- ମାୟାଧର ନାୟକ
୧୯୭୧ ମସିହା ଡିସେମ୍ବର ୨୧ ତାରିଖରେ ଓଡ଼ିଶାରୁ ଏqହି ଲେଖକ ଜଣେ ସାମ୍ବାଦିକ ଭାବରେ ବଂଗଳାଦେଶକୁ ଯାଇଥିଲେ। ସେଦିନ ମୋ ଦୃଷ୍ଟିରେ ବିକଳ ଭଗ୍ନସ୍ତୁପ ଓ ଭଗ୍ନାବଶେଷ ମଧ୍ୟରୁ ମୁଣ୍ଡ ଟେକିଥିବା ଏସିଆର ସେହି ନୂତନ ରାଷ୍ଟ୍ର ଯେଉଁ ରୂପରେ ପ୍ରତିଭାତ ହୋଇଥିଲା, ଭସ୍ମର ଭୂମିକା, ପାଉଁଶର ପାଦଟୀକା ଭାବେ ଏକ ସାମାନ୍ୟ କଥନ।
ଯୁଦ୍ଧ ନୁହେଁ : ଶାନ୍ତି ଚାହୁଁ! ଇିଶ୍ୱର ପ୍ରତ୍ୟେକ ମାନବର କାମ୍ୟ। ଶାନ୍ତି ପାଇଁ ଯୁଦ୍ଧ ଅନିବାର୍ଯ୍ୟ ହୋଇପଡ଼େ।
ହାଡ଼ର ହିଡ଼ରେ ରକ୍ତର ସିଆର କାଟି ବାଂଲାଦେଶର ଜନ୍ମ, ନିଆଁର ବହ୍ନି - ଧୂଆଁର ଦଲୀଲରୁ ଯାହା ଦର୍ଶାଯାଏ – ବାଂଲାଦେଶ ମୁକ୍ତି ସଂଗ୍ରାମରେ ଯୁବକଛାତ୍ରମାନେ ଅତ୍ୟନ୍ତ ଭାବପ୍ରବଣ ହୋଇ ରକ୍ତନଦୀର ଉପତ୍ୟକାରେ ବିଚରଣ କରି ଆତ୍ମ ବଳିଦାନ କରିଛନ୍ତି ଯାହା ହୁଏ ତ ସେ ଦେଶର ଇତିହାସରେ ଅମର କାହାଣୀ ଭାବେ ବର୍ଣ୍ଣନା ହୋଇ ନପାରେ। କିନ୍ତୁ ସେମାନଙ୍କ ଜୀବନଦାନ ବ୍ୟର୍ଥ ହୋଇନି, ରକ୍ତାକ୍ତ ରୂପସୀ ବାଂଲା ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଛି।
୧୯୭୧ ମସିହା ୨୫ ମାର୍ଚ୍ଚ ପୂର୍ବରୁ ପାକିସ୍ଥାନର ସୁଶୃଙ୍ଖଳିତ ସୈନ୍ୟବାହିନୀ ସେହି ଦେଶରେ ନିରୀହ ଜନଗଣଙ୍କ ଉପରେ ଅତ୍ୟାଚାର କରିପାରେ ଏ କଥା ବିଶ୍ୱାସ ନକଲେ ମଧ୍ୟ ପ୍ରମାଣିତ ହୋଇଥିଲା। ପାକିସ୍ଥାନ ସୈନ୍ୟବାହିନୀ କେବଳ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରୁଥିଲେ ଏହା ନୁହେଁ ସ୍ୱଧର୍ମୀ ମୁସଲମାନମାନଙ୍କ ଉପରେ ମଧ୍ୟ ହତ୍ୟାର ତାଣ୍ଡବଲୀଳା ସୃଷ୍ଟି କରୁଥିଲେ।
ସ୍ୱାର୍ଥ ଓ କ୍ଷମତା ଦଖଲ ପାଇଁ ଧର୍ମକୁ ବ୍ୟବହାର କରିବା ଇତିହାସରେ ବାରମ୍ବାର ଦେଖାଦେଇଛି। ଦେଖାଯାଏ, କେତେକ ହିନ୍ଦୁ ମୁସଲମାନମାନଙ୍କୁ ଶଇତାନ ବୋଲି ଆଖ୍ୟା ଦେଇ ସାମ୍ପ୍ରଦାୟିକ ବିଷମଞ୍ଜି ବୁଣି ସାମାଜିକ ବିଭୀଷିକା ସୃଷ୍ଟି କରନ୍ତି। ହିନ୍ଦୁମାନେ ମଧ୍ୟ ହିନ୍ଦୁଙ୍କୁ ପ୍ରବଳ ଶୋଷଣ କରନ୍ତି।
ଜାତି ଅଜାତି ପ୍ରଶ୍ନ ନେଇ ହିନ୍ଦୁହିନ୍ଦୁ ମଧ୍ୟରେ ହଜାର ହଜାର ବର୍ଷ ଧରି ବିଭେଦ ସୃଷ୍ଟି କରି ହିନ୍ଦୁମାନେ ହିନ୍ଦୁଙ୍କୁ ଶୋଷଣ କରିଚାଲିଛନ୍ତି। ମୁସଲମାନମାନେ ମଧ୍ୟ ଜାତିଭେଦ ସୃଷ୍ଟି କରି ଶିହା, ସୁନ୍ନି ଅହମଦୀୟ ସୃଷ୍ଟି କରି ସେହି ମୁସଲମାନମାନଙ୍କୁ ମଧ୍ୟ ଶୋଷଣ ଅତ୍ୟାଚାର କରନ୍ତି।
ଅଦ୍ୟାବଧି ଧର୍ମ ଓ ଜାତିକୁ ନେଇ ବିଭିନ୍ନ ଦେଶର ପ୍ରଗତିରେ ପ୍ରଚଣ୍ଡ ବାଧା ସୃଷ୍ଟି କରିଛି। ବାସ୍ତବରେ ସାରା ବିଶ୍ୱରେ ଇତିହାସର ଅମୋଘ ନିୟମରେ ଦୁଇଟି ଜାତି ଦୁଇଟି ଶ୍ରେଣୀ ଅଛନ୍ତି ଧନୀଗରିବ ଜାତି, ଶ୍ରମିକ ଶ୍ରେଣୀ ଓ ପୁଂଜିପତି ଶ୍ରେଣୀ। ଯୁଗ ଯୁଗ ଧରି ଜାତିଗତ ସଂଘର୍ଷ ଚାଲିଛି। କେବଳ ବଂଧୁକମୁନରେ ଧର୍ମ ଓ ଜାତିଗତ ବିଭେଦ ସଂଘର୍ଷ ଏଡ଼ାଇ ଦେଇ ହେବନାହିଁ।
ପାକିସ୍ଥାନରେ ପୂର୍ବ ଉପରେ ପଶ୍ଚିମର ଯେଉଁ ନିର୍ମମ ଅତ୍ୟାଚାର ଏହା ଅଛପା ନଥିଲା। ଅର୍ଥନୈତିକ ଶୋଷଣ, ସାମାଜିକ ଅବିଚାର, ରାଜନୈତିକ ପ୍ରତିହିଂସା, ସାଂସ୍କୃତିକ ଓ ଯୁଦ୍ଧ ଭାବେ ଅସମାନତା ଥିବାରୁ ପୂର୍ବ ପାକିସ୍ଥାନ ଆଜିର ବଂଗଳାଦେଶ ଉପରେ ପଶ୍ଚିମ ପାକିସ୍ଥାନ ବର୍ତ୍ତମାନର ପାକିସ୍ଥାନ ସବୁବେଳେ ଦାଦାଗିରୀ କରିଆସୁଥିଲା।
