ବିଜେଡ଼ି ପାଇଁ ସଂକୁଚିତ ହୋଇଯାଇଛି ରାସ୍ତା

ବାସ୍ତବରେ ବିଜେଡ଼ି ପାଇଁ ରାଜନୈତିକ ଦୃଷ୍ଟିରୁ ରାସ୍ତା ଓ ପରିବେଶ ବହୁ ପରିମାଣରେ ସଂକୁଚିତ ହୋଇଯାଇଛି। ନବୀନଙ୍କ ହାତରେ ଏବେ କ୍ଷମତା ନାହିଁ। ତେଣୁ ଦଳ ଭିତରେ ଆଦର୍ଶଗତ ଦ୍ୱନ୍ଦ୍ୱ ଓ ବିବାଦକୁ ସେ କେତେଦୂର ସମ୍ଭାଳି ପାରିବେ?

Naveen With Pandian

Naveen With Pandian

Debendra Prusty
  • Published: Tuesday, 15 April 2025
  • , Updated: 15 April 2025, 04:49 PM IST

ରବି ଦାସ

ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଧରି ଶାସନ କରିଥିବା ବିଜେଡ଼ି କ୍ଷମତାଚ୍ୟୁତ ହେଲା ପରେ ଦଳର ଅସଲ ଚରିତ୍ର ଓ ରାଜନୈତିକ ନୀତିଶୂନ୍ୟତା ଧୀରେ ଧୀରେ ପରିଷ୍କାର ହେବାରେ ଲାଗିଛି। ୨୭ ବର୍ଷ ତଳେ ଗଠିତ ହୋଇଥିବା ବିଜେଡ଼ିର ନେତା ନବୀନ ପଟ୍ଟନାୟକ କ୍ରମାଗତ ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିଣି ନବୀନ ପଟ୍ଟନାୟକ ଦେଶର ରାଜନୈତିକ ମାନଚିତ୍ରରେ ଜଣେ ଦକ୍ଷ ଓ ପ୍ରଭାବଶାଳୀ ନେତାର ମର୍ଯ୍ୟାଦା ହାସଲ କରିଥିଲେ। ଯଦି ସିକ୍କିମ୍ କଥାକୁ ଛାଡ଼ି ଦିଆଯାଏ ତେବେ ସ୍ୱାଧୀନ ଭାରତରେ କ୍ରମାଗତ ଭାବରେ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବାରେ ପ୍ରଭାବଶାଳୀ କମ୍ୟୁନିଷ୍ଟ ନେତା ଜ୍ୟୋତି ବସୁଙ୍କର ରେକର୍ଡକୁ ଭାଙ୍ଗି ୨୪ ବର୍ଷ କାଳ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ଭାବରେ ଏକ ସାଧାରଣ ଉପଲବ୍ଧି ନୁହେଁ। ଜ୍ୟୋତି ବସୁ ବାମପନ୍ଥୀ ସାମ୍ମୁଖ୍ୟର ନେତା ଭାବରେ ଓ ବିଶେଷ ଭାବରେ ସିପିଏମ୍‌ର ନେତା ଭାବରେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ଆସନରେ ଥିଲେ। ସେ ମୁଖ୍ୟମନ୍ତ୍ରୀ ଆସନରୁ ଗଲା ପରେ ମଧ୍ୟ ବାମପନ୍ଥୀ ସାମ୍ମୁଖ୍ୟ ଆହୁରି ୭ ବର୍ଷରୁ ଉର୍ଦ୍ଧ୍ୱ ଶାସନ କରିଥିଲା। କିନ୍ତୁ ନବୀନ ପଟ୍ଟାନାୟକ ଉପଲବ୍ଧିକୁ ସମସ୍ତେ ତାଙ୍କର ବ୍ୟକ୍ତିଗତ ସଫଳତା ଭାବରେ ଧରି ନେଇଥିଲେ।

