ଡ. ରୀନା ରାଉତରାୟ
ଧୀରେ ଧୀରେ ବୟସ୍କ ହେଉଛି ଭୁବନେଶ୍ୱର।
କଥାଟା ଏଥିପାଇଁ ମନକୁ ଆନ୍ଦୋଳିତ କଲା ଯେ କିଛି ଦିନ ହେଲା ମୁଁ ଲକ୍ଷ୍ୟ କରୁଥିଲି ଯେ ଆମେ ରହୁଥିବା ଅଞ୍ଚଳରେ ପ୍ରାୟତଃ ଘରେ ପିଲାମାନେ କର୍ମ ସଂସ୍ଥାନ ପାଇଁ ବାହାରେ ରହୁଛନ୍ତି ଏବଂ ବୃଦ୍ଧ ପିତାମାତା ଏକୁଟିଆ ଘରେ ରହୁଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଏକ ସକାରାତ୍ମକ ଜୀବନ ଶୈଳୀକୁ ଆପଣେଇ ସୁସ୍ଥ ଅଛନ୍ତି, ଆଉ କିଛି ବାର୍ଦ୍ଧକ୍ୟ ଜନିତ ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟାରେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଜର୍ଜରିତ ଅବସ୍ଥାରେ କାଳାତିପାତ କରୁଛନ୍ତି। ଯାହା ଏକ ଗମ୍ଭୀର ସମସ୍ୟାର ରୂପ ନେବାକୁ ବସିଲାଣି।
ଏପରିକି ଘରେ ଏକୁଟିଆ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ସମ୍ପର୍କରେ ପାଖ ପଡ଼ୋଶୀ ସୁଦ୍ଧା ଜାଣି ପାରୁ ନାହାନ୍ତି। ମୃତଦେହ ପଚି ଗନ୍ଧ ହେଲେ ଖବର ମିଳୁଛି। ବେଳେବେଳେ ଏମିତି ଘଟଣା ମାନ ଦେଖିବାକୁ ମିଳିଲାଣି ।
୨୦୧୧ ମସିହାରେ, ଓଡ଼ିଶାର ମୋଟ ଜନସଂଖ୍ୟାର ୯.୫% ବୟସ୍କ (୬୦ ବର୍ଷ ଓ ଉର୍ଦ୍ଧ୍ୱ) ଥିଲେ। ଏହି ଅନୁପାତ ୨୦୨୪ ମସିହାରେ ପ୍ରାୟ ୧୩% ପହଞ୍ଚିଛି ବୋଲି ଆକଳନ କରାଯାଉଛି।
୨୦୨୪ ମସିହାରେ ଭୁବନେଶ୍ୱର ମହାନଗର ଅଞ୍ଚଳର ଆନୁମାନିକ ଜନସଂଖ୍ୟା ପ୍ରାୟ ୧୨,୫୭,୦୦୦ ଥିଲା। ଏହି ତଥ୍ୟ ଆଧାରରେ, ଯଦି ଭୁବନେଶ୍ୱରରେ ବୟସ୍କ ଜନସଂଖ୍ୟା ରାଜ୍ୟ ଅନୁପାତ ସମାନ ଥାଏ (ପ୍ରାୟ ୧୩%), ତେବେ ଭୁବନେଶ୍ୱରର ବୃଦ୍ଧ ନାଗରିକଙ୍କ ସଂଖ୍ୟା ପ୍ରାୟ ୧,୬୩,୪୨୩ ହେବ ବୋଲି ଅନୁମାନ କରାଯାଏ। କେବଳ ଭୁବନେଶ୍ୱର ନୁହେଁ, ଅନେକ ସହର ଓ ଗ୍ରାମରେ ମଧ୍ୟ ଏହିପରି ସଙ୍କଟ ଦେଖା ଗଲାଣି।
ଏହାର କିଛି ମୁଖ୍ୟ କାରଣ ହେଉଛି-
୧. ସହରୀକରଣର ପ୍ରକ୍ରିୟାରେ ଏହି ଛୋଟ ସ୍ଥାନରୁ ବଡ଼ ସହରକୁ ଯିବା ଏକ ସାଧାରଣ ପ୍ରବୃତ୍ତି (general trend) ହୋଇଯାଇଛି।
୨. ଉଚ୍ଚ ଦରମାର ଚାକିରୀ ଓ ଉନ୍ନତ ମାନର ଶିକ୍ଷା ସୁଯୋଗ ନେବା ପାଇଁ ଯୁବପିଢ଼ି ବିଦେଶ କିମ୍ବା ଅନ୍ୟ ରାଜ୍ୟକୁ ଯିବା ପାଇଁ ପସନ୍ଦ କରୁଛନ୍ତି।
