ବିନୋଦ ନାୟକ ସଂପୂର୍ଣ୍ଣ ପକ୍ଷାଘାତ ରୋଗୀ ଥିଲେ। ସେ ଯେ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ସମଗ୍ର ବିଶ୍ଵର କୌଣସି ବି ମଣିଷ ହୁଏତ ବିଶ୍ଵାସ କରିନପାରେ। କିନ୍ତୁ ବିନୋଦ ନାୟକଙ୍କ ସମ୍ପର୍କୀୟଙ୍କ ଓ ଅନ୍ୟମାନଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜାତୀୟ ମାନବିକ ଅଧିକାର କମିଶନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନୁରୋଧ କରିବା ନିରର୍ଥକ ଥିଲା। ଶେଷରେ ୫୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ସେହି ଜେଲ ମଧ୍ୟରେ ଘଟିଥିଲା। ଏଭଳି ଏକ ଦୁଃଖଦ ମୃତ୍ୟୁ ଲାଗି ପ୍ରତିପକ୍ଷର କୌଣସି ବିଭାଗ ସାମାନ୍ୟ ଦୁଃଖ ପ୍ରକାଶ ମଧ୍ୟ କଲେନାହିଁ। ବିନୋଦଙ୍କ ମୃତ୍ୟୁ ଯେମିତି ଏକ ସ୍ଵାଭାବିକ ଘଟଣା ଥିଲା!
ଅବଶ୍ୟ ବିନୋଦ ନାୟକ କୌଣସି ଫିଲ୍ମ ଅଭିନେତା କି ନେତା ବା ଆନ୍ତର୍ଜାତିକ ଖେଳାଳି ନଥିଲେ। ସେ ଆଦିବାସୀ ଘେରା ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଯୁଯୁମରା ବ୍ଲକର ଜଣେ ଶିକ୍ଷିତ ଅଣଆଦିବାସୀ ଯୁବକ ଥିଲେ। ସେ ପ୍ରଥମେ ଦୃଷ୍ଟିକୁ ଆସନ୍ତି ଖବରକାଗଜର ଏକ ପ୍ରକାଶିତ ଖବର ମାଧ୍ୟମରେ। ‘ସମ୍ବାଦ’ ଖବରକାଗଜର ଶୀର୍ଷକ ଥିଲା, “ଚାରି ବର୍ଷ ହେଲା ଗଡୁଛି ମାମଲା, ମଣ୍ଡଳ ଜେଲରେ ଅଢ଼େଇ ବର୍ଷ ହେଲା ପକ୍ଷାଘାତର ଶିକାର ବିନୋଦ” ଓ ତାହା ପ୍ରକାଶିତ ହୋଇଥିଲା ୧୭ ନଭେମ୍ବର ୨୦୨୦ ତାରିଖରେ। ହୁଏତ ବିନୋଦଙ୍କର ଜାମିନ ଉପର କୋର୍ଟରେ ହୋଇଗଲେ ପରିବାର ଲୋକେ ତାଙ୍କର ଠିକ ଭାବରେ ଯତ୍ନ ନେଇପାରିବେ ଏହି ବିଶ୍ଵାସ ରଖି ଆମେ କିଛି ସାଥି ଉଦ୍ୟମ ଆରମ୍ଭ କରିଥାଉ।
ଖବରକାଗଜର ସାମ୍ବାଦିକ ଗାର୍ଗୀ ଶତପଥୀଙ୍କ ମାଧ୍ୟମରେ ବିନୋଦଙ୍କ ବଡ଼ ଭାଇ ମନୋରଞ୍ଜନ ନାୟକଙ୍କୁ ସମ୍ପର୍କ କରିବା ଦ୍ଵାରା ପରିବାର ଲୋକେ ବିନୋଦଙ୍କୁ ଜେଲରୁ ଜାମିନରେ ନେବା ଲାଗି ଆଗ୍ରହୀ ହୋଇପଡ଼ିଥିଲେ। ଏହା ଆମକୁ ଅଧିକ ଉତ୍ସାହିତ ମଧ୍ୟ କରିଥିଲା। ମନୋରଞ୍ଜନ ନାୟକ ସେ ସମୟରେ ସରକାରୀ ଶିକ୍ଷକତାରୁ ଅବସର ନେଇସାରିଥାନ୍ତି। ବିନୋଦ ନିଜେ ଅବିବାହିତ ଥିଲେ।