ପାକିସ୍ଥାନ ମୁସଲମାନ ବହୁଳ ଦେଶ ହେଲେ ମଧ୍ୟ ଜାତୀୟ ଭାଷା ବୋଲି କିଛି ନଥିଲା। ଉର୍ଦ୍ଦୁକୁ ସମସ୍ତଙ୍କ ଉପରେ ଲଦି ଦିଆଯାଇଥିଲା। କିନ୍ତୁ ପୂର୍ବ ପଶ୍ଚିମର ଦୂରତ୍ୱ ହଜାରେ ମାଇଲ। ପୂର୍ବ ପାକିସ୍ଥାନରେ ମୁସଲମାନମାନଙ୍କ ମୁଖ୍ୟ ଭାଷା ଥିଲା ବଂଗଳା। ଭାଷା ଓ ଜାତୀୟତାର ପ୍ରଶ୍ନ ନେଇ ଭାଷା ଆନ୍ଦୋଳନ ଆରମ୍ଭରୁ ବିଭିନ୍ନ ପର୍ଯ୍ୟାୟରେ ମଧ୍ୟ ଦେଇ ଆଜି ସ୍ୱାଧୀନ ବଂଗଳାଦେଶ।
ଭାଷାସାହିତ୍ୟ ମାନେ ତ – ଜାତିଧର୍ମ ଅଂଚଳ କୁସଂସ୍କାର ପ୍ରତିରୋଧ – ସାରା ବିଶ୍ୱର ଚତୁର୍ଦ୍ଦିଗରେ ତା’ର ବିଚରଣ। ବାଂଲାଦେଶ ଭାଷା ଆନ୍ଦୋଳନ ଐକ୍ୟବଦ୍ଧ କରି ସମସ୍ତ ଜାତିଙ୍କୁ ପ୍ରଗତିଶୀଳ ଭୂମିକାରେ ଅବତୀର୍ଣ୍ଣ କରାଇଛି। ଭାଷା ଆନ୍ଦୋଳନ ଭିତରେ ମୌଳବାଦ ଅସୂର୍ଯ୍ୟ ଇଲାକାରେ ଆତ୍ମଗୋପନ କରିଛି। ଭାଷା ପ୍ରତି ଗଭୀର ଆନୁଗତ୍ୟ ସେମାନଙ୍କୁ ସ୍ୱାଧୀନତାର ସ୍ୱାଦ ଆଡ଼କୁ ଟାଣି ନେଇଛି - ଧର୍ମୀୟ କୁସଂସ୍କାର କୂପମଣ୍ଡୁକତାରୁ ଦୂରେଇ ନେଇ ପ୍ରଗତିଶୀଳ ଧର୍ମ ନିରପେକ୍ଷ ଭୂମିକାରେ ଅବତୀର୍ଣ୍ଣ କରାଇଛି।
ବାଂଲାଦେଶରେ ବାରମ୍ବାର ରାଜନୈତିକ-ଅର୍ଥନୈତିକ ଅସ୍ଥିରତାରେ ପ୍ରଚଣ୍ଡ ତୋଫାନ ସୃଷ୍ଟି ହୋଇଛି, କିନ୍ତୁ କଳା ସାହିତ୍ୟ ଅଗ୍ରଗତୀର ପଥକୁ କେହି ରୋଧକରି ପାରିନାହାନ୍ତି। ଅବଶ୍ୟ ସେହି ସ୍ୱାଧୀନ ବଂଗଳାଦେଶର ଗଣତନ୍ତ୍ର କେତେବେଳେ ବନ୍ଧା ପଡ଼ିଯାଉଛି ତ କେତେବେଳେ କାରଗାର ଅନ୍ଧକାର ମଧ୍ୟରେ ଲୁଚି ରହୁଛି। ପୁଣି କେତେବେଳେ ପଦାକୁ ବାହାରିଲେ ସେହି ଗଣତନ୍ତ୍ର ଉପରେ ଆରମ୍ଭ ହେଉଛି ସ୍ୱେଚ୍ଛାଚାରୀ ଅତ୍ୟାଚାର। ପୁଣି ଗଣତନ୍ତ୍ର ଅଣନିଶ୍ୱାସୀ। ସଂପ୍ରତି ଗଣତନ୍ତ୍ର ପୁନର୍ଜୀବନ ପାଇଛି। ଦେଖାଯାଉ କେତେଦିନ ଏ ଜୀବନ?
