Map Of Venezuela Photograph: (Internet)
ଭାଲଚନ୍ଦ୍ର ଷଡ଼ଙ୍ଗୀ
ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡୋନାଲ୍ଡ ଟ୍ରମ୍ପ୍ ବିଶ୍ୱରେ ଯୁଦ୍ଧର ସମାପ୍ତି ନେଇ ଅନେକ ବଡ଼ ବଡ଼ ଦାବି କରିଥିଲେ। ଏପରିକି ଭାରତ ଓ ପାକିସ୍ଥାନ ସମେତ ବିଶ୍ୱର ଛୋଟ ବଡ଼ ଆଠଟି ଯୁଦ୍ଧ ବା ସାମରିକ ସଂଘର୍ଷକୁ ନିଜର କୂଟନୀତି ତଥା ଶୁଳ୍କବୃଦ୍ଧିର ଧମକ ଦେଇ ବନ୍ଦ କରି ଦେଇଥିବା କଥା ନିଜ ଆଡ଼ୁ ବାରମ୍ବାର ଘୋଷଣା କରି ଆସିଛନ୍ତି। ବିଶ୍ୱରେ ଯୁଦ୍ଧ ସମାପ୍ତି କରି ଶାନ୍ତି ପ୍ରତିଷ୍ଠା କରିବାରେ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ନିଜେ ଦାବି କରି ସେ ନୋବେଲ ଶନ୍ତି ପୁରସ୍କାର ପାଇବାକୁ ବି ଲବି କରିବା ଦେଖାଯାଇଥିଲା। ତେବେ ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକା ପକ୍ଷରୁ କିଛି ମାସ ତଳେ ଇରାନ ଉପରେ ଅତର୍କିତ ଆକ୍ରମଣ ଓ ଗତ ଜାନୁଆରୀ ଦୁଇ ତାରିଖରେ ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା ଉପରେ ଯେଉଁଭଳି ବର୍ବରୋଚିତ ଆକ୍ରମଣ କରାଗଲା ତାହା ଆମେରିକାର ସାମ୍ରାଜ୍ୟବାଦୀ ଚରିତ୍ର ସହିତ ତଥାକଥିତ ଶାନ୍ତିଦୂତ ଟ୍ରମ୍ପଙ୍କ ଅସଲ ମୁଖାଟିକୁ ଖୋଲି ଦେଇଛି।
ରାଷ୍ଟ୍ରପତି ଟ୍ରମ୍ପ୍ ଏକ ଅପରାଧି ଗ୍ୟାଙ୍ଗର ମୁଖିଆ ପରି ଏକ ସ୍ୱତନ୍ତ୍ର ସାମରିକ ଅପରେସନ ଜରିଆରେ ରାଜଧାନୀ କାରାକାସରେ ରାତି ଅଧରେ ପଶି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଓ ତାଙ୍କ ସ୍ତ୍ରୀ ସିଲିଆ ଫ୍ଲୋରେସ୍ଙ୍କୁ ଅପହରଣ କରି ଆମେରିକାକୁ ନେଇଯିବା ସହ ସେଠାରେ ତାଙ୍କ ଆଖିରେ ପଟି ଓ ହାତରେ ଶିକୁଳି ବାନ୍ଧି ନିୟୁର୍କର ଏକ ଜେଲରେ ବନ୍ଦୀ କରି ରଖିଛନ୍ତି। ଏହାର କିଛି ସମୟ ପୂର୍ବରୁ ଆମେରିକାର ସାମରିକ ବାହିନୀ ପକ୍ଷରୁ ସମୁଦ୍ର ଓ ଆକାଶ ପଥରେ ଭେନେଜୁଏଲାକୁ ଅବରୋଧ କରି ରାଜଧାନୀ କାରାକାସ ସହିତ ବିଭିନ୍ନ ସହରର ସାଧାରଣ ନାଗରିକ ଅଞ୍ଚଳଗୁଡ଼ିକୁ ବୋମାମାଡ଼ କରିଥିଲେ। କୌଣସି ଏକ ସ୍ୱାଧୀନ ଓ ସାର୍ବଭୌମ ରାଷ୍ଟ୍ର ଉପରେ ଆଉ ଏକ ରାଷ୍ଟ୍ର ଏଭଳି ରାତିଅଧିଆ ଆକ୍ରମଣ କରି ତା’ର ରାଷ୍ଟ୍ରମୁଖ୍ୟ ଓ ତାଙ୍କ ସ୍ତ୍ରୀଙ୍କୁ ଏଭଳି ଅପହରଣ କରିନେବା ସମସ୍ତ ପ୍ରକାର ଅର୍ନ୍ତଜାତୀୟ ଚୁକ୍ତି ଓ ନିୟମର ଖୋଲା ଉଲଂଘନ ବୋଲି କୁହାଯାଇପାରେ। ଏଭଳି ଘଟଣା ବିଶ୍ୱରେ ଆମେରିକାର ସାମ୍ରାଜ୍ୟବାଦୀ ଚରିତ୍ର ଓ ଛୋଟ ଦେଶଙ୍କ ଉପରେ ଦାଦାଗିରିକୁ ସ୍ପଷ୍ଟ ପ୍ରମାଣିତ କରୁଛି। ବିଶ୍ୱରେ ଏହା ଏକ ଖରାପ ପରମ୍ପରା ସୃଷ୍ଟି କରିବା ସହିତ ମିଳିତ ଜାତିସଂଘର ଭୂମିକାକୁ ସମ୍ପୂର୍ଣ୍ଣ ଭାବେ ନ୍ୟୁନ ଓ ଅପ୍ରାସଙ୍ଗିକ କରିଦେଇଛି।
