/odisha-reporter/media/post_attachments/uploadimage/library/16_9/16_9_0/IMAGE_1751207469.jpg)
CM Mohan Charan Majhi
ରବି ଦାସ
ଏହି ସ୍ତମ୍ଭରେ ଯେତେବେଳେ ଗତମାସରେ ମୋହନ ଚରଣ ମାଝୀଙ୍କ ସରକାର ଏକବର୍ଷ ଶେଷ କରିଥିଲେ ସେ ସମୟରେ ହୋଇଥିବା କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ ପ୍ରଭୃତିକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କର ଆତ୍ମବିଶ୍ୱାସ ବଢ଼ିଥିବା ସଂକ୍ରାନ୍ତରେ ଏକ ଆଲେଖ୍ୟ ପ୍ରକାଶ କରାଯାଇଥିଲା । ସେଥିରେ କୁହାଯାଇଥିଲା ଯେ, ଓଡ଼ିଶାରେ ଗତ ନିର୍ବାଚନରେ ବିଜେପିକୁ ଯେଉଁ ସଫଳତା ମିଳିଥିଲା ସେଥିପାଇଁ ଓଡ଼ିଶା ଜନସାଧାରଣଙ୍କ ଭିତରେ ବିଜେଡ଼ି ସରକାର ବିରୋଧରେ ଥିବା ଅସନ୍ତୋଷ ସହିତ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ପ୍ରତି ଜନସାଧାରଣଙ୍କ ଆସ୍ଥା ମଧ୍ୟ ପ୍ରତିଫଳିତ ହୋଇଥିଲା । ସେ ନିର୍ବାଚନରେ ଓଡ଼ିଶାରୁ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପିତ କରି ଦଳ ନିର୍ବାଚନକୁ ଯାଇନଥିଲା । ଓଡ଼ିଶାରେ ବିଜେପିର ସମସ୍ତ ପ୍ରତିଶ୍ରୁତି ମୋଦୀ ଗ୍ୟାରେଂଟି ଭାବରେ ଉପସ୍ଥାପିତ ହୋଇଥିଲା । ଏପରି ସ୍ଥିତିରେ ଦଳ କ୍ଷମତାକୁ ଆସିଲାପରେ ଦଳ ଭିତରେ ଥିବା ସବୁ ବିଧାୟକଙ୍କର ଅଭିଜ୍ଞତା, ସାମାଜିକ ସ୍ଥିତି ଓ ଦକ୍ଷତାକୁ ବିଚାର କରି କେନ୍ଦ୍ରୀୟ ନେତୃତ୍ୱ ଓ ବିଶେଷ ଭାବରେ ନରେନ୍ଦ୍ର ମୋଦୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୪ ଥର ବିଧାୟକ ହୋଇଥିବା ଆଦିବାସୀ ନେତା ମୋହନ ଚରଣ ମାଝୀଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସହିତ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଓ ୧୩ ଜଣ ମନ୍ତ୍ରୀଙ୍କର ନାମ ମଧ୍ୟ କେନ୍ଦ୍ର ପକ୍ଷରୁ ପ୍ରଦାନ କରାଯାଇଥିଲା । ଏହି ମନ୍ତ୍ରିମଣ୍ଡଳରେ ଅଭିଜ୍ଞ ଲୋକଙ୍କର ଅଭାବ ସତ୍ତ୍ୱେ ଓଡ଼ିଶା ରାଜ୍ୟରେ ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ କରାଯିବା ଫଳରେ ସାଧାରଣରେ ନୂଆ ସରକାରଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ରହିଥିଲା । କେନ୍ଦ୍ରୀୟ ନେତୃତ୍ୱ ଗତ ଏକବର୍ଷ ଭିତରେ ସରକାର ପାଇଁ ଯାହାସବୁ ଆହ୍ୱାନ ଆସିଲେ ମଧ୍ୟ ପ୍ରତ୍ୟେକ ଘଟଣାରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱକୁ ଶକ୍ତିଶାଳୀ କରିବା ପାଇଁ ପ୍ରୟାସ କରିଥିଲେ । ଯଦିଓ ସମ୍ଭବତଃ କେନ୍ଦ୍ରୀୟ ନେତୃତ୍ୱ ଭଲଭାବରେ ଜାଣିଥିଲେ ଯେ, ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେବାକୁ ସାମନ୍ତବାଦୀ ରାଜନୈତିକ ବ୍ୟବସ୍ଥାରେ ବିଶ୍ୱାସୀ ନେତା ଓ ପ୍ରଶାସନିକ ଅଧିକାରୀମାନେ ସହଜରେ ଏହାକୁ ଗ୍ରହଣ କରିବେ ନାହିଁ । ସେଥିପାଇଁ କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ପାଇଁ ଓଡ଼ିଶା କ୍ୟାଡର୍ର କେନ୍ଦ୍ରୀୟ ଡେପୁଟେସନରେ ଥିବା ମନୋଜ ଆହୁଜାଙ୍କୁ ଓ ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇପିଏସ୍ ଅଧିକାରୀ ୱାଇ.ବି ଖୁରାନିଆଙ୍କୁ ପୋଲିସ୍ ଡ଼ିଜି ଭାବରେ ପଠାଇଥିଲେ । ସେହିପରି ବିଜେଡ଼ି ଶାସନ ଯାହାକୁ ଶେଷ ପର୍ଯ୍ୟାୟରେ ପାଣ୍ଡିଆନ୍ ଶାସନ ବୋଲି କୁହାଯାଉଥିଲା ସେମାନଙ୍କର ଅନ୍ତରଙ୍ଗ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀମାନଙ୍କୁ ଓଡ଼ିଶାରୁ କେନ୍ଦ୍ରୀୟ ଡେପୁ୍ୟଟେସନରେ ନେଇଯାଇ ରାଜ୍ୟ ଶାସନକୁ ଆହ୍ୱାନମୁକ୍ତ କରିବା ପାଇଁ ଚେଷ୍ଟା କରାଯାଇଛି । ଯଦିଓ ଏହିସବୁ ଅଧିକାରୀଙ୍କ ବିରୋଧରେ ବିଜେପି ବିରୋଧୀ ଆସନରେ ଥିଲାବେଳେ ସର୍ବାଧିକ ଅଭିଯୋଗ କରିଥିଲେ, ତଥାପି କେନ୍ଦ୍ରୀୟ ନେତୃତ୍ୱ ମୋହନ ମାଝୀ ସରକାରଙ୍କୁ ସବୁ ଦୃଷ୍ଟିରୁ ଶକ୍ତିଶାଳୀ କରିବା ପାଇଁ ବା ପୂର୍ବ ସରକାର ଅଧିକାରୀମାନଙ୍କ ସହିତ ମୁକାବିଲା ଏଡାଇବା ପାଇଁ ଏ କୌଶଳ କରିଥିବା ଅନୁମାନ କରାଯାଉଥିଲା । ଯାହାକୁ ନେଇ ବିଜେଡ଼ି ଓ ବିଜେପି ଏବେ ବି ଭଲ ସମ୍ପର୍କ ରହିଥିବା ଅଭିଯୋଗ ହେଉଥିଲା । କିନ୍ତୁ ମୋହନ ଚରଣ ମାଝୀଙ୍କ ନେତୃତ୍ୱକୁ ଶକ୍ତିଶାଳୀ କରିବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ଗତ ଏକବର୍ଷ ଭିତରେ ୬ ଥର ଓଡ଼ିଶା ଆସିଛନ୍ତି । ମୁଖ୍ୟମନ୍ତ୍ରୀ ଯେତେବେଳେ ଦିଲ୍ଲୀ ଯାଉଛନ୍ତି ବା କୌଣସି ସାହାଯ୍ୟ ଚାହୁଁଛନ୍ତି ସେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜର ଭାବନା ପ୍ରକାଶ କରୁଛନ୍ତି । ସେହି କ୍ରମରେ ଗତ ଏକବର୍ଷ ଭିତରେ ରାଜ୍ୟ ସରକାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ କେତେଗୁଡ଼ିଏ କାର୍ଯ୍ୟ ଓ ବିଶେଷ ଭାବରେ ଧାନଚାଷୀମାନଙ୍କୁ କ୍ୱିଂଟାଲ୍ ପିଛା ୮୦୦ ଟଙ୍କା ଇନ୍ପୁଟ୍ ସବ୍ସିଡ଼ି ଦେଇ ୩୧୦୦ ଟଙ୍କାରେ ଧାନ ଖରଦି କରିବା ଓ ମହିଳାମାନଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ବାଚନ ପ୍ରତିଶ୍ରୁତି ଆଧାରରେ ଶୁଭଦ୍ରା ଯୋଜନାରେ ପ୍ରାୟ ୧ କୋଟି ମହିଳାଙ୍କୁ ୨ଟି କିସ୍ତିରେ ୧୦,୦୦୦ ଟଙ୍କା ପ୍ରଦାନ କରିବା ସରକାରଙ୍କ ପାଇଁ ଏକ ସଫଳତା ବୋଲି ବିଚାର କରାଯାଉଥିଲା । ଗତ ସରକାର ଢ଼ାଂଚାରେ ରାଜ୍ୟରେ ବିନିଯୋଗ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ଉକ୍ରର୍ଷ ଓଡ଼ିଶା ନାମରେ ଯେଉଁ ବିରାଟ ବିନିଯୋଗ କନକ୍ଲେଭ କରିଥିଲେ, ସେଥିରେ ଆଶାଜନକ ବିନିଯୋଗର ପ୍ରତିଶ୍ରୁତି ମଧ୍ୟ ମିଳିଥିଲା ।
ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରୁ ଲୋକମାନଙ୍କର ମୁଖ୍ୟମନ୍ତ୍ରୀ ହେବା ପାଇଁ ଲୋକମାନଙ୍କୁ ସିଧାସଳଖ ଭେଟିବା ଓ ଅଭିଯୋଗ ପ୍ରକୋଷ୍ଠ ଜରିଆରେ ଲୋକମାନଙ୍କର ଆପତି ଅଭିଯୋଗର ସମାଧାନ କରିବା ପ୍ରକ୍ରିୟା ଦ୍ୱାରା ସରକାରଙ୍କର ଏକ ଭାବମୂର୍ତି ସୃଷ୍ଟି ହୋଇଥିଲା । କିନ୍ତୁ ଏହି ସରକାର ଶାସନ କରିବାରେ କେତେଗୁଡ଼ିଏ ଦୁର୍ବଳତା ବାରମ୍ବାର ପ୍ରକାଶ ପାଇଛି । ଯେପରି ପ୍ରଥମରେ ପୂର୍ବତନ ରାଜ୍ୟପାଳଙ୍କ ପୁଅ ରଥଯାତ୍ରା ସମୟରେ ପୁରୀରେ ଜଣେ ରାଜଭବନ କର୍ମଚାରୀଙ୍କୁ ମାଡ଼ ମାରିବା ଓ ଭରତପୁର ପୋଲିସ୍ ଥାନାରେ ଜଣେ ଯୁବତୀ ଓ ତାଙ୍କ ବନ୍ଧୁ ସେନାବାହିନୀର ଅଫିସରଙ୍କ ପ୍ରତି ଥାନାରେ ହୋଇଥିବା ର୍ଦୁବ୍ୟବହାର ଘଟଣା ସାରାଦେଶରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ଏବେ ସରକାର ଏକବର୍ଷ ପୂର୍ତି ପାଳନ ସମୟରେ ମୁଖ୍ୟମନ୍ତ୍ରୀଙ୍କର ଆତ୍ମବିଶ୍ୱାସଭରା ଭାବମୂର୍ତି ଓ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ରଥଯାତ୍ରା ସମୟରେ ଯେଉଁ କେତେଗୁଡ଼ିଏ ଅଘଟଣ ଘଟିଲା ଯାହାଫଳରେ ଦଳାଚକଟାରେ ୩ଜଣ ଭକ୍ତଙ୍କର ମୃତ୍ୟୁ ହେଲା ତାହା ସରକାରଙ୍କୁ ଅଯଥାରେ ଅସୁବିଧାରେ ପକାଇଦେଲା । ଏହାର