ଚୀନ୍ ବିବାଦ : ନବ-ସାମ୍ରାଜ୍ୟବାଦୀ ପୁଞ୍ଜିବାଦ ସହ ଯୁଦ୍ଧ

ସ୍ୱର୍ଯ୍ୟମଣି ମିଶ୍ର

ଗତ ୧୭ ତାରିଖ ବୁଧବାର ଦିନ ଦେଶର ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ସମ୍ବୋଧିତ କରି କହିଥିଲେ-ମୁଁ ରାଷ୍ଟ୍ରକୁ ଭରଷା ଦେବାକୁ ଚାହିଁଛି । ଆମ ସୈନିକଙ୍କ ବଳିଦାନ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ । ଆମ ପାଇଁ ଭାରତର ଏକତା ଏବଂ ସଂପ୍ରଭୁତା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଭିଡ଼ିଓ ବୈଠକରେ  ଯେଉଁ ଶବ୍ଦ ବାର୍ତ୍ତାରେ ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ ସେଥିରେ ଥିଲା ଭାରତ ମାତା, ବୀରପୁତ୍ର, ମାତୃଭୂମି ପାଇଁ ସର୍ବୋଚ୍ଚ ବଳିଦାନ, ସ୍ୱାଭିମାନ, ବିକ୍ରମ, ସ୍ଥିରତା,ଅଖଣ୍ଡତା, ସଂପ୍ରଭୁତାରୁ ରକ୍ଷା କରିବାର ଅଧିକାର, ଭାରତ ସର୍ବଦା ଶାନ୍ତି ଚାହେଁ । କିନ୍ତୁ  ଜବାବ ଦେବାକୁ ସମର୍ଥ । ଦିବଂଗତ ସହିଦ୍ ଯବାନ୍‌ଙ୍କ ବଳିଦାନକୁ ନେଇ ଦେଶ ଗର୍ବ କରୁଛି । ସେମାନେ ମାରୁ ମାରୁ ମୃତ୍ୟୁବରଣ କରିଛନ୍ତି । ଚୀନ୍‌ର ଥରକୁଥର ଭାରତ ପ୍ରତି ଅସୂୟା ଭାବ ଏବଂ ଥରକୁଥର ସୀମାରେ ଉତ୍ତେଜନାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବରେ ସଶକ୍ତ ଜବାବ ରଖିଛନ୍ତି । ୧୯୬୨ ଯୁଦ୍ଧ ପରେ ଚୀନ୍‌ର ଏହି ସୀମାରେ ଉତ୍ତେଜନା ଚତୁର୍ଥଥର । ୧୯୬୭ରେ ଚୀନ୍ ନାଥୁଲାରେ ଉତ୍ତେଜନା ସୃଷ୍ଟି କରିଥିଲା । ୧୯୮୭ରେ ଅରୁଣାଚଳ ପ୍ରଦେଶ ସୀମାରେ ମଧ୍ୟ ।