ସେହି ଦୃଷ୍ଟିରୁ ଓଡ଼ିଶାରେ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ରାଜନୀତିକୁ ଆସିଥିବା ନବୀନ ପଟ୍ଟନାୟକଙ୍କର କୌଣସି ରାଜନୈତିକ ଅଭିଜ୍ଞତା ନଥିବା ସତ୍ତ୍ୱେ ବିଜୁ ଜନତା ଦଳର ନେତା ଭାବରେ କ୍ରମାଗତ ନିର୍ବାଚନ ଜିଣିବା ଦ୍ୱାରା ବିଚାର କରାଯାଇଥିଲା ଯେ, ରାଜନୈତିକ ଦୃଷ୍ଟିରୁ ନବୀନ ସମ୍ଭବତଃ ଦେଶରେ ସବୁଠାରୁ ବଡ଼ ରାଜନୈତିକ ବ୍ୟକ୍ତିତ୍ୱ। ଏଭଳି ବିଚାର କରୁଥିବା ଲୋକମାନେ ବୁଝି ନାହାନ୍ତି ଯେ, ଓଡ଼ିଶାରେ କଂଗ୍ରେସ ସରକାରର ଲୋକପ୍ରିୟତା ଦ୍ରୁତଗତିରେ ହ୍ରାସ ପାଉଥିବା ସମୟରେ ଏବଂ ଜାତୀୟ ରାଜନୀତିରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ବିଜେପି ଏକ ଶକ୍ତିଶାଳୀ ବିକଳ୍ପ ଭାବରେ ଆଭିର୍ଭାବ ହୋଇଥିବା ସମୟରେ ଓଡ଼ିଶାର ଲୋକମାନେ ଓ ବିଶେଷ ଭାବରେ ବିଜୁ ପଟ୍ଟନାୟକଙ୍କ ସହିତ କାମ କରୁଥିବା ରାଜନୈତିକ ବ୍ୟକ୍ତିମାନେ କଂଗ୍ରେସକୁ ହରାଇବା ପାଇଁ ଏକ ବିକଳ୍ପ ସନ୍ଧାନରେ ଥିଲେ। ସେହି ଲୋକମାନେ ୧୯୯୬ ଲୋକସଭା ନିର୍ବାଚନକୁ ତର୍ଜମା କରି ବିଚାର କଲେ ଯେ, କେବଳ ବିଜେପି ସହାୟତାରେ ବିଜୁ ପଟ୍ଟନାୟକଙ୍କ ଅନୁଗତମାନେ ଓଡ଼ିଶାରେ କଂଗ୍ରେସକୁ କ୍ଷମତାଚ୍ୟୁତ କରିପାରିବେ। ଯଦିଓ ବିଜୁ ପଟ୍ଟନାୟକ ଜୀବନବ୍ୟାପୀ ଧର୍ମ ନିରାପେକ୍ଷ ଆଦର୍ଶରେ ବିଶ୍ୱାସ କରୁଥିଲେ ଓ ବିଜେପି ସହିତ ସହଯୋଗ କରିବା ପାଇଁ କେବେ ଚାହିଁନଥିଲେ, କିନ୍ତୁ ତାଙ୍କର ଅବର୍ତ୍ତମାନରେ ତାଙ୍କ ଅନୁଗତମାନେ କ୍ଷମତା ରାଜନୀତିର ବାସ୍ତବତାକୁ ବିଚାର କରି ଓ ସେତେବେଳକୁ ବାଜପେୟୀଙ୍କ ନେତୃତ୍ୱରେ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ପରି କେତେକ ଧର୍ମ ନିରପେକ୍ଷବାଦୀ ରାଜନୈତିକ ଦଳ ଏନ୍‌ଡିଏ ମେଂଟରେ ସାମିଲ ହୋଇଥିବାରୁ ଓଡ଼ିଶାରେ ବିଜୁ ଜନତା ଦଳ ସେଥିରେ ସାମିଲ ହେବାରେ ବିଜୁଙ୍କ ଆଦର୍ଶ ବିରୋଧୀ କାର୍ଯ୍ୟ ହେବନାହିଁ ବୋଲି ଚିନ୍ତା କଲେ।

ଏହି ବିଜୁ ଅନୁଗତମାନଙ୍କର ସେମାନଙ୍କ ଭିତରୁ ଜଣକୁ ନେତା ଭାବରେ ବାଛିବାର ସିଦ୍ଧାନ୍ତ କରିବା ସମ୍ଭବ ନଥିବାରୁ ବିଜୁ ପଟ୍ଟନାୟକଙ୍କ ପୁତ୍ର ନବୀନ ପଟ୍ଟନାୟକଙ୍କୁ ସହଜରେ ନେତା ଭାବରେ ଗ୍ରହଣ କରିନେଲେ। ଏନ୍‌ଡିଏ ସେତେବେଳକୁ ସର୍ବନିମ୍ନ କାର୍ଯ୍ୟକ୍ରମ ଭିତରେ ଯେଉଁସବୁ ବିଷୟ ନେଇଥିଲା, ସେଥିରେ ରାମମନ୍ଦିର ବିବାଦ, ଜାମ୍ମୁକାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ଓ ସମାନ ସିଭିଲ୍ କୋଡ଼ ପ୍ରସଙ୍ଗ ନଥିଲା। ଏଣୁ ବିଜେଡି ସମର୍ଥକମାନେ ଧର୍ମ ନିରପେକ୍ଷ ଆଦର୍ଶକୁ ଭିତ୍ତିକରି ଏନ୍‌ଡିଏରେ ସାମିଲ ହେବାରେ କୌଣସି ବିବାଦ ହେବନାହିଁ ବୋଲି ଯୁକ୍ତି କରିପାରିଲେ। ଏହି ଆଧାରରେ ସେତେବେଳେ ଥିବା ଜନତା ଦଳର ସ୍ୱର୍ଗତ ଡାକ୍ତର ଦାମୋଦର ରାଉତ, ସ୍ୱର୍ଗତ ନଳିନୀ ମହାନ୍ତି, ପ୍ରଫୁଲ୍ଲ ଘଡ଼େଇ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରି ବହୁ ନେତା ୧୯୯୮ ଲୋକସଭା ନିର୍ବାଚନରେ ବିଜେଡ଼ି ଓ ବିଜେପି ମେଂଟର ବିପୁଳ ବିଜୟ ପରେ ବିଜେଡ଼ି ସହିତ ସାମିଲ ହୋଇଗଲେ। ସେତେବେଳକୁ ନବୀନ ପଟ୍ଟନାୟକ ବାଜପେୟୀଙ୍କ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଯାଇଥିଲେ। ତେଣୁ ନବୀନଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜୁ ଅନୁଗତମାନଙ୍କୁ ସଂଗଠିତ କରିବା ସହଜ ହେବା ବିଚାର କରାଯିବା ସ୍ୱାଭାବିକ।

ସେ ଖୁବ୍‌ଶୀଘ୍ର ବୁଝିନେଲେ ଯେ, ଜନତା ଦଳ ଭିତରେ କୌଣସି ସର୍ବମାନ୍ୟ ନେତା ନଥିବାରୁ ତାଙ୍କୁ ଏହି ଦଳର ନେତାମାନେ ନେତୃତ୍ୱ ଆସନରେ ବସାଇବା ପାଇଁ ବାଧ୍ୟ ହୋଇଛନ୍ତି। ସେହି କ୍ରମରେ ନିଜ ନେତୃତ୍ୱକୁ ଆହୁରି ମଜବୁତ କରିବା ପାଇଁ ଯେଉଁମାନେ ତାଙ୍କ ନେତୃତ୍ୱ ନେଇ ଟିକେ ପ୍ରଶ୍ନ ପଚାରି ପାରିବେ ସେମାନଙ୍କୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ୨୦୦୦ ବିଧାନସଭା ନିର୍ବାଚନ ସମୟରେ ଏହି ଗୋଷ୍ଠିର ସବୁଠୁ ଶକ୍ତିଶାଳୀ ନେତା ବିଜୟ ମହାପାତ୍ରଙ୍କୁ ଶେଷ ମୁହୂର୍ତ୍ତରେ ଦଳର ଟିକେଟରୁ ବଂଚିତ କରିଦେଲେ। କିନ୍ତୁ ନିର୍ବାଚନ ବିଜୟ ଉପରେ ଏହା କୌଣସି ପ୍ରଭାବ ପକାଇଲା ନାହିଁ। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଆସନରେ ବସିଲା ପରେ ଦଳ ଭିତରେ ସାମାନ୍ୟ ପ୍ରଭାବଶାଳୀ ନେତାମାନଙ୍କୁ ସଙ୍କୁଚିତ କରିବା ପ୍ରକ୍ରିୟା ଏପରି କଲେ ଯେ, ଦଳରେ ସେ ଏକକ ନେତୃତ୍ୱ ଭାବରେ ପ୍ରତିଷ୍ଠିତ ହୋଇଗଲେ।

