/odisha-reporter/media/post_attachments/uploadimage/library/16_9/16_9_0/IMAGE_1741587932.jpg)
Donald Trump
ଦେବ ରଞ୍ଜନ
ଆମେରିକାର ରାଷ୍ଟ୍ରପତି, ସେ ଯେ କେହି ହୋଇଥାନ୍ତୁ ନା କାହିଁକି, ତାଙ୍କ କ୍ଷମତା ଯେ କେତେ ତାହାକୁ ଆକଳନ ଆଜି ବି ବିଶ୍ୱରେ କେହି କରିପାରିନାହାନ୍ତି। ଯଦିଓ ବିଶ୍ଵର ଅନେକ ଦେଶର ବାସିନ୍ଦା ଆମେରିକା ରାଷ୍ଟ୍ରପତିଙ୍କ ପରିଚାଳିତ ସୈନ୍ୟ ବାହିନୀ ଦ୍ଵାରା ଅତ୍ୟାଚାରିତ ହୋଇଛନ୍ତି, ନିଜର ସମସ୍ତ ସମ୍ପତ୍ତି ଓ ପରିବାରର ଅନେକ ସଦସ୍ୟଙ୍କୁ ହରାଇଛନ୍ତି, ଧ୍ଵଂସ ସ୍ତୂପ ଉପରେ ମଧ୍ୟ ରହିବା ଲାଗି ସ୍ଥାନ ପାଇନାହାନ୍ତି ତଥାପି ତାଙ୍କର କ୍ଷମତାର ଆକଳନ କରିପାରିନାହାନ୍ତି। ଦ୍ଵିତୀୟ ବିଶ୍ଵଯୁଦ୍ଧ ପରଠାରୁ ଆମେରିକା କ୍ରମାଗତ ଭାବରେ ଶକ୍ତିଶାଳୀ ହୋଇଚାଲିଛି। ଆଜି ବି ଏହି ଧାରା ସକ୍ରିୟ ରହିଛି।
କିଛି ଦେଶର ମୁଖ୍ୟ ସାହସର ସହିତ ଅସହଯୋଗ କରିଛନ୍ତି। କ୍ୟୁବା, ଭେନେଜୁଏଲା ଓ ଇରାନ ଭଳି ଦେଶ ଏହାର ପ୍ରତିବାଦ କରିଛନ୍ତି। ପୁଣି ଇଉରୋପ ଓ ଏସିଆର ଅନେକ ଦେଶ ବଶ୍ୟତା ସ୍ଵୀକାର ମଧ୍ୟ କରିଛନ୍ତି। କିନ୍ତୁ କେଉଁଥିରେ ବି ଆମେରିକା ରାଷ୍ଟ୍ରପତିଙ୍କ କ୍ଷମତାର ଟିକେ ବି ଅବକ୍ଷୟ ହୋଇନାହିଁ କି ଏହାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।
ସାଧାରଣ ଆମେରିକାବାସୀ ମଧ୍ୟ ବିଶ୍ୱରେ ଆତଙ୍କ ଖେଳାଉଥିବା ନିଜ ରାଷ୍ଟ୍ରପତିଙ୍କ କାର୍ଯ୍ୟକଳାପକୁ ପ୍ରତିବାଦ କରିବାର କ୍ଵଚିତ ଶୁଣାଯାଇଛି। ଗଲା ଦଶ ବର୍ଷ ମଧ୍ୟରେ ‘ଆମେମାନେ ୯୯ ପ୍ରତିଶତ’ (ୱି ଆର ନାଇଣ୍ଟିନାଇନ ପରସେଣ୍ଟ) ଓ ‘କଳା ଲୋକଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ’ (ବ୍ଲାକ ଲାଇଭ୍ସ ମ୍ୟାଟର) ଭଳି ଦୁଇଟି ପ୍ରତିବାଦ ଆନ୍ଦୋଳନ ଆମେରିକାରେ ଏହାର ଶାସନତନ୍ତ୍ର ବିରୁଦ୍ଧରେ ହୋଇଥିଲା। ସେଥିରୁ ଆମେରିକା ପ୍ରଶାସନ କିଛି ଶିଖିବା ବଦଳରେ ତାହାକୁ ଦମନ ଓ ବାଟବଣା କରିଦେଲା।
ଏଭଳି ଏକ ଐତିହାସିକ ପୃଷ୍ଠଭୂମିରେ ରିପବ୍ଲିକାନ ଦଳର ଡୋନାଲ୍ଡ ଟ୍ରମ୍ପ ଗଲା ବର୍ଷ ଆମେରିକାବାସୀଙ୍କ ଦ୍ଵାରା ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଏଥର ତାଙ୍କ ବିପକ୍ଷରେ ଡେମୋକ୍ରାଟ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ କମଳା ହାରିସ। ବର୍ଣ୍ଣ ବିଦ୍ଵେଷୀ ଡୋନାଲ୍ଡ ଟ୍ରମ୍ପ ଓ ନିଜ ଦଳର ସମର୍ଥକମାନେ ବିପକ୍ଷ ପ୍ରାର୍ଥୀଙ୍କୁ ନିର୍ବାଚନ ସମୟରେ ‘କମଳା ହାରିସ ଅସୁନ୍ଦର’, ‘କମଳା ହାରିସ ଏକ ବେଶ୍ୟା’, ‘କମଳା ହାରିସ ଜଣେ ରାକ୍ଷସୀ’ ଭଳି ଅତ୍ୟନ୍ତ ଅଶାଳୀନ ଓ ଅଭଦ୍ର ମନ୍ତବ୍ୟ ଦେଇଥିଲେ ମଧ୍ୟ ଏହାର ପ୍ରତିବାଦ ଆମେରିକାରେ ହୋଇପାରିନଥିଲା। ବରଂ ଟ୍ରମ୍ପ ନିର୍ବାଚିତ ହେଲେ। ଟ୍ରମ୍ପ ନିର୍ବାଚନ ସମୟରେ ଉଗ୍ରବର୍ଣ୍ଣବାଦ ଆକ୍ଷେପ କରିବା ପଛରେ ଉଦ୍ଦେଶ୍ୟ ହେଲା ସେ ନିଜର ଭୋଟରମାନଙ୍କୁ ଦର୍ଶାଉଥିଲେ ଯେ ଡେମୋକ୍ରାଟ ଦଳର ସଦସ୍ୟା କମଳା ହାରିସଙ୍କ ଭଳି ଜଣେ ଏସୀୟ ବଂଶୋଦ୍ଭବ ହାତରେ ଦେଶ ସୁରକ୍ଷିତ ରହିନପାରେ।
ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟରୁ ସ୍ପଷ୍ଟ ହୋଇସାରିଥିଲା ଯେ ଟ୍ରମ୍ପଙ୍କ ଭିତରେ ବର୍ଣ୍ଣ ବିଦ୍ଵେଷ ପ୍ରବଳ ରହିଛି। କମଳା ହାରିସ ଯେ ଭାରତୀୟ ବଂଶୋଦ୍ଭବ ଏହା ଜଣାଶୁଣା ଥିଲା। କମଳା ହାରିସଙ୍କ ପ୍ରତି ଟ୍ରମ୍ପଙ୍କ ଆକ୍ଷେପ ଏସୀୟ ଦେଶମାନଙ୍କ ପ୍ରତି ରହିଥିବା ବିଦ୍ଵେଷ ମନୋଭାବର ଉଦାହରଣ। ଏହା ସେ ନିର୍ବାଚନ ସମୟରେ ହିଁ ପ୍ରକାଶ କରିସାରିଥିଲେ।
ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ନିଜ ବିପକ୍ଷ ପ୍ରାର୍ଥୀ କମଳା ହାରିସଙ୍କ ପ୍ରତି ଏଭଳି ପୁରୁଷତାନ୍ତ୍ରିକ, ଉଗ୍ର ବର୍ଣ୍ଣବାଦ ଓ ଅଶିଷ୍ଟାଚାର ମନ୍ତବ୍ୟ ବିରୁଦ୍ଧରେ ଆମେରିକା ନିର୍ବାଚନ କମିଶନ କିମ୍ବା ସୁପ୍ରିମ କୋର୍ଟ କୌଣସି ପଦକ୍ଷେପ ନେଇନଥିଲେ। ଏହା ସ୍ଵୀକାର କରିବା ଆବଶ୍ୟକ ଯେ ଆମେରିକାରେ ବର୍ଣ୍ଣବିଦ୍ଵେଷ ଭାବନା ଓ ଉଗ୍ର ଏସୀୟ ବିରୋଧୀ ମନୋଭାବ ସାଧାରଣ ଆମେରିକୀୟଙ୍କ ମଧ୍ୟରେ ବହୁତ ଭିତରକୁ ଯାଇସାରିଛି। ଆମେରିକାବାସୀ ଟ୍ରମ୍ପଙ୍କୁ ନିର୍ବାଚିତ କରିବା ପରେ ଟ୍ରମ୍ପ ମଧ୍ୟ ନିଜ ବିଚାରକୁ ନେଇ ଅଧିକ ଦୃଢ଼ ହୋଇସାରିଛନ୍ତି।
ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ (୨୦୧୭ ରୁ ୨୦୨୧) ଥରେ ରାଷ୍ଟ୍ରପତି ହୋଇଥିଲେ। ସେ ସମୟରେ ସେ ଇସଲାମଭୟ ବା ଇସଲାମ ଆଡୁ ଭୟ ରହିଥିବାର ବାର୍ତ୍ତା ନିଜ ଦେଶବାସୀଙ୍କୁ ଦେଇ ଇସଲାମକୁ ନେଇ ଏକ ଆତଙ୍କ ସୃଷ୍ଟି କରିଥିଲେ। ଏହି ଧାରା ୨୦୦୧ ମସିହାରେ ଆମେରିକା ଉପରେ ଅଲ କାଏଦା ଆକ୍ରମଣରୁ ତିଆରି ହୋଇଥିଲା। ପୂର୍ବ ରାଷ୍ଟ୍ରପତି ଜର୍ଜ ବୁଶ ଏହାର ପ୍ରଚାରକ ଥିଲେ। ଟ୍ରମ୍ପ ନିଜ ସମୟରେ ଏହାକୁ ଅଧିକ ତୀବ୍ର କରିଥିଲେ।
ଡୋନାଲ୍ଡ ଟ୍ରମ୍ପ ଇସଲାମଆଡୁଭୟ ବା ଇସଲାମୋଫୋବିଆର ଦ୍ଵାହି ଦେଇ ଇସଲାମ ବହୁଳ ଦେଶ ସିରିଆ, ଇରାକ, ଇରାନ, ଲିବିଆ, ସୋମାଲିଆ, ସୁଦାନ ଓ ୟେମେନ ଦେଶ ଉପରେ ଯାତାୟତ ପ୍ରତିବନ୍ଧକ ବା ଟ୍ରାଭେଲ ବ୍ୟାନ ଲାଗୁ କରିଥିଲେ। ଏହା ଟ୍ରମ୍ପଙ୍କ ଟ୍ରାଭେଲ ବ୍ୟାନ ନାମରେ (କୁ)ଖ୍ୟାତ ଥିଲା। ଏହାର ମୂଳ କାରଣ ଥିଲା ଯେ ଆମେରିକା