/odisha-reporter/media/media_files/2026/01/28/building-2026-01-28-16-37-59.jpg)
Is Only This Sign Of All Round Development? Photograph: (Internet)
ରବି ଦାସ
୨୦୨୬-୨୭ ପାଇଁ କେନ୍ଦ୍ରୀୟ ବଜେଟ୍ ଫେବୃଆରୀ ୧ରେ ଲୋକସଭାରେ ଉପସ୍ଥାପିତ ହେବ। ସେହିପରି ଓଡ଼ିଶା ବଜେଟ୍ ମଧ୍ୟ ଆସନ୍ତା ମାସରେ ବିଧାନସଭାରେ ଉପସ୍ଥାପିତ ହେବ। ବଜେଟ୍ରେ ମୁଖ୍ୟ ଭିତ୍ତିଭୂମି କ୍ଷେତ୍ରରେ କେତେ ବିନିଯୋଗ ହେବ, ଚାଷୀ ଓ ଗରିବ ଲୋକମାନଙ୍କ ପାଇଁ କି ପ୍ରକାର ବରାଦ ହେବ? ଶିକ୍ଷା, ସ୍ୱାସ୍ଥ୍ୟ ପରି ଗୁରୁତ୍ୱପୂର୍ଣ୍ଣ ସାମାଜିକ କ୍ଷେତ୍ରରେ କେନ୍ଦ୍ର ବଜେଟ୍ରେ କିଭଳି ଭାବେ ବ୍ୟୟବରାଦ କରାଯିବ ତାହା ବଜେଟ୍ ଉପସ୍ଥାପିତ ହେବା ସମୟରେ ଜଣାପଡ଼ିବ। କେନ୍ଦ୍ର ସରକାର ଶିଳ୍ପ, କୃଷି, ଓ ସେବା କ୍ଷେତ୍ରରେ କେତେ କାହା ପାଇଁ ସବ୍ସିଡ଼ି ବ୍ୟବସ୍ଥା କରୁଛନ୍ତି ଜଣାପଡ଼ିବ। କିନ୍ତୁ ମୋଟାମୋଟି ଭାବରେ ଏହା ସମସ୍ତେ ଜାଣନ୍ତି ଯେ, କେନ୍ଦ୍ରୀୟ ବଜେଟ୍ର ଆକାର ପ୍ରାୟ ୫୦ ଲକ୍ଷ କୋଟି ଟଙ୍କା ପାଖାପାଖି ହେବ। ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟରେ କାର୍ଯ୍ୟ କରାଯାଉଥିବା ବରାବର କୁହାଯାଉଛି। ଓଡ଼ିଶାରେ ମଧ୍ୟ ବଜେଟ୍ ଆକାର ପ୍ରାୟ ୩ ଲକ୍ଷ କୋଟି ଟଙ୍କାରେ ପହଂଚିଲାଣି। ସେଥିରେ ମଧ୍ୟ ଭିତ୍ତିଭୂମି କ୍ଷେତ୍ରରେ ବିନିଯୋଗ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ କଲ୍ୟାଣ ଏବଂ ଓଡ଼ିଶା ଭଳି ରାଜ୍ୟରେ ଆଦିବାସୀ, ଦଳିତମାନଙ୍କ ପାଇଁ ଅର୍ଥବରାଦ କଥା କୁହାଯିବ।
ଦୁଇଟିଯାକ ସରକାର ମହିଳା ସଶକ୍ତିକରଣକୁ ଗୁରୁତ୍ୱଦେଇ ପୂର୍ବରୁ ଥିବା ସ୍କିମ୍ ଓ ତାହାକୁ ସଂପ୍ରସାରଣ କରିବା ପାଇଁ ପ୍ରସ୍ତାବ ଦେବେ। ଦେଶରେ ବିକାଶ ମାନେ ମୋଟାମୋଟି ଭାବରେ ବଡ଼ ବଡ଼ ଅଟ୍ଟାଳିକା ବା ରାସ୍ତାଘାଟକୁ ବୁଝାଯାଉଛି। ଏହି ଦୁଇ କ୍ଷେତ୍ରରେ ଯାହାସବୁ ଚାଲିଛି ତାକୁ ଲକ୍ଷ୍ୟକଲେ ମନେହେବ ଦେଶ ଓ ରାଜ୍ୟ ବିକଶିତ ହେଉଛି। କେନ୍ଦ୍ର ସରକାର ଦେଶରେ ପୁଞ୍ଜି ବିନିଯୋଗକୁ ଗୁରୁତ୍ୱ ଦେଇ ଦେଶରେ କେତେ ପରିମାଣର ଦେଶୀୟ ଘରୋଇ ଓ ବିଦେଶୀ ପୁଞ୍ଜି ଦେଶକୁ ଆସୁଛି ତାହାର ତଥ୍ୟ ଦେଉଛନ୍ତି। ସେହିପରି ରାଜ୍ୟ ସରକାରଙ୍କର ବିଭିନ୍ନ ସ୍ଥାନରେ ମରାଯାଇଥିବା ହୋର୍ଡିଂଗୁଡ଼ିକୁ ଦେଖିଲେ ଓଡ଼ିଶାକୁ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କାର ବିନିଯୋଗ ଆସୁଥିବା ବିଶ୍ୱାସ କରିବେ।
ଯେଉଁମାନଙ୍କର ଏ ସଂକ୍ରାନ୍ତରେ ଧାରଣା ରହିଛି ସେମାନେ ଭଲ ଭାବରେ ଜାଣନ୍ତି ଯେ, ବୁଝାମଣା ପତ୍ର ସ୍ୱାକ୍ଷର ଅର୍ଥ ନୁହେଁ ସେହି ପରିମାଣର ବିନିଯୋଗ ଆସିଯିବ। ଅତୀତରେ ଓଡ଼ିଶାରେ ମିତ୍ତଲଠାରୁ ଆରମ୍ଭ କରି ପସ୍କୋ ପର୍ଯ୍ୟନ୍ତ ବହୁ ବିନିଯୋଗ ପତ୍ର କାର୍ଯ୍ୟକାରୀ ନହେବା ଜଣାଅଛି। ନିକଟରେ ଭାରତର ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପୁଞ୍ଜି ବିନିଯୋଗ ପାଇଁ ସୁଇଜର୍ଲ୍ୟାଣ୍ଡର ଡାଭୋସ୍କୁ ଯାଇ ଫେରିଆସି ୧୦ ଲକ୍ଷ କୋଟି ଟଙ୍କା ଠାରୁ ଆରମ୍ଭ କରି ୧୫ ଲକ୍ଷ କୋଟି ପର୍ଯ୍ୟନ୍ତ ବିନିଯୋଗ ପତ୍ର କଥା କହିଛନ୍ତି। କିନ୍ତୁ ଦେଖାଯାଉଛି, ଡାଭୋସ୍ରେ ଯେଉଁସବୁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ସେଗୁଡ଼ିକ ଭିତରୁ ଅଧିକାଂଶ ହେଉଛନ୍ତି ଭାରତୀୟ କମ୍ପାନୀ। ଏହି ଭାରତୀୟ କମ୍ପାନୀମାନଙ୍କ ସହିତ ବୁଝାମଣା କରିବା ପାଇଁ ଭାରତର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅଧିକାରୀମାନେ କାହିଁକି ଡାଭୋସ୍ ଯାଉଛନ୍ତି ବୁଝିବା ମୁସ୍କିଲ୍। ସରକାରୀ ଅର୍ଥର ବିପୁଳ ବ୍ୟୟ କରି ମଉଜ କରିବା ଉଦ୍ଦେଶ୍ୟରେ ଡାଭୋସ୍ ଯିବାର କୌଣସି କାରଣ ନାହିଁ।
ବାସ୍ତବ କଥା ହେଉଛି ଯେ, ବିଶ୍ୱ ଅର୍ଥନୀତିରେ ଭାରତର ପ୍ରଗତିହାର ଭଲ ଥିବା ସତ୍ତ୍ୱେ ବିଦେଶୀ କମ୍ପାନୀମାନେ ଭାରତରେ ବିନିଯୋଗ କରିବା ପାଇଁ ଆଗ୍ରହୀ ହେଉନାହାନ୍ତି। ଏହାର ମୁଖ୍ୟକାରଣ ଭାବେ କୁହାଯାଉଛି ଯେ, ଭାରତରେ ବାୟୁ ପ୍ରଦୂଷଣ ହାର ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିବାରୁ ବିଦେଶୀ କମ୍ପାନୀମାନେ ଭାରତରେ ବିନିଯୋଗ କରିବା ପାଇଁ ଅଧିକାରୀ ପଠାଇବାକୁ ଆଦୌ ଆଗ୍ରହୀ ନୁହଁନ୍ତି। ଏପରିକି ଭାରତରେ ଥିବା ବିଦେଶୀ ଦୂତାବାସର କର୍ମଚାରୀମାନେ ମଧ୍ୟ କେତେ ଶୀଘ୍ର ସେମାନଙ୍କୁ ଦିଲ୍ଲୀରୁ ଅନ୍ୟଦେଶକୁ ପଠାଇ ଦିଆଯିବ ସେଥିପାଇଁ ସେମାନଙ୍କ ବୈଦେଶିକ ମନ୍ତ୍ରଣାଳୟକୁ ବାରମ୍ବାର ଜଣାଉଛନ୍ତି। ଦେଶ ପ୍ରଗତି ହାସଲ କରୁଛି ଓ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହେଉଥିବା କୁହାଯାଉଥିଲେ ମଧ୍ୟ ଦେଶର ବାୟୁ ପ୍ରଦୂଷଣ ହାର ଏତେ ଖରାପ ରହିଛି ଯେ, କୌଣସି ବିଦେଶୀ ସହଜରେ ଭାରତ ଆସିବାକୁ ରାଜି ହେଉନାହାନ୍ତି। କେବଳ ବାୟୁ ନୁହେଁ ଦେଶରେ ପାନୀୟ ଜଳର ଅବସ୍ଥା ନେଇ ଯେଉଁ ଚିତ୍ର ଆସୁଛି ସେଥିରେ ଦେଶ ବିକଶିତ ହେଉଛି ବୋଲି କିଏ ବିଶ୍ୱାସ କରିବ? ବଡ଼ ବଡ଼ ଅଟ୍ଟାଳିକା ଜରିଆରେ ଦେଶ ବିକଶିତ ହେଲା ବୋଲି କହିବା ଭୁଲ୍ ହେବ।
ଭାରତର ବିକାଶର ଚିତ୍ର ଦେଖିବା ପାଇଁ ଯେଉଁସବୁ ତଥ୍ୟ ଦିଆଯାଉଛି ତାହାକୁ ବିଶ୍ୱର ଅନ୍ୟସ୍ଥାନରେ ଲୋକମାନେ ପୂରାପୂରି ବିଶ୍ୱାସ କରୁନାହାନ୍ତି। ନିକଟରେ ଦ୍ୱିତୀୟଥର ପାଇଁ ବିଶ୍ୱ ବ୍ୟାଙ୍କ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ପକ୍ଷରୁ ଭାରତର ଆର୍ଥିକ ତଥ୍ୟଗୁଡ଼ିକୁ ‘ସି’ ଗ୍ରେଡ୍ର ବୋଲି କହିଛି। ଅର୍ଥାତ୍ ବିଶ୍ୱର ସବୁଠାରୁ ବଡ଼ ଆର୍ଥିକ ସଂସ୍ଥା ଦେଶର ବିକାଶ ଜନିତ ତଥ୍ୟ ଉପରେ ବିଶ୍ୱାସ କରୁନାହାନ୍ତି। ଦେଶର ମୋଟ୍ ଜାତୀୟ ଉତ୍ପାଦନ ସଂଖ୍ୟା ଠିକ୍ ଆଧାର ଉପରେ ପର୍ଯ୍ୟବସିତ ନୁହେଁ ବୋଲି କୁହାଯାଉଛି। ତେଣୁ ଭାରତର ଆର୍ଥିକ ଅବସ୍ଥା ନେଇ ବିଶ୍ୱବାସୀଙ୍କ ଭିତରେ ଯଥେଷ୍ଟ ବିଶ୍ୱାସ ଆସୁନି।
ଏହାର କାରଣ ହେଉଛି ଦେଶରେ ବେକାରୀ ସଂଖ୍ୟା ଦୃତଗତିରେ ବଢ଼ିବାରେ ଲାଗିଛି। ସବୁଠାରୁ ବଡ଼ କଥା ଅକ୍ସଫୋର୍ଡ ଦ୍ୱାରା ହୋଇଥିବା ତଥ୍ୟ ଅନୁସାରେ ଭାରତର ଉପର ଭାଗରେ ଥିବା ମାତ୍ର ୧୦ ଭାଗ ଲୋକଙ୍କ ହାତରେ ଦେଶର ମୋଟ୍ ଆୟର ଶତକଡ଼ା ୫୮ ଭାଗ ରହିଛି। ସେହିପରି ସବୁଠାରୁ ଗରିବ ଅବସ୍ଥାରେ ଥିବା ୫୦ ଭାଗ ଲୋକମାନଙ୍କ ହାତରେ ଦେଶର ଆୟର ମାତ୍ର ୧୫ ଭାଗ ରହିଛି। ବେକାରୀ ସମସ୍ୟା ସହିତ ଏହି ତୀବ୍ର ଅସମାନତା ଯୋଗୁ ଗିଗ୍ ଶ୍ରମିକ ଭାବରେ ପ୍ରାୟ ୧ କୋଟି ଲୋକ କାମ କରୁଛନ୍ତି। ସେମାନଙ୍କ ପାଇଁ କୌଣସି ନିରାପତ୍ତା ବ୍ୟବସ୍ଥା ନାହିଁ। ୧୦ ମିନିଟ୍ ଭିତରେ ଦ୍ରବ୍ୟ ପହଂଚାଇ ଦେବା ପାଇଁ ମ୍ୟାନେଜ୍ମେଂଟ ବାଧ୍ୟ କରୁଛି। ଯଦିଓ କେନ୍ଦ୍ର ସରକାର ଏଥିରେ ଏବେ ହସ୍ତକ୍ଷେପ କରିଛନ୍ତି, କିନ୍ତୁ ଭିଡ଼ ଟ୍ରାଫିକ୍ରେ ସେମାନଙ୍କର ଜୀବନ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କିପରି ଅତିବାହିତ ହେଉଛି ତାହା ପ୍ରତ୍ୟେକ ଲୋକ ଦେଖିପାରୁଛନ୍ତି। କାରଣ ଏହି ଯୁବକଯୁବତୀଙ୍କ ପାଇଁ ଅନ୍ୟକୌଣସି ଧନ୍ଦା ନାହିଁ। ଏହି ଲକ୍ଷ ଲକ୍ଷ ଯୁବକଯୁବତୀ ଯେଉଁମାନଙ୍କର ପାଇଁ ନିଯୁକ୍ତି ନିହାତି ଆବଶ୍ୟକ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବାସ୍ତବରେ କିଛି କରାଗଲା ନାହିଁ।
ପ୍ରଧାନମନ୍ତ୍ରୀ ଦକ୍ଷତା କୌଶଳ ଯୋଜନାରେ ହଜାର ହଜାର କୋଟି ଟଙ୍କା ଦକ୍ଷତା ଟ୍ରେନିଂ ପାଇଁ ଖର୍ଚ୍ଚ ହୋଇଥିଲେ ମଧ୍ୟ ସେହିସବୁ ଅର୍ଥ କିପରି ବର୍ବାଦ ହୋଇଯାଇଛି ତାହାର ଜ୍ୱଳନ୍ତ ପ୍ରମାଣ ସିଏଜି ବା ମହାଲେଖାଗାର ପକ୍ଷରୁ ହୋଇଥିବା ଅଡିଟ୍ରେ ପୂରାପୂରି ଦର୍ଶାଯାଇଛି। ବାସ୍ତବରେ ଅବସ୍ଥା ଏପରି ହୋଇଛି ଯେ, ବେକାର ଯୁବକଯୁବତୀମାନେ ଯେକୌଣସି ସର୍ତ୍ତରେ ମଧ୍ୟ କେବଳ ଧନ୍ଦା ପାଇବା ପାଇଁ କାମ କରିବାକୁ ରାଜି ହୋଇଯାଉଛନ୍ତି। ବଜେଟ୍ରେ ଏହି କ୍ଷେତ୍ର ପ୍ରତି ଦୃଷ୍ଟିଭଙ୍ଗୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହିପରି ଦେଶରେ ତୀବ୍ର ଆର୍ଥିକ ଅସମାନତାର ଆହ୍ୱାନକୁ ବଜେଟ୍ରେ କେଉଁ ଦୃଷ୍ଟିରେ ନିଆଯାଉଛି? ବିଶୁଦ୍ଧ ବା ନିର୍ମଳ ବାୟୁ ଓ ବିଶୁଦ୍ଧ ପାନୀୟ ଜଳ ଦେଶର ସବୁ ଲୋକଙ୍କର ଏକ ମୌଳିକ ଅଧିକାର। ଆମର ବିକାଶ ଢାଂଚାରେ ଏହି ଦୁଇ ଦିଗପ୍ରତି ଆଦୌ ଧ୍ୟାନ ଦିଆଯାଇନଥିବାରୁ ପରିସ୍ଥିତି ଭୟାନକ ହୋଇଛି।
