Advertisment

ମାନବିକ ଅଧିକାର ଆଜି କେତେ ସୁରକ୍ଷିତ?

ସରକାର ମାନବିକ ସୁରକ୍ଷା କମିଶନରେ ଅଧିକରୁ ଅଧିକ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦେଇ ଏହାକୁ ଏକରକମ ପ୍ରହସନରେ ପରିଣତ କରୁଛନ୍ତି। ଏଭଳି ପରିସ୍ଥିତିରେ ଦେଶରେ ମାନବିକ ଅଧିକାରର ସୁରକ୍ଷା ପାଇଁ ୟୁଏପିଏ, ଆଫ୍ସା, ନାସା, ଦେଶଦ୍ରୋହ ଆଇନ ଭଳି କଳା ଆଇନକୁ ଉଚ୍ଛେଦ କରିବା ସହିତ ଅଧିକାରର ଉଲଂଘନ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ତଥା ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।

human rights

Representative Image Photograph: (Internet)

Advertisment

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଜାତୀୟତା ଏପରିକି ରାଜନୈତିକ ବିଚାର ନିର୍ବିଶେଷରେ ବିଶ୍ୱର ସବୁ ମଣିଷର ଜଣେ ମଣିଷ ଭାବେ ରହିବାର ମୌଳିକ ଅଧିକାରକୁ ମାନବିକ ଅଧିକାର ବୋଲି କୁହାଯାଇପାରେ। ସ୍ୱାଧୀନତା, ଆତ୍ମସମ୍ମାନ, ସମାନତା, ସ୍ୱାଧୀନ ଚିନ୍ତା ପରି ମୂଲ୍ୟବୋଧ ଉପରେ ଆଧାରିତ ଏହି ଅଧିକାରଟି ଜଣେ ମଣିଷର ଜନ୍ମସିଦ୍ଧ ଅଧିକାର ଅଟେ ଯାହାକୁ ତା’ଠାରୁ କଦାପି ବିଛିନ୍ନ କରାଯାଇ ନପାରେ। କିନ୍ତୁ ପରିତାପର ବିଷୟ ଯେ ମଣିଷର ଏହି ଜନ୍ମସିଦ୍ଧ ଅଧିକାରକୁ ଉଚ୍ଛେଦ କରିବାକୁ ଅଥବା ସଙ୍କୁଚିତ କରିବାକୁ ଶାସନରେ ଥିବା ଲୋକେ ସବୁବେଳେ ଉଦ୍ୟମ କରି ଆସିଛନ୍ତି। ଅନେକ କ୍ଷେତ୍ରରେ ମଣିଷକୁ ତା’ର ଉପରୋକ୍ତ ଅଧିକାରରୁ ବଂଚିତ କରାଯିବା ସହିତ ରାଷ୍ଟ୍ରଯନ୍ତ୍ରର ସହାୟତାରେ ତା ଉପରେ ଦମନ ଓ ଅତ୍ୟାଚାର ଚଳାଇ ତାର କଣ୍ଠରୋଧ କରିବା ଦେଖାଯାଇଛି। ବଳ ପ୍ରୟୋଗ କରି ନାଗରିକର ବଂଚିବାର ତଥା ସ୍ୱାଧୀନ ଭାବେ ମତ ପ୍ରକାଶ କରିବାର ଅଧିକାରକୁ ସଙ୍କୁଚିତ ଅଥବା ଉଚ୍ଛେଦ କରି ନିଜକୁ ଅଧିକ ନିରଙ୍କୁଶ କରିବାକୁ ରାଷ୍ଟ୍ର ବାରମ୍ବାର ଚାହିଁ ଆସିଛି।