ପୂର୍ବରୁ ଉକ୍ତ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରି ଉକ୍ତ ଦେଶମାନଙ୍କରେ ଗୃହ ଯୁଦ୍ଧ ଲଗାଇବା, ଶାସକଙ୍କୁ ପରିବର୍ତ୍ତନ କରିବା ଓ ଆକ୍ରମଣ କରିବା ଭଳି କାର୍ଯ୍ୟରେ ଲିପ୍ତ ରହିଥିଲା। ହୁଏତ ସେହି ଦେଶମାନଙ୍କର କୌଣସି ନାଗରିକ ପ୍ରତିଶୋଧ ପରାୟଣ ବଶତଃ ଆମେରିକା ମଧ୍ୟରେ ଆଲକାଏଦାର ଆକ୍ରମଣ ଭଳି କିଛି ଯୋଜନା କରିପାରେ, ତାହା ପ୍ରତି ସତର୍କ ରହିବା।
ଏଠାରେ ଉଲ୍ଲେଖ କରିବା ଠିକ ହେବ ଯେ ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆଲକାଏଦା ଦ୍ଵାରା ଯେଉଁ ଆକ୍ରମଣ ଆମେରିକା ଉପରେ ହୋଇଥିଲା - ତିନୋଟି ବିମାନକୁ ଅପହରଣ କରି ତିନୋଟି ସ୍ଥାନରେ ଧକ୍କା ଦିଆଯାଇଥିଲା - ତାହା ପଛରେ ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ ଓ ଇସ୍ରାଏଲକୁ ଆମେରିକାର ସହଯୋଗର ପ୍ରତିବାଦରେ ଥିଲା ବୋଲି ମୃତ ବିନ ଲାଡେନ ନିଜର ଭିଡିଓ ବାର୍ତ୍ତାରେ ସେ ସମୟରେ ପ୍ରକାଶ କରିଥିଲା। ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ ୧୯୪୮ ମସିହାରୁ ହୋଇଆସୁଛି ଓ ଆମେରିକା ପ୍ରଥମ ରାଷ୍ଟ୍ର ଭାବରେ ଇସ୍ରାଏଲକୁ ସେହି ଦିନରୁ ସହଯୋଗ ଦେଇଆସୁଛି।
ଏବେ ଦ୍ଵିତୀୟ ପାଳିରେ ଟ୍ରମ୍ପ ଏସୀୟ ଦେଶମାନଙ୍କ ପ୍ରତି ଆକ୍ରମଣାତ୍ମକ ଭାବନା ଦେଖାଇବା ଆରମ୍ଭ କରିଛନ୍ତି। ବେଶ କିଛି ଭାରତୀୟଙ୍କୁ ଅତି ଅସମ୍ମାନ ଢଙ୍ଗରେ ଭାରତ ପଠାଇଦିଆଗଲା। ଏହାକୁ ନେଇ ଭାରତରେ ପ୍ରତିବାଦ ହୋଇଛି। ଚିନ୍ତା କରାଯାଉଛି ଯେ ଆମେରିକାରେ ରହିଥିବା ବାକି ଏକ ଲକ୍ଷ ଅଶି ହଜାର ଭାରତୀୟଙ୍କୁ ଭାରତକୁ ପଠାଇଦିଆଯିବ। ନୂତନ ଇମିଗ୍ରେସନ ଆଇନ ଆଣି ଆମେରିକାରେ ବିଭିନ୍ନ ଅନୁପ୍ରବେଶକାରୀଙ୍କୁ ବହିଷ୍କାର କରିବାର ଯୋଜନା ଟ୍ରମ୍ପ କରୁଛନ୍ତି। ତେବେ କଳମ୍ବସଙ୍କ ସମୟରେ (୧୪୯୨ ମସିହା) ଯେଉଁ ଇଉରୋପୀୟମାନେ ଆମେରିକାରେ ପ୍ରବେଶ କରିଥିଲେ ସେହିମାନଙ୍କ ବଂଶଧରଙ୍କୁ ଆମେରିକାର ଲୋହିତ ଭାରତୀୟମାନେ ନିଜର ନୂତନ ଇମିଗ୍ରେସନ ଆଇନ ଦ୍ଵାରା କେବେ ବିତାଡ଼ିତ କରିବେ ତାହା ଦେଖିବାକୁ ଇଚ୍ଛା ରହିଲା।
ଟ୍ରମ୍ପଙ୍କ ନୁତନ ଟାରିଫ ଏବେ ପୁଣି ଏକ ସମସ୍ୟା ସୃଷ୍ଟି କରିଛି। ପୂର୍ବରୁ ଅନେକ ଦେଶର ସରକାର ଆମେରିକାର ଦ୍ରବ୍ୟ ଆମଦାନୀ କରିବା ସମୟରେ ଅଧିକ ଟିକସ ବସାଉଥିଲେ ଯାହା କି ଆମେରିକା ସେମାନଙ୍କ ଉପରେ ଲଗାଇଥିବା ଟିକସ ଠାରୁ ଯଥେଷ୍ଟ ଅଧିକ ଥିଲା ବୋଲି ଟ୍ରମ୍ପ ନୂତନ ଅଭିଯୋଗ ଆଣିଛନ୍ତି। ସେ ଏବେ ବିଶେଷକରି ଏସୀୟ ଦେଶମାନଙ୍କୁ ନିଜର ଟିକସ ହ୍ରାସ କରିବା ନଚେତ ଆମେରିକା ଆମଦାନୀ ସମୟରେ ଅଧିକ ଟିକସ ଲାଗୁ କରିବ ବୋଲି ଧମକ ଦେବା ଦ୍ଵାରା ଅର୍ଥନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ଏହା ଯଦିଓ କୁହାଯାଉଛି ଯେ ଚୀନର ପ୍ରଭାବକୁ କ୍ଷୁର୍ଣ୍ଣ କରିବା ଲାଗି ଆମେରିକା ସେହିଭଳି ନିଷ୍ପତ୍ତି ନେଇଛି କିନ୍ତୁ ବାସ୍ତବରେ ଏସୀୟ ଦେଶମାନଙ୍କରେ ଏହାର ପ୍ରଭାବ ଅନୁଭୂତ ହେଉଛି। କେବଳ କେତେକ ଜିନିଷର ଦର ବୃଦ୍ଧି ଘଟୁଛି ତାହା ନୁହେଁ ଏସୀୟ ଦେଶମାନଙ୍କରେ ପୁଞ୍ଜି ନିବେଶ କରିଥିବା ଅନେକ ଆମେରିକୀୟ କମ୍ପାନୀ ପୁଞ୍ଜି ପ୍ରତ୍ୟାହାର ଏହାପରେ କରିନେଉଛନ୍ତି।