ସାମ୍ରାଜ୍ୟବାଦୀ ବ୍ରିଟିଶ ବିରୋଧରେ ଆଜିର ବଂଗଳାଦେଶ, ପାକିସ୍ଥାନ, ଭାରତ ଅଖଣ୍ଡ ଭାରତ ବର୍ଷ ଭାବେ ଲଢୁଥିଲା। ସେତେବେଳେ ଧର୍ମଜାତି ବୋଲି କିଛି ନଥିଲା। କେବଳ ସାମ୍ରାଜ୍ୟବାଦୀ ଶକ୍ତି ଓ ପରାଧୀନ ଜାତି ମଧ୍ୟରେ ଲଢ଼େଇ। ଭାରତର ସ୍ୱାଧୀନତା ଆନ୍ଦୋଳନ ପରେ ହିନ୍ଦୁ, ମୁସଲମାନ, ଶିଖ, ଜୈନ ବୌଦ୍ଧ, ଖ୍ରୀଷ୍ଟିଆନ ସବୁ ଭାଇଭାଇ ହୋଇ କାନ୍ଧକୁ କାନ୍ଧ ମିଶାଇ ଆତ୍ମତ୍ୟାଗର ବଳି ସ୍ୱାକ୍ଷର କରିଯାଇଛନ୍ତି। ସ୍ୱାଧୀନତାର ସଂଗ୍ରାମ ଅମର କାହାଣୀ ଆଜି ମଧ୍ୟ ପ୍ରାଣବନ୍ତ।
ଯେକୌଣସି ଲଢ଼େଇ-ମୁକ୍ତି-ସ୍ୱାଧୀନତାରେ ଲକ୍ଷ୍ୟ-ଉଦ୍ଦେଶ୍ୟ-ରାସ୍ତା-ନେତୃତ୍ୱର ପ୍ରଶ୍ନ ଅତ୍ୟନ୍ତ ଜରୁରୀ। ଯଦି ଦଳେ ନିଜର ସ୍ୱାର୍ଥ ସାଧନ କରିବା ପାଇଁ ଅନ୍ୟମାନଙ୍କୁ ବ୍ୟବହାର କରନ୍ତି, ସେଇଠୁ ଆରମ୍ଭ ହୁଏ ବିଷକ୍ରିୟା ଯାହା ଦିନେ ସମାଜକୁ ମଣିଷଙ୍କୁ ଜାଳି ପୋଡ଼ି ପାଉଁଶ କରିଦିଏ। ଯାହାଫଳରେ ଅଖଣ୍ଡ ଭାରତ ଦ୍ୱିଖଣ୍ଡ ଭାରତ-ପାକିସ୍ତାନ ପୁଣି ୫୦ ବର୍ଷ ପୂର୍ବରୁ ପାକିସ୍ଥାନ ଦ୍ୱିଖଣ୍ଡ ହୋଇ ବଂଗଳାଦେଶର ସୃଷ୍ଟି। ପୁଣି ଏକାଦେଶ ତିନି ଦେଶରେ ପରିଣତ ହୋଇ ଖଣ୍ଡ ଖଣ୍ଡ ହେବା ପାଇଁ ବିଷମଂଜି କାମ ଦେଉଛି। ଦଳେ ଅଖଣ୍ଡ ଅଖଣ୍ଡ କହି କହି ବାରମ୍ବାର ଖଣ୍ଡ ଖଣ୍ଡ କରିବା ଉଦ୍ୟମ ଜାରି ରଖିଛନ୍ତି। ଯାହାଫଳରେ ଦଙ୍ଗା-ହତ୍ୟାର ବିଭୀଷିକା ଲାଗି ରହୁଛି। ଏହା ଶୋଷକ ମାନଙ୍କ ବାଁହାତର ଖେଳ ବେଳେ ଶୋଷିତମାନଙ୍କର କାଳ ହୋଇ ଯାଇଛି।
ଗୋଟିଏ ଦେଶର ଯୁଦ୍ଧ, ଗୃହଯୁଦ୍ଧରେ ଲାଗିଲେ ତା’ର ଭଲମନ୍ଦ ପ୍ରଭାବ ଅନ୍ୟଦେଶରେ ପଡ଼େ। କେଉଁଠି ଭଲ ବି ହୁଏ, କେଉଁଠି ମଧ୍ୟ ଖରାପ ହୁଏ।