Advertisment

ଶାସକ ଶ୍ରେଣୀର ଶୋଷଣ ଏବଂ ଦମନର ଉଦ୍ୟମ ବିରୁଦ୍ଧରେ ଶୋଷଣ ଏବଂ ନିର୍ଯ୍ୟାତନାରୁ ମୁକ୍ତ ହୋଇ ଏକ ସ୍ୱାଧୀନ ତଥା ସମ୍ମାନଜନକ ଜୀବନ ଯାପନ ପାଇଁ ମଣିଷର ଆକାଂକ୍ଷା ଓ ସଂଗ୍ରାମ ହିଁ ବିଶ୍ୱରେ ମାନବିକ ଅଧିକାରର ଧାରଣାଟିକୁ ଜନ୍ମ ଦେଇଛି। ବିଶେଷ କରି ୟୁରୋପରେ ଶିଳ୍ପ ବିପ୍ଳବ ସମୟରେ ସମାଜରେ ବ୍ୟାପକ ଜନଗଣଙ୍କ ମଧ୍ୟରେ ସାମନ୍ତବାଦୀ ଶାସନ ବିରୁଦ୍ଧରେ ଯେଉଁ ପ୍ରତିବାଦ ଓ ବିଦ୍ରୋହ ସୃଷ୍ଟି ହୋଇଥିଲା ତା’ର ଅନ୍ତରାଳରେ ମାନବିକ ଅଧିକାରର ଧାରଣାଟି ରହିଥିଲା। ସମାନତା, ମୁକ୍ତି, ଗଣତନ୍ତ୍ରର ସ୍ଳୋଗାନ ଦେଇ ପୁଞ୍ଜିପତି ଶ୍ରେଣୀ ଦେଶ ପରେ ଦେଶ ସାମନ୍ତବାଦୀ ଶୋଷଣର ପରିସମାପ୍ତି ଘଟେଇଥିଲା। କିନ୍ତୁ ସେମାନଙ୍କ ସେହି ଅଧକାର ମଧ୍ୟରେ ଲୋକଙ୍କର ଅର୍ଥନୈତିକ ଅଧିକାରଟି ସ୍ଥାନ ପାଇପାରି ନଥିଲା। ସେମାନେ ନିଜର ସ୍ୱାର୍ଥ ଦୃଷ୍ଟିରୁ କେବଳ ରାଜନୈତିକ ଅଧିକାର ବା ଗଣତାନ୍ତ୍ରିକ ଅଧିକାର କଥା କହୁଥିଲେ। କିନ୍ତୁ ବିଶ୍ୱରେ ଶ୍ରମିକ ଶ୍ରେଣୀର ଆନ୍ଦୋଳନ ଗତିଶୀଳ ହେବା ପରେ ବିଶେଷ କରି ରୁଷରେ ସମାଜବାଦୀ ବିପ୍ଳବ ପରେ ହିଁ ଅର୍ଥନୈତିକ ଅଧିକାର ବି ମାନବିକ ଅଧିକାର ଭାବେ ସ୍ୱୀକୃତି ଲାଭ କଲା।

ବିଶ୍ୱରେ ମାନବିକ ଅଧିକାରର ଧାରଣାଟି ପୁରୁଣା ହେଲେ ବି ତା’ ଉପରେ ଆନୁଷ୍ଠାନିକ ଆଲୋଚନାଟି ବେଶୀ ପୁରୁଣା ନୁହେଁ। ବିଶେଷ କରି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କୋଟି କୋଟି ସାଧାରଣ ମଣିଷଙ୍କ ଉପରେ ହିଟଲର ନେତୃତ୍ୱରେ ହୋଇଥିବା ଅତ୍ୟାଚାର ଓ ହତ୍ୟାର ଲୋମହର୍ଷଣକାରୀ ଘଟଣା ବିଶ୍ୱରେ ପ୍ରଥମ ଥର ପାଇଁ ମାନବିକ ଅଧିକାର ନେଇ ଆଲୋଚନାକୁ ବ୍ୟାପକ କରିବା ସହିତ ଏ ଦିଗରେ ଆର୍ନ୍ତଜାତୀୟ ସ୍ତରରେ ହସ୍ତକ୍ଷେପ କରିବାକୁ ଦେଶମାନଙ୍କୁ ବାଧ୍ୟ କରିଥିଲା। ଏହି କ୍ରମରେ ୧୯୪୮ ମସିହାରେ ମିଳିତ ଜାତିସଂଘ ଦ୍ୱାରା ଆହୂତ ବୈଠକରେ ବିଶ୍ୱର ଅନେକ ଦେଶର ରାଷ୍ଟ୍ରମୁଖ୍ୟମାନେ ଅଂଶ ଗ୍ରହଣ କରି ମାନବିକ ଅଧିକାରର ସୁରକ୍ଷା ପାଇଁ ଏକ ସାର୍ବଜନିନ ଘୋଷଣା ପତ୍ର (ସନନ୍ଦ)ରେ ସ୍ୱାକ୍ଷର କରିବା ସହିତ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖକୁ ମାନବ ଅଧିକାର ଦିବସ ରୂପେ ପାଳନ କରିବାକୁ ସହମତ ହୋଇଥିଲେ।

Advertisment

ଆମଦେଶରେ ମଧ୍ୟ ମାନବିକ ଅଧିକାରର ଧାରଣାଟି ସର୍ବପ୍ରଥମେ ଉପନିବେଶ ବିରୋଧୀ ସଂଘର୍ଷ ମଧ୍ୟରୁ ଜନ୍ମ ନେଇଥିଲା। ବ୍ରିଟିଶ ଶାସନ ଦ୍ୱାରା ସ୍ୱାଧୀନତା ଆନ୍ଦୋଳନ ଉପରେ ବ୍ୟାପକ ଦମନ, ରାଓଲଟ୍ ଆଇନ, ଧାରା ୧୪୪, ଦେଶଦ୍ରୋହ ପରି କଳା ଆଇନର ପ୍ରଣୟନ ଭାରତୀୟ ଜନତା ବିଶେଷ କରି ଶିକ୍ଷିତ ଭାରତୀୟଙ୍କ ମଧ୍ୟରେ ବ୍ୟାପକ ପ୍ରତିକ୍ରୀୟା ସୃଷ୍ଟି କରିଥିଲା। ରାଓଲଟ୍ ଆଇନର ବିରୁଦ୍ଧରେ ଦେଶର ବ୍ୟାପକ ଜନତାଙ୍କ ଆନ୍ଦୋଳନ, ଜାଲିଆନାୱାଲାବାଗ୍ ନରସଂହାର, ନୌବିଦ୍ରୋହର ଅଧିକାରୀମାନଙ୍କ ବିଚାରଣା ବିରୁଦ୍ଧରେ ପ୍ରତିବାଦ ଏପରିକି ଶହୀଦ ଭଗତ୍ ସିଂ ଓ ଅନ୍ୟ ବିପ୍ଳବୀମାନଙ୍କ ଫାଶୀ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିକ୍ରିୟାଟି ଦେଶରେ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ଲୋକଙ୍କ ଭାଗିଦାରୀର ବଳିଷ୍ଠ ଉଦାହରଣ ଥିଲା।

