ରାଜ୍ୟ ସରକାର ବସ୍ତି ବାସିନ୍ଦାମାନଙ୍କ ଲାଗି ଗୃହ ଯୋଗାଇବା ପାଇଁ ପ୍ରତ୍ୟେକ ସହରାଞ୍ଚଳରେ ଓ ବିଶେଷ ଭାବରେ ଯେଉଁସବୁ ସ୍ଥାନମାନଙ୍କରେ ସହର ଉନ୍ନୟନ କର୍ତ୍ତୃପକ୍ଷ ରହିଛି ସେଠାରେ ଗୃହ ନିର୍ମାଣ କାର୍ଯ୍ୟ କରୁଛନ୍ତି। ଏଥିରେ ବହୁ ତ୍ରୁଟି ଥିଲେ ମଧ୍ୟ ଏହାକୁ ଏକ ଆବଶ୍ୟକୀୟ ଚିନ୍ତାଧାରା ଭାବରେ ବିଚାର କରାଯାଉଛି। କିନ୍ତୁ ସହରମାନଙ୍କରେ ଯେଉଁ ନିମ୍ନ ମଧ୍ୟବିତ୍ତ ବା ମଧ୍ୟବିତ୍ତ ଶ୍ରେଣୀର ଲୋକ ଅଛନ୍ତି ସେମାନଙ୍କ ପାଇଁ ଗୃହ ଯୋଗାଣ ସରକାରଙ୍କ ଆଉ ଅଗ୍ରାଧିକାର ଚିନ୍ତାଧାରାରେ ନାହିଁ। ପୂର୍ବରୁ ଭୁବନେଶ୍ୱର, କଟକ ଓ ରାଉରକେଲା ପ୍ରଭୃତି ଉନ୍ନୟନ କର୍ତ୍ତୃପକ୍ଷ ହୋଇଥିବା ସହରମାନଙ୍କରେ ଗୃହ ଯୋଗାଣ ଓ ଜମି ଯୋଗାଣରେ ଏହି ଶ୍ରେଣୀଗୁଡ଼ିକ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିଲା। ଏପରିକି ହାଉସିଂ ବୋର୍ଡ ଯେତେ ଯେଉଁଠି ଗୃହ ନିର୍ମାଣ କରୁଥିଲା, ସେଥିରେ ସ୍ୱଳ୍ପ ଆୟକାରୀ ଓ ମଧ୍ୟମ ଆୟକାରୀର ବିଭିନ୍ନ ଶ୍ରେଣୀ ପାଇଁ ସ୍ୱତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଉଥିଲା। ବାସ୍ତବରେ ସରକାର ଓ ସହର ଉନ୍ନୟନ କର୍ତ୍ତୃପକ୍ଷଗୁଡ଼ିକ ଏହି ଲକ୍ଷ୍ୟରେ ହିଁ ସବୁ ସହରରେ ବ୍ୟବସ୍ଥା କରିବା ଦେଶର ସମ୍ବିଧାନ ଓ ସମତା ଭିତ୍ତିକ ଏକ ବ୍ୟବସ୍ଥା ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା ବୋଲି ବିଚାର କରାଯାଉଥିଲା।
ସେହି ଅନୁସାରେ ହାଉସିଂ ବୋର୍ଡ ଓ ଉନ୍ନୟନ କର୍ତ୍ତୃପକ୍ଷଗୁଡ଼ିକ ଯେଉଁ ଜମି ବଣ୍ଟନ ବା ଗୃହ ବଣ୍ଟନ କରୁଥିଲେ ସେଥିରେ ସର୍ବନିମ୍ନ ମୂଲ୍ୟ ସ୍ଥିର କରି ଦରଖାସ୍ତକାରୀମାନଙ୍କ ଭିତରେ ଲଟେରୀ ଭିତ୍ତିରେ ଗ୍ରାହକମାନଙ୍କୁ ଚିହ୍ନଟ କରାଯାଉଥିଲା। କିନ୍ତୁ ଅନେକ ବର୍ଷ ହେଲା ଏହି ପ୍ରକ୍ରିୟାଗୁଡ଼ିକ ଓଡ଼ିଶା ସରକାର ବନ୍ଦ କରିଦେଇ ସବୁ ସହରରେ ନିଲାମୀ ଭିତ୍ତିରେ ଜମି ବା ଗୃହ ବଣ୍ଟନ କରୁଛନ୍ତି। ଏଥିରେ ଯୁକ୍ତି ହେଲା ଯେ ସରକାରୀ ସାଧନଗୁଡ଼ିକର ନିଲାମୀ ପ୍ରକ୍ରିୟାରେ ପ୍ରଦାନ ନିମନ୍ତେ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହା ବାସ୍ତବରେ ଠିକ୍ ନୁହେଁ। ସ୍ପେକ୍ଟ୍ରମ୍ ବିକ୍ରି ସମୟରେ ଅଦାଲତ ଏହି ମତ ଦେଇଥିଲେ ମଧ୍ୟ ଦେଶର ଆବଶ୍ୟକତା ପାଇଁ ସରକାର ନୀତି ନିର୍ଦ୍ଧାରଣ କରିବାର ଅଧିକାରକୁ ଛଡ଼େଇ ନେଇନଥିଲେ। ଖଣି ଲିଜରେ ଏବେ ଏହାକୁ ଭିତ୍ତି କରି ନୂଆ ଖଣି ଆଇନ୍ ୨୦୧୫ରୁ କାର୍ଯ୍ୟକାରୀ ହେଉଛି। ଖଣି ସଂପଦର ନିଲାମୀ ହେବା ଏକ ଯଥାର୍ଥ ବା ଯୁକ୍ତିଯୁକ୍ତ ମାର୍ଗ ବୋଲି କୁହାଯାଇ ସରକାର ସର୍ବାଧିକ ସମ୍ବଳ ସଂଗ୍ରହ ନିମନ୍ତେ ଏହି ପନ୍ଥାର ଆଶ୍ରୟ ନେଉଛନ୍ତି ବୋଲି ସହଜରେ କୁହାଯାଇପାରିବ।
କିନ୍ତୁ ଗୃହ ଯୋଗାଣ ବା ବାସଜମି ଯୋଗାଣରେ ଏହି ନୀତି ସରକାରଙ୍କୁ ସମ୍ବଳ ଯୋଗାଇ ଦେଇପାରେ, ମାତ୍ର ନିମ୍ନ ମଧ୍ୟବିତ୍ତ ପରିବାର ବାସଗୃହ ଓ ଜମି ଯୋଗାଣ ପ୍ରକ୍ରିୟାରେ ସହରାଞ୍ଚଳରୁ ପୂରାପୂରି ଭାବରେ ବାଦ୍ ପଡ଼ିଯିବାର ଆଶଙ୍କା ଦେଖାଦେଇଛି। ଗୁରୁତ୍ୱପୂର୍ଣ୍ଣ ସହରଗୁଡ଼ିକରେ ଯେଉଁ ଅଞ୍ଚଳରେ ରିଏଲ୍ ଇଷ୍ଟେଟର ଚାହିଦା ଅଧିକ ସେଠାରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଜମି ଓ ବାସଗୃହଗୁଡ଼ିକ କେବଳ ବଡ଼ ଓ ଧନୀ ଲୋକମାନଙ୍କ ହାତକୁ ଚାଲିଯିବ। ଏଥିରେ ଗୋଟିଏ ଗୋଟିଏ ପରିବାର ବହୁ ସଂଖ୍ୟାରେ ଘର ଓ ଜମିର ମାଲିକ ହୋଇଯିବେ ଏବଂ ନିମ୍ନ ମଧ୍ୟବିତ୍ତ ଶ୍ରେଣୀ କୌଣସି ସୁବିଧା ସୁଯୋଗ ଦେଉନଥିବା ଘରୋଇ ବିଲଡରମାନଙ୍କ ନିକଟରେ ହାତବାନ୍ଧି ଛିଡ଼ା ହେବେ। ଏଥିରେ ଆସୁଛନ୍ତି ବେତନଭୋଗୀ କର୍ମଚାରୀ ଓ ସ୍ୱଉଦ୍ୟମରେ ମାସିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଶ୍ରେଣୀଗୁଡ଼ିକ।
