Coastal Stone Wall In Ruins Photograph: (Author)
ଦେବ ରଞ୍ଜନ
ଗଲା କିଛି ସପ୍ତାହ ତଳେ ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲି ଅଞ୍ଚଳକୁ ଯାଇଥିଲି। ମୋ ଜୀବନର ଅନ୍ୟତମ ଯନ୍ତ୍ରଣାଦାୟକ ସତ୍ୟକୁ ସେଠାରେ ଭେଟିଲି। ସମୁଦ୍ର କୂଳର ଏକ ଗାଁ ଆର୍ଯ୍ୟପଲ୍ଲି। ସମୁଦ୍ରକୁ ସାମ୍ନା କରି ଠିଆ ହୋଇଛି। ମଝିରେ କେବଳ ଚାରିରୁ ପାଞ୍ଚ ପୁରୁଷ ଉଚ୍ଚର ବାଲିସ୍ତୂପ। ସେହି ବାଲିସ୍ତୂପ ଦିନେ ପ୍ରକୃତି ଦ୍ଵାରା ତିଆରି ହୋଇଥିଲା। ଆଜି ସେହି ବାଲିସ୍ତୂପ ସମୁଦ୍ରକୁ ଜନବସତି ଆଡ଼କୁ ମାଡ଼ିଯିବାରୁ ରୋକିଛି।
ସମୁଦ୍ର ଗର୍ଜନ କରୁଛି। ଯେଉଁ ଦିନ ବାଲିସ୍ତୂପ ସମତଳ ଭୂମିରେ ପରିଣତ ହୋଇଯିବ ସେହି ଦିନ ଦଶ ହଜାର ଜନସଂଖ୍ୟା ବିଶିଷ୍ଟ ଆର୍ଯ୍ୟପଲ୍ଲି ଗାଁ ସମୁଦ୍ରରେ ମିଶିଯିବ। ଏହା ସହିତ ଗାଁର ଅସ୍ମିତା ମଧ୍ୟ ଲୋପ ପାଇଯିବ। ଲୋକେ କୌଣସି ବି କ୍ଷତିପୂରଣ ବିନା ସେହିଠାରୁ ବିସ୍ଥାପିତ ହୋଇଯିବେ। କିଏ କ୍ଷତିପୂରଣ ଦେବ? ସମୁଦ୍ର?
ଏ ସବୁ ଯାହା ହେଉଛି ତାହା ‘ଦେଶର ବିକାଶ’ ନାମରେ ହେଉଛି ଓ ଯାହା ହେବାକୁ ଯାଉଛି ତାହା ମଧ୍ୟ ବିକାଶର ପ୍ରଧାନ ଲାଭକାରୀଙ୍କ ଦ୍ଵାରା ହେଉଛି।
ମାତ୍ର ଦୁଇ ବର୍ଷ ତଳେ ଆର୍ଯ୍ୟପଲ୍ଲି ଠାରୁ ସମୁଦ୍ର ପ୍ରାୟ ଏକ କିଲୋମିଟର ଦୂରରେ ଥିଲା। ଗାଁର ସମସ୍ତେ ମତ୍ସ୍ୟଜୀବୀ। ସେମାନେ ନିଜର ଡଙ୍ଗା ଓ ଜାଲ ସମୁଦ୍ର କୂଳରେ ରଖି ଆସୁଥିଲେ। ଗଲା ଦୁଇ ବର୍ଷ ମଧ୍ୟରେ ସମୁଦ୍ର ଏକ କିଲୋମିଟର ପଥ ଅତିକ୍ରମ କରି ଗାଁ ପାଖରେ ପହଞ୍ଚି ସାରିଲାଣି।
ସମୁଦ୍ର ଆର୍ଯ୍ୟପଲ୍ଲିର ଦ୍ରୁତଗତିରେ ନିକଟତର ହେବାର ପ୍ରମୁଖ କାରଣ ହେଉଛି ଆଦାନୀ ଅଧିକୃତ ଗୋପାଳପୁର ବନ୍ଦର। ଆଦାନୀ କମ୍ପାନୀ ଗୋପାଳପୁର ବନ୍ଦର ନିଜ କର୍ତ୍ତୃତ୍ଵକୁ ନେବା ପରେ ଜାହାଜମାନଙ୍କ ଚଳାଚଳ ଲାଗି ବିରାଟ ଅଞ୍ଚଳରୁ ବାଲି ଖୋଳି ଏହାକୁ ପଥର ବନ୍ଧ ଦେଇ ଅବରୁଦ୍ଧ ଅଞ୍ଚଳ ତିଆରି କରିଛି। ଏହାକୁ ବ୍ରେକୱାଟର କୁହାଯାଏ।
ବ୍ରେକୱାଟର ଅଞ୍ଚଳ ବନ୍ଦରର ନିଜସ୍ଵ ଅଞ୍ଚଳ। ଏହା ମଧ୍ୟରେ ବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ବାହାରର ଜାହାଜ ପ୍ରବେଶ କରିଥାଏ। ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବିରାଟ ଲମ୍ବା ଓ ଦୃଢ଼ ପଥର ଡାଇକ ରହିଛି। ଡାଇକ ହିଁ ଜାହାଜ ଯିବା ଲାଗି ରାସ୍ତା ତିଆରି କରିଥାଏ। ଯେତେବଡ଼ ଜାହାଜ ରହିବାର କ୍ଷମତା ଯେଉଁ ବନ୍ଦରର ରହିଛି ସେହି ବନ୍ଦରର ବ୍ରେକୱାଟର ଅଞ୍ଚଳ ସେତେ ଦୀର୍ଘ ଓ ଗଭୀର। ସମୁଦ୍ର ନିୟମିତ ଏହି ବ୍ରେକୱାଟର ଅଞ୍ଚଳରେ ବାଲି ଭରି ଦେଉଥିବା ହେତୁ ପମ୍ପ ଦ୍ଵାରା ସେହି ଅଞ୍ଚଳରୁ ବାଲି କାଢ଼ିନେଇ ନିକଟସ୍ଥ ଅଞ୍ଚଳରେ ପକାଯାଏ। ସେହି ବିରାଟ ଗୋଲେଇ ଥିବା ଦୀର୍ଘ ପାଇପ ମଧ୍ୟ ଲୋକଙ୍କ ଯିବା ଆସିବାରେ ବାଧା ସୃଷ୍ଟି କରେ।
ଆଦାନୀ କମ୍ପାନୀ ଗୋପାଳପୁର ବନ୍ଦରର ବ୍ରେକୱାଟର ପାଇଁ ଲମ୍ବା ଡାଇକ ସମୁଦ୍ର ମଧ୍ୟରେ ତିଆରି କରିଛି। ଏହା ସମୁଦ୍ର ଢେଉର ଗତିପଥକୁ ବଦଳାଇ ଦେଇଛି। ଫଳରେ ବନ୍ଦରର ଉତ୍ତର ଦିଗରେ ଅବସ୍ଥିତ ଆର୍ଯ୍ୟପଲ୍ଲି ଗାଁ ଆଜି ସମୁଦ୍ର ମଧ୍ୟରେ ଲୀନ ହୋଇଯିବାକୁ ବସିଛି।
/filters:format(webp)/odisha-reporter/media/media_files/2025/11/25/img_5469-2025-11-25-15-19-34.jpg)
ଲୋକଙ୍କ କହିବା କଥା ହେଲା ଯେ ସେମାନେ ବାରମ୍ବାର ସରକାରୀ ସ୍ତରରେ ଏ ସମ୍ପର୍କରେ ସୂଚନା ଦେଇସାରିଲେଣି। ପ୍ରତି ସପ୍ତାହରେ ସରକାରଙ୍କର କେହି ନା କେହି ଆସୁଛନ୍ତି ଯେମିତି ଗଞ୍ଜାମ ଜିଲ୍ଲାପାଳ, ସ୍ଥାନୀୟ ବିଧାନସଭା ସଦସ୍ୟ, ସାଂସଦ, ଇଞ୍ଜିନିୟର। ସମସ୍ତେ ପୁଣି ମୁହଁ ଚୁପ କରିପଳାଉଛନ୍ତି। କାରଣ ଏହା ଆଦାନୀର ପ୍ରକଳ୍ପ।