ଓଡ଼ିଶା ବଜେଟ୍ ଆସନ୍ତା ମାସରେ ଉପସ୍ଥାପିତ ହେବ। ଓଡ଼ିଶା ପରି ଖଣିଜ ଓ ପ୍ରାକୃତିକ ସମ୍ପଦରେ ଭରପୂର ରାଜ୍ୟରେ ବିକାଶ ନାମରେ ମୂଲ୍ୟବାନ ଖଣିଜ ପଦାର୍ଥ ଏପରିକି ବାଲି ପଥର ପ୍ରଭୃତି ମନଇଚ୍ଛା ବ୍ୟାପକ ଭାବରେ ଚାଲାଣ କରାଯାଉଛି। ରାଜ୍ୟ ଭିତରେ କେଉଁ ଖଣିଜ କେଉଁ କ୍ଷେତ୍ରରେ କେତେ ବିନିଯୋଗ କରାଯାଉଛି ତାହାର ହିସାବ ଦିଆଯାଉଛି। ଧରିନିଆଯାଇଛି ଯେ, ଖଣିଜ ଭିତ୍ତିକ ଶିଳ୍ପ ଜରିଆରେ ରାଜ୍ୟର ବିକାଶ ଘଟିବ ଓ ଲୋକମାନେ ନିଯୁକ୍ତି ପାଇବେ ଓ ଦାଦନମୁକ୍ତ ଓଡ଼ିଶା ଗଠନ ସମ୍ଭବ ହେବ। ହେଲେ ଜଙ୍ଗଲ ଓ ପାହାଡ଼ଘେରା ରାଜ୍ୟ ଯାହାର ବିସ୍ତୃତ ବେଳାଭୂମି ରହିଛି ସେଠାରେ ପ୍ରଦୂଷିତ ବାୟୁମଣ୍ଡଳ ସହିତ ବିଶୁଦ୍ଧ ପାନୀୟ ଜଳ ସବୁ ଲୋକଙ୍କୁ ଉପଲବ୍ଧ ନହେବା ରାଜ୍ୟ ପାଇଁ ଏକ ବିପଦ ଭାବରେ ଦେଖାଦେଇଛି।
ବ୍ୟାପକ କୋଇଲା ଖନନ ଓ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଓ ଶିଳ୍ପ କାରଖାନା ଯୋଗୁ ଓଡ଼ିଶାର ବାୟୁମଣ୍ଡଳ କ୍ଷୀପ୍ରଗତିରେ ଦୂଷିତ ହେବାରେ ଲାଗିଛି। ଯେଉଁ ରାଜ୍ୟରେ ପାହାଡ଼ ଜଙ୍ଗଲ ଯୋଗୁ ଝରଣା ଭରପୂର ଥିଲା ଓ ଭୂତଳ ଜଳର ପରିମାଣ ସାରାଦେଶରେ ଅଧିକ ଥିଲା ସେହି ରାଜ୍ୟରେ ଲୋକମାନେ ବିଶୁଦ୍ଧ ପାନୀୟ ଜଳ ପାଇପାରୁନାହାନ୍ତି। ପ୍ରଦୂଷିତ ବାୟୁମଣ୍ଡଳ ଓ ପାନୀୟ ଜଳ ଯୋଗୁ ରାଜ୍ୟରେ ଲୋକମାନେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି। ଲୋକମାନଙ୍କର ଏହି ମୌଳିକ ଆବଶ୍ୟକତା ପୂରଣ ଦିଗରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତାହାର ସୂଚନା ହୁଏତ ବଜେଟ୍ ଅଧିବେଶନ କାଳରେ ମିଳିପାରିବ।
କିନ୍ତୁ ତାହାଠାରୁ ସାଂଘାତିକ କଥା ହେଉଛି ଯେ, ରାଜ୍ୟରେ ମୂଲ୍ୟବାନ୍ ଖଣିଜ ସମ୍ପଦ ଏପରିକି ବାଲି ଓ ପଥରକୁ ନେଇ ରାଜ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କାର କଳାଧନ ସୃଷ୍ଟି ହେବାରେ ଲାଗିଛି। ସେହିପରି ରାଜ୍ୟ ସରକାରଙ୍କର ବଜେଟ୍ ବ୍ୟୟ ବଢ଼ିବା ସହିତ ସରକାରୀ ଅଧିକାରୀମାନଙ୍କର ଭ୍ରଷ୍ଟାଚାର ବି ବଢ଼ିବାରେ ଲାଗିଛି। ଭିଜିଲାନ୍ସ ଜରିଆରେ ଜଣେ ଜଣେ ଭ୍ରଷ୍ଟାଚାରୀଙ୍କୁ ଧରାଯାଉଥିଲେ ମଧ୍ୟ ପ୍ରାୟ ୯୯ ଭାଗ ଭ୍ରଷ୍ଟାଚାରୀ ଧରାହେବା ପାଇଁ ବା ସେମାନଙ୍କ ଉପରେ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏହି ଅଧିକାରୀଙ୍କ ହାତରେ ମଧ୍ୟ ବିପୁଳ ପରିମାଣରେ କଳାଧନ ରହୁଥିବାରୁ ଓଡ଼ିଶାର ସହରାଂଚଳମାନଙ୍କରେ ଜମି ମୂଲ୍ୟ ସହିତ ରିଅଲ ଇଷ୍ଟେଟ୍ କାରବାର ବ୍ୟାପକ ଭାବରେ ବୃଦ୍ଧି ପାଇଛି। କୁହାଯାଉଛି ରାଜଧାନୀ ଭୁବନେଶ୍ୱର ଓ ରାଜ୍ୟର ଅନ୍ୟ କେତେକ ସହରରେ ମାସିକ ୫୦ ହଜାର ଟଙ୍କା ଯାଏଁ ଆୟ କରୁଥିବା କୌଣସି ବ୍ୟକ୍ତି କଦାପି ଘରଟିଏ କରିପାରିବେ ନାହିଁ। ଭୁବନେଶ୍ୱରେ ଘରର ମୂଲ୍ୟ ଭାରତର ଅଧିକାଂଶ ବଡ଼ ବଡ଼ ସହରର ଘର ମୂଲ୍ୟଠାରୁ ବହୁତ ଅଧିକ। ଏହା କିପରି ସମ୍ଭବ ହେଉଛି? ବ୍ୟାପକ କଳାଧନ ଏହି ରିଅଲ୍ଇଷ୍ଟେଟ୍ ବଜାରକୁ ବଢ଼ାଇ ଚାଲିଛି। କିନ୍ତୁ ଏଥିରେ ସାଧାରଣ ଗରିବ ଲୋକଟିଏ ଏପରିକି ଯିଏ ବି ମାସକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛି ଓ ତାହା ନିକଟରେ କଳାଧନ ପାଇଁ ସୁଯୋଗ ନାହିଁ ସେ କଦାପି ଭୁବନେଶ୍ୱର ବା ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସହରରେ ଘରଟିଏ କରିପାରିବ ନାହିଁ।
ରାଜ୍ୟରେ ଆର୍ଥିକ ଅସମାନତାର ଚିତ୍ର ଭୟଙ୍କର ରୂପ ଧାରଣ କରିଛି। ରାଜ୍ୟ ସରକାର ରାଜଧାନୀ ସମେତ ଓଡ଼ିଶାର ପ୍ରମୁଖ ସହରରେ ଜମି ଓ ଘର ମୂଲ୍ୟ ଉପରେ ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ନେଇପାରୁନାହାନ୍ତି। ଘର, ବାୟୁ ଓ ଜଳ ସବୁକ୍ଷେତ୍ରରେ ଲୋକମାନେ ସଙ୍କଟରେ ଥିଲାବେଳେ ରାଜ୍ୟ ବିକଶିତ ହେଉଛି ବୋଲି କିଏ ବିଶ୍ୱାସ କରିବ? ଦେଶରେ ଯେପରି କୌଣସି ଗୋଟିଏ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରୀୟ ୫୦୦ ବିଶ୍ୱବିଦ୍ୟାଳୟ ଭିତରେ ନାହାନ୍ତି ଠିକ୍ ସେହିପରି ଓଡ଼ିଶାର କୌଣସି ସରକାରୀ ମହାବିଦ୍ୟାଳୟ ଜାତୀୟ ସ୍ତରରେ ସ୍ଥାନିତ ହୋଇପାରୁନାହାନ୍ତି। ଏହିପରି ଅବସ୍ଥାକୁ କେତେ ଲକ୍ଷ କୋଟି ଟଙ୍କାର ବୁଝାମଣା ପତ୍ର ହାସଲ ହେଲା ତାହାକୁ ନେଇ ବିକାଶର ଚିତ୍ର ଦେବା ଆଦୌ ଠିକ୍ ନୁହେଁ।
ଫୋ- ୯୪୩୭୪୦୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