୩. ପରିବାର ଗଠନର ରୂପ ବଦଳଛି। ଯୌଥ ପରିବାରରୁ ଏକାନବର୍ତ୍ତୀ ପରିବାର ଓ ଏବେ ଜେନେରେସନ ପିଢ଼ି ଭିତ୍ତିକ ଫ୍ୟାମିଲୀ ହେଉଛି। ବୁଢ଼ାବୁଢ଼ୀ ଘରେ ରହୁଛନ୍ତି, ଯୁବବର୍ଗ ଅନ୍ୟ ସ୍ଥାନରେ।
ଏହି ପରିସ୍ଥିତିରେ ବୃଦ୍ଧ ଲୋକମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ଯତ୍ନ ପ୍ରଧାନ ଚିନ୍ତାର ବିଷୟ ହୋଇଯାଇଛି। ସେଥିପାଇଁ କିଛି ବିଶେଷ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛି।
ଯେପରି ଶାରୀରିକ ସୁରକ୍ଷା ପାଇଁ ପ୍ରତ୍ୟେକ ଘରେ ସିସିଟିଭି, ଡୋର ଅଲାର୍ମ ଓ ସେନ୍ସର୍ ଯନ୍ତ୍ର ଇତ୍ୟାଦି ଲାଗାଇବା ଦ୍ୱାରା ସେମାନଙ୍କୁ ଅପରାଧଠାରୁ ସୁରକ୍ଷା ଦିଆଯାଇପାରିବ।
ସ୍ଥାନୀୟ ପଡ଼ୋଶୀ ଓ ସଂଗଠନମାନଙ୍କ ପକ୍ଷରୁ ନିୟମିତ ଭ୍ରମଣ ଓ ଖବର ନେବା ଉଦ୍ୟମ ଚାଲୁ ରଖିବା ଦରକାର।
ବୃଦ୍ଧବ୍ୟକ୍ତି ମାନେ ଆପତକାଳୀନ ସମୟରେ ଯାହାକୁ ଫୋନ କରିପାରିବେ, ଏମିତି ଏକ ନିଶ୍ଚିତ ହେଲ୍ପଲାଇନର ସୁବିଧା।
ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଘରେ ବସି ଡାକ୍ତରଙ୍କ ଦ୍ୱାରା ଯାଞ୍ଚ ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କ ସହଯୋଗ ଦରକାର।
ସ୍ଥାନୀୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ପକ୍ଷରୁ ବରିଷ୍ଠ ନାଗରିକଙ୍କ ଘରକୁ ଘର ବୁଲି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା।
ଟେଲିମେଡିସିନ ବ୍ୟବସ୍ଥା ଯୋଗେ ଦୂରରୁ ଡାକ୍ତର ସହ କଥା ହେବା ସୁବିଧା ଓ ପ୍ରଶିକ୍ଷଣ ଦିଆଯିବା ଉଚିତ।
ମେଡିକେଲ ଅଲାର୍ମ ବ୍ୟବସ୍ଥା ଦ୍ୱାରା ବିନା ଫୋନରେ ଡାକ୍ତର କିମ୍ବା ପରିବାର ଅନ୍ୟ ସଦସ୍ୟ ସୂଚିତ ହୋଇପାରିବେ।
ଏକ ସୁସ୍ଥ ଜୀବନ ଶୈଳୀକୁ ଆପଣେଇ ଅନେକ ବରିଷ୍ଠ ନାଗରିକମାନେ ପ୍ରାତଃ ଭ୍ରମଣରେ ଯାଉଛନ୍ତି। ଅନେକ ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଚାଲି ଚାଲି ନିକଟସ୍ଥ ବଜାରକୁ ଯାଆନ୍ତି। ଅପ୍ରତ୍ୟାଶିତ ସଡ଼କ ଦୁର୍ଘଟଣା ଜନିତ ବିପଦରୁ ରକ୍ଷା ପାଇଁ ପ୍ରତିବନ୍ଧକ ବିହୀନ ସୁରକ୍ଷିତ ଚଲାପଥ ସହିତ ନିୟମିତ ବ୍ୟବଧାନରେ ଗଛ ମୂଳ ମାନଙ୍କରେ ବସିବା ପାଇଁ ବେଞ୍ଚ ଓ ପାନୀୟ ଜଳର ସୁବିଧା ରହିବା ଉଚିତ।
ବୁଲା କୁକୁରଙ୍କ ପ୍ରାଦୁର୍ଭାବକୁ ଡରି ଅନେକ ରାସ୍ତାରେ ଚାଲିବାକୁ ମଧ୍ୟ ଭୟ କରନ୍ତି। ତାହାର ମଧ୍ୟ ପ୍ରତିକାର ନିତ୍ୟାନ୍ତ ଆବଶ୍ୟକ ଅଟେ।