୧୯୪୭ରେ ବ୍ରିଟିଶ ଯିବା ପରେ ଦେଶରେ କ୍ଷମତାସୀନ ହୋଇଥିବା ଶାସକମାନେ କେବଳ ବ୍ରିଟିଶ ସରକାରର ପୋଲିସ, ସେନା ବାହିନୀ ଓ ପ୍ରଶାସନ ପରି ଦମନକାରୀ ରାଷ୍ଟ୍ରଯନ୍ତ୍ରକୁ ଅବ୍ୟାହତ ରଖିଲେନି ବରଂ ସେମାନଙ୍କ କଳା ଆଇନ ଓ ଦମନକାରୀ ନୀତିକୁ ଗୋଟାପଣେ ଆପଣେଇବା ଦେଖିବାକୁ ମିଳିଲା। ପୂର୍ବଭଳି ଦେଶଦ୍ରୋହ ଆଇନ ସମେତ ସବୁ କଳା ଆଇନକୁ ଅବ୍ୟାହତ ରଖିବା ସହ ନୂତନ ଭାବେ ସଶସ୍ତ୍ର ବଳ (ସ୍ୱତନ୍ତ୍ର କ୍ଷମତା) ଆଇନ - ୧୯୫୮ (ଆଫ୍‌ସ୍ପା), ଜାତୀୟ ନିରାପତ୍ତା ଆଇନ (ନାସା), ପବ୍ଳିକ୍ ସେଫ୍ଟି ଆଇନ, ପ୍ରତିଷେଧକମୂଳକ ଅଟକ ଆଇନ, ମିସା, ଏସମା, ପୋଟା ବା ଏବର ୟୁଏପିଏ, ଏନ୍‌ଆଇଏ ଆଇନ ପରି ଭଳିକି ଭଳି କଳା ଆଇନ ତିଆରି କରି ତାରି ଜରିଆରେ ଜନଗଣଙ୍କ ଉପରେ ଦମନକୁ ବଢ଼ାଇବା ସହ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ କଣ୍ଠରୋଧ କରି ଆସିଛନ୍ତି। ମୋଦି ସରକାର ଦ୍ୱାରା ଦୁଇ ବର୍ଷ ତଳେ ଏନ୍‌ଆଇଏ ଆଇନ ଓ ୟୁଏପିଏ ଆଇନରେ ସଂଶୋଧନ କରି ତାକୁ ଅଧିକ କଠୋର କରି ପୋଲିସର କ୍ଷମତାକୁ ବଢ଼ାଇବା ଏହି ପ୍ରକ୍ରିୟାର ଅଂଶ ବିଶେଷ ବୋଲି କୁହାଯାଇପାରେ। ପୂର୍ବରୁ ଜଣେ ବ୍ୟକ୍ତି କୌଣସି ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲେ ତା’କୁ ଆତଙ୍କବାଦୀ ଭାବେ ଏହି ଆଇନ ବଳରେ ଗିରଫ କରାଯାଉଥିବା ବେଳେ ବର୍ତ୍ତମାନ କୌଣସି ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇନଥିଲେ ମଧ୍ୟ ଜଣେ ବ୍ୟକ୍ତିକୁ ଆତଙ୍କବାଦୀ ବୋଲି ଚିହ୍ନିତ କରି ଗିରଫ କରି ଏବଂ ବର୍ଷ ବର୍ଷ ଧରି ଜାମିନ ନଦେଇ ଜେଲ୍ ଭିତରେ ରଖାଯାଇ ପାରିବ।

ଅତିତରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଜରୁରୀ ପରିସ୍ଥିତିର ଘୋଷଣା ଏବଂ ବିରୋଧୀ ରାଜନୈତିକ କର୍ମୀ ଓ ଗଣମାଧ୍ୟମ ଉପରେ ରାଷ୍ଟ୍ର ପ୍ରାୟୋଜିତ ଫାଶିଷ୍ଟ ଦମନ ଆମ ଦେଶରେ ମାନବିକ ବା ନାଗରିକ ଅଧିକାର ଉପରେ ଆକ୍ରମଣର ଏକ ବଡ଼ ଘଟଣା ଥିଲା। ଆଜି ଅଘୋଷିତ ଭାବେ ଜରୁରୀ ପରିସ୍ଥିତି ଭଳି ରାଷ୍ଟ୍ର ଦମନ ବଢ଼ିବାରେ ଲାଗିଛି। ସରକାର ସହ ଭିନ୍ନମତ ପୋଷଣ କରୁଥିବା ବୁଦ୍ଧିଜୀବୀ, ସାମାଜିକ, ରାଜନୈତିକ କର୍ମୀ ଏପରିକି ସାମ୍ବାଦିକମାନଙ୍କ ବିରୁଦ୍ଧରେ ବିନା ଦ୍ୱିଧାରେ ସନ୍ତ୍ରାସବାଦ ବିରୋଧି ଆଇନ ୟୁଏପିଏ ଲଗାଯାଉଥିବା ବେଳେ ନିଜର ରାଜନୈତିକ ବିରୋଧିମାନଙ୍କୁ ଆତଙ୍କିତ ଅଥବା ପ୍ରତାଡ଼ିତ କରିବା ପାଇଁ ଇଡ଼ି, ସିବିଆଇ ଓ ଆୟକର ବିଭାଗକୁ ମନଇଛା ବ୍ୟବହାର କରୁଛନ୍ତି। ବେଆଇନ ଅର୍ଥ କାରବାରକୁ ଧରିବା ପାଇଁ ତିଆରି ପିଏମ୍‌ଏଲ୍‌ଏ ଆଇନକୁ ସରକାରୀ ଦଳର ରାଜନୈତିକ ବିରୋଧିଙ୍କ ବିରୁଦ୍ଧରେ ମନଇଛା ବ୍ୟବହାର କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)କୁ ଏକ ପ୍ରକାର ମୁକ୍ତ ହସ୍ତ ପ୍ରଦାନ କରାଯାଇଛି।