ଏବେ ୪୨ଟି ଭାରତୀୟ ଜିନିଷ ଉପରେ ଆମେରିକା ସରକାର ଆମଦାନୀ ଟିକସ ବଢାଇଦେଇଛନ୍ତି। ଏହା ସେ ହୁଏତ ଅନ୍ୟ କେତେକ ଦେଶ ଉପରେ ଲାଗୁ କରିଛନ୍ତି। ପୁଣି କେତେକ ଦେଶ ଉପରେ ଯେପରି କି କାନାଡ଼ା ଓ ମେକ୍ସିକୋ ଉପରେ ନୂଆ ଟିକସ ବ୍ୟବସ୍ଥାକୁ ସ୍ଥଗିତ ରଖିଛନ୍ତି। କିନ୍ତୁ ଭାରତ ଓ ଅନ୍ୟ ଏସୀୟ ଦେଶ ଉପରେ ଏବେ ବି ଏହା ବଳବତ୍ତର ରହିଛି। ମୁଖ୍ୟତଃ ଆଲୁମିନିୟମ, ଷ୍ଟିଲ, ଔଷଦ, ସଫ୍ଟୱେୟାର ଓ କପଡ଼ା ଆମଦାନୀ ଉପରେ ଅଧିକ ଟିକସ ଟ୍ରମ୍ପ ସରକାର ଲାଗୁ କରିଛନ୍ତି।
ବ୍ରିକ୍ସ ମଧ୍ୟରେ ଭାରତ ସମେତ ରୁଷିଆ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଓ ରୁଷିଆ ଏହାର ସଦସ୍ୟ ଅଛନ୍ତି। ବ୍ରିକ୍ସ ସଦସ୍ୟ ଦେଶମାନେ ଆମେରିକାର ଡଲାରକୁ ଏକ ଶିକ୍ଷା ଦେବା ଲାଗି ମିଳିତ ହେବା ପରେ ଆମେରିକା ବ୍ରିକ୍ସ ଚୁକ୍ତିକୁ ଭାଙ୍ଗିବା ଲାଗି ଉଦ୍ୟମ କରିଛି। ରୁଷିଆ ସହିତ ଉତ୍ତମ ସମ୍ପର୍କ ଲାଗି ଉଦ୍ୟମ କରୁଛି। ଭାରତ ଉପରେ ଲଦିଥିବା ନୂତନ ତାରିଫ ବୋଝକୁ ସରକାର ମାନିନେବା ପରେ ଏହା ଆଉ ମୁକାବିଲାର ସ୍ଥିତିକୁ ଗଲାନାହିଁ। ଭାରତ ସରକାର ନିଜର ବହୁ ଶୀଘ୍ର ଦୁର୍ବଳ ମନେକରି ଆତ୍ମସମର୍ପଣର ସ୍ଥିତିକୁ ଆସିଯିବା ପରେ ଚୀନ କେବଳ ଏକ ଆହ୍ଵାନ ହୋଇ ଠିଆ ହୋଇଛି।
ଟ୍ରମ୍ପ ମୁଖ୍ୟତଃ ବିଶ୍ୱରେ ଏହି ବାର୍ତ୍ତାର ପ୍ରଚାରକ ସାଜିଛନ୍ତି ଯେ ‘ଆମେରିକା ହିଁ ପ୍ରଥମ’। ଆମେରିକାର ସମସ୍ତ ସମ୍ପତ୍ତି ଉପରେ କେବଳ ମୂଳ ଆମେରିକାବାସୀଙ୍କର ଅଧିକାର ରହିଛି ବୋଲି ଟ୍ରମ୍ପ ଏକ ବିଚିତ୍ର ଭାବନା ସୃଷ୍ଟି କରିସାରିଛନ୍ତି। ସେ ମନେକରନ୍ତି ଯେ ଦେଶରେ ଯଦି ବି କୌଣସି ସମସ୍ୟା ଦେଖାଯାଉଛି ସେଥିଲାଗି ବହିରାଗତ ମୁସଲମାନ ଓ ଏସୀୟ ଦେଶର ନାଗରିକମାନେ ଦାୟୀ।