ଏଥିସହିତ ସେମାନଙ୍କୁ ମାନସିକ ଓ ସାମାଜିକ ସମର୍ଥନର ନିତ୍ୟାନ୍ତ ଆବଶ୍ୟକତା ରହିଛି।
ଏକ ସ୍ଵୟଂ ସମ୍ପୂର୍ଣ୍ଣ କ୍ଲବ୍, ଯୋଗ ଶିବିର ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରଖିବା ଦରକାର। ବିଦେଶରେ ଥିବା ପିଲାମାନେ ନିୟମିତ ଭିଡିଓ କଲ୍ ଓ ସମ୍ପର୍କରେ ରହିବା ପାଇଁ ନିଷ୍ଠାପର ଉଦ୍ୟମ କରିବା ଉଚିତ।
ବାର୍ଦ୍ଧକ୍ୟ ଭତ୍ତା, ଅବସର କାଳୀନ ଭତ୍ତା ଓ ସରକାରୀ ସହଯୋଗ ଯୋଜନା ସମ୍ପର୍କରେ ସଚେତନତା, ପ୍ରଶିକ୍ଷଣ ଓ ଏହାର ଉପଯୋଗ ସମ୍ପର୍କରେ ଅବଗତ କରାଇବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେବା ଜରୁରୀ।
ୱାର୍ଡ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ‘ବରିଷ୍ଠ ନାଗରିକ ସୁରକ୍ଷା ଟାସ୍କ ଫୋର୍ସ' ଗଠନ କରି ବୟସ୍କ ବ୍ୟକ୍ତିମାନଙ୍କ ବହୁବିଧ ସମସ୍ୟାର ତଦନ୍ତ ଓ ସମାଧାନର ଉପାୟ ଗ୍ରହଣ କରି ସେମାନଙ୍କୁ ନିୟମିତ ସେବା ଯୋଗାଇ ଦେବା ଏକାନ୍ତ ଜରୁରୀ ହୋଇ ପଡ଼ିଛି।
ସ୍କୁଲ୍, କଲେଜ ଓ କ୍ଲବ୍ ମାନେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ବରିଷ୍ଠ ବ୍ୟକ୍ତିମାନଙ୍କ ଅଭିଜ୍ଞତାରୁ ଶିକ୍ଷା ଲାଭ କରିବା ସହିତ ସେମାନଙ୍କ ଏକ ସମ୍ମାନଜନକ ପରିବେଶ ସୃଷ୍ଟି କରାଯାଇ ପାରିବ।
ଏଥି ସହିତ ସ୍ଥାନୀୟ ଯୁବ ବର୍ଗ ମାନଙ୍କୁ ରୋଜଗାରର ସୁଯୋଗ ସୃଷ୍ଟି କରିବା ପାଇଁ ଶିଳ୍ପ ପ୍ରତିଷ୍ଠାନ ବା ଶିଳ୍ପୋଦ୍ୟୋଗୀ ସୃଷ୍ଟି କରିବା ପାଇଁ ସୁଯୋଗ ସୃଷ୍ଟି କରିବା ବା ଶିଳ୍ପ ପ୍ରତିଷ୍ଠାନରେ ସ୍ଥାନୀୟ ଯୁବକ ଓ ଯୁବତୀମାନଙ୍କ ପାଇଁ ଚାକିରୀରେ ଅଗ୍ରାଧିକାର ଦିଆଯିବା ଇତ୍ୟାଦି ପରି ଆକର୍ଷଣୀୟ ସୁବିଧା ସୁଯୋଗ ଓ ପ୍ରୋତ୍ସାହନ ଦିଆଗଲେ ହୁଏ ତ ନିଜ ଜନ୍ମଭୂମି ବା ପରିବାର ଲୋକଙ୍କ ସହ ଶାନ୍ତିପୂର୍ଣ୍ଣ ଭାବେ ବସବାସ କରିବାର ଆଗ୍ରହ ସୃଷ୍ଟି ହୋଇ ପାରିବ।
ଏହି ପରି ମନୋବୃତ୍ତି ସୃଷ୍ଟି କରିବାରେ ପିତାମାତା ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ।