ନିକଟରେ ଭୁବନେଶ୍ୱରରେ ବିଡିଏ ପକ୍ଷରୁ ଯେତେସବୁ ଜମି ଓ ଗୃହ ବଣ୍ଟନ କରାଯାଇଛି ସେଗୁଡ଼ିକ ସବୁ ନିଲାମୀ ପଦ୍ଧତିରେ କରାଯାଇଛି। ସରକାର ବହୁତ ଆନନ୍ଦିତ ଯେ ଗୋଟିଏ ଗୋଟିଏ ପ୍ଲଟ ବା ଘର ଯାହାର ମୂଳ ମୂଲ୍ୟ ୪୦/୫୦ ଲକ୍ଷ ଟଙ୍କା ଥିଲା ସେଗୁଡ଼ିକ କୋଟି କୋଟି ଟଙ୍କା ମୂଲ୍ୟରେ ବିକ୍ରି ହୋଇଛି। ଭାବିଲେ ଦେଖି, କୌଣସି ନିମ୍ନ ମଧ୍ୟବିତ୍ତ ପରିବାର ଲୋକ ଏହି ପ୍ରକ୍ରିୟାରେ ଖଣ୍ଡିଏ ଜମି ବା ଘର ଯୋଗାଡ଼ କରିପାରିବ କି? ଏବେ କଟକରେ ସିଡିଏ ପକ୍ଷରୁ ସେକ୍ଟର ୧୩ରେ ୨୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ସାଇଜର ପ୍ଲଟ୍ ନିଲାମୀ ପ୍ରକ୍ରିୟାରେ ବିକ୍ରି ହେବା ପାଇଁ ବିଜ୍ଞାପନ ଦିଆଯାଇ ଦରଖାସ୍ତ ଆହ୍ୱାନ କରାଯାଇଛି। ସେଥିରେ ପ୍ରତ୍ୟେକ ପ୍ଲଟ୍ ପାଇଁ ମୂଳ ମୂଲ୍ୟ ସ୍ଥିର କରାଯାଇଛି। କିନ୍ତୁ ପ୍ରତ୍ୟେକ ପ୍ଲଟ୍ ପାଇଁ ନିଲାମୀ ପ୍ରକ୍ରିୟାରେ ଜମି ଆବଣ୍ଟିତ ହେବ ବୋଲି କୁହାଯାଇଥିବାରୁ ଯାହାର ମୂଳ ମୂଲ୍ୟ ୩୦ ଲକ୍ଷ ଟଙ୍କା ରହିଛି ତାହା ହୁଏତ ୬୦ ଲକ୍ଷ ଟଙ୍କାରେ ପହଂଚିବାର ସମ୍ଭାବନା ରହିଛି। ଯାହାର ମୂଳ ମୂଲ୍ୟ ୪୫ ଲକ୍ଷ ଟଙ୍କା ରହିଛି, ତାହା ହୁଏତ ଏକ କୋଟି ଟଙ୍କାକୁ ଟପିଯାଇପାରେ। କଟକ ସହରରେ ଏହି ଧରଣର ମୂଲ୍ୟରେ କେଉଁ ମଧ୍ୟବିତ୍ତ ଶ୍ରେଣୀ ନିଲାମୀ ଭିତରକୁ ପଶିପାରିବ?
କୁହାଯାଉଛି ଯେ ଏସବୁ ପ୍ଲଟକୁ କଟକ ସହରର ଦାମୀ ଡାକ୍ତର, ଦାମୀ ଓକିଲ ଓ ମାରୱାଡ଼ି ବା ବ୍ୟବସାୟୀ ଗୋଷ୍ଠୀ ଅକ୍ତିଆର କରିବେ। ପୂର୍ବରୁ ଯେପରି କଟକରେ ବା ଭୁବନେଶ୍ୱରରେ ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜମି ପାଇବା ପାଇଁ କଟକ-ଭୁବନେଶ୍ୱର ଭିତରେ ସେମାନଙ୍କର ନିଜସ୍ୱ ଜମି ନାହିଁ ବୋଲି ସତ୍ୟପାଠ ଦେବାକୁ ପଡୁଥିଲା, ଏବେ ସେହି ବ୍ୟବସ୍ଥା ପ୍ରାୟ ନାହିଁ। ତେଣୁ ଗୋଟିଏ ଗୋଟିଏ ପରିବାର ସେହି ନିଲାମୀ ପ୍ରକ୍ରିୟାରେ କଟକ ଓ ଭୁବନେଶ୍ୱରରେ ଏକାଧିକ ଜମି ଥିଲେ ମଧ୍ୟ ପୁଣି ଜମି ପାଇବାକୁ ହକଦାର ହୋଇଯିବେ। ଅପରପକ୍ଷରେ ଗୋଟିଏ ଘର ବା ଜମି ପାଇଁ ଜୀବନ ବ୍ୟାପି ଲକ୍ଷ୍ୟ ରଖିଥିବା ମଧ୍ୟବିତ୍ତ ପରିବାର ସ୍ୱପ୍ନରେ ସୁଦ୍ଧା ଏହିପରି ଜମି ଆଉ ପାଇବେ ନାହିଁ। ଏଠାରେ ପ୍ରଶ୍ନ ଉଠୁଛି, ଭୁବନେଶ୍ୱର, କଟକ, ରାଉରକେଲା ପରି ପ୍ରମୁଖ ସହରଗୁଡ଼ିକରେ ସରକାରୀ ଜମିଗୁଡ଼ିକ ମାରୱାଡ଼ି, ବ୍ୟବସାୟୀ ଓ ଧନୀ ଲୋକମାନଙ୍କୁ ଦେଇଦେବା ପାଇଁ ସରକାର ନୀତିଗତ ନିଷ୍ପତ୍ତି କରିଛନ୍ତି କି? ହାଉସିଂ ବୋର୍ଡ, ବିଡିଏ, ସିଡିଏ ଗୃହ ନିର୍ମାଣରେ ମଧ୍ୟ ଏହି ଶ୍ରେଣୀ ପାଇଁ ସ୍ଥାନ ସଂରକ୍ଷିତ ରଖିବାକୁ କୌଣସି ବ୍ୟବସ୍ଥା ନକରି ନିଲାମୀ ପ୍ରକ୍ରିୟାରେ ଆସିବା ପାଇଁ ପରାମର୍ଶ ଦେଉଛନ୍ତି। ଏକ ଗଣତାନ୍ତ୍ରିକ ଓ ସମାଜ ମଙ୍ଗଳ ରାଷ୍ଟ୍ରରେ ଏପରି ନୀତି ମଧ୍ୟବିତ୍ତ ଶ୍ରେଣୀ ଉପରେ ସରକାରଙ୍କ ଏକ ପରୋକ୍ଷ ଆକ୍ରମଣ ବୋଲି ହିଁ ବିଚାର କରାଯିବ।
ମଇ ପହିଲାରେ ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ ସମୟରେ ୟୁରୋପୀୟ ରାଷ୍ଟ୍ର ଓ ଆମେରିକା ପରି ଦେଶରେ ଆର୍ଥôକ ସମାନତା ପାଇଁ ପ୍ରତ୍ୟେକ ସମାବେଶରେ ଦାବି କରାଯାଇଛି। କାରଣ ବିଶ୍ୱରେ ଆର୍ଥିକ ଅସମାନତା ଏକ ଭୟଙ୍କର ରୂପ ଧାରଣ କରିଛି। ଭାରତରେ ଏହାର ରୂପ ଦିନକୁ ଦିନ ଅତ୍ୟନ୍ତ ଜଘନ୍ୟ ହେଉଥିବା ଅକ୍ସଫାମ୍ ରିପୋର୍ଟରେ ଅତି ସ୍ପଷ୍ଟ ଭାବରେ କୁହାଯାଇଛି। ସେହିସବୁ ଦେଶରେ ଧନୀ ଶ୍ରେଣୀ ଉପରେ ଅଧିକ ଟିକସ ପାଇଁ ଦାବି କରାଯାଉଛି। ଭାରତରେ ଏହି ଆନ୍ଦୋଳନ ସେଭଳି ତୀବ୍ର ହୋଇନାହିଁ, କାରଣ ଦେଶରେ ବାମପନ୍ଥୀମାନଙ୍କ ସ୍ୱର ଲିଭି ଯାଇଛି ବୋଲି ଧରି ନିଆଯାଉଛି। କିନ୍ତୁ ଆର୍ଥିକ ଅସମାନତାର ଯେଉଁ ବ୍ୟବସ୍ଥା ଏବେ ରିଏଲ୍ ଇଷ୍ଟେଟ୍ ଜରିଆରେ ଖୋଦ୍ ସରକାରମାନେ ପ୍ରଣୟନ କରି ଚାଲିଛନ୍ତି ତାହା ବିରୋଧରେ ମଧ୍ୟବିତ୍ତ ଶ୍ରେଣୀର ସ୍ୱରକୁ ସବୁଦିନ ଚାପି ଦିଆଯାଇପାରିବ ନାହିଁ। ରାଜ୍ୟ ସରକାର ଏବେ ପ୍ରଚଳନ କରିଥିବା ନିଲାମୀ ପ୍ରକ୍ରିୟାରେ କଟକ, ଭୁବନେଶ୍ୱର ଓ ରାଉରକେଲା ପରି ପ୍ରମୁଖ ସହରରେ ଜମି ଓ ଘର ବଣ୍ଟନ ପ୍ରକ୍ରିୟାକୁ ବନ୍ଦ କରି ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ପାଇଁ ଲଟେରୀ ଜରିଆରେ ଜମି ବା ଘର ବଣ୍ଟନ ନକଲେ ପରିସ୍ଥିତି ଭୟଙ୍କର ହେବ। ରାଜ୍ୟ ସରକାର ଧନୀମାନଙ୍କ ପାଇଁ କାର୍ଯ୍ୟ କରୁଛି ଓ ମଧ୍ୟବିତ୍ତ ଶ୍ରେଣୀଙ୍କୁ ଦଣ୍ଡିତ କରୁଛି ବୋଲି ପ୍ରମାଣିତ ହୋଇଯିବ। ସରକାରୀ ଜମି କେବଳ ଧନୀ ଲୋକମାନଙ୍କର ନୁହେଁ। ସବୁ ଶ୍ରେଣୀର ଲୋକ ଏଥିରେ ରହିବା ପାଇଁ ଯଦି ସରକାର ବ୍ୟବସ୍ଥା ନକରିପାରିଲେ, ତେବେ ତାହାକୁ କେବେ ହେଲେ ଏକ ଗଣତାନ୍ତ୍ରିକ ଓ ଜନମଙ୍ଗଳକାରୀ ସରକାର ଭାବେ ବିଚାର କରାଯିବ ନାହିଁ।
ଅଦାଲତର ନିର୍ଦ୍ଦେଶ ଅନୁସାରେ ଯେଉଁସବୁ ପ୍ରାକୃତିକ ସଂପଦର ନିଲାମ ହେବା ଦରକାର ସେଥିରେ ବାସଗୃହ କଦାପି ଅନ୍ତର୍ଭୁକ୍ତ ନୁହେଁ। ସେହି ଅଦାଲତ ଏକଥା ମଧ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କୁ ଏହିସବୁ ସହରାଞ୍ଚଳରେ କେବଳ ଗୋଟିଏ ପ୍ଲଟ୍ ମିଳିପାରିବ। ଏକଥା ମଧ୍ୟ କୁହାଯାଇଛି ଯେ ବିଭିନ୍ନ ଶ୍ରେଣୀ ପାଇଁ ଜମି ଆବଣ୍ଟନକୁ ସୁନିଶ୍ଚିତ କରିବା ପାଇଁ ମାର୍ଗ ନିର୍ଦ୍ଦେଶ ସହ ଲଟେରୀ ମାଧ୍ୟମରେ ଏହା ସ୍ଥିରିକୃତ ହେବା ଦରକାର। ବାସ୍ତବିକ ଓଡ଼ିଶାରେ ଯେତେବେଳେ ସହର ଉନ୍ନୟନ କର୍ତ୍ତୃପକ୍ଷଗୁଡ଼ିକ ହେଲା, ସେତେବେଳେ ସେହି ଲକ୍ଷ୍ୟରେ ସେମାନେ କାର୍ଯ୍ୟ କରୁଥିଲେ। କିନ୍ତୁ ବର୍ତ୍ତମାନର ସରକାର ଏହି ନୀତିକୁ କାହିଁକି ବଦଳାଇଲେ? ନଗର ଉନ୍ନୟନ ସଚିବ ଓ ମୁଖ୍ୟ ଶାସନ ସଚିବ ଏହି ଦିଗ ପ୍ରତି ଦୃଷ୍ଟି ଦେଇ ବର୍ତ୍ତମାନର ନୀତିକୁ ବଦଳାଇବା ଅପରିହାର୍ଯ୍ୟ ହୋଇପଡ଼ିଛି।
ରବି ଦାସ, ବରିଷ୍ଠ ସାମ୍ବାଦିକ
ମୋ-୮୦୧୮୦୯୪୪୫୫