Advertisment

କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର

ବିଗତ କିଛି ବର୍ଷ ଭିତରେ ସାମାଜିକ ମାଧ୍ୟମ ବା ସୋସିଆଲ ମିଡ଼ିଆ, ଯୋଗାଯୋଗ ଏବଂ ସୂଚନା ବିନିମୟର ଅତ୍ୟନ୍ତ ପ୍ରଭାବଶାଳୀ ଉପାୟ ହୋଇଉଠିଛି। ତାହା ମଧ୍ୟରେ ମାର୍କ ଜୁକରବର୍ଗ ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ଆରମ୍ଭ ହୋଇ ଥିବା ଫେସବୁକ୍ ସବୁଠାରୁ ଅଧିକ ପ୍ରଚଳିତ ଏବଂ ଲୋକପ୍ରିୟ ମାଧ୍ୟମ ହେବା ସହ ଆଜିର ଯୁବପିଢ଼ି ଓ ବୟସ୍କମାନେ ଏହା ମାଧ୍ୟମରେ ନିଜର ଭାବନା, ଜ୍ଞାନ ଓ ସୂଚନା ଅନ୍ୟମାନଙ୍କ ସହ ବାଣ୍ଟି ନେଉଛନ୍ତି।

author-image
Debendra Prusty
Facebook

Facebook

ଡ ରୀନା ରାଉତରାୟ

ଗତକାଲି ସନ୍ଧ୍ୟାରେ ଆମ ଘର ପାଖ ଛକରେ ଅନେକ ଦିନ ପରେ ହଠାତ୍ ମୋର ଏକ ସମ୍ପର୍କୀୟା ଭଉଣୀ ଦେଖା ହୋଇଗଲା। ଭାରି ଖୁସି ଲାଗିଲା। ଗପସପ ହୋଇ ବିଦାୟ ନେଲା ପରେ କିଛି ବାଟ ଯାଇ ପୁଣି ଥରେ ସେଇ ଭଉଣୀଟି ମୋର ଫେରି ଆସି କହିଲା, ‘ଦେଈ, ତୁମ ସହିତ ଅନେକ ବର୍ଷ ପରେ ବ୍ୟକ୍ତିଗତ ଭାବରେ ଦେଖା ହେଲା। କିନ୍ତୁ ମୋତେ ଲାଗୁଛି ତୁମ ସହିତ ମୋର ପ୍ରତିଦିନ ଦେଖା ହୁଏ ବୋଲି। କାହିଁକି କହିଲ? ଏଇ ଫେସବୁକରେ ଆମେ ପ୍ରତିଦିନ ଦେଖା ସାକ୍ଷାତ ହେଉଛୁ ପରା।’ ‘ଓଃ ସତରେ ତ’ କହି ଦୁହେଁ ହସିଲୁ।

Advertisment

ବାସ୍ତବରେ ଏଇ ଫେସବୁକ୍ ଆମ ସମସ୍ତଙ୍କୁ କେତେ ଯୋଡ଼ି କି ରଖିଛି! ଆଜିର ବ୍ୟସ୍ତ ବହୁଳ ସମୟରେ ପ୍ରିୟ ପରିଜନଙ୍କ ସହ ଯୋଡ଼ି ହୋଇ ରହିବାର ଏକ ସୁନ୍ଦର ମାଧ୍ୟମ।

ବିଗତ କିଛି ବର୍ଷ ଭିତରେ ସାମାଜିକ ମାଧ୍ୟମ ବା ସୋସିଆଲ ମିଡ଼ିଆ, ଯୋଗାଯୋଗ ଏବଂ ସୂଚନା ବିନିମୟର ଅତ୍ୟନ୍ତ ପ୍ରଭାବଶାଳୀ ଉପାୟ ହୋଇଉଠିଛି। ତାହା ମଧ୍ୟରେ ମାର୍କ ଜୁକରବର୍ଗ ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ଆରମ୍ଭ ହୋଇ ଥିବା ଫେସବୁକ୍ ସବୁଠାରୁ ଅଧିକ ପ୍ରଚଳିତ ଏବଂ ଲୋକପ୍ରିୟ ମାଧ୍ୟମ ହେବା ସହ ଆଜିର ଯୁବପିଢ଼ି ଓ ବୟସ୍କମାନେ ଏହା ମାଧ୍ୟମରେ ନିଜର ଭାବନା, ଜ୍ଞାନ ଓ ସୂଚନା ଅନ୍ୟମାନଙ୍କ ସହ ବାଣ୍ଟି ନେଉଛନ୍ତି।