ଚୀନ୍ ଗୋଟିଏ ପଟେ ଭାରତ ସହ ବାଣିଜ୍ୟିକ ଚୁକ୍ତି କରୁଛି, ଅନ୍ୟପଟରେ ଭାରତ ସୀମାରେ ଉତ୍ତେଜନା ସୃଷ୍ଟି କରୁଛି । ସରକାର କୂଟନୀତିଜ୍ଞ, ରାଜନୀତିଜ୍ଞ ଏବଂ ପ୍ରତ୍ୟେକ୍ ବିଚାରକ ଗମ୍ଭୀରତାର ସହ ଏ ସଂପର୍କରେ ଦୃଷ୍ଟି ରଖିବା ଉଚିତ୍ । ଆମ ନୀତି ଶାନ୍ତିପୂର୍ଣ୍ଣ ହେବା ସତ୍ତ୍ୱେ କାହା ପାଖରେ ନଇଁଯିବା ଉଚିତ୍ ନୁହେଁ । ଆମେ ‘ବସୁଧୈବ କୁଟୁମ୍ବକମ୍‌’ର ବିଶ୍ୱାସ ରଖନ୍ତି । କିନ୍ତୁ ଚାଲବାଜି କରି କିଏ ଆମକୁ ଠକିବ ତା ବିରୁଦ୍ଧରେ ସଶକ୍ତ ଜବାବ ଦେବାର ସମୟ ଆସିଛି । ରାଜନୀତି, କୂଟନୀତି ପାରସ୍ପରିକ ହିତର ତତ୍ତ୍ୱ । ଏହା ଯଥାର୍ଥରେ ଧରିତ୍ରୀରେ ଅଙ୍କୁରିତ, କିନ୍ତୁ ପବନରେ ନୁହେଁ । ଭାରତର ସୈନ୍ୟ ଜବାବ ଦେଇଛନ୍ତି । କୂଟନୈତିକ ଯବାବ ସଠିକ୍ ହେବା ଉଚିତ୍ । ଚୀନ୍ କାହିଁକି ଏଭଳି ଭାରତ ବିରୁଦ୍ଧରେ ସୀମାରେ ଉତ୍ତେଜନା ସୃଷ୍ଟି କରୁଛି । ଚୀନ୍‌ର ଲକ୍ଷ୍ୟ ହେଉଛି ଜି-୨୧୯ ରାଜପଥ ଉପରେ । ଏହାକୁ ହଟାଇବାକୁ ଚାହେଁ ଚୀନ୍ । ମଇ ୫ରେ ପୂର୍ବ ଲଦାଖର ପେଙ୍ଗୋଙ୍ଗରେ ଉତ୍ତେଜନା ସୃଷ୍ଟି କରିଥିଲା । ୯ ମଇରେ ସିକିମ୍‌ର ନାଥୁଲା ସେକ୍ଟରରେ ଉତ୍ତେଜନା ସୃଷ୍ଟି କରିଥିଲା । ଏପାଖରେ ଚୀନ୍ ଭାରତ ସହ ବେପାରରେ ଅଂଶୀଦାର ହେଉଛି । ଅନ୍ୟପଟରେ ସୀମାରେ ଉତ୍ତେଜନା ସୃଷ୍ଟି କରୁଛି । ଏହା ପଛରେ ରହିଛି ନବ ସାମ୍ରାଜ୍ୟବାଦୀ ପୁଞ୍ଜିବାଦର କାୟା ବିସ୍ତାର କରିବାର ଲକ୍ଷ୍ୟ ।

ଏଠାରେ ଉଲ୍ଲେଖ କରିବା ଉଚିତ୍ ହେବ ଯେ, ଭାରତ-ଚୀନ୍ ମଧ୍ୟରେ ହାରାହାରି ୭.୨ ଲକ୍ଷ କୋଟି ଟଙ୍କାର ବ୍ୟାପାର ଚାଲିଛି । ୧.୫ଲକ୍ଷ କୋଟି ଟଙ୍କା ଭାରତର ଏକ୍ସପୋର୍ଟ ହେଉଥିବାବେଳେ ୫.୮ ଲକ୍ଷ କୋଟି ଟଙ୍କାର ଇନ୍‌ପୋର୍ଟ ହେଉଛି ।  ଭାରତର ଷ୍ଟାଟ୍ ଅଫ୍ କମ୍ପାନୀରେ ୪ବିଲିୟନ୍ ଡଲାର ଅର୍ଥାତ୍ ୩୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରିଛି । ଏତେ ଟଙ୍କା ବେପାର କରୁଥିବାବେଳେ ଭାରତର ସୀମାରେ ଚୀନ୍‌ର ଉତ୍ତେଜନା ନିଶ୍ଚିତ ଭାବରେ ସାମ୍ରାଜ୍ୟବାଦୀ, ପୁଞ୍ଜିବାଦୀ ଆଭିମୁଖ୍ୟ ରହିଛି ।