ତେବେ ସରକାରୀ ଅଧିକାରୀମାନେ ବାରମ୍ବାର ଗାଁକୁ ଆସୁଛନ୍ତି କାହିଁକି? ଲୋକଙ୍କ କହିବା ଅନୁସାରେ ଦାବି କରିବା ହେତୁ ଦୁଇ ଟ୍ରକ ପଥର ପକାଇଦେଲେ। ଏବେ କହୁଛନ୍ତି ପାହାଡ଼ରୁ ପଥର ସରିଗଲା। ତେବେ ପ୍ରତି ସପ୍ତାହରେ ସେମାନେ ଆସୁଛନ୍ତି କାହିଁକି? କାହାର ଉଦ୍ଦେଶ୍ୟ ପୂରଣ କରୁଛନ୍ତି? ପ୍ରତି ସାଂସଦ, ବିଧାନସଭା ସଦସ୍ୟ ଓ ଆଇଏଏସ ନିର୍ବାଚିତ ଅଥବା ମନୋନୀତ ହେବା ପରେ ଲୋକଙ୍କ ସେବାକୁ ମନେପକାଇଥାନ୍ତି। ବାସ୍ତବରେ କିନ୍ତୁ ସେମାନେ କର୍ପୋରେଟ ଅର୍ଥନୀତିର ଆଜ୍ଞାବହ ହୋଇଯାନ୍ତି ଯାହାର ଶକ୍ତି ମଧ୍ୟ ସେମାନଙ୍କୁ ଜଣାନଥାଏ।
ଲୋକଙ୍କ ମଧ୍ୟରେ ଭୟ ଓ କ୍ରୋଧ ଉଭୟ ଲହଡ଼ି ମାରୁଛି। ଅବଶ୍ୟ ଆଜି ପର୍ଯ୍ୟନ୍ତ ଏହା କୁଳ ଲଙ୍ଘି ନାହିଁ। ସରକାରଙ୍କ ପ୍ରତି ଲୋକଙ୍କ ଭୟ ମୋତେ ରାଜରାଜୁଡ଼ା ସମୟକୁ ନେଇଯାଉଥିଲା। ରାଜରାଜୁଡ଼ା ସମୟରେ ଲୋକେ ରାଜାଙ୍କୁ ଡରୁଥିଲେ। କାରଣ ରାଜା ବିନା ବିଚାରରେ ବନ୍ଦୀ କରୁଥିଲା ନଚେତ ମାରିଦେଉଥିଲା। ଗଣତନ୍ତ୍ରର ଦେଶରେ ଲୋକେ ନୂତନ ଶାସକଙ୍କୁ ଡରୁଛନ୍ତି। ସେମାନେ କହୁଛନ୍ତି ଯେ ପୋଲିସ ଦ୍ଵାରା କାହାକୁ ହତ୍ୟା କରାଯାଉଛି ତ ପୁଣି କାହାକୁ କମ୍ପାନୀର ଅର୍ଥ ଦେଇ ଚୁପ କରିଦିଆଯାଉଛି।
/filters:format(webp)/odisha-reporter/media/media_files/2025/11/25/img_5524-2025-11-25-15-18-12.jpg)
ଗୋପାଳପୁର ବନ୍ଦର ବହୁତ ପୁରୁଣା ବନ୍ଦର।
ପରିବେଶ ମନ୍ତ୍ରଣାଳୟ ଦ୍ଵାରା ଦିଆଯାଇଥିବା ମାର୍ଚ୍ଚ ୩୦, ୨୦୧୧ର ପରିବେଶ ଅନୁମତି ପତ୍ରରେ ବନ୍ଦରର ଉଭୟ ପାଖରେ ସମୁଦ୍ର ତଟ ଖାଇବାର ସମ୍ଭାବନା ରହିଥିବା କଥା ଉଲ୍ଲେଖ ରହିଥିଲା। କିନ୍ତୁ ସେହି ମନ୍ତ୍ରଣାଳୟ ଦ୍ଵାରା ୨୦୨୩ ମସିହାରେ ଏନଏଲଡିକୁ (ନେଟ ଲିଟଲାଲ ଡ୍ରିଫ୍ଟିଙ୍ଗ କମ୍ପାନୀ) ଦିଆଯାଇଥିବା ଅନୁମତି ପତ୍ରରେ ଏ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ଏହାପରେ ଆଦାନୀ ଏହାକୁ ଅକ୍ତିଆର କରିଛି। ଆଦାନୀ ଏହାକୁ ଅକ୍ତିଆର କରିବା ପରେ ପରିବେଶ ମଞ୍ଜୁରୀ ପତ୍ରରେ ଆପେ ଆପେ ସମୁଦ୍ର ତଟ ଖାଇବାର ସମ୍ଭାବନା ଲିଭିଯାଇଛି।