ଠିକ୍ ପୂର୍ବରୁ ଗୋପାଳପୁର ବେଳାଭୂମି ପରି ଏକ ପର୍ଯ୍ୟଟନ ସ୍ଥଳୀରେ ଜଣେ ଯୁବତୀଙ୍କ ଉପରେ ଗଣଧର୍ଷଣ ମାମଲା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କଲା । ଏହିସବୁ ଘଟଣାକୁ ଦେଖି ଆମେରିକାର ରାଷ୍ଟ୍ରପତି ଭାରତ ଆସୁଥିବା ଆମେରିକୀୟ ପର୍ଯ୍ୟଟକମାନଙ୍କୁ ଓଡ଼ିଶା ପରି ରାଜ୍ୟକୁ କୌଣସି ମହିଳା ଏକାକୀ ନଯିବା ପାଇଁ ପରାମର୍ଶ ଦେଲେ । ଏହି ସମସ୍ତ ଘଟଣା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ସ୍ୱଭାବ ସୁଲଭ ନୀରିହ ଆଦିବାସୀ ନେତାର ଭାବମୂର୍ତି ସହିତ ଶାସନ କାର୍ଯ୍ୟରେ ତାଙ୍କ ଏକବର୍ଷର ଉପଲବ୍ଧି ନେଇ ଆଲୋଚନା ଓ ପ୍ରଶଂସା ମଧ୍ୟ ମିଳୁଥିଲା । କିନ୍ତୁ ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମହୁତି ମାମଲାରେ ଯେଉଁସବୁ ତଥ୍ୟ ପଦାକୁ ଆସିଲା ସେଥିରେ ରାଜ୍ୟରେ ଶାସନ ବ୍ୟବସ୍ଥାରେ ବିଭିନ୍ନ ସ୍ତରରେ ଗୁରୁତର ତ୍ରୁଟି ପରିଲକ୍ଷିତ ହେଲା । ଏହାକୁ ଆଧାର କରି ବିଜେପି ଭିତରେ ଓ ବାହାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏକ ଭିତିରିଆ ଅଭିଯାନ ଚାଲିଥିବା ସହଜରେ ଜଣାପଡୁଛି । କାରଣ ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯେପରି ଭାବରେ ପଦକ୍ଷେପ ନେଇଛନ୍ତି ଓ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ତଦନ୍ତର ପରିସରକୁ ବଢ଼ାଇ ମୃତ ଛାତ୍ରୀର ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି, ସେଥିରେ ସିଧାସଳଖ ଭାବରେ ତାଙ୍କ ବିରୋଧରେ ଅଭିଯୋଗ ଦୁର୍ବଳ ହୋଇଯିବା କଥା । ହେଲେ ଏହି ଘଟଣାରେ ବ୍ୟବସ୍ଥାଗତ ତ୍ରୁଟି ପାଇଁ ସେହି ବିଭାଗର ମନ୍ତ୍ରୀଙ୍କ ବିରୋଧରେ ନୈତିକତା ଆଧାର ଉପରେ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ଜୁଟାଇ ପାରିନାହାନ୍ତି । ସେହିପରି ରଥଯାତ୍ରା ଘଟଣାରେ ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟବାସୀଙ୍କୁ କ୍ଷମା ମାଗି ପ୍ରଶାସନିକ ସ୍ତରରେ କେତେକ ପରିବର୍ତନ କରି ବାହୁଡା ଯାତ୍ରା ଓ ନିଳାଦ୍ରୀ ବିଜେ ସଫଳତାର କରାଇଥିଲେ । କିନ୍ତୁ ସେହି ବିଭାଗର ମନ୍ତ୍ରୀଙ୍କର ନୈତିକ ଦାୟିତ୍ୱ ନେଇ ସେ ତାଗିଦ୍ କରିପାରିଲେ ନାହିଁ । ଏହି ସମୟରେ ପୁଣି ପୁରୀ ଜିଲ୍ଲା ବଳଙ୍ଗାରେ ଜଣେ ନାବାଳିକାକୁ କିଛି ଦୁର୍ବୃତ୍ତ ଟାଣି ନେଇ ପେଟ୍ରୋଲା ଢାଳି ନିଆଁ ଲଗାଇଦେବା ଘଟଣା ପୁଣି ଏକ ଆଲୋଡନ ସୃଷ୍ଟି କରିଛି ।