ସବୁଠାରୁ ଅଶ୍ଚର୍ଯ୍ୟର କଥା ହେଲା, ଏକ ଅପରାଧି ଗ୍ୟାଙ୍ଗ୍ ପରି ଆଚରଣ କରିଥିବା ଆମେରିକୀୟ ରାଷ୍ଟ୍ରପତି ନିଜର ଏହି ତଥାକଥିତ ଅପରେସନଟି ସଫଳ ହେଲା ବୋଲି ଖୁସୀ ବ୍ୟକ୍ତ କରିଛନ୍ତି। ଏପରିକି ଏଣିକି ଭେନେଜୁଏଲାର ଶାସନ ଦାୟିତ୍ୱ ଆମେରିକା ବୁଝିବ ଏବଂ ତା’ର ତୈଳ ସମ୍ପଦ ଆମର ନିୟନ୍ତ୍ରଣରେ ରହିବ ବୋଲି ବି ସେ ସଗର୍ବେ ଘୋଷଣା କରିଛନ୍ତି। ପୂର୍ବରୁ ଆମେରିକା ତେଲ ପାଇଁ ଇରାକ୍ ଓ ଲିବିଆ ଉପରେ ଆକ୍ରମଣ କରି ସେଠାକାର ରାଷ୍ଟ୍ରମୁଖ୍ୟମାନଙ୍କୁ ହତ୍ୟା କରି ନିଜର ମନୋନୀତ ସଖିକଣ୍ଡେଇ ସରକାର ଗଠନ କରିଥିଲେ ମଧ୍ୟ କୌଣସି ଆମେରିକୀୟ ରାଷ୍ଟ୍ରପତି ଏଭଳି ଖୋଲାଖୋଲି ଭାବେ ଘୋଷଣା କରିନଥିଲେ। ସବୁଠାରୁ ଲଜ୍ଜାଜନକ କଥା ହେଲା, ଟ୍ରମ୍ପ୍ ଆମେରିକାର ଅଦାଲତରେ ମାଦୁରୋ ଓ ତାଙ୍କ ପତ୍ନୀଙ୍କର ବିଚାର କରାଯିବ ବୋଲି ଘୋଷଣା କରିଛନ୍ତି। ବୋଧହୁଏ ବିଶ୍ୱରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିବାକୁ ଯାଉଛି। ସମସ୍ତ ଅର୍ନ୍ତଜାତୀୟ ନିୟମ, ଚୁକ୍ତି ଓ ପରମ୍ପରାର ଖୋଲା ଉଲଂଘନ କରି ଗୋଟିଏ ସାର୍ବଭୌମ ଦେଶର ରାଷ୍ଟ୍ରପତିଙ୍କ ବିଚାର ଆଉ ଏକ ଦେଶରେ କରାଯାଉଛି।
ଭେନେଜୁଏଲା ସହ ଆମେରିକାର ଏହି ସଂଘର୍ଷ ବା ବିବାଦଟି ବହୁ ପୁରୁଣା ଅଟେ। ୧୯୯୯ରେ ବାମପନ୍ଥୀ ନେତା ହୁଗୋ ଚାଭେଜ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ବହୁରାଷ୍ଟ୍ରୀୟ କମ୍ପାନୀ ବିଶେଷ କରି ଆମେରିକାର କମ୍ପାନୀମାନଙ୍କ ନିୟନ୍ତ୍ରଣରେ ଥିବା ସେଠାକାର ତୈଳ କାରବାରକୁ ସମ୍ପୂର୍ଣ୍ଣ ଭାବେ ଜାତୀୟକରଣ କରିଥିଲେ। ପୂର୍ବରୁ ସେଠାରେ ଥିବା ନିଜର ଦଲାଲ ଶାସକମାନଙ୍କ ସହଯୋଗରେ ଆମେରିକୀୟ କମ୍ପାନୀମାନେ ତେଲରୁ ଆଦାୟ ବିପୁଳ ମୁନାଫାକୁ ନିଜ ଦେଶକୁ ନେଇ ଯାଉଥିଲେ। ଏହି ପ୍ରକ୍ରିୟାରେ ସ୍ଥାନୀୟ କିଛି ଦଲାଲ ଧନୀ ହେଉଥିଲା ବେଳେ ଭେନେଜୁଏଲାର ସାଧାରଣ ଲୋକେ ତା’ର କୌଣସି ଲାଭ ପାଇପାରୁ ନଥିଲେ। ଫଳସ୍ୱରୂପ ଦେଶର କତିପୟ ଲୋକ ସୁଖ ସମୃଦ୍ଧିରେ ବୁଡ଼ି ରହୁଥିବା ବେଳେ ଅଧିକାଂଶ ନାଗରିକ ଭୟଙ୍କର ଦାରିଦ୍ର୍ୟସର ଶିକାର ହେଉଥିଲେ। ଏଭଳି ପରିସ୍ଥିତିରେ କ୍ଷମତାକୁ ଆସିବା ପରେ ଚାଭେଜ୍ ତୈଳ କାରବାରକୁ ଜାତୀୟକରଣ କରି ବହୁରାଷ୍ଟ୍ରୀୟ ତୈଳ କମ୍ପାନୀମାନଙ୍କୁ ଦେଶରୁ ତଡ଼ି ଦେଇଥିଲେ। ସମଗ୍ର ପଶ୍ଚିମୀ ସାମ୍ରାଜ୍ୟବାଦୀ ପ୍ରଚାର ଯନ୍ତ୍ର ଦୁନିଆରେ ଭେନେଜୁଏଲାର ଭୁଲ ଛବି ଦେଖାଇବାକୁ ଲାଗିଲେ। ଚାଭେଜ୍ ଶୋଷଣର ଏହି ଚକ୍ରକୁ ଭାଙ୍ଗି ଦେବା ପରେ ତେଲର ସମସ୍ତ ଲାଭକୁ ସାଧାରଣ ଲୋକଙ୍କୁ ଦେବା ଆରମ୍ଭ କଲେ। ସାଧାରଣ ଜନତାଙ୍କ ଦାରିଦ୍ର୍ୟବ ଦୂର କରିବାକୁ ତଥା ସେମାନଙ୍କ ଜୀବନ ଧାରଣର ମାନକୁ ବୃଦ୍ଧି କରିବାକୁ ମାଗଣାରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଗୃହ ଯୋଗାଣ ତଥା ଅନ୍ୟାନ୍ୟ ବିକାଶ ମୂଳକ କାମ ହାତକୁ ନେଲେ।
ଏସବୁର ଫଳସ୍ୱରୂପ ଯଦିଓ ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ଚାଭେଜଙ୍କୁ ତୀବ୍ର ବିରୋଧ କରୁଥିବା ବେଳେ ଦେଶର ସାଧାରଣ ଲୋକେ ତାଙ୍କର ସମର୍ଥନରେ ଠିଆହେଲେ। ଚାଭେଜଙ୍କ ପ୍ରତି ଭେନେଜୁଏଲାବାସୀଙ୍କ ଅଭୁତପୂର୍ବ ସମର୍ଥନ ଓ ଭଲ ପାଇବା କାରଣରୁ ଯେତେବେଳେ ଆମେରିକାର ନିର୍ଦ୍ଦେଶରେ ତାଙ୍କୁ କ୍ଷମତାଚ୍ୟୁତ କରିବାକୁ ୨୦୦୨ ମସିହାରେ ସାମରିକ ବିଦ୍ରୋହ ହୋଇଥିଲା, ତାହା କେବଳ ସାଧାରଣ ଜନତାଙ୍କ ସମର୍ଥନ ଯୋଗୁଁ ବିଫଳ ହୋଇଥିଲା।
ଭେନେଜୁଏଲା ଉପରେ ସାମ୍ରାଜ୍ୟବାଦୀ ଆମେରିକାର ଏହି ସଦ୍ୟତମ ଆକ୍ରମଣ ଯଦିଓ ଅତର୍କିତ ଥିଲା କିନ୍ତୁ ଅପ୍ରତ୍ୟାଶିତ ନଥିଲା। ଗତ କିଛି ମାସ ଧରି ଆମେରିକୀୟ ସାମ୍ରାଜ୍ୟବାଦ ଭେନେଜୁଏଲା ନିକଟସ୍ଥ କାରିବିୟାନ ସମୁଦ୍ର ଅଞ୍ଚଳରେ ତାହାର ସାମରିକ ଶକ୍ତିକୁ ଠୁଳ କରିବାରେ ଲାଗିଥିଲା। ଆମେରିକାର ବିମାନବାହୀ ଜାହାଜ ସହିତ ଲକ୍ଷାଧିକ ସୈନିକଙ୍କୁ ମୁତୟନ କରାଯାଇଥିଲା। ନିଶା କାରବାର କରୁଥିବା ଆଳରେ ଭେନେଜୁଏଲାର ୩୦ରୁ ଅଧିକ ଜାହାଜ ଉପରେ ଆମେରିକୀୟ ସେନା ଆକ୍ରମଣ କରିଥିଲା ଯେଉଁଥିରେ ଅନେକ ଲୋକ ନିହତ ହୋଇଥିଲେ ଏବଂ ତା’ର ଦୁଇଟି ତୈଳବାହୀ ଜାହାଜ (ଟ୍ୟାଙ୍କର)କୁ ମଧ୍ୟ କବ୍ଜା କରି ଆମେରିକା ନିଜର ନିୟନ୍ତ୍ରଣକୁ ନେଇଥିଲେ। କିଛି ମାସ ଧରି ଟ୍ରମ୍ପ ପ୍ରଶାସନ ଭେନେଜୁଏଲା ବିରୋଧରେ ସିଧାସଳଖ ଧମକ ସହ ଯୁଦ୍ଧୋନ୍ମାଦୀ ଭାଷାର ବ୍ୟବହାର କରି ଆସିଛି। ଟ୍ରମ୍ପ ପ୍ରଶାସନ ଅତ୍ୟନ୍ତ ଦାମ୍ଭିକତାର ସହିତ ଏହା ସ୍ୱୀକାର କରିଛି ଯେ ଏହି ଆକ୍ରମଣର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଭେନେଜୁଏଲାରେ ବଳପୂର୍ବକ ଶାସନ ପରିବର୍ତ୍ତନ କରି ସେଠାରେ ନିଜର ବୋଲକରା ସଖି କଣ୍ଢେଇ ସରକାରକୁ ବସେଇବା ଏବଂ ତା’ ଜରିଆରେ ସେ ଦେଶର ବିପୁଳ ତୈଳ ଭଣ୍ଡାର ଓ ପ୍ରାକୃତିକ ସମ୍ପଦକୁ ଲୁଟିନେବା। ତେବେ ଆମେରିକୀୟ ସାମ୍ରାଜ୍ୟବାଦର ଏହି ଅଭିଯାନ କେବଳ ଭେନେଜୁଏଲାରେ ସିମୀତ ନୁହେଁ। ଆଗାମୀ ଦିନରେ ସେମାନେ ମେକ୍ସିକୋ, କଲମ୍ବିଆ, କ୍ୟୁବା ପରି ଦକ୍ଷିଣ ଆମେରିକାର ଦେଶଗୁଡ଼ିକରେ ନିଜର ସପକ୍ଷବାଦୀ ଶକ୍ତିମାନଙ୍କୁ ଏହିଭଳି ଭାବେ କ୍ଷମତାକୁ ଆଣିବାକୁ ଚାହୁଁଛି।