ଏ ସମ୍ପର୍କରେ ଅତ୍ୟତମ ରୋଚକ ତଥ୍ୟ ହେଲା ବନ୍ଦର ଲାଗି ଏସଇଜେଡ ଘୋଷଣା।
ଗୋପାଳପୁର ବନ୍ଦର ପ୍ରଥମେ ସରକାରଙ୍କ କର୍ତ୍ତୃତ୍ଵରେ ଥିଲା। ଟାଟା କମ୍ପାନୀ ଗୋପାଳପୁରରେ ଷ୍ଟିଲ ପ୍ଳାଣ୍ଟ କରିବାର ଯୋଜନା କରିଥିବା ସମୟରେ ଏହାର ପରିଚାଳାନା କାର୍ଯ୍ୟ ହାତକୁ ନେଇଥିଲା। ସେହି ସମୟରେ ଏହାକୁ ସ୍ଵତନ୍ତ୍ର ଅର୍ଥନୈତିକ ଅଞ୍ଚଳ ବା ଏସଇଜେଡ ଷ୍ଟାଟସ ମିଳିଥିଲା।
ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରିତ୍ଵ ସମୟରେ ସ୍ଵତନ୍ତ୍ର ଅର୍ଥନୈତିକ ଅଞ୍ଚଳ ବା ଏସଇଜେଡ ଘୋଷଣା କରିବା ଲାଗି ପ୍ରସ୍ତାବ ଆସିଥିଲା। ଦେଶ ମଧ୍ୟରେ କୌଣସି ଅଞ୍ଚଳ ସ୍ଵତନ୍ତ୍ର ଅର୍ଥନୈତିକ ଅଞ୍ଚଳ ବା ଏସଇଜେଡ ଘୋଷିତ ହେଲା ପରେ ଦେଶର ଶ୍ରମ ଆଇନ, ସୁରକ୍ଷା ଆଇନ ଇତ୍ୟାଦି ସେଠାରେ କାର୍ଯ୍ୟକାରୀ ହୋଇନଥାଏ। ସେହି କମ୍ପାନୀ ନିଜର ଆଇନ ନିଜେ ତିଆରି କରିଥାଏ। ସେଥିଲାଗି ଉକ୍ତ ଅଞ୍ଚଳକୁ ଦେଶ ମଧ୍ୟରେ କ୍ଷୁଦ୍ର ଦେଶ କହି ଅନେକ ମାନବିକ ଅଧିକାର କର୍ମୀ ଏଭଳି ପ୍ରସ୍ତାବକୁ ବିରୋଧ କରିଥିଲେ।
ଟାଟା କମ୍ପାନୀ ଲାଗି ବନ୍ଦର ଲାଭଜନକ ନହେବା ହେତୁ ଓ ଷ୍ଟିଲ ପ୍ଳାଣ୍ଟ ପ୍ରସ୍ତାବ ବନ୍ଦ ହୋଇ କଳିଙ୍ଗ ନଗର ଅଞ୍ଚଳକୁ ଚାଲିଯିବା ପରେ ଟାଟା ଏହି ବନ୍ଦର ପ୍ରକଳ୍ପରୁ ଓହରି ଯାଇଥିଲା। ଓଡ଼ିଶା ଷ୍ଟିଭେଡର କମ୍ପାନୀ ଏହି ବନ୍ଦରକୁ ନିଜ ହାତକୁ କିଛି ବର୍ଷ ନେଇ ସେଠାରେ ପୁରୁଣା ଜାହାଜକୁ ଆଣି ତାହାକୁ ଆଦରକାରୀ ବସ୍ତୁ ବା ସ୍କ୍ରାପ ଦରରେ ବିକ୍ରି କରୁଥିଲା। ୨୦୨୩ ମସିହାରେ ଆଦାନୀ କମ୍ପାନୀ ଏହି ବନ୍ଦରକୁ ନିଜ କର୍ତ୍ତୃତ୍ଵକୁ ନେଇଛି। ଏହା ସହିତ ଆଦାନୀର ଏହି ବନ୍ଦରକୁ ସ୍ଵତନ୍ତ୍ର ଅର୍ଥନୈତିକ ଅଞ୍ଚଳ ବା ଏସଇଜେଡ ଷ୍ଟାଟସ ବିଜେପି ସରକାରଙ୍କ ଦ୍ଵାରା ମିଳିଛି।