ଏହି କ୍ରମରେ ବିଜେପି ସହିତ ମେଂଟ ଭାଙ୍ଗିଲା ପରେ ମଧ୍ୟ ଦଳ ପାଇଁ କିଛି ଅସୁବିଧା ହେଲା ନାହିଁ। କ୍ରମାଗତ ଭାବରେ ୫ଟି ନିର୍ବାଚନ ଜିତି ଓଡ଼ିଶା ପାଇଁ ଓ ସାରା ଦେଶ ପାଇଁ ସେ ଏକ ନୂଆ ରେକର୍ଡ ସ୍ଥାପନ କଲେ। କିନ୍ତୁ ଯେକୌଣସି ଦଳରେ ଏକକ ନେତୃତ୍ୱ ଦଳ ପାଇଁ ଯେଉଁ ଅସୁବିଧାଗୁଡ଼ିକ ସୃଷ୍ଟି କରେ ତାହା ଗତ ୭ ବର୍ଷ ହେଲା ପଦାକୁ ଆସୁଥିଲା। ତାହା ସତ୍ତ୍ୱେ ୨୦୧୯ ନିର୍ବାଚନରେ ଅସୁସ୍ଥତା ଭିତରେ ସେ ପ୍ରଚାର କରି ଦଳକୁ ଓଡ଼ିଶାରେ କ୍ଷମତାସୀନ କରିବାକୁ ସକ୍ଷମ ହୋଇଥିଲେ। ହେଲେ ଦଳ ଭିତରେ ନୀତିଗତ ବ୍ୟାପାରରେ କୌଣସି ଆଲୋଚନା ସାଂଗଠନିକ ସ୍ତରରେ ନହେବା ଓ ତାଙ୍କର ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ହଠାତ୍ ଅତ୍ୟଧିକ ଶକ୍ତିଶାଳୀ ହୋଇ ଉଭୟ ସରକାର ଓ ଦଳକୁ ପରିଚାଳନା କରିବା ଫଳରେ କେନ୍ଦ୍ର ସହିତ ସୁସଂପର୍କ ନାଁରେ ମୋଦୀ ସରକାରଙ୍କର ସମସ୍ତ ବିଧେୟକକୁ ବିଜେପି ଆଖିବୁଜି ସମର୍ଥନ କଲା। ବିଶେଷ ଭାବରେ ସିଏଏ ଓ ଦିଲ୍ଲୀ ସର୍ଭିସ୍ ବିଲ୍ କ୍ଷେତ୍ରରେ ମୋଦୀ ସରକାରଙ୍କୁ ପାର୍ଲାମେଂଟରେ ସମର୍ଥନ ଅନେକଙ୍କୁ ବିସ୍ମିତ କରିଦେଇଥିଲା।

ଏହି ସମର୍ଥନ ଏତେ ଭିତରକୁ ଚାଲିଯାଇଥିଲା ଯେ, ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପି ସହିତ ମେଂଟ କରିବାକୁ ଦଳ ଆଗେଇ ଯାଉଥିଲା। ବିଜେପି ଭିତରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ନିର୍ବାଚନର ମାତ୍ର ୧ ମାସ ପୂର୍ବରୁ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦଳ ସମର୍ଥନ କଲା। ତେବେ ବିଜେପି ମେଂଟ ବାନ୍ଧିଲା ନାହିଁ ଓ ଦଳ କ୍ଷମତାଚ୍ୟୁତ ହେଲା। ନିର୍ବାଚନ ବିପର୍ଯ୍ୟୟର ପ୍ରକୃତ କାରଣ ବିଷୟରେ ଦଳ ଆଲୋଚନା ନକରି ନବୀନଙ୍କୁ ଦଳର ନେତା ଭାବରେ ଥିବା ସମର୍ଥନ ବଜାୟ ରଖିଲେ।