ଏହି ଗମ୍ଭୀର ପରିସ୍ଥିତିକୁ ବଦଳାଇବା ପାଇଁ ସରକାରଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ନିଯୁକ୍ତି ସୃଷ୍ଟି, ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଓ ଗ୍ରାମାଞ୍ଚଳମାନଙ୍କରେ ବ୍ୟବସାୟ କରିବାକୁ ଅର୍ଥିକ ସାହାଯ୍ୟ ଓ ସହଯୋଗ ଯୁବବର୍ଗଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିବ।
ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତିକରଣ ଯେତିକି ଗୁରୁତ୍ୱପୂର୍ଣ୍ଣ, ସେହିପରି ଇଣ୍ଟରନେଟ୍, ରାସ୍ତା, ବିଦ୍ୟୁତ୍ ଓ ସମ୍ପ୍ରସାରଣ ବ୍ୟବସ୍ଥା ମଧ୍ୟ ସେତିକି ଅତ୍ୟାବଶ୍ୟକ ଅଟେ।
ସର୍ବୋପରି ସରକାରୀ ସ୍ତରରେ ତାଲିକାଭୁକ୍ତ ବୃଦ୍ଧ ପିତାମାତାଙ୍କ ପାଇଁ ଏମିତି କିଛି ଯୋଜନା ଆସିପାରନ୍ତା, ଯେପରି କି ପିତାମାତାଙ୍କ ସହ ବାସ କରୁଥିବା ପିଲାମାନଙ୍କୁ କିଛି ଟ୍ୟାକ୍ସ ରିବେଟ୍ ବା ଘର ନିର୍ମାଣ ନିମିତ୍ତେ ବ୍ୟାଙ୍କ ଋଣରେ ରିହାତି ଇତ୍ୟାଦି।
ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ପାରିବାରିକ ମୂଲ୍ୟବୋଧ, ବରିଷ୍ଠ ସଦସ୍ୟଙ୍କ ପ୍ରତି ସମ୍ମାନ, ଆମ ଯୌଥ ପରିବାର ପରମ୍ପରା ଓ ଆମ ସଂସ୍କୃତିର ସୁରକ୍ଷା ବିଷୟରେ ଯୁବପିଢ଼ିଙ୍କୁ ସଚେତନ କରାଇବା।
ସରକାରୀ ସ୍ତରରେ ଉପଯୁକ୍ତ ନୀତି ନିର୍ଦ୍ଧାରଣ କରାଯାଇ ପାରିଲେ ଯୁବ ପିଢ଼ି ତାଙ୍କର ମୂଳ ସଂସ୍କୃତି ସହ ବନ୍ଧି ରହିବା ସମ୍ଭବ ହୋଇ ପାରିବ। ଏହା ଆମର ପାରିବାରିକ ଓ ସାମାଜିକ ନୈତିକତାକୁ ଶକ୍ତିଶାଳୀ କରିବ ଓ ଏକ ସୁନ୍ଦର ଭବିଷ୍ୟତର ନିର୍ମାଣ ହୋଇ ପାରିବ।
ଆମ ଜନ୍ମଭୂମି କେବଳ ଏକ ସ୍ଥାନ ନୁହେଁ, ତାହା ହେଉଛି ଆମ ପରିଚୟ, ଆମ ଅସ୍ତିତ୍ୱ ଓ ସଂସ୍କୃତିର ମୂଳ ଅଂଶ।
ବୟୋବୃଦ୍ଧ ଲୋକମାନେ ଆମ ସମାଜର ଅନୁଭବ ଓ ଜ୍ଞାନର ଧାରକ। ସେମାନଙ୍କ ସୁରକ୍ଷା ଓ ମର୍ଯ୍ୟାଦା ସହ ଜୀବନ ଯାପନ ନିଶ୍ଚିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଏହି ବିଷୟରେ ସଚେତନତା ବୃଦ୍ଧି ଓ ଉଚିତ ପଦକ୍ଷେପ ଦ୍ୱାରା ଆମେ ଏକ ସୁନ୍ଦର ଓ ସୁରକ୍ଷିତ ଭବିଷ୍ୟତ ଗଠନ କରିପାରିବା। ଏହି ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧି କଲେ ଆମେ ଏକ ସୁନ୍ଦର ସମ୍ବେଦନଶୀଳ ଓ ସୁରକ୍ଷିତ ସମାଜ ଗଠନ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବା।
ଫୋ- ୯୪୩୮୨୭୨୧୫୨
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।