ଟ୍ରମ୍ପ ତାଙ୍କ ସାମ୍ରାଜ୍ୟବାଦୀ ଲକ୍ଷ୍ୟଗୁଡ଼ିକ ବିଷୟରେ ଖୋଲାଖୋଲି ଘୋଷଣା କରିବାକୁ କୌଣସି ଲଜ୍ଜା ବୋଧ କରୁନାହାନ୍ତି। ତାଙ୍କ ପ୍ରଶାସନ ନିଜର ଘୋଷିତ ଜାତୀୟ ସୁରକ୍ଷା କୌଶଳରେ ପଶ୍ଚିମ ଗୋଲାର୍ଦ୍ଧ ଓ ତାହାର ପ୍ରାକୃତିକ ସମ୍ପଦ ଉପରେ ନିୟନ୍ତ୍ରଣ କଥା ସ୍ପଷ୍ଟ ଭାବେ କୁହାଯାଇଛି। ଟ୍ରମ୍ପ ୧୮୨୩ ମସିହାର କୁଖ୍ୟାତ ‘ମନରୋ ନୀତି’ ଓ ୧୯୦୪ର ‘ରୁଜଭୋଲ୍ଟ ନୀତି’କୁ ଆଉ ଏକ ଉଚ୍ଚ ସ୍ତରକୁ ନେଇଛନ୍ତି ଯେଉଁଥିରେ ଦକ୍ଷିଣ ଆମେରିକାର କୌଣସି ଦେଶ ଯଦି ଶୃଙ୍ଖଳିତ ନହେଲା ତାହେଲେ ତାକୁ ଶୃଙ୍ଖଳିତ କରିବାକୁ ଆମେରିକା ଅର୍ନ୍ତଜାତୀୟ ପୋଲିସର ଭୂମିକା ଗ୍ରହଣ କରିବ ବୋଲି ସ୍ପଷ୍ଟ କୁହାଯାଇଛି। ଏହି ନୀତିକୁ ଅବଲମ୍ବନ କରି ଗତ ୧୯୪୫ ମସିହା ଠାରୁ ଏଯାଏଁ ଆମେରିକା ଦକ୍ଷିଣ ଆମେରିକାର ବିଭିନ୍ନ ଦେଶରେ ୫୭ ଥର ସାମରିକ ହସ୍ତକ୍ଷେପ କରିଛି। ଅତଏବ ଆଜି ଭେନେଜୁଏଲା ସମେତ ଦକ୍ଷିଣ ଆମେରିକାର ଯେଉଁସବୁ ଦେଶରେ ଆମେରିକା ହସ୍ତକ୍ଷେପ କରିଛି ବା କରିବାକୁ ଯାଉଛି, ତାହା ଉପରୋକ୍ତ ସାମ୍ରାଜ୍ୟବାଦୀ ନୀତିର ଅଂଶବିଶେଷ ମାତ୍ର। ରୁଷ, ଚୀନ ପରି ବିଶ୍ୱର ମହାଶକ୍ତିମାନଙ୍କୁ କେବଳ ଦକ୍ଷିଣ ଆମେରିକାରୁ ବାହାରେ ରଖିବାକୁ ନୁହେଁ, ବରଂ ସେହି ସବୁ ଦେଶର ପ୍ରାକୃତିକ ସମ୍ପଦ ଉପରେ ନିଜର ଅଧିକାର ଦାବି କରିବା ଭଳି ଏକ ବିପଜ୍ଜନକ ନୀତିକୁ ଆପଣେଇଛି। ସେହି କ୍ରମରେ ସେ ବିଶ୍ୱରେ ସବୁଠାରୁ ଅଧିକ (୧୮%) ତୈଳ ଭଣ୍ଡାର ଥିବା ଭେନେଜୁଏଲାର ସମସ୍ତ ତୈଳ ସମ୍ପଦ ଆମେରିକାର ବୋଲି ଟ୍ରମ୍ପ ଦାବି କରିଛନ୍ତି। ପୂର୍ବରୁ ଆମେରିକୀୟ କମ୍ପାନୀମାନଙ୍କ ଭୂମିକାର ଆଧାର କରି ସେ ଏହି ଦାବି କରୁଛନ୍ତି। ଏହା ଏକ ନିର୍ଲଜ୍ଜ ଉପନିବେଶବାଦୀ ତର୍କ ଅଟେ।
ନିଜକୁ ‘ଶାନ୍ତିର ରାଷ୍ଟ୍ରପତି’ ବୋଲି ପ୍ରଚାର କରୁଥିବା ଡୋନାଲ୍ଡ ଟ୍ରମ୍ପ ଅସଲରେ ଆମେରିକାର ବଡ଼ ପୁଞ୍ଜିପତି ଶାସକ ଶ୍ରେଣୀର ସବୁଠାରୁ ଆକ୍ରାମକ ଓ ପ୍ରତିକ୍ରିୟାଶୀଳ ଅଂଶକୁ ପ୍ରତିନିଧିତ୍ୱ କରନ୍ତି। ଆମେରିକୀୟ ସାମ୍ରାଜ୍ୟବାଦ ନିଜ ସାମ୍ନାରେ ମୁଣ୍ଡ ଟେକିଥିବା ଅନ୍ୟ ସାମ୍ରାଜ୍ୟବାଦୀ ପ୍ରତିଦ୍ୱନ୍ଦୀମାନଙ୍କ ପ୍ରଭାବକୁ ହ୍ରାସ କରି ବିଶ୍ୱରେ ଏକଧ୍ରୁବୀୟ ବିଶ୍ୱକୁ ପୁନଃସ୍ଥାପନ କରି ନିଜର ଆଧିପତ୍ୟକୁ ଅତୁଟ ରଖିବା ପାଇଁ ସଙ୍କଳ୍ପବଦ୍ଧ। ଟ୍ରମ୍ପଙ୍କ ରଣନୀତି ଭିନ୍ନ ହୋଇପାରେ, କିନ୍ତୁ ଲକ୍ଷ୍ୟ ଏକ ଏବଂ ସେ ଏହାକୁ ଅନ୍ତର୍ଜାତୀୟ ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଲଂଘନ କରି ଅଧିକ ଖୋଲାଖୋଲି ଭାବରେ ଅନୁସରଣ କରୁଛନ୍ତି।