ରାଜ୍ୟର ଏହି ପରିସ୍ଥିତିରୁ ବିରୋଧୀ ଦଳ ପୁରାମାତ୍ରାରେ ସୁଯୋଗ ନେବା ସ୍ୱାଭାବିକ । ବାଲେଶ୍ୱର ଛାତ୍ରୀଙ୍କର ଆତ୍ମହୁତି ଘଟଣାରେ ବ୍ୟବସ୍ଥାଗତ ତ୍ରୁଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଏତେ ସ୍ପଷ୍ଟ ଥିଲା ଯେ, ସାରା ରାଜ୍ୟବାସୀ ତାଙ୍କ ମୃତ୍ୟୁ ପରେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି । ସେଥିପାଇଁ କଂଗ୍ରେସ ଓ ବାମପନ୍ଥୀ ଦଳମାନେ ଏହାର ପ୍ରତିବାଦରେ ଯେଉଁ ବନ୍ଦ ଆହ୍ୱାନ ଦେଲେ ତାହା ସ୍ୱତଃସ୍ପୁତ ଭାବରେ ସଫଳ ହେଲା । ଏହି ଘଟଣା ସାରାରାଜ୍ୟରେ ସରକାରଙ୍କ ପ୍ରତି ଓ ଶାସନ ପ୍ରତି ଏକ ବିଶ୍ୱାସର ସଂକଟ ସୃଷ୍ଟି କରିଛି । ଏହିସବୁ ଘଟଣାରେ ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରି ଜନସାଧାରଣଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେତେଗୁଡ଼ିଏ କଠୋର ପ୍ରଶାସନିକ ଓ ରାଜନୈତିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଯଦିଓ ବାଲେଶ୍ୱର ଘଟଣାରେ ପରବର୍ତୀ ତଦନ୍ତ ବ୍ୟାପକ ହୋଇଛି, ତଥାପି ରାଜ୍ୟ ସରକାର ବ୍ୟବସ୍ଥାଗତ ତ୍ରୁଟି ପାଇଁ ଏକ ନ୍ୟାୟିକ ତଦନ୍ତ କରିପାରିଥିଲେ ତାହା ଅଧିକ ଭାବରେ ଜନସାଧାରଣଙ୍କୁ ପ୍ରଭାବିତ କରିଥାନ୍ତା । ଏବେ କଥା ହେଉଛି ଶାସନ ବ୍ୟବସ୍ଥାକୁ ସୁଧାରିବା ପାଇଁ ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ଡିଜିଙ୍କର ଯେଉଁ ପ୍ରମୁଖ ଦାୟିତ୍ୱ ଅଛି ତାହା ସେମାନେ ଠିକ୍ ଭାବେ ପାଳନ କରିଥିବା କୁହାଯାଇପାରିବ ନାହିଁ । ବାଲେଶ୍ୱର ଘଟଣାରେ କଲେଜ ଅଧ୍ୟକ୍ଷ ଓ ଅଭିଯୁକ୍ତ ଅଧ୍ୟାପକଙ୍କ ଛଡ଼ା ଅନ୍ତରୀଣ ଅଭିଯୋଗ କମିଟି ଦାୟିତ୍ୱହୀନ ହେବା ସହିତ ଖୋଦ୍ ପୋଲିସ୍ ଅଧିକାରୀଙ୍କ ପାଖରେ ଅଭିଯୋଗ ଥିଲେ ମଧ୍ୟ ସେମାନେ କୌଣସି ପ୍ରାରମ୍ଭିକ ପଦକ୍ଷେପ ନେଇପାରିଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୋଇନ୍ଦା ବିଭାଗ ଏ ସମ୍ପର୍କୀୟ ତଥ୍ୟ ଠିକ୍ ଭାବରେ ପଠାଇଥିଲେ ନା ନାହିଁ ତାହା କାହାରିକୁ ଜଣାନାହିଁ । ଏପରି ଅବସ୍ଥାରେ ଶାସନ ବ୍ୟବସ୍ଥାକୁ ସଜାଡ଼ିବାକୁ ହେଲେ ପ୍ରଶାସନିକ ସ୍ତରରେ ଡ଼ିଜି ଓ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ବଦଳାଇ ପାରିବେ କି? ସେହିପରି ରାଜନୈତିକ ସ୍ତରରେ ଏକ ନୂଆ ବାର୍ତା ଦେବା ପାଇଁ ମନ୍ତ୍ରୀମାନଙ୍କର ବିଭାଗ ଅଦଳ ବଦଳ ସହିତ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ସାହସ ଜୁଟାଇବେ କି ନାହିଁ ତାହା ଉପରେ ଅନେକ କଥା ନିର୍ଭର କରୁଛି । ମୋହନ ମାଝୀ ସରକାରର ପ୍ରତ୍ୟେକ ଘଟଣାକୁ ଗତ ନବୀନ ପଟ୍ଟନାୟକ ସରକାରର କେତେଗୁଡ଼ିଏ ଘଟଣା ସହିତ ତୁଳନା କରାଯାଉଛି । କିନ୍ତୁ ନବୀନଙ୍କ ସୌଭାଗ୍ୟ ଥିଲା ଯେ, ସେ ମନ୍ତ୍ରୀ ପରିଷଦର ଓ ନେତୃତ୍ୱର ଏକମାତ୍ର ନେତା ଭାବରେ ପ୍ରତିଷ୍ଠିତ ଥିବାରୁ ସେ ଯେକୌଣସି ପରିବର୍ତନ ଅବସ୍ଥାକୁ ଦେଖି ଏକାକୀ ନିଷ୍ପତି ନେଇ କରିପାରୁଥିଲେ । କିନ୍ତୁ ମୋହନ ଚରଣ ମାଝୀଙ୍କ ସରକାର ବାସ୍ତବରେ ଏକ ବିଜେପି ସରକାର । କେବଳ ରାଜ୍ୟ ସଂଗଠନ ସହିତ କେନ୍ଦ୍ରୀୟ ନେତୃତ୍ୱର ବିନା ଅନୁମୋଦନରେ ସେ ଅନେକ ପରିବର୍ତନ କରିବା କଷ୍ଟକର । କିନ୍ତୁ ରାଜ୍ୟବାସୀ ଚାହାନ୍ତି ଯେ, ଏହି ପରିସ୍ଥିତିର ଆହ୍ୱାନକୁ ମୋହନ ମାଝୀ ଗ୍ରହଣ କରି ଶାସନରେ ପରିବର୍ତନ ପାଇଁ ଆଗଭର ହୁଅନ୍ତୁ । ରାଜ୍ୟରେ ବିଜେପିର ସଭାପତି ଭାବରେ ମନମୋହନ ସାମଲ ଦାୟିତ୍ୱ ନେବାପରେ ମୁଖ୍ୟମନ୍ତ୍ରୀ ‘ଯୋଡ଼ାକୁ ଘୋଡ଼ା ସରି ନୁହେଁ’ ବୋଲି ଯେଉଁ ବକ୍ତବ୍ୟ ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରନ୍ତୁ । ମନମୋହନ ସାମଲଙ୍କୁ ମଧ୍ୟ ଏ ଦିଗରେ ସକ୍ରିୟତା ଗ୍ରହଣ କରିବାକୁ ପଡ଼ିବ । ଦଳ ଭିତରୁ ଓ ବାହାରୁ ମୋହନ ମାଝୀଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗିବା ପାଇଁ ଏକ ରିତିମତ ଷଡଯନ୍ତ୍ର ଚାଲିଥିବାର ସ୍ପଷ୍ଟ ଦେଖାଯାଉଛି । ଏହି ଷଡଯନ୍ତ୍ରକୁ ବନ୍ଦ କରିବା ଦାୟିତ୍ୱ ମନମୋହନ ସାମଲ ଓ କେନ୍ଦ୍ରୀୟ ନେତୃତ୍ୱ ଗ୍ରହଣ କଲେ ହିଁ ମୋହନ ମାଝୀଙ୍କ ସରକାର ସକ୍ରିୟତାର ସହ ରାଜ୍ୟରେ ପରିବର୍ତନ ଆଣିପାରିବେ ।
ମୋ: ୮୦୧୮୦୯୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