ପାକିସ୍ଥାନ ଗୃହଯୁଦ୍ଧରେ ଭାରି ଓଜନ ଭାରତ ଉପରେ ପଡ଼ିଥିଲା। ବହୁ ଶରଣାର୍ଥୀ ପୂର୍ବବଂଗରୁ ପଳାଇ ଆସି ଆସାମ, ମେଘାଳୟ, ତ୍ରିପୁରା, ପଶ୍ଚିମବଂଗ, ଓଡ଼ିଶାରେ ଆଶ୍ରୟ ନେଇଥିଲେ। ସେମାନଙ୍କ ଖାଦ୍ୟ ଆଶ୍ରୟ ବାବଦ ଅବଶ୍ୟ ଦେଶବାସୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଛି ମାନବିକତା ଦୃଷ୍ଟିକୋଣରୁ। ବାମପନ୍ଥୀ, ପ୍ରଗତିଶୀଳ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ଦେଶ ଭିତରୁ ରିଲିଫ ସଂଗ୍ରହକରି ବାଂଲା ଶରଣାର୍ଥୀମାନଙ୍କୁ ସାହାଯ୍ୟ ଓ ସେବା ମଧ୍ୟ କରିଥିଲେ।
ପ୍ରତ୍ୟେକ ଭାରତୀୟଙ୍କ ଧନରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଶରଣାର୍ଥୀମାନଙ୍କ ଖାଦ୍ୟ ଓ ଆଶ୍ରୟରେ। ଶେଷରେ ଭାରତ ସରକାର ସାମରିକ ସାହାଯ୍ୟ ବଂଗଳାଦେଶର ସ୍ୱାଧୀନତାରେ ମୁଖ୍ୟ ଅଂଶ ଗ୍ରହଣ କରିଥିଲେ।
ସେଦିନ ଆଜି କେତେ ତଫାତ୍! ଆଭ୍ୟନ୍ତରୀଣ ଶାନ୍ତି, ନିରାପତ୍ତା ସମ୍ପୂର୍ଣ୍ଣ ବିପନ୍ନ। ପ୍ରତି ମୂହୂର୍ତ୍ତରେ ବିପଦ ମାଡ଼ି ଆସୁଛି। ଜନଗଣ ଅସ୍ତବ୍ୟସ୍ତ, ଛିନ୍ନଛତ୍ର, ଅଭାବଅନାଟନ ଦାରିଦ୍ର୍ୟର କଷାଘାତରେ ଜର୍ଜରୀତ, ବିବେକ ଉପରେ ପଦାଘାତ, ଶୋଷିତ, ନିର୍ଯାତିତ, ଅତ୍ୟାଚାରୀତ, ଅବହେଳିତ ହେବା ସେମାନଙ୍କର ଚିରସ୍ଥିତି ହୋଇ ରହିଛି।
ପ୍ରଗତିଶୀଳ ଗୋଷ୍ଠୀ ପ୍ରତିକ୍ରିୟାଶୀଳ ଗୋଷ୍ଠୀ ବିରୋଧରେ ପ୍ରବଳ ଆନ୍ଦୋଳନ ଚଳାଇଛନ୍ତି। ପ୍ରତିକ୍ରିୟାଶୀଳ ଗୋଷ୍ଠୀଙ୍କ ଦମନ ଅତ୍ୟାଚାର ମଧ୍ୟଯୁଗୀୟ ଅତ୍ୟାଚାରଠାରୁ ବଳିଯାଇଛି। ବାରମ୍ବାର ରାଜନୈତିକ ଅସ୍ଥିରତା ଲାଗିରହିବାରୁ ମୌଳବାଦୀ ଶକ୍ତିମାନେ ଧର୍ମକୁ ଆଖିଠାର ମାରି କ୍ଷମତା ଦଖଲ ପାଇଁ ବାରମ୍ବାର ଲାଳାୟିତ ହୋଇଛନ୍ତି। ଅଳ୍ପ ସମୟ ପାଇଁ କ୍ଷମତା ଅଂଶୀଦାର ହୋଇ ଗଣତନ୍ତ୍ରକୁ କବର ଦେଇଛନ୍ତି।