ଆମେରିକାର ଅର୍ଥନୈତିକ ବିକାଶ, ସାମାଜିକ ଉତ୍ଥାଥନ, ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ସଂଗ୍ରାମ, ପରିବେଶ ସୁରକ୍ଷା ପ୍ରସଙ୍ଗ ଉପରେ ଟ୍ରମ୍ପଙ୍କ ଆଭିମୁଖ୍ୟ କଣ ତାହା ସେ କେବେ କୌଣସି ଠାରେ ପ୍ରକାଶ କରିନାହାନ୍ତି। କିନ୍ତୁ ଆମେରିକାକୁ ସର୍ବଶ୍ରେଷ୍ଠ ଓ ଅଧିକ ଶକ୍ତିଶାଳୀ ଦେଶ କରିବାର ସ୍ଵପ୍ନକୁ ନିଜର ସେ ଅସ୍ତ୍ର କରିଆସିଛନ୍ତି। ଦେଶର ସୁରକ୍ଷା ପ୍ରସଙ୍ଗ ଓ ସେଥିଲାଗି ବହିରାଗତ ଶକ୍ତି ବିରୁଦ୍ଧରେ ଯୁଦ୍ଧ ଘୋଷଣା ଟ୍ରମ୍ପଙ୍କ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି।
ଆମେରିକା ଏକ ଗଣତାନ୍ତ୍ରିକ ଦେଶ ହୋଇ ମଧ୍ୟ ସେମାନେ ଯେଉଁଭଳି ଅନ୍ୟ ଦେଶରେ ଜୋର ଜବରଦସ୍ତି ପ୍ରବେଶ କରି ନିଜର ସରକାରୀ ବାହିନୀ ଦ୍ଵାରା କାହାକୁ ହତ୍ୟା କରିବା (ଆଫାଗାନିସ୍ତାନ, ଇରାକ, ଲିବିଆ) କେଉଁ ଭୂଖଣ୍ଡକୁ ଅକ୍ତିଆର କରିବା (ପାନାମା, ପାଲେଷ୍ଟାଇନ, ମେକ୍ସିକୋ, ଗୁଏତମାଳା), ଅନ୍ୟ ଦେଶର ଶାସକଙ୍କୁ ଗାଦିଚ୍ୟୁତ କରିବା (ବଲିଭିଆ, ଚିଲି), ବିଦ୍ରୋହୀ ଗୋଷ୍ଠୀଙ୍କୁ ଅସ୍ତ୍ରଶସ୍ତ୍ର ଓ ଅର୍ଥ ଯୋଗାଇବା (ଆଫଗାନିସ୍ତାନ, ସିରିଆ, ଲେବାନନ), ପରମାଣୁ ବୋମା ପକାଇବା (ଜାପାନ) ଓ ପକାଇବ ବୋଲି ଧମକ ଦେବା, ପ୍ରାକୃତିକ ସମ୍ପଦକୁ ଅକ୍ତିଆର କରିବା (କଙ୍ଗୋ ଓ ଅନେକ ଆଫ୍ରିକୀୟ ଦେଶ), ଆମେରିକା କମ୍ପାନୀଙ୍କୁ ବିକାଶଶୀଳ ଦେଶରେ ବିରୋଧ କରାଗଲେ ତାହାକୁ ଦମନ କରିବା ଓ ଏହାର ନେତାଙ୍କୁ ହତ୍ୟା କରିବାକୁ (ନାଇଜେରିଆ) କଦାପି ଗଣତନ୍ତ୍ର କୁହାଯାଇନପାରେ। ଏହାକୁ ନୋଆମ ଚୋମସ୍କି ନିଜର ପୁସ୍ତକରେ ବର୍ଣ୍ଣନା କରିଛନ୍ତି।
ବର୍ତ୍ତମାନ ଟ୍ରମ୍ପଙ୍କ ଗଣତନ୍ତ୍ର କହିଲେ ଆଜି ମୁଖ୍ୟତଃ ଇସାଲାମ ଉଗ୍ରବାଦ ନାମରେ ରାଷ୍ଟ୍ର ପ୍ରାୟୋଜିତ ଉଗ୍ରବାଦକୁ ଚଳାଇ ରଖିବା, ଇସଲାମପଟରୁ ଭୟ ରହିଥିବାର ପ୍ରଚାର କରିବା, ଆମେରିକୀୟ କମ୍ପାନୀଙ୍କ ସୁରକ୍ଷା ଲାଗି କାର୍ଯ୍ୟ କରିବା, ନିଜ ଦେଶ ବାହାରେ ଭିନ୍ନମତକୁ ଦମନ କରିବା ଓ ଏସୀୟ ଦେଶ ତଥା ମୁସଲମାନ ବହୁଳ ଦେଶକୁ ବିରୋଧ କରିବାକୁ ବୁଝାଉଛି। ଅତୀତରେ, ଆମେରିକା ରାଷ୍ଟ୍ରପତି ରୁଜଭେଲ୍ଟଙ୍କ ଠାରୁ ରୋନାଲ୍ଡ ରେଗାନଙ୍କ ପର୍ଯ୍ୟନ୍ତ ସମସ୍ତେ କମ୍ୟୁନିଜିମକୁ ନିଜର ପ୍ରାଥମିକ ଶତ୍ରୁ ଭାବରେ ତିଆରି କରି କମ୍ୟୁନିଷ୍ଟଭୟ ସୃଷ୍ଟି କରିଥିଲେ। ନିଜର ପୁଞ୍ଜିର ବିସ୍ତାର ଲାଗି ସେମାନେ ଅନେକ ଯୁଦ୍ଧ, ଦମନ, ହତ୍ୟା ଏଥିଲାଗି କରିଥିଲେ।
୨୦୦୦ ମସିହା ପରଠାରୁ ଜର୍ଜ ଡବ୍ଲୁ ବୁଶଙ୍କ ଠାରୁ ଟ୍ରମ୍ପଙ୍କ ପର୍ଯ୍ୟନ୍ତ ସମସ୍ତ ସମୟରେ ଇସଲାମଭୟ ବା ଇସଲାମାଫୋବିଆ ସୃଷ୍ଟି କରାଯାଇଛି। ଟ୍ରମ୍ପଙ୍କ ଦ୍ଵିତୀୟ ପାଳିରେ ଏସିଆ ମହାଦେଶକୁ ଏକଘରିକିଆ କରିବାର ଯୋଜନାକୁ ରୂପାୟନ କରିବା ଲାଗି ଉଦ୍ୟମ ଚାଲିଛି। ଏହା ସତ୍ୟ ଯେ ଏଥିରେ ଆମେରିକୀୟ ପୁଞ୍ଜି ଅଧିକ ଦୃଢ଼ ହେଉଛି, ଅଧିକ ଲାଭ କରୁଛି ଓ ଅଧିକ ମାତ୍ରାରେ ପ୍ରସାରିତ ହେଉଛି। ପ୍ରତି ତିରିଶରୁ ଚାଳିଶ ବର୍ଷ ମଧ୍ୟରେ ନୂତନ ଭୟ ସୃଷ୍ଟି କରାଯାଇ ଆମେରିକୀୟ ପୁଞ୍ଜି ଅଧିକ ଦୃତରେ ବିସ୍ତାର କରୁଛି। ଆମେରିକା ପ୍ରଶାସନ ଗଣତନ୍ତ୍ରକୁ ସୁଦୃଢ କରିବା ନାମରେ ଏହି କାର୍ଯ୍ୟ କରିଚାଲିଛି। ଆଗାମୀ ଦିନରେ ପୁଣି ନୂତନ ଶତୃର କଳ୍ପନା କରାଯାଇପାରେ। ଯେଉଁ ଗତିରେ ରିପବ୍ଲିକାନ ଦଳ ନିଜକୁ ଦୃଢ଼ କରୁଛି, ଏଥିଲାଗି ନୂତନ ଶତୃ ଭାବରେ ହୁଏତ ସେମାନେ ଚୀନର ପୁଞ୍ଜିକୁ ସାମ୍ନାରେ ରଖି ସମଗ୍ର ଏସୀୟ ବଂଶୋଦ୍ଭବଙ୍କୁ ଆକ୍ରମଣର ବିନ୍ଦୁ ଭାବରେ ଚିତ୍ରିତ କରିପାରନ୍ତି। ବିଶ୍ୱରେ ଏହା ପୁଣି ଏକ ମାନବୀୟ ସଙ୍କଟ ସୃଷ୍ଟି କରିବ।
ମୋବାଇଲ - ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