ଏବେ କ୍ଷମତା ଯିବାର ୯ ମାସ ପରେ ପାର୍ଲାମେଂଟରେ ୱାକଫ୍ ବିଲ୍‌କୁ ନେଇ ଯେଉଁ ସଂକଟ ଦେଖାଦେଇଛି ସେଥିରେ ଦଳ ଭିତରେ ଥିବା ସବୁ ଅସନ୍ତୋଷ ପଦାକୁ ଆସିଥିଲେ ମଧ୍ୟ ସବୁ ଆଲୋଚନାକୁ ଦବାଇ ଦେବା ପାଇଁ ନବୀନ ଏକ ନୂଆ ପନ୍ଥାର ଆଶ୍ରୟ ନେଇଛନ୍ତି। ଯଦିଓ ଏହି ବିବାଦରେ ରାଜ୍ୟସଭା ସଦସ୍ୟ ସୁଲତା ଦେଓଙ୍କ ମନ୍ତବ୍ୟ ପରେ ଏହା ସ୍ପଷ୍ଟ ଯେ, ନବୀନଙ୍କ ନିର୍ଦ୍ଦେଶରେ ହିଁ ୱାକଫ୍ ବିଲ୍ ସଂକ୍ରାନ୍ତରେ ବିବେକ ଭୋଟ୍ କଥା ନିଷ୍ପତି ସସ୍ମିତ ପାତ୍ର ଜଣାଇଥିଲେ। ଅର୍ଥାତ୍ ଧର୍ମନିରପେକ୍ଷ ଆଦର୍ଶ ଅପେକ୍ଷା କୌରସି କାରଣରୁ ନିଜର ବ୍ୟକ୍ତିଗତ ସୁବିଧା ପାଇଁ ବା ଭୟରେ ସେ ଦଳକୁ ଏପରି ଏକ ଅଡୁଆ ଅବସ୍ଥାକୁ ନେଇଯାଇଛନ୍ତି। ସେ ଭଲଭାବରେ ଜାଣନ୍ତି ଯେ, ବିଜେଡ଼ିରେ ତାଙ୍କ ଛଡ଼ା କୌଣସି ବିକଳ୍ପ ନେତୃତ୍ୱ ନାହିଁ। ଦଳର ସଂକେତ ଓ ପାଣ୍ଠି ତାଙ୍କ ହାତରେ ରହିଛି। ତେଣୁ ସେ ବିଜେଡ଼ି ନେତୃତ୍ୱକୁ ବନ୍ଧକରେ ରଖି ଅସନ୍ତୋଷ ଜନିତ ପ୍ରସଙ୍ଗ ଉପରେ ଜବାବ ନଦେଇ ପାଣ୍ଡିଆନ୍‌ଙ୍କ ପ୍ରତି ସମର୍ଥନ ଓ ପୁରୁଖାମାନଙ୍କୁ ନାଲିଆଖି ଦେଖାଇବା କାମ ଆରମ୍ଭ କରିଛନ୍ତି।

ଏହି ଅବସ୍ଥାରେ ବିଜେଡ଼ିର ତଥାକଥିତ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଛି। ଏହା କାହାକୁ ଅଛପା ନାହିଁ ଯେ, ସାଂଗଠନିକ ନିର୍ବାଚନ ଓ ପଦପଦବୀ ସବୁ ନିର୍ବାଚନ ଭିତ୍ତିରେ ନୁହେଁ, ମୁଖ୍ୟଙ୍କ ନିର୍ଦ୍ଦେଶ ଅନୁସାରେ ଗଠିତ ହେବ। ଯାହାକୁ ସର୍ବସମ୍ମତ ନିର୍ବାଚନ ବୋଲି କୁହାଯିବ। ଏଥିରେ ନବୀନ ପଟ୍ଟନାୟକ ୯ମ ଥର ପାଇଁ ଦଳର ସଭାପତି ଭାବରେ ନିର୍ବାଚିତ ହେବେ। କିନ୍ତୁ ଦଳରେ ଯେଉଁମାନେ ପାଣ୍ଡିଆନ୍‌ଙ୍କୁ ନେଇ ଭିନ୍ନମତ ଦେଇଛନ୍ତି ଓ ୱାକଫ୍ ବିଲ୍ ଘଟଣାରେ ଦଳର ଧର୍ମନିରପେକ୍ଷ ଆଦର୍ଶ ଭଙ୍ଗ ହୋଇଥିବା ଅଭିଯୋଗ କରୁଛନ୍ତି ସେମାନଙ୍କୁ ଦଳର ମୁଖ୍ୟ ସ୍ଥାନଗୁଡ଼ିକରେ ରଖାନଯିବାର ଆଶଙ୍କା ଦେଖାଦେଇଛି। ଏହାକୁ ଦେଖି ଦଳର ଜଣେ ବରିଷ୍ଠ ନେତା ୮ ଥରର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏକ ପତ୍ରରେ ମୁଖ୍ୟଙ୍କୁ ଜଣାଇଛନ୍ତି ଯେ, ସଂଗଠନର ପଦପଦବୀରେ ଦଳିତ, ଆଦିବାସୀ, ମହିଳା, ପଛୁଆବର୍ଗ ଓ ସଂଖ୍ୟାଲଘୁମାନଙ୍କୁ ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥା କରିବାକୁ ପଡ଼ିବ। କାରଣ ଏହି ପ୍ରସଙ୍ଗ ଗତ ବିଧାନସଭା ଅଧିବେଶନରେ ବିଜେଡ଼ି ସଦସ୍ୟମାନେ ସରକାରଙ୍କୁ ଘେରିବା ପାଇଁ ଏକ ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ। ସ୍ୱାଇଁଙ୍କ ପତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଜୁ ଜନତା ଦଳ ସାମାଜିକ ନ୍ୟାୟକୁ ଏକ ମୁଖ୍ୟ ଆଧାର ଭାବରେ ଗ୍ରହଣ କରୁ। ତାଙ୍କର ଆଶଙ୍କା ଯେ, ଦଳର ପଦପଦବୀ ମନୋନୟନରେ ଗୋଟିଏ ଗୋଷ୍ଠୀ ଏହାକୁ ହାଇଯାକ୍ କରିଦେଇପାରନ୍ତି। ସେ କେଉଁମାନଙ୍କୁ ଲକ୍ଷ୍ୟକରି ଏହା କହୁଛନ୍ତି ତାହା ଜଣାଅଛି।