ମାନବିକ ଅଧିକାରର ପରିଭାଷାଟି ଅତ୍ୟନ୍ତ ବ୍ୟାପକ, ତା’କୁ କୌଣସି ସଙ୍କୀର୍ଣ୍ଣ ସୀମା ମଧ୍ୟରେ ଆବଦ୍ଧ କରାଯାଇ ନପାରେ। ଏହା ଆଦୌ ସ୍ଥିର ନୁହେଁ, ବରଂ ଏକ ନିରନ୍ତର ବିକାଶମାନ ପ୍ରକ୍ରିୟା ଅଟେ। ଦିନଥିଲା ମାନବିକ ଅଧିକାର କହିଲେ କେବଳ ରାଷ୍ଟ୍ର ଦ୍ୱାରା ନିର୍ଦ୍ଧାରିତ ରାଜନୈତିକ ବା ଗଣତାନ୍ତ୍ରିକ ଅଧିକାରକୁ ବୁଝାଯାଉଥିଲା। ଜଣେ ବ୍ୟକ୍ତିକୁ ରାଷ୍ଟ୍ର ପ୍ରଦତ୍ତ ଏହିସବୁ ଗଣତାନ୍ତ୍ରିକ ଅଧିକାରରୁ ବଂଚିତ କରିବା ସ୍ଥିତିରେ ତା’ର ମାନବିକ ଅଧିକାରର ଉଲଂଘନ ହେଉଛି ବୋଲି କୁହାଯାଉଥିଲା। କିନ୍ତୁ ସମାଜର ବିକାଶ ସହିତ ମାନବିକ ଅଧିକାରର ଏହି ପରିଭାଷା ଓ ପରିସୀମାଟି ମଧ୍ୟ ବଦଳି ପୂର୍ବାପେକ୍ଷା ଅଧିକ ବ୍ୟାପକ ହୋଇଛି। ବର୍ତ୍ତମାନ ଖାଦ୍ୟ ଅଧିକାର, ବାସଗୃହର ଅଧିକାର, ପ୍ରଦୂଷଣମୁକ୍ତ ପରିବେଶର ଅଧିକାର, ଲିଙ୍ଗଗତ ବିଭେଦରୁ ମୁକ୍ତିର ଅଧିକାର, ଜାତିଗତ ନିର୍ଯ୍ୟାତନାରୁ ମୁକ୍ତିର ଅଧିକାର, ଜାତୀୟତାର ଅଧିକାର, ଶିଶୁ ଅଧିକାର ଏପରିକି ସମଲିଙ୍ଗୀମାନଙ୍କ ଅଧିକାର ବି ମାନବିକ ଅଧିକାରର ପରିଭାଷାରେ ସାମିଲ ହୋଇ ଏହାର ସୀମାକୁ ଅନେକ ମାତ୍ରାରେ ପ୍ରସାରିତ କରିଦେଇଛି। ଦେଶର ନ୍ୟାୟାଳୟ ମଧ୍ୟ ନିଜତା ବା ବ୍ୟକ୍ତିଗତ ଗୋପନୀୟତାକୁ ମାନବିକ ଅଧିକାର ଭାବେ ସ୍ୱୀକୃତି ଦେବା ସହ ତା’ର ଉଲଂଘନ ନକରିବାକୁ ସରକାରଙ୍କୁ ରୋକିଛନ୍ତି। ଗତ କିଛି ବର୍ଷ ହେଲା, ତଥ୍ୟ ପାଇବାର ଅଧିକାର ମଧ୍ୟ ଅନ୍ୟତମ ମାନବିକ ଅଧିକାର ଭାବେ ସ୍ୱୀକୃତି ପାଇଛି। ଏହ ବ୍ୟତିତ ମହିଳାମାନଙ୍କୁ ଗର୍ଭପାତର ଅଧିକାର, ବିବାହ ନକରି ଲିଭ୍ ଇନ୍‌ରେ ରହିବାର ଅଧିକାର ଆଦି ମାନବିକ ଅଧିକାର ଭାବେ ସ୍ୱିକୃତୀ ଲାଭ କରିଛି। ଭବିଷ୍ୟତରେ ମାନବିକ ଅଧିକାରର ଏହି ପରିସୀମା ଆହୁରି ଯେତେ ଅଧିକ ପ୍ରସାରିତ ହେବ ତାହା ସମାଜକୁ ସେତେ ସଭ୍ୟ, ଉନ୍ନତ ଓ ସମ୍ବେଦନଶୀଳ ଯେ କରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ତେବେ ମାନବ ଅଧିକାରର ସୁରକ୍ଷା ପାଇଁ ଜାତିସଂଘର ତତ୍ୱାବଧାନରେ ସାର୍ବଜନିନ ଘୋଷଣାର ସାତ ଦଶକ ପରେ ବି ଆଜି ଆମ ଦେଶରେ ମାନବିକ ଅଧିକାରର ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି। ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟସେବା ପରି ମାନବିକ ଅଧିକାର କ୍ଷେତ୍ରରେ ଆମେ ବିଶ୍ୱର ଅନେକ ପଛୁଆ ଦେଶଙ୍କ ଠାରୁ ବି ପଛରେ ରହିଛେ। ନିକଟରେ ଆର୍ନ୍ତଜାତିକ ମାନବିକ ଅଧିକାର ସଂସ୍ଥା ‘ହ୍ୟୁମାନ ରାଇଟସ୍ ୱାଚ୍‌’ର ରିପୋର୍ଟ ଅନୁସାରେ ଭାରତରେ ମାନବିକ ଅଧିକାର ଅତି ଭୟଙ୍କର ସ୍ଥିତିରେ ରହିଛି। ଦେଶରେ ଅନେକ ଗୁଡ଼ିଏ କଳା ଆଇନ ଅବ୍ୟାହତ ଥିବା ବେଳେ ପୋଲିସ ଏବଂ ସାମରିକ ବାହିନୀ ଦ୍ୱାରା ମାନବିକ ଅଧିକାର ଉଲଂଘନର ହଜାର ହଜାର ଘଟଣା ସାମନାକୁ ଆସୁଛି।
ଅନ୍ୟପଟେ ଦେଶରେ ପୋଲିସ ଓ ସେନା ହାଜତରେ ହତ୍ୟାର ଘଟଣା ପ୍ରତିବର୍ଷ ବୃଦ୍ଧି ପାଉଥିବା ବେଳେ ମାଓବାଦୀ ଓ ଉଗ୍ରବାଦୀ ନାଁରେ ଅବିଚାରିତ ଗିରଫଦାରୀ ଏବଂ ମିଥ୍ୟା ଗୁଳି ବିନିମୟରେ ହତ୍ୟା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। କି଼ଛି ବର୍ଷ ତଳେ ହାଇଦ୍ରାବାଦରେ ଏକ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତ୍ୱରିତ୍ ନ୍ୟାୟ ଦେବା ନାଁରେ ଚାରିଜଣ ଅଭିଯୁକ୍ତ ପୋଲିସ ହେପାଜତରେ ଥିବା ବେଳେ ଅତ୍ୟନ୍ତ ସୁନିୟୋଜିତ ହତ୍ୟା ଦେଶରେ ପୋଲିସ ଦ୍ୱାରା ମାନବିକ ଅଧିକାର ଉଲଂଘନର ସଦ୍ୟତମ ଉଦାହରଣ ବୋଲି କୁହାଯାଇପାରେ। ପରେ ଏହି ଘଟଣାରେ ଖୋଦ ଦେଶର ମୁଖ୍ୟ ବିଚାରପତି ଅସନ୍ତୋଷ ବ୍ୟକ୍ତ କରି ତ୍ୱରିତ୍ ନ୍ୟାୟ ନାଁରେ ପ୍ରତିଶୋଧାତ୍ମକ ହତ୍ୟା ନ୍ୟାୟର ପରିପନ୍ଥୀ ବୋଲି କହିବା ସହ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦେଇଥିଲେ। କିଛିମାସ ତଳେ ଏହି ଘଟଣା ଏକ ସୁନିୟୋଜିତ ହତ୍ୟା ଥିଲା ବୋଲି ତଦନ୍ତରୁ ଜଣାପଡ଼ିବା ପରେ ଅଭିଯୁକ୍ତ ପୋଲିସ ଅଧିକାରୀମାନେ ଏବେ ଜେଲ୍‌ରେ ଅଛନ୍ତି।