ଦାରିଦ୍ର୍ୟ ଓ ଅସ୍ଥିରତାର ସୁଯୋଗ ନେଇ ସାମ୍ରାଜ୍ୟବାଦୀ ପୁଂଜିବାଦୀ ଦେଶମାନଙ୍କର ପ୍ରଭାବ ବଂଗଳାଦେଶ ଉପରେ ବୃଦ୍ଧି ପାଇଛି।
ଶିକ୍ଷା ସଂପୂର୍ଣ୍ଣ ବିର୍ପଯ୍ୟସ୍ତ ହୋଇଛି। ସାମରିକ ସେନାପତିମାନେ ବାରମ୍ବାର କ୍ଷମତାର ସ୍ୱାଦ ଚାଖିବାକୁ ହତ୍ୟାକାଣ୍ଡର ଆଶ୍ରୟ ନେଇଛନ୍ତି। ସମଗ୍ର ବାଂଲାର ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ବାରମ୍ବାର ରାଜନୈତିକ ବିପର୍ଯ୍ୟୟ, ଅର୍ଥନୈତିକ ପତନ, ସାମାଜିକ ଅବ୍ୟବସ୍ଥା, ସାଂସ୍କୃତିକ ଅବକ୍ଷୟ ବଢ଼ିଚାଲିଛି, ତା ସତ୍ୱେ ମଧ୍ୟ ଅନ୍ଧାରୀ ଅଧ୍ୟାୟକୁ ଶାଣିତ ସ୍ମୃତିର ସ୍ୱରଲିପିରେ ଯୁବଛାତ୍ର ସମାଜ ପୋଛି ଦେବାକୁ ବଦ୍ଧପରିକର। ଧର୍ମନିରପେକ୍ଷ ଗଣତନ୍ତ୍ର ବାଂଲାଦେଶ ବୋଲି ଯେତେ କଣ୍ଠ ଫଟାଇ ନେତାମାନେ ଗର୍ଜୁଛନ୍ତି ସେତେ ବିରୁଦ୍ଧାଚରଣ କରୁଛନ୍ତି। ଜନଗଣ ବିଶେଷକରି ଶିକ୍ଷିତ ସଂପ୍ରଦାୟ ଯୁବସମାଜ ମଧ୍ୟରେ ନୀତିଆଦର୍ଶ କର୍ମ ପ୍ରଗତିଶୀଳ ହେଲେ ପ୍ରଚଳିତ ବ୍ୟବସ୍ଥାର ପରିବର୍ତ୍ତନ ହେଲେ ଲୋକେ ସୁଖଦାୟୀ ମୈତ୍ରୀ, ସାମ୍ୟ କ’ଣ ଅନୁଭବ କରିବେ। ୫୦ ବର୍ଷ ଗୋଟିଏ ଦେଶ ପକ୍ଷେ କିଛି ନୁହେଁ। ଭୂଲଭ୍ରାନ୍ତିକୁ ସଂଶୋଧନ କରି ବାଂଲାଦେଶ ଏକବିଂଶ ଶତାଦ୍ଦୀର ପ୍ରଗତିଶୀଳ ଦେଶ ଭାବେ ବିଶ୍ୱରେ ପ୍ରତିପାଦିତ ହେଉ। ଜୟ ବାଂଲା।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