ଅସଲ କଥା ହେଉଛି ବିଜେଡ଼ି ସମ୍ପୂର୍ଣ୍ଣ ଭାବରେ ଆଦର୍ଶଗତ ଭାରସାମ୍ୟ ହରାଇସାରିଛି। କେବଳ ନବୀନଙ୍କୁ ନେତା କରି ଦଳ ଆଗକୁ ଯିବା ପାଇଁ କ’ଣ ସବୁ ମୁଖ୍ୟ ପ୍ରସଙ୍ଗ ହେବ ତାହା ସ୍ଥିର ହେଉଛି। ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚିଠିରେ ଏକଥା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ଖଣିମାନଙ୍କ ଉପରୁ ବକେୟା ଟିକସ ଆଦାୟ ପାଇଁ ସୁପ୍ରିମ୍‌କୋର୍ଟ ରାୟ ଦେଇଥିବା ସତ୍ତ୍ୱେ ରାଜ୍ୟ ସରକାର ଏଥିପାଇଁ ଆଇନ କରି କମ୍ପାନୀମାନଙ୍କୁ ନୋଟିସ୍ ଦେଇନାହାନ୍ତି। ଅପରପକ୍ଷରେ ଓଡ଼ିଶାରେ ଆଦିବାସୀ ଅଂଚଳ ପାଇଁ ପେସା ଆଇନ ଲାଗୁ କରିବା ନିମନ୍ତେ ବିଜେଡ଼ି ଆନ୍ଦୋଳନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ସେ ଭୁଲିଯାଉଛନ୍ତି ଯେ, ବିଜେଡ଼ି ଶାସନ କ୍ଷମତାରେ ଥିଲାବେଳେ ଏହା କାର୍ଯ୍ୟକାରୀ କଲାନାହିଁ। ବାସ୍ତବରେ ବିଜେଡ଼ି ପାଇଁ ରାଜନୈତିକ ଦୃଷ୍ଟିରୁ ରାସ୍ତା ଓ ପରିବେଶ ବହୁ ପରିମାଣରେ ସଂକୁଚିତ ହୋଇଯାଇଛି। ନବୀନଙ୍କ ହାତରେ ଏବେ କ୍ଷମତା ନାହିଁ। ତେଣୁ ଦଳ ଭିତରେ ଆଦର୍ଶଗତ ଦ୍ୱନ୍ଦ୍ୱ ଓ ବିବାଦକୁ ସେ କେତେଦୂର ସମ୍ଭାଳି ପାରିବେ?

ମୋ- ୮୦୧୮୦୯୪୪୫୫

Related story