ନିଜ ଦେଶ ମଧ୍ୟରେ କ୍ରମ ବର୍ଦ୍ଧମାନ ଆର୍ଥିକ ସଂକଟ ପରିପ୍ରେକ୍ଷୀରେ ଟ୍ରମ୍ପ ପ୍ରଶାସନ ଗୋଟିଏ ପଟେ ଶୁଳ୍କବୃଦ୍ଧିର ଧମକ ଦେଇ ଅନ୍ୟ ଦେଶର ବଜାରରେ ନିଜର ଉତ୍ପାଦକୁ ଅଧିକରୁ ଅଧିକ ପହଂଚାଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ତୃତୀୟ ବିଶ୍ୱର ଦେଶମାନଙ୍କ ଉପରେ ଆକ୍ରମଣକୁ ତୀବ୍ର କରି ସେମାନଙ୍କ ତୈଳ ଓ ଅନ୍ୟ ପ୍ରାକୃତିକ ସମ୍ପଦକୁ ନିଜର ନିୟନ୍ତ୍ରଣକୁ ଆଣିବାକୁ ଚାହୁଁଛି। ତାଙ୍କର ବହୁ ଚର୍ଚ୍ଚତ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ ସ୍ଲୋଗାନ୍ଟି ଯେ ଅଧିକରୁ ଅଧିକ ଉପନିବେଶବାଦୀ ଲୁଟପାଟର ଏକ ନିର୍ଲଜ୍ଜ ଘୋଡ଼ଣୀ ମାତ୍ର, ତାହା ବର୍ତ୍ତମାନ ଉଜାଗର ହୋଇସାରିଛି।
ଭେନେଜୁଏଲା ଉପରେ ଆମେରିକୀୟ ଆକ୍ରମଣ ହେଉଛି କ୍ରମାଗତ ପ୍ରଭାବ ହ୍ରାସ ପାଉଥିବା ଏକ ମହାଶକ୍ତିର ନିଜର ବିଶ୍ୱ ଆଧିପତ୍ୟକୁ ପୁନଃ ସ୍ଥାପନ କରିବାର ଚେଷ୍ଟା ମାତ୍ର। ବିଶେଷତଃ ଲାଟିନ୍ ଆମେରିକାର ଦେଶମାନଙ୍କରେ ନିଜର ବିରୋଧୀ ଶକ୍ତିମାନଙ୍କୁ ରୋକିବା ଓ ପଛକୁ ଠେଲିଦେବା ପାଇଁ ଏହା ଏକ ପ୍ରୟାସ ଅଟେ। ବିଶ୍ୱ ବହୁ ଧୃବୀୟ ହେବା ପରେ ଆମେରିକାର ବାଡ଼ି ତଳେ ଥିବା ଏହି ଅଞ୍ଚଳଟି ବର୍ତ୍ତମାନ ତା' ବିରୋଧରେ ଏକ ମୋର୍ଚ୍ଚାରେ ପରିଣତ ହେବାରେ ଲାଗିଛି। ବ୍ରାଜିଲ, ମେକ୍ସିକୋ, କ୍ୟୁବା, କଲମ୍ବିଆ, ନିକାରାଗୁଆ, ବଲିଭିଆ ଆଦି ଦକ୍ଷିଣ ଆମେରିକାର ଅଧିକାଂଶ ଦେଶରେ ଗତ ଦୁଇ ଦଶକ ମଧ୍ୟରେ ଆମେରିକା ବିରୋଧି ବାମପନ୍ଥୀ ସରକାରମାନେ ଆସିବା ପରେ ଧୀରେ ଧୀରେ ଆମେରିକୀୟ କମ୍ପାନୀ ଓ ହସ୍ତକ୍ଷେପରୁ ନିଜ ଦେଶକୁ ମୁକ୍ତ କରି ବିକାଶର ସ୍ୱାଧୀନ ନୀତିକୁ ଆପଣେଇବାରେ ଲାଗିଛନ୍ତି। ଏପରିକି ସେମାନେ ଚୀନ, ରୁଷ, ଇଣ୍ଡୋନେସିଆ ଆଦି ଦେଶ ସହ ନିଜର ତେଲ ଓ ଅସ୍ତ୍ରଶସ୍ତ୍ରର ସମ୍ପୂର୍ଣ୍ଣ କାରବାରକୁ ଆଉ ପୂର୍ବ ପରି ଡଲାରରେ ନକରି ସେମାନଙ୍କ ସ୍ଥାନୀୟ ମୁଦ୍ରା ବିନିମୟରେ କରିବା ଦ୍ୱାରା ଆମେରିକୀୟ ଡଲାରର ପ୍ରଭାବ ଅନେକ ପରିମାଣରେ ହ୍ରାସ ପାଇଛି। ଅତଏବ ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ସେ ଅଞ୍ଚଳର ରାଜନୀତି ଓ ପ୍ରାକୃତିକ ସମ୍ପଦ ଉପରେ ନିୟନ୍ତ୍ରଣ କରିବାକୁ ତଥା ଅର୍ନ୍ତଜାତୀୟ ବଜାରରେ ଡଲାରର ଆଧିପତ୍ୟକୁ ବଜାୟ ରଖିବାକୁ ତା’ର ସାମ୍ରାଜ୍ୟବାଦୀ ନୀତିର ପରିଣାମ ଅଟେ ଯାହାକି ବିଶ୍ୱର ସମସ୍ତ ଛୋଟ ଦେଶ ବିଶେଷ କରି ପଶ୍ଚିମ ଗୋଲାର୍ଦ୍ଧର ଦେଶମାନଙ୍କ ପାଇଁ ଏକ ସତର୍କ ବାର୍ତ୍ତା ବୋଲି କୁହାଯାଇପାରେ।