ଗତ କିଛି ବର୍ଷ ମଧ୍ୟରେ ଦେଶରେ ଜାତିବାଦୀ ଓ ସାଂପ୍ରଦାୟିକ ଶକ୍ତିଙ୍କ ପ୍ରଭାବ ବଢ଼ିବା ସହ ସମାଜର ସଂଖ୍ୟାଲଘୁ ଏବଂ ଦଳିତଙ୍କ ଅଧିକାର କ୍ଷୁର୍ଣ୍ଣ ହେବାରେ ଲାଗିଛି। ବର୍ତ୍ତମାନ ସରକାର ନିଜର ରାଜନୈତିକ ସ୍ୱାର୍ଥରେ ଦେଶରେ ସାମ୍ପ୍ରଦାୟିକ ଧୃବୀକରଣ କରିବାକୁ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷ କରି ମୁସଲମାନମାନଙ୍କ ସଂସ୍କୃତି, ଅର୍ଥନୀତି ଓ ସେମାନଙ୍କ ରାଜନୈତିକ ଅଧିକାର ଉପରେ ଖୋଲାଖୋଲି ଭାବେ ଆକ୍ରମଣ ଚଳାଇଛନ୍ତି। ‘ଗୋସୁରକ୍ଷା’, ‘ଲଭ ଜିହାଦ୍‌’ ଆଦି ନାଁରେ ସେମାନଙ୍କ ଉପରେ ପାଶବିକ ଆକ୍ରମଣ ବିଶେଷ କରି ଭିଡ଼ଦ୍ୱାରା ହତ୍ୟାର ଘଟଣା ସବୁ ଭୟଙ୍କର ଭାବେ ବୃଦ୍ଧି ପାଇଛି। ଏପରିକି ତଥାକଥିତ ଲଭ୍ ଜେହାଦ୍ ଓ ଧର୍ମାନ୍ତରୀକରଣକୁ ରୋକିବା ନାଁରେ ବିଜେପି ଶାସିତ ବିଭିନ୍ନ ରାଜ୍ୟ ସରକାର ଯେଉଁ ସବୁ ଆଇନ କରିଛନ୍ତି, ତାହା ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ସ୍ୱାଧୀନତା ଓ ଅନ୍ୟ ସମ୍ପ୍ରଦାୟରେ ବିବାହ କରିପାରିବାର ଅଧିକାର ଉପରେ ଆକ୍ରମଣ କରୁଛି। ଏହାବ୍ୟତିତ ଭିନ୍ନମତ ପୋଷଣ କରୁଥିବା ସମାଜର ଲେଖକ, ସାମ୍ବାଦିକ, ବୁଦ୍ଧିଜୀବୀ, ହେତୁବାଦୀ ଏପରିକି ରାଜନୈତିକ କର୍ମୀଙ୍କ ଉପରେ ରାଷ୍ଟ୍ର ଓ ତା’ର ପ୍ରୋତ୍ସାହନରେ ଧର୍ମାନ୍ଧ ମୌଳବାଦୀ ଶକ୍ତିଙ୍କ ଦ୍ୱାରା ଖୋଲାଖୋଲି ଭାବେ ଆକ୍ରମଣ ହେବାରେ ଲାଗିଛି।
୧୯୭୫ ମସିହାର ଜରୁରୀ ପରିସ୍ଥିତି ସମୟରେ ରାଷ୍ଟ୍ର ସନ୍ତ୍ରାସ ବିରୁଦ୍ଧରେ ମାନବିକ ଅଧିକାରର ସୁରକ୍ଷା ପାଇଁ ଆନ୍ଦୋଳନ ବ୍ୟାପକ ହେବା ସହ ପ୍ରଥମ ଥର ପାଇଁ ଦେଶରେ ଏକ ମାନବିକ ଅଧିକାର ସଂଗଠନ ପିୟୁସିଏଲ୍ ଗଠିତ ହୋଇଥିଲା। ଆଜି ଦେଶରେ ଏକାଧିକ ମାନବିକ ଅଧିକାର ସଙ୍ଗଠନ କାମ କରିବା ଶହ ଶହ ମାନବିକ ଅଧିକାର କର୍ମକର୍ତ୍ତା କାମ କରିବା ଦେଖିବାକୁ ମିଳୁଛି। ତେବେ ଏହି ମାନବିକ ଅଧିକାର କର୍ମିମାନେ ବି ରାଷ୍ଟ୍ରର ଆକ୍ରମଣରୁ ସୁରକ୍ଷିତ ନୁହଁନ୍ତି।