୨୦ ଅକ୍ଟୋବର ୧୯୬୨, ପୂର୍ବ ଅରୁଣାଞ୍ଚଳ ପ୍ରଦେଶ ଯାହାକୁ ସେହି ସମୟରେ ଇଷ୍ଟ୍ ଫ୍ରଣ୍ଟି ଇୟର୍ ଏରିଆ (ନେଥା) କୁହାଯାଉଥିଲା । ପଶ୍ଚିମର ଲଦାଖ୍‌ରେ ଅନୁପ୍ରବେଶ କରି ଚୀନ୍ ହଜାର ବର୍ଗ କି.ମି. ଅଞ୍ଚଳକୁ ଦଖଲ କରି କରି ନେଇଥିଲା ଲଢେଇ ଗୋଟେ ମାସ ଧରି ଏକତରଫା ଭାବେ ଚାଲିଥିଲା । ଭାରତର ସୈନ୍ୟ ଶକ୍ତି ସେହି ସମୟରେ ଶକ୍ତିଶାଳୀ ନଥିଲା । ତେଣୁ ପଛକୁ ହଟିବାକୁ ପଡ଼ିଥିଲା । ୨୧ ନଭେମ୍ବରରେ ଯୁଦ୍ଧ ସ୍ଥଗିତ ହୋଇଥିଲା । ବର୍ଡ଼ର ପ୍ରୋଟୋକଲ୍‌କୁ ଉଲ୍ଲଙ୍ଘନ କରିବାରେ ଚୀନ୍ ସେ ସମୟରେ ନିଜ ଭୂମିକା ବୋଲି ଗ୍ରହଣ କରିଥିଲା । ଚୀନ୍‌ର ସେ ସମୟର ବିସ୍ତାରବାଦୀ ନୀତି ଆଜି  ଦିନରେ ସାମ୍ରାଜ୍ୟବାଦୀ ଆଡ଼କୁ ବଢିଛି । ଗତ ସୋମବାର ଦିନ ଗଲୁଆନ୍ ଘାଟିରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ଯେଉଁ ସଂଘର୍ଷ ହୋଇଥିଲା ତାହା ଥିଲା ପଥରରେ । ସତେ ଯେପରି ପାଷାଣ ଯୁଗର ଆରମ୍ଭ ହୋଇଯାଇଛି । ଚୀନ୍ ସରକାରୀ ଖବରକାଗଜ ଗ୍ଲୋବାଲ୍ ଟାଇମ୍ସ କହିଛି ଭାରତୀୟ ସୈନିକ ସୀମା ଡେଇଁ  ଚୀନ୍ ସୈନିକଙ୍କ ଉପରେ ଆକ୍ରମଣ କରିଥିଲେ । ଏଭଳି ଉତ୍ତେଜନାମୂଳକ ସ୍ଥିତିର ସମାଧାନ କେବଳ ଆଲୋଚନା ମାଧ୍ୟମରେ ହୋଇପାରିବ । ଭାରତ ଚୀନ୍‌ର ଏଭଳି ସ୍ପଷ୍ଟୀକରଣକୁ ଅସ୍ୱୀକାର କରିଛି । ଭାରତ ଗଲୱାନ୍ ଘାଟିକୁ ଲାଗି ରାସ୍ତା ନିର୍ମାଣ କରୁଥିବାରୁ ଚୀନ୍ ସହିପାରିନାହିଁ ।

ପାକିସ୍ତାନ ସ୍ଥିତ ଚୀନ୍ ଦୂତାବାସର ଜଣେ ଅଧିକାରୀ ୱାନ୍ ଜିଆନ୍  ଫେଙ୍ଗ୍ ଟ୍ୱିଟ୍ କରି କହିଛନ୍ତି ଭାରତୀୟ ସୈନିକଙ୍କ ବର୍ଡ଼ର ପ୍ରୋଟୋକଲ୍ ଉଲ୍ଲଙ୍ଘନ ଆଦୌ ସହନୀୟ ନଥିଲା । ଚୀନ୍ ସୈନିକ ୧୯୬୨ରେ ନେଥାରୁ ପଛକୁ ହଟିଥିଲେ ।  କିନ୍ତୁ ଲଦାଖରେ ୪୩ ଶହ ବର୍ଗମିଟର ଜମିରୁ ହଟିନଥିଲେ । ଗୋଟିଏ ମାସ କାଳ ସୀମା ସଂଘର୍ଷରେ ଆମ ଭାରତର ୩୨୫୦ ସୈନିକ ସହିଦ୍ ହୋଇଥିଲେ । ୧୯୫୫ରେ ଚୀନ୍ ସେନା ଏବଂ ଚୀନ୍‌ର ପ୍ରଧାନମନ୍ତ୍ରୀ ଜହାଉ-ଏନ୍‌-ଲାଇ ନେହେରୁଙ୍କ ସହ ପଞ୍ଚଶୀଳ ବୁଝାମଣା କରିଥିଲେ । ଆମ ଦେଶ ସ୍ୱାଧୀନ ହେବା ପରେ ଦେଶ ପାଇଁ ବିକାଶର ଚିନ୍ତା ଗୁରୁତ୍ୱପୂର୍ଣ୍ଣ ଥିଲା । ପଞ୍ଚବାର୍ଷିକୀ ଯୋଜନା ଉପରେ ସମସ୍ତ ସରକାରୀ ଯୋଜନା କେନ୍ଦ୍ରୀଭୂତ ହୋଇଥିଲା । କୃଷକ ଏବଂ ଗ୍ରାମୀଣ ଗରିବଙ୍କୁ ଉପରକୁ ଉଠାଇବା ପାଇଁ ଆବଶ୍ୟକ ଥିଲା । ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷାର ସ୍ଥିତି ଦୟନୀୟ ଥିଲା । ତେଣୁ  ଭାରତ ସୈନ୍ୟ ଖର୍ଚ୍ଚ ଉପରେ ଗୁରୁତ୍ୱ ଦେଇନଥିଲା । ନେହେରୁ ଶାନ୍ତି ନୀତିକୁ ଆପଣେଇ ସୈନ୍ୟ ପାଇଁ ଖର୍ଚ୍ଚ ବଢାଇନଥିଲେ । ଆର୍ଥିକ ବିକାଶ ମୁଖ୍ୟ କାର୍ଯ୍ୟସୂଚୀ ଥିଲା ।

୧୯୫୫ର ବୁଝାମଣା ଅନୁଯାୟୀ ଭାରତ ଚୀନ୍‌କୁ ବିଶ୍ୱାସ କରିଥିଲା । କିନ୍ତୁ ଚୀନ୍ ବିଶ୍ୱାସଘାତ ଭୂମିକା ଗ୍ରହଣ କରିଥିଲା । ୧୯୫୦ରେ ଚୀନ୍ ଦକ୍ଷିଣ ପାହାଡ଼ୀ ଅଞ୍ଚଳ ତିବ୍ଦତ ଉପରେ ନିଜ ଅଧିକାର ଘୋଷଣା କଲା । ସେବେଠୁ ଦଲାଇଲାମା ଭାରତର ରାଜନୈତିକ ଶରଣାର୍ଥୀ ହେଲେ ଯାହାକୁ ଚୀନ୍ ସହଜରେ ଗ୍ରହଣ କରିପାରିନଥିଲା । ଚୀନ୍‌ର ନୀତି ଆଜି ସାମ୍ରାଜ୍ୟବାଦୀ ପୁଞ୍ଜିବାଦ ନୀତି ଆଡ଼କୁ ବଢିଛି । ଭାରତ ଏହି ସମୟରେ ଆମେରିକା ସହ ନିକଟତର ହୋଇଛି । ଯାହାକୁ କି ଚୀନ୍ ସହିପାରୁନାହିଁ । ଭାରତର ଚାରିପଟରେ ଥିବା ଶ୍ରୀଲଙ୍କା, ନେପାଳ, ପାକିସ୍ତାନ, ଏବଂ ଭୁଟାନ୍ ଭଳି…

ଦେଶକୁ କରଜ ଦେଇ ଚୀନ୍ ନିଜର ଆର୍ଥିକ ସାମ୍ରାଜ୍ୟ ବିସ୍ତାର କରିଛି । ଏହିପରି ଭାରତର ସୀମା ଉପରେ ଗୋଟିଏ ପଟେ ଉତ୍ତେଜନା ସୃଷ୍ଟି କରୁଛି ଅନ୍ୟପଟରେ ଭାରତରେ ମଧ୍ୟ ନିଜର ବାଣିଜ୍ୟିକ କାରବାରକୁ ସୁଦୂର ପ୍ରସାର କରିଛି । ଆଜି ଭାରତ ପାଇଁ କେବଳ ପାକିସ୍ତାନ ନୁହେଁ, ଚୀନ୍ ମଧ୍ୟ ଶତ୍ରୁ ଭାବେ  ଠିଆ ହୋଇଛି । ଆମ ଦେଶର ଅଖଣ୍ଡତା ଏବଂ ସାର୍ବଭୌମତା ରକ୍ଷା କରିବାର ଦାୟିତ୍ୱ ହେଉଛି ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ପଟେ ଚୀନ୍‌ର ବିସ୍ତାରବାଦୀ ଏବଂ ସାମ୍ରାଜ୍ୟବାଦୀ ଆଭିମୁଖ୍ୟ ସ୍ପଷ୍ଟ ହେଉଥିବାବେଳେ ଅନ୍ୟପଟେ ଭାରତର ସରକାର ପୁଞ୍ଜିବାଦ ରାସ୍ତାରେ ଆଗକୁ ବଢିଛନ୍ତି । ଚୀନ୍‌କୁ ବେପାର କରିବା ପାଇଁ ବଜାରକୁ ମୁକ୍ତ କରିଛନ୍ତି । ଭାରତରେ ରାସ୍ତା ହେଉ ବା ରେଳ କରିଡ଼ର ହେଉ ଏପରିକି ମୂର୍ତ୍ତି ତିଆରିର ଦାୟିତ୍ୱ ଚୀନ୍ ଉପରେ ଦିଆଯାଉଛି । ଗୋଟିଏ ପରେ ଗୋଟିଏ ଚୀନ୍ କମ୍ପାନୀ ଭାରତର ଭିତ୍ତିଭୂମି ବିକାଶର ଠିକା ନେଉଛନ୍ତି । ଏପରି ସ୍ଥିତିରେ ଦେଶ ପାଇଁ ବଡ଼ ଆହ୍ୱାନ ଆସିଛି ।

ଚୀନ୍ ଦ୍ରବ୍ୟ ବର୍ଜନ ଉପରେ କିଛି ବୁଦ୍ଧିଜୀବୀ ଗୁରୁତ୍ୱାରୋପ କରୁଛନ୍ତି । ସରକାରରେ ଥିବା  ଦଳର କର୍ମକର୍ତ୍ତା ମଧ୍ୟ ଏଭଳି ପ୍ରଚାରକୁ ଅଧିକ ପ୍ରସାରିତ କରୁଛନ୍ତି । ପ୍ରଶ୍ନ ହେଉଛି କେନ୍ଦ୍ର ସରକାର ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେବେ କି ଚୀନ୍‌ର କୌଣସି କମ୍ପାନୀ ଭାରତରେ ବେପାର କରିବ ନାହିଁ । ଚୀନ୍ ମାଧ୍ୟମରେ ଭାରତକୁ ଏଫ୍‌ଡ଼ିଆଇ ଆସିବ ନାହିଁ । ଚୀନ୍‌ର କୌଣସି ଦ୍ରବ୍ୟ ଭାରତର ବଜାରରେ ବିକ୍ରି ହେବନାହିଁ । ଚୀନ୍ ସହ ବାଣିଜ୍ୟିକ କାରବାର ଯେତିକି ଆବଶ୍ୟକ ନୁହେଁ, ସେତିକି ଗୁରୁତ୍ୱପୂର୍ଣ୍ଣ ହେଉଛି ସୀମାରେ ଉତ୍ତେଜନା ବନ୍ଦ କରିବା । ଦେଶର ଜଣେ ପରେ ଜଣେ ସୈନିକ ସହିଦ୍ ହେବା ପଛରେ  ଚୀନ୍‌ର ବିସ୍ତାରବାଦୀ-ସାମ୍ରାଜ୍ୟବାଦୀ ନୀତିକୁ ଅସ୍ୱୀକାର କରାଯାଇନପାରେ । ଠିକ୍ ସେହିପରି ଭାରତର ପୁଞ୍ଜିବାଦୀ ନୀତି ଏବଂ ଆମେରିକାର ସ୍ତୁତିଗାନ ନୀତି ମଧ୍ୟ ଗ୍ରହଣୀୟ ନୁହେଁ । ଆଜି ଭାରତର ୧୫୫ କମ୍ପାନୀ ଆମେରିକାରେ ପୁଞ୍ଜି ନିବେଶ କରିଛନ୍ତି ।  ଯେଉଁମାନଙ୍କର କାରବାର ଆମେରିକାର ଟେକ୍‌ସାସ୍‌, ଫ୍ଲୋରିଡ଼ା, ନ୍ୟୁୟର୍କ ଏବଂ କାଲିଫର୍ଣ୍ଣିଆ ଭଳି ସ୍ଥାନରେ ଚାଲିଛି । ଏହି ଭାରତୀୟ କମ୍ପାନୀଗୁଡ଼ିକ ନିଜ ଦେଶ ଭାରତରେ ପୁଞ୍ଜିନିବେଶ ନକରି ଆମେରିକାରେ କାହିଁକି କରୁଛନ୍ତି? ଭାରତର ସୀମାରେ ଚୀନ୍‌ର ଲଗାତର ଉତ୍ତେଜନା, ବଜାରରେ ଚୀନ୍‌ର ବେପାର, ଚୀନ୍ କମ୍ପାନୀକୁ ଠିକା ଦେବା, ସାମରିକ ଶତ୍ରୁକୁ ବ୍ୟାପାରିକ ବନ୍ଧୁ ବୋଲି ଗ୍ରହଣ କରିବା  ସଂପର୍କରେ ସମୀକ୍ଷା କରିବା ଜରୁରୀ ।

ମିଳିଥିବା ସୂଚନା ଅନୁଯାୟୀ ଭାରତର ପ୍ରଧାନମନ୍ତ୍ରୀ ଚୀନ୍‌ର ଏହି ଉତ୍ତେଜନା ସୃଷ୍ଟି ପାଇଁ ଏବଂ ୨୦ ଜଣ ସହିଦଙ୍କୁ ଆତ୍ମବଳିଦାର ଗମ୍ଭୀରତାକୁ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି । ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଦେଶର ବୈଦେଶିକ ମନ୍ତ୍ରୀ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ।ଏହା ନିଶ୍ଚିତ ସ୍ୱାଗତଯୋଗ୍ୟ । କିନ୍ତୁ ଆମକୁ ବୁଝିବାକୁ ହେବ ଯେ, ଗୋଟିଏ ଦେଶ ଆଉ ଗୋଟିଏ ଦେଶ ଉପରେ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ନକରିବା ଉଚିତ୍ ।  ଆଉ ଗୋଟିଏ ଦେଶ ଆମ ଦେଶର ଆଭ୍ୟନ୍ତରୀଣ ବିଷୟରେ ହସ୍ତକ୍ଷେପ ନକରିବା ଉଚିତ୍ । ଶାନ୍ତିପୂର୍ଣ୍ଣ ସହ ଅସ୍ତିତ୍ୱ ନୀତି ଉପରେ ବିଶ୍ୱାସ କରିବା ଗୁରୁତ୍ୱପୂର୍ଣ୍ଣ ।  ସମାନତା ଓ ପରସ୍ପର  ଲାଭ ଉପରେ ମଧ୍ୟ  ଗୁରୁତ୍ୱ ଦେବା ଉଚିତ୍ । ଶେଷରେ ଏତିକି କହିବା ଉଚିତ୍ ହେବ ଯେ,  ପୁଞ୍ଜିବାଦ ସହ ଯୁଦ୍ଧ କହିଲେ ଭୁଲ୍ ହେବ ନାହିଁ । ଏଭଳି ସାମ୍ରାଜ୍ୟବାଦୀ ଓ ପୁଞ୍ଜିବାଦ ବିରୋଧରେ ସଶକ୍ତ ସ୍ୱର ସୃଷ୍ଟି କରିବାକୁ ହେବ । ଚୀନ୍‌କୁ ଶକ୍ତ ଜବାବ ଦେବା ପାଇଁ ଭାରତର ବଜାରକୁ ବନ୍ଦ୍ କରାଯିବା ଉଚିତ୍ ।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଦୂରଭାଷ: ୯୪୩୮୦୦୬୨୧୫

ଆହୁରି ପଢ଼ନ୍ତୁ

ଭାରତ ପରେ ଆମେରିକାରେ ବ୍ୟାନ୍‌ ହେଲା ଟିକଟକ, ଟ୍ରମ୍ପ ଦେଲେ ଏମିତି ନିର୍ଦ୍ଦେଶ

ଏବେ ‘କ’ଣ ଭାବିବା’ ନୁହେଁ ‘କିପରି ଭାବିବା’: ମୋଦି

୭ ଅଗଷ୍ଟ, ଶୁକ୍ରବାର: ଅଧିକ ପରିଶ୍ରମ କରିବେ

ସିବିଆଇ ପଞ୍ଝାରେ ରିୟା, ରୁଜୁ ହେଲା ମାମଲା

ରିୟାଙ୍କ ପାଇଁ ବେଙ୍ଗଲି ଝିଅ ଓ ମହିଳାଙ୍କୁ ଟାର୍ଗେଟ, ତଦନ୍ତ ଆରମ୍ଭ କଲା କୋଲକାତା ପୁଲିସ୍‌

ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କଠାରୁ ଦୂରେଇ ଯାଇଥିଲେ ରିୟା, କିନ୍ତୁ କାହିଁକି?

ଭାରତୀୟ ସୀମାରେ ପଶି ଯାଇଥିଲା ଚାଇନା, ତଥ୍ୟ ପ୍ରକାଶ କରି ଡିଲିଟ କରିଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୫୬ ହଜାରରୁ ଅଧିକ ପଜିଟିଭ,୯୦୪ ମୃତ

ଜମ୍ମୁ-କଶ୍ମୀରରେ ପୁଣି ଜଣେ ବିଜେପି ନେତାଙ୍କ ହତ୍ୟା

୬ ଅଗଷ୍ଟ, ଗୁରୁବାର: ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ

ଆମେରିକା ହେଲା ରାମମୟ

ସୁଶାନ୍ତ ପୂର୍ବତନ ମ୍ୟାନେଜର ଦିଶାଙ୍କ ଶବ ବ୍ୟବଚ୍ଛେଦରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