ବେଆଇନ ଅସ୍ତ୍ରଶସ୍ତ୍ର ଓ ଡ଼୍ରଗ୍ସ୍ ରାକେଟ୍ ଧରିବା ବାହାନାରେ ଆମେରିକାର ଏହି ଆତଙ୍କବାଦୀ କାର୍ଯ୍ୟକୁ ଭେନେଜୁଏଲାର ସାଧାରଣ ଲୋକେ ଦୃଢ଼ ଭାବେ ପ୍ରତିରୋଧ କରିବା ଆରମ୍ଭ କରିଛନ୍ତି। ମାଦୁରୋଙ୍କ ଅପହରଣ ପରେ ତାଙ୍କ ଦାୟିତ୍ୱରେ ଥିବା ନୂତନ ରାଷ୍ଟ୍ରପତି ମଧ୍ୟ ଆମେରିକା ଆଗରେ ତାଙ୍କ ଦେଶ ଆତ୍ମସମର୍ପଣ କରିବନି କି ଦେଶକୁ କାହାରି ଉପନିବେଶରେ ପରିଣତ ହେବାକୁ ଦେବୁନାହିଁ ବୋଲି ଘୋଷଣା କରିଛନ୍ତି। ଏପରିକି ଆମେରିକା ସମେତ ବିଶ୍ୱର ସମସ୍ତ ଦେଶର ଶାନ୍ତି ଓ ସ୍ୱାଧୀନତା ପ୍ରିୟ ଜନତା ମଧ୍ୟ ଲକ୍ଷ ଲକ୍ଷ ସଂଖ୍ୟାରେ ରାସ୍ତା ଉପରକୁ ଆସି ଆମେରିକାର ଏହି ସାମ୍ରାଜ୍ୟବାଦୀ ଆକ୍ରମଣର ଦୃଢ଼ ବିରୋଧ କରିଛନ୍ତି। ଆମେରିକାର ବିରୋଧି ଡେମୋକ୍ରାଟିକ୍ ଦଳ ସମେତ ଟ୍ରମ୍ପଙ୍କ ନିଜ ଦଳର ମଧ୍ୟ ଅନେକ ନେତା ଏବଂ ସେଠାକାର ଗଣମାଧ୍ୟମର ଏକ ଅଂଶ ମଧ୍ୟ ଏହି ଆକ୍ରମଣର ଦୃଢ଼ ବିରୋଧ କରିଛନ୍ତି। ବ୍ରାଜିଲ, ମେକ୍ସିକୋ, କଲମ୍ବିଆ, କ୍ୟୁବା ପରି ଦକ୍ଷିଣ ଆମେରିକାର ରାଷ୍ଟ୍ରମାନେ ଏହାର ଦୃଢ଼ ବିରୋଧ କରିଥିବା ବେଳେ ଚୀନ, ରୁଷ, ଇରାନ, ଉତ୍ତର କୋରିଆ ପରି ଆମେରିକାର ସ୍ୱାଭାବିକ ପ୍ରତିଦ୍ୱନ୍ଦୀ ରାଷ୍ଟ୍ରମାନେ ଏହାର ପରିଣାମ ବିଶ୍ୱ ଶାନ୍ତି ଓ ସ୍ଥିରତା ପାଇଁ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି। ମିଳିତ ଜାତିସଂଘର ମହାସଚିବ ଆନ୍ଥୋନିଓ ଗୁଟେରସ୍ ମଧ୍ୟ ଏହା ଅର୍ନ୍ତଜାତୀୟ ଆଇନର ଉଲଂଘନ ବୋଲି କହି ନିନ୍ଦା କରିଛନ୍ତି। କେବଳ ସେମାନେ ନୁହଁନ୍ତି ଆଫ୍ରିକା ମହାଦେଶର ଅଧିକାଂଶ ଦେଶ ଏପରିକି ଖୋଦ ଆମେରିକାର ମିତ୍ର ରାଷ୍ଟ୍ର ଭାବେ ପରିଚିତ ଫ୍ରାନ୍ସ୍, ଇଂଲଣ୍ଡ, ୟୁରୋପୀୟ ୟନିଅନ୍ ବି ଏହି ଆକ୍ରମଣକୁ ନିନ୍ଦା କରିବାକୁ ପଛାଇ ନାହାନ୍ତି। କିନ୍ତୁ ପରିତାପର ବିଷୟ ନିଜକୁ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି ଦାବୀ କରୁଥିବା ଭାରତ ସରକାର ଆମେରିକାର ଏହି ଆତଙ୍କବାଦୀ କାର୍ଯ୍ୟକୁ ନିନ୍ଦା କରିବାକୁ ସାହସ ଦେଖାଇ ନାହାଁନ୍ତି। ନିଜକୁ ବିଶ୍ୱଗୁରୁ ବୋଲି ଦାବି କରୁଥିବା ଭାରତ ଏହି ଘଟଣାରେ ଆମେରିକା ବିରୋଧରେ ଯିବାକୁ ସାହସ ନକରିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରୀ ବିବୃତ୍ତିରେ ଆମେରିକାର ନାମ ଉଲ୍ଲେଖ ନକରିବା ଅନ୍ୟ ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱ ପ୍ରତି ସମର୍ଥନ ଜଣାଇବାର ଆମର ପରମ୍ପରାକୁ ଭାଙ୍ଗିଛି।