Advertisment

ଅନେକ ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ନିଜ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନଲାଇନ୍ ଶିକ୍ଷା ସମ୍ବନ୍ଧୀୟ ବିଷୟବସ୍ତୁ, ଭିଡିଓ ଓ ଡିଜିଟାଲ୍ କଣ୍ଟେଣ୍ଟ ପ୍ରସ୍ତୁତ କରିଥାନ୍ତି। ଏହା ଦ୍ୱାରା ବିଦ୍ୟାର୍ଥୀମାନେ ଅନେକ ନୂତନ ବିଷୟ ଶିଖିପାରନ୍ତି। ଅନେକ ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ନିଜର ବିଷୟ ଅନୁସାରେ ଗ୍ରୁପ୍ ଏବଂ ପେଜ୍ ତିଆରି କରି ଶିକ୍ଷା ଦେଉଛନ୍ତି। ଛାତ୍ରଛାତ୍ରୀମାନେ ଏହା ମାଧ୍ୟମରେ ଅନେକ ଟ୍ୟୁଟୋରିଅଲ୍, ଟେକ୍ନୋଲୋଜିର ନୂଆ ନୂଆ ଉଦ୍ଭାବନ, ପ୍ରବନ୍ଧ, ପ୍ରସ୍ତାବ ଓ ପ୍ରୋଜେକ୍ଟ ମାନ ପାଇପାରୁଛନ୍ତି। ଏହି ଭାବରେ ଶିକ୍ଷାକୁ ସରଳ ଓ ଆଗ୍ରହଦାୟକ କରା ଯାଇପାରିଛି।

ଫେସବୁକରେ ଏମିତି ଅନେକ ପେଜ୍ ଓ ଗ୍ରୁପ୍ ଅଛି, ଯେଉଁଠି ବିଜ୍ଞାନ, ଚିକିତ୍ସା, ଇତିହାସ, ଭୌଗୋଳିକ ତଥ୍ୟ ଓ ଅନେକ ଶିକ୍ଷା ସମ୍ପର୍କୀୟ ଅନୁଷ୍ଠାନ ନିୟମିତ ଭାବେ ସୂଚନା ପ୍ରଦାନ କରନ୍ତି। ଯେଉଁ ସମୟରେ ଟେଲିଭିଜନ୍ କିମ୍ବା ଖବରକାଗଜ ପଢ଼ିବା ଅବସର ମିଳେନାହିଁ, ସେଉଁଠି ଫେସବୁକ୍ ତଥ୍ୟ ବା ଖବର ପ୍ରସାରଣର ଏକ ଦ୍ରୁତ ବାହକ ଭାବେ କାମ କରେ।

ମେଡିକାଲ୍ କ୍ୟାମ୍ପ, ରକ୍ତଦାନ, ଆପଦ ସମୟରେ ସହଯୋଗ ମିଳେ। ଯେକୌଣସି ଜରୁରୀ ସୂଚନା, ସାମାଜିକ ଅନ୍ଦୋଳନ, ଜନ ସଚେତନତା କାର୍ଯ୍ୟକ୍ରମ ଆଦି ଏହା ମାଧ୍ୟମରେ ଲୋକଙ୍କ ପର୍ଯ୍ୟନ୍ତ ଶୀଘ୍ର ପହଞ୍ଚିପାରେ।

ଫେସବୁକ୍ ଲୋକମାନଙ୍କୁ ଆନ୍ୟମାନଙ୍କ ସହ ସୁଖ-ଦୁଃଖ ଭାବନା ବାଣ୍ଟିବା ଓ ଏକ ସୁସମ୍ପର୍କ ଗଠନ କରିବା ପାଇଁ ମଧ୍ୟ ସାହାଯ୍ୟ କରେ। ଏହା ମାଧ୍ୟମରେ ଆମେ ନିଜ ଆତ୍ମୀୟ ବନ୍ଧୁ, ପରିବାର ଓ ପୁରୁଣା ଅନୁଭବ ସହିତ ଯୋଡ଼ି ହୋଇ ରହିପାରୁଛୁ। ଓଡ଼ିଆ ଭାଷାର ଗୋଷ୍ଠୀ, ଲୋକସଂଗୀତ ଓ ଐତିହ୍ୟ ନେଇ ଏହି ମଞ୍ଚରେ ଅନେକ ସକ୍ରିୟ ଚର୍ଚ୍ଚା ଚାଲିଛି, ଯାହା ଆମ ସଂସ୍କୃତିକୁ ବଞ୍ଚାଇ ରଖୁଛି।

ବ୍ୟବସାୟ ବୃଦ୍ଧି କ୍ଷେତ୍ରରେ ଫେସବୁକ ଏକ ବୃହତ ବଜାର ଭଳି କାମ କରେ। ଛୋଟ ଓ ମଧ୍ୟମ ବ୍ୟବସାୟୀ ମାନେ ନିଜ ଉତ୍ପାଦନ ବା ସେବାର ପ୍ରଚାର କରି ଗ୍ରାହକ ତିଆରି କରୁଛନ୍ତି। ଏହି ମାଧ୍ୟମରେ ସେମାନେ କମ୍ ଖର୍ଚ୍ଚରେ ବିଶ୍ୱ ସ୍ତରୀୟ ବଜାରକୁ ପହଞ୍ଚି ପାରୁଛନ୍ତି। ନୃତ୍ୟ ସଙ୍ଗୀତ, ଆର୍ଟ, ଫଟୋଗ୍ରାଫି, ଗଳ୍ପ, କବିତା ଇତ୍ୟାଦି ପରି କଳା, ପ୍ରତିଭା ଓ ଦକ୍ଷତାକୁ ପ୍ରଦର୍ଶନ କରି ଅନେକ ନିଜର ଅନ୍ତର୍ନିହିତ ଶକ୍ତିକୁ ବିଶ୍ୱରେ ପରିଚିତ କରି ପାରୁଛନ୍ତି। ଆଗ ପରି ବଣ ମଲ୍ଲୀ ବଣରେ ଫୁଟି ଝଡ଼ି ଯାଉନି।

ଏହାର ସଠିକ୍ ଭାବରେ ବ୍ୟବହାର ବ୍ୟକ୍ତିଗତ ଓ ସାମାଜିକ ଉନ୍ନତିର ଏକ ସୃଜନାତ୍ମକ ମଞ୍ଚ ରୂପେ ପରିଣତ ହେବା ସହ ମନୁଷ୍ୟ ଜୀବନର ଏକ ମୂଲ୍ୟବାନ ସାଧନ ହୋଇ ପାରିବ।

ଅପରପକ୍ଷରେ ଏହାର ଅତିଶୟ ବ୍ୟବହାର ଓ ବେପରୁଆ ଉପଯୋଗ ଅନେକାଂଶରେ ବ୍ୟକ୍ତିଗତ ଜୀବନ, ପଢ଼ାପଢି, ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ଅନେକ ସମୟରେ ମିଥ୍ୟା ସୂଚନା ଓ ବ୍ୟକ୍ତିଗତ ଆକ୍ରୋଶକୁ ସୁଝାଇବା ସହିତ ଅଶ୍ଳୀଳତା ଏବଂ ହିଂସା ଗୋଷ୍ଠୀ କନ୍ଦଳ ଓ ସାମ୍ପ୍ରଦାୟିକ ଦଙ୍ଗା ଇତ୍ୟାଦିକୁ ପ୍ରୋତ୍ସାହନ ଦେବା ପରି ମାରାତ୍ମକ ଦିଗରେ ମଧ୍ୟ ଏହାର ବହୁଳ ବ୍ୟବହାର ହେଉଛି।

ତେଣୁ ସୋସିଆଲ ମିଡ଼ିଆକୁ କିପରି ଭାବରେ ସୁରକ୍ଷିତ ଭାବରେ ବ୍ୟବହାର କରିପାରିବ ସେ ସମ୍ପର୍କରେ ସବିଶେଷ ଜ୍ଞାନ ଓ ପ୍ରଶିକ୍ଷଣ ନେଇ ସତର୍କତା ଓ ଦାୟିତ୍ୱର ସହିତ ବ୍ୟବହାର କରିବା ମଧ୍ୟ ଆବଶ୍ୟକ।

ମୋତେ ଥରେ ଜଣେ ବନ୍ଧୁ କହିଲେ, ସେ ଅମକ ଲୋକ କାହିଁକି ସବୁବେଳେ ଖାଲି ତାର ଘରସଜା, ବଗିଚା ଆଉ ଫୁଲ ପୋଷ୍ଟ କରୁଛି?

ମୁଁ କହିଲି, ତୁମକୁ ଯଦି ଭଲ ଲାଗୁନି ତୁମେ କାହିଁକି ତାଙ୍କର ପୋଷ୍ଟକୁ ଦେଖୁଛ କି? ତାଙ୍କୁ ଭଲ ଲାଗୁଛି ବୋଲି ସେ ପୋଷ୍ଟ କଲେ। ତୁମ କବିତା ବା ଗଳ୍ପ ତାଙ୍କୁ ବି ଭଲ ଲାଗୁଥିବ ବୋଲି କିଛି ମାନେ ନାହିଁ। ତୁମେ ରୁଚି ରଖୁଥିବା ବିଷୟ ଯେ ତାଙ୍କୁ ଭଲ ଲାଗିବ ବା ତାଙ୍କୁ ଭଲ ଲାଗୁଥିବା ବିଷୟ ଯେ ତୁମକୁ ପସନ୍ଦ ହେବ ଏହା ଏକ ଅମୂଳକ ଚିନ୍ତାଧାରା।

ତୁମେ ଜାଣିଛ ତ, ଏବେ AI (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ତୁମକୁ ବି ଅନୁଧ୍ୟାନ କରୁଛି। ତୁମେ ଯାହା ଦେଖୁଛ ବା ଦେଖିବାକୁ ଇଚ୍ଛା କରୁଛ, ସେଇ ସମ୍ପର୍କିତ ପୋଷ୍ଟ ଗୁଡ଼ିକ ହିଁ ତୁମ ଟାଇମ୍ ଲାଇନକୁ ଆସିବ। ତୁମେ ତୁମକୁ ପସନ୍ଦ ନ ଥିବା ବିଷୟ ବସ୍ତୁକୁ ଦେଖିବା ବନ୍ଦ କରିଦିଅ, ତାହା ଆଉ ତୁମ ଟାଇମ୍ ଲାଇନକୁ ଆସିବ ନାହିଁ।

ଅନେକ ସମୟରେ କିଛି ବ୍ୟକ୍ତି ଅନ୍ୟମାନଙ୍କ ପୋଷ୍ଟରେ ଡିଷ୍ଟର୍ବ ହେଉଛନ୍ତି ବୋଲି ମତ ଦିଅନ୍ତି ଏବଂ ଏହାର ବ୍ୟବହାରକାରୀଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରନ୍ତି। ଏହା ଫଳରେ ନିଜର ମାନସିକ ଶାନ୍ତି ବ୍ୟାହତ ହୁଏ।

ଫେସବୁକର ବ୍ୟବହାର କିମ୍ଵା ଏହା ମାଧ୍ୟମରେ ବନ୍ଧୁତା ସ୍ଥାପନ କରିବାରେ କୌଣସି ବାଧ୍ୟ ବାଧ୍ୟକତା ନାହିଁ। ବିଭିନ୍ନ ବ୍ୟକ୍ତିଙ୍କର ଭିନ୍ନ ଭିନ୍ନ ରୁଚି। ନିଜକୁ ଭଲ ଲାଗିଲା ଭଳି ସମଭାବ ସମ୍ପନ୍ନ ବ୍ୟକ୍ତି ବିଶେଷ ବା ଗ୍ରୁପ୍ ସହିତ ଜଡ଼ିତ ହେବାର ପୂର୍ଣ୍ଣ ସୁବିଧା ଓ ସୁଯୋଗ ଫେସବୁକ୍ ଆମକୁ ଦେଇଛି।

ଯେଉଁମାନଙ୍କ ପୋଷ୍ଟ ଆମକୁ ବ୍ୟସ୍ତ କରୁଛି, ଆମେ ସେମାନଙ୍କୁ ବନ୍ଧୁ ତାଲିକାରୁ ବାଦ ଦେବା ପାଇଁ ଫେସବୁକ୍ ଆମକୁ ସ୍ଵାଧୀନତା ଦେଇଛି। ଆମ ନିଜର ମାନସିକ ଶାନ୍ତି ବା ସ୍ଥିରତା ଆମେ ନିୟନ୍ତ୍ରଣ କରିବା। ଆମକୁ ଭଲ ଲାଗିବା ପରି ପୋଷ୍ଟ ଅନ୍ୟମାନେ କାହିକିଁ କରିବେ? ହୁଏତ ଆମର ସବୁ ପୋଷ୍ଟ ବି ଆଉ କାହାକୁ ଭଲ ଲାଗୁ ନ ଥାଇପାରେ। ଆମେ ନିଜେ ଯେ ସବୁବେଳେ ଠିକ୍, ଏ ଭୁଲ୍ ଧାରଣା ମନରୁ ବାହାର କରିଦେଲେ ଅନେକ ଦ୍ଵନ୍ଦ୍ୱର ସମାଧାନ ହୋଇଯାଏ। କଥାରେ ପରା ଅଛି, କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର।

ଫୋ- ୯୪୩୮୨୭୨୧୫୨

Social Media Facebook Social Media Threat Mark Zuckerberg