ହୁଏତ ଭାରତୀୟ ଆଇନ ବ୍ୟବସ୍ଥାରେ ଏକ ଭୁଲ ଉକ୍ତି ରହିଯାଇଛି, “ଜାମିନ ଆସିବା ଏକ ସାଧାରଣ ନିୟମ ଜେଲରେ ରଖାଯିବା ଏକ ବ୍ୟତିକ୍ରମ”। ସାଧାରଣ ମଣିଷ ଲାଗି ଦେଶର ଆଇନ ବ୍ୟବସ୍ଥାରେ ବରଂ କୁହାଯିବ ଯେ ଜେଲ ଆସିବା ସାଧାରଣ ଓ ଜାମିନ ମିଳିବା ବ୍ୟତିକ୍ରମ। ବିନୋଦଙ୍କ ଭଳି ଏକ ପକ୍ଷାଘାତ ରୋଗୀର ଜାମିନ ପ୍ରତ୍ୟାଖ୍ୟାନ ଜିଲ୍ଲା କୋର୍ଟ କରିବା ଆଶ୍ଚର୍ଯ୍ୟର ବିଷୟ ଥିଲା। ଏହା ପରେ ଓଡ଼ିଶା ହାଇକୋର୍ଟରେ ଜାମିନ ଆବେଦନ କରିବା ଲାଗି ଆବଶ୍ୟକୀୟ ଡକ୍ୟୁମେଣ୍ଟ ଆବଶ୍ୟକ ଥିଲା।
ବିନୋଦ ନାୟକଙ୍କ ବିପକ୍ଷରେ ସମୁଦାୟ ଦଶଟି କେସ ରୁଜୁ ହୋଇଥିଲା। ସମସ୍ତ କେସର ସମସ୍ତ ନଥିପତ୍ର (ଏଫଆଇଆର, ଚାର୍ଜଶିଟ, ଅର୍ଡର ଶିଟ ଇତ୍ୟାଦି) ପାଇବା ସମ୍ଭବ ହୋଇନଥିଲା। କଏଦୀର ଏହା ଏକ ଅଧିକାର ମଧ୍ୟ ନୁହେଁ ଯେ ଯେତେବେଳେ ‘ସେ ନିଜେ ଜେଲରେ ଅଛନ୍ତି ସେତେବେଳେ ନିଜର କେସ ସମ୍ବନ୍ଧିତ ସମସ୍ତ ନଥିପତ୍ର କଏଦୀ ପାଖରେ ସିଧା ପହଞ୍ଚିଯିବା ଆବଶ୍ୟକ। ସେହି ସବୁ ନଥିପତ୍ର ପାଇବା ଲାଗି ନିଜର ଓକିଲଙ୍କ ମାଧ୍ୟମରେ ସ୍ଵତନ୍ତ୍ର ଭାବରେ ଆବେଦନ କରିବାକୁ ହୁଏ। ପାଖାପାଖି ପନ୍ଦର ଜଣ ଓକିଲଙ୍କୁ ଅନୁରୋଧ କରିବା ସତ୍ତ୍ୱେ ଆମେ ନିରାଶ ହୋଇଥିଲୁ।
ଦୀର୍ଘ ଦିନର ଜନ ପ୍ରତିବାଦ ପରେ ଆଜି ସବୁ କିଛି ଅନଲାଇନରେ ମିଳିପାରୁଛି, ଜନ୍ମ ଓ ମୃତ୍ୟୁ ସାର୍ଟିଫିକେଟ, ଆୟ ଓ ଜାତି ସାର୍ଟିଫିକେଟ ଇତ୍ୟାଦି। କିନ୍ତୁ କେସରେ ହନ୍ତସନ୍ତ ହେଉଥିବା ମଣିଷ ନିଜ କେସ ସମ୍ବନ୍ଧିତ ନଥିପତ୍ର ପାଇବା ଲାଗି ସେହି ଓକିଲର ସାହାଯ୍ୟ ନେବାକୁ ବାଧ୍ୟ।
ସମ୍ବଲପୁରରେ ହାଇକୋର୍ଟ ପ୍ରତିଷ୍ଠା ଲାଗି ଓକିଲଙ୍କ ଧାରଣା ଓ ପ୍ରତିବାଦ ସେସମୟରେ ଚାଲିଥାଏ। ଏହା ଦ୍ଵାରା କୋର୍ଟର କାମ ପ୍ରଭାବିତ ହେଉଥାଏ ଓ ଅନେକ କଏଦୀ ଜାମିନ ପାଉନଥାନ୍ତି। କିନ୍ତୁ ଏହା ମଧ୍ୟ ନିଶ୍ଚିତ ଯେ ଆମ ବିଚାର ବ୍ୟବସ୍ଥାର ଏହା ଦୁର୍ବଳତା ଅଥବା ବିବଶତା ଯେ ଏହା କଏଦୀକୁ ଜାମିନ ଏକ ଅଧିକାର ଭାବରେ କେବେ ଦେଖିନାହିଁ। ନିର୍ଦ୍ଦିଷ୍ଟ ସମୟ ପରେ ସ୍ଥିରୀକୃତ ସର୍ତ୍ତ ପୂରଣ କରୁଥିଲେ ବିଚାରାଧୀନ କଏଦୀକୁ ଯେ ଆପେ ଆପେ ଜାମିନ ମିଳିଯିବ ତାହା ହେଉନାହିଁ। ଜାମିନ ପାଇବାକୁ ହେଲେ କଏଦୀଙ୍କୁ ନିଜ ଓକିଲ ମାଧ୍ୟମରେ ଆବେଦନ କରିବାକୁ ହୋଇଥାଏ।
ଦେଶର ଅପରାଧିକ ନ୍ୟାୟିକ ବ୍ୟବସ୍ଥା ଏତେ ମନ୍ଥର ଗତିରେ ଚାଲୁଛି ଯେ ଏହାର ନାଗଫାଶରୁ ମୁକୁଳିବା କଥା କେବଳ ଧନୀ ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଲାଗି ସମ୍ଭବ। ଜାତୀୟ ଅପରାଧିକ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ୨୦୨୧ ବର୍ଷରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ୫,୫୪,୦୩୪ ଓ ସେହି ବର୍ଷ ସୁଦ୍ଧା ବିଚାରାଧୀନ ଅପରାଧିକ ମାମଲା ସଂଖ୍ୟା ପ୍ରାୟ ୧ କୋଟି ୪୪ ଲକ୍ଷ ଥିଲା। ଗଣତନ୍ତ୍ରରେ ଦେଶର ଶାସନ ବ୍ୟବସ୍ଥା ଲାଗି ଭୋଟ ଦେଇ ନିର୍ବାଚିତ କରୁଥିବା ଲୋକେ ନିଜେ ପୁଣି ସେହି ବ୍ୟବସ୍ଥାର ଚକ୍ରବ୍ୟୁହ ମଧ୍ୟରେ ଫସିଯିବାକୁ କଦାପି ବ୍ୟତିକ୍ରମ କୁହାଯିବ ନାହିଁ। ବରଂ ଏହା ଶାସକର ନିର୍ଦ୍ଦେଶ।
ଜେଲର ସ୍ଥିତିକୁ ଦେଖି ୨୦୦୫ ମସିହାରେ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଲେ ଯେ ପ୍ରତି ସପ୍ତାହରେ ଜଣେ ଜଜ ଦିନକ ପାଇଁ ଜେଲରେ ଶୁଣାଣୀ କରିବେ ଓ ଜାମିନରେ ଯାଇପାରୁଥିବା ‘ଅଭିଯୁକ୍ତ’ଙ୍କୁ ଜେଲ ମଧ୍ୟରେ ଜାମିନ ଦେବେ। କିନ୍ତୁ ଏହା ନିୟମିତ ହେଉନାହିଁ। ଏବେ ପ୍ରଶ୍ନ ଆସୁଛି ଯେ ଯଦି କେସର ଚାର୍ଜସିଟ ହୋଇଯାଉଛି କିନ୍ତୁ କେସର କୌଣସି ଶୁଣାଣୀ ନହେବା କାରଣରୁ ଯେତେବେଳ କଏଦୀ ଜେଲରେ ରହିଯାଉଛି ସେତେବେଳେ କଏଦୀର ସ୍ଥିତିକୁ ଆମେ କେମିତି ଦେଖିବା?
ବିନୋଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶଃ ବିଗିଡ଼ିବାରେ ଲାଗିଥାଏ। ତଥ୍ୟ ଜାଣିବାର ଅଧିକାର ଆଇନ ଦ୍ଵାରା ଜଣାପଡ଼ିଲା ଯେ ବିନୋଦ Myelopathy ବା ମେରୁଦଣ୍ଡ ଦବି ଯିବା ଭଳି ଅସମ୍ଭବ ବେମାରୀରେ ଆକ୍ରାନ୍ତ ହୋଇସାରିଛନ୍ତି। ଏହା ଦ୍ଵାରା ସେ ଶେଜରୁ ଉଠିପାରିବେ ନାହିଁ। ଜେଲ ମଧ୍ୟରେ ଜଣେ କଏଦୀ ଶେଯରୁ ନିଜେ ଉଠି ନପାରୁଥିଲେ ନିଜର ପ୍ରିୟଜନଙ୍କଠାରୁ ଦୂରରେ ଏକାକି ଯେ କେଉଁ ଅବସ୍ଥା ଦେଇ ସେ ନିଜର ଦୈନନ୍ଦିନ କାର୍ଯ୍ୟ କରିପାରୁଥିବ ତାହାକୁ ଅନୁମାନ କରାଯାଇପାରେ। ଏତଦବ୍ୟତୀତ, ବିନୋଦଙ୍କର ଏକ ଅପରେଶନ ମଧ୍ୟ ହୋଇସାରିଥାଏ। ଏଥିଲାଗି କ୍ୟାଥେଡ୍ରାଲ ଲାଗିଥିଲା ଯାହା ନିୟମିତ ବଦଳ ହେବା ଜରୁରୀ ନଚେତ ସେପ୍ଟିକ ଓ ପରେ କ୍ୟାନସର ହୋଇଯାଇପାରେ। ହୁଏତ ବିନୋଦଙ୍କର ସେହି ସମୟକୁ ସେପ୍ଟିକ ଅଥବା କ୍ୟାନସର ହୋଇସାରିଥିଲା ମଧ୍ୟ।
ବହୁ ସମୟରେ ସୁପ୍ରିମ କୋର୍ଟ ଓ ବିଭିନ୍ନ ହାଇକୋର୍ଟ କହିଛନ୍ତି ଯେ ପ୍ରତ୍ଯେକ କଏଦୀର ତ୍ଵରିତ ବିଚାର ହେବା ସମ୍ବିଧାନର ଧାରା ୨୧ ଅନୁସାରେ ତାହାର ମୌଳିକ ଅଧିକାର। ଏହି ଅଧିକାର ନମିଳିବାର ପରିଣାମରେ ବ୍ୟକ୍ତିକୁ ଜାମିନ ଦିଆଯିବ। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନଥାଏ। ଏହି ଅଧିକାରକୁ ସାବ୍ୟସ୍ତ କରିବା ଦିଗରେ ଯେଉଁ ବ୍ୟବସ୍ଥାଗତ ତ୍ରୁଟି ରହୁଛି ତାହାକୁ ସୁଧାରିବା ସରକାରଙ୍କ କାର୍ଯ୍ୟ। ସେଥିଲାଗି ଅଧିକ କୋର୍ଟ ପ୍ରତିଷ୍ଠା କରିବା ଓ ଅଧିକ ବିଚାରପତି ନିଯୁକ୍ତ କରିବା ଲାଗି ସରକାର ନିଜେ ବ୍ୟବସ୍ଥା କରିବା ଆବଶ୍ୟକ। ଯଦି ନକରନ୍ତି ତେବେ ବିନୋଦଙ୍କ ଭଳି ଘଟଣାରେ ସରକାର ନିଜେ କାଠଗଡାରେ ଠିଆ ହେବା କଥା। କିନ୍ତୁ ତାହା କେବେ ହୋଇନାହିଁ। ଏଥରେ କିଏ କାହା ପ୍ରତି ଉତ୍ତରଦାୟୀ ତାହା ଠଉରାଇବା କଷ୍ଟ।
ବିନୋଦ କିନ୍ତୁ ସମାଜରେ ସମାନତା, ଗଣତନ୍ତ୍ର, ଗ୍ରାମ୍ୟ ଅର୍ଥନୀତି ଓ ଗାଁର ବିବାଦ ଗାଁରେ ସମାଧାନ କରିବାର ସ୍ଵପ୍ନ ଦେଖୁଥିଲେ। ଏଥିପାଇଁ ସେ ଗୁଜରାଟ ସ୍ଥିତ ଗାନ୍ଧୀ ସେବାଶ୍ରମରେ କାର୍ଯ୍ୟ କରିଥିଲେ। ପୁଣି ନିଜ ଅଞ୍ଚଳ ମେଘପାଲକୁ ଆସିବା ପରେ ‘ମାନବ କଲ୍ୟାଣ ପ୍ରତିଷ୍ଠାନ’ ନାମକ ଏକ ସ୍ଵେଚ୍ଛାସେବୀ ସଂଗଠନରେ କାର୍ଯ୍ୟ କରିବା ସହିତ ସାକ୍ଷରତା ଅଭିଯାନର ସଦସ୍ୟ ଥିଲେ। ତାଙ୍କ ପରିବାର ସଂପୂର୍ଣ୍ଣ ଅଞ୍ଚଳରେ ଏକ ଶିକ୍ଷିତ ପରିବାର ହୋଇଥିବା କାରଣରୁ ଉଭୟ ମନୋରଞ୍ଜନ ଓ ବିନୋଦ ସର୍ବଦା ଅଞ୍ଚଳର ସମସ୍ୟାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ଏବଂ ଜନତାଙ୍କୁ ସଚେତନ କରିଆସୁଥିଲେ।
ଏହା ଥିଲା ୨୦୦୩-୦୪ ମସିହାର ଘଟଣା। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ମେଘପାଲ ଗାଁରେ ସରପଞ୍ଚ କାଦର ସିଂ ହତ୍ୟାକାଣ୍ଡ ପଶ୍ଚିମ ଓଡ଼ିଶାରେ ମାଓବାଦୀ ସଙ୍ଗଠନର ପ୍ରଥମ ହିଂସାତ୍ମକ ପଦକ୍ଷେପ ଥିଲା। ମେଘପାଳ ଭଳି ସରକାରୀ ଶୋଷଣର ଶିକାର ହେଉଥିବା ଆଦିବାସୀଙ୍କ ଲାଗି ଏକ ହିଂସାକାଣ୍ଡ ମାଓବାଦୀ ସଂଗଠନକୁ ପାଦ ଥାପିବାରେ ହୁଏତ ସାହାଯ୍ୟ କରିଥିବ। ମାଓବାଦୀ ଏହି ଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟ ମଧ୍ୟରେ ନିଜର ସାହସିକତା ଦେଖାଇବାକୁ ଅଧିକ ପସନ୍ଦ କରିଥା’ନ୍ତି। ଯେତେବେଳେ ମେଘପାଲ ପଞ୍ଚାୟତରେ ମାଓବାଦୀମାନେ ଗୋଟିଏ ପରେ ଗୋଟିଏ ହିଂସା କରିବାକୁ ଲାଗିଲେ ପୁଲିସ ବିନୋଦ ଏବଂ ତାଙ୍କ ଭାଇଙ୍କୁ ସନ୍ଦେହ କରିବା ଆରମ୍ଭ କରିଥିଲା। ୨୦୧୬ ମସିହା ଡିସେମ୍ବର ମାସରେ ଯେତେବେଳେ ପଞ୍ଚାୟତରେ ମାଓବାଦୀ କାର୍ଯ୍ୟକଳାପ ସଂପୂର୍ଣ୍ଣ ବନ୍ଦ ଯାଇଥିଲା ଏହା ପରେ ବିନୋଦଙ୍କୁ ପୁଲିସ ଗିରଫ କରିଥିଲା।
୨୦୧୭ ମସିହାରୁ ବିନୋଦଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଅବନତି ହେବା ଆରମ୍ଭ ହେଲା। ଆରମ୍ଭରୁ ତାଙ୍କର କୌଣସି ପ୍ରକାର ଚିକିତ୍ସା ହେଲା ନାହିଁ। ପରିବାର ତାରଫରୁ ଚାପ ସୃଷ୍ଟି ପରେ ୨୦୧୮ ମସିହାରେ କଟକ ନିଆଗଲା। ସେଠାରେ ଅସ୍ତ୍ରୋପଚାର ହେଲା। ମାତ୍ର କଟକ ଡାକ୍ତରଖାନାରେ ଆବଶ୍ୟକ ସେବା ଯତ୍ନ ଅଭାବରୁ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଚାଲିଲା । କ୍ରମଶଃ ତାଙ୍କର ଏକ ଅଙ୍ଗ ଅଚଳ (ପାରାଲିସିସ) ହୋଇ ପଡିଥିଲା।
ଆଇନ କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ଆଗ୍ରହୀ ହେବା କୌଣସି ବି ରାଜନୈତିକ ଦଳ ନିକଟରେ ଦେଖାଯାଉନାହିଁ। ଯିଏ ବି କ୍ଷମତାକୁ ଆସୁଛନ୍ତି ସେମାନେ କ୍ଷମତାରେ ସ୍ଥାୟୀ ଭାବରେ ରହିବା ଲାଗି ନିଜର ପ୍ରଥମ ଉଦ୍ଦେଶ୍ୟ ବୋଲି ଧରିନେଇଥା’ନ୍ତି। ଏଥିଲାଗି ସେମାନେ ନିଜର ବିରୋଧୀଙ୍କୁ ହିଁ ପ୍ରଥମେ ନିଜର ଲକ୍ଷ୍ୟ ତିଆରି କରିଥା’ନ୍ତି ଓ ସେଥିଲାଗି ମିଥ୍ୟା କେସ ଓ ଜେଲ ଏକ ଅସ୍ତ୍ର ଭଳି ଅବଶ୍ୟ ହୋଇରହିଥାଏ। ଆଜି ମଧ୍ୟ ଯିଏ ବିରୋଧୀ ଦଳରେ ଅଛନ୍ତି ସେମାନେ ଯେ ଦିନେ ପୁଣି ଶାସନକୁ ଆସିବେ ଓ ଯେବେ ଆସିବେ ସେବେ ନିଜର ବିରୋଧୀଙ୍କୁ ଯେ ଦମନ କରିବେ ସେଥିଲାଗି ସେମାନେ କଦାପି ପୁଲିସ, ଜେଲ ଓ ଆଇନ ବ୍ୟବସ୍ଥାର ସଂସ୍କାର ଦିଗରେ କୌଣସି ଦାବି କରନ୍ତି ନାହିଁ।
ବିଚାରାଧୀନ କଏଦୀ ବିନୋଦ ନାଏଦ ଦୀର୍ଘ ପାଞ୍ଚ ବର୍ଷ ଜେଲରେ ବିଚାରାଧୀନ ଭାବରେ ରହିବା ପରେ ଗଲା ମଇ ୦୧, ୨୦୨୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଗଲା। ହୁଏତ ଏହା କରିଥିଲେ ସେ ବଞ୍ଚିଥାନ୍ତେ, ହୁଏତ ତାହା କରିଥିଲେ ସେ ଜାମିନ ପାଇଥାନ୍ତେ, ଏହି ଭଳି ଅନେକ ଭାବନା ସେହି ଦିନଠାରୁ ମୁଣ୍ଡରେ ଚାଲିଛି। ‘ଦେଶଦ୍ରୋହୀ’ ଓ ହତ୍ୟା ଭଳି ଅପରାଧରେ ଅନେକ ସାଧାରଣ ଲୋକ ଜେଲରେ ଦୀର୍ଘ ବର୍ଷ ରହିଯାଉଛନ୍ତି। ଦେଶର ଆଇନ ସେମାନଙ୍କ ବିପକ୍ଷରେ ଅହରହ କାମ କରୁଛି। ବିଭିନ୍ନ ସାମାଜିକ ଓ ମାନବିକ ଅଧିକାର ସଂଗଠନ ତରଫରୁ ଯେଉଁଭଳି ଉଦ୍ୟମ କରାଯାଇବା ଆବଶ୍ୟକ ତାହା ହୋଇପାରୁନଥିବାରୁ ସେମାନେ ଦୀର୍ଘ ଦିନ ଜେଲରେ ରହିଯାଉଛନ୍ତି। ସେହି ମଧ୍ୟରୁ ବିନୋଦଙ୍କ ଭଳି ବେଶ କେତେକ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଏଥିଲାଗି ନା ସରକାରୀ କଳ ଦୁଃଖ ପ୍ରକାଶ କରୁଛନ୍ତି ନା ବ୍ୟବସ୍ଥାର ପରିବର୍ତ୍ତନ କରୁଛନ୍ତି। ଆଉ ଏକ ବିନୋଦଙ୍କ ମୃତ୍ୟୁ ପୁଣି ସ୍ଵାଭାବିକ ଭାବରେ ଘଟୁଛି।
ଦେବ ରଞ୍ଜନ
ମୋବାଇଲ- ୮୪୫୬୯୩୧୪୨୩