କଂଗ୍ରେସ ସରକାରଙ୍କ ସମୟରେ ଆଗତ ସ୍ଵତନ୍ତ୍ର ଅର୍ଥନୈତିକ ଅଞ୍ଚଳ ବା ଏସଇଜେଡ ଷ୍ଟାଟସ ବିଜେପି ପୁଣି ଲାଗୁ କରିବା ଓ ଗୋପାଳପୁର ବନ୍ଦରକୁ ଆଦାନୀକୁ ଦିଆଯିବା ସମୟରେ ଏହାକୁ ସ୍ଵତନ୍ତ୍ର ଅର୍ଥନୈତିକ ଅଞ୍ଚଳ ଘୋଷଣା କରିବା କଂଗ୍ରେସର ଅନୁକରଣ ନୁହେଁ କି?
କଂଗ୍ରେସ ସରକାରଙ୍କ ସମୟରୁ କର୍ପୋରେଟମାନଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗକୁ ବିଜେପି ନିଜ ସମୟରେ ଲାଗୁ କରିବା ଦ୍ଵାରା ଭାରତରେ କର୍ପୋରେଟ ଅର୍ଥନୀତି ଯେ କେତେ ଶକ୍ତିଶାଳୀ ହୋଇଯାଇଛି ତାହା ଯେଉଁଭଳି ପ୍ରମାଣିତ ହେଉଛି ସେହିଭଳି ବିଜେପିର ଯେ ନିଜର କୌଣସି ସ୍ଵତନ୍ତ୍ର ଓ ଭିନ୍ନ ଅର୍ଥନୀତି ନାହିଁ ତାହା ଜଣାପଡୁଛି।
ଏହାପୂର୍ବରୁ ମଧ୍ୟ ଆର୍ଯ୍ୟପଲ୍ଲି ଗାଁ ପ୍ରତି ବିପଦ ରହିଥିବାର ଖବର ପ୍ରକାଶିତ ହୋଇଛି। ଏବେ ଆଦାନୀ ଏହାକୁ ସର୍ବକାଳୀନ ବନ୍ଦର କରିବା ପରେ ଓ ବ୍ରେକୱାଟରର ସୀମା ବୃଦ୍ଧି କରିବା ପରେ ସମୁଦ୍ର ଦ୍ରୁତ ବେଗରେ ଜନବସତି ଆଡକୁ ମାଡ଼ି ଆସୁଛି। ଏହା ବହୁ ଶୀଘ୍ର କଲିକତା- ଚେନ୍ନାଇ ଜାତୀୟ ରାଜପଥ ନିକଟକୁ ମଧ୍ୟ ଆସିଯିବ।
ଆର୍ଯ୍ୟପଲ୍ଲି ଗାଁ ଗ୍ରାମବାସୀ ବାଲିସ୍ତୁପ ଉପରେ ନିଜର ଅସ୍ଥାୟୀ କୁଡ଼ିଆ କରିଛନ୍ତି। ନଦୀରେ ବଢ଼ି ଆସିଲେ ଲୋକେ ବନ୍ଧ ଉପରେ ଠିଆ ହୋଇ ନଦୀର ଭୋକିଲା ରୂପକୁ ଦେଖିଲା ଭଳି ଆର୍ଯ୍ୟପଲ୍ଲି ଗ୍ରାମବାସୀ ସେହିଭଳି ଅସ୍ଥାୟୀ କୁଡ଼ିଆରେ ନିୟମିତ ପହରା ଦେଇ ସମୁଦ୍ରର ଭୋକିଲା ପଣକୁ ଏକୁଟିଆ ସାମ୍ନା କରିବାର ସାହସ ଜୁଟାଉଛନ୍ତି।
ମୋବାଇଲ- ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/25/img_5472-2025-11-25-15-17-24.jpg)