ତେବେ ସବୁଠାରୁ ଉଦ୍‌ବେଗର ବିଷୟ ହେଲା ଉପରୋକ୍ତ ମାନବିକ ଅଧିକାର ଉଲଂଘନର ଗୁରୁତର ଘଟଣା ଗୁଡ଼ିକରେ ଦେଶର ବିଚାର ବିଭାଗର ସକ୍ରୀୟତାର ଅଭାବ ଲୋକଙ୍କୁ ଏକଦମ୍ ହତାଶ କରିଛି। ଜନଗଣଙ୍କ ଦାବୀ ଫଳରେ ଦେଶରେ ଓ ବିଭିନ୍ନ ରାଜ୍ୟରେ ମାନବିକ ଅଧିକାର କମିଶନ ଗଠିତ ହୋଇଥିଲେ ମଧ୍ୟ ସେସବୁର କାର୍ଯ୍ୟ ଓ କ୍ଷମତା ଅତ୍ୟନ୍ତ ସୀମୀତ ଥିବାରୁ ସେମାନେ ଜନଗଣଙ୍କ ମାନବିକ ଅଧିକାରର ସୁରକ୍ଷା କରିବାକୁ ସମର୍ଥ ହୋଇପାରୁ ନାହାନ୍ତି। ବିଶେଷ କରି ସରକାର ମାନବିକ ସୁରକ୍ଷା କମିଶନରେ ଅଧିକରୁ ଅଧିକ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦେଇ ଏହାକୁ ଏକରକମ ପ୍ରହସନରେ ପରିଣତ କରୁଛନ୍ତି। ଏଭଳି ପରିସ୍ଥିତିରେ ଦେଶରେ ମାନବିକ ଅଧିକାରର ସୁରକ୍ଷା ପାଇଁ ୟୁଏପିଏ, ଆଫ୍ସା, ନାସା, ଦେଶଦ୍ରୋହ ଆଇନ ଭଳି କଳା ଆଇନକୁ ଉଚ୍ଛେଦ କରିବା ସହିତ ଅଧିକାରର ଉଲଂଘନ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ତଥା ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ବିଶେଷ କରି ସମାଜର ତୃଣମୂଳ ସ୍ତରରେ ରହି ଯେଉଁମାନେ ମାନବିକ ଅଧିକାରର ରକ୍ଷା ପାଇଁ କାମ କରୁଛନ୍ତି ସେମାନଙ୍କୁ ଆଇନଗତ ସୁରକ୍ଷା ଦେବା ନିହାତି ଜରୁରୀ ହୋଇପଡ଼ିଛି।

ଫୋନ - ୯୪୩୭୧୬୬୩୯୧

Human Rights National Human Rights Commission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe