏ ଆଇନ, ୟୁଏପିଏ ଓ ପିଏମ୍‌ଏଲ୍‌ଏ ଆଇନରେ ସଂଶୋଧନ କରି ତାକୁ ଅଧିକ କଠୋର କରି ପୋଲିସର କ୍ଷମତାକୁ ବଢ଼ାଇ ଯେପରି ଅଭିଯୁକ୍ତମାନଙ୍କୁ ବିନା କାରଣରେ ବର୍ଷ ବର୍ଷ ଧରି ଅଟକ ରଖାଯିବା ବ୍ୟବସ୍ଥା କରି ଦିଆଗଲା। ଏହିକ୍ରମରେ ୟୁଏପିଏ ଆଇନ ବଳରେ ଉତ୍ତର ପ୍ରଦେଶର ପୋଲିସ ଦ୍ୱାରା ବିନା କାରଣରେ ଦିର୍ଘ ତିନି ବର୍ଷ ଧରି ଜେଲରେ ବନ୍ଦ ରହିଥିବା କେରଳର ଜନୈକ ସାମ୍ବାଦିକ ସିଦ୍ଦି କୋପାନଙ୍କୁ ଏବେ ଅଦାଲତ ଜାମିନ ଦେଇଥିବା ବେଳେ ସେହି ଏକା ଅଭିଯୋଗରେ ଜେଏନ୍‌ୟୁର ଛାତ୍ରନେତା ଉମର ଖାଲିଦ୍‌ଙ୍କୁ ଦିଲ୍ଲୀ ପୋଲିସ ଗତ ତିନି ବର୍ଷରୁ ଅଧିକ ସମୟ ଧରି ବେଆଇନ ଭାବେ ଅଟକ ରଖିଛି। ଉଭୟ କ୍ଷେତ୍ରରେ ଭିନ୍ନମତ ପୋଷଣ କରୁଥିବା ନାଗରିକଙ୍କ ଉପରେ ସରକାର ମିଥ୍ୟା ମୋକଦ୍ଦମା ଲଗାଇ ସେମାନଙ୍କ ମାନବିକ ଅଧିକାରକୁ ଉଲଂଘନ କରିଛନ୍ତି।

ଅତିତରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଜରୁରୀ ପରିସ୍ଥିତିର ଘୋଷଣା ଏବଂ ବିରୋଧୀ ରାଜନୈତିକ କର୍ମୀ ଓ ଗଣମାଧ୍ୟମ ଉପରେ ରାଷ୍ଟ୍ର ପ୍ରାୟୋଜିତ ଫାଶିଷ୍ଟ ଦମନ ଆମ ଦେଶରେ ମାନବିକ ବା ନାଗରିକ ଅଧିକାର ଉପରେ ଆକ୍ରମଣର ଏକ ବଡ଼ ଘଟଣା ଥିଲା। ଆଜି ଅଘୋଷିତ ଭାବେ ଜରୁରୀ ପରିସ୍ଥିତି ଭଳି ରାଷ୍ଟ୍ର ଦମନ ବଢ଼ିବାରେ ଲାଗିଛି। ସରକାର ସହ ଭିନ୍ନମତ ପୋଷଣ କରୁଥିବା ବୁଦ୍ଧିଜୀବି, ସାମାଜିକ, ରାଜନୈତିକ କର୍ମୀ ଏପରିକି ସାମ୍ବାଦିକମାନଙ୍କ ବିରୁଦ୍ଧରେ ଆଗପଛ ବିଚାର ନକରି ସନ୍ତ୍ରାସବାଦ ବିରୋଧି ଆଇନ ୟୁଏପିଏ ଲଗାଯାଉଥିବା ବେଳେ ନିଜର ରାଜନୈତିକ ବିରୋଧିମାନଙ୍କୁ ଆତଙ୍କିତ ଅଥବା ପ୍ରତାଡ଼ିତ କରିବା ପାଇଁ ପିଏମ୍‌ଏଲ୍‌ଏ ଆଇନର ମନଇଛା ବ୍ୟବହାର କରିବାକୁ ଇଡିକୁ ଏକ ପ୍ରକାର ଫ୍ରି ହ୍ୟାଣ୍ଡ୍ ଦିଆହୋଇଛି। ଇଡ଼ି, ସିବିଆଇ ଓ ଆୟକର ବିଭାଗ ପରି କେନ୍ଦ୍ରୀୟ ଏଜେନ୍ସୀମାନେ ଦେଶ ସାରା ବିରୋଧି ଦଳମାନଙ୍କର ନେତା ଓ ସମର୍ଥକମାନଙ୍କ ଉପରେ ଯେଉଁ ଚଢ଼ାଉ ଓ ଗିରଫଦାରୀ କରୁଛନ୍ତି, ତାହା ଆଜି ଆଉ ଲୁଚି ରହିନାହିଁ। ସରକାରୀ ଦଳ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ସରକାରୀ ଏଜେନ୍ସୀମାନଙ୍କ ଦୁରୁପଯୋଗ କରି ନିଜର ରାଜନୈତିକ ବିରୋଧିମାନଙ୍କୁ ପ୍ରତାଡ଼ିତ କରିବା ମାନବିକ ଅଧିକାରର ଖୋଲା ଉଲଂଘନ ବୋଲି କୁହାଯିବ।

ମାନବିକ ଅଧିକାରର ପରିଭାଷା ଅତ୍ୟନ୍ତ ବ୍ୟାପକ। ତାକୁ କୌଣସି ସଙ୍କୀର୍ଣ୍ଣ ସୀମା ମଧ୍ୟରେ ଆବଦ୍ଧ କରାଯାଇ ନପାରେ। ଏହା ଆଦୌ ସ୍ଥିର ନୁହେଁ, ବରଂ ଏକ ବିକାଶମାନ ଓ ନିରନ୍ତର ପ୍ରକ୍ରିୟା। ଦିନ ଥିଲା, ମାନବିକ ଅଧିକାର କହିଲେ କେବଳ ରାଷ୍ଟ୍ର ଦ୍ୱାରା ନିର୍ଦ୍ଧାରିତ ରାଜନୈତିକ ବା ଗଣତାନ୍ତ୍ରିକ ଅଧିକାରକୁ ହିଁ ବୁଝା ଯାଉଥିଲା। ଜଣେ ବ୍ୟକ୍ତିକୁ ରାଷ୍ଟ୍ର ପ୍ରଦତ୍ତ ଏହିସବୁ ଗଣତାନ୍ତ୍ରିକ ଅଧିକାରରୁ ବଂଚିତ କରିବା ସ୍ଥିତିରେ ହିଁ ତା’ର ମାନବିକ ଅଧିକାରର ଉଲଂଘନ ହେଉଛି ବୋଲି କୁହାଯାଉଥିଲା। କିନ୍ତୁ ସମାଜର ବିକାଶ ସହିତ ଗତ କିଛି ଦଶନ୍ଦି ମଧ୍ୟରେ ମାନବିକ ଅଧିକାରର ଏହି ପରିଭାଷା ଓ ପରିସୀମାଟି ମଧ୍ୟ ବଦଳି ପୂର୍ବାପେକ୍ଷା ଅଧିକ ବ୍ୟାପକ ହୋଇଛି। ବର୍ତ୍ତମାନ ଖାଦ୍ୟ ପାଇବାର ଅଧିକାର, ବାସଗୃହ ପାଇବାର ଅଧିକାର, ପ୍ରଦୂଷଣମୁକ୍ତ ପରିବେଶର ଅଧିକାର, ଲିଙ୍ଗଗତ ବିଭେଦରୁ ମୁକ୍ତିର ଅଧିକାର, ଜାତିଗତ ନିର୍ଯ୍ୟାତନାରୁ ମୁକ୍ତିର ଅଧିକାର, ଜାତୀୟତାର ଅଧିକାର, ଶିଶୁମାନଙ୍କ ଅଧିକାର ଏପରିକି ସମଲିଙ୍ଗୀମାନଙ୍କ ଅଧିକାର ବି ମାନବିକ ଅଧିକାରର ପରିଭାଷାରେ ସାମିଲ ହୋଇ ଏହାର ସୀମାକୁ ଅନେକ ମାତ୍ରାରେ ପ୍ରସାରିତ କରିଦେଇଛି। ଭବିଷ୍ୟତରେ ମାନବିକ ଅଧିକାରର ଏହି ପରିସୀମା ଆହୁରି ଯେତେ ଅଧିକ ପ୍ରସାରିତ ହେବ ତାହା ସମାଜକୁ ସେତେ ସଭ୍ୟ, ଉନ୍ନତ ଓ ସମ୍ବେଦନଶୀଳ ଯେ କରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ତେବେ ମାନବ ଅଧିକାରର ସୁରକ୍ଷା ପାଇଁ ଜାତିସଂଘର ତତ୍ୱାବଧାନରେ ସାର୍ବଜନିନ ଘୋଷଣାର ସାତ ଦଶନ୍ଧି ପରେ ବି ଆଜି ଆମ ଦେଶରେ ମାନବିକ ଅଧିକାରର ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି। ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟସେବା ପରି ମାନବିକ ଅଧିକାର କ୍ଷେତ୍ରରେ ଆମେ ବିଶ୍ୱର ଅନେକ ପଛୁଆ ଦେଶଙ୍କଠାରୁ ବି ପଛରେ ରହିଛେ। ଦେଶରେ ଅନେକ ଗୁଡ଼ିଏ କଳା ଆଇନ ଅବ୍ୟାହତ ଥିବା ବେଳେ ପୋଲିସ ଏବଂ ସାମରିକ ବାହିନୀ ଦ୍ୱାରା ମାନବିକ ଅଧିକାର ଉଲଂଘନର ହଜାର ହଜାର ଘଟଣା ସାମନାକୁ ଆସୁଛି। ଏପରିକି ବିନା ବିଚାରରେ ଦେଶର ଜେଲମାନଙ୍କରେ ଲକ୍ଷ ଲକ୍ଷ ଗରିବ ଲୋକ (ଯେଉଁମାନଙ୍କ ମଧ୍ୟରେ ସର୍ବାଧିକ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଛନ୍ତି) ତାହା ବି ସେମାନଙ୍କ ମାନବିକ ଅଧିକାରର ସିଧାସଳଖ ଉଲଂଘନ ଅଟେ।

ଅନ୍ୟପଟେ ଦେଶରେ ପୋଲିସ ଓ ସେନା ହାଜତରେ ହତ୍ୟାର ଘଟଣା ପ୍ରତିବର୍ଷ ବୃଦ୍ଧି ପାଉଥିବା ବେଳେ ମାଓବାଦୀ ଓ ଉଗ୍ରବାଦୀ ନାଁରେ ଅବିଚାରିତ ଗିରଫଦାରୀ ଏବଂ ମିଥ୍ୟା ଗୁଳି ବିନିମୟରେ ହତ୍ୟା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। କି଼ଛି ବର୍ଷ ତଳେ ହାଇଦ୍ରାବାଦରେ ଏକ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତ୍ୱରିତ୍ ନ୍ୟାୟ ଦେବା ନାଁରେ ଚାରି ଜଣ ଅଭିଯୁକ୍ତ ପୋଲିସ ହେପାଜତରେ ଥିବା ବେଳେ ଅତ୍ୟନ୍ତ ସୁନିୟୋଜିତ ହତ୍ୟା ଦେଶରେ ପୋଲିସ ଦ୍ୱାରା ମାନବିକ ଅଧିକାର ଉଲଂଘନର ଏକ ଉଦାହରଣ ବୋଲି କୁହାଯାଇପାରେ। ପରେ ଏହି ଘଟଣାରେ ଖୋଦ ଦେଶର ମୁଖ୍ୟ ବିଚାରପତି ଅସନ୍ତୋଷ ବ୍ୟକ୍ତ କରି ତ୍ୱରିତ ନ୍ୟାୟ ନାଁରେ ପ୍ରତିଶୋଧାତ୍ମକ ହତ୍ୟା ନ୍ୟାୟର ପରିପନ୍ଥୀ ବୋଲି କହିବା ସହ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦେଇଥିଲେ। କିଛିମାସ ତଳେ ଏହି ଘଟଣା ଏକ ସୁନିୟୋଜିତ ହତ୍ୟା ଥିଲା ବୋଲି ତଦନ୍ତରୁ ଜଣାପଡ଼ିବା ପରେ ଅଭିଯୁକ୍ତ ପୋଲିସ ଅଧିକାରୀମାନେ ଏବେ ଜେଲ୍‌ରେ ଅଛନ୍ତି।

ଗତ କିଛି ବର୍ଷ ମଧ୍ୟରେ ଦେଶରେ ଜାତିବାଦୀ ଓ ସାଂପ୍ରଦାୟିକ ଶକ୍ତିଙ୍କ ପ୍ରଭାବ ବଢ଼ିବା ସହ ସମାଜର ସଂଖ୍ୟାଲଘୁ ଏବଂ ଦଳିତଙ୍କ ଅଧିକାର କ୍ଷୁର୍ଣ୍ଣ ହେବାରେ ଲାଗିଛି। ସଂଖ୍ୟାଲଘୁମାନଙ୍କ ଧାର୍ମିକ ଅଧିକାର ଉପରେ ଲଗାତାର ଆକ୍ରମଣ ଚାଲିଛି। ନିକଟରେ ଆନ୍ତର୍ଜାତିକ ମାନବିକ ଅଧିକାର ସଂସ୍ଥା ‘ହ୍ୟୁମାନ ରାଇଟସ୍ ୱାଚ୍‌’ର ରିପୋର୍ଟ ଅନୁସାରେ ଭାରତରେ ମାନବିକ ଅଧିକାରଟି ଅତି ଭୟଙ୍କର ସ୍ଥିତିରେ ରହିଛି। ‘ଗୋ ସୁରକ୍ଷା’, ‘ଲଭ ଜିହାଦ୍‌’ ଆଦି ନାଁରେ ସେମାନଙ୍କ ଉପରେ ପାଶବିକ ଆକ୍ରମଣ ବିଶେଷ କରି ଭିଡ଼ଦ୍ୱାରା ହତ୍ୟାର ଘଟଣା ସବୁ ଭୟଙ୍କର ଭାବେ ବୃଦ୍ଧି ପାଇଛି। ଭିନ୍ନମତ ପୋଷଣ କରୁଥିବା ସମାଜର ଲେଖକ, ସାମ୍ବାଦିକ, ବୁଦ୍ଧିଜୀବୀ, ହେତୁବାଦୀ ଏପରିକି ରାଜନୈତିକ କର୍ମୀଙ୍କ ଉପରେ ରାଷ୍ଟ୍ର ଓ ତା’ର ପ୍ରୋତ୍ସାହନରେ ମୌଳବାଦୀ ଶକ୍ତିଙ୍କ ଦ୍ୱାରା ଖୋଲାଖୋଲି ଭାବେ ଆକ୍ରମଣ ହେଉଛି।

୧୯୭୫ ମସିହାର ଜରୁରୀ ପରିସ୍ଥିତି ସମୟରେ ରାଷ୍ଟ୍ର ସନ୍ତ୍ରାସ ବିରୁଦ୍ଧରେ ମାନବିକ ଅଧିକାରର ସୁରକ୍ଷା ପାଇଁ ଆନ୍ଦୋଳନ ବ୍ୟାପକ ହେବା ସହ ପ୍ରଥମ ଥର ପାଇଁ ଦେଶରେ ଏକ ମାନବିକ ଅଧିକାର ସଂଗଠନ ପିୟୁସିଏଲ୍ ଗଠିତ ହୋଇଥିଲା। ଆଜି ଦେଶରେ ଏକାଧିକ ମାନବିକ ଅଧିକାର ସଙ୍ଗଠନ କାମ କରିବା ଶହ ଶହ ମାନବିକ ଅଧିକାର କର୍ମକର୍ତ୍ତା କାମ କରିବା ଦେଖିବାକୁ ମିଳୁଛି। ତେବେ ଏହି ମାନବିକ ଅଧିକାର କର୍ମିମାନେ ବି ରାଷ୍ଟ୍ରର ଆକ୍ରମଣରୁ ସୁରକ୍ଷିତ ନୁହଁନ୍ତି।

ତେବେ ସବୁଠାରୁ ଉଦ୍‌ବେଗର ବିଷୟ ହେଲା ଉପରୋକ୍ତ ମାନବିକ ଅଧିକାର ଉଲଂଘନର ଗୁରୁତ୍ତର ଘଟଣା ଗୁଡ଼ିକରେ ଦେଶର ବିଚାର ବିଭାଗର ସକ୍ରୀୟତାର ଅଭାବ ଲୋକଙ୍କୁ ଏକଦମ୍ ହତାଶ କରିଛି। ଜନଗଣଙ୍କ ଦାବୀ ଫଳରେ ଦେଶରେ ଓ ବିଭିନ୍ନ ରାଜ୍ୟରେ ମାନବିକ ଅଧିକାର କମିଶନ ଗଠିତ ହୋଇଥିଲେ ମଧ୍ୟ ସେସବୁର କାର୍ଯ୍ୟ ଓ କ୍ଷମତା ଅତ୍ୟନ୍ତ ସୀମୀତ ଥିବାରୁ ସେମାନେ ଜନଗଣଙ୍କ ମାନବିକ ଅଧିକାରର ସୁରକ୍ଷା କରିବାକୁ ସମର୍ଥ ହୋଇପାରୁ ନାହାନ୍ତି। ବିଶେଷ କରି ସରକାର ମାନବିକ ସୁରକ୍ଷା କମିଶନରେ ଅଧିକରୁ ଅଧିକ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦେଇ ଏହାକୁ ଏକରକମ ପ୍ରହସନରେ ପରିଣତ କରୁଛନ୍ତି। ଏଭଳି ପରିସ୍ଥିତିରେ ଦେଶରେ ମାନବିକ ଅଧିକାରର ସୁରକ୍ଷା ପାଇଁ ୟୁଏପିଏ, ଆଫ୍‌ସା, ନାସା, ଦେଶଦ୍ରୋହ ଆଇନ ଭଳି କଳା ଆଇନକୁ ଉଚ୍ଛେଦ କରିବା ସହିତ ଅଧିକାରର ଉଲଂଘନ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ତଥା ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ବିଶେଷ କରି ସମାଜର ତୃଣମୂଳ ସ୍ତରରେ ରହି ଯେଉଁମାନେ ମାନବିକ ଅଧିକାରର ରକ୍ଷା ପାଇଁ କାମ କରୁଛନ୍ତି ସେମାନଙ୍କୁ ଆଇନଗତ ସୁରକ୍ଷା ଦେବା ନିହାତି ଜରୁରୀ ହୋଇପଡ଼ିଛି।

ଫୋନ - ୯୪୩୭୧୬୬୩୯୧

Related story