ଅତିତରେ ଇରାକ, ଆଫଗାନିସ୍ଥାନ, ଲିବ୍ୟା ଆଦି ଉପରେ ବିଭିନ୍ନ ବାହାନାରେ ଆମେରିକା ଆକ୍ରମଣ କଲା ବେଳେ ଇଂଲଣ୍ଡ, ଫ୍ରାନ୍ସ୍, କାନାଡ଼ା ପରି ନିଜର କିଛି ଘନିଷ୍ଠ ସହଯୋଗୀଙ୍କୁ ସାଥିରେ ନେଇଥିଲା। କିନ୍ତୁ ଭେନେଜୁଏଲା ଉପରେ ଆକ୍ରମଣ କ୍ଷେତ୍ରରେ ଆମେରିକା ଏକା ଏକା ଆକ୍ରମଣ କରିବା ଦେଖାଯାଇଛି। ନିକଟ ଅତିତରେ ଇସ୍ରାଏଲ ସପକ୍ଷରେ ଇରାନ ଉପରେ ଆକ୍ରମଣ କରିବା ସମୟରେ ବି ଆମେରିକା ସମ୍ପୂର୍ଣ୍ଣ ଏକାକୀ ଥିଲା। ଅସଲ କଥା ହେଲା, ଟ୍ରମ୍ପ କ୍ଷମତାକୁ ଆସିବା ପର ଠାରୁ କେବଳ ନିଜର ବିରୋଧି ନୁହଁନ୍ତି, ନିଜର ସହଯୋଗୀମାନଙ୍କୁ ବି ଛାଡ଼ୁ ନାହାନ୍ତି। ନିଜର ଘନିଷ୍ଠ ସହଯୋଗୀ ରୂପେ ପରିଚିତ କାନାଡ଼ାକୁ ଆମେରିକାର ୫୧ତମ ରାଜ୍ୟ ବୋଲି କହିଥିବା ବେଳେ ୟୁରୋପୀୟ ୟୁନିଅନ୍ର ସୁରକ୍ଷା ପାଇଁ ଆମେରିକା ଆଉ ନାଟୋ ଖର୍ଚ୍ଚର ଅଧିକାଂଶ ଭାଗ ବହନ କରିବ ନାହିଁ। ଅତଏବ ସେମାନେ ନିଜର ସାମରିକ ଖର୍ଚ୍ଚକୁ ବଢ଼ାଇ ନିଜ ସୁରକ୍ଷାର ଦାୟିତ୍ୱ ନିଜେ ନିଅନ୍ତୁ ବୋଲି କହିଥିଲେ। ଅନ୍ୟତମ ୟୁରୋପୀୟ ଦେଶ ଡେନମାର୍କର ଦଖଲରେ ଥିବା ଗ୍ରୀନଲାଣ୍ଡକୁ କବ୍ଚାକୁ ନେବାକୁ ଘୋଷଣା କରିଥିବା ବେଳେ ଭାରତ ସମେତ ବିଶ୍ୱର ଅନେକ ଦେଶ ଉପରେ ମନଇଚ୍ଛା ଆମଦାନୀ ଶୁଳ୍କ ଧର୍ଯ୍ୟ କରି ଦାଦାଗିରିର ନଗ୍ନ ପ୍ରଦର୍ଶନ କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ରକ୍ଷା କରିବା ପାଇଁ ସବୁ ଦେଶ ମିଶି ଯେତେ ସବୁ ନିୟମ ଓ ଚୁକ୍ତି କରିଥିଲେ ତା’କୁ ଟ୍ରମ୍ପ୍ ଏକଦମ୍ ପାଦରେ ଦଳି ଚକଟି ନଷ୍ଟ କରି ଦେଇଛନ୍ତି। ଏପରିକି ମିଳିତ ଜାତିସଂଘ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା ଜଳବାୟୁ ସମ୍ମିଳନୀ ପରି ଅର୍ନ୍ତଜାତୀୟ ମଂଚଗୁଡ଼ିକୁ ମଧ୍ୟ ସେ ଅନୁଦାନ ନଦେବାକୁ ତଥା ଭାଙ୍ଗିଦେବାକୁ ବାରମ୍ବାର ମନ୍ତବ୍ୟ ଦେଇଛନ୍ତି।
ଅସଲରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଲକ୍ଷ୍ୟ ଯେ ଯୁଦ୍ଧ ବନ୍ଦ କରି ଶାନ୍ତି ପ୍ରତିଷ୍ଠା କରିବା ନୁହେଁ ତାହା ବାରମ୍ବାର ପ୍ରମାଣିତ ହୋଇଯାଇଛି। ରୁଷ ଓ ୟୁକ୍ରେନ ଯୁଦ୍ଧରେ ଯଦିଓ ଗୋଟିଏ ପଟେ ୟୁକ୍ରେନ ରହିଛି କିନ୍ତୁ ବାସ୍ତବରେ ସେଠାରେ ରୁଷ ସହିତ ଆମେରିକା ନେତୃତ୍ୱରେ ନାଟୋ ଜେଲେନସ୍କିଙ୍କ କାନ୍ଧରେ ବନ୍ଧୁକ ରଖି ଲଢ଼ୁଛି ବୋଲି କୁହାଯାଇପାରେ। ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହେବାର ତିନି ବର୍ଷ ପରେ ମଧ୍ୟ ଆମେରିକା ଓ ୟୁରୋପୀୟ ଦେଶମାନେ ନିଜର ଲକ୍ଷ୍ୟ ହାସଲରେ ସଫଳ ନହେବାରୁ ଏବଂ ଯୁଦ୍ଧରେ ଅସ୍ତ୍ରଶସ୍ତ୍ର ବାବଦରେ ହେଉଥିବା ବିପୁଳ ଅର୍ଥବ୍ୟୟକୁ ରୋକିବାକୁ ସେମାନେ ବିଶେଷ କରି ରୁଷ ସହିତ ଶାନ୍ତିବାର୍ତ୍ତାର ଛଳନା ଆରମ୍ଭ କରିଛନ୍ତି। ଏ କ୍ଷେତ୍ରରେ ମଧ୍ୟ ଆମେରିକା ୟୁରୋପୀୟ ଦେଶମାନଙ୍କୁ କୋଣଠେସା କରି ଏକାକି ରୁଷ ସହିତ ଆଲୋଚନା ଚଳାଇଛି। ସେହିପରି ପାଲେଷ୍ଟାଇନ୍ରେ ମଧ୍ୟ ଦୀର୍ଘ ଏକ ବର୍ଷର ଲଗାତାର ବୋମାମାଡ଼, ହଜାର ହଜାର ଘରକୁ ଧ୍ୱଂସ କରି ତଥା ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକଙ୍କୁ ଗୃହହୀନ କରାଇ ଏବଂ ସର୍ବୋପରି ୬୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା କରି ମଧ୍ୟ ଇସ୍ରାଏଲ ତା’ର ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବାରୁ ଏବେ ଆମେରିକା ଶାନ୍ତିର ନାଟକ ଆରମ୍ଭ କରିଛନ୍ତି। ଶାନ୍ତି ସ୍ଥାପନ ନାଁରେ ପାଲେଷ୍ଟାଇନରେ ଯେଉଁ ବହୁରାଷ୍ଟ୍ରୀୟ ସେନା ମୁତୟନ ହେବାକୁ ଯାଉଛି ତାହା ବସ୍ତୁତଃ ଆମେରିକାର ଆଉ ଏକ ସାମରିକ ଘାଟିରେ ପରିଣତ ହୋଇ ଇସ୍ରାଏଲର ରକ୍ଷା କବଚରେ ପରିଣତ ହେବ। ଭେନେଜୁଏଲାରେ ସିଧାସଳଖ ଆକ୍ରମଣ କରିଥିବା ଆମେରିକାର ଭୂମିକା ୟୁକ୍ରେନ୍, ପାଲେଷ୍ଟାଇନ୍ ଆଦି ବିଶ୍ୱର ବିଭିନ୍ନ ଦେଶରେ ଏହିକ୍ଷଣି ଚାଲିଥିବା ଯୁଦ୍ଧମାନଙ୍କରେ ରହିଆସିଛି। ସେସବୁ ଯୁଦ୍ଧ ପାଇଁ ଆବଶ୍ୟକ ପଡ଼ୁଥିବା ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର, ଅର୍ଥ, ଟେକ୍ନୋଲୋଜି ଓ ଗୁଇନ୍ଦା ସୂଚନା ଆମେରିକାର ସହଯୋଗରେ ହିଁ ଚାଲିଛି।
ଭେନେଜୁଏଲାରେ ଆମେରିକାର ଆକ୍ରମଣ କେବଳ ଅର୍ନ୍ତଜାତୀୟ ଚୁକ୍ତି ଓ ନିୟମର ଉଲଂଘନ ନୁହେଁ ବରଂ ଏକ ଜଘନ୍ୟ ଆତଙ୍କବାଦୀ କାର୍ଯ୍ୟ ଅଟେ। ଯଦି ଏହାର ପ୍ରତିରୋଧ ନ ହୁଏ, ତେବେ ଏହା ସମଗ୍ର ବିଶ୍ୱ ପାଇଁ ଭୟଙ୍କର ସଙ୍କେତ ହେବ। କାରଣ ଭେନେଜୁଏଲା ପରେ ସେହି ସମସ୍ତ ଦୁର୍ବଳ ଦେଶଗୁଡ଼ିକୁ ଏଭଳି ଭାବରେ ଧ୍ୱଂସ କରାଯିବ ଅଥବା ପରାଧୀନ କରାଯିବ, ଯେଉଁଠାରେ ପ୍ରାକୃତିକ ସମ୍ପଦ ପ୍ରଚୁର ପରିମାଣରେ ଗଚ୍ଛିତ ରହିଛି।
ଫୋନ- ୯୪୩୭୧୬୬୩୯୧
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/09/venezuela-2026-01-09-14-51-23.jpg)